Unknown

 

 

 

 

 

 

 

 

 

 

 

ସଭ୍ୟତାର ରଥଚକ୍ର ତଳେ

ଗଗନ ବିହାରୀ ବିଶ୍ୱାଳ

 

–ଏକ–

 

ଆକାଶରେ ଦିନାନ୍ତର ରଙ୍ଗ ଜାଗିଛି !

 

ହଳଦୀ-ଅଳତା ସମ୍ମିଶ୍ରଣର ସେ ଏକ ରଙ୍ଗ ! ସେ ଏକ ବିଚିତ୍ର ଆକର୍ଷଣୀୟ ରଙ୍ଗ ! ସେ ରଙ୍ଗର ଦେହ-ଦାହିକା ଶକ୍ତି ନାହିଁ, କିନ୍ତୁ ମନକୁ ସ୍ୱପ୍ନିଳ ବିଭୋର କରିବାରେ; ବେସୁରା ରାଗିଣୀର ଛନ୍ଦ ତୋଳିବାରେ ସେ ବେଶ୍ ଉଦାତ୍ତ ସାହାଯ୍ୟ କରେ...ସେଇଥିପାଇଁ ଯେଉଁମାନେ କର୍ତ୍ତବ୍ୟ-ବିବ୍ରତ, ଯେଉଁମାନଙ୍କର ମନ ବିଷାଦ-ଅତିଷ୍ଠ ସେଇମାନେ ଖୋଲା ପ୍ରାଙ୍ଗଣରେ, ନଈକୂଳେ ନତୁବା ସମୁଦ୍ରବେଳାରେ ଏଇ ରଙ୍ଗବୋଳା ଆକାଶରେ, ଛବି ଦେଖିବାକୁ ଭିଡ଼ କରନ୍ତି । ଅସମ୍ଭବ ରକମର ଭିଡ଼ ! ହୁଏତ ଏଇ ନୟନାଭିରାମ ରୂପ ସନ୍ଦର୍ଶନରେ କିଞ୍ଚିତ ଦୁଃଖ ଲାଘବ ହେବ ତ... !

 

ଆଉ ଯେଉଁମାନଙ୍କର ମନରେ ରଙ୍ଗ ଲାଗିଛି...ବଡ଼ ହେବାର ରଙ୍ଗ !!

 

ସେମାନେବି ଏଠି କମ୍ ପରିମାଣରେ ଭିଡ଼ ଜମାନ୍ତି ନାହିଁ ! ଏଇ ଆକାଶର ସେଇ ରଙ୍ଗ ତାଙ୍କ ମନ ଆକାଶରେ ରଙ୍ଗ ସହିତ ଖାପ୍ ଖାଇବାକୁ ପ୍ରତିଦ୍ୱନ୍ଦ୍ୱିତା କରେ, କିନ୍ତୁ ଶେଷ ସୂର୍ଯ୍ୟର ପ୍ରସ୍ଥାନ ପରେ ଏ ରଙ୍ଗ ଆକାଶ ବକ୍ଷରୁ ସମ୍ପୂର୍ଣ୍ଣ ନିଭିଯାଏ, ସେ ରଙ୍ଗ ସହସା ନିଭିଯିବା କି ସହଜ !!

 

ସେଇ କଥା ଭାବୁ ଥିଲା ନୀଳକଣ୍ଠ । ନୀଳକଣ୍ଠ ଛୋଟରାୟ । ଚକ୍ରଧରପୁରର ଏକ ଆଭିଜାତ୍ୟ ମଧ୍ୟବିତ୍ତ ପରିବାରର କନିଷ୍ଠ ସନ୍ତାନ ନୀଳକଣ୍ଠ ଛୋଟରାୟ...ତରୁଣ ମନର ଧଳା କାଗଜରେ ଲାଗିଛି ରଙ୍ଗ ! ସେଇ ବଡ଼ଲୋକ ହେବାର ରଙ୍ଗ...ପିଲାଦିନେ ଯାତ୍ରାତୀର୍ଥକୁ ଯିବାକୁ ଇଚ୍ଛା କରି ଅନେକ-ଥର ନିରାଶ ହୋଇଛି ସେ ! କାରଣ ଯାତ୍ରାତୀର୍ଥକୁ ଖାଲି ହାତରେ ବୁଲି କେହି ଯାଆନ୍ତି ନାହିଁ, ଯାତ୍ରାତୀର୍ଥକୁ ଯିବାକୁ ହେଲେ ପଇସା ଦରକାର । କିନ୍ତୁ ତା’ ବାପାଙ୍କର କ’ଣ ପଇସା ନାହିଁ ?

 

ବଡ଼ କରୁଣ ଆଘାତ ଆସିଥିଲା ତା’ ମନ ବୀଣାର ସୂକ୍ଷ୍ମତନ୍ତ୍ରୀରେ...ପାଞ୍ଚୋଟି ସଚେତନଶୀଳ ଜୀବ ଆଉ ଚାରୋଟି କେବଳ ଜୀବନଯୁକ୍ତ ଜୀବଙ୍କୁ ବାପା ତା’ର ସୁରୁଖୁରୁରେ ଚଳାଇ ପାରନ୍ତି ନାହିଁ । ଅନେକ ସମୟରେ ତାକୁ ହିଁ ଅନେକଥର ଉପବାସ କରିବାକୁ ପଡ଼ିଛି । ଅବଶ୍ୟ ସେତେବେଳକୁ ବଡ଼ଭାଇ ନୀଳାମ୍ବର ଚାକିରି ପାଇ ନଥିଲେ ।

 

ସେଇ ପିଲାଦିନରୁ ସେ ବୁଝିଛି–ବାପାଙ୍କ ପାଖରେ ପଇସା ନ ଥିବାରୁ ଯାତ୍ରାକୁ ଯିବାକୁ କହିଲେ ବାପା କି ବିରକ୍ତ ବିବ୍ରତ ହୁଅନ୍ତି ! ଆଉ ସେଇ ଦିନଠାରୁ ସେ ଉତ୍ତମରୂପେ ବୁଝିଛି ପଇସା ଯେ ମଣିଷ ଜୀବନରେ କେତେ ଦରକାର !

 

ପଇସା ! ପଇସା !!

 

ପିଲାଦିନେ ଏଇ ତ୍ରିଅକ୍ଷର ଯୁକ୍ତ ଦେବତାର ନାମକୁ ଯଦିଓ ଶୁଣିଥିଲା ନୀଳକଣ୍ଠ, ସେତେବେଳେ ଏହାର ବ୍ୟବହାର, ଏହାର ମୂଲ୍ୟ ଠିକ୍ ରୂପେ ନିରୂପଣ କରିବାକୁ ଅକ୍ଷମ ଥିଲା । କିନ୍ତୁ ହାଇସ୍କୁଲ ଜୀବନରେ ସେ ଏଇ ତ୍ରିଦେବତାର ପୂଜା ଦେଖିଲା ପ୍ରତି ଘରେ ଘରେ...ପ୍ରତି ଲୋକର କଥାରେ କଥାରେ...ନୀଳକଣ୍ଠ ମୁଣ୍ତରେ ସେଦିନ ପ୍ରଶ୍ନର ନାଗ ମଥା ଟେକି ଥିଲା–ପଇସା କ’ଣ ମଣିଷକୁ ମଣିଷ କରିପାରେ ?

 

ଆକଣ୍ଠ ମୋହରେ ସେଦିନ ଊର୍ଦ୍ଧ୍ଵଶ୍ଵାସ ହୋଇ ସେ ଶପଥ କରିଥିଲା–ସେ ପାଠ ପଢ଼ିବ–ଖୁବ୍‍ ପାଠ ପଢ଼ିବ–ଆଉ ସେଇ ପାଠକୁ ବିକ୍ରି କରି ସେ ଅର୍ଜନ କରିବ ପଇସା ! ପ୍ରଚୁର ପଇସା ! ତୋଳିବ କୋଠା, କିଣିବ ମଟର ସାଇକେଲ, ନାଇଁ ନାଇଁ ମଟର୍‍କାର୍...

 

କିନ୍ତୁ...କିନ୍ତୁ...

 

ଏକ ପଲକପାତରେ ହାଇସ୍କୁଲ ଜୀବନ ତା’ର ସମାପ୍ତ ହୋଇଗଲା...ପ୍ରଥମ ଶ୍ରେଣୀରେ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେ ଯେତେବେଳେ କଲେଜରେ ପଢ଼ିବାକୁ ଚାହିଁଲା ବାପା ହସି ହସି କହିଲେ–ତୋତେ ଏଇ ମାଟ୍ରିକ ଖଣ୍ଡିକ ପଢ଼ାଇ ମୁଁ ସର୍ବସ୍ଵାନ୍ତ ହୋଇ ଯାଇଛି ନିଲୁ ! ଏଥର ତୁତ ମାଟ୍ରିକ ପାସ୍‍ କଲୁ ! ଭାଇ କହୁଥିଲା ମାଟ୍ରିକ ପାସ୍‍ କଲେ ଖଣ୍ଡେ କିରାଣି ଚାକିରି ମିଳିବାକୁ କଷ୍ଟ ହୁଏନା, ଏଥର ତୁ ସେଇ କିରାଣି ଚାକିରି ଧର । ତୋ’ ପଇସାରେ ଆମେହେଲେ ଶେଷ ଜୀବନରେ ସୁଖ ଶାନ୍ତିରେ କାଳ କାଟିବୁ...ନେ, କିଛି ଟଙ୍କା ନେଇ କଟକ ଯା, ଖଣ୍ଡେ କିରାଣି ଚାକିରି ଦେଖେ...

 

କିରାଣି ଚାକିରି ଦେଖିବି, ଆଉ କଲେଜ ନୁହେଁ ? ନୀଳକଣ୍ଠ ବାପାଙ୍କ ମୁଖରୁ ଏପ୍ରକାର ସ୍ପଷ୍ଟୋକ୍ତି ଶୁଣି ସ୍ୱଗତ୍ୱୋକ୍ତି କରି ଉଠିଥିଲା–ପିଲାଦିନର ସ୍ୱପ୍ନ କ’ଣ ତା’ର ସଫଳ ହୋଇପାରିବ ନାହିଁ ?

 

ବାପା ଧନଞ୍ଜୟ ସେଇ ହସମିଶ୍ରିତ କଣ୍ଠରେ କହିଥିଲେ–ଆମେ ଗରିବ ଲୋକ ନିଲୁ ! ପାଞ୍ଚମାଣ ସମ୍ପତ୍ତି ଛଡ଼ା ଆମର ଆଉ କ’ଣ ଅଛି ? ମୋ’ ଜୀବନରେ ମୁଁ ବହୁତ କଷ୍ଟ ସହିଲିଣି; ତୋ ବଡ଼ଭାଇ ସିନା ପାଠ ପଢ଼ିଲା ନାହିଁ, ସେ ଯଦି ପାଠ ପଢ଼ିଥାଆନ୍ତା ହୁଏତ ତୋର ପଢ଼ିବା ଦାୟିତ୍ୱଟା ସେ ବହନ କରିଥାଆନ୍ତା–ଛାଡ଼, ଯା’ହେଉ ପରମପିତାଙ୍କ ଦୟାରୁ ସେ ଖଣ୍ଡେ ଚାକିରି କରିଛି । ତୁ ତା’ପଛକୁ ଲାଗି ଗଲେ ମୋ ଦୁଃଖ ଯିବ । ତୁ ଆଉ ପାଠ ପଢ଼ିବାର ମୋହକୁ ମନରୁ ତୁଟାଇ ଦେ ନିଲୁ ! ତୁ ଯେତିକି ପଢ଼ିଛୁ ସେତିକି ଏ ଗରିବ ଭାଗ୍ୟରେ ଯଥେଷ୍ଟ ହୋଇଛି ଏଣିକି ଚାକିରି କରି ନିଜର ଉନ୍ନତି କରିବାର ପନ୍ଥା ଦେଖ...

 

କିନ୍ତୁ ଚାକିରି କରି ନିଜର ଉନ୍ନତି କରିବାର ପନ୍ଥା ଦେଖିବାକୁ ପସନ୍ଦ କାହିଁକି ହଠାତ୍ ହେଲା ନାହିଁ ନୀଳକଣ୍ଠର । ନିର୍ମଳ ଆକାଶରେ ଖଣ୍ଡ ଖଣ୍ଡ ମେଘ ଭାସି ବୁଲିଲା ଭଳି ତା’ ମନରେ ପ୍ରଶ୍ନର ମେଘଗୁଡ଼ାଏ ଭାସି ବୁଲିଲା । ଧନ ନଥାଇ କ’ଣ କେହି ପାଠ ପଢ଼ି ପାରେନା ??? ନିର୍ଦ୍ଧନୀ ଲୋକର ଭାଗ୍ୟରୁ କ’ଣ ପାଠ ଶବ୍ଦର ‘ପା’ ଅକ୍ଷରଟା ସବୁଦିନ ଲାଗି ଲିଭି ଯାଇଛି ? ନା-ନା, ପାଠ ପଢ଼ିବାକୁ ହେବ । ନିଜ ଜୀବନକୁ ଦୁଃଖ ସହିତ ସାଥି କରିବାକୁ ହେବ–ଦୁଃଖ କଷ୍ଟ ନ ସହିଲେ କେହି କେବେ ବଡ଼ମଣିଷ ହୋଇନି ଅନ୍ଧାର ନ ଭୋଗିଲେ ଆଲୋକ ସନ୍ଧାନ କେହି କରନ୍ତି ?

 

ନୀଳକଣ୍ଠର ଜିଦ୍ ଉଠିଲା ଧନ ନ ଥାଇ ମଧ୍ୟ ସେ ପାଠ ପଢ଼ିବ–ତାକୁ ଗୁଡ଼ାଏ ପାଠ ପଢ଼ି ମଣିଷ ହେବାକୁ ହେବ... କିନ୍ତୁ କେମିତି ? ମନ ଥିଲେ ବାଟ ବଳେ ବଳେ ଦେଖାଯାଏ । ନୀଳକଣ୍ଠ ସ୍ଥିର ନିଷ୍ପତ୍ତି କଲା, ଏକ ମଧ୍ୟଇଂରାଜୀ ବିଦ୍ୟାଳୟର ସହକାରୀ ଶିକ୍ଷକ ହୋଇ ସେ ଅର୍ଥ ଉପାର୍ଜ୍ଜନ କଲା–ସେଇ ଅର୍ଥକୁ ସଞ୍ଚୟ କରି ସେ ପଢ଼ିବ ପାଠ–ବହୁତ ପାଠ ଆଃ...

 

ଉଚ୍ଛଳ ଆନନ୍ଦରେ ନୀଳକଣ୍ଠର ଅନ୍ତର ତାଥେଇ ତାଥେଇ ନାଚି ଉଠିଲା–ସତେକି ଏଇ ମନନେଇ ସେ ଟାଳି ଦେବ ହିମାଦ୍ରିକୁ । ଡେଇଁ ପଡ଼ିବ ସାତ ସମୁଦ୍ରର ଦୈର୍ଘ୍ୟକୁ–ନିମିଷକେ ଆଖିର ପଲକେ–ଆଖିର ପଲକେ !

 

ହଁ, ଆଖିର ପଲକେ । ଗୋଟାଏ ଦିନ ନୁହଁ ଗୋଟାଏ ବର୍ଷ ଅତିବାହିତ ହେଲା । ନୀଳକଣ୍ଠର ମନର ସ୍ୱପ୍ନ ହେଲା ଉଚ୍ଛଳ–ଉଦ୍ଦାତ୍ତ ହେଲା ତା’ର ନିଷ୍ପତ୍ତି !! ନିଜ ଅର୍ଜିତ ଅର୍ଥକୁ ସଞ୍ଜୟ କରି ସେ କଲେଜରେ ନାମ ଲେଖାଇଲା । କଲେଜରେ ନାମ ଲେଖାଇବା ପୂର୍ବରୁ ବାପା ତାକୁ ଅନେକଥର ସତର୍କ କରାଇ ଦେଇଥିଲେ–ପାଠ ପଢ଼ି ମଣିଷ ହେବାର ଦୁର୍ବୁଦ୍ଧିକୁ ଏକାବେଳେକେ ଛାଡ଼ି ଦେବାକୁ ଚେତାଇ ଦେଇଥିଲେ–ଆଉ ନୀଳକଣ୍ଠକୁ ଏ ଦୁର୍ବୁଦ୍ଧି ଗ୍ରାସ କରିଥିବାର ଦେଖି ପ୍ରମାଦ ଗଣିଥିଲେ–ବଡ଼ଭାଇ ନୀଳାମ୍ବର ମଧ୍ୟ ବାପାଙ୍କ ସହିତ ସହଯୋଗ କରି ସେଇ କିରାଣି ଚାକିରି କରିବାକୁ ପରାମର୍ଶ ଦେଇଥିଲେ–

 

କିନ୍ତୁ ନୀଳକଣ୍ଠ ?

 

ନୀଳକଣ୍ଠ ମନରେ ଲାଗିଥିଲା ପକ୍ଷ । ମନର ବାହନରେ ବସି ସେ ଛୁଟି ଯାଇଥିଲା କଳ୍ପନା ଦ୍ଵୀପର ଅନେକ ଅନେକ ଦୂରକୁ । ଯେଉଁଠି ସେ ଦେଖିଥିଲା କାର୍ ଆଉ ମଟର, କୋଠାବାଡ଼ି–ନୀଳକଣ୍ଠ ସେଇ ମନର ବାହନରେ ବିଚରଣ କରୁଥିଲା ଏକ ଧନୀ ଦେଶରେ । ଗରିବ, ଦଳିତ, ପତିତ, ନିର୍ଯ୍ୟାତିତ ଲୋକଙ୍କର ଦୁଃଖ ଦୁର୍ଦ୍ଦଶା ତା’ ବଡ଼ଲୋକ ହେବାର ପିପାସିତ ଧମନୀକୁ ସ୍ପର୍ଶ କରିପାରୁ ନଥିଲା । ନୀଳକଣ୍ଠ ଏକାନ୍ତରେ ଚାହିଁଥିଲା ହେବାକୁ ବଡ଼–ଖୁବ୍ ବଡ଼–ଟାଟା, ବିରଳା ଡାଲମିଆ ଭଳି କୋଟିପତି, କୋଟିର କୋଟିପତି । ଫଳରେ ବାପା, ଭାଇଙ୍କର ଆଦର୍ଶ ଶିକ୍ଷାକୁ ଗ୍ରହଣ କରିନେବା ତା’ପକ୍ଷେ ଏକାନ୍ତ ଅସହ୍ୟ ହୋଇ ଉଠିଥିଲା । ତା’ର ଧାରଣା ହୋଇଥିଲା–ବାପ ଭାଇ ତା’ର ଶତ୍ରୁ–ତା’ର ଭାଗ୍ୟଚକ୍ରରେ ଏମାନେ ହେଉଛନ୍ତି ଏକ ଦୃଷ୍ଟଗ୍ରହ । ଏମାନଙ୍କଠାରୁ ନିଜକୁ ମୁକ୍ତି କରିବାକୁ ପଡ଼ିବ । ଏମାନଙ୍କ କବଳରୁ ମୁକ୍ତି ନହେଲେ ତା’ର ନିସ୍ତାର ନାହିଁ–ତା’ର ସ୍ୱପ୍ନ ସଫଳହୋଇ ପାରିବ ନାହିଁ ।

 

ନୀଳକଣ୍ଠର ଏପ୍ରକାର ନିଷ୍ପତ୍ତିରେ ଭାଇ ବିବ୍ରତ ହୋଇ ଉଠିଥିଲେ । ଗାଁଲୋକ ଧନଞ୍ଜୟକୁ ତାତ୍ସଲ୍ୟ କଲେ–ପିଲାଟାର ପାଠ ପଢ଼ିବାକୁ ମନ ଅଛି ଅଥଚ ତୁ ତାକୁ ପଢ଼ାଉନୁ ଧନଞ୍ଜୟ !

 

ନିଜ ଦୁଃଖକୁ ସେଇ ଦୁଃଖି ବୁକୁରେ ଚାପିଦେଇ ଧନଞ୍ଜୟ ସ୍ଵୀକୃତି ଦେଲା । ନୀଳାମ୍ବର ନିଜ ପେଟରୁ ପଇସା କାଟି କିଞ୍ଚିତ ସାହାଯ୍ୟ ଦେବାକୁ ସ୍ଥିର କଲା । ନୀଳକଣ୍ଠ ଚରମ ଆନନ୍ଦରେ ପଢ଼ିଲା ପାଠ । ବିଜ୍ଞାନ ନୁହେଁ, କଳାପାଠ–କଲେଜ ପାଠ । ଫଳରେ ନୀଳକଣ୍ଠ ଆଇ.ଏ. ପାସ୍‍ କଲାବେଳକୁ ଧନଞ୍ଜୟର ସଂସାରରେ ଦେଖାଦେଇଛି ଅଭାବ ଅନାଟନର ରାକ୍ଷସ । ସେଇ ରାକ୍ଷସ ଯେମିତି ତା’ ଲହ ଲହ ଜିହ୍ୱା ବିସ୍ତାର କରି କହୁଛି–ଗ୍ରାସ କରିବି ଧନଞ୍ଜୟକୁ ନୀଳାମ୍ବରକୁ । ନୀଳାମ୍ବର ସ୍ତ୍ରୀ ଓ ତା’ ମାଆକୁ । ଧନଞ୍ଜୟ ବିଚରା ଅସହାୟ ହତଭାଗ୍ୟ । ଏକ ନିଃସହାୟ କଣ୍ଠରେ ପୁଣି ସେ ଆବେଦନ କରିଛି ନୀଳକଣ୍ଠକୁ–ନୀଳକଣ୍ଠ ! ଆମ ଆଡ଼କୁ ଟିକେ ଚାହିଁବୁ ନାହିଁ ତୁ ?

 

ଓ...ନୀଳକଣ୍ଠ ଆର୍ତ୍ତନାଦ କରି ଉଠିଛି–କଟକ...କଟକ...କିନ୍ତୁ ତା’ପରେ ?

 

ନୀଳକଣ୍ଠ ନିଜର ପରିବାରରେ ରୋଗ ପାଣ୍ଡୁର ମୁଖକୁ ଚାହିଁଛି । କିନ୍ତୁ ସେ ଚାହିଁବାରେ ମୂଲ୍ୟ କ’ଣ ଅଛି ?

 

ଧନଞ୍ଜୟ ଚରମ ଦୁଃଖ-ବିରକ୍ତି ବିବ୍ରତରେ ଦିନେ ଘୋଷଣା କରିଛନ୍ତି–ଅପଦାର୍ଥ ! ପୁତ୍ର ହୋଇ ବାପ ମାଆକୁ ସୁଖରେ ରଖିବାକୁ ତୁ ଚାହିଁଲୁ ନାହିଁ । ଅଥଚ ତୋତେ ପାଠ ପଢ଼ାଇବା ଅବଶରରେ ଆମେ କେତେ ସ୍ୱପ୍ନ ଦେଖୁଥିଲୁ ? କିନ୍ତୁ ପରିଶେଷରେ ତୁ ଏଇଆ କଲୁ ! ଆମକୁ ତିଳ ତିଳ ଜଳାଇ ତୁ ତୋ ଭବିଷ୍ୟତକୁ ଉଜ୍ଜ୍ଵଳ କରୁଛୁ ! କୁଳାଙ୍ଗାର !

 

ନୀଳକଣ୍ଠ ଦୁଇ ହାତପାପୁଲିରେ ମୁଁହ ଗୁଞ୍ଜି କାନ୍ଦି ଉଠିଛି । ଅଭିଶାପ ଦେଇଛନ୍ତି ବାପା, ନିଷ୍ଠୁର ସେ ଅଭିଶାପ । ନିଷ୍ଠୁର ଏ ସଂସାର ବାପାଙ୍କୁ ଯିଏ ଧରି ରଖିଛି–ତା’ପରେ ସେ ବାପାଙ୍କ ପାଖରେ ଶପଥ କରିଛି–କଠୋର ସେ ଶପଥ–ନିର୍ମମ ସେ ଘୋଷଣା–ଘରୁ ଗୋଟାଏ କପର୍ଦ୍ଦକ ନ ନେଇ ମୁଁ ପଢ଼ିବି–ହୁଏତ ଏଥିଲାଗି ମୋ ଜୀବନଟା ଚାଲିଯାଉ, କିନ୍ତୁ ମଧ୍ୟବିତ୍ତ ଭଳି ଦୁଃଖ ସହ ସଂଘର୍ଷ କରି ମୁଁ ମରିବାକୁ ଚାହେଁନା ବାପା ! ମଣିଷ ଭଳି ବଞ୍ଚି ରହିବାର ଅଭିଳାଷ ମୋର ବହୁ ଦିନର । ମଣିଷ ଭଳି ବଞ୍ଚି ରହିବାର ମୋର ଅଧିକାର ଅଛି । ଯେ ପର୍ଯ୍ୟନ୍ତ ମୁଁ ମଣିଷ ହୋଇନି ଏ ଘରର ମୁହଁ ମୁଁ ଚାହିଁବିନି–ଏ ଘରର ସିଂହ ଦରଜା ମୁଁ ମାଡ଼ିବି ନାହିଁ ।

 

ନୀଳକଣ୍ଠର ଏ ରୋଷମିଶ୍ରିତ ସ୍ପଷ୍ଟୋକ୍ତି ଶୁଣି ଚମକି ଉଠିଛନ୍ତି ଧନଞ୍ଜୟ । କାନ୍ଦି ଉଠିଛି ମା’ ହେମାଙ୍ଗିନୀ, ଆଉ ଆଉ ଭାଇ ଭାଉଜ–ତଥାପି ନୀଳକଣ୍ଠ ପୂର୍ବଭଳି ତା’ ସତ୍ୟକୁ କରିଛି ଅଟଳ–ତା’ ଲକ୍ଷ୍ୟକୁ କରିଛି ସ୍ଥିର–ତା’ ପିପାସାକୁ କରିଛି, ଆହୁରି ଉଦ୍ଦାତ୍ତ–ଫଳରେ ଘରୁ ଏକ ପଇସା ନପାଇ ସେ ଅଣ୍ଟା ଭିଡ଼ିଛି । ଆଣ୍ଟ କରିଛି ସେ ବି.ଏ. ପାସ୍‍ କରିବ । ନିଶ୍ଚୟ ନିଶ୍ଚୟ ଆଉ ସେଇଥି ନେଇ ସେ ବରଣ କରି ନେଇଛି ମନ୍ଦରଧରବାବୁଙ୍କର ଗୃହ ଶିକ୍ଷକତ୍ଵ ! ସେଇଥିନେଇ ସେଇ ସେ ଗ୍ରହଣ କରି ନେଇଛି ଏ ଋଷି ଯାଯାବର ଜୀବନ । କିନ୍ତୁ ତା’ ମନର ଧଳା କାଗଜରୁ ସେ କ’ଣ ସେଇ ବଡ଼ଲୋକ ହେବାର ରଙ୍ଗକୁ ଲିଭାଇ ପାରୁଛି ?

 

ନୀଳକଣ୍ଠ ମଥା ତୋଳି ଚାହିଁଲା–ଆରପଟ ନଈ ପଠାରୁ ଗତାୟୁ ସୂର୍ଯ୍ୟର ଶେଷ କିରଣ ନିଶ୍ଚିହ୍ନ ହୋଇ ଗଲାଣି–ପୂର୍ବ ଦିଗ୍ ବଧୂର ଅବଗୁଣ୍ଠନ ତଳୁ ନିବିଡ଼ ନିରନ୍ଧ୍ର ଅନ୍ଧାର ଘୋଟି ଆସୁଛି–ଆଉ କେଇଘଣ୍ଟା ପରେ ସମଗ୍ର ପୃଥିବୀ ଏ ଅନ୍ଧକାରର ପଣତ କାନି ତଳେ ଆଶ୍ରୟ ନେଇଯିବ–ତା’ପରେ ରଜନୀ ସୁନ୍ଦରୀ ନିଶ୍ଚିନ୍ତରେ ଶୋଇ ନିଃଶ୍ଵାସ ମାରିବ–ହାଇ ମାରିବ......

 

ନୀଳକଣ୍ଠ ଫେରି ଚାହିଁଲା–କାଠଯୋଡ଼ି ପଥର ବନ୍ଧର ଏ ଅଶାନ୍ତ ଅନ୍ଧକାରରେ ଅସ୍ପଷ୍ଟ ଦିଶିଲାଣି....ଭ୍ରମଣକାରୀ ଦଳ ପ୍ରତ୍ୟାବର୍ତ୍ତନ କରି ଗଲେଣି ଅନେକ ବେଳୁ–ଆରେ ସେ ଏପର୍ଯ୍ୟନ୍ତ ବସିଛି ଯେ...ତାକୁ ପୁଣି ଟିଉସନ କରିଯିବାକୁ ପଡ଼ିବ–ରାତି ସାତଟାରେ ଟିଉସନ–ବର୍ତ୍ତମାନ କେତେଟା ହେବ ?

 

କାଠଯୋଡ଼ି ପୋଲ ଉପରେ ଘୁ ଘୁ ଗର୍ଜ୍ଜନ...ଟ୍ରେନ ବୋଧେ ଆସିଗଲା–ସମୟ ନିଶ୍ଚୟ ପାଞ୍ଚଟା ପଇଁଚାଳିଶ.......

 

ନୀଳକଣ୍ଠ ଚଞ୍ଚଳ ହୋଇ ଉଠିଲା–ତିନି ମାଇଲ ପଥ ଅତିକ୍ରମ କରିବାକୁ ତାକୁ ଅନ୍ୟୂନ ଦେଢ଼ ଘଣ୍ଟା ଲାଗିବ ନିଶ୍ଚୟ...ତା’ଛଡ଼ା ଟିକେ ବିଳମ୍ବ ହେଲେ ହୁଏତ ମନ୍ଦରଧର ବାବୁ ବିରକ୍ତ ହୋଇ ପାରନ୍ତି । ଗୁଡ଼ାଏ ଟଙ୍କା ଟିଉସନ ବାବଦରେ ଦେଇ ଯଦି କିଛି ଫାଇଦା ନପାଆନ୍ତି ତେବେ କିଏ ଦୁଃଖିତ ନହେବ ?

 

ନିଜ ଯୁକ୍ତିର ତୀରରେ ନିଜେ ଆହତ–ଲଜ୍ଜିତ ହୋଇ ପାଦ ଭିଡ଼ିଲା ନୀଳକଣ୍ଠ.......

 

କଳ୍ପନାର ସୂତା ଖିଅଟା ଛିଣ୍ଡିଗଲା ଶ୍ଵେତପଦ୍ମାର–ବାହାରେ ଗେଟ ଖୋଲିବାର ଶବ୍ଦ ଶୁଭୁଛି–ହୁଏତ ସେ ଆସିଗଲେ ଶ୍ଵେତପଦ୍ମା ସଚେତନ ହୋଇ ଚଞ୍ଚଳ ହସ୍ତରେ ବହି ଖୋଲି ପକାଇଲା–ବହୁ ବେଳୁ ପାଠ ପଢ଼ାରେ ମନଧ୍ୟାନ କେନ୍ଦ୍ରୀଭୂତ କରିଥିବାର ଛଳନା କଲା...

 

ଭିତର ପଟୁ ମା’ ମନ୍ଦାକିନୀ ଡାକ ଛାଡ଼ୁଛନ୍ତି–ଶ୍ଵେତା ! ତୋ ସାର ଆସିଲେଣି ଯେ.....

 

ଶ୍ଵେତାକୁ ଜବାବ ଦେବାକୁ ପଡ଼ିନଥିଲା । ବିନା ସଂକୋଚରେ ନୀଳକଣ୍ଠ ଗୃହରେ ପଶୁ ପଶୁ କହିଲା–ପାଠ ପଢ଼ୁଥିଲ ତ ?

 

ଶ୍ଵେତା କହିଲା–ସାର ଆଜି ନୋଟିସ ବାହାରିଛି ପ୍ରିଟେଷ୍ଟ ପରୀକ୍ଷା ରହିଲା ପନ୍ଦର ଦିନ ମାତ୍ର......

 

ଚେୟାରଟାକୁ ଟାଣି ଆଣି ବସିବାର ଉପକ୍ରମ କରିବା ଅବସରରେ ନୀଳକଣ୍ଠ କହିଲା–ହଁ, ମୁଁ ଜାଣେ–ତେବେ ଇଂରାଜୀ ବହିଟା ବାହାର କଲ......

 

ଇଂରାଜୀ ବହିକୁ ପଢ଼ିବାକୁ କାହିଁକି ହଠାତ୍ ଆଗ୍ରହ ହେଲା ନାହିଁ ଶ୍ୱେତପଦ୍ମାର ତା’ ଛଡ଼ା ମନ ତା’ର ଅସୁସ୍ଥ, ଭୀଷଣ ଭାବେ ଅସୁସ୍ଥ ଇଂରାଜୀ ବହିରୁ କ’ଣ ସେ ବୁଝିବ ? ବରଂ ସାହିତ୍ୟ ବହି କବିତା ପ୍ରବେଶଟା ପଢ଼ିଲେ କିମିତି ହେବ ? ଶ୍ୱେତପଦ୍ମା ଏନୁଚ୍ଚ କଣ୍ଠରେ କହିଲା–ଦିଦି ‘ଆଶ୍ରମେ ପ୍ରଭାତ’ର କେତୋଟି ଧାଡ଼ି ଦେଇଛନ୍ତି ସରଳାର୍ଥ ଲେଖି ନେବାକୁ–ସେଇଆକୁ ଯଦି....

 

ପ୍ରତିବାଦ କଲାନାହିଁ ନୀଳକଣ୍ଠ । କାରଣ ତା’ ପ୍ରତିବାଦରେ ଯଦି ଶ୍ଵେତା ଆହତ ହୁଏ–ମନରେ ଏକପ୍ରକାର ସନ୍ଦେହଭୟ ତା’ର ବସା ବାନ୍ଧିଥିଲା । ଶ୍ୱେତାକୁ ଟିଉସନ କରି ଆସିବା ଆଜକୁ ଦୁଇଟି ମାସ ହୋଇଯାଇଛି–ଏଇ ଦୁଇଟି ମାସ ଭିତରେ ଶ୍ୱେତା କଥାରୁ କେବେ ବାହାରିଯିବାର ଦୁଃସାହସ ସେ କରିନି ଯଦିଚ ମନ୍ଦରଧର ବାବୁ ଶ୍ୱେତାକୁ ଆକଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ତଥାପି ସେ ତା’ କରିପାରିନି–କାରଣ ଶ୍ଵେତା ଯଦି ବିରକ୍ତ ହୋଇ ଟିଉସନ ହେବନି ବୋଲି ନାସ୍ତିବାଣୀ ଶୁଣାଏ ? ଅବଶ୍ୟ ଶ୍ଵେତା ବଡ଼ଲୋକର ଝିଅ ହୋଇ ସୁଦ୍ଧା ତା’ ମନରେ ଅହଂକାର, ଗର୍ବ ସେତେ ପରିମାଣରେ ନାହିଁ । ତଥାପି କେଉଁ ଭରସାରେ ସେ ଭରସି କହିବ ?

 

ଶ୍ଵେତା କହିଲା–ସାର୍ !

 

ନୀଳକଣ୍ଠ ଲଜ୍ଜିତ ହେଲା । ଶ୍ୱେତା ତା’ର ଅନ୍ୟ ମନସ୍କତାକୁ ଅନୁଭବ କରିପାରି ନାହିଁତ-? କହିଲା–ହଁ ତମେ ଆଶ୍ରମେ ପ୍ରଭାତ କବିତାଟି ପଢ଼–ଆଉ ଯେଉଁଟା ବୁଝି ନପାରୁଛ ପଚାର......

 

କୃତଜ୍ଞତାରେ ଶ୍ୱେତା କୃତ କୃତ ହୋଇ ଏକରକମ ନାଚି ଉଠି ‘ଆଶ୍ରମେ ପ୍ରଭାତ’ ପଦ୍ୟଟି ପାଠ କରିବାର ଛଳନା କଲା–ଏଇ କ୍ଷୀଣ ଅବସରରେ ନୀଳକଣ୍ଠ ନିରବ ଭାବେ ବସିବା ଅପେକ୍ଷା ଅତୀତକୁ ରୋମନ୍ଥନ କରିବାକୁ ବିଶେଷ କାହିଁକି ପସନ୍ଦ ମନେ କଲା–ମନେ ପଡ଼ୁଥିଲେ ତା’ର ବାପା, ମା, ଭାଉଜ, ଭାଇ–କ’ଣ ସେମାନେ କରୁଥିବେ ? ଆଜକୁ ପାଞ୍ଚୋଟି ମାସ ହେଲା ସେ ଘରୁ ଆସିଲାଣି । କେଉଁଠି ଆଉ କିପରି ସେ ରହୁଛି ତା’ ଜାଣିପାରି ନାହାନ୍ତି ତା’ର ପରିବାର–ବରଂ ସେମାନେ ନିଶ୍ଚୟ ଦୁଃଖିତ ଥିବେ ଏ ପାଗଳର ଖଣ୍ଡେ ପତ୍ର ପାଇଁ–ଦେବକି ଖଣ୍ଡେ ପତ୍ର ସେ-? ସେମାନଙ୍କୁ ଜଣାଇ ଦେବକି ସେ ଭଲରେ ଅଛି–ଆଉ ମଧ୍ୟ ଗୋଟେ ଟିଉସନ ବି ପାଇଛି–ଯେଉଁଥିରୁ ସେ ମାସକୁ ଅର୍ଜ୍ଜନ କରିପାରୁଛି ଷାଠିଏ ଟଙ୍କା–କିନ୍ତୁ ହଠାତ୍ ଚିଠିଟା ଲେଖି ପାରିଲା ନାହିଁ ନୀଳକଣ୍ଠ–ତା’ ପାଖରେ ପୋଷ୍ଟକାର୍ଡ଼ କିମ୍ବା ଲଫାପା କ’ଣ ଅଛି ?

 

ନିଜ ଭାବନାରେ ପୂର୍ଣ୍ଣଛେଦ ଟାଣି ନୀଳକଣ୍ଠ ଏଥର ଶ୍ୱେତପଦ୍ମା ଉପରକୁ ଦୃଷ୍ଟି ଘୂରାଇ ଆଣିଲା–ପଠନରେ ମନପ୍ରାଣ ଢାଳି ଦେଇଛି ଶ୍ୱେତା–ନୀଳକଣ୍ଠ ପଚାରିଲା–କ’ଣ ବୁଝିବାର କିଛି ଅଛି ?

 

ବୁଝିବାରେ କିଛି ବାକି ନଥିଲା ଶ୍ୱେତପଦ୍ମାର–ତଥାପି ନୀଳକଣ୍ଠ ଠାରୁ ମିଠା ମିଠା କଥା ଶୁଣିବା ଅଭିପ୍ରାୟରେ ସେ ବାଧ୍ୟ ହେଲା କହିବାକୁ–ସାର, ଆମ ସେ ଭାଗ୍ୟବତୀ ଦିଦି କ’ଣ ଶେଷ ଚାରିପଦର ଅର୍ଥ କଲେ ମୁଁ ତା’ ବୁଝିପାରିଲି ନାହିଁ । ଆଉଥରେ ବୁଝାଇବାକୁ ଅନୁରୋଧ କଲି ଯେ ସେ ବିରକ୍ତ ହେଲେ–କଥାଟା ପରିଷ୍କାର ଏଥର ବୁଝିଗଲା ନୀଳକଣ୍ଠ ଶ୍ୱେତପଦ୍ମା ବୁଝିନି ତାକୁ ବୁଝାଇବାକୁ ହିଁ ପଡ଼ିବ–

 

ବହିଟାକୁ ନିଜ ପାଖକୁ ଟାଣିନେଇ ଥରେ ଆଖି ପକାଇ ଗଲା ନୀଳକଣ୍ଠ–କିଛି ସମୟ ନୀରବ ରହି ସେ ଯିମିତି କ’ଣ ମନେ ପକାଇବାକୁ ଚେଷ୍ଟା କଲା–ତା’ପରେ କଣ୍ଠନଳୀକୁ ପରିଷ୍କାର କରି ଗମ୍ଭୀର ସ୍ଵରରେ ବୁଝାଇ ଚାଲିଲା “ଆଶ୍ରମେ ପ୍ରଭାତ”ର ରଚୟିତା କବି ଗଙ୍ଗାଧର ମେହେର ଓଡ଼ିଆ ସାହିତ୍ୟର ଏକ ଅନ୍ୟତମ ପ୍ରଖ୍ୟାତ କବି–

 

ଶ୍ୱେତପଦ୍ମା ନିଜ ଶରୀରର ଅସଂଯତ ବାସକୁ ସଜାଡ଼ି ବସି ନିବିଷ୍ଟ ମନରେ ଶୁଣିବାକୁ ଚେଷ୍ଟା କଲା–ନୀଳକଣ୍ଠ ଗମ୍ଭୀର ପ୍ରଶାନ୍ତ ହୋଇ ବୁଝାଇ ଚାଲିଛନ୍ତି । ଶ୍ୱେତା କିନ୍ତୁ ସେଗୁଡ଼ାକ ଶୁଣିବାର ଧୈର୍ଯ୍ୟ ହରାଇ ବସିଛି ଏଥି ଭିତରେ–ଆଜକୁ ଦୁଇଟି ମାସ ହେଲା ନୀଳକଣ୍ଠ ତାକୁ ବିଦ୍ୟାରେ ସାହାଯ୍ୟ କରିବାକୁ ଆସିଥିଲେହେଁ ଇଂରାଜୀ ଅଙ୍କ ଛଡ଼ା ତା’ର ଯେ ସାହିତ୍ୟ ଭଲ ହୁଏନା ଏକଥା କିମିତି ଧାରଣା ହୋଇଥିଲା ତା’ର । କାରଣ ସେଇ ଇଂରାଜୀ ଅଙ୍କ ବ୍ୟତୀତ ସେ ଏଇ ଦୁଇ ମାସ ଭିତରେ ଆଉ କିଛି ବୁଝାଇନି କିନ୍ତୁ ତା’ର ବିସ୍ତର ସନ୍ଦେହ ହେଲା–ନୀଳକଣ୍ଠର ଓଡ଼ିଆ ସାହିତ୍ୟ ଉପରେ ଯେଉଁ ଦଖଲ ଅଛି ତା’ ତାଙ୍କ ସ୍କୁଲର ଦିଦିମାନଙ୍କ ଠାରୁ ଯେ ବହୁଗୁଣ ବେଶି । ପାଠ ପଢ଼ାଇ ପାରିଲେ ଅନୁରୋଧ କରିବକି ସେ–ଏ ବିଷୟ ଉପରେ ଏକ ସମାଲୋଚନା ଲେଖିବାକୁ ?

 

ନୀଳକଣ୍ଠ ଏଥର ନିଃଶ୍ଵାସ ମାରିଲା–ଦୀର୍ଘ ସମୟ ଧରି ଆଶ୍ରମେ ପ୍ରଭାତ ଉପରେ ନୀତି ଦୀର୍ଘ ଭାଷଣ ଦେଇ ସେ ଏକପ୍ରକାର ତୃଷା ବି ଅନୁଭବ କଲା । କିନ୍ତୁ କ’ଣ କରିବ ? ଶ୍ଵେତାକୁ ଜଣାଇବକି ?

 

ନୀଳକଣ୍ଠ ଅବସର ନେବା ଭିତରେ ଇଙ୍ଗିତ ଦେଲା–ପାଣି...ମୋର ଦରକାର...

 

ମୁଣ୍ଡ ଦୋହଲାଇ ସମ୍ମତି କଲା ନୀଳକଣ୍ଠ ।

 

ଚଞ୍ଚଳ ଗତିରେ ପାଣି ଆଣିବାକୁ ଛୁଟିଗଲା ଶ୍ଵେତପଦ୍ମା–ଏକ ନୀଳ ରଙ୍ଗର ଗ୍ଲାସରେ କିଛି ମିଶ୍ରି ପାଣିରେ କାଗେଜି ଚିପୁଡ଼ି ଘେନି ଆସିଲା–ନୀଳକଣ୍ଠ ସେତକ ଗର୍ଭସ୍ଥ କରି ନିଃଶ୍ୱାସ ଛାଡ଼ିଲା–ଓଃ ରେ... !

 

ଶ୍ଵେତା କହିଲା ସାର୍ ଦେହ ଅସୁସ୍ଥ ଲଗୁଛି କି ?

 

ମନା କଲା ନୀଳକଣ୍ଠ । ବରଂ ତାକୁ ସେ ବିଷୟଟିକୁ ଆଉଥରେ ପଢ଼ିବାକୁ ଇଙ୍ଗିତ ଦେଲା....ଶ୍ୱେତପଦ୍ମା କ’ଣ କହିବ କହିବ ହୋଇ କହିପାରିଲା ନାହିଁ, ବାଧ୍ୟ ଶିଶୁଟି ଭଳି ସେ ପ୍ରଥମେ ଆଦେଶ ମାନିଲା–

 

ନୀଳକଣ୍ଠ କହିଲା–ତମେ ତାକୁ ପଢ଼ ଆଉ ମତେ ତମ ଖାତାଟା ଦିଅ ମୁଁ ଏ ବିଷୟ ଉପରେ ଯେତେ ପ୍ରକାର ପ୍ରଶ୍ନ ଆସିପାରେ ତା’ର ଉତ୍ତର କରି ଦେଉଛି–ମାଟ୍ରିକ ପରୀକ୍ଷାକୁ ତମକୁ ସାହାଯ୍ୟ କରିପାରେ–ଅବିରାମ ଆନନ୍ଦରେ ଶ୍ୱେତପଦ୍ମା ଖାତା କଲମ ବଢ଼ାଇ ଦେଲା–ନୀଳକଣ୍ଠ ଏଥର ତାକୁ ପଢ଼ିବାକୁ ନିର୍ଦ୍ଦେଶ ଦେଇ ନିଜେ ଲେଖିବାକୁ ଆରମ୍ଭ କଲା–ଅନେକ ସମୟ ଧରି ସେ ବ୍ୟସ୍ତ ଭାବେ ଧଳା କାଗଜ ଉପରେ କଲମ ଚାଳନା କରି ଚାଲିଲା–ସତେ ଯିମିତି ଆଗରୁ ସେ ମୁଖସ୍ତ କରି ଆସିଛି–

 

ପାଠ ବହିରୁ ମୁହଁ ଟେକି ନୀଳକଣ୍ଠର ଏକାଗ୍ରତା ପ୍ରତି ଲକ୍ଷ୍ୟକରୁଥିଲା ଶ୍ୱେତପଦ୍ମା । ହଠାତ୍ ନୀଳକଣ୍ଠ କହି ଉଠିଲା–ନିଅ, ଏଟାକୁ ଉତ୍ତମ ରୂପେ ହଜମ କରିଦେବ–ହୁଏତ...

 

ଆଉ କ’ଣ କହିଥାଆନ୍ତା ନୀଳକଣ୍ଠ । କାନ୍ଥ ଘଣ୍ଟାରେ ଶ୍ରୁତି କଟୁ ଚିତ୍କାର ଶୁଣି ସଂଯତ ହେଲା–କାନ୍ଥ ଘଣ୍ଟା ଚିତ୍କାର କରୁଛି । ଠନ୍ ଠନ୍ ଠନ୍–ରାତି ଆଠଟା ହୋଇଗଲାଣି ?

 

ଶ୍ୱେତପଦ୍ମା ସହସା ସଂକିତ ଗଳାରେ କହିଲା–ସାର୍‍ ଆପଣ ବର୍ତ୍ତମାନ ଚାଲିଯିବେ ?

 

ନୀଳକଣ୍ଠ ଉତ୍ତର ଦେଲା–କ’ଣ ଆଉ କିଛି ବୁଝିବାର ଅଛି ?

 

ବୁଝିବାର କିଛି ନାହିଁ ବରଂ ପଚାରିବାର କିଛି ଥିଲା କିନ୍ତୁ ଶ୍ୱେତା ସେ କଥା ପଚାରିବାକୁ ସାହସ କରିପାରିଲା ନାହିଁ । ସେ କେବଳ ମଥା ନତ କରି ନେଲା ।

 

ନୀଳକଣ୍ଠର ଧାରଣା ହେଲା ଅନ୍ୟପ୍ରକାର–ଶ୍ୱେତା କ’ଣ ସଂକୋଚ କରୁଛି କି ?

 

ଈଷତ୍ ହସିଲା ନୀଳକଣ୍ଠ । ଧୀର ଅଥଚ ମୃଦୁ କଣ୍ଠରେ କହିଲା କ’ଣ ଯଦି ବୁଝିବାର ଅଛି କୁହ । ଆରେ ତମେ ଲାଜ କ’ଣ କରୁଛ !

 

ଶ୍ୱେତପଦ୍ମା ତଥାପି ନିରୁତ୍ତର ଥିଲା । ନିଜ ବହି ଉପରେ ନିଜ ଦୃଷ୍ଟିକେନ୍ଦ୍ର ସ୍ଥିର ରଖି ସେ ଯିମିତି ଗୁଡ଼ାଏ କିଛି ଭାବୁଥିବାର ଜଣାଗଲା । ନୀଳକଣ୍ଠ ବିରକ୍ତ ହେଲା । ଶ୍ୱେତା ! କ’ଣ ବୁଝିବାର ଅଛି କୁହ !

 

ଶ୍ୱେତା କହିଲା–ଆପଣ କିଛି ଭାବିବେନି ତ !

 

ନୀଳକଣ୍ଠ ହସିଲା–ଏଥିରେ ଭାବିବାର କ’ଣ ଅଛି ?

 

ଶ୍ୱେତା କିଛି ସମୟ ସାହସ ସଞ୍ଚୟ କରି କହିଲା ପାଠ ବୁଝିବାକୁ କିଛି ନାହିଁ ସାର୍ କିନ୍ତୁ....

 

ବିସ୍ମୟର ତୀରଟା ହଠାତ୍ ବାଜିଲା ନୀଳକଣ୍ଠର ବୁକୁରେ । ଶ୍ୱେତା କିନ୍ତୁ କ’ଣ ବୁଝିବାକୁ ଚାହେଁ ଆଉ ? ପଚାରିଲା–କ’ଣ ବୁଝିବ ପଚାର ।

 

ଶ୍ୱେତା ଆଖିରେ ଉଜ୍ଜଳ ତାରା ଦୁଇଟି ଜଳି ଉଠିଲା ସେ ଛେପ ଢୋକିବାର ଛଳନା କରି କହିଲା–ସାର୍ ଆପଣଙ୍କ ଘରଟା....

 

ନୀଳକଣ୍ଠ ହଠାତ୍ କାହିଁକି ଗମ୍ଭୀର ହୋଇପଡ଼ିଲା । ତା’ ଆଖିରେ ଅଶ୍ରୁ ଜକେଇ ଆସୁଥିବାର ଲକ୍ଷ୍ୟକଲା ଶ୍ୱେତପଦ୍ମା । ଆଉ ବିଶେଷ ପ୍ରଶ୍ନ ନପଚାରି ସେ ନିରବ ରହିଲା । ନୀଳକଣ୍ଠ ସହସା ବ୍ୟସ୍ତ ଥିବାର ଛଳନା କରି କହିଲା–ମୁଁ ଆସୁଛି ଶ୍ୱେତା । ମୋ ଘର କେଉଁ ସ୍ଥାନରେ ଜାଣି ତମର ଲାଭ ନାହିଁ । ବରଂ ତମର ପାଠ୍ୟ ପ୍ରସ୍ତୁତ କର । ପ୍ରିଟେଷ୍ଟ ପରା ପନ୍ଦର ଦିନ ରହିଲା ?

 

ଶ୍ୱେତପଦ୍ମା ଶୁଭ ରାତି ଜଣାଇଲା ।

 

ନୀଳକଣ୍ଠ ପ୍ରତି ନମସ୍କାର କରି କହିଲା–ହଉ ଥାଅ ।

 

ଶ୍ୱେତପଦ୍ମା ଫାଟକ ପର୍ଯ୍ୟନ୍ତ ଯାଇ ସଶରୀରରେ ଫେରିଲା । କିନ୍ତୁ ତା’ ମନ ? ତଥାପି ଶ୍ୱେତପଦ୍ମା କିଛି ସମୟ ପଢ଼ିବାକୁ ଚେଷ୍ଟା କଲା ।

 

ଅନେକ ରାତିରେ ବସାରେ ପହଞ୍ଚିଲା ନୀଳକଣ୍ଠ ! ତିଥିଟା ଅମାବାସ୍ୟା ହୋଇଥିଲେବି ଅମାବାସ୍ୟାର ସେ ନିରନ୍ଦ୍ର ଅନ୍ଧାର ତା’ ମନକୁ ସ୍ପର୍ଶ କରିପାରି ନଥିଲା । ହଠାତ୍ ବସା ଦ୍ଵାର ଖୋଲି ଗୃହ ଭିତରକୁ ପଶୁ ପଶୁ ସେଇ ଅମାବାସ୍ୟାର ଘନ ନୀଳ ଅନ୍ଧକାର କଥା ସ୍ମରଣ ହୋଇଗଲା ନୀଳକଣ୍ଠର । ଡିଆସିଲିଟା ଖୋଜିବା ଉଦ୍ଦେଶ୍ୟରେ ଗୃହ ଭିତରେ କିଛି ସମୟ ଘାଣ୍ଟୁ ଘାଣ୍ଟୁ ସେ ବିଜୁଳି ଆଲୋକ କଥା ସ୍ମରଣ କରୁଥିଲା ! ଏ ଶତାବ୍ଦୀରେ ଏଇ ବିଜୁଳି ଆଲୋକ ଯୋଗୁ ସହରୀ ଲୋକେ ସେଇ ପ୍ରାଗୈତିହାସିକ ଚାଳଟାର ଉପକାର ଭୁଲି ଯାଇଛନ୍ତି । ଅଥଚ ସେ ନିଜେତ ଭୁଲି ପାରୁନାହିଁ ?

 

ନୀଳକଣ୍ଠର ମନରେ ହସିବାର ପ୍ରେରଣା ଜାଗିଲା । ସେ ହସିଲା । ଯେଉଁମାନଙ୍କର ପଇସା ଅଛି ସେମାନେ ହୁଏତ ଏଇ ପ୍ରଗୈତିହାସିକ ଚାନ୍ଦଟାକୁ ପାସୋରି ପକାଇଛନ୍ତି । କିନ୍ତୁ ଗରିବ, ପତିତ, ଅର୍ଥହୀନ ଲୋକ ଏ ଚାଳଟାର ପାଖରେ ଯେ କେତେ ଋଣୀ ତା’ ଗରିବ ନିର୍ଦ୍ଧନିକ ହେଲେ ଅନୁଭବ କରିବା ଅସମ୍ଭବ ।

 

ନୀଳକଣ୍ଠ ଡିଆସିଲି ମାରିଲା–କେଇଟି ଅଗ୍ନିକଣା ଝରିପଡ଼ି ପୁଣି ତା’ ଲିଭିଗଲା । ଅସ୍ଥିର ବିରକ୍ତରେ ସେ ଆଉ ଗୋଟିଏ କାଠି ଘଷିଲା । ଲଣ୍ଠନଟାର ବତୀ ଖୁବ୍ ଉଚ୍ଚକୁ ଟେକିଦେଇ ଅଗ୍ନି ଧରାଇଲା । କ୍ଷଣକ ଭିତରେ ଆଲୋକର ବନ୍ୟା ଲହଡ଼ି ଭାଙ୍ଗିଲା ସମଗ୍ର ଗୃହ ଭିତରେ । ଚଞ୍ଚଳ ହୋଇ ନୀଳକଣ୍ଠ ପୋଷାକ ପରିବର୍ତ୍ତନ କଲା । ଗୋଡ଼, ହାତ, ମୁହଁକୁ ଉତ୍ତମ ରୂପେ ଧୋଇ ଦେଇ ନିଃଶ୍ୱାସ ନେଲା । ଏଥର ସେ ପଢ଼ିବ । ଅନେକ ପାଠ ତା’ର ବାକି ପଡ଼ି ଯାଉଛି ।

 

ବହି ଖୋଲି ନୀଳକଣ୍ଠ ପଢ଼ିବାକୁ ଚେଷ୍ଟାକଲା । କିନ୍ତୁ ନିଷ୍ଫଳ । ଅନେକ ପୃଷ୍ଠା ଓଲଟ ପାଲଟ କରିବା ପରେ ନୀଳକଣ୍ଠର ଧାରଣା ହେଲା ଗୋଟାଏ ବିନ୍ଦୁବିସର୍ଗ ବି ସେ ବହିରୁ ଗ୍ରହଣ କରିପାରିନି । ବରଂ ପୃଷ୍ଠା ଘାଣ୍ଟିବା ଭିତରେ ଅସହ୍ୟ କ୍ଳାନ୍ତି ଅନୁଭବ କରୁଛି । ଆଉ ଯିମିତି କିଛି ଗୋଟାଏ କଥା ମନେ ପକାଇବାକୁ ତା’ ମନରେ ପ୍ରବଳ ଆଗ୍ରହ ଜାଗୁଛି ।

 

ନୀଳକଣ୍ଠ ବାଧ୍ୟ ହୋଇ ପଢ଼ା ବନ୍ଧକଲା । ସେ ଏଥର ଶୋଇଯିବ । ତନ୍ଦ୍ରା ଦେବୀଙ୍କ କୋଳରେ ଆଶ୍ରୟ ଗ୍ରହଣ କଲା ସେ ।

 

ନିକଟବର୍ତ୍ତୀ ଓ୍ୟାର୍କସପ୍ ଘଣ୍ଟା ଏଗାର ଥର ଚିତ୍କାର କରି ଉଠିଲା–ନୀଳକଣ୍ଠ ସେ ଶବ୍ଦ ଶୁଣି ସଚେତନ ହେଲା । ଏଗାରଟା ପର୍ଯ୍ୟନ୍ତ ସେ କ’ଣ ଯେ ଚନ୍ତାକରୁଛି ! ନିଜ ମନକୁ ନିଖାରି ଉଖାରି ବୁଝିଲା ନୀଳକଣ୍ଠ । ତା’ ମନରେ ଯିମିତି କେଉଁଠି ଗୋଟାଏ କ’ଣ ଆଘାତ ଲାଗି ଯାଇଛି । ମନ ଯିମିତି ଗୋଟାଏ ପ୍ରଶ୍ନର ଆଶୁ ଉତ୍ତର ପାଇବାକୁ ଚାହୁଁଛି ।

 

ନିଜ ଭାବନାରେ ନିଜେ ହଜିଗଲା ନୀଳକଣ୍ଠ ! ଖୋଜି ଖୋଜି ପାଇଲା ସେ ପ୍ରଶ୍ନ । ସେଇଟିକୁ ଶ୍ୱେତା ପଚାରିଥିଲା ତାକୁ–ଆପଣଙ୍କ ଘର ?

 

ନୀଳକଣ୍ଠ ବିସ୍ମିତ ହେଲା । ଶ୍ୱେତା ତା’ ଜନ୍ମସ୍ଥାନ ଉପରେ ଜାଣିବାକୁ କାହିଁକି ଏତେ ଆଗ୍ରହୀ । ଏସବୁ ବିଷୟ ଜାଣିଲେ ତା’ର ବା କି ଲାଭ ହେବ ?

 

ଏଇ କେଇ ଦିନ ହେଲା ଲକ୍ଷ୍ୟ କରୁଛି ନୀଳକଣ୍ଠ । ଶ୍ୱେତପଦ୍ମା ତା’ ବିଷୟରେ ବେଶୀ ବେଶୀ ଜାଣିବାକୁ କାହିଁକି ବ୍ୟସ୍ତ ହୋଇ ଉଠୁଛି । ଅଯଥା ତା’ର ପ୍ରଶଂସା କରିବାକୁ ପଞ୍ଚମୁଖ ହୋଇ ଉଠୁଛି । ଆଉ ତା’ର ଉପସ୍ଥିତରେ ସେ ଯିମିତି ଅନ୍ୟ କିଛି ବିଷୟ ଭାବିବାକୁ ଭଲ ପାଉଛି ।

 

ଭୟ ଆଶଙ୍କା ହୁଏ ନୀଳକଣ୍ଠର । ଶ୍ୱେତାର ଏ’ ପ୍ରକାର ମତିଗତି ଲକ୍ଷ୍ୟକଲେ ସେ ପ୍ରମାଦ ଜାଲରେ ଛନ୍ଦି ହୋଇଯାଏ । ପରମୁହୂର୍ତ୍ତରେ ମନ ଦୃଢ଼ କରେ ସେ । ନିଜ ଉପରେ ଯଥେଷ୍ଟ ଆତ୍ମବିଶ୍ୱାସ ଆସେ ତା’ର । ଶ୍ଵେତାର ଯଦି ଚପଳାମି ତା’ ପକ୍ଷେ ଅସହ୍ୟ ହେବ ସେ ଟିଉସନ ଛାଡ଼ି ଦବାକୁ ପଛାଇବ ନାହିଁ । ତା’ ଜୀବନର ଲକ୍ଷ୍ୟସ୍ଥଳରେ ପହଞ୍ଚିବାକୁ ତାକୁ ଯେ କୌଣସି ଦୁର୍ଗତିର ସମ୍ମୁଖୀନ ହେବାକୁ ସେ ପ୍ରସ୍ତୁତ । ପାଠ ପଢ଼ି ମଣିଷ ହେବ, ଏ ତା’ର କାମନା ସେଇଥି ଲାଗିତ ସେ ଗୃହର ମମତା ଛାଡ଼ିଛି । ପିତା, ମାତାଙ୍କର ସ୍ନେହ ଡୋରିକୁ ଛିଣ୍ଡାଇ ଦେଇଛି । ତା’ ନହୋଇଥିଲେ ସେତ ନିଶ୍ଚୟ କେଉଁ କାଳରୁ ଏକ ସରକାରୀ ଅଫିସର ଖଣ୍ଡେ ଚେୟାର ମଣ୍ଡନି କରନ୍ତାଣି । ନୀଳକଣ୍ଠ ଆଶ୍ଵସ୍ତି ହେଲା । ଆତ୍ମବିଶ୍ୱାସକୁ ନେଇ ସେ ଆଗେଇବ । କାରଣ ଗମ୍ଭୀର ଆତ୍ମବିଶ୍ୱାସ ବିନା କୌଣସି ଲୋକ ତା’ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ଏକ ନିଷ୍ଠୁର ବିଡ଼ମ୍ବନା ।

 

ବାଳିକା ବିଦ୍ୟାଳୟର ଲେଡ଼ି ପିଅନ ବିନୋଦିନୀ ପିଟା ଘଣ୍ଟାରେ ଅଜସ୍ର ଅସ୍ପଷ୍ଟ ପ୍ରହାର କଲା ! ଘଣ୍ଟାର ଏ ଶ୍ରୁତି କଟୁ ଶବ୍ଦ ପରେ ବିଦ୍ୟାଳୟରେ ହଠାତ୍ କୋଳାହଳ କ୍ଷଣକ ଲାଗି ଜାଗି ଉଠିଲା । ସମସ୍ତଙ୍କ ମୁହଁରେ ଗୋଟାଏ କଥା । ଛୁଟି ହେଲା–ଛୁଟି ହେଲା ବୋଲି ଜାଣିଲେ, ଏଇଥି ପାଇଁ ଘଣ୍ଟା ଟିଂ ଟିଂ ବାଜିଲା । ଘଣ୍ଟା ଟିଂ ଟିଂ ବାଜିଲେ ସ୍କୁଲ ଛୁଟି ହୁଏ । ପୁଣି ଘଣ୍ଟା ଟିଂ ଟିଂ ହେଲେ କ୍ଲାସ ଆରମ୍ଭ ହୁଏ ଏକା ଶବ୍ଦ–କିନ୍ତୁ ସମୟ ଫରଖ୍ । ତଥାପି ଏ ଦୁଇଟି ମଧ୍ୟରେ ବିରାଟ ବ୍ୟବଧାନ ଠିକ୍ ମଣିଷର ଜନ୍ମ ମୃତ୍ୟୁ ଭଳି ।

 

ମଣିଷ ଜନ୍ମ ହେଲା ବେଳେ ଉଲଗ୍ନ ହୋଇ ଜନ୍ମ ହୋଇଥାଏ । ତା’ପରେ ବସ୍ତ୍ର ପରିଧାନ କରି ଶିଖେ । ତା’ ଜୀବନରେ ଯୌବନ ଆସେ । ବାଲିଘର ଖେଳ ଛାଡ଼ି ସେ ଭାଗ୍ୟ ସହିତ ଖେଳ ଖେଳିବାକୁ ଆରମ୍ଭ କରେ । ନିଜ ପରିବାରର ମମତା ଜାଗେ ତା’ର ମନରେ । ଗୃହ ସଂସାର କରି ପିଲା କବିଲାଙ୍କ ମେଳରେ କାଳ କାଟୁଥିଲା ବେଳେ ମରଣର ଅପଦେବତାକୁ ଭେଟେ । ତା’ପରେ ସେଇ ଉଲଗ୍ନର କରାଳ ଲୀଳା ।

 

ଏ ଘଣ୍ଟା ସେ ଭଳି । ଅଦ୍ୟରେ ଯେଉଁ ଧ୍ଵନୀ ପ୍ରାନ୍ତରେ ସେ ଧ୍ଵନୀ–କେବଳ ମଝିରେ ହୁଏ ଏହାର ପରିବର୍ତ୍ତନ । ଆଜି ସେଇ ନିତ୍ୟ ନୈମିତ୍ତ ବିଧାନର ବ୍ୟତିକ୍ରମ ଘଟିନି । ପ୍ରଥମ ପିରିୟଡ଼ ଠାରୁ ଶେଷ ପିରିୟଡ଼ ପର୍ଯ୍ୟନ୍ତ ସେ ବାଜିଛି ସେଇ ପୂର୍ବ ପରି ।

 

ସ୍କୁଲ ଛୁଟି ହେଲା । ସ୍କୁଲର ଗେଟ୍ ଦେଇ ଏକାଧିକ ବନ୍ୟ ହରିଣୀ ତାଙ୍କ ସର୍ପିଳ ବେଣୀକୁ ଦୋହଲାଇ ଡେଇଁ ଡେଇଁ ଏକ ଚପଳ ଛନ୍ଦରେ ବାହାରି ପଡ଼ିଲେ । ଦୀର୍ଘ ସମୟ ଧରି ଅଢ଼ା ଭିତରେ ପଶିବା ଫଳରେ ସେମାନଙ୍କ ମୁଖରୁ ଜ୍ୟୋତି ହ୍ରାସ ହୋଇ ଯାଇଛି ସତ, ତଥାପି ବିଚିତ୍ରଭାବେ ଏକ ନିର୍ମଳ ପ୍ରଶାନ୍ତି ଜାଗି ଉଠିଛି ସେମାନଙ୍କ ମୁଖପଦରେ । ସେମାନେ ହସି ହସି ବାହାରି ଆସୁଥିଲେ ! ସେମାନଙ୍କ ହସର କଳଧ୍ଵନୀରେ ବିଦ୍ୟାଳୟର ବାୟୁମଣ୍ଡଳ ମୁଖରୀତ ହୋଇ ଉଠିଲା । ସେମାନେ ବିଦ୍ୟାଳୟର ସୁଉଚ୍ଚ ପାଚେରୀ ଘେରା ଯନ୍ତାରୁ ସମ୍ପୂର୍ଣ୍ଣ ବାହାରି ଆସିଲେ ରାଜପଥକୁ ।

 

ଏ ସମୟରେ ସେଇ ରାଜପଥରେ ଭିଡ଼ ଜମେ । ରିକ୍ସା, ରିକ୍ସାଚାଳକଙ୍କ ଭିଡ଼ । ଏମାନଙ୍କୁ ନିଜ ତ୍ରିଚକି ରଥରେ ବସାଇ ନିର୍ଦ୍ଦିଷ୍ଟ ସ୍ଥାନରେ ଛାଡ଼ି ଆସିବାକୁ ଅନେକବେଳୁ ସେମାନେ ଅପେକ୍ଷା କରି ଥାଆନ୍ତି । ଏଇ ଟିଂ ଟିଂ ଶବ୍ଦ ଶୁଣିଲେ ସେମାନଙ୍କ ପ୍ରାଣରେ ପୁଲକ ଜାଗେ । ରିକ୍ସାର ପ୍ଲାଷ୍ଟିକ ଗଦିକୁ ନିଜ କୋଚଟ ମଇଳା ଗାମୁଛାରେ ବାର ବାର ଝାଡ଼ି ଦେଇ ନିଜ ରିକ୍ସାକୁ ଫାଟକ ପାଖରେ ରଖିବାକୁ ଆଗାନ୍ତି । ବେଳେ ବେଳେ ଏଭଳି ପରିସ୍ଥିତି ସୃଷ୍ଟି ହୁଏ–ସେମାନେ ଫାଟକ ପାଖରେ ନିଜ ରିକ୍ସା ରଖିବାକୁ ଯାଇଁ ପରସ୍ପର ପ୍ରତି କଟୁ ବଚସା ପ୍ରୟୋଗ କରିବାକୁ ପ୍ରସ୍ତୁତ ହୁଅନ୍ତି-। କିନ୍ତୁ ସେ ଝଗଡ଼ା ଥମିଯାଏ । ଯଦି କେହି ଜଣେ ପ୍ରଶ୍ନ କରେ–ଏ ରିକ୍ସା ଯିବୁ ।

 

ତରୁଣୀଟି ଜଣକ ଉଦ୍ଦେଶ୍ୟରେ ପ୍ରଶ୍ନ କରିଥିବ, କିନ୍ତୁ ଏକାଧିକ ମୁଖରୁ ଉତ୍ତର ଶୁଣିବ ହିଁ, ମା’ ଆସନ୍ତୁ । ତରୁଣୀଟି ଯଦି ଜଣକ ସହିତ ଭଡ଼ା ଚୁକ୍ତି କରିବ ଆଉ ଜଣେ କିଛି କମ୍‍ କରି ଯିବାକୁ ପ୍ରସ୍ତୁତ ହୋଇଯିବ । ଆଉ ଜଣେ କିଏ ଗହଳି ଭିତରୁ ଡାକ ଛାଡ଼ିବ–ଯାହା ଦେବେ–ଆସନ୍ତୁ !

 

କାହିଁକି ଏ ବ୍ୟାକୁଳତା ?

 

ଏ ବ୍ୟାକୁଳତା ମୂଳରେ ଅନ୍ୟ କିଛି ନାହିଁ । କେବଳ ଅଛି ପଇସା ପାଇବାର ଲୋଭ । ପେଟ ପୋଷିବାର ମମତା । ବଞ୍ଚି ରହିବାର ମୋହ ।

 

ଏ ରିକ୍ସାବାଲାଙ୍କୁ ଛାଡ଼ିଦେଲେ ଆହୁରି ଅନେକ ଯୁବକ ଏଠି ଅଯଥା ଭିଡ଼ ଜମାନ୍ତି । ଭୋକିଲା ଶ୍ଵାନ ଭଳି ତାଙ୍କର ପ୍ରକୃତି । କିଏ ସାଇକେଲ ଚଢ଼ି, କିଏ ପାଦରେ ଚାଲି ଚାଲି ସେଇ ସମୟରେ ହଠାତ୍ ଜୁଟନ୍ତି ଆଦର୍ଶ-ପ୍ରଶଂସା ପରିବର୍ତ୍ତେ ଗାଳି ପାଇବାରେବି ଗୋଟାଏ ପ୍ରକାର ଆନନ୍ଦ ଅଛି !! ମୃଗତୃଷ୍ଣା ପଛରେ ଧାଇଁବାରେ ବି ଗୋଟାଏ ପ୍ରକାର ରୋମାନ୍‍ସ ଅଛି । କିନ୍ତୁ ସେ ଯେ ଅତୃପ୍ତ ବାସନା ଏହା ନିଃସନ୍ଦେହ । ଏ ଏଣୀନୟନୀ ଭ୍ରମରେବି ସୁଦ୍ଧା ସେମାନଙ୍କ ଆଡ଼କୁ ଦୃଷ୍ଟି ଘୂରାନ୍ତି ନାହିଁ । ହତାଶର ଦୀର୍ଘନିଃଶ୍ଵାସ ପରେ ଫେରନ୍ତି । ଏ ଫେରା ନିତ୍ୟନୈମିତିକ । ତଥାପି ଏଥିରୁ ନିବୃତ୍ତ ହେବାକୁ ମନ ଚାହେଁନା । ପୁଣି ପରଦିନକୁ ପ୍ରତୀକ୍ଷା କରନ୍ତି ।

 

ଫାଟକ ଟପି ଶ୍ୱେତପଦ୍ମା ରାଜରାସ୍ତା ଉପରକୁ ସତେ ଯିମିତି ଓହ୍ଲାଇ ଆସିଲା ସ୍ଵର୍ଗର ଶ୍ରେଷ୍ଠ ସୁନ୍ଦରୀ ଉର୍ବଶୀ ! ତା’ ପାଦପାତରେ ପିଚୁରାସ୍ତାରେ ବୁକୁ ଉପରେ ଫୁଟି ଉଠିଲା ସତେ ଯିମିତି ଅସଂଖ୍ୟ ଅଦୃଶ୍ୟ ପଦ୍ମ । ଶ୍ୱେତପଦ୍ମାର ରୂପ ପାଖରେ ସେ ବିଦ୍ୟାଳୟର ସମସ୍ତ ତରୁଣୀଙ୍କର ରୂପ ମହଳନ ପଡ଼ିଗଲା ମହଳଣ ପଡ଼ିଗଲେ ସତେ କ’ଣ ସ୍ଵର୍ଗର ତାରାଗୁଡ଼ିକ ସେଇ ହସନ୍ତ ଚାନ୍ଦର ଉଦୟନରେ ! କିନ୍ତୁ ଚାନ୍ଦର ଉଦୟନ ପୂର୍ବରୁ ?

 

ଶ୍ୱେତପଦ୍ମା ରାଜପଥ ଉପରକୁ ଆସି ଯାଇଥିଲା ତ ! ଶ୍ୱେତପଦ୍ମାର ଆଗମନରେ ସ୍ଥିର ହୋଇଗଲା ପିପାସିତ କଳା ଡୋଳା ଦୁଇଟି ନୁହଁ ଅଜସ୍ର ତା’ରି ତନୁତୀର୍ଥ ଉପରେ । ଅସହ୍ୟ ବୋଧ କଲା ଶ୍ୱେତପଦ୍ମା । କିନ୍ତୁ ଲାଭ କ’ଣ ? ଆଖି ଥାଇ ଅନ୍ଧ ହେବାର ମମତା କ’ଣ କାହା ମନକୁ ଗ୍ରାସ କରେ ।

 

ଏ ଅପ୍ରତ୍ୟାଶିତ ପରିସ୍ଥିତିରୁ ନିଜକୁ ରକ୍ଷା କରିବାକୁ ଶ୍ୱେତପଦ୍ମା ଡାକିଲା–ଏ ରିକ୍ସା...

 

ରିକ୍ସା ଚାଳକଟିଏ ରିକ୍ସା ସହ ତା’ ଆଡ଼କୁ ମାଡ଼ି ଆସୁଥିଲା । ଶ୍ୱେତପଦ୍ମା କିନ୍ତୁ ରିକ୍ସାର ପ୍ଲାଷ୍ଟିକ ଗଦି ଉପରେ ବସି ପଡ଼ିବାର ମୋହକୁ ହଠାତ୍ ସଂଯତ କରିବାକୁ ବାଧ୍ୟ ହେଲା । ପଛରୁ କିଏ ଡାକୁଛି କିଏ ହୋଇପାରେ ?

 

ପଛକୁ ଫେରି ଚାହିଁଲା ଶ୍ୱେତପଦ୍ମା–‘ଆରେ ଗାୟତ୍ରୀ ଯେ...’

 

ଗାୟତ୍ରୀ ହଠାତ୍ ଉତ୍ତର ଦେଇ ପାରିଲା ନାହିଁ । କିଛିକ୍ଷଣ ପ୍ରଶ୍ଵାସ ନିଃଶ୍ୱାସ ଗ୍ରହଣ କରି ଛାଡ଼ିବା ଲାଗି ଅପେକ୍ଷା କଲା । ଶ୍ୱେତପଦ୍ମାର ସେ ପର୍ଯ୍ୟନ୍ତ ଅପେକ୍ଷା କରିବାଟା ଏକାନ୍ତ କର୍ତ୍ତବ୍ୟ ।

 

ଗାୟତ୍ରୀ କହିଲା–ସୌଦାମିନୀ ଦିଦିଙ୍କ ସହ ଟିକେ କଥାବାର୍ତ୍ତା ଥିଲା–ଅବଶ୍ୟ ଗୁରୁତ୍ୱପୂର୍ଣ୍ଣ ପୁଣି ସିକ୍ରେଟ୍...

 

ହେଲେ...ଗୁରୁତ୍ୱପୂର୍ଣ୍ଣ ପୁଣି ସିକ୍ରେଟ୍‍ ?

 

ହସିଲା ଗାୟତ୍ରୀ–‘କାଇଁ ପସନ୍ଦ ହେଲାନିକି ?’

 

–ପସନ୍ଦ ହୋଇଥିଲେ ପଚାରିଥାଆନ୍ତି କାହିଁକି ? ହଉ ଆ ଆଗ ରିକ୍ସାରେ ବସିଲୁ ।

 

ଶ୍ୱେତପଦ୍ମା ଗାୟତ୍ରୀ ରିକ୍ସାରେ ବସିଲେ ।

 

ଗାୟତ୍ରୀ କହିଲା–ସେମିତି ବଡ଼ କଥା ନୁହେଁବା ତେବେ ତୁ ତ ଭଡ଼ଭଡ଼ି ଯଦି ପ୍ରଚାର କରିଦେଉ ।

 

ଶ୍ୱେତପଦ୍ମା କହିଲା–ହଁ ମାଇକ୍‍ଟାଏ ଭଡ଼ା ଆଣିବାକୁବି ପଡ଼ିବ ମତେ ନା, ମୁହଁରେ...

 

–ଧେତ୍, ସବୁବେଳେ ତୋର ସେଇ କଥା । ହଁ କଥା କ’ଣ ଜାଣିଛ ? ସୌଦାମିନୀ ଦିଦିଙ୍କର ବିଭାଘର ହେବ କାହାକୁ ଜାଣୁ ? ଆମ ବସା ସାମ୍ନାରେ ଯେଉଁ ହଳଦିଆ କୋଠା ନାହିଁ, ସେଇ ଘରେ ଜଣେ ଏକ୍‍ସସାଇଜ ଇନ୍ସପେକ୍ଟର ରୁହନ୍ତି, ତାଙ୍କୁ–ସବୁ ଠିକ୍ ସରିଛି କେବଳ ନିର୍ବନ୍ଧ ହଁ ବାକି । ତାଙ୍କର ଚରିତ୍ର ତଥା, ପରିବାର ଉପରେ କିଛି ପଚାରୁଥିଲେ ।

 

–ମାନେ ?

 

ମାନେ ଆଉ କ’ଣ ?

 

–ଆରେ ତୁ ପରା କହୁଛୁ ଯେ ତାଙ୍କର ସବୁ ଠିକ୍ ହୋଇ ଯାଇଛି ତେବେ ପୁଣି ବୁଝିବା କ’ଣ ସରିନି ?

 

ଆରେ ଠିକ୍‍ମାନେ କ’ଣ ତୁ ଭାବୁ ଲେଖା-ପଢ଼ା ସରିଛି ?

 

–ନାଁ, ମୁଁ ତା’ ଭାବୁନି–ଲେଖାପଢ଼ା ସରି ଥିଲେତ ସବୁ ସରନ୍ତାଣି ।

 

–ମାନେ ମିଳନ ଠାରୁ...

 

–ଧେତ୍...

 

ଖିଲି ଖିଲି ହୋଇ ହସି ଉଠିଲେ ସେ ଦୁହେଁ–ଦୁଇ ବାନ୍ଧବୀ ଶ୍ଵେତା ଆଉ ଗାୟତ୍ରୀ ।

 

ରିକ୍ସାବାଲା ପଚାରିଲା–ମା’ କୁଆଡ଼େ ଯିବେ ?

 

–ଆରେ ସେତକତ ମୁଁ କହିନି । ଶ୍ଵେତା କହିଲା, ‘ଓଡ଼ିଆ ବଜାର ଦେଇ ଚାଲ ଗାୟତ୍ରୀ ଯିବ ଯେ ।’

 

ଗାୟତ୍ରୀ କହିଲା–ନା ନା, ସେଇ ଛକ ପର୍ଯ୍ୟନ୍ତ ଚାଲ, ସେଠୁ ମୁଁ ଚାଲି ଯାଇପାରିବି ।

 

ଶ୍ଵେତା କହିଲା–କାହିଁକି ଛାଡ଼ିଦେଇ ଆସିଲେ ସୌଜ୍ୟନ୍ୟତା ଦୃଷ୍ଟିରୁ ଡାକିବାକୁ ପଡ଼ିବ କି ?

 

ଗାୟତ୍ରୀ କହିଲା–ହଁ ଆଗତୁରା ହୋଇ କହିବୁନି କିଆଁ ! ଆଗେତ ଆସୁଥିଲୁ ଏବେ ତୋର କ’ଣ ଯେ ହୋଇଛି କେତେବେଳେ ତତେ ଫୁରୁସତ ନାହିଁ, କ’ଣ କେଉଁଠି...

 

–ହଁ ତୁ ଜାଣିନୁକି ? ସେଇଠିପରା ।

 

ପୁଣି ସେଇ ହସର କଲ୍ଲୋଳ ।

 

ରିକ୍ସାବାଲା ପଚାରିଲା–ମା’ କେଉଁଠି ?

 

–ଆଉ ଟିକିଏ ଆଗକୁ ।

 

ଗାୟତ୍ରୀ କହିଲା–ସେଇ ନୀଳ କୋଠାପାଖକୁ ।

 

–ନେଳି କୋଠା ?

 

–ହଁ ।

 

ନୀଳ କୋଠା ପାଖରେ ଗାଡ଼ିରେ ବ୍ରେକ ଦେଲା ରିକ୍ସାବାଲା ।

 

ଶ୍ୱେତପଦ୍ମା କହିଲା–ଆଚ୍ଛା ମୁଁ ଯାଉଛି...

 

–କ’ଣ ! ତୁ ପରା ଆମ ବସାକୁ ଯିବାକୁ କହୁଥିଲୁ ?

 

ଶ୍ଵେତା କହିଲା–‘କ୍ଷମା କରିବୁ, ଅପରିଯ୍ୟାପ୍ତ କାମ ଅଛି ।’

 

ଗାୟତ୍ରୀ ବାଧ୍ୟ କଲା ନାହିଁ । କାରଣ ବାଧ୍ୟ କଲେ ଶ୍ଵେତା ପାଖରେ ନିରର୍ଥକ ହେବ । କହିଲା–ତେବେ ମୁଁ ଆସୁଛି ।

 

ଶୁଭ ସନ୍ଧ୍ୟା ଜଣାଇଲା ଶ୍ଵେତା...

 

–ଶୁଭ ସନ୍ଧ୍ୟା ! ଶୁଭ ସନ୍ଧ୍ୟା !!

 

–ଶୁଭ ସନ୍ଧ୍ୟା ! ସତେତ ସନ୍ଧ୍ୟାବି ହୋଇଗଲାଣି ଅସମ୍ଭବ ରକମର ଅତିଷ୍ଠ ବିବ୍ରତ ହୋଇ ଶ୍ୱେତା କହିଲା ‘ଏ ରିକ୍ସା ଶୀଘ୍ର ଚଳା ।’

 

କିନ୍ତୁ କେତେ ଶୀଘ୍ର ଚଳାଇବ ରିକ୍ସା ! ସନ୍ଧ୍ୟାତ ଆଗତ ପ୍ରାୟ–କହିସାରି ଶ୍ୱେତାର ମୁହଁର ତ୍ୱକ୍ ଉପରେ ବିବ୍ରତ ଗାମ୍ଭୀର୍ଯ୍ୟରେଖା ଫୁଟି ଉଠିଲା । ଟିକିଏ ଚିନ୍ତିତ ହୋଇ ପଡ଼ିଲା ଶ୍ୱେତା-। ଏତେ ଡେରି କରି କ୍ଲାସରୁ ବାହାରିଲା ସେ । ମା’ତ ନିଶ୍ଚୟ ବିରକ୍ତ ହେବେ, କ’ଣ ଉତ୍ତର ଦେବ-?

 

ସତକୁ ସତ ଆଶଙ୍କା ତା’ର ଅମୂଳକ ନୁହେଁ । ମା’ଙ୍କର ଏଇ ବିରକ୍ତି ଭାବଟା ତା’ ମନରେ ଗୋଟାଏ ନିଶ୍ଚିନ୍ତ ଭୟର ଆଶଙ୍କା ଜନ୍ମାଇବା କିଛି ବିଚିତ୍ର ନୁହେଁ, କାହିଁକି ଯେ ମା’ ଅଯଥା ତା’ ଉପରକୁ ବିରକ୍ତ ହୁଅନ୍ତି, ଅଥଚ ତାଆରି ସାଙ୍ଗମାନେ କେତେ ରାତିରେ ଘରକୁ ନ ଫେରନ୍ତି ?

 

ମନେମନେ ମା’ଙ୍କ ଉପରକୁ ଚିଡ଼ି ଯାଇଁ ସ୍ଥିର କଲା ଶ୍ଵେତା, ଆଜି ଯେ ଏହାର ପ୍ରତିବାଦ କରିବ–ନିଜକୁ କଷ୍ଟ ଦେଇ...

 

କିନ୍ତୁ ମା’ଙ୍କର ବିରକ୍ତିର କ’ଣ କିଛି ମୂଲ୍ୟ ନାହିଁ ।

 

ଶ୍ଵେତାର ସନ୍ଦେହ ହେଲା । ମିସେସ୍ ମନ୍ଦାକିନୀ ଶ୍ଵେତାର ଏ ପାଗଳାମିରେ ବିବ୍ରତ ବ୍ୟଥିତା ହୋଇ କହିଲେ–ତୁ ମୋ’ ଉପରେ ସିନା ଅଯଥା ରାଗୁଛୁ ଜିତୁ, କିନ୍ତୁ ଏଇ ଆକଟହିଁ ତୋ ଭବିଷ୍ୟତ ଉଜ୍ଜ୍ୱଳ କରିବ ।

 

ବିରକ୍ତ ହେଲା ଶ୍ଵେତା । ଅନିଶ୍ଚିତ ଭବିଷ୍ୟତ ଉପରେ ମାଆଙ୍କର ଏତେ ଅହେତୁକି ମମତା କାହିଁକି ? ସେ ଅନୁଚ୍ଚ କଣ୍ଠରେ କହିଲା–ଆଉ ଯେଉଁମାନେ ଏତେ ରାତିଯାଏ ବୁଲୁଛନ୍ତି ତମେ କ’ଣ କହୁଛ ତାଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ !

 

–‘ପାଗେଳୀ ନିଧୁମ ପାଗେଳୀ ।’ ମିସେସ୍ ମନ୍ଦାକିନୀ କହିଲେ–ଗୋଟାଏ ଯୁକ୍ତି ଦେଖାଇ କ’ଣ ସବୁଗୁଡ଼ିକ ସମାଧାନ କରିହୁଏ ? ତେବେ ଏହା ଯେ ନିଶ୍ଚିନ୍ତ ଏଥିରେ ସନ୍ଦେହ କରିବାର ଅଛି କ’ଣ ?

 

ମା’ଙ୍କର ନୀତିବାଣୀ ଶୁଣିବାକୁ ଧୈର୍ଯ୍ୟ ନଥିଲା ଶ୍ୱେତାର । ବରଂ ସେ ଚଞ୍ଚଳ ହୋଇ ଉଠୁଥିଲା–ହୁଏତ ଅସି ଯାଇ ପାରନ୍ତି ସେ...

 

ସେ । ଏକ ଉତ୍ତେଜନାର ତାଡ଼ିତ୍ ପ୍ରବାହ ହୋଇଗଲା ଯେମିତି ଶ୍ୱେତପଦ୍ମାର ଧମନୀର ରକ୍ତରେ । ସେ ତାଙ୍କ ପ୍ରତି ତା’ର ଏତେ ପ୍ରଗାଢ଼ ମମତା ଜାଗୁଛି କାହିଁକି ? ଏଥିପୂର୍ବରୁ ସେ ଅନେକଙ୍କ ସହିତ ସମ୍ପର୍କ ରଖିଛି ଓ ଅନେକ ଗୃହ ଶିକ୍ଷକଙ୍କୁତ ପାସୋରି ଦେଇଛି, ଅଥଚ ତାଙ୍କ ବିଷୟରେ ଏତେ ଭାବପ୍ରବଣା ହୋଇ ଉଠୁ କାହିଁକି ? କାହିଁକି ତାଙ୍କ ପ୍ରତି ତା’ର ଏତେ ନିରର୍ଥକ ମମତା ।

 

ମୁଣ୍ଡ ଭିତରେ ସହସା ଏକପ୍ରକାର ଯନ୍ତ୍ରଣା ଅନୁଭବ କଲା ଶ୍ୱେତା ! ଏଇ ଯନ୍ତ୍ରଣାଟାର ଆରମ୍ଭ ହୁଏତ ସବୁଦିନ ହେଲା, ହେଲାଣି ଆଉ ଏଇ ଯନ୍ତ୍ରଣାଟାହିଁ ତା’ର ସର୍ବନାଶ କରିବ ।

 

ଆଜି କ୍ଲାସରେ ପଢ଼ି ପାରିନି ସେ–ଶୁଣିବି ଶୁଣି ପାରିନି କେଉଁ ଦିଦିଙ୍କ କଥା । ମନଟା ଯେମିତି କ’ଣ ଗୋଟାଏ ଖୋଜିବାରେ ଲାଗି ରହିଛି । କ’ଣ ଏସବୁ ? କେବେତ ଅନୁଭବ କରି ନଥିଲା ଏଥି ପୂର୍ବରୁ ସେ... !

 

ଶ୍ୱେତପଦ୍ମା ଠିଆ ହୋଇ ପାରିଲା ନାହିଁ । ମୁଣ୍ଡ ବ୍ୟଥାର ଦ୍ଵାହି ଦେଇ ସେ ଶଯ୍ୟା ଧରିଲା ।

 

ବାହାରେ ସେଇ ଗେଟ୍ ଖୋଲିବାର ଶବ୍ଦ ! ନିଶ୍ଚିୟ ନୀଳକଣ୍ଠ ଆସିଲା । କାରଣ ଏତେ ଧୀରଭାବେ ଗେଟ୍ ଖୋଲିବା ତା’ ପକ୍ଷରେହିଁ ସମ୍ଭବ–ତେବେ ଉଠିପଡ଼ିବକି ସେ ?

 

କିନ୍ତୁ ଉଠିବାକୁ ତାକୁ ଅବସର ନଥିଲା । ନୀଳକଣ୍ଠ ଯେ ଏତେ ଶୀଘ୍ର ଗୃହଭିତରକୁ ପଶି ଆସିବ ଏକଥା ଆଦୌ କଳ୍ପନାବି କରି ନଥିଲା ଶ୍ଵେତା । ସେ ବେଶ, ବାସ ଆଉ କେଶକୁ ସଜାଡ଼ି ନେବାରେ ବ୍ୟସ୍ତ ଥିଲା । କିନ୍ତୁ ତା’ର ଇଚ୍ଛା ହେଉଥିଲା–ବେଶ, ବାସ, କେଶ ଏମିତି ଅସଂଯତ ଅବସ୍ଥାରେ ରହନ୍ତାକି ?

 

ନୀଳକଣ୍ଠ ସତେ ଯିମିତି ଏକ ମହାପାପ କରିଛି । ଗୃହଭିତରକୁ ପଶିବାର ସାହସତ ନାହିଁ ତେବେ ଫେରିଯାଇ ପାରୁଛି କେଉଁଠି ?

 

ଦେହ ବ୍ୟସ୍ତ ଥିବାର ଛଳନା କରି ହସିଲା ଶ୍ଵେତା ।

 

ନୀଳକଣ୍ଠ ପ୍ରଶ୍ନ କଲା–ସନ୍ଧ୍ୟାବେଳେ ଶୋଇବାଠାରୁ କଦର୍ଯ୍ୟ ଅଭ୍ୟାସ କିଛି ନାହିଁ । ତେବେ ଦେହ କ’ଣ...

 

ଶ୍ୱେତାର ମନ ହେଉଥିଲା କହିଦେବାକୁ–ଦେହ ମୋର ସମ୍ପୂର୍ଣ୍ଣ ସୁସ୍ଥ ଅଛି । କିନ୍ତୁ ଏଇ ମନ...

 

ନୀଳକଣ୍ଠ କହିଲା–ଦେହ ଯଦି ବ୍ୟସ୍ତ ଅଛି ତା’ହେଲେ ପଢ଼ା ଥାଉ ।

 

ନା,ନା, ଅସ୍ପଷ୍ଟ ଚିତ୍କାର କଲା ଶ୍ୱେତା ।

 

ନୀଳକଣ୍ଠ ବିସ୍ମିତ ହେଲା–ହେହଟା ଉପରେ ନିଶ୍ଚୟ ପ୍ରଗାଢ଼ ମମତା ଅଛି ଶ୍ଵେତାର କିନ୍ତୁ ପଢ଼ାଟା ଉପରେ କ’ଣ ତା’ଠାରୁ ବେଶି ?

 

ଶ୍ଵେତା ବହି ସଜାଡ଼ିବାରେ ଲାଗିଛି । ମନ୍ଦକିନୀଙ୍କ କଣ୍ଠ ଭିତର ପଟୁ ଶୁଭୁଚି–ଆଉ ମନ୍ଦରଧରବାବୁଙ୍କର ବି... ମନ୍ଦରଧରବାବୁ କ’ଣ ଆଜି ସାନ୍ଧ୍ୟଭ୍ରମଣରେ ଯାଇ ନାହାଁନ୍ତି ?

 

କିଛି ସମୟ ନିରବରେ ବସିଥିଲା ନୀଳକଣ୍ଠ ।

 

ମନ୍ଦରଧରବାବୁ ସହସା ଭିତରକୁ ପଶି ଆସି କହିଲେ–ତୋ’ର ମୁଣ୍ଡ ବିନ୍ଧୁଛି ଜିତୁ ! ମାଷ୍ଟରାବାବୁ ଆଜି ପଢ଼ାଥାଉ ।

 

ମୁଣ୍ଡ ହଲାଇ ସହସା ବଦନରେ ସମ୍ମତି ଜଣାଇଲା ନୀଳକଣ୍ଠ ।

 

ମନ୍ଦରଧରବାବୁ ହସି ହସି କହିଲେ–କ’ଣ ଶୀଘ୍ର ଫେରିଯେବେ ବୋଲି ଭାବୁଛନ୍ତି କି ? ହୋଃ ହୋଃ ଆଜି ଆପଣଙ୍କ ସହ ମୁଁ ଗପିବାକୁ ଇଚ୍ଛା କରୁଛି–ହଁ ଶ୍ୱେତା, ତୁ ଯା, ମୁଁ ତୋ ସାର୍‍ଙ୍କସହ କଥାବାର୍ତ୍ତା କରୁଛି । ହଁ, ଚା’ ଟିକେ ପଠାଇବୁ ବୁଝିଲୁ ।

 

ବିରକ୍ତିରେ ଚାଲିଗଲା ଶ୍ୱେତା–କିନ୍ତୁ ଦୋଷଟା ନିଶ୍ଚୟ ତା’ର ତା’ ମିଥ୍ୟା ଛଳନାର ଏ ନୁହେଁତ ପ୍ରାୟଶ୍ଚିତ ?

 

ଚା’ପିଆଲାରୁ ଧୂଆଁ ଉଠୁଛି । ଗତି ତା’ର ବକ୍ର । ତା’ପରେ ମିଳାଇ ଯାଉଛି ଅଦୃଶ୍ୟ ବାୟୁମଣ୍ଡଳରେ ।

 

ସେଇ କୁଞ୍ଚିତ ଗତିଟାକୁହିଁ ନିବିଷ୍ଟ ଚିତ୍ତରେ ଚାହିଁଥିଲା ନୀଳକଣ୍ଠ । ଏଇ କୁଞ୍ଚିତ ଗତିହିଁ ତ ମଣିଷ ଜୀବନ ଗତି । ବନ୍ଧୁର ତ ସବୁବେଳେ ତା’ ଜୀବନର ପଥ । କେତେ ଦୁଃଖ କଷଣ ବନ୍ଧୁର ପଥ ସେ ଅତିକ୍ରମି ଆସିଲାଣି ତା’ର କ’ଣ ଖେୟାଲ ନାହିଁ ? ଅଥଚ ସଂକୋଚ ବୋଧ କଲା ନୀଳକଣ୍ଠ ସେଗୁଡ଼ିକର ପୁନରାବୃତ୍ତି କରି ନିଜକୁ ଛୋଟ କରି ଦେବାକୁ ।

 

ମନ୍ଦରଧରବାବୁ କହି ଉଠିଲେ–ଆରେ ଆପଣ ଚା’ ଢୋକେ ସୁଦ୍ଧା ଖାଇ ନାହାନ୍ତି ? ଚା’ ଯେ ଶୀତଳ ହେବା ଉପରେ ।

 

ନୀଳକଣ୍ଠ ଚା’ ପାତ୍ରକୁ ମୁହଁ ପାଖକୁ ନେଲା–ତଥାପି ସଂକୋଚ ତାକୁ ଲାଗୁଚି । ନୀଳକଣ୍ଠ ଏକାଥରକେ ଦୁଇ ଚାରି ଡୋକ କଣ୍ଠ ଆର ପଟକୁ ଡିଆଇଁ ଦେଲା ।

 

ହସିଲେ ମନ୍ଦରଧରବାବୁ–ନୀଳକଣ୍ଠର କିନ୍ତୁ ଧାରଣା ହେଲା ଚା’ପାନରେ ତା’ର କିଛି ଅଭଦ୍ରାମି ଜଣା ପଡ଼ିଲା କି ?

 

କିନ୍ତୁ ମନ୍ଦରଧରବାବୁ !

 

ସେ ପୁଣି ହସିଲେ ।

 

ମନ୍ଦରଧରବାବୁଙ୍କ ଟାଁସା ଟାଁସା କଳା କଳା ନିଶ ବିଡ଼ାକ ଟପି ଛାମୁ ଦାନ୍ତ ଦେଖା ଯାଉଛି–ସେ ଦାନ୍ତଗୁଡ଼ାକ ବରଫ ଭଳି ଏତେ ଧଳା ! ଅଥଚ ସେ କେତେ ପାନ ଭକ୍ଷଣ ନ କରନ୍ତି-?

 

ଏକା ନିଃଶ୍ୱାସକେ ଚା’ପାତ୍ରକୁ ନିଃଶେଷ କରିଦେଲା ନୀଳକଣ୍ଠ । ଅତି ସାବଧାନତା ସହକାରେ ଚା’ପାତ୍ରକୁ ଯଥା ସ୍ଥାନରେ ଥୋଇଦେଇ ମନ୍ଦରଧର ବାବୁଙ୍କ ଆଡ଼କୁ ଦୃଷ୍ଟି ଘୂରାଇଲା ସେ । ମନ୍ଦରଧରବାବୁ କିନ୍ତୁ ଗମ୍ଭୀର ହୋଇ ବସିଛନ୍ତି, ହୁଏତ କିଛି ଗୋଟାଏ ଗୁରୁତର ଚିନ୍ତା କରୁଛନ୍ତି । ନୀଳକଣ୍ଠ ଅସ୍ୱସ୍ତି ବୋଧ କଲା । ମନ୍ଦରଧରବାବୁ ଚିନ୍ତା କରିବାକୁ କ’ଣ ଏତିକିବେଳେ ସ୍ଥିର କରି ନେଲେ ? ଅଥଚ ମୂକ, ନିର୍ବୋଧ ଭଳି ବସି ରହିବାକୁ ଯେ ତାକୁ ଆଦୌ ପସନ୍ଦ ଲାଗୁନି–ମନ୍ଦରଧରବାବୁଙ୍କ ଉପରେ ବିରକ୍ତି ଅଭିମାନ ଜାଗୁଥିଲା ।

 

ମନ୍ଦରଧରବାବୁ ଏଥର ଗଳା ପରିଷ୍କାର କଲେ, ନୀଳକଣ୍ଠ କିଛି ଶୁଣିବାର ଧୈର୍ଯ୍ୟ ନେଇ ସଜାଗ ରହିଲା । ମନ୍ଦରଧରବାବୁ ଏଥର ଆରମ୍ଭ କରିବେ–ସେ ଶୁଣିବ ।

 

ସତକୁ ସତ ମନ୍ଦରଧରବାବୁ ଆରମ୍ଭ କଲେ । ନିଜର ସେଇ କଡ଼ା କଡ଼ା ଟାଁସା ଟାଁସା ନିଶ ବିଡ଼ାକୁ ଆଉଥରେ ସାଉଁଳେଇ ଆଣିବାର ଲୋଭକୁ ଜଳାଞ୍ଜଳି ଦେବାକୁ ସେ କାହିଁକି ହଠାତ୍ ଭୁଲିଗଲେ । ତା’ପରେ ସେ ଗମ୍ଭୀର କଣ୍ଠରେ କହିଲେ–ଶ୍ୱେତାର କିଛି ଉନ୍ନତି ଲକ୍ଷ୍ୟ କରି ପାରୁଛନ୍ତି କଣ୍ଠ ବାବୁ !

 

ନୀଳକଣ୍ଠ ବଶଂବଦ କଣ୍ଠରେ ଉଚ୍ଚାରଣ କଲା–‘ଆଶାଜନକ ନୁହେଁ, ତେବେ...’

 

–ତେବେ ଉନ୍ନତି କରିବ ନା ? ହଁ ମୋର ଆଉ ତା’ର ପଢ଼ାପଢ଼ି ଉପରେ ବିଶେଷ ନଜର ଦେବାକୁ ସମୟ ନାହିଁ । ମୁଁ ଆପଣଙ୍କ ହାତରେ ତା’ର ପଢ଼ାପଢ଼ି ସମ୍ପୂର୍ଣ୍ଣ ରୂପେ ଛାଡ଼ିଦେଲି । ତା’ର ପାସ୍‍ ଫେଲ ଆପଣଙ୍କ ହାତରେ । ଆପଣ ତା’ର ଭଲ ମନ୍ଦ ବୁଝିବେ । ତେବେ ଗୋଟାଏ କଥା ମୋର କହିବାର ଅଛି, ଶ୍ୱେତା ମୋର ଝିଅ ବୋଲି ତା’ର ଦୋଶଟାକୁ ମୁଁ ଘୋଡ଼ାଇବାକୁ ଏକାନ୍ତ ବିରୋଧୀ । ତେବେ କଥା ହେଲା ସେ ଟିକେ ଉଦ୍ଧତା ହୋଇଛି, ମାନେ ଆପଣଙ୍କ ମୁହଁରେ ଉତ୍ତର ଦେବନି ତେବେ ତା’ କାର୍ଯ୍ୟକଳାପରୁ ଆପଣ ଜାଣିପାରିବେ । ଆମର ଗୋଟିଏ ବୋଲି ସେଇ ଝିଅ । ତା’ ମା’ ଆଉ ମୋର ସେଇ ନେଇ ତା’ ଉପରେ ପ୍ରଗାଢ଼ ମମତା । ଆଉ ଏଇ ସ୍ନେହ, ମମତା ସୁଯୋଗ ନେଇ ସେ ଟିକେ ଉଦ୍ଧତା ହୋଇ ପଡ଼ିଛି । ପାଠ ଉପରେ ତା’ର ଆଗ୍ରହ ଯେତେ ହେବାର କଥା ନାହିଁ, ବରଂ ସିନେମା, ଥିଏଟର ଇତ୍ୟାଦି ଦେଖିବାକୁ ତା’ର ଅନେକ ଝୁଙ୍କ, ବଦଭ୍ୟାସ । ଆପଣ ହୁଏତ ଏଥିଭିତରେ ଲକ୍ଷ୍ୟ କରିବେ, ସିନେମା ଯିବାକୁ ସେ ଆପଣଙ୍କୁହିଁ ଅନୁରୋଧ କରିବ । ଆଉ ମୁଁ ତ ଟିକେ ବାହାରେ ବରାବର ରହିବି । ତେଣୁ ଯଦି କେବେ ସେ ଚାହେଁ ଆପଣ ସାହାଯ୍ୟ ତାକୁ କରିବେ । ଅବଶ୍ୟ ଅତି ମାତ୍ରାରେ ତାକୁ ଏଥିରେ ମଜ୍ଜି ରହିବାଲାଗି ପ୍ରଶ୍ରୟ ଦେବେନି ତେବେ...

 

–କିନ୍ତୁ ମୁଁ ଆଜ୍ଞା ଏ ସବୁର ପକ୍ଷପାତୀ ନୁହେଁ । ଏଇ ସିନେମା ଥିଏଟର ଯେ ଛାତ୍ର ଜୀବନରେ ପ୍ରଚଣ୍ଡ ଆଘାତ ଦିଏ ଏହା ହୁଏତ ଆପଣ ଆସ୍ଵୀକାର କରିପାରିବେ ନାହିଁ । ମୋର ବି ସେଇ ଧାରଣ ଅଛି । ମୁଁ ଏଥର ଶ୍ୱେତାକୁ ବାରଣ କରିବି ଅନ୍ତତଃ ଏଇ ମାଟ୍ରିକ ପରୀକ୍ଷାଟା ସରିଯାଉ, ସେ ଯାହା କରିବ । କିନ୍ତୁ ଏଇ କେଇମାସ ତାକୁ କଠୋର ପରିଶ୍ରମ କରିବାକୁ ପଡ଼ିବ । କାରଣ ସବୁ ବିଷୟରେ ସେ ଅସମ୍ଭବ ରକମର ଦୁର୍ବଳ ।

 

–ହଁ, ହଁ ମୁଁ ବି ତାକୁ ସେଇ କଥା କହି ସତର୍କ କରେଇ ଦେଇଛି, ତେବେ ଆଉ ଗୋଟେ ମୋର ଆପଣଙ୍କୁ ଅନୁରୋଧ କରିବାର ଅଛି । ଆପଣଙ୍କରତ ଏ ବର୍ଷ ଫାଇନାଲ ଇୟର ନୁହେଁ, ହୁଏତ ଅନେକ ସମୟ ପାଉଥିବେ । ଯଦି ତା’ ପ୍ରତି ଆଉଟିକେ ଶୁଭଦୃଷ୍ଟି ଦେବାକୁ ସୁଯୋଗ ଦିଅନ୍ତେ ହୁଏତ ମୁଁ ଋଣୀ ରୁହନ୍ତି । ଯଦି ଯିବା ଆସିବାରେ ଆପଣ ଅସୁବିଧା ମନେ କରନ୍ତି, ମୁଁ ଆପଣଙ୍କ ରହିବା ଖାଇବାର ବ୍ୟବସ୍ଥା ଆମ ଘରେ କରି ଦେଉଛି । ହୁଏତ ଏହାଦ୍ଵାରା ଆପଣ ଉଭୟ ଦିଗରୁ ଉପକୃତ ହେବେ । କ’ଣ କହୁଚନ୍ତି ?

 

ନୀଳକଣ୍ଠ କିଛି ସମୟ ଚିନ୍ତା କରି କହିଲା–ନା, ନା ଅସୁବିଧା ଆଉ କ’ଣ । ତେବେ ମୁଁ ଅଛି ସେଠି ଯେଉଁଠି ବହିପତ୍ରର ସୁବିଧା ହେଉଛି, ତେବେ ଯଦି ଆପଣ କହୁଛନ୍ତି ମୁଁ ଦୁଇବେଳା ଆସି ପାରିବି, କିନ୍ତୁ ରହିବା...

 

ନାଇଁ ନାଇଁ ମୁଁ ଆପଣଙ୍କ ଇଚ୍ଛା ବିରୁଦ୍ଧରେ ଯାଉନି । ଆପଣଙ୍କର ଅସୁବିଧା କିଛି ହେବନି । ତେବେ ଯଦି ଏକାନ୍ତ ଅନିଚ୍ଛା ପ୍ରକାଶ କରନ୍ତି ତା’ହେଲେ ଆପଣଙ୍କ ଦରମା ଛଡ଼ା ମୁଁ ଆସିବା ଯିବାର ରିକ୍ସା ଭଡ଼ା ଦେଇଦେବି ।

 

ନୀଳକଣ୍ଠ ଟିକିଏ ଲଜ୍ଜିତ ହେଲା ପରି ଜଣା ଗଲା । ମନ୍ଦରଧର ବାବୁ ଆଉ ସେ କଥା ନ ପକାଇ କଥାର ଗତିଟା ଅନ୍ୟ ଦିଗକୁ ଟାଣିନେଇ କହିଲେ–

 

ଆଚ୍ଛା ଆପଣଙ୍କ ଇଚ୍ଛା । କିଛି ଭାବିବେ ନାହିଁ । ଆପଣଙ୍କ ଉପରେ ଯେତେବଳେ ଦାୟିତ୍ଵ ଦେଇଛି । ମୁଁ ନିସ୍ତାର ପାଇଛି ଏଣିକି ଭଲ ମନ୍ଦ ଆପଣଙ୍କର । ଛାଡ଼ ତେବେ ମୁଁ ଆପଣଙ୍କର ସୁବିଧା ହେବା ଦୃଷ୍ଟିରୁ କହୁଥିଲି । ଆପଣ ଅଯଥା ଭଡ଼ା ଗଣି ଘରଟିଏ କାହିଁକି ରଖନ୍ତେ । ଏଠିତ ଆମର ଘରଗୁଡ଼ାଏ ଖାଲି ପଡ଼ିଛି ରହି ଯାଇଥିଲେ ମନ୍ଦ କ’ଣ ହୋଇ ଥାଆନ୍ତା ?

 

ନୀଳକଣ୍ଠ କହିଲା–ନା, ଏଠି ରହିବାକୁ ମୋର ଅନିଚ୍ଛା ନାହିଁ, ତେବେ ମୁଁ ଆପଣଙ୍କୁ କହିବି ।

 

–ଆଚ୍ଛା, ମନ୍ଦରଧରବାବୁ ପୁଣି ଯୋଗ କଲେ–ପାଠ ପଢ଼ିସାରି କ’ଣ କରିବାକୁ ଇଚ୍ଛା କରନ୍ତି ଆପଣ !

 

–ତା’ କ’ଣ ମୁଁ ଏପର୍ଯ୍ୟନ୍ତ ଠିକ୍‍ କଲିଣି ଆଜ୍ଞା ! ପଢ଼ିବା ସମୟରେ ସେ ବିରାଟ ସମସ୍ୟାକୁ ଏତିକିବେଳୁ ସମାଧାନ କରିବାର କ’ଣ କିଛି ଅର୍ଥ ଅଛି ? ତେବେ politicsରେ ଭାଗ ନେବାକୁ ପ୍ରବଳ ଆଗ୍ରହ ଅଛି । ଅବଶ୍ୟ ତା’ ପୂର୍ବରୁ ମତେ କିଛିଦିନ ଚାକିରି କରିବାକୁ ପଡ଼ିବ କାରଣ ଘର...

 

ହଁ, ହଁ ଆଗ ନିଜକୁ ବଞ୍ଚାଇବାକୁ ପଡ଼ିବ, ନିଜକୁ ନବଞ୍ଚାଇ ଅନ୍ୟକୁ ବଞ୍ଚାଇବାକୁ ପାଗ ଭିଡ଼ିଲେ ତ୍ରିଶଙ୍କୁର ଅବସ୍ଥାରେ ପଡ଼ିଯିବାର ସମ୍ଭାବନା ଯଥେଷ୍ଟ, ତେବେ ନିଜକୁ ବଞ୍ଚାଇବାକୁ ଅର୍ଥ ଉପାର୍ଜନ କରିବା ଭିତରେ ଏଇ ମନକୁ ସବୁଦିନ ଲାଗି ଜାଗ୍ରତ ରଖି ପାରିବେତ ? କାରଣ ମୁଁ ଦେଖିଛି ଅନେକ ଛାତ୍ର ଏଇ ବୟସରେ ଅନେକ କଥା କରିବାକୁ ଇଚ୍ଛା ପ୍ରକାଶ କରି ପାରନ୍ତି ନାହିଁ । ତା’ର ଏକମାତ୍ର କାରଣ ହେଲା ଅର୍ଥର ମୋହ । ଅର୍ଥ ମୋହକୁ ଛିନ୍ନ କରିବା ସମସ୍ତଙ୍କପକ୍ଷେ ସବୁବେଳେ ସମ୍ଭବ ନୁହେଁ, ନା କ’ଣ କହୁଛନ୍ତି ?

 

ନୀଳକଣ୍ଠ ସମ୍ମତି କଲା । ମନ୍ଦରଧରବାବୁ ପୁଣି ଆରମ୍ଭ କଲେ ତେବେ ମୋର ଦୃଢ଼ମତ, ନିଜ ଉପରୁ ବିଶ୍ୱାସ ହରାଇବା ଉଚିତ ନୁହେଁ । ନିଜ ଉପରୁ ବିଶ୍ୱାସ ହରାଇଲେ ମଣିଷ ଦୁଃଖକଷ୍ଟକୁ ଡରିଯିବ, କିନ୍ତୁ ଏ କଥା ସତ୍ୟ ଦୁଃଖ କଷ୍ଟ ନକଲେ ତା’ ଜୀବନର ସ୍ଵପ୍ନ ସଫଳ ହେବା ଏକ ବିରାଟ ବିଡ଼ମ୍ବନା । ନାମ ଆଉ ଅର୍ଥ ହେଲା ଠିକ୍‍ ଦୁଇଟି ସମାନ୍ତର ସରଳରେଖା । ନାମ ସହିତ ଅର୍ଥର ମିଳନ ତେଣୁ ଅବଶ୍ୟମ୍ଭାବୀ ! ଜୀବନରେ ଦୁଃଖ ସହିତ ସଂଘର୍ଷ କରି ନ ଜାଣିଲେ ଭାଗ୍ୟର ପରିବର୍ତ୍ତନ କେହି କରିପାରିବ ନାହିଁ, ତା’ଛଡ଼ା ଭାଗ୍ୟହିଁ ନିଜର କର୍ମ, ନିଜେହିଁ ନିଜର ଭାଗ୍ୟ । ନିଜର ଇଚ୍ଛାହିଁ ଆଉ କାର୍ଯ୍ୟର ସମନ୍ଵୟରେ ଭାଗ୍ୟର ପରିବର୍ତ୍ତନ ସମ୍ଭବ ।

 

ମନ୍ଦରଧରବାବୁ ଗମ୍ଭୀର କଣ୍ଠରେ କହି ଚାଲିଥିଲେ ପୃଥିବୀର ଯେ କୌଣସି ମହାପୁରୁଷଙ୍କର ଜୀବନୀ ସେଇ କଥା ପ୍ରମାଣ କରୁଛି–ଦୁଃଖର ଅଗ୍ନିଦାହରେ ମହାପୁରୁଷମାନେ ନିଜକୁ ବାରବାର ପକାଇ ପରୀକ୍ଷା କରିଥିବା କଥା କିଛି ଅସତ୍ୟ ନୁହେଁ । ସେମାନେ ଏତେ ଦୁଃଖ କଷ୍ଟ ସହିଥିଲେ ମଧ୍ୟ ତାଙ୍କର ସୂକ୍ଷ୍ମବୁଦ୍ଧି, ବିଚାର, ଉଦାର ମନଯୋଗୁଁ ଆଜି ଶ୍ରେଷ୍ଠ ସ୍ଥାନାଧିକାର କରିଛନ୍ତି । ମଣିଷ ହେବାକୁ ହେଲେ ଯେ କେତେ କଷ୍ଟ ସହିବାକୁ ପଡ଼େ ତା’ ସେଇ ପଥର ପଥୁକି ବିନା ଅନ୍ୟକୁ ଅଗୋଚର ।

 

ନୀଳକଣ୍ଠ କହିଲା–ତା’ ସତ୍ୟ ଆଜ୍ଞା, ଧୈର୍ଯ୍ୟ, ଦମ୍ଭ ଆତ୍ମବିଶ୍ଵାସ ବିନା କାହାର ଉନ୍ନତି ହୋଇପାରେନା । ଯେକୌଣସି ବିଷୟରେ ସାଧନା କରିବାକୁ ଗଲେ ସିଦ୍ଧି ହାସଲ କରିବା ପର୍ଯ୍ୟନ୍ତ ସାଧକ ନିଜ ମନକୁ ସଂଯତ ଗମ୍ଭୀର କରିବା ଦରକାର । ସାଧକ ସାଧନାରତ ଥିଲାବେଳେ ଅନେକ ଶତ୍ରୁ ତାକୁ ବରାବର ବାଧା ଦେବେ । ତା’ଛଡ଼ା କାହାର ଶତ୍ରୁ ଅପେକ୍ଷା ମନ ହେଉଛି ମଣିଷର ଆଉ ଏକ ପରମ ଶତ୍ରୁ । ମନକୁ ସ୍ଥିର ନ କଲେ ସାଧନାରେ ସିଦ୍ଧି ଲାଭ କେହି କରିପାରିବ ନାହିଁ ।

 

ମନ୍ଦରଧରବାବୁ ହସିଲେ । କହିଲେ–ଏସବୁ ନୀତିବାଣୀ । କିନ୍ତୁ ଏଗୁଡ଼ିକ ନିଜ ଦରକାରରେ ଲଗାଇବା କି ସମ୍ଭବ । ସବୁବେଳେ ସବୁ ସ୍ଥଳରେ ଏ ନୀତିବାଣୀ ଦରକାରରେ ଲାଗିବନି କଣ୍ଠ ବାବୁ । ଏ ନୀତିବାଣୀ ସହିତ ନିଜକୁ ଖାପ ଖୁଆଇବାକୁ ହେଲେ ନିଜ ମନରୁ ଅନେକ ନୀତିବାଣୀ ସୃଷ୍ଟି କରିବାକୁ ପଡ଼ିବ । ସବୁଠାରୁ ବଡ଼ କଥା ହେଲା ଧୈର୍ଯ୍ୟ । ଧୈର୍ଯ୍ୟବାନ ଲୋକ କେବଳ ଜିତେନ୍ଦ୍ରିୟ । ଯାହାର ଯେଉଁ ପରିମାଣରେ ଧୈର୍ଯ୍ୟ ଅଛି ସେ ସେଇ ପରିମାଣେ ସାହସୀ । ଆଜି ଏ ଦେଶକୁ ଲକ୍ଷ୍ୟ କଲେ ମୁଁ ଗୋଟାଏ ବଡ଼ କଥା ଲକ୍ଷ୍ୟ କରେ କଣ୍ଠବାବୁ ଏ ଧୈର୍ଯ୍ୟର ଅଭାବ ରହିଛି । ଆମ ଜନସାଧାରଣ ଏଇ ସ୍ୱାଧୀନତା ପ୍ରାପ୍ତିର ପନ୍ଦରବର୍ଷ ପରେବି ଆତ୍ମସଚେତନ ହୋଇ ନାହାନ୍ତି । ସେମାନେ ଖାଲି ଚାହୁଁଛନ୍ତି ବିନା ପରିଶ୍ରମରେ ଗୁଡ଼ାଏ ଧନ ପାଇବାକୁ । ଯଦି ଏଇଆ କରି ଦିଆ ଯାଆନ୍ତା ତା’ହେଲେ ସେମାନେ ବୁଝନ୍ତେ ସ୍ଵାଧୀନତାର ମୂଲ୍ୟ-। ସ୍ଵାଧୀନତା ଅର୍ଥ ସେମାନେ ବୁଝନ୍ତି ବିନା ପରିଶ୍ରମରେ ଗୁଡ଼ାଏ ଅର୍ଥ ପାଇବା । ସେମାନେ ବୁଝନ୍ତି ସରକାର ସବୁ କରନ୍ତା ଆଉ ସେମାନେ ଖାଲି ଆମୋଦ ପ୍ରମୋଦରେ କାଳ କାଟନ୍ତେ ମୁଁ ଅନେକ ସ୍ଥାନକୁ ସଭା ସମିତି କରି ଯାଇଛି ଏବଂ ପ୍ରତ୍ୟେକ ସଭା ସମିତିରୁ ମୁଁ ଆଉ କିଛି ଆଣିନି ଏଇ ତିକ୍ତ ଅନୁଭୂତ ଛଡ଼ା ।

 

ନୀଳକଣ୍ଠ କହିଲା ହଁ, ଆମ ଲୋକ ଆତ୍ମସଚେତନ ହୋଇ ନାହାନ୍ତି । ତା’ପରେ ଆଉ ଏକ କଥା, ଆମର ଶାସକ ଗୋଷ୍ଠୀବି ସେମାନଙ୍କୁ ଆତ୍ମସଚେତନ କରିବାକୁ ଯେ କେଉଁ ଚେଷ୍ଟା କରୁଛନ୍ତି ? ଆମର ପ୍ରତିନିଧି ହୋଇ ଯେଉଁମାନେ ଗଲେ ସେମାନେ ଆମର ହେଲେ ପ୍ରଥମ ଶତ୍ରୁ, ଭୋଟ ପାଇବା ପରେ ସେମାନେ ଆମକୁ ଭୁଲିଗଲେ । ନିଜକୁ ନିଜ ପେଟକୁ ବଡ଼ କରିବାର ଅଭିଳାଷ ନେଇ ସେମାନେ ବ୍ୟସ୍ତ ରହିଲେ । ଏଥିରେ ଦେଶର ପ୍ରଗତି କିମିତି ହେବ ।

 

ପ୍ରଗତି ! କଥାଟାକୁ ଦୁଇ ଚାରିଥର ମନ ଭିତରେ ଓଲଟ ପାଲଟ କରି ମନ୍ଦରଧର ବାବୁ କହିଲେ–ତା’ହେଲେ ଆପଣ ଭାବୁଛନ୍ତି କ’ଣ ପ୍ରଗତିଟା ଏତେ ଶୀଘ୍ର ହୋଇଯିବ ? ଆଜି ଯେଉଁ ଦେଶ ପ୍ରଗତିର ଶୀର୍ଷ ସୋପାନ ସ୍ପର୍ଶ କରିଛି ସେଗୁଡ଼ିକର କ’ଣ ସହସା ପ୍ରଗତି ହୋଇଥିଲା ! ଆସ୍ତେ ଆସ୍ତେ ପ୍ରଗତିର ଅଭ୍ୟୁଦୟ ହୁଏ । ଆମର ମାତ୍ର ୧୫ଟି ବର୍ଷ ହେଲା ଦେଶ ସ୍ଵାଧୀନ ହେଲା-। ଏଥି ଭିତରେ ଆମେ କ’ଣ କରିବୁ ଏଇ କଥା ନେଇ ବିଶେଷ ବ୍ୟସ୍ତ ରହିଲୁ । କାରଣ ବିଦେଶ ସରକାର ଆମ ଦେଶକୁ ଛାଡ଼ିଗଲାବେଳେ ଆମ ଦେଶକୁ ଖୋଳ କରି ଯାଇଥିଲା-। ସୁତରାଂ ଆମକୁ ସବୁ ସ୍ତରର ଉନ୍ନତି ଦେଖିବାକୁ ପଡ଼ୁଛି । ତା’ ନହେଲେ ଦେଶର ଉନ୍ନତି ତ ହୋଇ ପାରିବନି । ବରଂ ବିପ୍ଳବ ହେବ । ଆମ ଲୋକେ ତାଙ୍କର ଅସୁବିଧା ହେଲେ ବିଦ୍ରୋହ କରିବେ-। ସତ୍ୟାଗ୍ରହ କରିବେ । ଦେଶର ଉନ୍ନତି କରିବାକୁ ଆମ ଲୋକେ ଯେତେ ପରିମାଣରେ ଭୀରୁ, ତାଙ୍କ ନିଜର ଉନ୍ନତି କରିବାକୁ ସେମାନେ ସେତେ ପରିମାଣରେ ସିଂହ । ତେବେ ସ୍ଵାଧୀନତା ପ୍ରାପ୍ତିର ପନ୍ଦର ବର୍ଷ ପରେ ଆମର ଯଥେଷ୍ଟ ଉନ୍ନତି ହୋଇଛି ।

 

ନୀଳକଣ୍ଠର କିନ୍ତୁ ଏକଥାର ସପକ୍ଷ ମତ ନଥିଲା । ସେ ଗମ୍ଭୀର ହେଲା । ମନ୍ଦରଧର ବାବୁ ତା’ ମୁଖମଣ୍ଡଳରେ ଏକପ୍ରକାର ଦୃଷ୍ଟି ପକାଇ ଥିଲେ । ନୀଳକଣ୍ଠ ଆଉ ଅଧିକ ସମୟ ଗପର ଆସର ଜଗାଇବାକୁ ସୁବିଧା ମନେ କଲାନାହିଁ । ସେ ଧ୍ୟାନ ଭଗ୍ନ କରି ଉଠିଲା ।

 

ମନ୍ଦରଧର ବାବୁ କହିଲେ–କ’ଣ ଆପଣ ଚାଲିଯିବେ ?

 

–ଆଜ୍ଞା ! ସମୟ ଅନେକ ହେଲାଣି ।

 

ମନ୍ଦରଧରବାବୁ କାନ୍ଥ ଘଣ୍ଟାକୁ ଲକ୍ଷ୍ୟକରି ଟିକିଏ ବ୍ୟସ୍ତ ହୋଇ ପଡ଼ିଲେ ଆରେ ଯାଆନ୍ତୁ ଯାଆନ୍ତୁ…ଅନେକ ପଥ ଯିବାକୁ ଆପଣଙ୍କୁ ପଡ଼ିବ ନା ।

 

ନୀଳକଣ୍ଠ–ନମସ୍କାର କଲା

 

ପ୍ରତି ନମସ୍କାର କରି ବିଦାୟ ଦେଲେ ମନ୍ଦରଧର ବାବୁ ।

 

ନୀଳକଣ୍ଠ ଚାଲି ଯାଇଛି । ଏଥି ଭିତରେ ନୀଳକଣ୍ଠ ଅନ୍ତତଃ ଗୋଟାଏ ମାଇଲ ପଥ ଅତିକ୍ରମ କରି ଯିବଣି । ତା’ପରେ ସେ ସମସ୍ତ ପଥ ଅତିକ୍ରମ କରିଯିବ । ତା’ ବସାରେ ପହଞ୍ଚିବ । ବସାଟା ନିଶ୍ଚୟ ଏକ ଗଳିରେ ତା’ପରେ ଗଳିର ଏକ ଅନ୍ଧକାର ଗୃହରେ ସେ ପଶିବ । ତା’ପରେ ।

 

ମନ୍ଦରଧର ବାବୁଙ୍କ ଅନ୍ତରରେ ଏକ ଦାରୁଣ ଯନ୍ତ୍ରଣା–ଆହା ବିଚାରା ପାଠ ପଢ଼ିବ ବୋଲି କେତେ କଷ୍ଟ ସେ ନକରୁଛି ! ଅଥଚ ଯେଉଁମାନଙ୍କର ଧନ ଅଛି ପ୍ରଚୁର ଧନ ସେମାନେ ଯଦି ସେଇ ଧନ ସହିତ ମନକୁ ମିଳାଇ ପାଠ ପଢ଼ନ୍ତେ ଠିକ୍ ନୀଳକଣ୍ଠ ପରି, ତା’ହେଲେ କେତେ ଉନ୍ନତି ନ କରନ୍ତେ ! କିନ୍ତୁ ଅଦୃଷ୍ଟର ନିଷ୍ଠୁର ବିଧାନ । ମନ ଯା’ର ଅଛି ତା’ ପାଖରେ ଧନ ନାହିଁ… !!

 

ଏଇକଥା ଗୁଡ଼ାକ ମନେ ପଡ଼ିଲେ ମନ୍ଦରଧରବାବୁ ଦୁଃଖରେ ମୁହ୍ୟମାନ ହୋଇ ପଡ଼ନ୍ତି-। ସ୍ଵାଧୀନତା ପ୍ରାପ୍ତିର ପନ୍ଦର ବର୍ଷ ପରେ ବି ଲୋକେ ପାଠ ପଢ଼ିବାକୁ ଇଚ୍ଛା କରି ନିରାଶ ହେଉଛନ୍ତି, ଖାଇବାକୁ ନପାଇ ସ୍ଵାଧୀନ ରାଷ୍ଟ୍ରର ଜନତା ପୋକ ମାଛି ଭଳି ମରୁଛନ୍ତି । ଅଥଚ ଯେଉଁମାନେ ବୁଦ୍ଧିକୁ ବିକ୍ରି କରି ପାରୁଛନ୍ତି, ଯେଉଁମାନଙ୍କର ପଛରେ ବଡ଼ଲୋକର ମୋହର ଛପା ହୋଇଛି ସେମାନେ ବଢ଼ି ଚାଲିଛନ୍ତି । ଦଳିତ ପତିତ ନିର୍ଯ୍ୟାତିତ ଲୋକମାନଙ୍କର ଭାଗ୍ୟରୁ କ’ଣ ଏ ଅଭାବ ଅନାଟନର ଅଶୁଭ ମେଘ ଅପସରି ଯିବ ନାହିଁ ? ବହୁ କଷ୍ଟରେ ଅବଶ୍ୟ ଏ ଦେଶର ଜନତା ଆଣିଲେ ସ୍ଵାଧୀନତା ! ଅଥଚ ସ୍ଵାଧୀନତାର ମହୁ ଚାଖିବା ଲାଗି କ’ଣ ତାଙ୍କ ଭାଗ୍ୟରେ ଜୁଟିବ ନାହିଁ-?

 

ନୀଳକଣ୍ଠ ଠିକ୍ କହିଥିଲା–ଆମ ଲୋକେହିଁ ଆମର ଶତ୍ରୁ । ଆମର ପ୍ରତିନିଧିହିଁ ଆମର ପରମ ଶତ୍ରୁ । ନୀଳକଣ୍ଠ ତା’ ନାତିଦୀର୍ଘ ଅଭିଜ୍ଞତାର ମୂଲ୍ୟାଙ୍କନ କରି ଏକଥା କହିଛି । ଯେଉଁମାନେ ପ୍ରତିନିଧି ହେଲେ ସେମାନେ ନିଜ ପେଟକୁ ପ୍ରବୃଦ୍ଧ କରିବାକୁ ଲାଗିଲେ ଏଥିରେ ଦେଶର ପ୍ରଗତି ହେବା କି ସମ୍ଭବ ? ଦେଶର ଜନସାଧାରଣଙ୍କର ଉନ୍ନତି ବିନା ଦେଶର ପ୍ରଗତି ହେବା ଏକ ବିରାଟ ବିଡ଼ମ୍ବନା । ଯେଉଁ ଦେଶ ମାଡ଼ଖାଇ ସହିଯିବାର ନୀତିରେ ଅନୁପ୍ରାଣିତ ସେ ଦେଶର ଲୋକଙ୍କୁ ଏ ବିପତ୍ତିରୁ ଉଦ୍ଧାର କରିବ କିଏ ? ନିଜେ ନିଜକୁ ଉଦ୍ଧାର କରିବାକୁ ଯେଉଁ ପର୍ଯ୍ୟନ୍ତ ପ୍ରତ୍ୟେକ ନାଗରିକ ଶିଖି ନାହାନ୍ତି ସେମାନଙ୍କୁ ଶିଖାଇବ କିଏ ? କିଏ ନିଜର ସମସ୍ତ ସୁଖ-ସମ୍ପଦକୁ ଜଳାଞ୍ଜଳି ଦେଇ ଏ ଶିକ୍ଷା ଦେବ ତାଙ୍କୁ ?

 

ବିରୋଧୀ ଦଳର ନେତା ମନ୍ଦରଧରବାବୁ ଏଇ କଥା ଆଜକୁ ଅନେକ ବର୍ଷ ହେଲା ଚିନ୍ତା କରିଛନ୍ତି । ଅନେକ ସଭା ସମିତିରେ ବକ୍ତୃତା ଦେଇଛନ୍ତି–କିନ୍ତୁ ଶୁଣୁଛି କିଏ ? ବରଂ ଏକଥାର ପ୍ରତିବାଦରେ ସେ ଶୁଣିଛନ୍ତି–ସବୁ ଲୋକ ଭୋଟ ପାଇ ସାରି ଭୁଲି ଯାଆନ୍ତି ତାଙ୍କର ଆଦର୍ଶ–ତାଙ୍କର ସେ ମହାନ ନୀତିବାଣୀ…

 

ଏ ଯୁକ୍ତି ପାଖରେ ବ୍ୟଥିତ ହୋଇ ହାର ମାନନ୍ତି ମନ୍ଦରଧର ବାବୁ । ହାଃରେ ଜନତା !! ମଣିଷ ଚିହ୍ନି ଶିଖିଲନି ! କିନ୍ତୁ…ମନ୍ଦରଧର ବାବୁ ଏଇ ମହାନ ନୀତି, ଏଇ ଆଦର୍ଶ ଯୋଗୁଁ, ସେ ବାର ବାର ଭୋଟ ଯୁଦ୍ଧରେ ପରାସ୍ତ ହୁଅନ୍ତି–କାରଣ ସତ୍ୟ ଧର୍ମକୁ ଆଗରେ ରଖି ରାଜନୀତି କ୍ଷେତ୍ରରେ ତିଷ୍ଠିବା କି ସମ୍ଭବ ? ରାଜନୀତି ହେଲା–ମିଥ୍ୟାର ଆଶ୍ରୟ–କୂଟ ଚକ୍ରାନ୍ତର ଗନ୍ତାଘର–ସେଠି ମନ୍ଦରଧର ବାବୁଙ୍କ ଭଳି ଧର୍ମ ସର୍ବସ୍ୱ ଅବସ୍ଥାନ ଏକାନ୍ତ ଅସ୍ପୃହଣୀୟ…

 

ମନ୍ଦରଧର ବାବୁ ସେଇ କଥା ଚିନ୍ତାକରି ହସୁଥିଲେ–ଅଥଚ ତାଙ୍କର ମନରେ ଏକ ନିଶ୍ଚିନ୍ତ ବିଶ୍ୱାସ, ଧର୍ମର ଜୟ ସୁନିଶ୍ଚିତ ! କିନ୍ତୁ ଏ ଜୟ ସୁନିଶ୍ଚିତ ଦୁଃଖ କଷଣସହ ଯୁଦ୍ଧ କରି ସାରିବା ପରେ…କିନ୍ତୁ ଧୈର୍ଯ୍ୟ !!

 

ଜୀବନର ଚଲା ପଥରେ ଅଣଷାଠିଟି ମାଇଲ ଖୁଣ୍ଟ ଅତିକ୍ରମ କରି ଆସିଛନ୍ତି ସେ । ଜୀବନର ମୂଲ୍ୟବୋଧ ତାଙ୍କ ପାଖରେ ଯଥେଷ୍ଟ ବେଶୀ କାରଣ ବିପ୍ଳବୀ ହିସାବରେ ତାଙ୍କର ଜନ୍ମ । ବିପ୍ଳବ ତାଙ୍କ ଜୀବନର ମହାମନ୍ତ୍ର । ଆଉ ଏଇ ବିପ୍ଳବ ଅସ୍ତ୍ର ଦ୍ଵାରା ସେ ଏ ଦେଶରେ ଏକ ବିରାଟ ପରିବର୍ତ୍ତନ ଆଣିବାକୁ ସ୍ଥିର ପ୍ରତିଜ୍ଞ !

 

କିନ୍ତୁ ବିପ୍ଳବ ! ବିପ୍ଳବୀ ଲୋକଙ୍କୁ ମୁହଁରେ ସମସ୍ତେ ପ୍ରଶଂସା କରନ୍ତି–ଅଥଚ ଯିଏ ରକ୍ତ ଶୋଷକ ତାକୁ ପୂଜା କରନ୍ତି ଲୋକେ ସର୍ବତ୍ର । ମନ୍ଦରଧର ବାବୁଙ୍କର ଏ ସତ୍ୟ ଉଦ୍‍ଘାଟନ ଅନେକ ଦିନର–ତାଙ୍କ ନିଜ ଜୀବନରେ ସେ ପ୍ରମାଣିତ କରିଛନ୍ତି–ଜୀବନ ବ୍ୟାପୀ ଜନସାଧାରଣରଙ୍କର ସେ ସେବା କରି ଆସିଲେ କିନ୍ତୁ ଜନସାଧାରଣ ପ୍ରତ୍ୟେକଥର କଥା ଦେଇ ତାଙ୍କ ମୁହଁରେ କାଳିମା ବୋଳିଲେ । ଅନେକ ଥର ମନ୍ଦରଧର ବାବୁ ସ୍ଥିର କରିଛନ୍ତି ଏ ରାଜନୀତିରୁ ସେ ଅପସରି ଯାଇ ଅବଶିଷ୍ଟ ଜୀବନ ତାଙ୍କର, ସାଧୁ ସନ୍ଥଙ୍କ ସହ କଟାଇବେ–କିନ୍ତୁ କ’ଣ ସେ ପାରୁଛନ୍ତି । ରାଜନୀତି ତାଙ୍କ ରକ୍ତ, ମାଂସ ଗତ ହୋଇଯାଇଛି–ସେ ରାଜନୀତିକୁ ଛାଡ଼ି ପାରିବେ–କିନ୍ତୁ ରାଜନୀତି କ’ଣ ତାଙ୍କୁ ଛାଡ଼ି ପାରିବ ???

 

ଅନେକ ଥର ଦୁଃଖରେ ମୁହ୍ୟମାନ ହୋଇ ପଡ଼ନ୍ତି ସେ । ନିଜ ଉପରେ ତାଙ୍କର ଅଯଥା ଗୁରୁତର ଅଭିମାନ ଜାଗେ–କାହିଁକି ସେ ଏଭଳି ଏକ କଣ୍ଟକିତ ପଥକୁ କୁସୁମିତ ପରି ମନେକଲେ ! ହୁଏତ ସେ ଯଦି ଏ ପଥରେ ଆସି ନଥାନ୍ତେ–ହୁଏତ ସେ ଏକ I.A.S. ଅଫିସର ହୋଇ ଅପରିଯ୍ୟାପ୍ତ ଐଶ୍ଵର୍ଯ୍ୟର ଅଧିଶ୍ୱର ହୋଇ ପାରିଥାଆନ୍ତେ–କିଛି ନହେଲେ ପ୍ରାଣବନ୍ଧୁ ଭଳି ସେ ଯଦି ଏକ ମଦ ଦୋକାନ କରିଥାଆନ୍ତେ ତା’ହେଲେ ଖଣ୍ଡେ ଦିଖଣ୍ଡ ମଟର କିଣି ପାରିଥାନ୍ତେ...କିନ୍ତୁ...କିନ୍ତୁ ଏ ପ୍ରସ୍ଥାନୋମ୍ମୁଖୀ ଜୀବନକୁ ନେଇ ଏବେଳେ ସେ ଆଉ କ’ଣ କରିବେ ?

 

ମନ୍ଦରଧର ବାବୁଙ୍କ ନୟନ ଅଶ୍ରୁସଜଳ ହୋଇ ଉଠିଥିଲା ।

 

ବିସ୍ମୟ ଚକିତରେ ଶ୍ରୀମତୀ ମନ୍ଦାକିନୀ କହିଲେ–କ’ଣ ଖାଇବା ପିଇବା ହେବନି କି ?

 

ମନ୍ଦରଧର ବାବୁ ଶ୍ରୀମତୀ ମନ୍ଦାକିନୀଙ୍କର ଏକଥା ପଦିକ ଶୁଣି ଚମକି ଉଠିଲେ । ଏକ ଅଜଣା ଦେଶରୁ ହଠାତ୍ ଯିମିତି ଖସି ପଡ଼ିଲେ ସେ...

 

ବିରକ୍ତ ହୋଇ ଶ୍ରୀମତୀ ମନ୍ଦାକିନୀ କହିଲେ–କଅଣ ଯେ ସବୁବେଳେ ଗୁଡ଼ାଏ ଚିନ୍ତାକର...

 

ବିରକ୍ତ ହେଲେ ମନ୍ଦରଧର ବାବୁ–କ’ଣ ତମେ ସେଥିରୁ ବୁଝିବ–ତମେ ନାରୀ–ଏକାନ୍ତ ଭାବେ ଦୁର୍ବଳା–ତମର ଘର, ସ୍ଵାମୀ ପିଲା ସୁଖରେ ରୁହନ୍ତୁ । ଏ ତମର ଚିର କାମନା–କିନ୍ତୁ ମୁଁ ଯେଉଁ କଥା ଚିନ୍ତା କରୁଛି ତା’ ତମ ପାଖରେ ଏକାନ୍ତ ଭାବେ ଅର୍ଥହୀନ ଯାଅ–ଗଲ...

 

ଶ୍ରୀମତୀ ମନ୍ଦାକିନୀ ଟିକେ ସଂକିଗଲେ–କାରଣ ମନ୍ଦରଧରବାବୁ ବିରକ୍ତ ହେଲେ ତାଙ୍କୁ ଯୁକ୍ତି ଦେଖାଇ କ୍ଷାନ୍ତ କରିବା ସହଜ ନୁହଁ । କିଛିକ୍ଷଣ ସେ ନୀରବ ରହି କହିଲେ–ଭାତ ଖାଇ ଦେଇ ଗଲେ କ’ଣ ହବ ନାହିଁ ?

 

ଚରମ ବିରକ୍ତିରେ ମନ୍ଦରଧରବାବୁ ଉଠିଲେ । ଏକାନ୍ତ ଅନିଚ୍ଛାସତ୍ତ୍ୱେ ଖାଇବାକୁ ବସିଲେ-

 

ଭାତ, ତରକାରୀ ପରଷିବା ଅବସରରେ ମନ୍ଦାକିନୀ କହିଲେ–ନୀଳକଣ୍ଠକୁ ଆଜି ନିମନ୍ତ୍ରଣ କଲ ନାହିଁ ?

 

ମନ୍ଦରଧରବାବୁ କହିଲେ–ତମ ଭଳି ନାରୀ ଯା’ ଭାଗ୍ୟରେ ଜୁଟିବ ସେ ସବୁ କଥା ଭୁଲିଯିବ ବୁଝିଲ ? କି ଯେ ତମର ଗୋଟାଏ ଦୁର୍ବୁଦ୍ଧି କାହାକୁ ତମେ ବିଶ୍ୱାସ କରିବା କଥା ହୋଇ ପାରିବ ନାହିଁ । ନୀଳକଣ୍ଠ ଭଳି ପିଲାକୁ ତ ତମେ ସନ୍ଦେହ କର ଆଉ କାହାକୁ ଯେ ନ କରିବ ?

 

ଶ୍ରୀମତୀ ମନ୍ଦାକିନୀ ଚିତ୍କାର କରି ଉଠିଲେ–ମୁଁ ନୀଳକଣ୍ଠକୁ ସନ୍ଦେହ କରେ । ହେ ମା ! ହଉ...

 

ମନ୍ଦରଧରବାବୁ କହିଲେ–ଦୀର୍ଘ ତିରିଶ ପଇଁତିରିଶ ବର୍ଷ ତମ ସହିତ କଟାଇଲି, ତମର ମନୋବୃତ୍ତି ପୁଣି କ’ଣ ମତେ ଜାଣିବାକୁ ବାକି ଅଛି ? ତମେ ଏ ସୃଷ୍ଟିର ନାରୀ ଜାତି ଭିତରେ ଏକ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ତମ ଅନ୍ତରରେ ଦୟା, ସହାନୁଭୂତିର ସ୍ଥାନ ନାହିଁ, ଅଛି ସନ୍ଦେହ, ଅବିଶ୍ଵାସ, କୃତଘ୍ନତା ।

 

ଶ୍ରୀମତୀ ମନ୍ଦାକିନୀ ଶପଥ କଲା ଭଙ୍ଗୀରେ କହି ଉଠିଲେ–ଏଇ ଦେଖ, ଆଜିଠାରୁ ଯଦି ମୁଁ ନୀଳକଣ୍ଠର ନାମ ଉଚ୍ଚାରଣ କରେ ମୁଁ ବାନାମ୍ବର ପଟ୍ଟନାୟକର ଝିଅ ନୁହେଁ, ବାଉରୀର । ତା’ପରେ ସେ ତୀର ଗତିରେ ଛୁଟି ଯାଉଁ ଯାଉଁ ସ୍ୱଗତୋକ୍ତି କରି ଉଠିଲେ–ଆରେ, ଭଲ କହିଲେବି ଏମାନଙ୍କର ମୋ ଉପରେ ସମାଲୋଚନା ! ଆଚ୍ଛା ହଉ, ମୋ ଭାଗ୍ୟ !

 

ମନ୍ଦରଧରବାବୁ ମନ୍ଦାକିନୀଙ୍କର ଗତିପଥକୁ ଏକ ମନ ଏକ ଲୟରେ ଚାହିଁ ରହିଥିଲେ ।

 

ଆଖିରୁ ପାଣି ପୋଛୁଥିଲା ଶ୍ୱେତପଦ୍ମା । ନୀଳକଣ୍ଠ ଏଡ଼େ ନିଷ୍ଠୁର ହୋଇପାରେ ଏଡ଼େ ପାଷାଣ ହୋଇ ପାରେ ତା’ର ଅନ୍ତର ! ଭଗବାନ !

 

ଅଭିମାନିନୀ ଶ୍ୱେତପଦ୍ମା କାନ୍ଦୁଥିଲା ଆଷାଢ଼ ଋତୁର ନଈବଢ଼ି ପାଣିଭଳି ଫୁଲି ଫୁଲି–ଏକ ପାହେଡ଼ୀ ଝରଣା ଭଳି ଶିରି ଶିରି ।

 

ମିସେସ୍ ମନ୍ଦାକିନୀ ସନ୍ତର୍ପଣରେ ସେ ଗୃହ ଭିତରକୁ ପଶିଯାଇ ମଧୁର-କୋମଳ କଣ୍ଠରେ କହିଲେ ଜିତୁ ! କ’ଣ ମୁଣ୍ଡ ବିନ୍ଧୁଛି ?

 

ସମ୍ମତି କରିବାକୁ ବାଧ୍ୟ ହେଲା ଶ୍ୱେତା । ତା’ଛଡ଼ା ତା’ର ବି ଅନ୍ୟ ଯୁକ୍ତି କ’ଣ ଥିଲା ଯେ କହିଥାଆନ୍ତା !

ମନ୍ଦାକିନୀ କହିଲେ–କ’ଣ ମୁଣ୍ଡ ଚିପି ଦେବି ?

ମନା କଲା ଶ୍ୱେତା ।

ମନ୍ଦାକିନୀ କହିଲେ–ମୁଁ ଗରମ ପାଣି ଆଣିଛି ନେଲୁ ଏଇ ଆନାସିନ୍‍ ଟାବଲେଟଟା ଖାଇ ଦେଲୁ ।

ଶ୍ଵେତପଦ୍ମା ମନେମନେ ବିରକ୍ତ ହେଲା–ମୁଣ୍ଡ ସତରେ ବିନ୍ଧିଲେ ସିନା ଆନାସିନି ଦ୍ୱାରା ଉପଶମ ହେବ କିନ୍ତୁ ମୁଣ୍ଡବିନ୍ଧାର ଯିଏ ଛଳନା କରୁଛି ?

ମନ୍ଦାକିନୀ ପୁନର୍ବାର କହିଲେ–ନେ, ମା ଏଇଟା ଖାଇଦେ, ପାଣି ପରା ଥଣ୍ଡା ହୋଇଯିବ ।

ଶ୍ଵେତପଦ୍ମା ସମସ୍ତ ଧୈର୍ଯ୍ୟ ହରାଇ ବସିଲା–ଅନାସିନ୍ ତାକୁ ଖାଇବାକୁ ପଡ଼ିବ–ତା’ ନହେଲେ ମା’ କ’ଣ ତାକୁ ରଖିଦେବେ ?

କ୍ଷିପ୍ର ହସ୍ତରେ ଆନାସିନ୍‍କୁ ପାଟିରେ ପକାଇ ଦି’ ଚାରି ଢୋକ ଗରମ ପାଣି ଶୋଷିନେଲା ଶ୍ୱେତା ତା’ପରେ ଅନୁରୋଧ କଲା ଭଙ୍ଗୀରେ କହିଲା–କବାଟଟା ଟାଣି ନେଇଯାଅ ମା’ । ମୁଁ ପରେ ଦେଇ ଦେବି ।

 

ମନ୍ଦାକିନୀ ବାଧ୍ୟ ହୋଇ କଥା ମାନିଲେ ।

 

ଶ୍ଵେତପଦ୍ମା ଏଥର ଯଥେଷ୍ଟ ସମୟ ପାଇଲା ତା’ କଳ୍ପନାର ଜାଲ ବୁଣିବାକୁ ।

 

କିନ୍ତୁ ଲାଭ କ’ଣ ? ଚନ୍ଦ୍ରକୁ ଝୁରି ଝୁରି କମଳିନୀର ବାସନା ପୂର୍ଣ୍ଣ ହୋଇନି । ହୋଇବ କ’ଣ ତା’ର ବାସନା ପୂର୍ଣ୍ଣ ଅସଂଖ୍ୟ ରଜନୀ ସେ କଳ୍ପନାର ଜାଲ ବୁଣି ଚାଲିଲେ ?

 

ଶ୍ଵେତା ଏଥର ଅସମ୍ଭବ ରକମର ଅଧୈର୍ଯ୍ୟ ହୋଇ ଉଠିଲା । ଆଶଙ୍କା ଭୟର ଦୋଳନ ଭିତରେ ମନ ତା’ର ଅସମ୍ଭବ ରକମର ଦୋହଲି ଉଠିଲା–ଚହଲି ଉଠିଲା ତା’ର ସମସ୍ତ ଆଶା ଭରସାର ଅଟ୍ଟାଳିକା । ତା’ର ବାସନା କ’ଣ ସବୁଦିନ ଲାଗି ଅତୃପ୍ତ ରହିଯିବ ?

 

ଏକ ଅସୁସ୍ଥ ଦ୍ଵୀପରେ ନିଜକୁ ଆବିଷ୍କାର କଲା ନୀଳକଣ୍ଠ । ଆଉ ସେଇ ଅସୁସ୍ଥ ଦ୍ଵୀପରେ ନିଜର ଅସୁସ୍ଥ ଦୁର୍ବଳ ମନକୁ ନେଇ ବୁଲିବାକୁ ନୀଳକଣ୍ଠର ମନରେ ଯେମିତି ଆଗ୍ରହ ଟିକିଏ ନାହିଁ, ତଥାପି ଯେ ଅସୁସ୍ଥ ଦ୍ଵୀପରେ ବୁଲିବାକୁ ପଡ଼ିବ ତାକୁ ।

 

ଦିନଟା ରବିବାର ଥିଲା ନିଶ୍ଚୟ । କଲେଜକୁ ଯିବାକୁ ନୀଳକଣ୍ଠକୁ ଆଜି ପଡ଼ିନି । ସକାଳ ପ୍ରହରୁ ନୀଳକଣ୍ଠ ମନରେ ପାଠ ପଢ଼ିବାର ଇଚ୍ଛା କାହିଁକି ହଠାତ୍‍ ଜାଗ୍ରତ ହୋଇ ଯାଇଥିଲା । ନୀଳକଣ୍ଠ ସେଇ ସକାଳ ପ୍ରହରୁ ବହି ଖୋଲି ପାଠ ପଢ଼ିବାକୁ ଚେଷ୍ଟା କରିଥିଲା । କିନ୍ତୁ କ’ଣ ହେଲା ସେ ତ ଗୋଟାଏ ପୃଷ୍ଠା ସୁଧା ପଢ଼ି ପାରିନି ? ବରଂ ମନଟା ତା’ର ଯିମିତି କ’ଣ ଗୋଟାଏ ଖୋଜୁଥିବାର ଅନୁଭବ କଲା । କ’ଣ ହୋଇପାରେ ?

 

ନୀଳକଣ୍ଠ ଭାବନାର ସ୍ରୋତରେ ଭାସି ଭାସି ସାଢ଼େ ନଅଟାରେ ଖାଇବାକୁ ଚାଲିଗଲା–ହୋଟେଲ ମାଲିକ ନମସ୍କାର ଜଣାଇ କହିଲା ଏତେ ଆର୍ଲି (ear।y) ଆସିଗଲେ ଯେ କଣ୍ଠବାକୁ ।

 

ସ୍ମିତ ହସି ନୀଳକଣ୍ଠ କହି ପକାଇଲା–କାମ ଅଛି ।

 

ହୋଟେଲ ମାଲିକ ନୀଳକଣ୍ଠର ଖାଦ୍ୟପେୟ ଆଣିବାକୁ ଅନୁଚରକୁ ନିର୍ଦ୍ଦେଶ ଦେବାପରେ କହିଲେ–ଆଜି ବଜାରକୁ ପ୍ରଚୁର ସଦ୍ୟ ମାଛ ଆସିଥିଲା ଆଜ୍ଞା ! ଚାକରକୁ ପଠାଇ କିଛି ଘେନି ଆସିଛି–ରୋହୀ, ଭାକୁର, ମିରିକାଳି । ଗୋଟେ ପ୍ଲେଟ ଦେଖନ୍ତୁ ଆଜ୍ଞା ।

 

ଦେଖିବା କହି ନୀଳକଣ୍ଠ ଗାଣିତିକ ଧାରାରେ ନିଜ ମୁଣ୍ଡ ଭିତରେ ଅଙ୍କ କଷି ବସିଲା–ଏମିତି ପ୍ଲେଟ ପ୍ଲେଟ ମାଛ ଖାଇଲେ ଅନ୍ୟୂନ ପଇଁତିରିଶରୁ କମ୍‍ ପଡ଼ିବନି–ଅଥଚ ଅନ୍ୟାନ୍ୟ ଖର୍ଚ୍ଚ ଲାଗି ତାକୁ ଏକ ସପ୍ଲିମେଣ୍ଟାରୀ ବଜେଟ କରିବାକୁହିଁ ପଡ଼ିବ । ନୀଳକଣ୍ଠ ମନା କରିଦେବ ବୋଲି ସ୍ଥିର କରିଥିଲା, କିନ୍ତୁ ହୋଟେଲ ମାଲିକ ଚାଲାଖ୍‍ ଲୋକ କେବଳ ହୋଇପାରନ୍ତି, ନୀଳକଣ୍ଠ ସେଇ କଥା ବୁଝି ବାଧ୍ୟହୋଇ ମାଛ ପ୍ଲେଟଟି ଗର୍ଭସାତ୍‍ କଲା ।

 

ଖାଇବା ଅବସରରେ ହୋଟେଲ ମାଲିକ ପଚାରି ଦେଇଥିଲା–ମାଛଟା ଭଲ ପଡ଼ିନି ଆଜ୍ଞା ?

 

ମୁଣ୍ଡ ଦୋହଲାଇ ସମ୍ମତି କରିଥିଲା ନୀଳକଣ୍ଠ !

 

ଆତ୍ମତୃପ୍ତିରେ ମୁର୍ହୁମୁର୍ହୁଃ ହସି ହୋଟେଲ ମାଲିକ କହି ପକାଇଲେ–ଖରାପ ଜିନିଷ ଆଣିବନି–ପଇସା ପଡ଼ୁ–ଭଲ ଜିନିଷ ଲୋଡ଼ା–ନା କ’ଣ କହୁଛନ୍ତି ଆଜ୍ଞା !

 

ସେ ବିଷୟରେ ବେଶୀ ଚିନ୍ତା ନକରି ନୀଳକଣ୍ଠ ହାତ ଧୋଇ ପକାଇଥିଲା–ହୋଟେଲ ମାଲିକ ଲମ୍ବା ବାକି ଖାତାଟା ବଢ଼ାଇ ଦେଉ ଦେଉ କହିଲେ–ଏ ମାସରେ ତ ଆପଣଙ୍କର କିଛି extra ପଡ଼ିନି ।

 

ନୀଳକଣ୍ଠ ହସିଥିଲା–ଏଇତ ଆଜି ।

 

ତା’ପରେ ଖାତା ଉପରେ ଲେଖିଦେଇ ନୀଳକଣ୍ଠ ଫେରି ପଡ଼ିଲା...

 

ବସା ଭିତରେ ପଶୁ ପଶୁ ନୀଳକଣ୍ଠର ସେଇ ଭାବନାଟା ହଠାତ୍ ବଢ଼ିଗଲା । ମନଟା ତା’ର କାହିଁକି ଦୁର୍ବଳ ଲାଗୁଛି । କ’ଣ ହୋଇପାରେ ?

 

ଏଇ ବିଷାକ୍ତ ମନକୁ ଟିକେ ଉଶ୍ୱାସ କରିବାକୁ ବାଧ୍ୟହୋଇ ନୀଳକଣ୍ଠ ଶୋଇଲା–ଏଇ ଗୋଟିଏ ଦିନ ସପ୍ତାହରେ ମିଳେ ତାକୁ ବିଶ୍ରାମ କରିବାକୁ...କାରଣ କଲେଜ ନାହିଁ...ଟିଉସନ ବି ନାହିଁ କ’ଣ କରିବ ସେ ଏତେ ଗୁଡ଼ାଏ ଘଣ୍ଟା ?

 

ନୀଳକଣ୍ଠ ଶୋଇ ପଡ଼ିଥିଲା । ହୁଏତ ଦୀର୍ଘ ସମୟଟା କଟିଯିବ । ତା’ପରେ ସେ ହୁଏତ ଟିକେ ନଈ ଆଡ଼େ ବୁଲିଯିବ–କେତେଦିନୁ ସେ ଯାଇ ପାରିନି । ଟିକେ ବୁଲି ନଆସିଲେ ମନଟା ପରିବର୍ତ୍ତନ ହେବ ନାହିଁ ।

 

ନୀଳକଣ୍ଠ ତଥାପି ଶୋଇ ରହି ଚିନ୍ତା କରୁଥିଲା । ହୁଏତ ଆହୁରି ଅନେକ ସମୟ ପର୍ଯ୍ୟନ୍ତ ସେ ଏଇ ଅପ୍ରୀତିକର ପରିବେଶରେ କଟାଇ ଥାଆନ୍ତା । କିନ୍ତୁ ତା’ ହେଲା ନାହିଁ...

 

ନୀଳକଣ୍ଠ କାନ ପାରିଲା–ବାହାର କବାଟରେ କାହାର କରାଘାତ–କିଏ ହୋଇପାରେ-?

 

ନୀଳକଣ୍ଠ ଉଠି ପଡ଼ିଲା–କିଏ ?

 

ଦରଜା ଆରପଟ ଏକ ପରିଚିତ କଣ୍ଠରୁ ଉତ୍ତର ଆସିଲା–ମୁଁ ମୁଁ ସୁଧାକର ।

 

ସୁଧାକର ! ଆରେ...

 

ଚଞ୍ଚଳ ହସ୍ତରେ ଦରଜା ଖୋଲି ଦେଲା ନୀଳକଣ୍ଠ ।

 

ଗୃହ ଭିତରକୁ ପଶୁ ପଶୁ ସୁଧାକର ଚିତ୍କାର କରି ଉଠିଲା–ଆରେ ଆପଣ ଶୋଇଥିଲେ କି ?

 

ନଶୋଇ ଆଉ କ’ଣ ଯେ କରିଥାଆନ୍ତି କର ବାବୁ ! ଏଇ ଛୁଟି ଦିନମାନଙ୍କରେ ଏଇ ବେଳେ ଶୋଇବା ମୋର ଗୋଟାଏ ଅଭ୍ୟାସ ଅଛି । ତା’ଛଡ଼ା କାମ କଅଣ ଅଛି ?

 

ସୁଧାକର ହସିଲା–ଦିନରେ ଶୋଇବା ଯେ ଉଚିତ ନୁହଁ–

 

କିନ୍ତୁ ସେ କଥା କ’ଣ ମତେ ଅଜଣା ଅଛି କର ବାବୁ ! ତେବେ ଏ କଥାଟା ନୀତି ଦୃଷ୍ଟିରୁ ଗ୍ରହଣ ଯୋଗ୍ୟ ହୋଇପାରେ । କିନ୍ତୁ ବାସ୍ତବରେ ଏକୁ କ’ଣ କିଏ ପାଳନ କରେ !

 

ସୁଧାକର ହସିଲା–ଆପଣଙ୍କର ଏଇ Contradictory (କନଟ୍ରାଡିକ୍ଟୋରୀ) କଥା ଗୁଡ଼ା–

 

ପ୍ରତିବାଦ କଲା ନୀଳକଣ୍ଠ–ଏତ ମୋର ବ୍ୟକ୍ତିଗତ କଥା ନୁହେଁ । ବାସ୍ତବ ଦିଗରୁ ଦେଖିବାକୁ ଗଲେ ସତ, କିନ୍ତୁ ନୀତି ଦୃଷ୍ଟିରୁ ଏହା ଗ୍ରହଣ ଯୋଗ୍ୟ ନୁହେଁ ।

 

ସୁଧାକର କିଛିକ୍ଷଣ ନିରବ ରହିଲା–

 

କଥାର ଗତିକୁ ବଦଳାଇ ନୀଳକଣ୍ଠ କହିଲା–ହଁ ଏ ଦ୍ୱିପ୍ରହର ଟାରେ କେମିତି ଆସିଲେମ-! କ’ଣ କୁଆଡ଼େ ଯାଇଥିଲେ ?

 

ସୁଧାକର କହିଲା–କେବଳ ଆପଣଙ୍କ ପାଖକୁହିଁ ଆସିଛି । କାଲି collegeରେ ଆପଣଙ୍କୁ ପାଇ ନଥିଲି । ତା’ଛଡ଼ା ମୁଁ ଟିକିଏ ବି ବ୍ୟସ୍ତ ଥିଲି–ଯା’ହଉ ଆଜି ଆପଣ ମୋ ସହିତ ଯିବାକୁ ପଡ଼ିବ । ଶୁଣିଥିବେତ Town hallରେ ସଭା ହେବା କଥା ।

 

Town Hallରେ ସଭା । କାଇଁ ନାଇଁତ...କା’ଠାରୁ ଶୁଣିଥିଲା ଭଳି ମୋର ତ ମନେ ହେଉନି ।

 

ସୁଧାକର ବଶମ୍ବଦ କଣ୍ଠରେ କହିଲା–ମୁଁ ତ ବି କହିବାକୁ ଭୁଲି ଯାଇଛି କ୍ଷମା ଦେବେ–ତେବେ ପ୍ରସ୍ତୁତ ହୁଅନ୍ତୁ–ଯିବା–

 

ନୀଳକଣ୍ଠ କହିଲା–ନିଶ୍ଚୟ ନିଶ୍ଚୟ–ଅନ୍ତତଃ ଦୁଇ ଚାରି ପଦ କହିବାକୁ ଚେଷ୍ଟା କରିବା–ନା, କ’ଣ କହୁଛନ୍ତି ?

 

ଆଉ କହିବି କ’ଣ । ଆପଣଙ୍କୁତ କହିବାକୁ ପଡ଼ିବ ।

 

ନୀଳକଣ୍ଠ ଏକରକମ ନାଚି ଉଠିଲା–ଜୀବନରେ ଏଭଳି ସୁଯୋଗ ଖୁବ୍‍ କ୍ଵଚିତ ଆସେ କରବାବୁ ! ଅନ୍ତତଃ ଆମ କଥା ଯଦି ଆମେ ନକହିବା ତା’ହେଲେ ଆମ ଲାଗି ଆଉ କିଏ କହିବ ?

 

ନୀଳକଣ୍ଠ ଯଥାଶୀଘ୍ର ପ୍ରସ୍ତୁତ ହୋଇଗଲା । ସୁଧାକର କହିଲେ–ଯିବା ?

 

–ଚାଲ...

 

ଦୁଇ ବନ୍ଧୁ ଦରଜା ଦେଇ ଆଗେଇଲେ...

 

ଟାଉନ ହଲରେ ସଭା !

 

ପ୍ରଚାର ଚାଲିଛି ଛାତ୍ରମାନଙ୍କ ତରଫରୁ ସଭା ହେଉଛି । ଛାତ୍ରମାନଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ହେବ । ବହୁଦିନରୁ ପ୍ରତ୍ୟେକ କଲେଜର ପ୍ରତିନିଧିମାନେ ଏଥିଲାଗି ବ୍ୟସ୍ତ । ଓଡ଼ିଶାର ଏ ଯେଉଁ ଛାତ୍ରସଂଘ ଗଢ଼ା ଯିବ–ଏ ସଂଘର ମୂଳ ଲକ୍ଷ୍ୟ ହେବ ରାଜନୀତିର ଊର୍ଦ୍ଧ୍ଵରେ ରହି ଦେଶ ଓ ଜାତିର ଐକ୍ୟ ସଂସ୍କୃତି ଗଠନର ପୁନରାବୃତ୍ତି କରିବା–ଏହି ମର୍ମରେ ପ୍ରଚାର ଚାଲିଛି, ନୀଳକଣ୍ଠ ବିସ୍ମିତ ହେଲା ଏତେଦୂର ଏମାନେ ଆଗେଇ ଯାଇଛନ୍ତି ?

 

ଓଡ଼ିଶାର ପ୍ରତ୍ୟେକ ଶିକ୍ଷାୟତନର ଛାତ୍ର ଛାତ୍ରୀ-ମାନେ ବହୁ ସଂଖ୍ୟାରେ ଯୋଗ ଦେଇଛନ୍ତି–ଛାତ୍ର ଛାତ୍ରୀମାନେ ଦେଶ ଲାଗି ସଚେତନ ହେଲେଣି ତା’ହେଲେ ! ନୀଳକଣ୍ଠର କି ଅସୀମ ଆନନ୍ଦ । ଇଚ୍ଛା ହେଉଛି ତା’ର ଏଇ ଛାତ୍ରମେଧଯଜ୍ଞରେ ସେ ନିଜକୁ ଆହୁତି ଦେବ–ଡେଇଁପଡ଼ିବ କି ?

 

ସଭା କାର୍ଯ୍ୟ ଏଥର ଆରମ୍ଭ ହେବ ସଭାପତି ଆସନରେ ଅଭିଶିକ୍ତ ହେବେ ଏ ସହରର ପ୍ରଖ୍ୟାତ କଲେଜର ସଭାପତି ବିବେକାନନ୍ଦ କର–ଏ ସଭାରେ ସ୍ଥିର ହେବ ଏ ସଂଘର କର୍ତ୍ତବ୍ୟ ବଛାଯିବ କର୍ମକର୍ତ୍ତା । ଆଜିଠାରୁ ହିଁ ସେମାନେ ନିଜ ଦାୟିତ୍ଵ ବହନ କରିବେ–

 

ସଭାକାର୍ଯ୍ୟ ଏଥର ଆରମ୍ଭ ହେବ । ଜଣେ କିଏ ନିରବରେ ବସିବାକୁ ସମସ୍ତଙ୍କୁ ନିର୍ଦ୍ଦେଶ ଦେଲେ । ତା’ପରେ ସଭାପତି ଆସନ ଅଳଙ୍କୃତ କରିବାକୁ ସେଇହିଁ ଅନୁରୋଧ କଲେ ବିବେକାନନ୍ଦ ବାବୁଙ୍କୁ । ଆଉ ଜଣେ କିଏ ସେ ପଟୁ ଏ ପ୍ରସ୍ତାବକୁ ସମର୍ଥନ କଲେ–ବିବେକାନନ୍ଦ ସେମାନଙ୍କ ଅନୁରୋଧ କ୍ରମେ ସଭାପତି ଆସନ ଅଧିକାର କଲେ ।

 

ତା’ପରେ ବକ୍ତାମାନଙ୍କ ପାଳି । କିନ୍ତୁ କିଏ ଭାଷଣ ଦେବେ ?

 

ସୁଧାକର ନୀଳକଣ୍ଠ କାନ ପାଖରେ ଚୁପି ଚୁପି କହିଲେ କହିବଟି ?

 

ନୀଳକଣ୍ଠ ସମ୍ମତି କଲେ–କିନ୍ତୁ କିମିତି କହିବି ?

 

ସୁଧାକର କହିଲା ବ୍ୟସ୍ତ ହୁଅନ୍ତୁ ନି । ମୁଁ ବ୍ୟବସ୍ଥା କରିଦେଉଛି–ତା’ପରେ ଉଠିଗଲା ସୁଧାକର...

 

ସଭା ମଞ୍ଚ ଉପରକୁ ଉଠିଲେ ଜଣେ ତରୁଣୀ–

 

ସଭାପତି ତାଙ୍କର ପରିଚୟ ଦେଲେ–ସେ ହେଉଛନ୍ତି ୬ଷ୍ଠ ବାର୍ଷିକ କଳା ଶ୍ରେଣୀର ଛାତ୍ରୀ ମେନକା ଚୌଧୁରୀ...ଏ ବର୍ଷ ଆନ୍ତଃ-କଲେଜ ବକ୍ତୃତା ପ୍ରତି-ଯୋଗୀତାର ପ୍ରଥମ କୃତୀ ଛାତ୍ରୀ ଏବଂ ତାଙ୍କ କଲେଜର ସମ୍ପାଦିକା ।

 

ସେ ଏଥର ଭାଷଣ ଦେବାକୁ ଆରମ୍ଭ କଲେ । ତାଙ୍କର ନୀଳ ଉଜ୍ଜ୍ୱଳ ଡୋଳାକୁ ଖେଳାଇ ଖେଳାଇ ଛାତ୍ରମାନଙ୍କର ନୈତିକାତା ଯେ, ହ୍ରାସ ଦିନକୁ ଦିନ ଘଟୁଛି । ଏ ଉପରେ ଭାଷଣ ଦେଲେ । ତା’ଛଡ଼ା ଛାତ୍ରମାନେ ଏକତ୍ରିତ ହୋଇ ଦେଶର ଜାତିର ମଙ୍ଗଳ କାମନା କରିବା ଉଚିତ ବୋଲି ମତପୋଷଣ କଲେ ।

 

ତା’ପରେ ସଭା ମଞ୍ଚ ଉପରୁ କୁମାରୀ ମେନକାଙ୍କର ପ୍ରସ୍ଥାନ ପରେ ପରେ ଉଠିଲେ ବଙ୍କିମ ଘୋଷ । ବିଜାତୀୟ ହେଲେ ମଧ୍ୟ ଓଡ଼ିଶାର ପାଣି ପବନରେ ବଢ଼ି ଓଡ଼ିଆ ଜାତିର ଉପକରଣ କରିବାକୁ ସେ ଏକାନ୍ତ ପରିଶ୍ରମୀ । ତେଣୁ ତାଙ୍କର କାର୍ଯ୍ୟର ପୁରସ୍କାର ସେ ଏ ବର୍ଷ ପାଇଛନ୍ତି, ନିଜ କଲେଜର ଉପ-ସଭାପତି ପଦ ପାଇ ସେ ଭାଷଣ ଦେଲେ–

 

ସେ ଭାଷଣ ଦେଲେ....ଗରମ ଗରମ ଭାଷଣ ।

 

ଆଉ ତା’ପରେ ! ତା’ପରେ !

 

ନୀଳକଣ୍ଠର ପାଳି ପଡ଼ି ଗଲାକି ?

 

ହଁ, ସଭାପତି ହିଁ ସେଇ କଥା କହିଲେ–ନୀଳକଣ୍ଠ ସଭାମଞ୍ଚକୁ ଗଲା ଏଥି ପୂର୍ବରୁ ସେ କେବେ ଭାଷଣ ଦେଇ ତା’ର ଓଜନ ବୁଝି ନାହାନ୍ତି । ତଥାପି ସାହସ ଧରି ସେ ମଞ୍ଚ ଉପରେ ଠିଆ ହେଲେ–ସଭାପତି ସୁଧାକର ଠାରୁ ତା’ର ପରିଚୟ ପାଇ ସମସ୍ତଙ୍କୁ ଜଣାଇ ଦେଲେ । ଏ ହେଉଛନ୍ତି ତରୁଣ କଥାଶିଳ୍ପୀ ନୀଳକଣ୍ଠ ଛୋଟରାୟ ।

 

ନୀଳକଣ୍ଠ ଛୋଟରାୟ ! ଯା’ର ଗଳ୍ପ ଆଉ ଓଡ଼ିଆ ସାହିତ୍ୟରେ ଏକ ଚମକ ସୃଷ୍ଟି କରିଛି–ଇଏ ସେଇ ?

 

ଅନେକ ବିସ୍ମୟ-ଚକିତ, ଅବିଶ୍ଵାସ ବିଶ୍ୱାସ ପରେ କଥାଟା ସାବ୍ୟସ୍ତ ହେଲା–ନୀଳକଣ୍ଠ ଆରମ୍ଭ କଲା–ଛାତ୍ରମାନଙ୍କର ଦାୟିତ୍ୱ କ’ଣ ?

 

ଗମ୍ଭୀର ଭାବ, ଉଦାର ଭାଷା, କହିବାର ଶୈଳୀ ନେଇ ନୀଳକଣ୍ଠର ଭାଷଣ ସାରା ଗୃହରେ ଏକ କମ୍ପନ ଜଗାଉଛି । ସମସ୍ତେ ଉଚ୍ଛ୍ୱସିତ ହୋଇ ଶୁଣିବାରେ ବ୍ୟସ୍ତ । ହଠାତ୍ ନୀଳକଣ୍ଠ ଭାଷଣ ବନ୍ଦ କଲା ।

 

ନୀଳକଣ୍ଠ ପରେ ଆଉ ଦୁଇ ଚାରି ଜଣ ଉଠି କହିଲେ । ପରି ଶେଷରେ ସଙ୍ଗଠନର କର୍ମକର୍ତ୍ତା ନିର୍ବାଚନ କରିବାକୁ ପ୍ରଶ୍ନ ଉଠିଲା ସର୍ବସମ୍ମତି କ୍ରମେ ଉପସ୍ଥିତ ସଭାପତି–ସ୍ଥାୟୀ ସଭାପତି ହୋଇ ରହିଲେ । କୁମାରୀ ମେନକା ହେଲେ ଉପ ସଭାପତି–ଆଉ ନୀଳକଣ୍ଠ !

 

ସମସ୍ଵରରେ ନୀଳକଣ୍ଠର ପ୍ରଶଂସା କଲେ–ସମ୍ପାଦକର ଦାୟିତ୍ୱକୁ ନତଶିରେ ଗ୍ରହଣ କରିନେଲା ନୀଳକଣ୍ଠ ।

 

ସଭାଭଙ୍ଗ ହେଲା ପରେ ନିର୍ବାଚିତ ବନ୍ଧୁମାନଙ୍କ ସହ କିଛି ସମୟ ଆଲୋଚନା କରିବା ପରେ ନୀଳକଣ୍ଠ ଫେରି ଆସିଲା ।

 

ସୁଧାକର ନୀଳକଣ୍ଠକୁ ବସାରେ ଛାଡ଼ି ଶୁଭରାତ୍ରି ଜଣାଇଲା । ନୀଳକଣ୍ଠ ଆତ୍ମତୃପ୍ତିରେ ଆକଣ୍ଠ ଉଲ୍ଲସିତ ହୋଇ ପଡ଼ୁଥିଲା ଏ ବିଜୟକୁ ତାକୁ ତା’ର ସାଙ୍ଗମାନଙ୍କୁ ଜଣାଇବ । ଜଣାଇବ ନିଶ୍ଚୟ ଶ୍ଵେତପଦ୍ମାକୁ...

 

ରାତି ପାହି ସକାଳ ହେଲା । ଆକାଶର ତରାଫୁଲଗୁଡ଼ିକ ମଉଳି ଝଡ଼ି ପଡ଼ିଲେ । କିନ୍ତୁ ବନ ଉପବନେ ଅସଂଖ୍ୟ ଟଗର-ତରା ଫୁଟି ଉଠିଲେ । ଫୁଟି ଉଠିଲା ଆନନ୍ଦର କମଳ-କୋରକଟି ନୀଳକଣ୍ଠର ଅନ୍ତର-ସରୋବରରେ କି !

 

ସକାଳର ଶାନ୍ତ ଶୀତଳ ପବନ ତା’ ତନୁ ମନକୁ ପୁଲକ ରୋମାଞ୍ଚିତ କରି କହିଗଲା–ସକାଳ ହେଲା । ଆନନ୍ଦର ସକାଳ । ବସା ଚାଳ ଉପରେ ଡାମେରା କାଉଟା ବସି ସେଇ କଥାକୁ ସମର୍ଥନ କଲା । ସକାଳ ହେଲା–ଉଠ–ଉଠ–

 

ନୀଳକଣ୍ଠ ଆଉ ଶୋଇବ ନାହିଁ । ସେ ଉଠି ପଡ଼ିଲା । ମାଟି କଳସୀରୁ ଚଳେ ଥଣ୍ଡା ପାଣି ଘେନି ଆସି ମୁହଁଟାକୁ ପରିସ୍କାର ଭାବେ ଧୋଇ ନେଲା । ତା’ପରେ କିଛିକ୍ଷଣ ଉଦୟଭାନୁଙ୍କୁ ଚାହିଁ ପ୍ରଣତି କଲା । ପ୍ରଣତୋସ୍ମି–ଦିବାକର–

 

ଦିବାକର ହସୁଛନ୍ତି ଟହ ଟହ ହୋଇ ନାଲି ଟୁକୁ ଟୁକୁ ଦରୋଟି ଓଠରେ ସେ ହସ–

 

ନୀଳକଣ୍ଠ ବସାଟାକୁ ଥରେ ପରିଷ୍କାର କରି ଆଣିଲା । ଅନେକ ଦିନ ହେଲା ହେଳାରୁ ସେ ଏକୁ ପରିଷ୍କାର କରିପାରିନି । ଆଜି ସେ ସବୁ ପରିଷ୍କାର କରିଦେବ–ସବୁ ଜିନିଷପତ୍ର ଉତ୍ତମ ରୂପେ ସଜାଇ ରଖିବ–ଅନ୍ତତଃ ଜଣେ ବୁଦ୍ଧିଜୀବୀ ଥିଲା ପରିତ ଘରଟାର ସାଜସଜା ହେବା ଆବଶ୍ୟକ ।

 

ଘରକୁ ପରିଷ୍କାର କରିବା ଅବସରରେ ଚୁନଲିପା ଘର ପ୍ରତି ଦୟନୀୟ ଚାହାଣିରେ ଥରେ ଚାହିଁଲା ନୀଳକଣ୍ଠ–ଅନେକ ଦିନ ତଳେ ଗୃହସ୍ଥ ଏଥିରେ ପଲସ୍ତରା କରି ଚୁନ ଲିପିଥିଲେ–ତା’ପରେ ଏଥି ଭିତରେ ତା’ ଭଳି ଅନେକ କଲେଜ ଷ୍ଟୁଡ଼େଣ୍ଟ ରହି ଗଲେଣି...ଅଥଚ ଘରଟାର ପରିବର୍ତ୍ତନ କିଛି ହୋଇନି...କିନ୍ତୁ ପରିବର୍ତ୍ତନ କରିବାକୁ ଚାହିଁଲେ କେତେ ମିନିଟ୍‍ ବା ଲାଗିବ । ନୀଳକଣ୍ଠ ଗୃହଟାକୁ ସମ୍ପୂର୍ଣ୍ଣ ରୂପେ ପରିଷ୍କାର କରି ଦେଲା । ନିଜ ବହିଗୁଡ଼ିକୁ ସଯତ୍ନରେ ସଜାଡ଼ି ଦେଇ ନିଜ ବିଛଣାକୁ ମଧ୍ୟ ଉତ୍ତମ ରୂପେ ସଜାଇ ଦେଲା । ତା’ପରେ ଏକ ସ୍ୱସ୍ତିର ନିଃଶ୍ୱାସ ନେଇ ସେ ପଢ଼ିବାକୁ ଚେଷ୍ଟା କଲା...

 

କିନ୍ତୁ କ’ଣ ପଢ଼ିବ ? ବରଂ ଅନେକ କାମ ତା’ର ବାକି ପଡ଼ିଛି–ଗତକାଲିର ସେ ସଭାରେ ସମ୍ପାଦକତ୍ଵ ବହନ କରିବା ପରେ ପରେ ଗୁଡ଼ାଏ ଦୁଃଶ୍ଚିନ୍ତା ବହନ କରି ଆଣିଛି । କାଲି ଆସିଲାବେଳେ ସଭାପତି କହିଥିଲେ college squareରେ ଭେଟିବା ଲାଗି । ଠିକ୍‍ ନଅଟାରେ । କିଛି ପ୍ରାରମ୍ଭିକ କାର୍ଯ୍ୟ କରିବାର ଅଛି ।

 

କଥାଟା ମନେ ପଡ଼ିବାରୁ ନୀଳକଣ୍ଠର ପଢ଼ିବାକୁ ଆଉ ଆଗ୍ରହ ହେଲା ନାହିଁ । ବରଂ ଯଥାଶୀଘ୍ର ସ୍ନାନାଦି ତର୍ପଣାଦି କାର୍ଯ୍ୟ ସମାପନ କରି ପକାଇଲେ ସବୁଠୁଁ ଭଲ ହେବ । ସେଇ କଥା ସ୍ଥିର କରି ନୀଳକଣ୍ଠ ସ୍ନାନାଦି କାର୍ଯ୍ୟ ଶେଷ କରିବାକୁ ଚାଲିଗଲା ।

 

ସେତେବେଳକୁ ଆଠଟା ପଇଁତିରିଶ । ନୀଳକଣ୍ଠ ଆଉ ଖାଇବ କ’ଣ । ବାସିପାଣିରୁ ପେଟେ ଭରି ନୀଳକଣ୍ଠ ପୋଷାକ ପରିବର୍ତ୍ତନ କଲା । ମୁଣ୍ଡଟିକୁ ଚିକ୍‍ଣରୂପେ ସାଉଁଳେଇ ଆଣି ନୀଳକଣ୍ଠ ଯଥାଶୀଘ୍ର ବାହାରି ପଡ଼ିଲା–ହୁଏତ ସଭାପତି ମହାଶୟ ଆସି ଯିବେଣି । ନିଶ୍ଚୟ କିଛି ଗୁରୁତ୍ଵପୂର୍ଣ୍ଣକାର୍ଯ୍ୟ ଅଛି । ବିବ୍ରତଭାବେ ନୀଳକଣ୍ଠ ଆଗେଇଲା ।

 

–ହାଲୋ ମାଷ୍ଟର ଛୋଟରାୟ ! ହାଓ ଆର ଇଉ !

 

ନୀଳକଣ୍ଠ ହାଣ୍ଡସେକ୍ କରବା ଅବସରରେ କହିଲା–କ’ଣ ଆପଣଙ୍କର ସବୁ ଭଲ ?

 

College squareର ଏକ ରେଷ୍ଟୁରେଣ୍ଟ ଆଡ଼କୁ ଟାଣି ନେଉ ନେଉ ବିବେକାନନ୍ଦ କହିଲେ–ଆଉ ଭଲ ମନ୍ଦ ପଚାରନ୍ତୁନି ଆଜ୍ଞା ! ନେତା ହେବାକୁ ହେଲେ ଭଲଟାକୁ ସବୁବେଳେ ମାଇନସ କରି ଦେବାକୁ ପଡ଼ିବ । ନିଜ ସୁଖକୁ ବଳି ଦେବାକୁ ପଡ଼ିବ । ତା’ ନହେଲେ ନେତା ଜୋତା ଖାଇଯିବାର ଯଥେଷ୍ଟ ସମ୍ଭାବନା ରହିଛି ।

 

ନୀଳକଣ୍ଠ ହସିଲା । କହିଲା–ଆପଣ ଠିକ୍ କହିଛନ୍ତି, ବାସ୍ତବିକ କାମ ନ କଲେତ ନେତାକୁ ଜୋତା ସହିତ ଅନେକଥର ହ୍ୟାଣ୍ଡସେକ୍‍ ପିଠିସେକ୍‍ କରିବାକୁ ପଡ଼ିବ ।

 

ହସଟାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଥରାଇ ଥରାଇ ବିବେକାନନ୍ଦ କହିଲେ–ଚା’ ହୁଏ ?

 

–ଚା’ ନା, ନା, ଚା’ ମୋଦେହି ହେବନି । ସେ ବଦଭ୍ୟାସ ମୋର ନାହିଁ ଆଜ୍ଞା !

 

–ବଦଭ୍ୟାସ ! ହିଃ-ହିଃ-ହିଃ–ଏଟା ବଦଭ୍ୟାସ ବୋଲି ଆପଣଙ୍କୁ ଏକଥା କିଏ କହିଲା ? ଚା’ଟା ହେଉଛି ଆଧୁନିକ ଯୁଗର ମାପକାଠି । ଇଂରେଜମାନେ ଏ ଚା’ ପ୍ରଚୁର ପିଅନ୍ତି–ଏ ବୋଲି ସେମାନଙ୍କର ଏ ବଦଭ୍ୟାସ ।

 

ନୀଳକଣ୍ଠ କହିଲା–ତାଙ୍କର ଶୀତପ୍ରଧାନଦେଶ । ସେମାନେ ନପିଇଲେ ନଚଳେ । କିନ୍ତୁ ସେଇ ହିସାବରେ ଆମେ ପିଇବା । ଏହାର କ’ଣ ମାନେ ଅଛି ?

 

ବିବେକାନନ୍ଦ କହିଲେ–ତା’ହେଲେ ରାଜଭୋଗ ।

 

ମନା କଲା ନାହିଁ ନୀଳକଣ୍ଠ ।

 

ରାଜଭୋଗ ଯୋଡ଼େ ପ୍ଲେଟରେ ଚାରିଟା ଦେବାକୁ ନିର୍ଦ୍ଦେଶ ଦେଇ ବିବେକାନନ୍ଦ କହିଲେ–ହଁ, ଆଜି ଆପଣଙ୍କୁ ଗୁଡ଼ାଏ ଲେଟର ଦେଖିବାକୁ ପଡ଼ିବ ନୀଳକଣ୍ଠ ବାବୁ । ବାରିପଦା, ପୁରୀ ବାଲେଶ୍ଵର, ସମ୍ବଲପୁର କଲେଜର ସଭାପତି–ସମ୍ପାଦକଙ୍କ ପାଖକୁ ।

 

କାଲି ସଭାର ସଂକ୍ଷିପ୍ତ ବିବରଣୀସହ ସେମାନଙ୍କୁ ଅନୁରୋଧ କରିବେ ଏ ସଙ୍ଗଠନକୁ ସୁଦୃଢ଼ କରିବାକୁ କିଛି ଅର୍ଥ ଚାନ୍ଦା । ବୁଝିଲେ ଆଜିହିଁ ଏ କାମ କରିଦେବେ । ମୁଁ ଷ୍ଟାମ୍ପ ପ୍ରଭୃତି ତିଆରି କରିବାକୁ ଏବଂ ପେଡ଼ ତିଆରି କରିବାକୁ ଅର୍ଡ଼ର ଦେଇ ଆସିଛି । ହୁଏତ କାଲି ସନ୍ଧ୍ୟାରେହିଁ ତା’ଘେନି ଆସିବି । ହଁ ଆପଣ ଗୋଟେ ଘର ଠିକ୍‍ କରନ୍ତୁ । କାରଣ ବିଜ୍ଞାପନ ଯୁଗନା ! ଗୋଟେ office କରି ବସିଲେ ହୁଏତ...

 

–ନିଶ୍ଚୟ, ନିଶ୍ଚୟ ଗୋଟେ ଘର ନେଇ ଅଫିସ ଷ୍ଟାର୍ଟ କରିବା ସର୍ବାଦୌ ଉଚିତ । ଅନ୍ତତଃ ଆମ ଭିତରେ ତ ଆଲୋଚନା ହୋଇ ପାରିବ ?

 

ବିବେକାନନ୍ଦ ସମ୍ମତି କଲେ, ରାଜଭୋଗ ଦୁଇ ପ୍ଲେଟ ଥୋଇଦେଲା ରେଷ୍ଟୁରାଣ୍ଟର କର୍ମଚାରୀ । ଗୋଟିଏ ପ୍ଲେଟ ନୀଳକଣ୍ଠ ପାଖକୁ ବଢ଼ାଇ ଅନ୍ୟଟି ନିଜହାତରେ ଧରିଲେ ବିବେକାନନ୍ଦ । ଗୋଟିଏ ରାଜଭୋଗ ଜିଭ ଉପରେ ଥୋଇଦେଇ କହିଲେ–ଆରେ ବସିଲ ଯେ ?

 

ନୀଳକଣ୍ଠ ପ୍ଲେଟ ଟେକିଲା–ଭୀଷଣ କ୍ଷୁଧା ହେଉ ଥିବାର ସେ ହଠାତ୍‍ ଜାଣି ପାରିଲା । ରାଜଭୋଗଟିକୁ ଯଥାଶୀଘ୍ର ଉଦରସ୍ଥ କରି ପାଣି ଲାଗି ନିର୍ଦ୍ଦେଶ ଦେଲା । ଚାକର ପାଣି ଦେଇଗଲା–ନୀଳକଣ୍ଠ ପାଣିପାତ୍ରକୁ ନିଃଶେଷ କରି ବିବେକାନନ୍ଦ ଆଡ଼କୁ ଥରେ ଚାହିଁଲା । ବିବେକାନନ୍ଦ ପାଣି ପିଇବାରେ ବ୍ୟସ୍ତ ଅଛି । ନୀଳକଣ୍ଠ ଆଶ୍ଚର୍ଯ୍ୟ ହେଲା–ବିବେକାନନ୍ଦ ବି କ’ଣ ଭୋକିଲା ?

 

ନିଜ ଭାବନାକୁ ପ୍ରକାଶ ନକରି ନୀଳକଣ୍ଠ କହିଲା କେତେବେଳୁ ଆସିଲେଣି ଆପଣ ?

 

ମୁଁ ! ମୁଁ ତ ସାତଟାରୁ ବାହାରିଛି । କାଲି ସଭାର ବିବରଣୀଗୁଡ଼ାକ ଲେଖୁ ଲେଖୁ ରାତି ଅନେକ ହୋଇଗଲା । ତା’ପରେ ସେଗୁଡ଼ିକ ସବୁ ପତ୍ରିକା ସମ୍ପାଦକଙ୍କ ପାଖରେ ପହଞ୍ଚାଇ ଫେରିଲି-। ଯା’ହଉ ଗୋଟେ କାମ ନିଷ୍ପତ୍ତି ହୋଇଗଲା । ଏଣିକି ଏସବୁ ଆପଣଙ୍କ ଦାୟିତ୍ୱ । ଆପଣ ଏଣିକି ଏ ସଂଗଠନକୁ ଚଳାଇବେ ।

 

ନୀଳକଣ୍ଠ ମନ୍ଦ ମନ୍ଦ ହସି କହିଲା–ଆପଣଙ୍କ ସହଯୋଗ ଯେ ଏକାନ୍ତ ଆବଶ୍ୟକ ! ମୁଁ ତ ନୂଆ ଲୋକ । ଆପଣମାନଙ୍କ ଅନୁରୋଧକୁ ଏଡ଼ାଇ ନପାରି ଆପଣମାନଙ୍କ ସାହସରେ ସାହସ ବାନ୍ଧିଛି । ଆଉ ଆପଣମାନେ ଯଦି...

 

–ନା-ନା, ଆପଣ ବ୍ୟସ୍ତ ହେବାର କିଛି କାରଣ ନାହିଁ । ମୋର ସାଧ୍ୟାତୀତ ପରିଶ୍ରମ କରି ମୁଁ ସାହାଯ୍ୟ କରିବି । ଅନ୍ତତଃ ସଙ୍ଗଠନକୁ ମଜଭୁତ ନକରିବା ପର୍ଯ୍ୟନ୍ତ ଅବସର କାହିଁ ?

 

ନୀଳକଣ୍ଠର ଆଉ କିଛି କହିବାକୁ ନଥିଲା । ବିବେକାନନ୍ଦ ଯେ ନିଶ୍ଚୟ ସାହାଯ୍ୟ କରିବ ଏଥିରେ ସନ୍ଦେହ କରିବାର ଆଉ କ’ଣ ଅଛି । ସେ ଚେୟାର ଛାଡ଼ି ଉଠିଲା–ଆସନ୍ତୁ ଯିବା !

 

ଯିବା ! ହାତ ଘଣ୍ଟାକୁ ଲକ୍ଷ୍ୟକରି ବିବେକାନନ୍ଦ ଅସ୍ଥିର ହୋଇ ଉଠିଲେ–ଆରେ It is already ten. O’ my God ଆପଣଙ୍କର କ୍ଲାସ ଥିବତ ?

 

ନୀଳକଣ୍ଠ ସମ୍ମତି କଲା–ଫାଷ୍ଟ ପିରିଅଡ଼ଟା...

 

–ସତେ ! ଅଚ୍ଛା ଆପଣ ଆସନ୍ତୁ । ନମସ୍କାର !

 

–ନମସ୍କାର !

 

ବିବେକାନନ୍ଦକୁ ବିଦାୟ ଦେଇ ନୀଳକଣ୍ଠ କଲେଜ ରାସ୍ତା ଧରିଲା । କ୍ଷୁଧା ଯନ୍ତ୍ରଣା ଅବଶ୍ୟ ତାକୁ ବିବ୍ରତ କରୁଛି–ତଥାପି କ୍ଲାସକୁ ତାକୁ ଯିବାକୁ ପଡ଼ିବ । କାରଣ ଇଂରାଜୀରେ ତାକୁ ପରିଶ୍ରମ କରିବାକୁ ଯଥେଷ୍ଟ ପଡ଼ିବ, ନଚେତ୍‍ ଅନର୍ସ କଟିଯିବାର ସମ୍ଭାବନା ବି ରହିଛି ।

 

ପ୍ରଥମ ପିରିଅଡ଼ ଓଭର ହେବାର ଘଣ୍ଟା ବାଜିଲା । ନୀଳକଣ୍ଠ ଚଞ୍ଚଳ ଗତିରେ ଶ୍ରେଣୀ ଗୃହରୁ ବାହାରି ଆସିଲା । ଏଥିଭିତରେ ଆଉ ତା’ର ପିରିୟଡ଼ ନାହିଁ, ଚତୁର୍ଥ ପିରିୟଡ଼ ହେବାକୁ ବହୁତ ସମୟ ବାକି ।

 

ନୀଳକଣ୍ଠ ମନେମନେ ସ୍ଥିର କରିନେଲା–ଆଉ ବସାକୁ ଯିବା ନିଷ୍ପ୍ରୟୋଜନ । ଏଇଠି କେଉଁ ହୋଟେଲ କୋଳ ମଣ୍ଡନ କରି ତା’ ଗର୍ଭକୁ ପୂରଣ କରିବା ସବୁଠାରୁ ଭଲ ହେବ । ଅସଥା ଏତେ ପଥ ଯିବାକୁ କିଛି କାରଣ ନାହିଁ ।

 

ଶ୍ରେଣୀ ଗୃହରୁ ଆସି ରାଜପଥରେ ପାଦ ଦେଲା ନୀଳକଣ୍ଠ ! କ୍ଷୁଧାବହ୍ନି ଅସମ୍ଭବ ରକମର ପ୍ରବଳ ହୋଇ ଉଠିଛି–କେଉଁ ହୋଟେଲକୁ ଯିବ ସେ । ରାଜପଥରେ ଆଗଉଥିବା ଅବସରରେ ନୀଳକଣ୍ଠ ସବୁ ହୋଟେଲର ନାମ ସ୍ମରଣ କରିଗଲା–କିନ୍ତୁ କେଉଁ ଗୋଟାକୁ ଯିବାକୁ ତା’ର ଆଗ୍ରହ ଜାତ ହେଲାନି ବରଂ ସବୁଗୁଡ଼ାକର କଦର୍ଯ୍ୟ ପ୍ରିପେୟାରସନ୍ କଥା ମନେ ପକାଇ ସେ ବିରକ୍ତ ହେଲା । କିନ୍ତୁ ଲାଭ କ’ଣ ? ନୀଳକଣ୍ଠକୁ ତଥାପି ଯେ କୌଣସି ହୋଟେଲକୁ ଯିବାକୁ ପଡ଼ିବ । ଅନ୍ତତଃ ସଉକ ପାଇଁ ନୁହଁ, କ୍ଷୁଧା ଜ୍ୱାଳା ନିବାରଣ କରିବା ପ୍ରଥମ କର୍ତ୍ତବ୍ୟ ।

 

ନୀଳକଣ୍ଠ ଶିମଳା ହୋଟେଲର ଦରଜା ଅତିକ୍ରମ କଲା । ହୋଟେଲରେ ପ୍ରବେଶ କରୁ କରୁ ହୋଟେଲ କର୍ମଚାରୀ ଚାରିଜଣ ଘେରିପଡ଼ିଲେ ତାକୁ । କ’ଣ ଖାଇବେ ଆଜ୍ଞା ! ମାଂସଭାତ, ମାଛଭାତ, ସାଧା ନା, ପଲାଉ ମାଂସ । ମଟନଚପ, କୁରୁମା ।

 

ଟିକିଏ ଧୈର୍ଯ୍ୟ ଧରିବାକୁ ନିର୍ଦ୍ଦେଶ ଦେଇ ନୀଳକଣ୍ଠ ହାତ ମୁହଁ ପରିଷ୍କାର କରି ଧୋଇନେଲା ଏକ ପରିଷ୍କାର ଚେୟାର ଆବୋରି ବସି କହିଲା–ସାଧା ସବୁଠାରୁ ଭଲ ।

 

ସାଧା ଭାତ, ଡାଲି ତରକାରୀ ଭଜା ଆଣି ପହଞ୍ଚିଲା ନୀଳକଣ୍ଠ ଖାଇବାର ଉପକ୍ରମ କଲା । ଚଞ୍ଚଳ ହସ୍ତରେ ଥରେ ଦୁଇଥର ଖାଇନେଲା ତା’ପରେ ଟୋପେ ପାଣି ପିଇ ମୁଣ୍ଡ ଟେକିଲା-। ତାକୁ ଜଣାଗଲା ପଛରୁ ତାକୁ କିଏ ଡାକୁଛି । ଫେରି ଚାହିଁଲା ନୀଳକଣ୍ଠ–ସୁଧାକର ।

 

–ଆରେ ଆପଣ ଯେ...

 

ସୁଧାକର ହସି ହସି କହିଲା–ଆପଣଙ୍କର କ’ଣ କ୍ଲାସ ନାହିଁ ।

ନାହିଁ ବୋଲି ଉଚ୍ଚାରଣ କଲା ନୀଳକଣ୍ଠ ।

ସୁଧାକର ଭାତ ବାଟୁଳିକ ଚୋବାଉ ଚୋବାଉ କହିଲା–ଠିକ୍‍ ଅଛି, ମୋର ବି ନାହିଁ–ଆପଣ ଖାଇ ଦିଅନ୍ତୁ କଥାବାର୍ତ୍ତା ହେବା ।

ନୀଳକଣ୍ଠ ଯଥାଶୀଘ୍ର ଖାଦ୍ୟତକ ଶେଷ କରି ଉଠିଲା ।

ସୁଧାକର ମୁହଁ ଧୋଉ ଧୋଉ କହିଲା–କଲେଜ ଆସିଲାବେଳେ ଆପଣଙ୍କ ବସା ଦେଇ ଆସିଥିଲି–ଆପଣ ହୁଏତ ବହୁତ ଆଗରୁ ଆସି ଗଲେଣି ନା ?

ନୀଳକଣ୍ଠ ସମ୍ମତି କଲା–ବିବେକାନନ୍ଦବାବୁ କହିଥିଲେ...

–କିଏ ବିବେକାନନ୍ଦ ! କ’ଣ କିଛି କାମ ଥିଲା ନା...

–ହଁ, ସେଇକଥା ତ ଆଉ କ’ଣ ?

ହସିଲା ସୁଧାକର–ହଁ ଏଣିକି କେତେ private talk ହେବ...ତେବେ ବିବେକାନନ୍ଦ ସହ ବେଶି ଫ୍ରେଣ୍ଡସିପ୍‍ କରିବନି...କାରଣ ତା’ର ଗୋଟେ ବ୍ୟାଡ୍‍ କ୍ୟାରେକ୍ଟର ଅଛି...

–ସତେ ! ହଁ ତା’ କ୍ୟାରେକ୍ଟର ଉପରେ ଆମର ତ କିଛି କାମ ନାହିଁ । ଆମର ଦରକାର ସଂଗଠନ । ତା’ କ୍ୟାରେକ୍ଟର ବ୍ୟାଡ୍‍ ଥିଲେ ଆପଣ ସେଥିରେ ବ୍ୟଥିତ ଦୁଃଖିତ ହେବାର କାରଣ କ’ଣ ଅଛି ?

 

ନିଜ ଶର ଫେରି ଆସି ନିଜକୁ ଆହତ କଲା–ସୁଧାକର ଲଜ୍ଜିତ ମ୍ରିୟମାଣ ହୋଇ କହିଲା–ନା, ନା, ତା’ର ସେ କ୍ୟାରେକ୍ଟର ଉପରେ ଆପଣଙ୍କର ବା କି କାର୍ଯ୍ୟ ଅଛି ! ତେବେ ବନ୍ଧୁ ହିସାବରେ ଏକଥା କହିବାରେ କ’ଣ କିଛି କ୍ଷତି ଅଛି ?

 

ନୀଳକଣ୍ଠ ହସି ହସି କହିଲା–ଆରେ ଆପଣ ଭୁଲ ବୁଝିଲେ କି ?

 

ସୁଧାକର ହସିଲା–ସେ ହସ ମାଧ୍ୟମରେ ହିଁ ପ୍ରକାଶ କଲା–ନା ନା–

 

ଦୁହେଁ ବାହାରକୁ ଆସିଲେ । ହୋଟେଲ ମାଲିକର ପଇସା ଚୁକ୍ତି କରିଦେଇ ନୀଳକଣ୍ଠ କହିଲା–ଚାଲ Common room ଆଡ଼େ ଯିବା !

 

ସୁଧାକର ସମ୍ମତି ଜଣାଇ ଆଗେଇଲା ।

 

କମନରୁମରେ ପଶି ଦୁହେଁ ଗପର ଆସର ଜମାଇଲେ । ନିଜ ବ୍ୟକ୍ତିଗତ ମତ ପର୍ଯ୍ୟନ୍ତ ଗୁଡ଼ାଏ ଗୁଡ଼ାଏ ଗପ ! ସହସା ସୁଧାକର କହିଲା–ହଁ ଆଜି ଆମ ବସା ଆଡ଼େ ବୁଲିଯିବେ ।

 

କ୍ଷମା ଚାହିଁ ନୀଳକଣ୍ଠ କହିଲା–ଟିଉସନ ଅଛି ଯେ...

 

ଟିଉସନ ! ଚମକି ଉଠୁ ଉଠୁ ପ୍ରଶ୍ନ ପଚାରି ଦେଇ କ୍ଷଣେ ଉତ୍ତର ଅପେକ୍ଷା କଲା ସୁଧାକର ।

 

–ହଁ, ଏଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ? ମୁଁ ଟିଉସନ ଯେ କରୁଛି ! ସୁଧାକର ମୁହଁରେ ଏକ ଅବୁଝା ଭାବ… ହୁଏତ ସେ ଭାବୁଥିଲା ନୀଳକଣ୍ଠର ବିରାଟ ବ୍ୟକ୍ତିତ୍ଵ ଉପରେ ଅନାବନା କେତେ କଥା...

 

ନୀଳକଣ୍ଠ ହସି ହସି କହିଲା–ପାଠ ପଢ଼ିବାକୁ ଟିଉସନ କରୁଛି, ଏଥିରେ ସଂକୋଚ କରିବାର କ’ଣ ଅଛି ? ଆମର ଯଦି ପ୍ରଚୁର ଅର୍ଥ ଥାଆନ୍ତା ତା’ହେଲେ କାହିଁକି ଟିଉସନ କରନ୍ତି ?

 

ସୁଧାକର ଅନ୍ତରରେ କରୁଣ ସଂଗୀତର ଏକ ସକରୁଣ ଝଙ୍କାର, ମନରେ ତା’ର ଗୋଟିଏ ପ୍ରଶ୍ନ–ପ୍ରତିଭାବାନ କ’ଣ ସବୁବେଳେ ଦୁର୍ଦ୍ଦଶା ପ୍ରପୀଡ଼ିତ ! ଅଥଚ ନୀଳକଣ୍ଠ ଉପରେ ତା’ର କି ଧାରଣା ନ ଥିଲା ! ନୀଳକଣ୍ଠ ସହ ପରିଚିତ ହେବାର ଦିନଠାରୁ ଆଜି ପର୍ଯ୍ୟନ୍ତ ନୀଳକଣ୍ଠ ମୁହଁରେ ସେ କେବେତ ଦୁଃଖର ଛାୟା ସୁଧା ଦେଖିନି, ଅଥଚ ସାମାନ୍ୟ ଦୁଃଖରେ ସେ କେତେ ବିବ୍ରତ ନ ହୁଏ ?

 

ନୀଳକଣ୍ଠ ତା’ହେଲେ ଖାଲି ଜଣେ ସାଧାରଣ ଯୁବକ ନୁହଁ । ସେ ଏକାନ୍ତ ଭାବରେ ଅସାଧାରଣ...ତା’ର ବିରାଟ ବ୍ୟକ୍ତିତ୍ଵ ଅତୁଳନୀୟ...ଆଉ ତା’ର କର୍ତ୍ତବ୍ୟହିଁ ଏହାର ଚୂଡ଼ାନ୍ତ ପ୍ରମାଣ...

 

ଏଥିଭିତରେ ତୃତୀୟ ପିରିୟଡ଼ ଶେଷ ହେବାର ଘଣ୍ଟା ଶବ୍ଦ ଶୁଭି ଯାଇଛି । ନୀଳକଣ୍ଠ ଉଠିପଡ଼ି କହିଲା–ଆପଣଙ୍କର ପିରିୟଡ଼ ନାହିଁ ତ ?

 

ନାହିଁ କହି ନିରବ ରହିଲା ସୁଧାକର ।

 

ନୀଳକଣ୍ଠ କମନରୁମ୍‍ରୁ ଫେରି ପଡ଼ୁ ପଡ଼ୁ କହିଲା–ଚାରି’ଟା ବେଳକୁ ବସାକୁ ଆସିବେ ନିଶ୍ଚୟ...ତା’ପରେ ନୀଳକଣ୍ଠ ଅନ୍ତର୍ଦ୍ଧାନ ହୋଇଗଲା ।

 

କଲେଜ ସାରି ନୀଳକଣ୍ଠ ବସାକୁ ଫେରୁଥିଲା । ବସାରେ ଯଥାଶୀଘ୍ର ପହଞ୍ଚି ଟିଉସନକୁ ଯିବା ଅଭିପ୍ରାୟରେ ସେ ଅସମ୍ଭବ ରକମର ଅତିଷ୍ଠ ହୋଇ ଉଠିଥିଲା । ତା’ର ଦୁଇଟି ପାଦ... ମନେମନେ ତା’ର ସନ୍ଦେହ ଭୟ ଜାତ ହେଉଥିଲା । ଯଦି କେହି ବନ୍ଧୁ ତାକୁ ସାକ୍ଷାତ କରେ ହୁଏତ ଯଥାସମୟରେ ସେ ଟିଉସନରେ ପହଞ୍ଚି ପାରିବନି...ତେଣୁ ସେ ସାବଧାନତା ଅବଲମ୍ବନ କରି ଖୁବ୍‍ ଦ୍ରୁତରେ ଆଗେଇଲା–କିନ୍ତୁ ହାୟ ଦୁର୍ଯୋଗ ! ସୁଧାକର ହିଁ ତାକୁ ଅପକ୍ଷା କରିଛି !

 

ପଛରୁ ସୁଧାକରର କଣ୍ଠ ସ୍ୱର ଶୁଣି ନିଜ ଗତିକୁ ଶିଥିଳ କରିବାକୁ ନୀଳକଣ୍ଠ ବାଧ୍ୟ ହେଲା–ଅବଶ୍ୟ ନିଜର ଅନିଚ୍ଛା ସତ୍ତ୍ୱେ ମଧ୍ୟ ସୌଜନ୍ୟ ଦୃଷ୍ଟିରୁ...ମନେମନେ ସୁଧାକର ଉପରେ ବିରକ୍ତ ହେଲା–କାହିଁକି ଯେ ଏ ଅଯଥା ବ୍ୟସ୍ତ କରୁଛି–

 

ସୁଧାକର ଏକରକମ ଦୌଡ଼ିବା ଆରମ୍ଭ କରି ଦେଇଛି, ନୀଳକଣ୍ଠ ଲଜ୍ଜିତ ହେଲା ଯଦି ସୁଧାକର ତା’ର ଚାଲି ଆସିବାର କାରଣ ପଚାରେ–କ’ଣ ଉତ୍ତର ଦେବ ସେ !

 

ସୁଧାକର ନୀଳକଣ୍ଠ ପାଖରେ ପହଞ୍ଚି ନିଃଶ୍ୱାସ ନେଲା–ଆପଣଙ୍କୁ ମୁଁ ଅପେକ୍ଷା କରିଛି ।

 

କ୍ଷମା କରିବେ ! ମୋର ମୋଟେ ମନେନାହିଁ ଆଜ୍ଞା !

 

–ଆଚ୍ଛା–ଆଚ୍ଛା ଚାଲନ୍ତୁ ।

ସୁଧାକର ନୀଳକଣ୍ଠ ଚାଲିବାକୁ ଆରମ୍ଭ କଲେ । ନୀଳକଣ୍ଠ କହିଲା–ଆପଣଙ୍କର last period ଥିଲା ନା !

–ଥିଲା–କିନ୍ତୁ ମୁଁ ପ୍ରକ୍ସି ଆରେଞ୍ଜମେଣ୍ଟ କରି ଦେଇଥିଲି–କାରଣ ବାହାରେ କାମଥିଲା–

କିନ୍ତୁ ଆପଣ ବଡ଼ ଭୁଲ କରୁଛନ୍ତି କରବାବୁ । ଅନ୍ତତଃ Classଗୁଡ଼ାକ attend କରିବା କଥା । ନଚେତ ଆପଣଙ୍କର କ୍ଷତି ହେବ ଯେ...

ସୁଧାକର ସେ ନୀତିବାକ୍ୟ ପ୍ରତି ଏକାନ୍ତ ଭାବେ ଉଦାସ ରହିଲା । ନୀଳକଣ୍ଠ ଆଉ ଅଧିକା ନୀତିବାଣୀ ଶୁଣାଇବ ନାହିଁ ଭାବି ନିରବ ରହିଲା ।

ସୁଧାକର କହିଲା–କ’ଣ ଆମ ବସାଆଡ଼େ ଯିବେଟି ?

ନୀଳକଣ୍ଠ ମନାକରି କହିଲା–ଦେଖିଲ ଟିଉସନଟା ଅଛି । ତାକୁ ଛାଡ଼ିଦେଲେ ଏ ବସ୍ତୁବାଦୀ ଦୁନିଆରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ମିଳିବନି–କିମିତି ଯିବି କୁହନ୍ତୁତ ?

ସୁଧାକର ଏକ ଫାଙ୍କିଦେବା କଣ୍ଠରେ କହିଲା–ହଅ, ଟିଉସନଟାଏ ଚାଲିଗଲେ କ’ଣ ମିଳିବନି ? ତେବେ ଗୋଟାଏ ଦିନରେ କ’ଣ ସୃଷ୍ଟି ପ୍ରଳୟ ହୋଇଯିବ ? ଚାଲନ୍ତୁ–ନା !

ନୀଳକଣ୍ଠ କ୍ଷମା ଭିକ୍ଷା କରି କହିଲା–ଦେଖନ୍ତୁ । ଟିଉସନ ଛାଡ଼ିଦେଲେ ନିଶ୍ଚୟ ଅନେକ ମିଳିବ, କିନ୍ତୁ କର୍ତ୍ତବ୍ୟରେ ତ୍ରୁଟି କରିବା ଅନୁଚିତ, ମୁଁ ଦୁଇଦିନ ହେଲା ଟିଉସନକୁ ଯାଇ ପାରନି, ଆଜି ଯଦି ନଯାଏ ସେମାନେ କ’ଣ ଭାବିବେ ?

 

ସୁଧାକର ଆଉ ବାଧ୍ୟ କଲା ନାହିଁ ।

 

ଆସନ୍ତା କାଲି ନିଶ୍ଚୟ ଯିବ ବୋଲି ପ୍ରତିଶ୍ରୁତି ଦେଇ ନୀଳକଣ୍ଠ ବିଦାୟ ମାଗିଲା...

 

ଆସନ୍ତା କାଲିକୁ ପ୍ରତୀକ୍ଷା କରିଛି କହି ସୁଧାକର ଚାଲିଗଲା...

 

ଅନେକ ବିଳମ୍ବ ହୋଇ ଯାଇଥିଲା...

 

ନୀଳକଣ୍ଠକୁ ପ୍ରତୀକ୍ଷା କରି ଆଖି ଆକାଶରୁ ଅନେକ ବାରିବି ଝାରି ଦେଇଥିଲା ଶ୍ଵେତା । ବାପା, ମାଆ ଅନେକ ବେଳୁ ଛବି ଦେଖି ଚାଲି ଗଲେଣି । ଆଉ କ’ଣ ନୀଳକଣ୍ଠ ଆସିବ ନାହିଁ ?

 

ଗଣାବଣାଏଣୀ ଭଳି ବିଚଳିତା ହୋଇ ଉଠୁଥିଲା ଶ୍ଵେତପଦ୍ମା ନୀଳକଣ୍ଠ ଉପରେ ଜାଗୁଥିଲା ତା’ର ଅଭିମାନ…କେଡ଼େ ନିଷ୍ଠୁର ହୋଇ ପାରନ୍ତି ସେ !

 

ବ୍ୟସ୍ତଭାବେ ନୀଳକଣ୍ଠ ଗୃହଭିତରେ ପଶୁ ପଶୁ କହିଲା–କ’ଣ କେଉଁଠିକି ଯିବକି ?

 

ରଙ୍ଗ ଜଗତରେ ଏକ ବିଶିଷ୍ଟ ନାୟିକା ଭଳି ଦାନ୍ତକୁ ଦେଖେଇ ଶ୍ୱେତପଦ୍ମା କହିଲା–ବାବା ପରା କହିଯାଇଛନ୍ତି ସିନେମା ଯିବାକୁ ! ଆପଣ ବି ଯିବେ, ବାବା ମା ଆଗରୁ ଚାଲିଗଲେଣି, କେବଳ ଆପଣଙ୍କୁହିଁ ମୁଁ ପ୍ରତୀକ୍ଷା କରିଛି ! ଚାଲନ୍ତୁ–ସୋ’ ଯେ ଆରମ୍ଭ ହୋଇଯିବଣି...

 

ଏକା ନିଃଶ୍ଵାସକେ କଥାଗୁଡ଼ାକୁ କହି ପକାଇ ନିଃଶ୍ଵାସ ନେଲା ପଦ୍ମା ! ନୀଳକଣ୍ଠ ହତଚକିତ ହେଲା, ବାବା ମା ସାଙ୍ଗରେ ତମେ ଚାଲିଯାଇ ଥିଲେ କ’ଣ ହେଇନଥାନ୍ତା...ଅଯଥା ମତେ ବ୍ୟସ୍ତ କରିବାର–ବ୍ୟସ୍ତ କ’ଣ ଆଉ ! ଆପଣ ଯିବେ ! ଦେଖନ୍ତୁ ମୁଁ ବହୁଦିନରୁ ଆଶା କରିଛି–ଯଦି ନଯିବେ ମୁଁ ଆଦୌ ସିନେମା ଯିବିନି...

 

ନୀଳକଣ୍ଠ ଏକ ଗୋଲକଧନ୍ଦାରେ ପଡ଼ିଲା, କିମିତି ଏବେ ଏତେ ବଡ଼ ଆଗ୍ରହକୁ ଶ୍ଵେତାର ସେ ଦଳିଦେବ ? ତା’ଛଡ଼ା ମନ୍ଦରଧର ବାବୁ ଆଉ ମନ୍ଦାକିନୀର ଯଦି ଅନୁମତି ମିଳିଛି–କାହିଁକି ସେ ପଛେଇବ ?

 

ନୀଳକଣ୍ଠ କହିଲା–ତେବେ ଚାଲ ଶୀଘ୍ର ।

 

ଆକଣ୍ଠ ଆନନ୍ଦରେ ଥେଇ ଥେଇ ନାଚି ଶ୍ଵେତା କହିଲା–ଆପଣ ଚାଲନ୍ତୁ ।

 

ଦୁହେଁ ଦରଜା ରୁଦ୍ଧ କରି ଆଗେଇଲେ । ସିନେମା ହଲରେ ପହଞ୍ଚିଲା ବେଳକୁ ସୋ ଆରମ୍ଭ ହୋଇ ଯାଇଛି...ମନ୍ଦରଧର ବାବୁ ଆଉ ମନ୍ଦାକିନୀଙ୍କୁ ଖୋଜିଲେ ଦୁହେଁ କିନ୍ତୁ ସେ ଦୁହେଁ ନିଶ୍ଚୟ ପ୍ରେକ୍ଷା ଗୃହରେ ତାଙ୍କୁ ଅପେକ୍ଷା କରିଥିବେ...

 

ଟିକିଏ ବିଚଳିତ ହୋଇ ପଦ୍ମା କହିଲା–ଆପଣ ଦି’ଟା ଟିକେଟ ଆଣନ୍ତୁ ।

 

ନୀଳକଣ୍ଠ ଟିକେଟ ପାଇଁ ଯାଇ ନିରାଶ ହେଲା–ଅଗ୍ରିମ ଟିକେଟ ଯୋଗେ ସବୁ ସରି ଯାଇଛି–ଏଇ ଦେଖନି କେତେ ଲୋକ ସେକେଣ୍ଡ ସୋ’କୁ ଟିକେଟ କାଟୁଛନ୍ତି ? ଆମେ କ’ଣ ସେଇ second showକୁ ଅପେକ୍ଷା କରିବା ?

 

ଶ୍ୱେତପଦ୍ମା ସେତେବେଳକୁ ଏକରକମ କାନ୍ଦିବା ଉପରେ ! ଚରମ ବିରକ୍ତିରେ ସେ ପଛପଟକୁ ମୁହଁ ଫେରାଇ କହିଲା–ଆସନ୍ତୁ ଫେରିଯିବା...

 

ନୀଳକଣ୍ଠ ପ୍ରତିବାଦ କଲାନାହିଁ–ନିରାଶ–ଦୁଃଖିତ–ଜ୍ୱାଳା ତାକୁ ଜର୍ଜରିତ କଲେ ମଧ୍ୟ ସେ ବାଧ୍ୟହୋଇ ଫେରିଲା । ଶ୍ୱେତପଦ୍ମା କହିଲା–ଚାଲନ୍ତୁ ଚାଲି ଚାଲି ଯିବା–ହୁଏତ ସମୟଟା...

 

ନୀଳକଣ୍ଠ ନିରୁତ୍ତର ହେଲା.....

 

ଶ୍ଵେତା କହିଲା–ବାବା ମା ଫେରୁ ଫେରୁ ଅନ୍ତତଃ ସାଢ଼େ ନଅ । ଏଥିଭିତରେ କ’ଣ କରିବା ଯାଇଁ...ବରଂ କାଠଯୋଡ଼ି ଆଡ଼େ ବୁଲିଗଲେ କେମିତି ହେବ ସାର୍‍ !

 

ନିହାତି ଖରାପ ହେବ–ନୀଳକଣ୍ଠ ଏକଥା କିନ୍ତୁ ନକହି କହିଲା–ମୋର ବସାରେ ଅପରିଯ୍ୟାପ୍ତ କାର୍ଯ୍ୟ ଅଛି ! ସୁତରାଂ ତମେ ଶୀଘ୍ର ଫେରିଚାଲ, ମୁଁ ଯିବି ଯେ...

 

ଶ୍ୱେତପଦ୍ମା ରାଜପଥଟା ଉପରେ ନାଚିଉଠି କହିଲା ଆଜି ଆପଣ ଯାଇ ପାରିବେ ନାହିଁ ଯେ...ବାବାଙ୍କର ଆପଣଙ୍କ ସହ କ’ଣ କଥାବାର୍ତ୍ତା ଅଛି । ସେ କହୁଥିଲେ ଆପଣ ଆଜି ରହିବେ...

 

ନୀଳକଣ୍ଠ ଅସ୍ପଷ୍ଟ ଚିତ୍କାର କରି ଉଠିଲା–ରହିବା କଥା ଛାଡ଼ିଦିଅ, କାରଣ ମୋର ଅନେକ କାମ ଅଛି ! ଆଜି ରାତି ବାରଟା ହେଲେ ସୁଦ୍ଧା ମୁଁ ଯିବି–ଆଚ୍ଛା ଦେଖିବା ତ !

 

ନୀଳକଣ୍ଠ ଆଉ କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲା ! ନିରବରେ ସେ ଖାଲି ଶ୍ୱେତପଦ୍ମାକୁ ଚାଲିବାକୁ ନିର୍ଦ୍ଦେଶ ଦେଲା...

 

ଶ୍ୱେତପଦ୍ମା ଚାଲୁ ଚାଲୁ କହିଲା–ସାର୍‍ ! ଆପଣ ଏତେ ରକ୍ଷଣଶୀଳ ହୋଇ ପଡ଼ିଛନ୍ତି କାହିଁକି ? ବାସ୍ତବିକ୍‍ ଆପଣଙ୍କୁ ଦେଖିଲେ...

 

ନୀଳକଣ୍ଠ ମଥା ତୋଳି ଶ୍ଵେତା ଆଡ଼େ ଚାହିଁଲା ନା, ନା, ମୁଁ ଏସବୁକୁ ଆଦୌ ପସନ୍ଦ କରେନା...ବରଂ ଏଇ କିୟତ୍‍ ସମୟ ଯଦି ଦେଶଲାଗି ଚିନ୍ତାକରାଯାଇ ପାରେ ତା’ହେଲେ କେଡ଼େ କଥା ନହେବ !

 

ଶ୍ୱେତପଦ୍ମା ହସିଲା–ଆପଣ ଠିକ୍‍ ବାବାଙ୍କର Second Edition । ବାବା ଆମର ଏଇ ଦେଶ ଦେଶ ବୋଲି ଯେମିତି ପାଗଳ ଆପଣବି ସେ ଭଳି ହେଲେଣି । କିନ୍ତୁ ଦେଶ କ’ଣ କାହାକୁ ଅପେକ୍ଷା କରୁଛି ?

 

ଦେଶ କାହାକୁ ଅପେକ୍ଷା କରେନା ଶ୍ଵେତା ! ଆଉ ଦେଶର ଉନ୍ନତି କରିବାକୁ ଆମ ସମସ୍ତଙ୍କର ଚେଷ୍ଟା ଦରକାର । ଜନସାଧାରଣଙ୍କର ଚେଷ୍ଟା ବିନା ଦେଶ ଦଶର ଉନ୍ନତି ଅସମ୍ଭବ । ଦେଶ ବୋଇଲେ ଆମେ । ଆଉ ଆମର ଉନ୍ନତିହିଁ ଦେଶର ଉନ୍ନତି ବୁଝାଯାଏ–ତୁ ପିଲାଲୋକ ତୋ ଛୋଟ ମୁଣ୍ଡରେ ଏସବୁ ପଶିବନାହିଁ । ପାଠପଢ଼ ବୁଝିବୁ ? ଦେଶ କ’ଣ ? ଶ୍ଵେତା କହିଲା–ବାବା ବି ଏଇ ଯୁକ୍ତି ବାଢ଼ନ୍ତି । ମୁଁ ପିଲାଲୋକ ତଥାପି ମତେ ବୁଝାଇ ଦେଲେ କ’ଣ ହୁଅନ୍ତା ନାହିଁ ?

 

ନୀଳକଣ୍ଠ କହିଲା–ଏକଥା କାହାକୁ ବୁଝାଇ ଦେବା ଅପେକ୍ଷା ପ୍ରତ୍ୟେକ ପରିଶ୍ରମ କରି ଏକଥା ବୁଝିବା ଦରକାର । ସମସ୍ତେ ଯଦି ସବୁକଥା ଅନ୍ୟଠାରୁ ସବୁବେଳେ ବୁଝିବାକୁ ଚେଷ୍ଟା କରିବା ତା’ହେଲେ ବୁଝାଇବାକୁ ରହିବେ କିଏ ?

 

ଶ୍ଵେତା କହିଲା–ଆପଣଙ୍କ କଥାବାର୍ତ୍ତାରୁ ବୁଝାଯାଏ ଆପଣ ଭବିଷ୍ୟତରେ ଦେଶ ପାଇଁ ବାବାଙ୍କ ପରି ନିଶ୍ଚୟ ପାଗଳ ହେବେ ।

 

ନୀଳକଣ୍ଠ ହସିଲା–ତା’ ବହୁଭାଗ୍ୟ କଥା, ଶ୍ଵେତା ଦେଶ ଲାଗି ପାଗଳ ହେବା ଉଚିତ । କିନ୍ତୁ ଆମେ ବେଶି ଆମଲାଗି ପାଗଳ । ଆମର ଘରଦ୍ୱାର କହି ଆମେ ମରୀଚିକା ପଛରେ ଧାଇଁଛେ । କିନ୍ତୁ ଦିବ୍ୟ ଚକ୍ଷୁରେ ଦେଖିଲେ ଜଣାଯିବ ଏସବୁ ତୁଚ୍ଛା ଅଳୀକ । କେବଳ କୀର୍ତ୍ତିହିଁ ଏଠି ସ୍ଥିର, ଅଟଳ । ଆମେ ଆଜି ମହାତ୍ମାମାନଙ୍କ ଜୀବନୀ ପଢ଼ୁଛେ । କାହିଁକି ? ତା’ର କାରଣ ସେମାନେ ଦେଶଲାଗି ନିଜ ଜୀବନକୁ ବିପନ୍ନ କରିଛନ୍ତି । ତେଣୁ ସେମାନଙ୍କୁ ସମ୍ମାନ ଦେବା ଆମର କର୍ତ୍ତବ୍ୟ । ଆଉ ସେମାନଙ୍କ ନାମକୁ ବଞ୍ଚାଇ ରଖିବା ମଧ୍ୟ ସେମାନଙ୍କ ଭଳି ନାଗରିକ ସୃଷ୍ଟି କରିବାର ଗୋଟେ ଫନ୍ଦା । ସେମାନେ ଯିମିତି ଦେଶର ଉନ୍ନତି କଳ୍ପେ କାର୍ଯ୍ୟ କରିଛନ୍ତି–ପ୍ରତ୍ୟେକ ସେହିପରି ହୁଅନ୍ତୁ–ଦେଶର ଉନ୍ନତି ନିଶ୍ଚୟ ହେବ ।

 

ଶ୍ଵେତା କହିଲା–ତା’ ତ ସତ ତେବେ ସମସ୍ତେ ଯଦି ଇମିତି ଦେଶ ଲାଗି ପାଗଳ ହୁଅନ୍ତି ଦେଶ ରହିବଟି ? ସମସ୍ତେ ଯଦି କହିବେ ଆମେ ଦେଶର ଉପକାର କରିବୁ ତା’ହେଲେ ଦେଶର ଉପକାର ଠିକ୍‍ ବିପରୀତ ହେବ ।

 

କାରଣ ଦିନ ଆସିବ ଦେଶର ଉପକାର କରିବାକୁ ଏକ କମ୍ପିଟିସନ୍‍ ହେବ ।

 

ଖୁବ୍‍ ଜୋରରେ ହସିଉଠି ନୀଳକଣ୍ଠ କହିଲା–ଏକଥା କେଭେ ସମ୍ଭବ ହେବନି । ମାୟା ଓ ମମତା ଆଉ ଅହଂତ୍ୱକୁ ଛାଡ଼ି ସମସ୍ତେ କେବେ ଦେଶଲାଗି ପାଗଳ ହୋଇପାରିବେ ନାହିଁ । ଆଉ ସମସ୍ତେ ଯଦି ହୁଅନ୍ତି ଦେଶ ସୁନା ପାଲଟିଯିବ । ମଣିଷ ମଣିଷ ଭିତରେ ଇମିତି ଈର୍ଷା, ବାଦ ବିସମ୍ୱାଦ ରହିବ ନାହିଁ । ପ୍ରତ୍ୟେକ ଦେବତା ପାଲଟିଯିବେ । ଆଉ ଆମ ପୁରୁଣା ପୃଥିବୀର ହେବ ନବକଳେବର । ପୃଥିବୀ ଆଉ ସ୍ୱର୍ଗ ଭିତରେ ପାର୍ଥକ୍ୟ ରହିବ ନାହିଁ ।

 

ଗପ ଛଳରେ ନୀଳକଣ୍ଠ ଏକପ୍ରକାର ଭାଷଣ ଦେବାକୁ ଏଥି ଭିତରେ ଆରମ୍ଭ କରିଦେଇଥିଲା । ଶ୍ୱେତପଦ୍ମା କିନ୍ତୁ ଏସବୁ ଶୁଣିବାକୁ ଆଦୌ ଆଗ୍ରହ ପ୍ରକାଶ କରୁ ନଥିଲା ବରଂ ସେ ଇଚ୍ଛୁକ ଥିଲା ଏଇକଥା ସେ ଶୁଣି ଥାଆନ୍ତା ଯଦି ଏଇଟା ନିର୍ଜନ କାଠଯୋଡ଼ି କୂଳ ହୋଇଥାନ୍ତା-

 

ଶ୍ୱେତାର ଏପ୍ରକାର ଅନାଗ୍ରହରେ ମନେମନେ ବିରକ୍ତ ହେଲା ନୀଳକଣ୍ଠ, ତଥାପି ସେ ଧୈର୍ଯ୍ୟର ସହିତ ବିରକ୍ତିକୁ ଚାପି ନେଇ କହିଲା–ବାବା ମାଆଙ୍କୁ ମତେ କ’ଣ ଅପେକ୍ଷା କରିବାକୁ ନିଶ୍ଚୟ ପଡ଼ିବ ?

 

ଶ୍ଵେତା କେବଳ ହସିଲା

 

ନୀଳକଣ୍ଠ ଅସ୍ଵସ୍ତି ଅନୁଭବ କଲା । କି ପ୍ରପଞ୍ଚ ବୁଦ୍ଧି ତାକୁ ଗ୍ରାସ କଲା କେଜାଣି !! ମନେମନେ ନୀଳକଣ୍ଠ ତା’ ନିଜ ଉପରେ ମନ୍ଦରଧରବାବୁଙ୍କ ଉପରେ ବିରକ୍ତ ହେଲା–କିନ୍ତୁ ଲାଭ କ’ଣ ? ବରଂ ତାକୁ ରହିବାକୁ ହିଁ ପଡ଼ିବ । ରାଜପଥରେ ଯାଉଁ ଯାଉଁ ସେଇ କଥା ନିଷ୍ପତ୍ତି କରୁଥିଲା ନୀଳକଣ୍ଠ ।

 

ଶ୍ୱେତପଦ୍ମା ହୁଏତ ଅନେକବେଳୁ ଶୋଇଯାଇଛି । ଶୋଉ ଅନ୍ତତଃ ନିରାଶ ପରିଶ୍ରମ ବ୍ୟର୍ଥ ଦହନର ଜ୍ଵାଳା ତା’ର ଉପଶମ ହୋଇଯିବ ତ !

 

ଆଉ ସେ !

 

ବିରକ୍ତ–ବ୍ୟଥିତ ଅତିଷ୍ଟ ନୀଳକଣ୍ଠ ଖାଲି ଅଶାନ୍ତିର ଅଗ୍ନିଦାହରେ ଆର୍ତ୍ତଚିତ୍କାର କରୁଥିବ କ’ଣ ?

Unknown

 

ମନ୍ଦରଧରବାବୁଙ୍କ ବୈଠକଖାନାର ଏକ ଆରାମଚେୟାର ଉପରେ ଅର୍ଦ୍ଧଶାୟିତ ଅବସ୍ଥାରେ ପଡ଼ିରହିଛି ନୀଳକଣ୍ଠ–କୌଣସି କଥାରେ ଯିମିତି ତା’ର ଆଶା ନାହିଁ । ବରଂ ପ୍ରତୀକ୍ଷା ଜର୍ଜରିତ ହୋଇ ସେ ବ୍ୟସ୍ତ ବିଚଳିତ ହେବାହିଁ ସାର ହେଉଛି ! ତା’ଛଡ଼ା ଦୀର୍ଘ ସମୟ ଧରି ଏକ ଭଦ୍ରଲୋକଙ୍କ ବୈଠକଖାନାରେ ଏକା ବସିରହିବା କି ବେଦନା ଦାୟକ ତା’ ସେ ସ୍ପଷ୍ଟ ଅନୁଭବ କରୁଥିଲା ମଧ୍ୟ–ଶ୍ଵେତା ସହିତ ଗପ ଯୋଡ଼ିବାକୁ ସେ ପ୍ରଥମେ କାହିଁକି ନାସ୍ତି ବାଣୀ ଶୁଣାଇଲା ? ଏଥିରେ ଆହତ ହୋଇ ନଥିବ ତ ଶ୍ଵେତା !

 

ଶ୍ୱେତପଦ୍ମା ମନରେ ଦୁଃଖ ଆସିଲେ ତା’ର ବା ଯାଏ କେତେ, ଆସେ କେତେ ! ବରଂ ନିଜେ ଯା’ କରନ୍ତି ତା’ ଏକାନ୍ତ ଭାବେହିଁ ଯଥାର୍ଥ କରିଛି । ଶ୍ଵେତା ନାରୀ ହେଲେବି ତା’ର ଛାତ୍ରୀ । ତା’ ସହିତ କ’ଣ ସେ ଗପ କରିବ ?

 

କିନ୍ତୁ ଶ୍ଵେତା ଯେ ତା’ ସହିତ କଥାବାର୍ତ୍ତା କରିବାକୁ କେତେ ପିପାସିତ ତା’ କ’ଣ ସେ ବୁଝିପାରେନା ?

 

ତଥାପି ନୀଳକଣ୍ଠ ଅସମ୍ଭବ ରକମର ଧୈର୍ଯ୍ୟ ଧରିବ । ନୀଳକଣ୍ଠର ଭାବନାରେ ବ୍ୟାଘାତ ଜନ୍ମିଲା ରିକ୍ସା ଭିତରୁ ଅବତରଣ କରି ଆସୁ ଆସୁ ମନ୍ଦରଧର ବାବୁ ଏକପ୍ରକାର ଚିତ୍କାର କରି ଉଠିଯାଇ ଆରେ, ଶ୍ଵେତା କ’ଣ ସିନେମା ଏକା ଚାଲିଯାଇଛି ।

 

ଧଡ଼ପଡ଼ ଉଠିପଡ଼ି ନୀଳକଣ୍ଠ କହିଲା–ନା, ସେ ସମ୍ଭବତଃ ଶୋଇଯାଇଛି ।

 

–କାହିଁକି ? ସିନେମା କ’ଣ ଗଲା ନାହିଁକି ?

 

–ଯାଇଥିଲା–ଆପଣମାନଙ୍କୁ ପାଇଲାନି । ତା’ଛଡ଼ା ଟିକେଟ ବି ମିଳିଲାନି ।

 

–ଆଚ୍ଛା, ଆଚ୍ଛା, ଆପଣ ବସନ୍ତୁ ମୁଁ ଆସୁଛି ।

 

ମନ୍ଦରଧର ବାବୁ ଚାଲି ଯାଉଥିଲେ ।

 

ନୀଳକଣ୍ଠ ବିଶମ୍ବଦ କଣ୍ଠରେ କହିଲା–ମୁଁ ତା’ହେଲେ ଆସୁଛି

 

ଫେରିପଡ଼ି ମନ୍ଦରଧରବାବୁ କହିଲେ–କ’ଣ ଏତେ ରାତିରେ ବସାକୁ ଯିବେ । Impossible–ବସନ୍ତୁ, ମୁଁ ଆସୁଛି–

 

ନୀଳକଣ୍ଠ ଆଉ କିଛି ପ୍ରତିଉତ୍ତର କରିପାରିଲା ନାହିଁ । ଅସୁସ୍ଥ ମନରେ ସେ ପୁଣି ଆରାମରେ ଆଶ୍ରୟ ନେଲା–

 

ତା’ପରେ ଅନେକ ସମୟ କଟି ଯାଇଛି । ନୀଳକଣ୍ଠ ଏକରକମ ଢୁଳେଇ ଯାଇଛି ସହସା ଶ୍ୱେତା ଆସି ଡାକିଲା–ସାର୍ ?

 

ନୀଳକଣ୍ଠ ଆଖି ମଳି ଉଠିଲା–

 

–ଭିତରକୁ ଆସନ୍ତୁ ! ବାବା ଡାକୁଛନ୍ତି–

 

–ଯନ୍ତ୍ର ଚାଳିତ ଭଳି ଭିତରକୁ ଗଲା ନୀଳକଣ୍ଠ । ମନ୍ଦରଧର ବାବୁ ଆଗେଇ ଆସି କହିଲେ–ଆପଣ ଅପରିଚିତଙ୍କ ଭଳି ଏତେ ସଂକୋଚ କ’ଣ କରୁଛନ୍ତି କଣ୍ଠବାବୁ ! ଏ କ’ଣ ଆପଣଙ୍କ ଘର ନୁହେଁ ।

 

ସ୍ମିତ ହସିଲା ନୀଳକଣ୍ଠ–

 

ପାଣି ଗ୍ଲାସଟି ବଢ଼ାଇ ଦେଇ ମନ୍ଦରଧର ବାବୁ କହିଲେ–ହାତଟା ଧୋଇ ନିଅନ୍ତୁ–

 

ହାତ ଧୋଇ ନେଲା ନୀଳକଣ୍ଠ !

 

ଭାତ ତରକାରୀ ଇତ୍ୟାଦି ଖାଦ୍ୟ ସାମଗ୍ରୀ ଥୋଇଦେଇଗଲେ ମିସେସ୍‍ ମନ୍ଦାକିନୀ । ଏକାପାତ୍ରରେ ବସିଲେ ମନ୍ଦରଧର ବାବୁ, ନୀଳକଣ୍ଠ ଆଉ ଶ୍ଵେତପଦ୍ମା–ପରସ୍ପରଙ୍କୁ ପରସ୍ପର ତାଗଦା କରିବା ପରେ ଖାଇବା ପିଇବା ପର୍ବଟା ଆରମ୍ଭ ହୋଇଗଲା–

 

ଅନ୍ନପୂର୍ଣ୍ଣାଙ୍କର ଅବତାର ଭଳି ଅନ୍ନ ବିତରଣ କଲେ ମନ୍ଦାକିନୀ–ସେ ବିଷୟରେ ସେ ଯଥେଷ୍ଟ ସୁନାମର ଅଧିକାରୀ । ତାଙ୍କର ସୁବଣ୍ଟନ ଫଳରେ ଆପ୍ୟାୟିତ ହୋଇ ସମସ୍ତେ ଏକ ସଙ୍ଗରେ ଉଠିଲେ ।

 

ହାତ ଧୋଇସାରି ନୀଳକଣ୍ଠ ସହ ବୈଠକଖାନାକୁ ଯାଉ ଯାଉ ମନ୍ଦରଧର ବାବୁ ଶ୍ଵେତପଦ୍ମା ଉଦ୍ଦେଶ୍ୟରେ କହିଲେ–ତୋ ସାର୍‍ଙ୍କ ଲାଗି ଶୋଇବାର ବ୍ୟବସ୍ଥା କରିଦେ ମା–ଆମେ ବୈଠକଖାନାରେ ଅଛୁ । ତା’ପରେ ସେ ଦୁହେଁ ଚାଲିଲେ–ବୈଠକଖାନାରେ ସେ ଦୁହେଁ ଦୁଇଟି ଆରାମ ଚେୟାରର କୋଳ ମଣ୍ଡନ କରି କେଇଟି ମିନିଟ୍‍ ନିରବ ନିଃଶ୍ଵାସ ଛାଡ଼ିଲେ–ତା’ପରେ ମନ୍ଦରଧର ବାବୁ ଟିକେ ସଳଖି ବସି ଆରମ୍ଭ କଲେ–ଶୁଣିଛନ୍ତି କଣ୍ଠବାବୁ ! ଆସନ୍ତା ସାଧାରଣ ନିର୍ବାଚନ ଜୁନ ପଚିଶ ଠାରୁ ଆରମ୍ଭ ହେଉଛି–ଏଥି ଭିତରେ ମତେ ଆଉ ଫୁରସତ ନାହିଁ । ପାର୍ଟିକାମଠାରୁ ଆରମ୍ଭ କରି ମୋର ନିର୍ବାଚନ ମଣ୍ଡଳୀରେ ଗସ୍ତ କରିବା ପର୍ଯ୍ୟନ୍ତ ସବୁ କିଛି ଦାୟିତ୍ୱ ବହନ କରିବାକୁ ପଡ଼ିବ । ତା’ଛଡ଼ା ଏଥର ମୋ ନିର୍ବାଚନ ମଣ୍ଡଳୀରେ ଆଉ କେହି ପ୍ରାର୍ଥୀ ନାହାନ୍ତି । କେବଳ ସରକାରୀ ଦଳଙ୍କ ସହ ଆମର ସିଧାସଳଖ ଲଢ଼ାଇ ହେବ । ସେଥିଲାଗି ଆଜିଠାରୁହିଁ ଆମକୁ ପ୍ରସ୍ତୁତ ହେବାକୁ ପଡ଼ିବ । ତା’ଛଡ଼ା ଦେଖୁଛନ୍ତି ତ ଆମ ଜନସାଧାରଣଙ୍କର କଥା ! ସେମାନେ ଯେ କେତେବେଳେ କୁଆଡ଼କୁ ଢଳିବେ ତା’ର ଇୟତ୍ତା ନାହିଁ । ତଥାପି ପରମେଶ୍ୱରଙ୍କର ସଦ୍ଇଚ୍ଛା ପୂରଣ ହେବ । ଆମେ ଯଦି କିଛି କାମ କରୁଥିବୁ ତା’ହେଲେ ଅଲଗା କଥା ! ମୁଁ କିନ୍ତୁ ଚାହେଁ ଦେଶ ସେବା ହେଉ । ଆମେ ଯିମିତି ଆମ ଗୁରୁଦାୟିତ୍ୱରୁ ଅବ୍ୟାହତି ନ ନଉ । ଏ ଇଲେକ୍‍ସନ ତ ଗୋଟାଏ ପ୍ରହସନ ହୋଇଗଲାଣି । ମୋଟା ଟଙ୍କା ଥିଲେ ଏ ଯୁଗରେ ଭୋଟରେ ଜିତିବା କିଛି ବିଚିତ୍ର ନାହିଁ । ଏଇ ଦେଖିଲେତ ଗତ ନିର୍ବାଚନ କ’ଣ ହେଲା ? କେବଳ ଦଲାଲ ଦଳହିଁ ତ ଜିତିଗଲେ ।

 

ଏତକି କହି ମନ୍ଦରଧର ବାବୁ ଟିକେ ଦମ୍ଭ ନେଲେ । ନୀଳକଣ୍ଠ ହସି ହସି ବଶମ୍ବଦ କଣ୍ଠରେ କହିଲା–ତଥାପି ଯେଉଁମାନେ ଜନତାର ପକ୍ଷ ଧରି, ତାଙ୍କରି ମଙ୍ଗଳ କରିଥିବେ ତାଙ୍କ ବିଜୟ ସୁନିଶ୍ଚିତ ।

 

ମନ୍ଦରଧର ବାବୁ ହସିଲେ–ଏ ତମର ଭୁଲ ଧାରଣା । ଏ ଦେଶ ସେତେ ଆଗେଇନି କଣ୍ଠବାବୁ ! ଜନତା ଏତେ ଆତ୍ମସଚେତନ ହୋଇ ନାହାଁନ୍ତି । ତା’ ହୋଇଥିଲେ ଏତେ ନୋଟ୍‍ର ଦରକାର କ’ଣ ଥାଆନ୍ତା ? ପ୍ରତ୍ୟେକ ପାର୍ଟିତ ତାଙ୍କର ନିର୍ବାଚନ ଇସ୍ତାହାର ରେଡ଼ିଓ ନଚେତ୍‍ ପାମ୍ପଲେଟରେ ଛାପି ବାଣ୍ଟିଦେଇ ନିଶ୍ଚିନ୍ତ ରହନ୍ତେ । ତେଣିକି ଜନତାର ରାୟ ଚୂଡ଼ାନ୍ତ ରୂପେ ବିବେଚିତ ହୁଅନ୍ତା ! କିନ୍ତୁ ଜନତା ଉପରେ ବିଶ୍ୱାସ ଏ ବେଳେ କରିବା ଏକାନ୍ତ ବୋକାମି । ଏଇ ଗତ ନିର୍ବାଚନରୁ ମୋର ଏ ତିକ୍ତ ଅନୁଭୂତି ହୋଇଛି–ଯା’ ପାଖରେ ମୋଟା ଟଙ୍କା ଅଛି ସେଇହିଁ ବିଜେତା ହେଲା–ଆଉମାନଙ୍କ ମୁହଁରେ ପରାସ୍ତର କାଳିମା ଲେପନ ହେଲା–ସେମାନେ ହେଲେ ପରାସ୍ତ । ଅନ୍ୟମାନେ କ’ଣ ଦେଶଲାଗି କାମ କରି ନାହାଁନ୍ତି ? ଏଇ ଚନ୍ଦ୍ରଶେଖର ବାବୁଙ୍କ କଥା–ସେ କେତେ ପରିଶ୍ରମ ନ କରିଛନ୍ତି ଦେଶ ଲାଗି ?

 

ଭାଗଚାଷ ଆଇନ ପରିବର୍ତ୍ତନ କରିବା ଠାରୁ ଆରମ୍ଭ କରି ଜଳକର ନିରୋଧ ଆନ୍ଦୋଳନ ପର୍ଯ୍ୟନ୍ତ କରି ସେ ତ ବିଜୟୀ ହୋଇଥିଲେ । କିନ୍ତୁ କ’ଣ ହେଲା ?

 

ନୀଳକଣ୍ଠ କହିଲା–ତାଙ୍କର ପରାଜୟ ତାଙ୍କ ପାର୍ଟି ଲୋକଙ୍କଲାଗି ହୋଇଛି–କିନ୍ତୁ ସେ ତ ପରାସ୍ତ ହବାର କଥା ନୁହଁ...

 

ହିଃ-ହିଃ-ହିଃ, ତମେ ବାଳକ ବର୍ତ୍ତମାନ–ସାଧାରଣ କଥାରେ ଗୁରୁତ୍ୱ ଦେଇ ପରାଜୟର ସମସ୍ୟାକୁ ସମାଧାନ କରିଦେବା କିନ୍ତୁ ଠିକ୍ ନୁହେଁ–ପାର୍ଟିଲୋକ କେବେ ତାଙ୍କ ବିପକ୍ଷରେ ଯାଇଥିବେ ତା’ ନୁହେଁ । ତମେ କହିପାର They are not good worker ଏଇତ ! କିନ୍ତୁ ନା, ତାଙ୍କ ନିର୍ବାଚନ ମଣ୍ଡଳୀରେ ଯେଉଁ ଦୁର୍ନୀତି ହେଲା–ଇସ୍ ରାତାରାତି ହଜାର ହଜାର ଟଙ୍କା ବାଣ୍ଟି ଦିଆଗଲା । ମଣିଷଙ୍କ ମୁଣ୍ଡଗୁଡ଼ାକ ଏଇ ନୋଟ୍‍ ବଦଳରେ କିଣି ଆଣିଲେ ଅପରପକ୍ଷ । ଫଳରେ କେଇଘଣ୍ଟା ଭିତରେ ଗୋଟାଏ ବିରାଟ ପରିବର୍ତ୍ତନ ଆସିଗଲା । ଏ କଥା ତମେ ଜାଣ ? ମୁଁ ନିଜେ ସେ ନିର୍ବାଚନମଣ୍ଡଳୀ ଗସ୍ତ କରିଥିଲି । ଯେଉଁଠି ସଭା କରିଛି ତାଙ୍କୁ ବିପୁଳ ହର୍ଷଧ୍ଵନି ଓ କରତାଳି ଭିତରେ ସେଠାକାର ଜନତା ତାଙ୍କର ବିଜୟ କାମନା କରିଥିବା କଥା ମୁଁ ନିଜେ ଦେଖିଛି, ଅଥଚ ସେଠି କ’ଣ ହେଲା ? ମୁଁ ଅନେକ ସମୟରେ ସେଇ କଥାହିଁ ଚିନ୍ତା କରେଁ । ସେଭଳି ଟାଣୁଆ ନେତାଙ୍କର ପରାଜୟ କେବେ କ’ଣ କିଏ ବିଶ୍ଵାସ କରିପାରେ ? କିନ୍ତୁ ଏ ଟଙ୍କାଗୁଡ଼ା ସବୁକଥା ସମ୍ଭବ କରିପାରେ । ତମେ ରାଜନୀତି ଭିତରକୁ ପଶିନ କଣ୍ଠବାବୁ ! ପଶିଲେ ଦେଖିବ ଅସାଧୁତା, ଅସଦାଚରଣ ଅପକର୍ମରେ ଯିଏ ଲିପ୍ତ ହୋଇପାରିବ ନିର୍ବାଚନରେ ବିଜୟ ତା’ର ସୁନିଶ୍ଚିତ । ଏଠି ବୁଦ୍ଧି ପାଖରେ କର୍ତ୍ତବ୍ୟ ହାରମାନେ, ଏଠି ଯେଉଁମାନେ ଡକାଇତି କରିପାରିବେ ସେଇମାନେ କେବଳ ବିଜୟର ଡିଣ୍ଡିମ ବାଜାଇବାକୁ ସୌଭାଗ୍ୟ ପାଇବେ । ରାଜନୀତି ଅର୍ଥ କୂଟନୀତି । ସେଇ କୂଟ ପ୍ରକୃତି ଯା’ ପାଖରେ ଭରପୂର ଏ ନିର୍ବାଚନରେ ଜିତିବା ତା’ ପକ୍ଷେ ଅସାଧ୍ୟ କ’ଣ ? ବୁଝିଲ ! ଡକାୟତ କେବଳ ରାଜ୍ୟ ଚଳାନ୍ତି–ଦେଶସେବକର ମୁଖା ପିନ୍ଧି ଯିଏ ଡକାୟତି କରିପାରିଲା ତା’ର କାଟତି ଅଛି–ଚୋରି କରି ଯିଏ ଚୋରକୁ ଗାଳି ଦେଇ ପାରିଲା ତା’ର ବାହାଦୁରି ଅଛି । ଏଇ ଦେଖନ୍ତୁ ଗୋଟେ instant ଏଇ ସହରର ସେଇ ହୋଟେଲ କଥା । ସେଟା ମଦ ବିକି ଆଜି ପୁଣି ବିଶିଷ୍ଟ ଲୋକଭାବେ ସଭା ସମିତିରେ ସଭାପତି ହୋଇପାରୁଛି ତ ? ଭିତରେ କଳ୍ମଷ ରଖି ବାହାରେ ଯିଏ ଟାଣ ମୁହଁ କରି ଭାଷଣ ଦେଲା ତା’ର ଭବିଷ୍ୟତ ଉଜ୍ଜ୍ୱଳମୟ, ସେଇ କେବଳ ବିଜୟୀ । ଆଉ ଭିତର ବାହାର ସମାନ କଲେ ରାଜନୀତି କରିପାରିବ ନାହିଁ । ରାଜନୀତି କରିବାକୁ ଗଲେ ତମକୁ ଚୋର, ପାଜି, ମାତାଲ ଗଣ୍ଡାଙ୍କ ସହ ବନ୍ଧୁତା ସ୍ଥାପନ କରିବାକୁ ପଡ଼ିବ । କଦର୍ଯ୍ୟ କାମ କରିବାକୁ ପଡ଼ିବ । ତା’ ନହେଲେ ଠକିଯିବାର ସମ୍ଭାବନା ଯଥେଷ୍ଟ । ଏ ଯୁଗ କହୁଛି ଧଳାକୁ କଳା କହି ପ୍ରମାଣିତ କରିବାହିଁ ବାହାଦୁରି । ଚୋର ବେକରେ ବରମାଲ୍ୟ ଦେବାରେ ହିଁ ବିଚକ୍ଷଣତା ଅଛି । ଗୁଣ୍ଡାଙ୍କ ସହ ମଦ ପିଇବାରେବି ଗୋଟେ ସମ୍ମାନ ଅଛି । ଆଉ ପୁଞ୍ଜିପତିଙ୍କ ସହ ସଲା ରଖି କଳାବଜାରକୁ ପ୍ରଶ୍ରୟ ଦେବାରେବି ଗୋଟାଏ ଫାଇଦା ଅଛି । ଆଉ ଆମ ଦେଶ ଏଇ ନୀତି ଅନୁସରଣ କରୁଛି । ଏଇ ନୀତି ପଛରେ ଧାଇଁ ଆମ ଦେଶର ନେତାମାନେ ନିଜକୁ ମହାମାନବ ବୋଲି ପ୍ରମାଣିତ କରିପାରିଛନ୍ତି । ଆଉ ଯେଉଁମାନେ ଏକଥା କରି ନପାରୁଛନ୍ତି ସେମାନଙ୍କର ପତନ ଅନିବାର୍ଯ୍ୟ–ବୁଝିଲେ ? ରାଜନୀତି ଯେଉଁମାନେ ପେଶା କରିଛନ୍ତି ସେମାନେ ଡାକୁ ନହେଲେ ତିଷ୍ଠି ପାରିବେ ନାହିଁ ।

 

ନୀଳକଣ୍ଠ ଏକଥା ଜାଣିବାର ସୌଭାଗ୍ୟ ପାଇଥିଲା କେଉଁଠି ? ଉପରେ ଉପରେ ଭାସି ସମସ୍ତଙ୍କ ସହିତ କଣ୍ଠ ମିଳାଇ ସେ ସିନା ସବୁ ଭଲ ବୋଲି ଚିତ୍କାର କରୁଥିଲା ହେଲେ ମନ୍ଦରଧରବାବୁ ତା’ ଆଖି ଖୋଲି ଦେଇଛନ୍ତି । ରାଜନୀତି ଯେ ଦୁର୍ନୀତିଗ୍ରସ୍ତ ଏକଥା ସେ ସ୍ପଷ୍ଟ ବୁଝିପାରି ସେଇ କଥା ଚିନ୍ତା କରୁଥିଲା ।

 

ମନ୍ଦରଧରବାବୁ କହିଲେ–ଛାଡ଼ନ୍ତୁ ସେ କଥା । ହଁ, କଥା କଣକି ମୋରତ ଏଥିଭିତରେ ସମୟ କମ୍‍ ମିଳିବ ଆପଣଙ୍କ ସହ ଆଳାପ କରିବାକୁ, ତେବେ ଏତିକି ଅନୁରୋଧ ରହିଲା, ଟିକେ ସାହାଯ୍ୟ କରିବ, ଶୁଣିଲି ଆପଣ ଛାତ୍ରମାନଙ୍କର ନେତାରୂପେ ନିର୍ଦ୍ୱନ୍ଦ୍ୱେ ନିର୍ବାଚିତ ହୋଇଛନ୍ତି–ବଡ଼ ଆନନ୍ଦିତ ହେଲି–ତେବେ ମନେରଖନ୍ତୁ ସବୁ ସମୟରେ ସଚ୍ଚୋଟ ଦେଖାଇଲେ ପରିଣତି ଭୟଙ୍କର ହେବ । ନୀଳକଣ୍ଠ କହିଲା–ଛାତ୍ରମାନେ କ’ଣ ଏତେ କଦର୍ଯ୍ୟ ହୋଇଥିବେ ବୋଲି ଆପଣ ବିଶ୍ଵାସ କରନ୍ତି ?

 

ପ୍ରତିବାଦୀ ଗଳାରେ ମନ୍ଦରଧର ବାବୁ କହିଲେ ହଁ, ହଁ ସେଇମାନେହିଁ ସବୁଠାରୁ ବେଶି ସୟତାନ ତାଙ୍କୁ ଆପଣ ଚିହ୍ନି ନାହାନ୍ତି । କିନ୍ତୁ ଦେଖନ୍ତୁ, ସଚୋଟ ଖାଲି ନୀତିଗତ କଥା । ଆପଣ ସେଇ ଭାବେହିଁ ଗ୍ରହଣ କଲେ ଜିତି ଯିବେ–କିନ୍ତୁ ଭିତରେ ଯଦି ସେଇ କଥା କରନ୍ତି ତା’ହେଲେ ପତନଟି ନିଶ୍ଚୟ ।

 

ନୀଳକଣ୍ଠ ନିରବ–ଆଶଙ୍କା ଭୟରେ ବ୍ୟସ୍ତ ଥିଲା ।

 

ମନ୍ଦରଧରବାବୁ କହିଲେ–ଆପଣ ସେମାନଙ୍କ ଭିତରୁ କେତେକଙ୍କୁ capture କରି ନିଅନ୍ତୁ । ତା’ହେଲେ ଆପଣଙ୍କର ଆସନ ଅଟଳ ରହିବ । ଯେଉଁମାନେ ଆପଣଙ୍କର ବିରୁଦ୍ଧରେ କିଛି କହିବେ, ସେମାନଙ୍କୁ ଗୋଟେ ଗୋଟେ ଦାୟିତ୍ୱ ଦେଇ ଦିଅନ୍ତୁ–ଅନ୍ତତଃ ସମସ୍ତଙ୍କୁ ନହେଲେ ମୁଖିଆ କେଇ ଜଣଙ୍କୁ ତା’ହେଲେ ଦେଖିବେ–ବଳେବଳେ ଆପଣଙ୍କର ଆସନ ସୁଦୃଢ଼ ରହିବ । କିନ୍ତୁ ତା’ ନକଲେ ଭାବୁଥିବେ ଏ ମୋର ଦୀର୍ଘ ଅଭିଜ୍ଞତାର କଥା–ଆପଣ ଯେତେ ସଚୋଟ ହୁଅନ୍ତୁନା କାହିଁକି ଏକଥା ନକଲେ ଆପଣଙ୍କ ବିରୁଦ୍ଧରେ ଅନେକ ଛିଡ଼ା ହେବେ–ଆପଣ ସିନା ଭାବୁଛନ୍ତି ଏ କିବା Leadership, କିନ୍ତୁ ଦେଖନ୍ତୁ–ଏ ଶିଶୁ ଅନୁଷ୍ଠାନ ଯଦି ବଞ୍ଚିରହେ ଭବିଷ୍ୟତରେ ଏଥିଲାଗି ବି ନିର୍ବାଚିତ ହେବାକୁ ପଡ଼ିବ–ସମସ୍ତେ ଚାହିଁବେ କର୍ମକର୍ତ୍ତା ହେବାକୁ–ବୁଝିଲେ ?

 

ନୀଳକଣ୍ଠ ହସିଲା–

 

ମିସେସ୍ ମନ୍ଦାକିନୀ ସେ ଗୃହକୁ ପଶି ଆସୁ ଆସୁ କହିଲେ ଆଜି ସେତିକି ଥାଉ । ସମୟ ଯେ ଅନେକ ହୋଇଗଲାଣି–

 

ସମୟ ଅନେକ ହେବା ଜାଣି ମନ୍ଦରଧର ବାବୁ ଉଠି ପଡ଼ିଲେ–ନୀଳକଣ୍ଠଙ୍କୁ ଶୋଇବପଡ଼ିବାକୁ ଇଙ୍ଗିତ ଦେଇ ଚାଲିଗଲେ–

 

ନୀଳକଣ୍ଠ ନିଜ ଲାଗି ସଜ୍ଜିତ ହୋଇଥିବା ଶଯ୍ୟା ଉପରେ ଢଳି ପଡ଼ି ମୁଣ୍ଡ ଭିତରର ବିକ୍ଷିପ୍ତ ଚିନ୍ତାକୁ ସଜାଡ଼ିବାକୁ ଆରମ୍ଭ କରିବା ଭିତରେ ଶ୍ୱେତପଦ୍ମା ପହଞ୍ଚି ଯାଇଁ କହିଲା–ଆପଣଙ୍କୁ ବିଶେଷ ବାଧା ଲାଗିବଣି ସାର୍ । ନାଇଁ !!

 

ନୀଳକଣ୍ଠ–ଖାଲି ହସିଥିଲା–

 

ଶ୍ୱେତପଦ୍ମା କହିଲା–ଯଦି ଦରକାର କିଛି ହୁଏ–ଡାକିବେ...

 

ନୀଳକଣ୍ଠ ନିରବ ରହିଲା–

 

ଶ୍ୱେତାପଦ୍ମା ଟିକିଏ ନିରବ ରହିବା ପରେ କହିଲା–ମୁଁ ଏଇ ଘରେ ପଢ଼ୁଛି–ଆପଣ ଶୋଇ ଯାଆନ୍ତୁ...

 

ଆଉ ଶ୍ୱେତା ସହ ବିଶେଷ ଆଳାପ କରିବାକୁ ନୀଳକଣ୍ଠ ପସନ୍ଦ କଲା ନାହିଁ । ସେ ନିରବ ରହିଲା–

 

କିଛି ଉତ୍ତର ପାଇବା ଲାଗି ଶ୍ୱେତା ପ୍ରତୀକ୍ଷା କରି ନିରାଶ ହେଲା–

 

ନୀଳକଣ୍ଠ ଶ୍ୱେତପଦ୍ମାକୁ ବିଦାୟ ଦେଇ ବତୀ ଲିଭାଇଲା...

 

ଅନ୍ଧାର–ଘନନୀଳ ଅନ୍ଧାର–ପ୍ରାଗୈତିହାସିକ ଏଇ ଅନ୍ଧାରଟା କ’ଣ ଆଲୋକର ପଛେ ପଛେ ସବୁଦିନେ ଲୁଚି ଯାଇଛି ??

 

ରାତିରେ କାହିଁକି ସୁନିଦ୍ରା ହେଲାନାହିଁ ନୀଳକଣ୍ଠର ! କିମିତି ଗୋଟାଏ ଅସ୍ୱସ୍ତି ଅନୁଭବ କଲା ସେ–ତା’ଛଡ଼ା ଏକପ୍ରକାର ସନ୍ଦେହ ଭୟ ବି ବେଳେ ବେଳେ ମନରେ ତା’ର ବିଚରଣ କରୁଥିଲା ତା’ ଅନିଦ୍ରା ଯୋଗୁ କେହି ଯଦି କିଛି ଭାବି ପାରନ୍ତି ?

 

ନୀଳକଣ୍ଠ ଖୋଲା ଆଖିରେ ସେଇ ବର୍ବର ଅନ୍ଧାକାରକୁ ଚାହିଁଥିଲା–ହଠାତ୍ ତା’ର ଧାରଣା ହେଲା ସେ ଗୃହ ଭିତରେ ଯିମିତି କିଏ ପ୍ରବେଶ କରୁଛି–କିଏ ହୋଇପାରେ ?

 

ଗୃହ ଭିତରେ ପ୍ରେତମାନେ ବାସ କରିଥିବା କଥା ସେ କେବେ ଶୁଣିଥିଲା । ନୀଳକଣ୍ଠର ଭୟ ହେଲା–ହୁଏତ ସେଇ ପ୍ରେତାତ୍ମା କିଏ ନୁହେଁତ ?

 

ଆଖି ଦୁଇଟିକୁ ବାଧ୍ୟ କରି ବୁଜି ନେଇ ଭୟାର୍ତ୍ତ ହୃଦୟରେ ସେ ଘନଘନ ନିଃଶ୍ୱାସ ମାରିଲା–ସହସା ସେ ଅନୁଭବ କଲା କାହାର କୋମଳ ସ୍ପର୍ଶ !! ସେ ସ୍ପର୍ଶ ଏକାନ୍ତ ଭାବେ ସ୍ୱର୍ଗୀୟ...ଅଥଚ କିଏ ସେ ?

 

ନୀଳକଣ୍ଠ ଅସ୍ପଷ୍ଟ କଣ୍ଠରେ କହିଲା–କିଏ ?

 

ମୁଁ–ତମର ଶ୍ୱେତପଦ୍ମା ।

 

ନୀଳକଣ୍ଠ ଉଠିବସିଲା–ତମେ କାହିଁକି ଏତେ ରାତିରେ ଶ୍ୱେତା ? ଅନ୍ତତଃ ତମର ଏ ଆଗମନ ଯଦି କିଏ ଜାଣନ୍ତି କ’ଣ ଭାବିବେ ?

 

ନୀଳକଣ୍ଠ ପାଟିରେ ନିଜ କୋମଳ ପାପୁଲି ଚାପି ଧରି ପଦ୍ମା କହିଲା–ବାବା ମାଆ ଉପରେ ମହଲାରେ ଶୋଇଯାଇଛନ୍ତି । ଟିକେ ଗପ କରିବାକୁ ଇଚ୍ଛା ହେଲା–ଆସିଲି କ’ଣ ଭୁଲ କଲି ?

 

ଶ୍ୱେତା କଣ୍ଠରେ ଆକୁଳ ଆବେଦନ...

 

ବିବ୍ରତ ନୀଳକଣ୍ଠ ବିଚାରା ନିସହାୟଃ...

 

ଶ୍ୱେତା କହିଲା–ଯଦି କହିବେ ଫେରିଯିବି, କିନ୍ତୁ...

 

ନୀଳକଣ୍ଠ ଅନ୍ତରରେ ସମବେଦନାର ପରାଶ–

 

ଶ୍ୱେତା ନିରବ ହୁଏତ ଥିଲା–

 

ନୀଳକଣ୍ଠ କହିଲା–ବାବା, ମାଆ ଯଦି ଏ କଥା ଜାଣନ୍ତି କ’ଣ ଭାବିବେ ସେମାନେ ? ମୋ ଉପରେ ଥିବା ଆସ୍ଥା ତାଙ୍କର କ’ଣ ହେବ ?

 

ଶ୍ୱେତା ଅସ୍ପଷ୍ଟ କଣ୍ଠରେ କହିଲା–ବାବା, ମାଆ ବିନା କାରଣରେ ତଳକୁ ଆସିବାର କେବେ ମୁଁ ଦେଖିନି, ସେ ଆସିବେନି । ଆଉ ସେମାନେ ଆସିଲେ ଜଣାପଡ଼ିଯିବ । ହୁଏତ ସେ ସମୟ ଭିତରେ ମୁଁ ଫେରିଯାଇ ପାରିବି ।

 

ନୀଳକଣ୍ଠ କ’ଣ କରିବ ? ଶ୍ୱେତା ଯେ ସମସ୍ତ ପ୍ରକାର ସତର୍କ ଅବଲମ୍ବନ କରିଛି । ବାଧ୍ୟ ନୀଳକଣ୍ଠ କହିଲା–ତା’ହେଲେ ବସ ! କିନ୍ତୁ ତା’ ପୂର୍ବରୁ ଦେଖ–ଯଦି କୌଣସି ପ୍ରକାର ମୁଁ ଏ ବିଷୟରେ କିଛି ଶୁଣେ ତା’ହେଲେ...

 

ସାହସ ସଞ୍ଚୟ କରି ଶ୍ୱେତା କହିଲା–ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ।

 

ବ୍ୟସ୍ତ ହେଲା ନାହିଁ ନୀଳକଣ୍ଠ...ବରଂ ହୃଦୟରେ ଏକପ୍ରକାର ସ୍ପନ୍ଦନ ଅନୁଭବ କଲା । ସେ ସ୍ପନ୍ଦନ ଯିମିତି କାହାକୁ ଆହ୍ୱାନ କରୁଛି ।

ନୀଳକଣ୍ଠର ବିବେକ ଦଂଶନ କରୁଛି । ଶ୍ୱେତା ତା’ର ଛାତ୍ରୀ । ଆଉ ଉନ୍ମାଦ ଯୌବନ ।

ଶ୍ୱେତା ଛାତ୍ରୀ ହେଲେ ବି ନାରୀ–ଯୁବତୀ–

ନୀଳକଣ୍ଠ !

ବିବେକର ସତର୍କ–ସାବଧାନ୍‍ !! ତୁ କ’ଣ କରିବାକୁ ଯାଉଛୁ ? ଉନ୍ମାଦ ମନ ଉତ୍ତର ଦେଉଛି–ଏତ ଜଗତର ନୀତି–

ଶ୍ୱେତା କହିଲା–ଆପଣ କ’ଣ ଭାବୁଛନ୍ତି ?

–କିଛି ଭାବୁନି–ବରଂ ନଭାବିଲେ ରହି ବି ପାରୁନି–

ଶ୍ୱେତା ବୋଧେ ହସିଲା...ନୀଳକଣ୍ଠ ଅବୁଝା ଅନ୍ତତଃ ପାଠ ସେ ପଢ଼ି ବୁଝିବାର ଶକ୍ତି ହାସଲ କରିଛି । ମନୋବିଜ୍ଞାନ ଜାଣିବାରେ ସେ କ’ଣ କେବେ ଅସଫଳ ହେବ ।

ଆଉ ସେଇ ବର୍ବର ଅନ୍ଧକାରକୁ ଚାହିଁ ନୀଳକଣ୍ଠ ଭାବୁଛି–ଶ୍ୱେତା ଏତେ ଉତ୍ସୃଙ୍ଖଳା, ଏତେ ଅଧୋପତନର ତଳକୁ ଖସିଆସିଲା କେମିତି ? ଲଜ୍ଜା ସଂକୋଚ କ’ଣ ଆଧୁନିକା ଶିକ୍ଷିତା ତରୁଣୀଙ୍କୁ ଜୁହାର କଲାଣି ? ତା’ହେଲେ ପୌରୁଷ ଥାଇ ସେ ଏତେ ପଶ୍ଚାଦପଦ କାହିଁକି ।

ଶ୍ୱେତା କହିଲା–ସାର୍ !

ନୀଳକଣ୍ଠ ଉତ୍ତର ଦେଲା କ’ଣ କହୁଛ ?

–ମୁଁ ଆପଣଙ୍କୁହିଁ ଏକାନ୍ତ ଭାବେ ଭଲପାଏ ।

–ଏଇଟାତ ଜଗତର ନୀତି । ତା’ଛଡ଼ା ଶିକ୍ଷକଙ୍କୁ ଭଲ ପାଇବାଟାତ ଛାତ୍ରୀର ଦୋଷ ନୁହେଁ ।

–କିନ୍ତୁ ସାର୍‍ ! ମୋର ଗୋଟେ ମିନତି ରଖି ପାରିବେ ?

ନୀଳକଣ୍ଠ ସଚେତନ ହେଲା–

ଶ୍ୱେତା କହିଲା–ପିପାସିତ ଆତ୍ମାକୁ ଜଳଦାନ କରିବା କ’ଣ ଉଚିତ ନୁହେଁ ?

–କିନ୍ତୁ ସେ ପ୍ରଶ୍ନ ଏ ଅସମୟରେ କାହିଁକି ପଦ୍ମା ! ଅସମୟ କ’ଣ ? ପିପାସିତ ଆତ୍ମା ପାଖରେ ଅସମୟ କଣକିଛି ଥାଇପାରେ ? ମୁଁ ବାସ୍ତବିକ ପିପାସିତ । ବହୁଦିନର ଏ ପିପାସା ମୋର ପୂର୍ଣ୍ଣ କରନ୍ତୁ ଆପଣ...ତା’ ନ ହେଲେ ।

ଶ୍ୱେତା ବୋଧେ କାନ୍ଦୁଛି । ଚପଳା ବାଳିକାର ସେ କ୍ରନ୍ଦନ । ପିପାସିତର ସେ ପ୍ରଳାପ । ବୁଭୁକ୍ଷାର ଏ ଆହ୍ୱାନ । ସେଇ କାନ୍ଦ ଯିମିତି ନୀଳକଣ୍ଠକୁ ଶୁଭୁଛି । ସେ କାନ୍ଦ ଯେମିତି କହୁଛି ନିରାଶ କରନା ତମେ ଆସ ! ତମଲାଗି ମୁଁ ପ୍ରତୀକ୍ଷା ନେତ୍ରରେ ଚାହିଁଛି । ମୋ ଉନ୍ମୁକ୍ତ ହୃଦୟ ମନ୍ଦିରରେ ଥରେ ପାଦଦେଇ ଦିଅ । ଥରେ...ମତେ ନିରାଶ କରନା । ବହୁଦିନରୁ ଯକ୍ଷ ବଧୂ ଭଳି ମୁଁ ଯା’ ପାଇବାକୁ ଇଚ୍ଛା କରିଛି ସେ ଇଚ୍ଛା ବୃକ୍ଷ ମୂଳରେ କୁଠାରଘାତ କରନା । ମୋ ମିନତିର ଫୁଲକୁ ଇମିତି ନିଷ୍ଠୁର ପାଦରେ ଦଳି ଦିଅନା !

 

ନୀଳକଣ୍ଠ ବିବ୍ରତ–ଅତିଷ୍ଠ–କ’ଣ ସେ କରିବ ?

 

ନୀଳକଣ୍ଠ ଆଉ ଧୈର୍ଯ୍ୟ ଧରି ପାରିଲାନାହିଁ । ଉତ୍ତଳ ତରଙ୍ଗ କୋଳରେ ସେ ଗୋଟାଏ କାଠି । ମହାସ୍ରୋତ ସମ୍ମୁଖରେ ସେ ଖଣ୍ଡେ କରକା । ନିଆଁ ପାଖରେ ସେ ମେଞ୍ଚାଏ ତୁଳା । ସେ କ’ଣ ନିଜର ସତ୍ତା ବିଲୁପ୍ତ କରିବ ? ଝାମ୍ପ ଦେବ କ’ଣ ସେଇ ପ୍ରଣୟ ପାରାବାରକୁ ।

 

ନିଜଭାରା ନିଜେ ସହ୍ୟ କରିପାରିଲାନାହିଁ କଣ୍ଠ...ଅସ୍ପଷ୍ଟ କଣ୍ଠରେ ଅନେକ ଆଶ୍ୱାସନା ବାଣୀ ଶୁଣାଇ ସେ ନିରାଶ ହେଲା...ପରିଶେଷରେ ତା’ର ବିଚାର...ନୀଳକଣ୍ଠ ?

 

ନୀଳକଣ୍ଠ ଆଉ ବିବେକର ବାଧା ମାନିବ ନାହିଁ, ପାପ ପୁଣ୍ୟ ନ୍ୟାୟ ଅନ୍ୟାୟର କଥା ସ୍ମରଣ କରିବ ନାହିଁ । ସେ ପିପାସିତକୁ ସାହାଯ୍ୟ କରିବ । ବିଭୁକ୍ଷିତକୁ ଭିକ୍ଷାଦେବ । ପ୍ରାର୍ଥର ପ୍ରାର୍ଥନା ପୂରଣ କରିବାକୁ ସେ ଆଗେଇ ଯିବ । ଏଥିରେ ତା’ର ଦୋଷ କ’ଣ ?

 

ଏଇ ବର୍ବର ଅନ୍ଧକାର କୋଳରେ ଏମିତି କେତେ ଅସତ୍ୟ ବ୍ୟଭିଚାର ପାପ ଆଶ୍ରୟ ନେଇଛି ଏବଂ ଏଇଥିଲାଗି ଅନ୍ଧକାରର ଜନ୍ମ । ଅସତ୍ୟକୁ ନିଜ କୃଷ୍ଣପକ୍ଷ ତଳେ ଘୋଡ଼ାଇ ରଖିଛି । ଅଥଚ ଆଜି କାହିଁକି ଏ ଅନ୍ଧକାର ପଛାଇବ ?

 

ମନ୍ଦରଧର ବାବୁ ଇଙ୍ଗିତ ଦେଇ ଯାଇଛନ୍ତି–ଚୋରୀକରି ଚୋରକୁ ଗାଳି ଦେବାର କି ଗୋଟେ ସମ୍ମାନ ଅଛି । ବ୍ୟଭିଚାର କରି ବ୍ୟଭିଚାର ବିରୁଦ୍ଧରେ ଭାଷଣ ଦେବାରେ ବି ଗୋଟାଏ ଗର୍ବ ଅଛି । ଡକାଇତି କରି ସାଧୁ ମୁଖା ପିନ୍ଧିବାର ବି ଗୋଟାଏ ରୋମାନ୍‍ସ ଅଛି ।

 

ତେବେ ସେ କାହିଁକି ଏଇ ପାପକୁ ଏଇ ବର୍ବର ଅନ୍ଧକାରର କୃଷ୍ଣପକ୍ଷ ତଳେ ଆଶ୍ରୟ ଦେବ ନାହିଁ ? ସେ କାହିଁକି ପିପାସିତ ପ୍ରାଣକୁ ସାନ୍ତ୍ୱନା ଦେବାକୁ ପଛାଇବ ?

 

ନା–ନା–

 

ଆଖିମଳି ଚାହିଁଲା ନୀଳକଣ୍ଠ । ସେ ପ୍ରାଗୈତିହାସିକ ବର୍ବର ଅନ୍ଧକାର ଏଥିଭିତରେ ଅପସରି ଗଲାଣି । ନବୀନ ତପନଙ୍କ ଆଗମନରେ ହସି ଉଠିଲାଣି ଧରା । ଜାଗିଉଠିଲେଣି ଜନତା-। ଏଥି ଭିତରେ ପୃଥିବୀରେ ବିରାଟ ପରିବର୍ତ୍ତନ ହୋଇଗଲାଣି ।

 

ନୀଳକଣ୍ଠ ଅନ୍ତର କାହିଁକି ଏକ ଅଜଣା ପୁଲକରେ ପୁଲକିତ ହୋଇ ଉଠୁଛି । ଏକ ସ୍ଵପ୍ନ ଜଗତରୁ ଫେରି ପଡ଼ିଥିଲା ପରି ସନ୍ଦେହ ହେଉଛି ତା’ନିଜ ଉପରେ ତା’ର । କ’ଣ ସବୁ ଏ ? ସବୁ ବୁଝି କିଛି ବୁଝି ପାରୁନି ନୀଳକଣ୍ଠ ! ଆଶଙ୍କା ହେଉଛି–ଗତରାତ୍ରିର ଘଟଣାଗୁଡ଼ିକ କ’ଣ ବାସ୍ତବ ସତ୍ୟ !

 

ଗତରାତ୍ରିର ଘଟଣା !

 

ଘଟଣାଗୁଡ଼ିକୁ ସ୍ମରଣ କଲେ ନୀଳକଣ୍ଠ କାହିଁକି ଅସହାୟ ମନେକରେ ବିସ୍ମୟ–ଚକିତର ତରଙ୍ଗ ଖେଳିଯାଏ ତା’ର ପ୍ରତି ଶିରା, ପ୍ରଶିରାରେ । ମନର ଅଭ୍ୟନ୍ତରରୁ ଯିମିତି ପ୍ରତିଧ୍ଵନି ଶୁଭେ–ଏ ଘଟଣା ସତ୍ୟ ନୁହଁରେ କେବଳ ସ୍ୱପ୍ନ...କେବଳ ଅସାର ସ୍ୱପ୍ନ–ଆଭିଜାତ୍ୟର ଲକ୍ଷ୍ମୀଙ୍କୁ ପାଇବା ତୋଭଳି ଦୁର୍ଭାଗାର ଭାଗ୍ୟେ କି ସମ୍ଭବ ? ଫୁଃ–

 

ତା’ହେଲେ ସେ କ’ଣ ଖାଲି ଗୁଡ଼ାଏ ଦୁର୍ବାର ସ୍ୱପ୍ନ ଦେଖିଥିଲା ?

 

–ନୀଳକଣ୍ଠ ମନ ପାରାବାରରେ ପ୍ରଶ୍ନର ଛୋଟ ଛୋଟ ତରଙ୍ଗ ।

 

ଅବିଶ୍ୱାସ ହୁଏ ତା’ର–ଯଦି ବାସ୍ତବ ହୁଏ–ଶ୍ୱେତପଦ୍ମା କ’ଣ ସତରେ ଏତେ ତଳକୁ ଆଉ ଖସି ଆସି ପାରିଲା ?

 

ତା’ହେଲେ ତା’ର କ’ଣ ନୈତିକ ମୃତ୍ୟୁ ଘଟିଛି ? ତା’ ନୀତିଗତ ଜୀବନକୁ ବିସର୍ଜ୍ଜନ ଦେଇ ସେ କ’ଣ ଏକ ଖସଡ଼ା ପଥରେ ଯିବାକୁ ପସନ୍ଦ କରିଯାଇଛି ? ଖସି ଯାଇଛି ସେ କ’ଣ ପତନର ଶେଷ ସୋପାନକୁ ?

 

ନିଜ ପ୍ରଶ୍ନର ଯଥାର୍ଥ ଉତ୍ତର ଖୋଜି ପାଇଲାନି ନୀଳକଣ୍ଠ ! ଟିକିଏ ଅପ୍ରୀତିକର ମନେକଲା ପରିବେଶକୁ...ଏଠି ଆଉଦଣ୍ଡେ ନରହି ନିଜ ବସାକୁ ପଳାଇ ଯିବାକୁ ସ୍ଥିର କଲା ସେ । କିନ୍ତୁ ଏତେ ସକାଳୁ କ’ଣ କେହି ଉଠିଲେଣି ?

 

ନୀଳକଣ୍ଠ ବାହାରକୁ ଚାହିଁଲା–ଦିନର ପରିଷ୍କାର ଆଲୋକ କ୍ରୀଡ଼ା କରୁଛି ଧରାରେ...ଅଥଚ ଏମାନେ ?

 

ବାହାରେ ଅସ୍ପଷ୍ଟ ଝମ୍‍, ଝମ୍‍ ଶବ୍ଦ ହେଉଛି । ସମ୍ଭବତଃ କେହି ଜଣେ ଉଠି ବାସନ ମାଜିବାରେ ବ୍ୟସ୍ତ ଅଛି... ନୀଳକଣ୍ଠ କାନପାରିଲା । ଆଉ କାହାରତ ପାଟି ଶୁଭୁନି ? ପ୍ରତ୍ୟୁଷରେ ଉଠିବା କ’ଣ ଏ ପରିବାରର ଅଭ୍ୟାସ ନାହିଁ ?

ନୀଳକଣ୍ଠ ଆଖି ମୁଦି ଶୋଇବାକୁ ଚେଷ୍ଟା କଲା ।

ଅନ୍ତତଃ ସେମାନଙ୍କୁ ଅପେକ୍ଷା କରିବାକୁ ହିଁ ପଡ଼ିବ ।

ମନ୍ଦରଧର ବାବୁ ଉଠି ଡାକିଲେ–ଜିତୁ ! ଆରେ ଏତେବେଳ ପର୍ଯ୍ୟନ୍ତ ତୁ ଶୋଇଛୁ କ’ଣ-। ତୋ ସାର୍‍ଙ୍କ ଲାଗି ବେଡ୍’ଟି ଟିକେ ପ୍ରସ୍ତୁତ କର ।

ତା’ପରେ ସେ ସ୍ଵଗତୋକ୍ତି କରି ଉଠିଲେ–ଆଜିକାଲିକାର ପିଲାମାନେ ବଡ଼ ଆଳସ୍ୟପରାୟଣ ହୋଇଗଲେଣି ।

ଭିତର ପଟୁ ମିସେସ୍ ମନ୍ଦାକିନୀ ହସିହସି କହିଲେ–ବାପମାନେ ତ ଶିକ୍ଷା ଦେଉଛନ୍ତି, ଆଉ ନହେବେ କାହିଁକି ?

ମନ୍ଦରଧର ବାବୁ ହସିହସି କହିଲେ–ବାପାମାନେ ସିନା ପରିଶ୍ରମ କରି କ୍ଳାନ୍ତିନିବାରଣ କରନ୍ତି କିନ୍ତୁ ମାଆମାନେ ?

ମିସେସ୍ ମନ୍ଦାକିନୀ ଅଧିକା କିଛି ପ୍ରତିଉତ୍ତର କରିଥାଆନ୍ତେ ସହସା କିଛି କାମ ପଡ଼ିବାରୁ ଚାଲିଗଲେ ।

ମନ୍ଦରଧର ବାବୁ ମୁହଁ ହାତ ଉତ୍ତମ ରୂପେ ଧୋଇ ନେଇ ବୈଠକଖାନା ଉଦ୍ଦେଶ୍ୟରେ ଆଗେଇଲେ । ନିଶ୍ଚୟ ଗୋଟାଏ କିଛି ସମ୍ବାଦପତ୍ର ହକର ଦେଇଯାଇ ଥିବ । ସେଥିରୁ କିଛି ସମ୍ବାଦ ପଢ଼ିବାକୁ ହେବ । ବିଦେଶ କଥା ଦେଶ କଥା...ଆଉ ଏଇ ସହରର କଥା ।

 

ଅନେକ ବେଳୁ ବୈଠକଖାନାରେ ବସି ଗମ୍ଭୀର ହୋଇ ସମ୍ବାଦଗୁଡ଼ିକ ଗର୍ଭସ୍ଥ କରୁଛି ନୀଳକଣ୍ଠ । ବେଳେବେଳେ ଗୋଟେ ଗୋଟେ ସମ୍ବାଦରେ ସେ ଗଭୀର ଧ୍ୟାନ ଦେଉଛି ତ ବେଳେ ଖାମଖେୟାଲୀ ଢଙ୍ଗ ଦେଖାଉଛି । ଏଇଟା ପଠନରତଥିବା ସମୟରେ ସମସ୍ତଙ୍କର ଗୋଟେ ଦୁର୍ଗୁଣ-। ନୀଳକଣ୍ଠର ତାହାହିଁ ହେଉଛି–ଏଥିରେ ବିଚିତ୍ର ବିସ୍ମୟର ପ୍ରଶ୍ନନାହିଁ ।

 

ବୈଠକଖାନା ଭିତରକୁ ଆସିଲେ ମନ୍ଦରଧର ବାବୁ । ନୀଳକଣ୍ଠର ତଥାପି ଧ୍ୟାନ ଭାଙ୍ଗିନି-। ମନ୍ଦରଧର ବାବୁହିଁ ନିଜେ ବାଧ୍ୟ ହେଲେ କଥା ଆରମ୍ଭ କରିବାକୁ–କ’ଣ ସବୁ ଆଜିକାର ଘଟଣା-!

 

ଗୋଟାଏ କଥାରେତ ସେଗୁଡ଼ିକ କହି ହେବନି ନୀଳକଣ୍ଠ ଖବରକାଗଜ ଗୁଡ଼ିକ ମନ୍ଦରଧର ବାବୁଙ୍କ ଆଡ଼କୁ ବଢ଼ାଇ ଦେଇ ଠିଆହେଲା । ମନ୍ଦରଧର ବାବୁ କହିଲେ–ନାଇଁ, ତମେ ପଢ଼ ।

 

ନୀଳକଣ୍ଠ ବଶମ୍ବଦ କଣ୍ଠରେ କହିଲା ମୋର ସମୟ ନାହିଁ । ବୋଧେ ଆଠଟା ହୋଇଯିବଣି ମତେ କଲେଜ ଯିବାକୁ ହେବ ।

 

–ହଉ, ହଉ ବସନ୍ତୁ ଟି ଫି ଖାଇବେ ଯିବେତ ? ମନ୍ଦରଧର ବାବୁ ଏତେକ କହି ସମ୍ବାଦଗୁଡ଼ିକ ଉପରେ ଦୃଷ୍ଟି ପକାଇଲେ ?

 

ଶ୍ରୀମତୀ ମନ୍ଦାକିନୀ ଚା’ ଦୁଇପ୍ଲେଟ୍‍ ଆଣି ଥୋଇଗଲେ ।

 

ଗୋଟେ କପ୍‍ ଚା’ ନିଜେ ଟେକି ନେଇ ଅନ୍ୟଟି ନୀଳକଣ୍ଠ ଆଡ଼କୁ ଠେଲିଦେଲେ ମନ୍ଦରଧର ବାବୁ ।

 

ଚା’ପ୍ଲେଟ୍‍କୁ ନେଇ ସେକେଣ୍ଡରେ ଗର୍ଭସ୍ଥ କରି ନୀଳକଣ୍ଠ କହିଲା–ମୁଁ ଆସୁଛି ଆଜ୍ଞା ?

 

ସମ୍ବାଦପତ୍ର ପୃଷ୍ଠାରୁ ମୁଣ୍ଡ ଟେକି ମନ୍ଦରଧର ବାବୁ କହିଲେ–କ’ଣ ନିଶ୍ଚୟ ଯିବେ ?

 

ନୀଳକଣ୍ଠ ସାଙ୍କେତିକ ଚିହ୍ନଦେଲା... କଲେଜ ଅଛି...

 

ତା’ହେଲେ ଆସନ୍ତୁ ।

 

ନୀଳକଣ୍ଠ–ସୁପ୍ରଭାତ ଜଣାଇଲା...

 

ଆରାମ ଚେୟାର ଉପରେ ସଳଖି ବସି ମନ୍ଦରଧରବାବୁ ନିବିଷ୍ଟ ଚିତ୍ତରେ ସମ୍ବାଦ ପାଠ କରିବାକୁ ଲାଗିଲେ ।

 

ଅନେକ ଡେରିରେ ଉଠିଲା ଶ୍ୱେତପଦ୍ମା ! ଅନେକ ରାତି ପର୍ଯ୍ୟନ୍ତ ଅନିଦ୍ରା ରହିବା ପରେ ସକାଳର ଏ ଶାନ୍ତ-ଶୀତଳ ପବନରେ ତା’ ଆଖି ଦିଟାକୁ ତନ୍ଦ୍ରା ଘାରି ଆସିଥିଲା । ଶ୍ୱେତପଦ୍ମା ଆଦୌ କଳ୍ପନା ବି କରିପାରିନଥିଲା–ତା’ର ଏତେ ଡେରି ହେବ ବୋଲି ।

 

ଶଯ୍ୟା ତ୍ୟାଗକରି ଶ୍ଵେତା ଦ୍ଵାର ଖୋଲୁଥିଲା । ସହସା ତା’ର ସନ୍ଦେହ ହେଲା କିଛି ଅପଶଂକୁନ ତା’ ଅବୟବ ଉପରେ ପରିସ୍ଫୁଷ୍ଟ ହୋଇନିତ ? ଟେବୁଲ ଦର୍ପଣ ସାମ୍ନାକୁ ଯାଇ ରୂପଦେଖି ନିଜେ ଶଙ୍କିଗଲା…ତା’ର ସାହସ ହେଲାନି ସହସା ବାହାରକୁ ବାହାରି ଯିବାକୁ । ହୁଏତ ମା ଯଦି…

 

ନିଜ ଆଲୁଳାୟିତ କେଶର ଯତ୍ନ ନେଲା ପ୍ରଥମେ ସେ, ତା’ପରେ ପଣତକାନିରେ ମୁଖମଣ୍ଡଳକୁ ଦୁଇଚାରି ବାର ପୋଛିନେଇ ଦ୍ଵାର ଖୋଲିଲା–

 

ଆର ଗୃହ ଭିତରେ ମନ୍ଦାକିନୀ ବିରକ୍ତ ହୋଇ ଉଠିଲେ–ଦିନଆଠଟା ହେଲାଣି ତୋର ଏତେବେଳେ ନିଦ ଭାଙ୍ଗୁଛି ଜିତୁ ?

 

ମାଙ୍କ ପ୍ରଶ୍ନର କିଛି ଉତ୍ତର ନଦେଇ ଶ୍ଵେତା ମୁହଁ ଧୋଇନେଲା । ବୈଠକଖାନାରୁ ବାପାଙ୍କର ବିରକ୍ତିବ୍ୟଞ୍ଜକ ସ୍ଵର କର୍କଶ ଶୁଭୁଛି–ତା’ର ଏ ଅଳସୁଆମି ଲାଗି ସେ ବିଶେଷ ବିବ୍ରତ…

 

ଶ୍ଵେତପଦ୍ମା କାହା ପ୍ରଶ୍ନର ଉତ୍ତର ନଦେଇ ସାଧା ସିଧା ନିଜ ଶୟନ ପ୍ରକୋଷ୍ଠକୁ ଫେରି ପଡ଼ିଲା…ପାଠ ପଢ଼ିବାର ଛଳନା କରି ବହି ଖୋଲିଲା ।

 

ମିସେସ୍ ମନ୍ଦାକିନୀ ଚା’କପେ ଆଣି ଘର ଭିତରକୁ ପଶି ଆସୁ ଆସୁ କହିଲେ–ଏବେତ ତୋର ଭାରି ପାଠ ପଢ଼ାରେ ମନ ଲାଗିଗଲାଣି–ହଉ ହଉ–ଏ ଚା’ ଢୋକକ ପିଇନେ । ଚା’ପାତ୍ରକୁ ବି ଶେଷକରି ଶ୍ଵେତା ପୁଣି ପଢ଼ିବାର ଛଳନା କଲା ।

 

ମିସେସ୍ ମନ୍ଦାକିନୀ ମନ୍ଦ ମନ୍ଦ ହସି ପାତ୍ରଧରି ଚାଲିଗଲେ ।

 

ଟିକିକ ପରେ ମନ୍ଦରଧର ବାବୁ ସେ ଗୃହକୁ ପଶିଆସି କହିଲେ–ଏପର୍ଯ୍ୟନ୍ତ ତୁ ଶିଷ୍ଟାଚାର ଶିଖିଲୁନି ଜିତୁ ! ଦେଖିଛୁ ନୀଳକଣ୍ଠ ଅଛି । ତା’ଲାଗି ବ୍ୟବସ୍ଥା କିଛି କରିବାର କ’ଣ ତୋର ନଥିଲା-?

 

ଶ୍ଵେତପଦ୍ମା ସଚେତନ ହେଲା ! ଏଥି ଭିତରେ ସେ ତାଙ୍କକଥା ସମ୍ପୂର୍ଣ୍ଣ ଭୁଲି ଯାଇଛି–ସତେତ ଅନ୍ତତଃ ଚା’ଟା ଶୀଘ୍ରକରି ଦେଇ ପାରିଥାଆନ୍ତା ସେ ? ନୀଳକଣ୍ଠ କ’ଣ ଭାବିଥିବ ?

 

ଲଜ୍ଜିତ ହେଲା ନିଜ ଯୁକ୍ତିରେ ! ମନ୍ଦରଧର ବାବୁ କହିଲେ ସେ ଟିକେ ସାଧାସିଧା ପିଲା–ତା’ ପାଖରେ ତୁତ ଲଜ୍ଜାବୋଧ କରୁଛୁ । ଅଥଚ…

 

ମନେମନେ ହସିଲା ଶ୍ଵେତା, କୃତ୍ରିମ ବିରକ୍ତି ମୁହଁରେ ପ୍ରକାଶ କରି କହିଲା–ଏଁ ମୁଁ କ’ଣ କରନ୍ତି ?

 

ମନ୍ଦରଧର ବାବୁ କହିଲେ–ଦିପଟ ପରଟା ତୁ କରିପାରି ନଥାଆନ୍ତୁ…ଆଉ କିଛି ଆଳୁ ଭଜା…

 

ଶ୍ଵେତପଦ୍ମା କହିଲା–ଆଉ ମା ?

 

–ହୁଁ, ମା ଜାତକରେ ଭଦ୍ର ଚର୍ଚ୍ଚା ଜ୍ୟୋତିଷ ଲେଖିନି । ଭାବିଥିଲି ତୁ ଟିକେ ହେବୁ । କିନ୍ତୁ ଛାଡ଼…

 

ଶ୍ଵେତା କହିଲା–କ’ଣ କରିଦେବି ?

 

ମନ୍ଦରଧର ବାବୁ କହିଲେ–କାହା ଲାଗି ? ନୀଳକଣ୍ଠ ଯେ, ଚାଲିଗଲାଣି…ହଉ ପଢ଼ ପଢ଼ ।

 

ମନ୍ଦରଧର ବାବୁ ଆଉ ଅଧିକା କିଛି ନକହି ଫେରି ପଡ଼ିଲେ । ଶ୍ୱେତା ମନରେ ଦୁଃଖର ଝଟିକା ଆରମ୍ଭ ହୋଇଗଲା–ସେ ତା’ହେଲେ ଚାଲିଗଲେଣି ?

 

ନିଜ ଉପରେ ଅଯଥା ବିରକ୍ତ ହୋଇ ଶ୍ଵେତା ଅଶ୍ରୁ ବର୍ଷଣ କଲା–ଅନାହାରରେ ନୀଳକଣ୍ଠ ଚାଲିଯିବା କଥା ତା’ ମନକୁ ଯେତେ ନବାଧିଲା ସାକ୍ଷାତ ନପାଇ ଥିବାରୁ ତା’ଠାରୁ ଢେର୍‍ ବେଶି ବାଧିଲା । ବ୍ୟଥିତ ଅନ୍ତରରେ ଶ୍ଵେତା ଚୁନଲିପା କାନ୍ଥକୁ ଚାହିଁ ତାଙ୍କର ସ୍ମୃତିକୁ ସ୍ମରଣ କରୁଥିଲା । ହୃଦ୍‍ଦର୍ପଣରେ ପ୍ରତିଫଳିତ କରୁଥିଲା ତାଙ୍କର ମୂର୍ତ୍ତି । ବ୍ୟଥିତ ବେଦନାର କୀଟ ଦଂଶନ ଅନୁଭବ କରୁଥିଲା ନିଜ ଶିରା ଉପଶିରାରେ ।

 

ପ୍ରାୟ ନଅଟା ବେଳେ ବସାରେ ପହଞ୍ଚିଲା ନୀଳକଣ୍ଠ ! ନିଜର ନିତ୍ୟକର୍ମ ସାରି କଲେଜ ଗଲା ବେଳକୁ ପ୍ରଥମ ପିରିୟଡ଼ ନିଶ୍ଚୟ ଚାଲି ଯାଇଥିବ ! ତା’ଛଡ଼ା ଦୁଃଖ ବେଦନାର କ୍ଳାନ୍ତିରେ ସେ ବିଶେଷ ଭାଙ୍ଗିପଡ଼ିଛି । ନୀଳକଣ୍ଠ କଲେଜ ଯିବ ନାଇଁ ବୋଲି ସ୍ଥିର କରି ସ୍ନାନ ତର୍ପଣ ସାରିଲା ! ସାଢ଼େ ଦଶଟାରେ ହୋଟେଲରେ ଭୋଜନ ପକାଇ ଦେଇ ବିରକ୍ତିକର ମସ୍ତିସ୍କରେ ଫେରିପଡ଼ିଲା !

 

ଏଣେବି କରିବ କ’ଣ । ଶୋଇ ଯିବନି ଟିକିଏ ସେ !

 

ନୀଳକଣ୍ଠ ତାହାହିଁ କଲା–କିନ୍ତୁ ଦୁଃଖ ଯନ୍ତ୍ରଣାରେ ବିବ୍ରତ ବ୍ୟଥିତ–ଅତିଷ୍ଠ ହୋଇ ଶୋଇ ପାରିଲା ନାହିଁ । ବରଂ ପ୍ରତି ମୁହୂର୍ତ୍ତରେ ଗତ ରାତିର ସେଇ ଅଶୁଭ କଥାଗୁଡ଼ିକ ସ୍ମରଣ ହୋଇ ତା’ମସ୍ତିସ୍କକୁ ବିକୃତ କରି ପକାଉଥିଲା । ତା’ମନରେ ସର୍ବଦା ଜାଗ୍ରତ ହେଉଥିଲା ସେଇ ଗୋଟିଏ ପ୍ରଶ୍ନ । ସାମାନ୍ୟ ନାରୀ ପ୍ରେମରେ ପଡ଼ି କ’ଣ ନକଲା, ଛାତ୍ରୀ ଶିକ୍ଷକ ଭିତରେଥିବା ପବିତ୍ର ସମ୍ପର୍କକୁ ସେ ଏମିତି କଳୁଷିତ କରିପାରିଲା ! ନିଜ ଜୀବନର ପ୍ରଧାନ ସମ୍ବଳ ନୈତିକ ବଳକୁ ସେ ଏଇଭଳି ବିସର୍ଜ୍ଜନ ଦେଇ ଦେଲା ! ହାୟଃ ଭଗବାନ !

 

ଅନ୍ତର୍ଦାହରେ ଜଳି ଉଠି ନୀଳକଣ୍ଠ ପୋଛି ଦେଲା ଆଖିରୁ ଲୁହ । ନିଜ ଉପରେ ଅଯଥା ବିରକ୍ତି ପ୍ରକାଶ କରିବା ପରେ ସେ ଶପଥ କଲା–ସେ ପଚି ସଢ଼ି ପୋକମାଛି ପରି ମରିବ, କିନ୍ତୁ ଶ୍ଵେତପଦ୍ମାର ସଦର ଦରଜା ସେ ଆଉ ମାଡ଼ିବ ନାହିଁ–କଦାପି ମାଡ଼ିବ ନାହିଁ !

 

ତା’ପରେ ଦିନେ, ଦୁଇଦିନ, ଚାରିଦିନ ଆଠଦିନ ।

 

ନିଜ ନିଷ୍ପତ୍ତିରେ ନୀଳକଣ୍ଠ ରହିଲା ଅଟଳ । ତଥାପି ନୈତିକତା ହାନିର ଦାହରେ ତିଳତିଳ ଜଳି ନୀଳକଣ୍ଠର ସ୍ୱାସ୍ଥ୍ୟ ଭାଙ୍ଗିପଡ଼ିଲା । ନୀଳକଣ୍ଠର ଅପ୍ରତ୍ୟାଶିତ ଏ ସ୍ୱାସ୍ଥ୍ୟହାନି ଦେଖି ସୁଧାକର ପଚାରିଲା ତା’ର କାରଣ ! ସତ୍ୟକଥାଟାକୁ ଗୋପନ ରଖି ନୀଳକଣ୍ଠ ଦେହ ଅସୁସ୍ଥିର ଦ୍ୱାହିଦେଇ ରକ୍ଷା ପାଇଗଲା ! ଆଉ ଏଇ କେଇଦିନ ଲାଗି ସଂଘ ଅଫିସ କିମ୍ବା କଲେଜ କୌଣସିଟାରେ ଯୋଗଦେଇ ପାରିବନାହିଁ ବୋଲି ଶୁଣାଇ ଦେଲା । କାରଣ ଏପ୍ରକାର ମାନସିକ ଉଦବେଗ ପରିସ୍ଥିତିରେ ସେ ଚାହେଁ ବିଶ୍ରାମ । ଏକାନ୍ତ ଭାବେ ଦୀର୍ଘଦିନ ଧରି ବିଶ୍ରାମ ।

 

କିନ୍ତୁ ମାନସିକ ଉଦବେଗ ଏହା ଫଳରେ କ’ଣ କେବେ ଲାଘବ ହୋଇପାରେ ?

 

ଏଇ ନିଶ୍ଚିତ ସତ୍ୟକୁ ଉଦ୍‍ଘାଟନ କରି ଦଶଦିନପରେ ନୀଳକଣ୍ଠ ଟିକିଏ ବାହାରକୁ ବାହାରିଲା । ଦରଜା ଫିଟାଇ ବାହାରକୁ ବାହାରନ୍ତେ ସେ ଅନୁଭବ କଲା ତା’ ସମ୍ମୁଖରେ ଯିମିତି ସେଇ ରାତିର ସ୍ମୃତିଭୂତ ଠିଆ ହୋଇ କହୁଛି ମୁଁ ତୋତେ ଗ୍ରାସ କରିବି ନୀଳକଣ୍ଠ । ମୁଁ ତୋତେ ଗ୍ରାସ କରିବି ।

 

ଆଖି କାନକୁ ବୁଜି ନେଇ ନୀଳକଣ୍ଠ ପୁଣି ଫେରି ପଡ଼ିଲା । ଏଇ ବସାରେ ହିଁ ତା’ର ହେବ ମୃତ୍ୟୁ । ଆଗରୁତ ନୈତିକ ମୃତ୍ୟୁ ହୋଇଯାଇଛି । ଏଣିକି ! ଦୈହିକ ମୃତ୍ୟୁ ହୋଇଗଲେ ଦୁଃଖ କରିବ କାହିଁକି ସେ ?

 

ବାହାର କବାଟରେ କାହାର କରାଘାତ ।

 

ନିଶ୍ଚୟ ସୁଧାକର ହୋଇଥିବ । ବିରକ୍ତ ହୋଇ ନୀଳକଣ୍ଠ ଅସ୍ପଷ୍ଟ ଚିତ୍କାର କରି ଉଠିଲେ–ଖାଲି ସେଇରାତି ସ୍ମୃତି ତାକୁ ଧ୍ୱଂସ କରିବ ନାହିଁ । ଏ ସୁଧାକର ମଧ୍ୟ ସେଥିରେ ଅଂଶୀଦାର ହେବ ।

 

ତଥାପି ସୌଯନ୍ୟ ଦୃଷ୍ଟିରୁ ଦ୍ୱାର ଖୋଲିବା କଥା ।

 

ଦ୍ୱାର ଖୋଲୁ ଖୋଲୁ ନୀଳକଣ୍ଠ ଚିତ୍କାର କରି ଉଠିଲା–ଶ୍ଵେତା ତୁମେ ! ତୁମେ ପୁଣି ଆସିଛ !

 

ହସିହସି ଶ୍ଵେତପଦ୍ମା କହିଲା–ବାପା ଯେ ବାଧ୍ୟକରି ପଠାଇଲେ–ଏଇ ଦେଖନି ଏଇପତ୍ର-

 

କହିଆସୁଥିବା କଥାଗୁଡ଼ିକ ଢୋକିନେଇ ନୀଳକଣ୍ଠ ପତ୍ର ପଢ଼ିଲା । ମନ୍ଦରଧର ବାବୁ ତାଙ୍କୁ ଅପେକ୍ଷାହିଁ କରିଛନ୍ତି ! ଶ୍ଵେତା ଆସିଛି ନେଇଯିବାକୁ । କିନ୍ତୁ ସେ ତ ତା’ ଶପଥକୁ କଦାପି ଭାଙ୍ଗିପାରିବ ନାହିଁ ।

 

ଶ୍ଵେତା କହିଲା–ଆପଣ ଆଉ ବିଳମ୍ବ କରନ୍ତୁ ନାହିଁ । ବାବା ଆପଣଙ୍କ ସହ କଥାବାର୍ତ୍ତା କରି ସାରିଲେ ବମ୍ବେ ଯିବେ । ଅରଜେଣ୍ଟ କାମ । ଶୀଘ୍ର ଆସନ୍ତୁ...

 

ନୀଳକଣ୍ଠ କ’ଣ କରିବ ? ମନାକରି ଦେଲେବି ଶ୍ଵେତା କ’ଣ ମାନିବ ? ତା’ଛଡ଼ା ତା’ରି ଦୁର୍ବଳତା ଲାଗି ଶ୍ଵେତା ତା’ଉପରେ ଜବରଦସ୍ତ କରିବାର ଅଧିକାରକୁ ହାସଲ କରିଛି ! ନଯିବାକୁ ସ୍ପଷ୍ଟ ଜଣାଇ ଦେଲେ କ’ଣ ଶ୍ଵେତା କେବେ ଫେରିଯିବ !

 

ନୀଳକଣ୍ଠ ବାଧ୍ୟହୋଇ ବାହାରିଲା !

 

ନୀଳକଣ୍ଠ ପହଞ୍ଚୁ ପହଞ୍ଚୁ ମନ୍ଦରଧର ବାବୁ ଚିତ୍କାର କରି ଉଠିଲେ–ଆଉ ଆପଣ ଏତେଦିନ କୁଆଡ଼େ ଥିଲେ ? କ’ଣ ଦେହ ଅସୁସ୍ଥ ହୋଇଥିଲା କି ?

 

ସ୍ୱୀକାର କଲା ନୀଳକଣ୍ଠ ।

 

ମନ୍ଦରଧର ବାବୁ ବିନା ଉପସଂହାରରେ ଆରମ୍ଭ କରିଦେଲେ–ଦେଖନ୍ତୁ ! କାଲି ଟେଲିଗ୍ରାମ ଆସି ପହଞ୍ଚିଯାଇଛି ପାର୍ଟି ଅଫିସରୁ June 15ରେ Positively election ହେଉଛି ! ତେଣୁ ମତେ ବମ୍ବେରେ ଏକ ସମ୍ମିଳନୀରେ ଯୋଗ ଦେବାକୁ ପଡ଼ୁଛି । ଆଜି ରାତିଗାଡ଼ିରେ ହିଁ ମତେ ଯିବାକୁ ହେବ । ଖାସ୍‍ ଏଇଥିନେଇ ଶ୍ୱେତାକୁ ପଠାଇଲି । ଏ ଘରର ଦାୟିତ୍ୱ ଆପଣଙ୍କ ଉପରେ ରହିଲା–ମୁଁ ହୁଏତ ଆଠ ଦିନ ପରେ ଫେରିବେ । ଫେରିଲା ପରେ ଅନେକ କଥାଅଛି । ତେବେ ଏଥିଭିତରେ ଆପଣ ଏଠି ଆସି ଟିକେ ରହି ଯାଆନ୍ତୁ । ଅନ୍ତତଃ ବନ୍ଧୁ ହିସାବରେ ମୁଁ ଅନୁରୋଧ କରୁଛି । କିଛି ଭାବିବେନି...ଏମାନଙ୍କର ଯିମିତ କିଛି ଅସୁବିଧା ନହୁଏ ।

 

କଥାଟା କହିସାରି ମନ୍ଦରଧର ବାବୁ ଟିକେ ହସି ଦେଇଥିଲେ ।

 

ସହସା ନୀଳକଣ୍ଠ କ’ଣ କହିବାକୁ ଯାଉଥିଲା ମନ୍ଦରଧର ବାବୁ ନୀଳକଣ୍ଠର ମୁଖମଣ୍ଡଳରୁ ସେଇ କଥା ଜାଣିପାରି କହିଉଠିଲେ ମୁଁ କିଛି ଶୁଣିବିନି । ଏଇ ରଖନ୍ତୁ ଦୁଇଶହ ଟଙ୍କା...ଏଣିକି ଘର ଦାୟିତ୍ୱଟା ଆପଣଙ୍କ ଉପରେ ପଡ଼ିଲା ।

 

ନୀଳକଣ୍ଠ କହିଲା–ଦେହଟା ଅସୁସ୍ଥ ଥିବାରୁ ଘରୁକୁ ଯିବାକୁ ଭାବିଥିଲି ।

 

ମନ୍ଦରଧର ବାବୁ ପ୍ରତିବାଦୀ ଗଳାରେ କହିଉଠିଲେ ଘରକୁ ଆପଣ ସବୁବେଳେ ଯିବେ ଅନ୍ତତଃ ଏତିକି ଉପକାର ଯଦି କରିବେ ମୁଁ କ’ଣ ତା’ ପରିଶୋଧ କରିପାରିବି ନାହିଁ ? ହଁ ଛାଡ଼ନ୍ତୁ ସେ କଥା । ତେବେ ଆଉ ଅନ୍ୟକଥା ହେଲା ଆପଣଙ୍କୁ କିଛି ପାମ୍ପଲେଟ୍‍ ହାଣ୍ଡବିଲ ଲାଗି ଲେଖା ଲେଖିବାକୁ ପଡ଼ିବ । ତା’ଛଡ଼ା election ଇସ୍ତାହାର ମୁଁ ନେଇ ଯାଉଛି–ଆପଣଙ୍କ ସାହିତ୍ୟିକ ଛଡ଼ାରେ ସେତକ ଲେଖିଦେବେ ଦୟାକରି–ଦେଖନ୍ତୁ, ହଁ ଏଥିଲାଗି ଆପଣଙ୍କଠାରୁ ପୂର୍ଣ୍ଣ ସହଯୋଗ ପାଇବାକୁ ଆସ୍ଥା ରଖିଛି । ଆଉ, ଅନୁରୋଧ କରୁଛି ଯିମିତି ମୁଁ ପରିଶେଷରେ ନିରାଶ ନ ହୁଏ ।

 

ବଡ଼ ବିବ୍ରତ ଭାବେ ଏତକ କହି ମନ୍ଦରଧର ବାବୁ କିଛିକ୍ଷଣ ନିରବରହି ପୁଣି ଆରମ୍ଭ କଲେ ଏସବୁ ଚାପା ପକାଉଛି ବୋଲି ଆପଣ କିଛି ଭାବିବେନି ବୁଝିଲେ, ଏକାନ୍ତ ନିଜର ଭାବି ଏକଥା କହିଲି ।

 

ନୀଳକଣ୍ଠ ସ୍ମିତ ହସ ହସିଲା ।

 

ମନ୍ଦରଧର ବାବୁ କହିଲେ–ହଉ, ଆପଣ ବସନ୍ତୁ, ମୁଁ ଟିକେ ବଜାରକୁ ଯାଉଛି...ଆସେଁ...ତା’ପରେ ସେ ‘ଶ୍ଵେତା’–ଶ୍ଵେତା ଡାକି କହିଗଲେ ସାର୍‍ଙ୍କ ଦେହ ଅସୁସ୍ଥ ଅଛି । ତାଙ୍କର ସୁବ୍ୟବସ୍ଥା କର । ତା’ପରେ ସେ ଝଡ଼ ବେଗରେ ଚାଲିଗଲେ ।

 

ଚେୟାର ଉପରେ ବସିପଡ଼ି ନୀଳକଣ୍ଠ ଖାଲି ଜଡ଼ ପାଲଟି ଯାଉଥିଲା । ଏସବୁ କ’ଣ ପ୍ରହେଳିକା ନା ବାସ୍ତବ !

 

ଗୃହ ଭିତରକୁ ପଶୁ ପଶୁ ଶ୍ଵେତା କହିଲା ଆପଣଙ୍କ ଦେହ ଖରାପ ଅଛି ?

 

ନୀଳକଣ୍ଠ କହିଲା–ଅନୁମାନତ ନିଶ୍ଚୟ କରିପାରୁ ଥିବ ।

 

ଫିକ୍‍କିନା ହସିଦେଇ ଶ୍ଵେତା କହିଲା–ଆପଣ ବଡ଼ ଇଏ ।

 

ନୀଳକଣ୍ଠ ଭୁଲିଯାଇଥିଲା ତା’ର ପଛ ଦିନର ଶପଥ । ଭୁଲିଯାଇଥିଲା ତା’ର ନିଷ୍ଠୁର ଅଭିମାନ । ମନ୍ଦରଧର ବାବୁ ଆଉ ଶ୍ଵେତାର ମୁଖ ଚାହିଁବା ପରେ ସେ ଯିମିତି ପୁଣି ଫେରି ଆସିଛନ୍ତି ।

 

ନୀଳକଣ୍ଠ କହିଲା–ମାନେ ?

 

ଶ୍ଵେତା କହିଲା–ପରେ...ତେବେ କହୁନାହାନ୍ତି ମୋରାଣ, ଆପଣଙ୍କ ଦେହ ବ୍ୟସ୍ତ ଅଛି ?

 

ନୀଳକଣ୍ଠ ଈଷତ୍‍ ହସି ‘ହଁ, ଭରିଲା ।’

 

ସହସା ଆଖି ଛଳଛଳ କରି ଶ୍ଵେତା କହିଲା–ଆପଣ ଏଡ଼େ ନିଷ୍ଠୁର ! ଦେହ ଆପଣଙ୍କର ଖରାପ–ଅଥଚ ମତେ ଟିକେ ଜଣାଇବାକୁ ଆପଣଙ୍କର ମନ ହେଲା ନାହିଁ ?

 

ନୀଳକଣ୍ଠ ହସିହସି କହିଲା–ଦେହଟା ଛାଡ଼ିଯିବ ଶୀଘ୍ର ବୋଲି ବିଚାରିଥିଲି । କିନ୍ତୁ ଏତେଦିନ ଧରି ନଛାଡ଼ିବ ବୋଲି କ’ଣ କିଏ କେବେ କଳ୍ପନା କରେ । ତେବେ, ଏବେତ ଶୁଣିଲ...

 

ଶ୍ଵେତା ଆଖି ପୋଛି କହିଲା–ଶୁଣିବା ପୂର୍ବରୁ ମୋର ମୃତ୍ୟୁ ଯେ କାହିଁକି ନ ହେଲା !

 

ନୀଳକଣ୍ଠ ଉଠିପଡ଼ି ଶ୍ୱେତାର ପାଟିକୁ ଚାପିଧରି କହିଲା–ଛି, ସେସବୁ କହନ୍ତି ?

 

ଶ୍ଵେତା ତା’ର ପ୍ରତ୍ୟୁତ୍ତର କରିପାରି ନ ଥିଲା । କାରଣ ତା’ ପାଟିଟା ସେ ପର୍ଯ୍ୟନ୍ତ ନୀଳକଣ୍ଠର ହାତ ପାପୁଲିରେ ଆବଦ୍ଧ ଥିଲା ।

 

ତୃତୀୟା ଘଣ୍ଟା ବାଜିଲା...ରେଳ ପହଞ୍ଚିବାର ଏ ହେଉଛି ଶେଷ ସତର୍କ ଘଣ୍ଟା !

 

ଶ୍ୱେତାକୁ ଡାକି ମନ୍ଦରଧର ବାବୁ କହିଲେ–ସାର୍‍ ଆଉ ତୁ ଫେରିଯାଅ–ମୁଁ ତ ଏଥର ଯିବି ଚାଲି । କିନ୍ତୁ ଦେଖ, ତୋ ସାର୍‍ଙ୍କର ଯିମିତି କିଛି ଅସୁବିଧା ନହୁଏ ।

 

ମୁଣ୍ଡଦୋହଲାଇ ଶ୍ଵେତା କହିଲା–ଆପଣ ଯାଆନ୍ତୁ...ଯାଇଁ ଶୀଘ୍ର ଚିଠିଟାଏ ଦେବେ । ଆଉ ସାର୍ ତ ରହିଲେ...କିଛି ତ୍ରୁଟି ହେଲେ ସେ କ’ଣ କ୍ଷମା ଦେବେ ନାହିଁ ଯେ ।

 

ଏତକ କହି ଜିଭ କାମୁଡ଼ି ପକାଉଥିଲା ଶ୍ଵେତା ! ଅଳ୍ପ ଦୂରରେ ନୀଳକଣ୍ଠ ଠିଆ ହୋଇ ହସୁଥିଲା । ଶ୍ୱେତାର ଶେଷ କଥା ପଦକ ସରିବା ପରେ କହିଲା–ଆପଣ ଯାଆନ୍ତୁ ଆଜ୍ଞା ! ମୋଲାଗି ବ୍ୟସ୍ତ କାହିଁକି ହେଉଛନ୍ତି ?

 

ମନ୍ଦରଧରବାବୁ ଆଉ ବ୍ୟସ୍ତ ହେଲେ ନାହିଁ । ବରଂ ବିଚଳିତ ହୋଇ ଉଠିଲେ...ଟ୍ରେନ ଆସିଗଲା ।

 

ଭୀମ ଗର୍ଜ୍ଜନକରି ଟ୍ରେନ ଷ୍ଟେସନରେ ଆସି ନିଃଶ୍ୱାସ ନେଲା । ମନ୍ଦରଧର ବାବୁ ପ୍ରଥମଶ୍ରେଣୀରେ ଏକ କମ୍ପାଟମେଣ୍ଟକୁ ଚଢ଼ିଯାଇ ନୀଳକଣ୍ଠ ଓ ଶ୍ଵେତା ଉଦ୍ଦେଶ୍ୟରେ କହିଲେ–ଏଥର ଯାଆନ୍ତୁ–ମୁଁ ତ ଯାଉଛି ।

 

ଶ୍ଵେତା, ନୀଳକଣ୍ଠ ବିଦାୟ ସୂଚକ ନମସ୍କାର ଜଣାଇ ଫେରିଲେ, ପ୍ଲାଟଫର୍ମକୁ ଅତିକ୍ରମକରି ସେମାନେ ରାଜରାସ୍ତାରେ ପହଞ୍ଚିଲେ । ରାଜରାସ୍ତାରେ ରିକ୍ସା ଷ୍ଟାଣ୍ଡକୁ ଯାଉଁଯାଉଁ ନୀଳକଣ୍ଠ କହିଲା–ମୁଁ ତା’ହେଲେ ଯାଉଛି । ତମେ ଏକା କ’ଣ ଯାଇପାରିବନି ?

 

ଏକରକମ ନାଚିଉଠି ଶ୍ଵେତା କହିଲା–ଏକା ଛାଡ଼ିବାକୁ ଆପଣଙ୍କର ମନ ହେବତ ?

 

–ଦୁଷ୍ଟ...

 

ଶ୍ଵେତା କହିଲା–ସ୍ତ୍ରୀଲିଙ୍ଗରେ ଦୁଷ୍ଟା ହୁଏଯେ ।

 

ନୀଳକଣ୍ଠ ଅଟ୍ଟହାସ୍ୟ କରିଉଠିଲା–ବଡ଼ ଫାଜିଲ୍ ହୋଇ ଗଲୁଣି ଦେଖୁଛି...ଆଚ୍ଛାହେଉ ।

 

ଶ୍ଵେତା କହିଲା–ଏ ଫାଜିଲାମି ଆପଣହିଁ ଶିଖାଇଛନ୍ତି ଯେ ।

 

ନୀଳକଣ୍ଠ କୃତ୍ରିମ ବିରକ୍ତି ପ୍ରକାଶ କରି ରିକ୍ସା ଡାକିଲା ।

 

ଏ ରାଜପଥରେ ଆଉ ଅଧିକା କଥାବାର୍ତ୍ତା ହେବାକୁ ପସନ୍ଦ ବି କଲାନି ଶ୍ଵେତା ।

 

ଏଥିଭିତରେ ଦୁଇଟି ଦିନ ଅତିବାହିତ ହୋଇ ଯାଇଛି । ଏଇ ଦୁଇଦିନ ଭିତରେ ବସା କଥା ଆଉ କଲେଜ କଥା ସମ୍ପୂର୍ଣ୍ଣ ଭୁଲିଯାଇଛି ନୀଳକଣ୍ଠ । ଉପସ୍ଥିତ ଆନନ୍ଦ ଉପଭୋଗରେ ଏସବୁ ଭୁଲିଯିବା ନୀଳକଣ୍ଠ ପାଖରେ ପୁଣି ସମ୍ଭବ ହୋଇ ପାରିଲା ?

 

ସେଦିନ ନୀଳକଣ୍ଠ ଦଶଟା ବେଳେ ବସାଆଡ଼େ ବୁଲି ଆସିବାକୁ କହି ବାହାରି ପଡ଼ିଲା । ବାଟରେ ସୁଧାକର ଯେ ତା’ ସହିତ ସାକ୍ଷାତ ହେବ ଏକଥା ସେ ଆଦୌ ଚିନ୍ତାକରିନି । ହଠାତ୍‍ ସୁଧାକରର ସାକ୍ଷାତ ପାଇ ସେ ଆନନ୍ଦିତ ହୋଇ କୁଣ୍ଡାଇ ପକାଇଲା ।

 

ସୁଧାକର କହିଲା–ଆପଣ ଏତେଦିନ ପର୍ଯ୍ୟନ୍ତ କ’ଣ ଘରକୁ ଯାଇଥିଲେ ?

 

ଯାଇଥିଲି–କହି ସୁଧାକରର ଶୁଭ ସମ୍ବାଦ ଜିଜ୍ଞାସା କଲା ନୀଳକଣ୍ଠ ।

 

ସୁଧାକର ନିଜ ସମ୍ବାଦ ଦେବା ପୂର୍ବରୁ ସଂଘର ସମ୍ବାଦ ପ୍ରଥମେ ଦେବାକୁ ସ୍ଥିର କରି କହିଲା–ଅଫିସଘର ଖୋଲା ହେଲାଣି । ଆପଣଙ୍କୁ ଆମେ କିନ୍ତୁ ବହୁବାର ଖୋଜି ନିରାଶ ହେଲୁ–ପରିଶେଷରେ ଗତକାଲି ଅଫିସ ଗୃହର ଉଦ୍‍ଘାଟନ କରିଦେଇଛୁ ଚାବିଟା ମୋ ପାଖରେ ଅଛି । ଚାଲନ୍ତୁ ଘରଟା ଦେଖିଯିବେ ।

 

ନୀଳକଣ୍ଠ ଟିକିଏ ବିସ୍ମିତ ହୋଇ କହିଲା–ହଉ ଯିବା, ତେବେ ଗୋଟାଏ କଥା ! ଏତେ ଶୀଘ୍ର ଅଫିସ ଉଦ୍‍ଘାଟନ କରିନଥିଲେ କ’ଣ ହୋଇ ନଥା’ନ୍ତା, ଅନ୍ତତଃ ମୁଁ ତ ନିଶ୍ଚୟ ଦୁଇ ଚାରିଦିନ ଭିତରେ ଫେରି ଆସିବା କଥା, ଆପଣମାନେ ବିଶ୍ୱାସ କରିଥିବେ ? ତେବେ ଛାଡ଼ନ୍ତୁ ସେ କଥା–ଆଉ ସବୁ ଭଲତ ?

 

ସୁଧାକର–ହସିହସି କହିଲା–ମନ୍ଦ ଆଉ କ’ଣ ? କେବଳ ଆପଣଙ୍କ ଅନୁପସ୍ଥିତିଟା ।

 

ନୀଳକଣ୍ଠ ହସିଲା–କହିଲା–ନିଶ୍ଚୟ ବାଧିଥିବ’ ତେବେ କ’ଣ କରିବି ଭାଇ ଦେହଟା ଅସୁସ୍ଥ ହଠାତ୍ ହୋଇଗଲା–ଘର ଯାଇଁ ବୁଲି ଆସିଲେ ପରିବର୍ତ୍ତନ ହୋଇଯିବ ଭାବି ଯାଇଥିଲି ! କିନ୍ତୁ ଘରେ କ’ଣ ମନ ଲାଗିଲା ?

 

ସୁଧାକର କହିଲା–ମୋର ବି ଠିକ୍‍ ସେଇ କଥା ହୁଏ, ଏଠି ସାଙ୍ଗମେଳ ଅଛିନା ?

 

ନୀଳକଣ୍ଠ କହିଲା–ଭାଇ, ଏ ସାଙ୍ଗମେଳଟା କିନ୍ତୁ ଯେଉଁ ଦିନ ଭଙ୍ଗିଯିବ ଆମେ ନିଶ୍ଚୟ ସମସ୍ତେ ଦୁଃଖିତ ହବା, ତେବେ ଏ ମେଳ ଯେ ନିଶ୍ଚୟ ଭାଙ୍ଗିବ ଏଥିରେ କ’ଣ ସନ୍ଦେହ ଅଛି ? ତେବେ ଛାଡ଼, ହଁ, ଆପଣ କଲେଜ ଯାଉଛନ୍ତି ?

 

ସୁଧାକର କହିଲା–ହଁ, second period ଅଛି ନଗଲେ ନଚଳେ, ପୁଣି ଏଟା ଯେ General Class ଦରଜିର ।

 

–ସତେ, ଆଚ୍ଛା ଆପଣ ଆସନ୍ତୁ ।

 

ବିଦାୟ ନେଇ ବସା ଅଭିମୁଖେ ଯାତ୍ରାକଲା ନୀଳକଣ୍ଠ !

 

ବସାରେ ପଶୁପଶୁ ପୁଣି ସେଇ କଦର୍ଯ୍ୟ ଭାବନା ! ସେ କ’ଣ ଅଧୋପତନର ସ୍ତରକୁ ଖସି ଯାଇଛି କି ? ନୀଳକଣ୍ଠ ମନରେ ସନ୍ଦେହର ଧୂଆଁ !

 

ତଥାପି ବିଚାରା ନୀଳକଣ୍ଠ ପାଗଳ । ସବୁ ବୁଝି ସେ ଅବୁଝା ତା’ର ମନ...ସବୁ ଜାଣିସିଆଣିଆ ହୋଇ ନଷ୍ଟ ହେଲା ତା’ର ବୁଦ୍ଧି...ପରିସ୍ଥିତିରେ ପଡ଼ି ସେ କ’ଣ ନ ହେଉଛି ? ଶ୍ଵେତପଦ୍ମାର ମାୟାଜାଲ ତାକୁ ଛନ୍ଦିଦେବାର ସେ ଜାଣେ, ସେ ଜାଣେ ନିଜର ଚରିତ୍ର ଉପରେ ଏସବୁ ଗୋଟିଏ ଗୋଟିଏ କଳାଦାଗ...ଜାଣି ସବୁ ଯିଏ ଅବୁଝା ହୁଏ ତା’ର ପନ୍ଥା କ’ଣ ହୋଇପାରେ ।

 

ବସାଟାକୁ ଶୀଘ୍ର ପରିତ୍ୟାଗ କଲା ନୀଳକଣ୍ଠ । ଏ ବସା ହିଁ ତାକୁ ଲୋକହସା କରିବ । ଏ ବସା ନୁହେଁ ଯେ ତା’ ଭାଗ୍ୟଚକ୍ରର ଏ ହେଉଛି ଶନି ମହାଦଶା !

 

ନୀଳକଣ୍ଠ ଦରଜା ରୁଦ୍ଧ କରି ବାହାରକୁ ଆସି ଭାବିଲା ଟିକେ କ୍ଲାସଆଡ଼େ ଯାଇ ବୁଲିଆସିବ, ବିବେକାନନ୍ଦବାବୁଙ୍କ ସହ ହୁଏତ ଦେଖା ହୋଇପାରେ–ଏଥର ଆଲୋଚନା ଟିକେ ସରଗରମ ହେବ ନିଶ୍ଚୟ । ଅଫିସ ଘରଟିଏ ମିଳିଛିନା ! କାଗଜପତ୍ର, ନଥି ବିଡ଼ା !

 

ଧେତ୍ ବରଂ ଶ୍ଵେତା ସହ ମଧୁର ଆଳାପ କଲେ ଯାଇଁ କିମିତି ହେବ ?

 

ନୀଳକଣ୍ଠ ଶ୍ଵେତପଦ୍ମା ଘର ଅଭିମୁଖରେ ଯାତ୍ରା କରିବାକୁ ବିଶେଷ ପସନ୍ଦ କଲା ।

 

ଆଠଦିନ ବମ୍ବେରେ ରହଣି ପରେ ଫେରି ଆସିଛନ୍ତି ମନ୍ଦରଧରବାବୁ । ଗଲାବେଲେ ସେ ଯେତେ ବିବ୍ରତ ଜଣାପଡ଼ୁଥିଲେ ଆସିଲାବେଳେ ସେତେ ମନ୍ଥର ହେବାର ସମସ୍ତ ସମ୍ଭାବନା କରୁଥିଲେ ! କିନ୍ତୁ ସବୁ ସମୟରେ ସମସ୍ତ ସନ୍ଦେହ ଠିକ୍‍ କ’ଣ ହୁଏ ?

 

ମନ୍ଦରଧର ବାବୁଙ୍କର ସମୟ ନାହିଁ, ନିର୍ବାଚନର ଝଡ଼ ଭାରତର ଆକାଶରେ ଦେଖା ଦେଲାଣି । ପୁଣି ଏ ହେଉଛି ତୃତୀୟ ସଧାରଣ ନିର୍ବାଚନ । ଏଥିରେ ସେ ପରାସ୍ତ ହେଲେ ବିରୋଧୀ ଦଳର ନାମ ଡୁବିଯିବ ତା’ଛଡ଼ା ନିଜର ମହତ ତ ପୁଣି ଅଛି ?

 

ନା–ନା–କଳେ ବଳେ କୌଶଳେ ନିର୍ବାଚନରେ ଜୟଯୁକ୍ତ ହେବାକୁହିଁ ପଡ଼ିବ । ମନ୍ଦରଧର ବାବୁଙ୍କର ବିଶ୍ରାମ ନାହିଁ–ଖାଲି କାମ–ଆଉ କାମ । କାମଲାଗି ସେ ପାଗଳ ।

 

ତାଙ୍କର ଏତେଗୁଡ଼ାଏ ପରିଶ୍ରମ ଦେଖି ମନ୍ଦାକିନୀ ସତର୍କ କରିଦେଲେଣି–ଭୋଟ ଅପେକ୍ଷା ନିଜ ଶରୀର ବଡ଼ ଶରୀରକୁ ଟିକେ ଦେଖ ।

 

ମନ୍ଦାକିନୀ ପ୍ରଶ୍ନରେ ହସିଛନ୍ତି ମନ୍ଦରଧର–ହସି ଉଡ଼ାଇ ଦେଇଛନ୍ତି କହି–ନାରୀମାନଙ୍କର ପୁରୁଷ ଶରୀର ଉପରେ ସବୁଦିନେ ଗୋଟେ ମମତା ରହିଆସିଛି । ସେ ମମତାକୁ ତମେ ନିଜେ ଛାଡ଼ି ପାରୁନ ଦେଖୁଛି । ଦେଖ ଆଗ ଦେଶ କାମ ପରେ ନିଜେ, ତା’ଛଡ଼ା ଭୋଟଟା ପାଇଗଲେ–ଦେହ ଅସୁସ୍ଥି ଆରୋଗ୍ୟ ବଳେ ହୋଇ ଯିବ–ତା’ ନହେଲେ–ଡାକ୍ତରମାନେ କେଉଁ ଏବେ ଦୂରରେ-?

 

ଗାଲରେ ଶକ୍ତ ଚାପଡ଼ ଖାଇଲାଭଳି ଯନ୍ତ୍ରଣା ଅନୁଭବ କରିଛନ୍ତି ମନ୍ଦାକିନୀ । ସବୁଦିନେ ତାଙ୍କର ଏକଜିଦିଆ ଖୋଇଟା ଯା’ ନଗଲା ।

 

ଶ୍ୱେତାବି ଅନେକଥର ସେଇ କଥା ସୂଚାଇ ଦେଇ ନିରାଶ ହୋଇଛି କିନ୍ତୁ ମନ୍ଦରଧରବାବୁ ନିଜ କର୍ତ୍ତବ୍ୟରେ ମନ୍ଦର ପର୍ବତ ଭଳି ରହିଛନ୍ତି ଅଟଳ–ଅବିଚଳିତ ।

ସେଦିନ ଛାତ୍ରସଂଘ ଅଫିସରେ ବସି ଆଲୋଚନା ସେଇ କଥା ଉପରେହିଁ ହେଉଥିଲା । ବିବେକାନନ୍ଦ ଯେ ଏତେ ଶୀଘ୍ର କାହିଁକି ଏ ଅଫିସ ଖୋଲି ପକାଇଲେ ଏ ଆଲୋଚନା ନ ହୋଇଥିଲେ ହୁଏତ ଜାଣିପାରି ନଥାନ୍ତା ନୀଳକଣ୍ଠ ! ଏଥର ନୀଳକଣ୍ଠର ଧାରଣା ହେଲା–ଏ ସଂଘର ଆଦର୍ଶ ଆଜି ଖାଲି ଏକ ଆବାଜ୍‍ । ସରକାରୀ ଦଳରୁ ସାହାଯ୍ୟ ପାଉଛି ବିବେକାନନ୍ଦ । ସରକାରୀ ଦଳର ଯୁବକଙ୍କୁ ଭର୍ତ୍ତି କରିବା ଲାଗି ଏ ସଂଘ ନେଇଛି ଜନ୍ମ ।

କଥାଟା ଚିନ୍ତା କରି ନୀଳକଣ୍ଠ ଟିକିଏ ଦୁଃଖିତ ହୋଇପଡ଼ିଲା–କିନ୍ତୁ ବିବେକାନନ୍ଦଙ୍କୁ ପ୍ରତିବାଦ କରିପାରିଲା ନାହିଁ । କଥାଟାର ଗତିଟା କେଉଁ ଆଡ଼କୁ ଯାଉଛି ଜାଣିବାକୁ କିଛି ସମୟ ବିଶ୍ରାମ ନେଲା ସେ ।

ନୀଳକଣ୍ଠ ମତିଗତି ଉପରେ ସନ୍ଦେହ କରି ବିବେକାନନ୍ଦ କହିଲେ ଦେଖନ୍ତୁ, ସରକାରୀ ଦଳ ଆମକୁ ଆର୍ଥିକ ସାହାଯ୍ୟ କରିବାକୁ ସ୍ଵୀକୃତି ଦେଇଛନ୍ତି । ଏଥର ସେମାନଙ୍କ ବିଜୟ ଆମ୍ଭମାନଙ୍କର ବିଜୟ ବୋଲି ବିଚାରିବାକୁ ହେବ । ଆମକୁ ସେଥିଲାଗି ଅକ୍ଳାନ୍ତ ପରିଶ୍ରମ କରିବାକୁ ହେବ, ବୁଝିଲେ–ତା’ ନହେଲେ ଆମର ଏ ସଂଗଠନ ବଞ୍ଚି ରହି ପାରିବ ନାହିଁ–ନା, କ’ଣ କହୁଛ ସୁଧାକରବାବୁ !

ସୁଧାକର ହସି ହସି ସମ୍ମତି ଦେଲା ।

ସୁଧାକର ଛଦ୍ମବେଶଟା ଉପରେ ଆଖି ପକାଇ ମନେମନେ ପ୍ରମାଦ ଗଣିଲା ନୀଳକଣ୍ଠ–ସୁଧାକର ବି ସେଇ ଦଳର ଲୋକ ! ଓଃ ସେଇଥିପାଇଁ ସେ ତାକୁ ତା’ହେଲେ କରଗତ କରିବାକୁ ଚେଷ୍ଟା କରୁଛି ।

ନୀଳକଣ୍ଠ ଆହୁରି କିଛି ଶୁଣିବାକୁ ଧୈର୍ଯ୍ୟ ଧରିଲା, ଏଥର ସୁଧାକର ଆରମ୍ଭକଲା–ଦେଖନ୍ତୁ ମିଃ ମଙ୍ଗରାଜ କହିଛନ୍ତି ସେ ଆମ ଇଉନିୟନର ମୁଖପତ୍ର ପ୍ରକାଶ କରିବା ଲାଗି ତାଙ୍କ ପ୍ରେସରେ ବିନା ମୂଲ୍ୟରେ ଛାପି ଦେବେ । ପତ୍ରିକାଟା ପ୍ରକାଶ ହେଲେ ସମ୍ପାଦକ ଆପଣଙ୍କ ପରି ସାହିତ୍ୟିକ ଛଡ଼ା ଆଉ କିଏ ହୋଇପାରେ ? ତା’ଛଡ଼ା ଅଫିସ ମେନେଜମେଣ୍ଟ କରିବାକୁ ସେ କିଛି ଟଙ୍କା ଦେବେ । ଏସବୁ ଛାଡ଼ି ଆମେ ଏତେବେଳେ ନିରବ ରହିବା କମ୍‍ ବୋକାମିର କଥା, ନୁହେଁକି-!! ନୀଳକଣ୍ଠ ହସିଲା–

ବିବେକାନନ୍ଦ କହିଲେ–ହଁ ହଁ, ଏ ସୁବର୍ଣ୍ଣସୁଯୋଗ କିଏ ଛାଡ଼େ ? ସୁଯୋଗଟା ହାତମୁଠାକୁ ଥରେ ଆସେ, ତାକୁ ଛାଡ଼ିଦେଲେ ଆଉ ଆସେନା ! ତା’ଛଡ଼ା ସେମାନଙ୍କର ବିଜୟ ହେଉ ବା ନହେଉ ଆମ କାମ କ’ଣ ଆମେ ହାସଲ କରିବାନି ! ତେବେ ସାଧାରଣ ଭାବରେ ସେମାନଙ୍କ ସହ ମିଶିବା ଆମର ଏକାନ୍ତ କର୍ତ୍ତବ୍ୟ । ତା’ ନହେଲେ ଏ ଶିଶୁ ଅନୁଷ୍ଠାନ ବଞ୍ଚିବ କିପରି-?

ଏଥର ନୀଳକଣ୍ଠ ନିଜର ସମସ୍ତ ଧୈର୍ଯ୍ୟ ହରାଇ ବସିଲା । ସେ ନିଜକୁ ଯଥା ସମ୍ଭବ ଗମ୍ଭୀର କରି କହିଲା ମୁଁ ଏ ସବୁକୁ ଆଦୌ ପସନ୍ଦ କରେନା ! ଆମର ନୀତି ହେଲା–ରାଜନୀତିର ଊର୍ଦ୍ଧ୍ଵରେ ରହି ଦେଶ ଜାତିର ଉପକାର କରିବା । ଅଥଚ ଆପଣମାନେ ଏସବୁ ଛାଡ଼ି ଦେଉଛନ୍ତି ଯେ-! ତା’ ଫଳରେ ଆମର ନୈତିକ ବଳ ହ୍ରାସ ହେବନିତ ?

ହେ-ହେ-ହେ, ନୈତିକ ବଳ ହ୍ରାସ ହେବ ? ବିବେକାନନ୍ଦ ହସି ଉଠି କହିଲା–ଏହାଦ୍ଵାରା ନୈତିକ ବଳ କମେନି ବରଂ ବଢ଼େ । ସମ୍ମାନ ବଢ଼େ । ଚୋରକୁ ଚୋର କହି ଜେଲ ଦେବାରେ ଯେଉଁ ନୈତିକ ବଳ ବଢ଼ିବ ବୋଲି ଆପଣ ବିଶ୍ୱାସ କରନ୍ତି ତାକୁ ମୁଁ ଘୃଣା କରେ ।

ଆଉ ଚୋରକୁ ସାଧୁ ବୋଲି କହିବାରେ ଆପଣ ଏତେ ଆଗୁଆ ବୋଲି କ’ଣ ମୋର ଧାରଣା ଥିଲା ?

ସୁଧାକର କହିଲା ଆପଣ ଚିନ୍ତାକରି ଦେଖନ୍ତୁ, ଏଇଟା ହେଲା ରାଜନୀତି କଥା ହାର୍‍ ଜିତ୍‍ ଲାଗିଛି । ତେବେ ଆମେ ଖାଲି ନାକୁ ମାତ୍ର ସାହାଯ୍ୟ କରିବା, ଏଥିରେ ନୈତିକ ବଳ କ’ଣ ଯେ କମିବ ତା’ ମୁଁ ବୁଝିପାରୁନି ? ଆମେତ ରାଜନୀତି କରୁନେ ଯେ କମିବ ।

 

ନୀଳକଣ୍ଠ କର୍କଶ ଗଳାରେ କହିଲା–ରାଜନୀତି କଲେତ ଭଲ କଥା କିନ୍ତୁ ଏ ସଂକୀର୍ଣ୍ଣତାରେ ରାଜନୀତି କରି କି ଫାଇଦା ! କେଉଁ କୂଳର ନହୋଇ ସଂଗଠନ ଯିବ, ଅପଦସ୍ତ ହେବ । ମୋର ମତ କିନ୍ତୁ ଏସବୁର ବିପକ୍ଷରେ । ଯଦି ରାଜନୀତିର ଊର୍ଦ୍ଧ୍ୱରେ ରହିବା ତା’ହେଲେ ତାହାହିଁ ହେବ ଆମର ଚୂଡ଼ାନ୍ତ ଆଭିମୁଖ୍ୟ । ଯଦି ରାଜନୀତି କରିବା ତା’ହେଲେ ଏ ଛାତ୍ରମାନଙ୍କୁ ଆମେ କାହିଁକି ଏକତ୍ରିତ କରି ତାଙ୍କ ଜୀବନକୁ କଳୁଷିତ କରିବା ? ଆମ କେଇଜଣଙ୍କ ଲାଗି ସେମାନେ କାହିଁକି ନିନ୍ଦିତ ହେବେ–ଏଥିଲାଗି କ’ଣ ସେମାନେ ଆମଙ୍କୁ ନିର୍ବାଚିତ କରିଛନ୍ତି ? ହଁ, ଯଦି ଏହା କରିବାକୁ ଇଚ୍ଛା ତା’ହେଲେ ଛାତ୍ର ସଭା ମୁଁ ଡାକୁଛି, କଥାଟା ପକାଇ ସାବ୍ୟସ୍ତ କରିନେବା–ତା’ପରେ ଆମର ଆଗାମୀ ପଦକ୍ଷେପ ଆରମ୍ଭ କରିବା । କିନ୍ତୁ ଏହା ବ୍ୟତୀତ ମୁଁ କୌଣସିମତେ ଆପଣମାନଙ୍କ ମତରେ ଏକମତ ନୁହେଁ । କାରଣ ଆମକୁ ସେମାନେ ନିର୍ବାଚିତ କରିଛନ୍ତି କ’ଣ ଏଇଥିଲାଗି ?

 

ଏକାଥରକେ ଏତକ କହି ନିଃଶ୍ଵାସ ନେଲା ନୀଳକଣ୍ଠ । ଝିମିଟି ଖେଳରୁ ମହାଭାରତ ଯୁଦ୍ଧ ସୃଷ୍ଟି ହେବା ଭୟରେ ବିବେକାନନ୍ଦ କହିଲେ ତା’ହେଲେ ଛାଡ଼ ସେ କଥା । ତେବେ କୁହନ୍ତୁ ଦେଖି ଏ ସଂଗଠନ ଚାଲିବାକୁ ହେଲେ ଅର୍ଥ କେଉଁଠୁ ଆସିବ ?

 

–ତା’ ଆପଣମାନେ ଚିନ୍ତା କରନ୍ତୁ । ଆମେ ସ୍ୱାଧୀନ ମନ ନେଇ ଗଲେ ମୋ ବିଶ୍ୱାସ, ସମସ୍ତେ ଆମକୁ ସାହାଯ୍ୟ କରିବେ । ଚାଲନ୍ତୁ, ଥରେ ଚେଷ୍ଟା କରିବା । ଆଉ କିଛି ଚେଷ୍ଟା ନ କରି ଯେନତେନ ପ୍ରକାରେଣ ଟଙ୍କା ଆଣିବା ପାଇଁ ଅପଚେଷ୍ଟା କରିବା ବାସ୍ତବିକ୍‍ ସ୍ମୃହଣୀୟ ହେବନି ।

 

ସୁଧାକର କହିଲା–ଆଚ୍ଛା, ଆପଣ ଚେଷ୍ଟା କରନ୍ତୁ ଦେଖି ।

 

–ଆଉ ଆପଣ ?

 

ଆମେତ ଅନେକଥର ଚେଷ୍ଟା କରି ବିଫଳ ହୋଇଛୁ ।

 

–ଓଃ, ସେଇଥିପାଇଁ ଆପଣ ବିଚଳିତ ହୋଇ ଏ କଥା କରିବାକୁ ବାହାରିଲେ, ନାହିଁ !!! ହଉ ହଉ ହେଲା, ଯଦି ଟଙ୍କା ନ ମିଳିବ ତା’ହେଲେ ଆମେ ଛାତ୍ରମାନଙ୍କଠାରୁ ଚାନ୍ଦା ସଂଗ୍ରହ କରିବା; ଦେଖିବା ସେଥିରେବି କିଛି ଯଦି ହୋଇପାରେ ।

 

ବିବେକାନନ୍ଦ ଏଥର ବିରକ୍ତ ହୋଇ ଯାଇଥିଲେ । ସେ ସହସା କହିଲେ ଆପଣ ଏସବୁ ନୀତିଗତି କଥା କହୁଛନ୍ତି କଣ୍ଠବାବୁ ! ବାସ୍ତବ ଦିଗରେ ଆପଣଙ୍କର ଅଭିଜ୍ଞତା ଖୁବ୍‍ ସ୍ଵଳ୍ପ, ବୁଝିଲେ ! ଛାତ୍ରମାନଙ୍କଠାରୁ ଚାନ୍ଦା ଆଦାୟ କରିବା ଯେ କେତେଦୂର କଷ୍ଟ ତା’ ଆପଣ ଜାଣନ୍ତି ନାହିଁ । ମୁଁ ମୋ ବ୍ୟକ୍ତିଗତ ଅଭିଜ୍ଞତା କହିବି–ସମସ୍ତେ ଦେବାକୁ ପ୍ରତିଶ୍ରୁତି ଦେବେ ଶ୍ରୁତି ଶୁଣିବ କିନ୍ତୁ ‘ଦେଲେ’ ଆଉ ହେବ ନାହିଁ । ସେ ଭବିଷ୍ୟତ ‘ଦେବେ’ରେ ରହିଯିବ । ତେବେ ଯଦି ଆପଣ କହୁଛନ୍ତି ଥରେ ଚେଷ୍ଟା କରନ୍ତୁ ।

 

ସମ୍ମତି କଲା ନୀଳକଣ୍ଠ । ଦେଖିବା ଆମରତ ଏତେ ଜରୁରୀ ଟଙ୍କା ଦରକାର ପଡ଼ୁନି ।

 

ବିବେକାନନ୍ଦ ହସିଲେ–ସୁଧାକରବି । ସେ ଦୁଇଜଣଙ୍କର ହସଟା ଯେମିତି ଶେଳଘାତ କଲା ନୀଳକଣ୍ଠ ବକ୍ଷରେ । ସେ ବିବ୍ରତ ହୋଇ କହିଲେ–ଆପଣମାନଙ୍କର ବ୍ୟସ୍ତ ହେବା ଆବଶ୍ୟକ ନାହିଁ । ମୁଁ ତା’ର ବ୍ୟବସ୍ଥା କରୁଛି ।

 

–ତା’ହେଲେ ଆମେ ଆସୁଛୁ ?

 

–ଆସନ୍ତୁ !

 

ସୁଧାକର ବିବେକାନନ୍ଦ ଚାଲିଗଲେ । ହୁଏତ ବାଟରେ ସେମାନେ ଏ ବିଷୟରେ ଆଲୋଚନା କରିପାରନ୍ତି । ଏ ଆଲୋଚନାବି ଛାତ୍ରମାନଙ୍କ ଭିତରେ ପଡ଼ିବ । ଛାତ୍ରମାନଙ୍କୁବି ଏପ୍ରକାର ମନ୍ତ୍ରଣାବଶ ସେମାନେ କରିବେ ନିଶ୍ଚୟ, ତେବେ ଦେଖାଯାଉ...ନୀଳକଣ୍ଠ ଚିନ୍ତା କରୁଥିଲା ଏ ଆଲୋଚନା ଯଦି ଏତିକିରେ ବନ୍ଦ ନ ହୁଏ ନିଶ୍ଚୟ ଛାତ୍ରସଂଘର ଯେ ଯବନିକା ପଡ଼ିବ ଏ ନିଃସନ୍ଦେହ ।

 

ନୀଳକଣ୍ଠ ଅଫିସ ବନ୍ଦ କଲା ।

 

ଝଡ଼ ଉଠିଛି...ଅଶାନ୍ତ ଏକ ଝଡ଼ । ଏ ଝଡ଼ କିନ୍ତୁ ଭାରତର ଆକାଶରେ ଉଠିନି, ଉଠିଛି ଭାରତର ରାଜନୀତି ଆକାଶରେ । ତୃତୀୟ ନିର୍ବାଚନର ଝଡ଼ ।

 

ନିର୍ବାଚନ ସମୟଟା ଯେତେ ନିକଟ ହୋଇ ଆସିଛି ପ୍ରାର୍ଥୀମାନଙ୍କର ଭୋଟ ପ୍ରଚାର ସେତେ ସରଗରମ ହୋଇ ଉଠୁଛି । ବହୁ କଷ୍ଟରେ ଗଚ୍ଛିତ କରିଥିବା ଟଙ୍କାଗୁଡ଼ାକ କେଇ ମିନିଟ୍‍ ଭିତରେ ହସ୍ତାନ୍ତର ହୋଇ ଯାଉଛି । ତଥାପି ଆପ୍ରାଣ ଚେଷ୍ଟା କରି ଯେନତେନ ପ୍ରକାରେଣ ଜିତି ଯିବାକୁ ସେମାନଙ୍କର ଅକୁଣ୍ଠ ଆଗ୍ରହ । ନିଜର, ନିଜ ପାର୍ଟିର ଇସ୍ତାହାର ସହ ସଭା, ସମିତି କରିବାରେ ସେମାନେ ବିବ୍ରତ ।

 

ଏଇ କେଇଦିନ ହେବ ମନ୍ଦରଧରବାବୁ ଘରକୁ ଫେରିବାକୁ ବି ସମୟ ପାଉନାହାନ୍ତି, ବିରାଟ ଏକ ଏରିୟାରେ ସେ ସରକାରୀ ଦଳର ସାମ୍ମୁଖ୍ୟ ଯୁଦ୍ଧ କରୁଛନ୍ତି । ଏ ଯୁଦ୍ଧରେ ଯେପରି ନିଶ୍ଚୟ ଜିତିବେ । ସେଥିଲାଗି ସଭା, ଶୋଭାଯାତ୍ରା, କରିବାକୁ ତାଙ୍କର ସମୟବି ନାହିଁ । ସବୁବେଳେ ଖାଲି ଭାଷଣ–ଦାନ–ଆଉ କର୍ମ । ସଂଗ୍ରହ...ମନ୍ଦରଧରବାବୁଙ୍କର ନିଶ୍ଚିତ ବିଶ୍ୱାସ ବିରାଟ ଭାଷଣ ଦେଲେ, ଦାନ ଖଇରାତି କରି କର୍ମୀ ସଂଗ୍ରହ କଲେ ଜିତାପଟଟା ଚିତାକାଟି ସେ ନେଇଯିବେ ।

 

ଆଉ ସରକାରୀଦଳ !

 

ସରକାରୀ ଦଳର ଧନ ଅଛି, ଗଣ୍ଡା ଗଣ୍ଡା ମଟର ଗାଡ଼ି ଅଛି, କିନ୍ତୁ ଭାଷଣ ଦେବାର ନାହିଁ କିଛି । ବରଂ ସବୁ ସଭାରେ ସେ ଭାଷଣ ପରିବର୍ତ୍ତେ ଅନେକ ପ୍ରଶ୍ନ ବାଣକୁ ସାମନା କରିବାକୁ ପଡ଼ୁଛି । ବେଳେ ବେଳେ ବି ଭାଷଣ ନ ଦେଇ ପାରି ସଭା ଭାଙ୍ଗିଦେବାକୁ ବାଧ୍ୟ ହେଉଛନ୍ତି–ଯେଉଁଠାରେ ମନ୍ଦରଧରବାବୁଙ୍କ ଦଳରେ ଲୋକେ ବେଶୀ ଅଛନ୍ତି ।

 

ତଥାପି ସେ ସ୍ଥାନରୁ କ’ଣ ସେ ଭୋଟ ଭଳି ଅମୂଲ୍ୟ ସମ୍ପଦ ପାଇବାର ମୋହକୁ ଜଳାଞ୍ଜଳି ଦେଇ ପାରିବେ ? ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି–ସଭା କରି କି ଲାଭ ଅଛି–ନିଅ, ଟଙ୍କା ନେଇ ମଣିଷ ମୁଣ୍ଡଗୁଡ଼ାକ କିଣିଆଣ । ଭୋଟ ପାଇବା ନାହିଁ ? ଭୋଟ ପାଇବାକୁ ହେଲେ ଭାଷଣର କି ପ୍ରୟୋଜନ ? ଖାଲି ନୋଟ୍‍ ଦରକାର–ସେତିକି ହେଲେ ଭୋଟ ଅଲବତ୍‍ ମିଳିବ ।

ଆଉ ଲୋକେ ?

ସେମାନଙ୍କ ଭାଗ୍ୟଚକ୍ରରେ ମକର-ମଙ୍ଗଳ ଯୋଗ ପଡ଼ିଛି । ଯେଉଁମାନେ କେବଳ ଚାଲାଖ ଲୋକ, ଟାଉଟରି କରି ପାରନ୍ତି, ସେମାନଙ୍କ ଲାଗି ଏସବୁ ଗୋଟେ ଗୋଟେ ସୁବର୍ଣ୍ଣ ସୁଯୋଗ ଜୁଟିଛି । ଟାଉଟରି କରି ଉଭୟ ଦଳରୁ କିଛି ଟଙ୍କା ଗର୍ଭସାତ କରିବାରେ ପଛାଉ ନାହାନ୍ତି-। ଫଳରେ ତାଙ୍କ ଲାଗି ଦେଶର ଅଜ୍ଞ ଲୋକ ଚୂଡ଼ାନ୍ତ ବିଚାର ଟଳମଳ ହୋଇ ପଡ଼ୁଛି କେତେବେଳେ ସେମାନେ ଏ ପାର୍ଟିର ସପକ୍ଷରେ କେତେବେଳେ ବିପକ୍ଷରେ ତାତି ଉଠୁଛନ୍ତି-

ପ୍ରତି ସଭାରେ ଏଇ କଥା ଲକ୍ଷ୍ୟ କରୁଛି ନୀଳକଣ୍ଠ । ତା’ର ଧାରଣା ହେଉଛି ଗଣତନ୍ତ୍ର ରାଷ୍ଟ୍ରରେ ଏସବୁ ଭୋଟ ନାମରେ ଗୋଟାଏ ପ୍ରହସନ ଚାଲିଛି ଗଣତନ୍ତ୍ରର ବାହାଦୁରି ନେଇ ପୁଞ୍ଜିବାଦକୁ ବଞ୍ଚାଇ ରଖିବାକୁ ଏକପ୍ରକାର ଷଡ଼ଯନ୍ତ୍ର ଚାଲିଛି ।

ଦୋଷୀ ଖାଲି ସରକାର ନୁହେଁ, ବିରୁଦ୍ଧ ଦଳ ନୁହେଁ, ଟାଉଟର ନୁହେଁ, ଏଥିପାଇଁ ପ୍ରତ୍ୟେକଙ୍କୁ ଦୋଷୀ ରୂପରେ ସାବ୍ୟସ୍ତ କରୁଛି ନୀଳକଣ୍ଠ ! ପ୍ରତ୍ୟେକଙ୍କର ଦୋଷରେ କିଞ୍ଚିତ ଅଂଶ ଅଛି । କାରଣ ସେମାନେ ସବୁଜାଣି ଯଦି ଏଭଳି ହୁଅନ୍ତି ତା’ହେଲେ ଫଳ କ’ଣ ହେବ ?

ଅନେକ ସଭାରେ ନୀଳକଣ୍ଠ ଖୋଲା ଖୋଲି କରି ସବୁକଥା କହିଛି–କିନ୍ତୁ ଅବିଶ୍ୱାସୀ ଲୋକେ ତାକୁ କ’ଣ ପସନ୍ଦ କରୁଛନ୍ତି ? ବରଂ ଯୁକ୍ତିରେ କାଟୁଛନ୍ତି–ଗାଦି ପାଇଲେ ସମସ୍ତେ ସିମିତି ହେବେ !

 

ନିରାଶ ଆଉ ବିରକ୍ତ ହୋଇ ନୀଳକଣ୍ଠ ଅତିଷ୍ଠ ହୋଇଉଠିଛି–ତଥାପି ଧୈର୍ଯ୍ୟ ଧରିବାକୁ ପଡ଼ିବ । ଲୋକଙ୍କୁ ବୁଝାଇବାକୁ ପଡ଼ିବ ! ପଡ଼ିବ ! ଲୋକେ ନ ବୁଝିବା ପର୍ଯ୍ୟନ୍ତ ଏମିତି ଖାଲି ତାକୁ ନୁହେଁ ଅନେକଙ୍କୁହିଁ ନିରାଶରେ ଶରଶଯ୍ୟା ପାତିବାକୁ ପଡ଼ିବ । ଯେ ପର୍ଯ୍ୟନ୍ତ ଲୋକେ ନିଜକଥା ନିଜ ଦେଶକଥା ଚିନ୍ତାକରି ଶିଖିନାହାନ୍ତି–ସେପର୍ଯ୍ୟନ୍ତ ଏ ନିର୍ବାଚନ ସବୁ ଖାଲି ପ୍ରହସନ ସିନା !

 

ତଥାପି ନୀଳକଣ୍ଠ ସଭା ସମିତିରେ ଗୁରୁ ଗମ୍ଭୀର ଭାଷଣ ଦେଉଛି । କାରଣ ନୀତି ଦେଖିବାକୁ ଗଲେ ସର୍ବନାଶ ହେବ । ତା’ର ପ୍ରଥମ କର୍ତ୍ତବ୍ୟ ମନ୍ଦରଧର ବାବୁଙ୍କର ବିଜୟ । ମନ୍ଦରଧର ବାବୁଙ୍କ ଲାଗି ତାକୁ ଧୈର୍ଯ୍ୟ ଧରିବାକୁ ପଡ଼ିବ । ତାକୁ ମୁକ୍ତ କଣ୍ଠରେ ଆହୁରି ଭାଷଣ ଦେବାକୁ ପଡ଼ିବ । ସରକାରୀ ଦଳକୁ ଗାଳି ଦେବାକୁ । ସରକାରୀ ଦଳ ବିରୁଦ୍ଧରେ ମିଥ୍ୟା କଥା କହି ଲୋକଙ୍କୁ ଭୁଲାଇବାକୁ ପଡ଼ିବ । ମନ୍ଦରଧର ବାବୁଙ୍କ ଲାଗି ତାକୁ ନୀତିଭ୍ରଷ୍ଟ ହେବାକୁ ପଡ଼ିବ । କାରଣ ନୀତିଭ୍ରଷ୍ଟ ନହେଲେ କେହି ନେତା ହୋଇନି, କେହି ନେତାକୁ ବଞ୍ଚାଇ ପାରିନି ।

 

ଖରା ତେଜଟା ମହଳଣ ପଡ଼ିଗଲାଣି ନିଶ୍ଚୟ । ତଥାପି ନୀଳକଣ୍ଠର ଉଠିବାକୁ କାହିଁକି ଆଗ୍ରହ ହେଉନି । ଦୀର୍ଘ ଆଠଦିନ ବାହାରେ ବୁଲି କ୍ଳାନ୍ତ ଅବସନ୍ନ ହେବାପରେ ଆଜି ଫେରି ସୁଖରେ ଶୋଇ ଯିବାକୁ ତଥାପି କାହିଁକି ତା’ର ପ୍ରବଳ ଆଗ୍ରହ । କିନ୍ତୁ ସବୁଥିରେ କର୍ତ୍ତବ୍ୟ, ସବୁଥିରେ ବିରାଟ କର୍ତ୍ତବ୍ୟ କ’ଣ କରିବ ସେ ?

 

ସହସା ଘର ଭିତରକୁ ପଶିଆସି ଶ୍ଵେତା କହିଲା–ଆଜି କ’ଣ ଆପଣଙ୍କର କେଉଁଠି ଭାଷଣ ଦେବାର ଅଛି ?

 

–ନା–ଭାଷଣ ଦେବାକୁ ନାହିଁ ତେବେ ଗଲେ ଗ୍ରୁପମିଟିଂ କେଇଟା ସ୍ଥାନରେ କରିବା; କାରଣ ସଭା କରିବା ଅପେକ୍ଷା ଏ ମିଟିଂ ବେଶୀ କାମ ଦେଉଛି ।

 

ଶ୍ଵେତା କହିଲା–ତା’ହେଲେ ଆପଣ ନିର୍ବାଚନ ଲାଗି ଭାରି ବ୍ୟସ୍ତ ଅଛନ୍ତି; କିନ୍ତୁ ମୁଁ ଯେ...

 

–କ’ଣ ତମର ହୋଇଛି ?

 

–କିଛି ହୋଇନି, ତେବେ ଆଜି କିନ୍ତୁ ଆପଣ କୁଆଡ଼େ ଯାଇପାରିବେନି । ମୁଁ ବାବାଙ୍କୁ ବି ସେଇକଥା ଜଣାଇ ଦେଇଛି । କାରଣ ଦୀର୍ଘଦିନ ହେଲା ବାହାରକୁ ନଯାଇ ମନଟା ଭାରୀ ହୋଇଯାଇଛି । ଆଜି ଟିକେ ବଜାର ବୁଲିଯିବା, ନଈକୂଳଆଡ଼େ ।

 

ନୀଳକଣ୍ଠ କହିଲା ଯିବା ଯେ, ତେବେ ଆଜି ଦିନକ ଆମେ ଅନେକ କ୍ଷତି ସହିବାକୁ ପଡ଼ିବ, ପ୍ରସ୍ତୁତ ତ !

–କ୍ଷତି ଲାଭ ମୁଁ ହିସାବ କରୁନି । ତେବେ ଆଜି ମୁଁ ଆପଣଙ୍କୁ ଛାଡ଼ିବିନି । ମୋର ଏକାନ୍ତଭାବେ ଗୁଡ଼ାଏ କଥା ପଚାରିବାର ଅଛି ଏବଂ ଆଜି ମୁଁ ପଚାରିବି ।

 

ନୀଳକଣ୍ଠ କହିଲା–ଏଇଠି ପଚାରିଦିଅ !

 

ଶ୍ଵେତା କହିଲା–ସେତେ ଜଟିଳ ଗମ୍ଭୀର କଥା ହୋଇ ନଥିଲେ ମୁଁ ତ ପଚାରି ସାରନ୍ତିଣି-

 

ନୀଳକଣ୍ଠ କହିଲା–ତେବେ ତମେ ବାବାଙ୍କୁ ଜଣାଇଦିଅ । ମୁଁ ଯିବାକୁ ପ୍ରସ୍ତୁତ ଅଛି ।

 

ଶ୍ଵେତା ହସିଦେଇ କହିଲା–ମୁଁ ଜାଣେ ଆପଣ କଥା ମାନନ୍ତି, ତେଣୁ ବାବାଙ୍କୁ ବି ଏ କଥା ଜଣାଇ ଦେଇଛି । ଆପଣ ବ୍ୟସ୍ତ ହେବାର କିଛି ନାହିଁ । ତେବେ ଆପଣ ମୁହଁ ହାତ ଧୋଇ ନିଅନ୍ତୁ । ମୁଁ ଆସୁଛି ।

 

ଶ୍ଵେତା ଚାଲିଗଲା ।

 

ନୀଳକଣ୍ଠ ମୁହଁ ହାତ ଧୋଇ ନେବାକୁ ପଛେ ପଛେ ବାହାରିଗଲା ଗୃହରୁ ।

 

ମାତ୍ର କେଇଟି ମିନିଟ୍‍ ଭିତରେ ନିଜକୁ ଭ୍ରମଣ ଲାଗି ପ୍ରସ୍ତୁତ କରି ନେଲା ଶ୍ଵେତା । ଶ୍ଵେତାର ଏ ଭ୍ରମଣ ତତ୍ପରତା ଦେଖି ନୀଳକଣ୍ଠ ଯଥାଶୀଘ୍ର ନିଜ ବେଶ ପରିବର୍ତ୍ତନ କଲା । ମାତ୍ର କେଇଟି ମିନିଟି ପରେ ସେମାନେ ଭ୍ରମଣ ଲାଗି ବାହାରି ପଡ଼ିଲେ ।

 

କାଠଯୋଡ଼ି କୂଳରେ ସନ୍ଧ୍ୟା !

 

ସନ୍ଧ୍ୟାର ରହସ୍ୟ–ଘନ ଅନ୍ଧାରକୁ ଚାହିଁ ଚିନ୍ତା କରୁଥିଲା ନୀଳକଣ୍ଠ–ଏଥି ଭିତରେ କେତେ ପରିବର୍ତ୍ତନ ହୋଇ ଯାଇଛି ? କିନ୍ତୁ କାଠଯୋଡ଼ି କୂଳର ସନ୍ଧ୍ୟା ଦୃଶ୍ୟ ଦେଖିବାକୁ ସେମିତିତ ଦର୍ଶକ ଦର୍ଶିକା ଭିଡ଼ କରୁଛନ୍ତି ।

 

ନୀଳକଣ୍ଠ ଅନ୍ତର ଅକୁପାରରେ କ୍ଷୁଦ୍ର କ୍ଷୁଦ୍ର ଭାବନା ତରଙ୍ଗ–ଯାହା’ ସତ୍ୟ ତା’ ଚିରସ୍ଥାୟୀ ହେଉ ଯା’ ଅସତ୍ୟ...ତା’ ଉପରେ ଅଯଥା ପ୍ରାଗୈତିହାସିକ ମମତା କାହିଁକି ?

 

ନୀଳକଣ୍ଠକୁ ଭାବନାବିହ୍ଵଳ ଥିବାର ଲକ୍ଷ୍ୟକରି ଶ୍ଵେତା କହିଲା କ’ଣ ଏତେ ଭାବୁଛନ୍ତି ?

 

ନୀଳକଣ୍ଠ–ସ୍ମିତ ହସି କହିଲା–ନା, କିଛି ନାହିଁ, ବରଂ ତୁମେ କ’ଣ କହିବ କୁହ !

 

ନିଜ କଥାଟା ଶୁଣିବାକୁ ତା’ହେଲେ ନୀଳକଣ୍ଠ ଜିଦ୍‍ ଧରିଛି କିନ୍ତୁ ସେ କଥା ପ୍ରକାଶ କରିବତ । କରିପାରିବତ । ଶ୍ଵେତା ଚିନ୍ତା କରୁଥିଲା–

 

କ’ଣ କହିବ ପରା ।

 

ଶ୍ଵେତାର ଆଖି ସେତେବେଳକୁ ସଜଳ ହୋଇ ଉଠିଥିଲା । କଣ୍ଠରେ ଅସ୍ପଷ୍ଟ କମ୍ପନବି ସୃଷ୍ଟି ହୋଇଥିଲା । ଶ୍ଵେତାର ଏପ୍ରକାର ମାନସିକ ଉଦବେଗ ଦେଖି ନୀଳକଣ୍ଠ ଏକ ଅପଶକୁନ ଦେଖିଲା ଭଳି ଅସ୍ପଷ୍ଟ ଚିତ୍କାର କରି ଉଠିଲା–ଶ୍ଵେତା ! ତମେ ଯେ କାନ୍ଦୁଛ ।

 

ନିଜ ଆଖି ପାଣିକୁ ପଣତରେ ପୋଛି ବାଷ୍ପାକୁଳ କଣ୍ଠରେ ଶ୍ଵେତା କହିଲା–ଗୋଟାଏ କଥା ପଚାରିବି ସତ କହିବେତ ?

 

ନୀଳକଣ୍ଠ ହସିଦେଇ କହିଲା–ମୋ ଉପରେ ତମେ ଏପର୍ଯ୍ୟନ୍ତ ବିଶ୍ୱାସ କରୁନ ଶ୍ୱେତା ! ଛି, ମୋ’ରାଣ କୁହ ।

 

ଶ୍ଵେତା ଆଉ ଥରେ ଆଖି ପାଣିକୁ ପୋଛି କହିଲା କହିବାକୁତ ଆସିଛି, ନକହିଲେବି ଗତି କାହିଁ ? ତେବେ ଶୁଣିବାପରେ ଚମକି ଉଠିବେନି ତ ?

 

ନୀଳକଣ୍ଠ ବିରକ୍ତ ହୋଇ କହିଲା–ଏତେ ପୂର୍ବ କଥା କହିବା ଅପେକ୍ଷା ସାଧାସିଧା କହିଦିଅ । ମୋର ଯେ ଧୈର୍ଯ୍ୟହାନି ଘଟିଛି ।

 

ଶ୍ଵେତା ଏଥର ଅସମ୍ଭବ ରକମର ନିଜକୁ ଧୈର୍ଯ୍ୟ ଧରାଇ କହିଲା–ମୁଁ ଅନ୍ତଃସତ୍ତ୍ୱା ହୋଇଛି...ଆଜକୁ ଦୁଇ ମାସ ହେବ ମୁଁ ଅନ୍ତଃସତ୍ତ୍ୱା ହୋଇଛି ।

 

–‘ଅନ୍ତଃସତ୍ତ୍ୱା’ ଶବ୍ଦଟାକୁ ଆଉଥରେ ସ୍ମରଣ କରିବାମାତ୍ରେ ନୀଳକଣ୍ଠର ଦେହରେ କମ୍ପନ ପ୍ରଖର ହୋଇ ଉଠିଲା । ଏ କଥା ଏକାନ୍ତ ସତ୍ୟ କଥା ! ତା’ହେଲେ ଉ-ପା-ୟ...

 

ଶ୍ଵେତପଦ୍ମା ଖିଲି ଖିଲି ହସି ଉଠି କହିଲା–ଆରେ ଆରେ ମୁଁ ଭାବିଥିଲି ନାରୀମାନେ ଏକମାତ୍ର ଦୁର୍ବଳ । ହେ ମା ! କିନ୍ତୁ ଆପଣ ଯେ ତା’ଠାରୁ ଦୁର୍ବଳ । ଆପଣ ପୁରୁଷ ଯୁବକ ହୋଇ ଏତେ ଚଞ୍ଚଳ ହୋଇ ଉଠୁଛନ୍ତି କାହିଁକି ? ଉପାୟଟା କ’ଣ ଆପଣଙ୍କ ବଳିଷ୍ଠ ମସ୍ତକରେ ଧରାପଡ଼ୁନି-?

 

ନୀଳକଣ୍ଠ ଏକପ୍ରକାର ବୋକା ପାଲଟି ଯାଇଥିଲା ।

 

ଶ୍ଵେତା ନୀଳକଣ୍ଠକୁ ହଲାଇ ଦେଇ କହିଲା–ଏଥିଲାଗି ଦୁଇଟି ପଥ ଅଛି ? କେଉଁ ପଥଟି ଆପଣ ଉଚିତ ମନେ କରୁଛନ୍ତି ?

 

ନୀଳକଣ୍ଠ ତଥାପି ନିର୍ବାକ୍‍ ଥିଲା ।

 

ଶ୍ଵେତା କହିଲା–ମିଳନର ସ୍ମୃତିହିଁ ଗର୍ଭ । ସନ୍ତାନ ! ମିଳନର ଶେଷ ପରିଣତି ହିଁ ସେଇଆ । ଆଉ ମିଳନ ପ୍ରଚ୍ଛନ୍ନ ଉଦ୍ଦେଶ୍ୟହିଁ ସନ୍ତାନର ଜନ୍ମ ! ଏ କଥା କ’ଣ ଆପଣ ଅସ୍ଵୀକାର କରିପାରିବେ ? ତା’ଛଡ଼ା ଏ ସୁଯୋଗ କେଇଜଣଙ୍କ ଭାଗ୍ୟରେ ଜୁଟେ ? ମିଳନର ସ୍ମୃତିକୁ ସବୁଦିନେ ସଜାଗ ରଖିବାକୁ କିଏ ବା ସନ୍ତାନ ନ ଚାହେଁ ?

 

ନୀଳକଣ୍ଠ ଏଥର କଣ୍ଠ ଖୋଲିଲା । କଣ୍ଠରୁ ଜଡ଼ତା କାଟି ପରିଷ୍କାର କରି ନେଇ କହିଲା–ଉପାୟଟା କ’ଣ ଚିନ୍ତା କରିଛ ?

 

ଶ୍ଵେତପଦ୍ମା ଖୁବ୍‍ ଜୋରରେ ହସିଲା, ହସିହସି ଗଡ଼ିଗଲା ନୀଳକଣ୍ଠ ଛାତିରେ । ସେଇ ଛାତିରେ ଚିରଦିନ ଲାଗି ଶୋଇ ରହିବାକୁ ତା’ର ଯେମିତି ଉଚ୍ଚାଟ ଆଗ୍ରହ । ସେ କହିଲା–ଆପଣ ଯଦି ଚାହାଁନ୍ତି ଏ ଅପବାଦକୁ ଲୋକଗୋଚରକୁ ନେବା ନାହିଁ, ତା’ହେଲେ କୁହନ୍ତୁ ମୁଁ ବାବାଙ୍କୁ କହିଦେବି ପରିଷ୍କାର...ଯଥାଶୀଘ୍ର ଆମ ଦୁହିଁଙ୍କର ମିଳନର ପାଞ୍ଚଜନ୍ୟ ବାଜି ଉଠିବ ।

 

–“ମାନେ ?” କଥାଟା ବୁଝି ନପାରି ନୀଳକଣ୍ଠ ଚମକି ଉଠିଲା ।

 

ପୂର୍ବଭଳି ହସିହସି ଶ୍ୱେତା କହିଲା–ଆମ ଦୁହିଁଙ୍କର ବିଭାଘରଟା କରି ଦେବାକୁ ମୁଁ କହୁଛି-

 

ନୀଳକଣ୍ଠ କହିଲା ଦେଖ ବିଭାଘରରେ ମୋର ମତ ଅଛି, ତେବେ ଏତେ ଶୀଘ୍ର ! ମୋର ବାବା, ମାଆ, ଭାଇ ପ୍ରଭୃତି ଅଛନ୍ତି । ସେମାନଙ୍କର ଗୋଟାଏ ମତାମତ ତ ଅଛି ?

 

ଶ୍ଵେତା କହିଲା–ଆପଣ ମତେ ପ୍ରତିଶ୍ରୁତି ଦିଅନ୍ତୁ ତା’ପରେ ଯଦି ଆଉ କେଇ ମାସ ଅପେକ୍ଷା କରିବାକୁ ଚାହୁଁଛନ୍ତି, ତାହେଲେବି କୁହନ୍ତୁ–ମୁଁ ପ୍ରସ୍ତୁତ ଅଛି । ଯେଉଁ ଅବାଞ୍ଛିତକୁ ଏ ଧୂଳିଧୂସରିତ ଧରଣୀର ଆଲୋକ, ପାଣି ପବନ ଆଡ଼କୁ ମୁଁ ଟାଣିଆଣି ଥାଆନ୍ତି ତାକୁ ସେଇ ଗର୍ଭକୋଷ ଭିତରେ ଶେଷ ସମାଧି ଦେଇଦେବି । ଏଥିଲାଗି ବିଶେଷ ପରିଶ୍ରମ ବା ଅର୍ଥ ପଡ଼ିବନି । ସାମାନ୍ୟ କେତେଟା ଇଞ୍ଜେକ୍‍ସନ୍‍, କେତେଟା ଟାବଲେଟ୍‍, ବାସ୍...ଏ ବୈଜ୍ଞାନିକ ଯୁଗରେ ଏଥିଲାଗି ଅନେକ ଔଷଧ ଉଦ୍ଭାବନ ହୋଇଛି ଏ ବୈଜ୍ଞାନିକ ଯୁଗରେ ପ୍ରକୃତି ବିରୁଦ୍ଧରେ ଅସ୍ତ୍ର ତୋଳିବାକୁ ସବୁ ପ୍ରସ୍ତୁତ ହୋଇଛି ଏବଂ ଏ ଯୁଗର ଦେଶସେବୀ ଡାକ୍ତର ଏଥିଲାଗି ଏବେବି ପ୍ରସ୍ତୁତ-। ରାତିର ଘନ ନୀଳ ଅନ୍ଧକାର ଏଭଳି କେତେ ଡାକ୍ତରଙ୍କୁ ଅର୍ଥ ଯୋଗାଉଛି । କେତେ କୁମାରୀଙ୍କୁ ମାତା ହେବାର ଦୁର୍ଭାଗ୍ୟରୁ ବଞ୍ଚାଉଛି । କେତେ ଅବାଞ୍ଛିତଙ୍କୁ ଏଇ ଆଲୋକ ଓ ପାଣିଠାରୁ ଦୂରକୁ ଠେଲି ଦେଉଛି । ଏଥିଲାଗି ବ୍ୟସ୍ତ ହେବାର କ’ଣ ଅଛି ?

 

ଶ୍ଵେତାର ଏପ୍ରକାର ସ୍ପଷ୍ଟୋକ୍ତି ଶୁଣି ଧୈର୍ଯ୍ୟ ଧରିଲା ନୀଳକଣ୍ଠ । କ୍ଷଣକ ଲାଗି ତା’ ମୁଖରେ ହସର ବିଜୁଳି ଝଟକିଲା ସେ–କହିଲା, ବିବାହ ଆମ ଦୁହିଁଙ୍କର ନିଶ୍ଚୟ ହେବ । ଏଥିରେ ପୃଥିବୀର ଯେ କୌଣସି ଶକ୍ତି ଆମ ବିରୁଦ୍ଧରେ ଉଠିଲେ ସୁଦ୍ଧା ଆମକୁ ଟଳାଇ ପାରିବେନି, ତେବେ ଟିକିଏ ସମୟ ଲାଗିବ । ତେଣୁ ତମେ ଯଦି ପାର ଯଥାଶୀଘ୍ର ଏ ଅବାଞ୍ଛିତକୁ ମୁକ୍ତି ଦେଇ ଦିଅ; ତା’ର ଆଗମନ ପଥକୁ ରୁଦ୍ଧ କରିଦିଅ ଏ ଅବାଞ୍ଛିତର ଅପମୃତ୍ୟୁ ଘଟାଅ ।

 

ନୀଳକଣ୍ଠର ଏକଥା ଶୁଣି ପ୍ରଥମେ ଦୁଃଖିତ–ଶଙ୍କିତ ହୋଇଥିଲା ଶ୍ଵେତା ! ନିଜ ଗର୍ଭଜାତ ଶିଶୁକୁ ହତ୍ୟା କରିବାକୁ ଯେମିତି ମାତୃହୃଦୟ ତା’ର ଚିତ୍କାର କରୁଥିଲା । ତଥାପି ଉପାୟ ନାହିଁ । ନୀଳକଣ୍ଠକୁ ପାଇବାକୁ ହେଲେ ତାକୁ ସବୁକିଛି କରିବାକୁ ପଡ଼ିବ ।

 

ଶ୍ଵେତା ନୀଳକଣ୍ଠର କୋଳରେ ଶୋଇରହି କହିଲା–ମୁଁ ଏଥିଲାଗି ପ୍ରସ୍ତୁତ ଅଛି । ଆଉ ଏକଥା ଆମ ବାବା, ମାଆ ଜାଣିବାର ଅବ୍ୟବହିତ ପୂର୍ବରୁ ଅବାଞ୍ଛିତର ଅପମୃତ୍ୟୁ ନିଶ୍ଚୟ ହୋଇଥିବ, ଏଥିଲାଗି ଆପଣ ବ୍ୟସ୍ତ ହେବାର କାରଣ ନାହିଁ ।

 

ସନ୍ଧ୍ୟାର ଅଶାନ୍ତ ଅନ୍ଧକାରର କୃଷ୍ଣପକ୍ଷ ତଳେ ସମ୍ପୂର୍ଣ୍ଣ ଆଶ୍ରୟ ନେଇଯାଇଛି ଧରଣୀ । କାଠଯୋଡ଼ି କୂଳରୁ ଭ୍ରମଣକାରୀ ଦଳ ପ୍ରତ୍ୟାବର୍ତ୍ତନ କଲେଣି ଅନେକବେଳୁ । ଦୂରରେ ଖାନନଗର ମଶାଣିରେ ଗୋଟାଏ ଆଲୋକ ଦିଶୁଚି । ହୁଏତ କାହାର ଶେଷ ମହୋତ୍ସବ ପାଳିତ ହେଉଛି, ଏ ଅବେଳରେ ଆଉ ଏଇ ମଶାଣି ପାଖରେ ବସିବା ଉଚିତ ନୁହେଁ ।

 

ଶ୍ଵେତା କହିଲା–ଚାଲନ୍ତୁ ଯିବା ! ମା’ ଅପେକ୍ଷା କରିଥିବେ ।

 

ନୀଳକଣ୍ଠ ଉଠିଲା, ନଈବନ୍ଧ ରାସ୍ତାରେ କିଛିବାଟ ଗଲାପରେ ନୀଳକଣ୍ଠ କହିଲା–ଶ୍ଵେତା-! ତମେ ଏକୁଟିଆ ଯାଅ, ମୁଁ ଟିକେ ସଂଘ ଅଫିସ ଦେଇ ବସାରୁ ଫେରିଆସେ ।

 

ଶ୍ଵେତା କହିଲା–କାଲି ଯିବେନି !

 

ନୀଳକଣ୍ଠ ମନା କରି କହିଲା–କାଲି ସକାଳୁ ଭୋଟ ପ୍ରଚାର କରି ଯିବାକୁ ପଡ଼ିବ । କାରଣ ନିର୍ବାଚନ ନିକଟ ହୋଇଆସିଲାଣି ଯେ !

 

ଶ୍ଵେତା ଆଉ କିଛି ପ୍ରତିବାଦ କଲା ନାହିଁ ।

 

ବସାରେ ପହଞ୍ଚିଲା ନୀଳକଣ୍ଠ, ଏଥି ଭିତରେ ନିର୍ବାଚନ ପ୍ରଚାରରେ ପଶି ନିଜ ବସାକୁ ଆସିବାକୁ ଅବସର ନ ଥିଲା । ବସାରେ ପହଞ୍ଚି ସେ ଥରେ ପୂର୍ଣ୍ଣଦୃଷ୍ଟିରେ ବସାର ଚାରିକାନ୍ଥକୁ ଚାହିଁଗଲା । ବସା ଚାରିକାନ୍ଥ ଯିମିତି କହୁଥିଲେ–ନୀଳକଣ୍ଠ ! ପାଠ ପଢ଼ିବାକୁ ଆସିଥିଲୁ ତ ! ସେଇଥି ନେଇ ଆମେ ତୋତେ ଆଶ୍ରୟ ଦେଇଥିଲୁ । ଭାବିଥିଲୁ ଭବିଷ୍ୟତରେ ତୁ ବଡ଼ ମଣିଷ ହେବୁ । କିନ୍ତୁ ପାଠପଢ଼ା ଛାଡ଼ି କ’ଣ ତୁ କରୁଛୁ ! ସାମାନ୍ୟ ନାରୀ ପ୍ରେମରେ ପଡ଼ି କ’ଣ ତୁ ନ ହେଲୁ-? ନୀଳକଣ୍ଠ ! ନୀଳକଣ୍ଠ ! ଉତ୍ତର ଦେ–ଆମ ପ୍ରଶ୍ନର ଜବାବ ଦେ ।

 

ନୀଳକଣ୍ଠ କାନ୍ଦି ଉଠିଲା । ସେ କ୍ରନ୍ଦନ ଗୋଟାଏ ଅବୋଧ୍ୟ ଶିଶୁର ନୁହଁ । ଏକାନ୍ତ ଭାବେ ସଚେତନ–ଶିକ୍ଷିତ ଯୁବକର ।

 

କିନ୍ତୁ କାନ୍ଦିବାର ଏ ସମୟ ନୁହଁ । ଆହୁରି ସମୟ ଅଛି–ଏଇତ ମାତ୍ର ଏ କ୍ରନ୍ଦନର ଆରମ୍ଭ !

 

ନୀଳକଣ୍ଠ ନିଜ କେଶଗୁଚ୍ଛକୁ ଓପାଡ଼ିବାର ଅପଚେଷ୍ଟା କରୁ କରୁ ଭାବୁଥିଲା–ବଡ଼ ହେବାକୁ ପାଗ ଭିଡ଼ିଥିଲି–ଭାଗ୍ୟ ସହିତ ସଂଘର୍ଷ କରୁଥିଲି । କିନ୍ତୁ ପରିସ୍ଥିତି ମତେ କ’ଣ ନକଲା ! ଏଣିକି ଉପାୟ ?

 

ନିଜ ମନକୁ ସଂଯତ କରି ଉପାୟ ସ୍ଥିର କଲା ନୀଳକଣ୍ଠ–ତାକୁ ଏ ବସା, ଏ ସହର ଛାଡ଼ି ଯିବାକୁ ପଡ଼ିବ । ଏ ସହରରେ ରହି ତା’ର ନୀତିଭ୍ରଷ୍ଟ ହୋଇଛି । ତା’ ସୁନାମରେ କଳଙ୍କ ଲାଗିଛି । ଏ ଅଭିଶପ୍ତ ସହର ବିଷ ନିଃଶ୍ଵାସରେ ସେ ଊର୍ଦ୍ଧ୍ୱଶ୍ୱାସ ହୋଇପଡ଼ିଛି । ନା, ନା ତାକୁ ଏଇ ମୁହୂର୍ତ୍ତରେହିଁ ପ୍ରସ୍ତୁତ ହେବାକୁ ପଡ଼ିବ । ଏ ସହରରେ ସିଏ ଆଉ ଦଣ୍ଡେ ନିମିଷେ ରହିପାରିବ ନାହିଁ । ଏ ସହରରେ କେହି ସାଧୁ ରହି ନ ପାରନ୍ତି...ଏ ସହରର ଧମନୀରେ ଯେଉଁ ବିଷରକ୍ତ ପ୍ରବାହିତ ହେଉଛି, ସେ ରକ୍ତ ନଷ୍ଟ କରିଦେବ ତା’ ଜୀବନ । ଧ୍ୱଂସ କରିଦେବ ତାକୁ, ନୀଳକଣ୍ଠ ତଡ଼ିତ ଗତିରେ ଆଗେଇଲା । କ୍ଷିପ୍ର ହସ୍ତରେ ନିଜ ବିଛଣାପତ୍ର, ବହିପତ୍ର ସଜାଡ଼ି ନେଲା । ଏସବୁ ଧରି ସେ ଚାଲିଯିବ । ଏଇ ଦଶଟା ଗାଡ଼ିରେହିଁ ତାକୁ କଟକ ସହର ଛାଡ଼ିବାକୁ ପଡ଼ିବ । ତା’ ନହେଲେ ତା’ର ନିସ୍ତାର ନାହିଁ, ତା’ର ମୁକ୍ତି ନାହିଁ ।

 

ଗାଡ଼ି ଆସିବାର ସମୟ ହୋଇଆସିଛି । ହୁଏତ ଶ୍ରୀଘ୍ର ନଗଲେ ବିପଦ ସୁନିଶ୍ଚିତ । ନୀଳକଣ୍ଠ ଥରେ ପୂର୍ଣ୍ଣ ଏବଂ ଦୟନୀୟ ଚାହାଁଣିରେ ତା’ ପ୍ରିୟ ବସା ଘରକୁ ଚାହିଁନେଲା । ତା’ପରେ କେଉଁ ଏକ ଅଜଣା ଦେବତା ଉଦ୍ଦେଶ୍ୟରେ ଦି’ଟୋପା ଲୁହ, ଆଉ ଏକ ପ୍ରଣତି ଢାଳିଲା । ତା’ପରେ ଆଉ କିଛି ଜିନିଷ ଛାଡ଼ି ଯାଇଥିବା ଆଶଙ୍କାରେ ଘରଟିକୁ ପରିଷ୍କାର ଭାବେ ଦେଖିନେଲା ।

 

ବାହାରେ ରିକ୍ସାବାଲା ଘଣ୍ଟି ବଜାଉଛି, ବୋଧେ ଗାଡ଼ି ସମୟ ହୋଇଯିବାର ଜାଣି ସେ ବି ଚଞ୍ଚଳ ହୋଇଉଠିଛି ।

 

ନୀଳକଣ୍ଠ ଆଖିରୁ ଲୁହ ପୋଛିଲା । ଭବିତବ୍ୟ, ଭବିତବ୍ୟ ।

 

ତା’ପରେ ସେଇ ବସାର ଚାରିକାନ୍ଥ ଉଦ୍ଦେଶ୍ୟରେ ଅସ୍ପଷ୍ଟ ଉଚ୍ଚାରଣ କଲା–କ୍ଷମା ଦେବ, ମୋର ତମେ ଯେଉଁ ଉପକାର କରିଛ, ତାକୁ ସୁଝିପାରିବି ନାହିଁ । ମୋର ବି ବଡ଼ପଣ ଅପୂର୍ଣ୍ଣ ରହିଗଲା ।

 

ଆଉ ଅଧିକ କହିବାକୁ ନୀଳକଣ୍ଠର ଧୈର୍ଯ୍ୟ ନଥିଲା ।

 

ବସାଦ୍ୱାରକୁ ସେ ସଜୋରେ ବନ୍ଦ କରି ପାଗଳଙ୍କ ଭଳି କାନ୍ଦି କାନ୍ଦି ବାହାରି ପଡ଼ିଲା ବଡ଼ ହେବାର ସମସ୍ତ ଗୌରବକୁ ଜଳାଞ୍ଜଳି ଦେଇ, ପିପାସିତ ଆତ୍ମାକୁ ଆହୁରି ପିପାସିତ କରି ।

 

କିଏ ଜାଣେ କ’ଣ ଅଛି ତା’ର ଭଗ୍ୟଚକ୍ରରେ ???

 

–ଦୁଇ–

 

ଆକାଶରୁ ଦିନାନ୍ତର ରଙ୍ଗ ଲିଭି ଲିଭି ଆସିଛି । ଲିଭି ଲିଭି ଆସିଛି ନୀଳକଣ୍ଠର ମନ ଆକାଶରୁ ବଡ଼ଲୋକ ହେବାର ରଙ୍ଗ, ଧୀରେ, ବଡ଼ ନିଷ୍ଠୁର ଭାବେ ।

 

ନୀଳକଣ୍ଠର ଏ ଅପ୍ରତ୍ୟାଶିତ ମତ ପରିବର୍ତ୍ତନ ଦେଖି ବିବ୍ରତ ହୋଇଛନ୍ତି ଧନଞ୍ଜୟ । ହତାଶର ଦୀର୍ଘଶ୍ଵାସ ପକାଇ ମଥାରେ କର ଦେଇଛନ୍ତି ! ବ୍ୟଥିତ–ଦୁଃଖିତ ହୋଇଛନ୍ତି ଭାଇ ନୀଳାମ୍ବର । ନିଜ ପେଟରୁ କାଟି ଅର୍ଥ ଯୋଗାଇବା ତାଙ୍କର ଯିମିତି ବିଫଳ ହୋଇଛି ।

 

ବିରାଟ ଆଶା କୋଣାର୍କ ତାଙ୍କର ଯିମିତି କାହାର ଅଭିଶାପରେ ଧୂଳିରେ ଲୋଟି ଯାଇଛି । ଫିଟିଯାଇଛି ଯିମିତି ଏକ ଅଶାନ୍ତ ବତାଶ ନୀଳକଣ୍ଠର ପରିବାର ଆକାଶରେ ।

 

ଆଉ ବୃଦ୍ଧାମାତା ! ହିତୈଷୀଣି ଭାଉଜ !

 

ନିଜ ଜୀବନର ସୁଖ ସଳିତାକୁ ତିଳତିଳକରି ଜାଳି ନୀଳକଣ୍ଠର ଅନ୍ଧାର ଭବିଷ୍ୟତର ଅନ୍ଧାରକୁ କାଟି ପାରିନି । ଜୀବନ ଯୁଦ୍ଧରେ ନୀଳକଣ୍ଠକୁ ସେ ଜିତାଇ ପାରିନାହାନ୍ତି ଦୁଃଖିତ ହେବେକି ସେ ?

 

ଆଉ ନିଜେ ନୀଳକଣ୍ଠ ।

 

ଫଳହୀନ କର୍ମଜୀବନକୁ ସାଦରେ ସ୍ଵାଗତ କରି ନେଇଛି । ମଥା ପାତି ସହିନେଇଛି ଗୁରୁଜନଙ୍କର ସବୁ ଅପବାଦ ଭର୍ତ୍ସନା କଳଙ୍କ । ଆଉ ସ୍ଥିର କରି ନେଇଛି ଅପମାନ ମୁଖରୁ ରକ୍ଷା ପାଇବାକୁ ହେଲେ ସର୍ବଶ୍ରେଷ୍ଠ ଅସ୍ତ୍ର ଧରିବ । ଚାକିରି... ଚାକିରି...

 

ଚାକିରି କରିବ ନୀଳକଣ୍ଠ ! ହାତେ ଲମ୍ବର ଟେବୁଲ ଆଉ ଖଣ୍ଡେ ଚେୟାର ହେବ ତା’ ବଡ଼ଲୋକୀର ନିଦର୍ଶନ ! କେଉଁ ଅଜ୍ଞାତ ଅଫିସ କୋଳ ମଣ୍ଡନକରି ସେ ଚାଷ କରିବ ବିଲ ନୁହେଁ ଫାଇଲ୍‍...ଫଳରେ ଚାକିରି କରି ଅର୍ଥ ଉପାର୍ଜ୍ଜନ କରିବାର ମୋହଟାକୁ ସଂଯତ କରିପାରିନି ସେ ।

 

ଆନନ୍ଦିତ ହୋଇଛନ୍ତି ଧନଞ୍ଜୟ, ମଙ୍ଗଳା ଠାକୁରାଣୀଙ୍କୁ କଳା ବୋଦ ଦେବାକୁ ମାନସିକ କରିଛି ବୋଉ.... ବାବୁ ଭାୟାଙ୍କୁ ଖୁସାମତ କରି ଚାକିରି ସ୍ଥିର କରିଦେବାକୁ ଲାଗିପଡ଼ିଛନ୍ତି ନୀଳାମ୍ବର ।

 

କିନ୍ତୁ ଚାକିରି କାହିଁ ?

 

ସମ୍ବାଦ ପତ୍ରରୁ ବିଜ୍ଞାପନ ପଢ଼ି ଦରଖାସ୍ତ ଅନେକ ଲେଖିଛନ୍ତି ନୀଳକଣ୍ଠ.....ଅନେକଥର ଇଣ୍ଟରଭ୍ୟୁ ଆଟେଣ୍ଡ କରି ସ୍ଵପ୍ନ ଦେଖିଛି ନୀଳକଣ୍ଠ–ଚାକିରିଟା ଏହିଥରହିଁ ହୋଇଯିବ । କିନ୍ତୁ ତା’ କ’ଣ ସମ୍ଭବପର ହେଉଛି ? ଇଣ୍ଟରଭ୍ୟୁର ଫଳାଫଳକୁ ପ୍ରତୀକ୍ଷା–ନିରାଶ–ବ୍ୟଥିତ–ଅତିଷ୍ଠ ହୋଇଛି ନୀଳକଣ୍ଠ ! ପ୍ରତିଥର ଇଣ୍ଟରଭ୍ୟୁରେ ଯୋଗଦେଇ, ପ୍ରଥମ ସ୍ଥାନ ଅଧିକାର କଲେ ମଧ୍ୟ ଚାକିରିଖଣ୍ଡେ କିଏ ଦୟା ଦେଖାଇ ଦେଇ ଯାଉନି । ନୀଳକଣ୍ଠ ଆକାଶର କୁସୁମକୁ ତୋଳିବାକୁ ଯିବା ସମୟରେ ସେ କୁସୁମଗୁଡ଼ିକ ଆହୁରି ଆକାଶର ଊର୍ଦ୍ଧ୍ଵକୁ ଉଠିଯାଉଛନ୍ତି । ପରିଶେଷରେ ନୀଳକଣ୍ଠର ସନ୍ଦେହ ହୋଇଛି–ସତେ ଯିମିତି ଏ ଇଣ୍ଟରଭ୍ୟୁ ଗୋଟାଏ ପ୍ରହସନ । ଗୋଟାଏ ଲୋକ ଦେଖା ଛଳନା…ଆଉ ଭିତରେ ମୂଷାଗାତ ।

 

ନୀଳକଣ୍ଠର ବିଶ୍ଵାସ ହୋଇଛି ସେ ଚାକିରି ପାଇପାରିବ ନାହିଁ, କାରଣ ତା’ର ବ୍ୟାକିଂ କେହି ମିନିଷ୍ଠର ବା ଉଚ୍ଚପାହ୍ୟା ଅଫିସର ନାହାନ୍ତି । ପ୍ରଚୁର କିଳାପୋତା ଦେବାକୁ ତା’ ବାପାଙ୍କର ଅର୍ଥ ନାହିଁ । ଚାକିରି କେଉଁଠୁ ପାଇବ ! ଚାକିରି ପାଇବାକୁ ହେଲେ ଯେ ବ୍ୟାକିଂ ଦରକାର ! ଅର୍ଥ ଦରକାର !

 

କ’ଣ କରିବ ନୀଳକଣ୍ଠ, ନୀଳକଣ୍ଠ ନିଜେହିଁ ନିଜ ପ୍ରଶ୍ନର ଯଥାର୍ଥ ଉତ୍ତର ଖୋଜି ପାଇନି–ଖାଲି “କ’ଣ କରିବ” ଏଇ ମାନସିକ ଦ୍ଵନ୍ଦ୍ୱ ଭିତରେ ଆର୍ତ୍ତଚିତ୍କାର କରୁଛି ସେ ଯା…

 

ତଥାପି ନୀଳକଣ୍ଠର ଅସମ୍ଭବ ରକମର ଜିଦ୍…ସେ ଚାକିରି ନପାଉ ଏମିତି ପଚି ସଢ଼ି ମରିବ ତା’ ନହେଲେ ବାବାଙ୍କର ‘କୃଷି ମହାବିଦ୍ୟାଳୟ’ରେ ଯୋଗ ଦେବ କିନ୍ତୁ କାହାକୁ ଖୋସାମତ କରି ସେ ଚାକିରି କରିବନି । କାହାକୁ କିଳାପୋତା ଦେବାକୁ କଦାପି ପସନ୍ଦ କରିବନି ।

 

ନୀଳକଣ୍ଠର ବନ୍ଧୁମାନେ ତା’ର ଏଇ ନିଷ୍ପତ୍ତି ଶୁଣି ବିବ୍ରତ-ଦୁଃଖିତରେ ଚେତାଇ ଦେଇଛନ୍ତି–ଅନ୍ତତଃ ଅନ୍ୟ କାହାକୁ ନ ହେଲେ ଏମ୍.ଏଲ.ଏ ମନ୍ଦରଧର ବାବୁଙ୍କୁ ତ ଜୋର କରିପାରିବୁ ?

 

ସବୁ ଶୁଣିଛି ସହନଶୀଳ ହୋଇ ନୀଳକଣ୍ଠ, ଅତୀତକୁ ଭୁଲିଯିବାକୁ ବି ଶିଖିଛି । ପୁଣି ସେଇ ଅତୀତକୁ ପୁନରାବୃତ୍ତି କରିବାକୁ ଚାହିଁବ ? ବରଂ ମନ୍ଦରଧରଙ୍କ ନାମ ମନେ ପଡ଼ିଲେ ନୀଳକଣ୍ଠର ଗାତ୍ରଦାହ ହେଉଛି । ନିର୍ବାଚନରେ ଜିତିବାକୁ ସେ କି କଦର୍ଯ୍ୟ କାର୍ଯ୍ୟ ନ କରିଛନ୍ତି ? ନା, ଧ୍ଵଂସ ହୋଇଯାଆନ୍ତୁ ମନ୍ଦରଧର…ମନ୍ଦରଧର ଭଳି ଏକ ଅପଦାର୍ଥର ଅବତାର ଧ୍ଵଂସ ହୋଇଯାଉ ଶ୍ଵେତା…ପବିତ୍ର ହିନ୍ଦୁକୁଳର ଅପବିତ୍ରା କନ୍ୟା । ଆଉ ଧର୍ମଭୂମି ଭାରତ…ଅପବିତ୍ର ଏକ ପରିବାର ।

 

ନୀଳକଣ୍ଠ ଅଭିଷାସ ଦେଇଛି ଆଉ ନିଜ ଭାଗ୍ୟକୁ ଧିକ୍‍କାର କରି ନୀଳକଣ୍ଠ ଭଳି ଆକଣ୍ଠ ଗ୍ରାସ କରି ନେଇଛି ଅତୀତ ଦିନର ହର୍ଷ-ବିଷାଦର ସମସ୍ତ ଜ୍ୱଳା ଓ ଦହନର ହଳାହଳ ।

 

ଗୋଟିଏ ଗୋଟିଏ ଦିନ ହୋଇ ଗୋଟିଏ ବର୍ଷ ନୁହଁ, ଦୁଇଟି ବର୍ଷ ଅବିବାହିତ ହୋଇଛି-। ଚିର ରୋଗିଣା ଭାଉଜ ଆଉ ଗୃହ ଧନ୍ଦା କରିପାରି ନାହାଁନ୍ତି । ବୋଉ ତା’ର ଆଉ ଚାଲିପାରୁ ନାହିଁ…ବାବା ଦିନକୁ ଦିନ ବୃଦ୍ଧହୋଇ ଯାଉଛନ୍ତି । ଭାଇ ନିଲାମ୍ବର ଚାହିଁଛି ନୀଳକଣ୍ଠର ବିବାହ କରିଦେବାକୁ…ଅସମ୍ମତ ନୀଳକଣ୍ଠ ବାଧ୍ୟହୋଇ ପ୍ରସ୍ତାବକୁ ଦୁଃଖର ସହିତ ସ୍ଵାଗତ କରିଛି-। ନିଜ ପଣ୍ଡିତ ପୁତ୍ରର ଶୁଭ ପରିଣୟ ନେଇ ବ୍ୟସ୍ତ ହୋଇଛନ୍ତି ଧନଞ୍ଜୟ । ନୀଳକଣ୍ଠର ଯୌତୁକ ସ୍ଵରୂପ ଅଡ଼ି ବସିଛନ୍ତି…ହଜାର ଟଙ୍କା, ସୁନା, ଆଉ, ସାଇକେଲ, ଘଣ୍ଟା ଇତ୍ୟାଦି ।

 

ମା’ ଚାହିଁଛି ଗୋଟିଏ ସୁନ୍ଦରୀ ସର୍ବଗୁଣ ନିପୁଣା ତନ୍ଵୀ ବଧୂ । ଆଉ ଭାଇ ଭାଉଜ ଚାହିଁଛନ୍ତି ଗୋଟିଏ ବନ୍ଧୁ…ଗୋଟିଏ ଉପଯୁକ୍ତ ବନ୍ଧୁ ।

 

ନୀଳକଣ୍ଠର କ’ଣ ଏଥିରେ କିଛି ଚାହିଁବାର ନାହିଁ ।

 

ଦୁଃଖିତ ହୋଇଛି ନୀଳକଣ୍ଠ ! ବାପାଙ୍କର ଏ କୃପଣ-ପ୍ରକୃତି ଦେଖି ଦୁଃଖରେ ମୁହ୍ୟମାନ ହେବା ଛଡ଼ା ବାବାଙ୍କ ବିରୁଦ୍ଧରେ ଯିବା କ’ଣ ସେ କେବେ ସାହସ କରିପାରେ !

 

ଅନେକ କନ୍ୟା ବେପାରୀ ବେପାର କରିବାକୁ ଆସିଛନ୍ତି ।

 

ରାସ୍ତାଖର୍ଚ୍ଚ ବାବଦକୁ କିଛି ଟଙ୍କା କାଟିବାକୁ ଅନୁରୋଧ କରିଛନ୍ତି । କିନ୍ତୁ ବ୍ୟର୍ଥ ହୋଇଛି ସେଇ ଅନୁରୋଧ–ବେପାର ନିରାଶ ଦୁଃଖରେ ହତାଶ ହୋଇ ଫେରି ଯାଇଛନ୍ତି ସେ । ଧନଞ୍ଜୟର କୃପଣତା ଫିଟି ପଡ଼ିଛି ପଦାରେ ।

 

ବଡ଼ଭାଇ ନିଳାମ୍ବର ଭଦ୍ର ସମାଜରେ ଲାଞ୍ଛିତ ହୋଇଛି । ବିରକ୍ତ-ବ୍ୟଥିତ ହେଲେ ଲାଭ କ’ଣ ? ବାବାଙ୍କ ନିଷ୍ପତ୍ତିର ବିରୁଦ୍ଧରେ ଯିବା କ’ଣ ପୁତ୍ରର କର୍ତ୍ତବ୍ୟ !!

 

ଶେଷ ବୈଶାଖର ସେ ଏକ ଚପଳ ମଳୟ ସନ୍ଧ୍ୟା ଏକାନ୍ତ ଭାବେ ସେ ଏକ ଅଶାନ୍ତ ଜର୍ଜରିତ ଅପ୍ରୀତିକର ସନ୍ଧ୍ୟା । ନୀଳକଣ୍ଠ ଜଣେ ଅତ୍ୟାତ୍ମିୟ ବନ୍ଧୁଙ୍କର ଶୁଭ-ପରିଣୟ ଉତ୍ସବରେ ଯୋଗ ଦେବାକୁ ଯାଇଥିଲା–ନାରୀରତ୍ନପୁର । ନାରୀରତ୍ନପୁରର ଏକ ଅକ୍ଷାତ ଜମିଦାର ପରିବାରରେ ବନ୍ଧୁ ଦୁର୍ଗାଚରଣଙ୍କର ଶୁଭପରିଣୟ ହେଉଥାଏ । ଜମିଦାର ଗୋବର୍ଦ୍ଧନ ପଟ୍ଟନାୟଙ୍କର ଏକମାତ୍ର ଅଲିଅଳ ଦୁଲାଳୀ ଗିରିବାଳା ହେବାକୁ ଯାଉଛି ତା’ର ସହଧର୍ମିଣୀ । ଆଉ କେଇଟି ମିନିଟ୍ ଭିତରେ, କେଇପଦ ମନ୍ତ୍ର ଉଚ୍ଚାରଣ ପରେ କୁମାରୀ ଗିରିବାଳା ପଟ୍ଟନାୟକ ହୋଇଯାଇଥାନ୍ତା ଶ୍ରୀମତୀ ଗିରିବାଳା କାନୁନଗୋ । କିନ୍ତୁ ଇଏ କ’ଣ ହେଲା ?

 

ରାତି ଉଜାଗର ଜନିତ କ୍ଳାନ୍ତିରେ ସେତେବେଳକୁ ନିଦ୍ରା ଯାଇଥିଲା–ନୀଳକଣ୍ଠ ! ସହସା ଲୋକ କଣ୍ଠର ଚିତ୍କାର ଭିତରେ ତନ୍ଦ୍ରା ତେଜି ଉଠିଲା–ଦେଖିଲା ପରିଣତିଟା ବଡ଼ ଭୟଙ୍କର ହେବାକୁ ଯାଉଛି ।

 

ନିଜ ପକ୍ଷଙ୍କ ଠାରୁ ବୁଝିନେଲା ନୀଳକଣ୍ଠ କ୍ଷୁଦ୍ର ଏକ କଥା–କିନ୍ତୁ ବିସ୍ତାର ଲାଭ କରି ବସିଛି ନିଷ୍ଠୁର ଏକ ଅପ-ଆସନ ।

 

କଥାଟା ଉପରେ ପ୍ରଥମେ ସିମିତି ଗୁରୁତ୍ୱ ଦେଇ ନ ଥିଲେ ନୀଳକଣ୍ଠ । ବରଂ ହସି ଉଡ଼ାଇ ଦେଇଥିଲା କାରଣ–କରଣ ଘରେ ଏଭଳି କଳହ ହେବା କିଛି ବିଚିତ୍ର ନୁହେଁ ବରଂ ସ୍ୱାଭାବିକ କଥା । କିନ୍ତୁ ପରେ ପରେ ତା’ର ସେ ଧାରଣା ପରିବର୍ତ୍ତନ ହୋଇଥିଲା । ବରଂ ପ୍ରମାଦ ଆଶଙ୍କା କଲା...କଥାଟାକୁ ବୁଝିବାକୁ ଚେଷ୍ଟାକଲା । ଦୁର୍ଗାଚରଣଙ୍କ ପିତା ନରହରି କାନୁନଗୋ ସହ ଗୋବର୍ଦ୍ଧନ ପଟ୍ଟନାୟକ ଚୁକ୍ତି କରିଥିଲେ–ବିଦେଶୀ ରାଲେ ସାଇକେଲ ଦେବାକୁ । କିନ୍ତୁ ତା’ ସତ୍ୟ ରଖି ପାରିନାହାନ୍ତି–ବଜାରରେ ବିଦେଶୀ ରାଲେ ମିଳିଲା ନାହିଁ । ଫଳରେ ନରହରିଙ୍କର ରୋଷ କରିବାର କଥା ! କିନ୍ତୁ ରୋଷରୁ ନରହରି ଶପଥ କରି ଚାଲିଆସିଲା...ହସ୍ତଗଣ୍ଠି କିନ୍ତୁ ପଡ଼ିପାରିଲା ନାହିଁ ।

 

ନର-ରାକ୍ଷସ ନରହରିର ଏ ଘୋଷଣା ଶୁଣିବା ପରେ କାନ୍ଦି ଉଠିଲା ଗିରିବାଳା । ତା’ ଜୀବନ ବିପନ୍ନ ହେବାର ଆଶଙ୍କାରେ । କାନ୍ଦି ଉଠିଛନ୍ତି ମା ସ୍ମୃତିମଞ୍ଜରୀ–କନ୍ୟା ଅନ୍ଧାର ଭବିଷ୍ୟତ ଆକାଶରେ...ଆଉ ନର, ନାରୀ, ବନ୍ଧୁ ବାନ୍ଧବୀ ବିବ୍ରତ ହୋଇ ଅନୁରୋଧ କରିଛନ୍ତି ସମୁଦି ନରହରିଙ୍କୁ...କିନ୍ତୁ ନରହରି ନରହରି ରୂପରେ ଗୋବର୍ଦ୍ଧନଙ୍କୁ କଟୁ ଭର୍ତ୍ସନା କରିଛି । ଫଳରେ ଝିମିଟି ଖେଳରୁ ସୃଷ୍ଟି ହୋଇଛି ମହାଭାରତ । ବିରାଟ କଳେବରର ମହାଭାରତ....

 

ନୀଳକଣ୍ଠ ଅତି କାକୁତି ମିନତି କରିଛନ୍ତି ନରହରିଙ୍କୁ । କନ୍ୟାରତ୍ନଙ୍କୁ ନେଇ ଘରସଂସାର କରିବାକୁ ଅନୁନୟ ବିନୟ କରିଛନ୍ତି । କିନ୍ତୁ ବାଳକ ନୀଳକଣ୍ଠର କଥା ନରହରିଙ୍କ ପାଖରେ ଖାଲି ଉପହାସର ପାତ୍ର ହୋଇଛି ସିନା !

 

ନରହରିର ଏ ନିଷ୍ଠୁର ଉକ୍ତିର ବିରୁଦ୍ଧରେ ତାତି ଉଠିଛି ତା’ର ଯୁକ୍ତ ରକ୍ତ । ସମାଜର ଏ ଯୌତୁକ ପ୍ରଥା ବିରୁଦ୍ଧରେ ବିଦ୍ରୋହୀ ହୋଇ ଉଠିଛି ତା’ର ଯୁବକ ମନ । ଯୌତୁକ ଭଳି ସମାଜର ନିଷ୍ଠୁର କୁସଂସ୍କାରର ମୂଳୋତ୍ପାଟନ କରିବାକୁ ବଦ୍ଧପରିକର ହୋଇ ସମାଜ ଅଙ୍ଗରୁ ଏ ଯୌତୁକ ଭଳି କୁସଂସ୍କାରକୁ ନିଶ୍ଚିହ୍ନ କରିବାକୁ ଘୋଷଣା କରିଛି ନୀଳକଣ୍ଠ । ଗିରିବାଳାକୁ ସେ ନିଜେହିଁ ବିବାହକରି ନରହରିଙ୍କର ଅର୍ଥ ପିପାସାକୁ ସବୁଦିନ ଲାଗି ଅପୂର୍ଣ୍ଣ ରଖିବେ ।

 

ଗୋବର୍ଦ୍ଧନ ପଟ୍ଟନାୟକ ଏ ମତରେ ଏକମତ ହୋଇଛନ୍ତି, ଏକମତ ହୋଇଛନ୍ତି ସେ ଗ୍ରାମର ଆବାଳ ବୃଦ୍ଧ ବନିତା । ଚକ୍ଷୁର ପଲକେ ଏ ସୁସମ୍ବାଦ ଚତୁର୍ଦ୍ଦିଗରେ ଝଡ଼ଭଳି ଖେଳିଯାଇଛି । ମାତ୍ର କେଇଘଣ୍ଟା ଭିତରେ ଗୋବର୍ଦ୍ଧନ ପିତା, ଭ୍ରାତା ଅନିଚ୍ଛା ସତ୍ତ୍ୱେ ଯୋଗ ଦେଇଛନ୍ତି ସତେ ଯିମିତି ଧୂଳିଧୂସରିତି ଧରଣୀରେ ରବିକର !

 

ନରହରିଙ୍କର ଗର୍ବର ହିମାଦ୍ରି ଟଳି ପଡ଼ିଛି...ଚାତକ ଆତ୍ମା ତାଙ୍କର ଅତୃପ୍ତ ରହିଯାଉଛି । ଫଳରେ ଦୁର୍ଗାଚରଣର ବାନ୍ଧବୀ ହୋଇ ଯାଇଛି ନୀଳକଣ୍ଠର ପ୍ରିୟ ବାନ୍ଧବୀ ଗୃହ ବାନ୍ଧବୀ ।

 

ଦୁର୍ଗାଚରଣ ପାଲିଙ୍କି ଗୌଡ଼ର ଡାକ ଆଉ ଶୁଭୁନି । ନିରାଶ ରାକ୍ଷସର ଆଗମନ ଫଳରେ ଝଟିକା ଗତିରେ ପଛ ମୁଖ ନ କରି ଛୁଟିଛନ୍ତି ସେମାନେ ।

 

ବୈଶାଖରେ ସେଇ ଅଶାନ୍ତ ସନ୍ଧ୍ୟାରେ । ଅତି ଆକସ୍ମିକ-ଅପ୍ରତ୍ୟାଶିତ ଭାବେ ଯେ ନୀଳକଣ୍ଠର ଶୁଭପରିଣୟ ହୋଇଯିବ ଏକଥା ଚିନ୍ତାକରି ହତ ଚମକିତ ହୋଇଛନ୍ତି ଗ୍ରାମବାସୀ ।

 

ଧନଞ୍ଜୟର କୃପଣ–ପ୍ରବୃତ୍ତି ଶାନ୍ତ ହୋଇଛି । ଗୋବର୍ଦ୍ଧନ ପଟ୍ଟନାୟକ ଧନଞ୍ଜୟର ଦାବିଠାରୁ ଯେ ଯଥେଷ୍ଟ ବେଶି ହେଇଛି ନିଃସନ୍ଦେହରେ ନିଶ୍ଵସ୍ତି ଲଭିଛି ସେ ।

 

ମା’ ହେମାଙ୍ଗିନୀ ପ୍ରଥମେ ଦୁଃଖିତା ହୋଇଥିଲେ ମଧ୍ୟ ଆଭିଜାତ ବଂଶରୁ ତନ୍ତ୍ରୀ-ଗୌରାଙ୍ଗୀ ସୁଦର୍ଶନୀ ବୋହୂଟିଏ ପାଇ ନିଜର ଦୁଃଖକୁ ଲାଘବ କରିଛନ୍ତି...ଆଉ ନୀଳକଣ୍ଠ !!!

 

ମଥା ତୋଳି ଚାହିଁଲା ନୀଳକଣ୍ଠ–ପରିବର୍ତ୍ତନ ଶୀଳ ଜଗତରେ ଏଥିଭିତରେ କେତେ ପରିବର୍ତ୍ତନ ନ ହୋଇଛି ! କ’ଣ ନ ହୋଇଯାଇଛି ତା’ର ଏଇ ଭାଗ୍ୟଚକ୍ରରେ !

 

ଅତି ବିସ୍ମୟ ଭାବେ ଶ୍ଵେତପଦ୍ମାକୁ ସେ ଭୁଲି ଯାଇଛି । ଶ୍ୱେତପଦ୍ମାର ସମାଧି ଦେଇଛି ସେ ତା’ ଅନ୍ତରରେ ଭାବନାର ଚେକା ହୋଇ । ନୀଳକଣ୍ଠର ଧାରଣା ହୋଇଛି ଭାଗ୍ୟ ଲେଖାକୁ ପରିବର୍ତ୍ତନ କରିବା ଯିମିତି ଆଉ କାହାର ସାଧ୍ୟନାହିଁ ।

 

ଆଉ ଥରେ ଆଖିମଳି ଚାହିଁଲା ନୀଳକଣ୍ଠ, ବର୍ତ୍ତମାନ ଭିତରେ ତା’ ପ୍ରିୟ ଅତୀତଟା ସମାଧି ନେଲା ଭଳି ଏଇ ସନ୍ଧ୍ୟାର ଅଶାନ୍ତ ଅନ୍ଧାର ଭିତରେ ସେଭଳି ସମାଧି ନେଇ ଯାଇଛି ଦିବସର ଉଖର ମୟୂଖ । ଏଥର ରହସ୍ୟ ରୋମଞ୍ଚିତ ରଜନୀର ଘନ-ନୀଳ ଅନ୍ଧକାର ଘୋଟି ଆସିଲାଣି । ଏ ଅସମୟରେ ଏଇ ମଶାଣି ପାଖ ରାସ୍ତାରେ ବସିବା ତା’ଭଳି ନବ ପରିଣତ ଯୁବକର ଉଚିତ ନୁହେଁ । ତା’ଛଡ଼ା କାହିଁକି ଯେ ବସି ସେ ଆଉ ଅତୀତଟାକୁ ଘାଣ୍ଟି ଚକଟିବ ବରଂ ମଧୁ ରଜନୀର ମଧୁର ଅନୁଭୂତିକୁ ମୂଲ୍ୟ ଦେବାକୁ ମଧୁ ସମୟର ଶୁଭାଗମନକୁ ଚଞ୍ଚଳ-ପ୍ରତୀକ୍ଷା କଲେ କ’ଣ ଭଲ ହେବକି ?

 

ନୀଳକଣ୍ଠ ଉଠିଲା–ସପୂର୍ଣ୍ଣିତ ଅନ୍ଧକାର ହୋଇଯାଇଛି ! ତଥାପି ପରିଚିତ ରାସ୍ତାରେ ତାକୁ ଅସୁବିଧା କ’ଣ ! ତେବେ ସେଇ ମଶାଣିକୁ ଭୟ...କାରଣ ରାତି ହେଲେ ଏଇ ମଶାଣିରେ ଭୂତ ପ୍ରେତ ହାଡ଼ ପିଟା ପିଟି ହୋଇ ଖେଳନ୍ତି । ଚିରିଗୁଣି ଆଲୁଅ ଜାଳେ; ପିତାଶୁଣୀ ପୁଅ ସେକେ...ଉଃ...

 

ତଥାପି ନୀଳକଣ୍ଠ ଭୟ କଲାନି–ଜୀବନର ଶେଷ ପରିଣତି ଯେ ସେଇଆ...ଏଥିରେ ଭୟ କରିବ ସେ କାହିଁକି ? ବରଂ ତା’ ଅଜା ଅଣଅଜା ତ ସେଇ ମଶାଣିରେ ରହିଛନ୍ତି ! ସେମାନେ କ’ଣ ଏକୁ ଡରାଇବେ ? ପୁଣି ଏଭଳି ଶୁଭ-ରଜନୀରେ !

 

ମନରେ ସାହସ ସଞ୍ଚୟ କରି ନୀଳକଣ୍ଠ ଆଗେଇଲା–ତଥାପି ତାକୁ ଭୟ ଲାଗୁଛି–ଭୟଟା ଯିମିତି ତା’ର ରକ୍ତମାଂସ ଗତ ହୋଇଗଲାଣି । ଗରିବ ଜୀବନର ଦୁଃଖଟା ଯିମିତି ରକ୍ତ, ମାଂସଗତ ।

 

ନୀଳକଣ୍ଠ ତା’ର ଏକାନ୍ତ ପୃଥିବୀଟାକୁ ଛାଡ଼ି ଆଗେଇଲା...ଆଗରେ ତା’ର ମିଳନର ଦେବତା...ତାକୁ ଆହ୍ୱାନ କରୁଛନ୍ତି–ଆସ, ଭୟ ନ କରି ଚାଲିଆସ ସୁଖର ରାତିଟା ଆସୁଛି । ମିଳନର ରାତିଟା ଆସୁଛି...ପ୍ରିୟବାନ୍ଧବୀ ପରିଚୟର ରାତିଟା ଆସୁଛି । ତମେ ଆସ ତମେ ନୀଳକଣ୍ଠ ସେ ମଧୁରଜନୀକୁ ଉପଭୋଗ କରିବାକୁ ଆସ !

 

ବାସର ରାତି ! ଅବିବାହିତ କୁମାର କୁମାରୀ ଜୀବନରେ ଏ ରାତିଟା ଏକ ରୋମାଞ୍ଚକର ରାତି ! ଏ ରାତିର ଆଗମନର ଶୁଭରଙ୍ଗ ଶୁଣି କାହା ଅନ୍ତରରେ ଚମକର ତଡ଼ିତ୍‍ ପ୍ରବାହିତ ନ ହେବେ ?

 

ନୀଳକଣ୍ଠର ଏଥିପୂର୍ବରୁ ଥରେ ସମସ୍ତଙ୍କର ଅଗୋଚରରେ ବାସରରାତି ଉଦ୍‍ଯାପନ ହୋଇଯାଇଛି ମିଳନର ସୁଖ ତାକୁ କ’ଣ ଅଜଣା ରହିଛି ? ତଥାପି ନୀଳକଣ୍ଠ ଶ୍ଵେତା ସ୍ମୃତି ସ୍ମରଣ କରୁଥିଲା–କ’ଣ କରୁଥିବ–କୁମାରୀ ମାତା–ଶ୍ଵେତା ! ଭଲ ପାଇବାକୁ ଯାଇଁ କି ନର୍କ ପଥର ଯାତ୍ରିଣୀ ନ ହେଲା ସେ ! କି କଦର୍ଯ୍ୟ କାମର ବଶବର୍ତ୍ତୀ ହୋଇ ଜଘନ୍ୟ କାମରେ ହାତ ନ ଦେଲା ! ଆଜି ଯଦି ଅଭାଗୀନି ଉନ୍ମାଦିନୀ ଶୁଣେ ତା’ର ବାସରରାତି ଉଦ୍‍ଯାପନ ଉତ୍ସବ–ନାରୀ ଦେହ ଧରି ସେ ସହିପାରିବ ତ । କ୍ଷମା ଦେଇ ପାରିବ ତ ନୀଳକଣ୍ଠ ଭଳି ଭୀରୁ କା-ପୁରୁଷ ଶିକ୍ଷିତ ଯୁବକକୁ ।

 

ଆଉ ଶ୍ଵେତା କଥା ଭାବି ଲାଭ ନାହିଁ । ଶ୍ଵେତା ସ୍ମୃତି ଏ ମଧୁ ରଜନୀର ଆଗମନରେ ମନରେ ସମାଧି ଦେଇଦେବା କଥା ! ଶ୍ୱେତାର ସ୍ମୃତି ତା’ର ନିଦ୍ରିତା-ବସ୍ଥାର ଏକ ଦୁଃସ୍ଵପ୍ନ ବୋଲି ଧରିନେବା ଉଚିତ...ଭୂଲିଯିବାକୁହିଁ ଏକାନ୍ତ ଇଚ୍ଛା ଅତୀତର ସେଇ ଅନୁଭୂତିଗୁଡ଼ିକ ।

 

ଭାଉଜ ଶକୁନ୍ତଳାଙ୍କର କଣ୍ଠସ୍ଵର ଶୁଣି ଚମକିତ ହୋଇ ଉଠିଲା ନୀଳକଣ୍ଠ !

 

ଶ୍ରୀମତୀ ଶକୁନ୍ତଳା କହିଲେ–ଆସ, ଶୋଇବାକୁ କ’ଣ ନିଦମାଡ଼ୁନି ? ଦିନ ତମାମ ଉପବାସ ରହିଛ ଯେ କ୍ଳାନ୍ତି ତ ନିଶ୍ଚୟ ଆସିବଣି ?

 

ଲଜ୍ଜିତ–ଆନତ ମଥାକରି ନୀଳକଣ୍ଠ ହସିଲା–ତା’ପରେ ସେ ମିଳନ ପିପାସିତ ଅନ୍ତରକୁ-। ଆବେଗ ପୀଡ଼ିତ ମନକୁ ନେଇ ମାନସୀର ସ୍ପର୍ଶ ସୁଖ ପାଇବାକୁ ଆକଣ୍ଠ ପିପାସିତ ହୋଇ ଗୋଡ଼ କଢ଼ିଲା ।

 

ନୀଳକଣ୍ଠ ଗୃହ ଭିତରେ ପଶି ଯାଉଁ ଯାଉଁ ପୁଲକ ଆଗ୍ରହରେ ସେଇକଥା ଆଉଥରେ ସ୍ମରଣ କରିନେଲା । ବଡ଼ଲୋକଟା ହୋଇଥିଲେ ତା’ର ବାସର ରାତିରେ ନୀଳ, ହଳଦୀ, ନାଲି ବିଜୁଳିବତି ଜଳିଥାଆନ୍ତା ହୁଏତ ଏଇଘରେ । ସମସ୍ତଙ୍କ ଗୋଚରରେ ବିଭାଘରଟା ହୋଇଥିଲେ ଆନନ୍ଦରେ ଆତିଶଯ୍ୟରେ ବୁଡ଼ି ବୁଡ଼ି ଆସିଥାଆନ୍ତା ଏରାତି..ଛାଡ଼ । କପାଳର ଶ୍ୱେତବିନ୍ଦୁକୁ ପୋଛି ନେଲା ନୀଳକଣ୍ଠ ।

 

ଗୃହଟିର ସାଜସଜା ଉପରେ ପ୍ରଥମେ ପଡ଼ିଲା ଆଖି ତା’ର ! ଭାଉଜ ଶକୁନ୍ତଳା ତା’ଙ୍କ ଶିଳ୍ପୀ ବୁଦ୍ଧିର ପରାକାଷ୍ଠା ଯେମିତି ରହିଯାଇଛି ଏଇଠି । ପ୍ରଦୀପର ଈଷତ୍-ପ୍ରଖର ଆଲୋକରେ ସେ ଶିଳ୍ପୀର ଅଦୃଶ୍ୟ ଛବି ଯିମିତି ଫୁଟି ଉଠିଛି । ଭାବନା କରି ନୀଳକଣ୍ଠ ଆଖି ବୁଲାଇ ନେଲା କାନ୍ଥରେ, ଘରର ଚାରି କାନ୍ଥରେ ଏତେ ସିନେମା ଷ୍ଟାରଙ୍କର ପ୍ରତିମୂର୍ତ୍ତି ମରାଯାଇଛି । ଆଶ୍ଚର୍ଯ୍ୟ ହେଲା ନୀଳକଣ୍ଠ–ଭାଉଜ ଏକୁ କେଉଁଠୁ ଏତେ ଶୀଘ୍ର ସଂଗ୍ରହ କଲେ !

 

ନିଜ ଆଖି ଘୂରାଇ ନେଉ ନେଉ ଦୃଷ୍ଟି କେନ୍ଦ୍ରଟା ନୀଳକଣ୍ଠର ଦକ୍ଷିଣପଟ ଦରଜା ଟପି ଆକାଶକୁ ଉଠିଗଲା । ଆକାଶରେ ଅନ୍ଧକାର କାଟି ଆଲୋକ ଦେଖା ଦେଲା । ଚନ୍ଦ୍ରାଲୋକ...ଚନ୍ଦ୍ରାଲୋକରେ ତାରାଗୁଡ଼ାକ ନିଷ୍ପ୍ରଭ ହୋଇଛନ୍ତି । ତଥାପି କେଇଟା ଆଖି ମିଟି ମିଟି କରି ତାକୁ ଠାରି ଦେଉଛି ଯିମିତି କୁଆଡ଼େ ।

 

ବାହାରେ ମଳୟର ମନ୍ଥର ପ୍ରବାହନ ! ମଳୟ ପବନରେ ଭାସି ଭାସି ଆସୁଛି ସୁଭାଷିତ ସୁରଭୀର ବାସ । କୋଇଲିଟାଏ ହୁଏତ ବାଉଳା ହେଇ କେଉଁ ତୋଟାରେ ଗାନ କରୁଛି । ଝଲକା୍‍, ଝଲକା୍‍ ସୁରଭୀ ଭରା ପବନରେ ତନୁମନ ପୁଲକିତ ହେଇ ଉଠୁଛି ନୀଳକଣ୍ଠର କେଉଁ ଏକ ଅବାସ୍ତବ ପୁରକୁ ତାକୁ ଯିମିତି ଟାଣି ନେଉଛି କିଏ ?

 

ସଚେତନ ହେଲା ନୀଳକଣ୍ଠ–ଚକିତ ବିସ୍ମୟ ହେଲା–ଗିରିବାଳା ଘରର ଏକ କୋଣରେ ବସି କଇଁ କଇଁ ହୋଇ କାନ୍ଦୁଛି । ତା’ର ମାନସୀ–ଗିରିବାଳା ଏକ ବୀଣାର କରୁଣ ସ୍ୱରେ ।

 

ଗରିବାଳାର ଏପ୍ରକାର ମତିଗତି ଦେଖି ପସନ୍ଦ କଲାନି ନୀଳକଣ୍ଠ ! ଏ ଯୁଗରେ ଏଭଳି ହେବା କ’ଣ ଉଚିତ ?

 

ନୀଳକଣ୍ଠ–ବାଷ୍ପାକୁଳ କଣ୍ଠରେ କହିଲା–ବାଳା ! ତମେ କାନ୍ଦୁଛ ? ଗିରିବାଳା ଏଥର କାନ୍ଦ ବନ୍ଦ କରିବ ବୋଲି ଭାବିଥିଲା ନୀଳକଣ୍ଠ ! କିନ୍ତୁ ତା’ ହେଲା ନାହିଁ ବରଂ ଏକ ଗିରିନଦୀ ଭଳି ଗିରିବାଳା କାନ୍ଦିବାକୁ ଆରମ୍ଭ କଲା ।

 

ଗିରିବାଳାର ଅତି ନିକଟକୁ ଯାଇ ଆବେଗ–କମ୍ପିତ କଣ୍ଠରେ ନୀଳକଣ୍ଠ କହିଲା–ଛିଃ, ଏଭଳି କ’ଣ କିଏ କାନ୍ଦେ ?

 

ବାଳା ତଥାପି କାନ୍ଦୁଛି...

 

ନୀଳକଣ୍ଠ ବାଧ୍ୟହୋଇ ବାଳାର ନିକଟରେ ବସିଲା ! ବାଳା ଘୁଞ୍ଚିଯିବାର ଅପଚେଷ୍ଟା କରିବା ବ୍ୟର୍ଥ ହେଲା । ନୀଳକଣ୍ଠ ବାଳାର ହାତକୁ ଧରିଲା…ଇସ୍ ଇସ୍ ।

 

ଗିରିବାଳା ହାତ ଝାଡ଼ି ଦେଲା ।

 

ନୀଳକଣ୍ଠ କିନ୍ତୁ ଛାଡ଼ିବାକୁ ପ୍ରସ୍ତୁତ ନୁହେଁ ।

 

ବାଳା ଭିଡ଼ି ମୋଡ଼ି ହେଲା…ନୀଳକଣ୍ଠ ନିଜ ବାହୁବନ୍ଧନରେ ବନ୍ଦିନୀ କରିନେଲା ବାଳାକୁ-। ଏଥର ବାଳାର ଚାରା କ’ଣ ?

 

ସସ୍ନେହ କଣ୍ଠରେ ନୀଳକଣ୍ଠ କହିଲା–ଛିଃ, ଏଯୁଗରେ ପୁଣି ତମଭଳି ଲଜ୍ଜାଶୀଳା ରହି ପାରନ୍ତି ? ଛିଃ-ଛିଃ–ଏସବୁ କି କଦର୍ଯ୍ୟ କଥା । ମୋ ରାଣ କାନ୍ଦନି ପଛକଥା ଭୁଲିଯାଅ ।

 

ବାଳା କିନ୍ତୁ ଭୁଲିଯିବାକୁ କ’ଣ ଚେଷ୍ଟା କରିନି । ବରଂ ସେ ସ୍ମୃତି ମନେପଡ଼ିଲେ ସେ କିମିତି ଏକ ସଭୟାତିଷ୍ଠ ହୋଇ ଉଠୁଛି । ନୀଳକଣ୍ଠ ଅତି ସାବଧାନତା ସହକାରେ ବାଳାକୁ ଧରିନେଇଥିଲା । ବାଳା ଦେହର ଉନ୍ନତ ମାଂସଳ ଅଂଶ ତା’ ହାତ ମୁଠାରେ ।

 

ବାଳା କହିଲା–ଏ’ ଛାଡ୍

 

ନୀଳକଣ୍ଠ ହସିଲା–ସ୍ଵର୍ଗସୁଖକୁ ହାତମୁଠାରେ ପାଇ କିଏ କ’ଣ ଛାଡ଼ିଦେଇ ପାରେ ?

ଲଜ୍ଜିତ-ଆନନ୍ଦିତ ହୋଇ ବାଳା ମୁଖ ଆନତ କରି ନେଉଥିଲା । ନୀଳକଣ୍ଠ ଅଶେଷ କାଇଦା ଅବଲମ୍ବନ କରି ତା’ ଦୁଧ ଲେପ-ଗଣ୍ଡ ଦେଶରେ ଆଙ୍କି ଦେଲା ବାସର ରାତିର ପ୍ରଥମ ମିଳନର ପ୍ରଥମ ସ୍ୱାକ୍ଷର ।

ବାଳା କହିଲା ଏଁ ଅଭଦ୍ର ।

ଗିରିବାଳାର ମୁଖଟା ଆଲୋକ ଦିଗକୁ ରହି ଯାଇଥିଲା । ନୀଳକଣ୍ଠ ଅନ୍ତରରେ ଆନନ୍ଦ-ଚମକ ଲାଗିଲା...ବାଳା ଏତେ ସୁନ୍ଦରୀ ମେନକା, ଉର୍ବଶୀ, ରମ୍ଭା ରୂପଧରି ମଫସଲରେ ଜନ୍ମ ନେଇପାରନ୍ତି ନାରୀ !!!

ଗିରିବାଳାର ଆଖିରେ କଜଳ ଧୋଇ ହୋଇ ତା’ ମୁହଁରେ ଧାରେ ଧାରେ ଲମ୍ବରେଖା ସୃଷ୍ଟି କରିଥିଲା । ଗିରିବାଳା ମନରେ ସମସ୍ତ ଦୁଃଖଗୁଡ଼ାକ ଧୋଇ ଯାଇଥିଲା କି ସେ ଅଶ୍ରୁ ବାରିରେ-। ନୀଳକଣ୍ଠ ଗିରିବାଳାର ରୂପକୁ ପ୍ରଶଂସା କରିବାକୁ ଇଚ୍ଛୁକ ଆଗ୍ରହୀ ହୋଇ କହିଉଠିଲା–ତମେ ଏତେ ସୁନ୍ଦରୀ ବାଳା ।

ଆକାଶରେ ଯିମିତି କମ୍ପନ, ଧରଣୀରେ ସେଇ କମ୍ପନର ପ୍ରତିଧ୍ୱନୀ...ଆଉ ବାଳା ଅନ୍ତରରେ ।

ବାଉଳ ହୋଇ ଲିଭିଯାଇଛି କେତେବେଳୁ ବାସର ପ୍ରଦୀପ । ପଶି ଆସିଛି କେତେବେଳୁ ଚେନାଏ ଜ୍ୟୋତ୍ସ୍ନା । ବାଜି ଉଠିଛି ଯିମିତି ଏକ ସେତାରା ସଂଗୀତ ଗାଇ ଉଠିଲା କିଏ ଯିମିତି ବାଉଳା ସଂଗୀତ ।

 

ଗିରିବାଳାର ଅନ୍ତରରେ ଏକପ୍ରକାର କମ୍ପନ...ପିପାସିତ ଆତ୍ମଜଳ ଲାଭର କମ୍ପନ । କ୍ଷୁଧିତ ବୁକୁର ଶିହରଣ...ଆଉ ତା’ପରେ !

 

ତା’ପରେ କ୍ଷୁଧିତ, ତୃଷିତ, ଦୀର୍ଘ ଚୁମ୍ବନର ତୀବ୍ରତାରେ ବିଧ୍ୱସ୍ତ ଗିରିବାଳାର ଅସ୍ପଷ୍ଟ ଆର୍ତ୍ତଚିତ୍କାର ଶୁଭୁଥିଲା ।

 

ଶୁଭୁଥିଲା ଆହୁରି ଅସ୍ପଷ୍ଟ–ଆବେଗ–କମ୍ପିତ କଣ୍ଠର କେଇପଦ କଥା–ତୁମକୁ ଭଲପାଏ-। ତୁମକୁ ଖୁବ୍‍ ଭଲପାଏ…

 

ରାତି ପାହିକି ପାଇନି...ଚନ୍ଦ୍ରାଲୋକ ଏ ଧରଣୀରୁ ବିଦାୟ ନେଇବି ନେଇନି । ଆସନ୍ନ ସକାଳର ଏଇ ଶାନ୍ତ ଶୀତଳ ପବନରେ ଘୁମାଇ ଯାଇଥିଲା ନୀଳକଣ୍ଠ । ସହସା କାହାର ଡାକରେ ଚମକି ଚାହିଁଲା ଦେଖିଲା, ସେ ମଧୁରାତି ଯାଇଛି ବିତି ପାଶେ ନାହିଁ ତା’ର ପରାଣ ସାଥି ।

 

ସୁଖର ରଜନୀଟା ପାହିଗଲା ! କିଏ ଯିମିତି ଅନ୍ତରାଳରୁ କହୁଛି ସୁଖରାତି ସବୁ ସମୟକୁ ରୁହେନି ରେ ! ସୁଖ ସମୟସବୁ କେବେ ମିଳେନି ।

 

ତଥାପି ନୀଳକଣ୍ଠ ବ୍ୟର୍ଥ ପ୍ରୟାସୀ ହୋଇଥିଲା–ଆସନ୍ନ ଦିବସର ଶୁଭ ଦେବତାକୁ ପ୍ରଣତି ଢାଳି ସେ କହି ଉଠୁଥିଲା–ଆସିବ ଆହୁରି ଆସିବ...ନିଶ୍ଚୟ ଆସିବ । ଗୋଟିଏ ରାତି କଟିଗଲା । ଗୋଟିଏ ଦିନ ବିତିଗଲା–ଶ୍ଵଶୁରଙ୍କ ପ୍ରଦତ୍ତ ରିଷ୍ଟଓ୍ୟାଚ ଦେଖି ଚମକି ଉଠିଲା ନୀଳକଣ୍ଠ-। ଆହୁରି ଏକ ମିଳନ–ପୁଲକ ଚକିତ–ଚନ୍ଦ୍ରିକା ଚର୍ଚ୍ଚିତ ରଜନୀ ଆସୁଛି । ତଥାପି ଏ ରାତିଟା ସେତେ ରୋମାଞ୍ଚ ପୁଲକିତ ହୋଇପାରିବ ନାହିଁ ବରଂ ଏଇଟା ନିଶ୍ଚୟ ହେବ ପ୍ରାପ୍ତ୍ୟଶା ପୁଲକ’ ଅନୁଭୂତି ବିହ୍ୱଳ ମିଳନ–ପୁଲକରାତି ।

 

ଦରଜା ଖୋଲିବାର ଶବ୍ଦ ହେଲା–ନୀଳକଣ୍ଠର ନୟନ ପକ୍ଷରେ ନିଦ୍ରାର ଅଞ୍ଜନ ବୋଳି ହୋଇ ଆସୁଥିଲା–ସହସା ଦରଜା ଖୋଲି ଯିବାର ଶ୍ରୁତିକଟୁ ଚିତ୍କାରରେ ତନ୍ଦ୍ରା ଭାଜିଗଲା–ହୁଏତ ଗିରିବାଳା ତା’ ପିତା ମାତାଙ୍କର ଗୋଡ଼ ମଚାଳନ କରି ଫେରିଛି ନୀଳକଣ୍ଠ ଘାଲେଇ ପଡ଼ିଲା–ଘାଲେଇ ପଡ଼ି ସେ ଗିରିବାଳାର ଗତିବିଧି ନିୟନ୍ତ୍ରଣ କରିବ କି ମଜା ନ ହେବ ?

 

ଗୃହ ଭିତରେ କାଚ ଝୁମ୍ ଝିମ୍ ଶବ୍ଦ ପ୍ରଖର ହୋଇ ଉଠୁଛି…ହୁଏତ ଗିରିବାଳା ହାତ ଧୋଉଛି ।

 

ନୀଳକଣ୍ଠ ଧୈର୍ଯ୍ୟର ସହିତ ଅପେକ୍ଷା କଲା ।

 

ଗିରିବାଳା ହାତ, ଗୋଡ଼ ମୁଖ ଧୋଇବାକୁ ଗୃହ ମଧ୍ୟକୁ ନିଷ୍କ୍ରାନ୍ତ ହେଲା । ନୀଳକଣ୍ଠ ନିଦରେ ଶୋଇ ଯାଇଥିବାର ଛଳନା କରି ଘନ ଘନ ନିଃଶ୍ଵାସ ଛାଡ଼ିଲା ।

 

ଗିରିବାଳା ନୀଳକଣ୍ଠ ନିଦ୍ରାଭଗ୍ନ କରିବାକୁ ସାଧାରଣ ଚେଷ୍ଟା କରି ବିଫଳ ହେଲା I ନୀଳକଣ୍ଠ ଚେଇଁ ଶୋଇଛି, ତାକୁ ଉଠାଇବ କିଏ ?

 

ନୀଳକଣ୍ଠ କଟିଦେଶରେ ନିଜ ଅଙ୍ଗୁଳିରେ ଏକପ୍ରକାର ସଲ୍ ସଲ୍ ସୃଷ୍ଟି କଲା ବାଳା । ଏଥର ନୀଳକଣ୍ଠ ଧୈର୍ଯ୍ୟ ଧରି ପାରିବ ନାହିଁ । ଉଚ୍ଚରେ, ଖୁବ୍ ଉଚ୍ଚରେ ହସି ଉଠିଲା ସେ I

 

ଗିରିବାଳା ମୁହଁରେ କୃତ୍ରିମ ବିରକ୍ତି ପ୍ରକାଶ କରି କହିଲା–ଛିଃ–

 

ନୀଳକଣ୍ଠ ଆନନ୍ଦ ପୁଲକରେ ହସିଉଠି ଗିରିବାଳାକୁ ନିଜ କୋଳକୁ ଭିଡ଼ି ଆଣିଲା–ଅବାଧ୍ୟ ହେଲାନି ବାଳା I ବରଂ ନୀଳକଣ୍ଠର ପ୍ରଶସ୍ତ ବୁକୁ ଉପରେ ଆଉଜି ପଡ଼ି ଘୁମାଇବାକୁ ଚେଷ୍ଟାକଲା ।

 

ଗିରିବାଳାର କୋକିଳ-କୃଷ୍ଣ କୁଞ୍ଚିତ କୁନ୍ତଳରୁ ଇଭିନିଂଇନ ପ୍ୟାରିସ୍‍ର ମଧୁ ସୌରଭ ଆତ୍ମପ୍ରକାଶ–ଆଃ–ନୀଳକଣ୍ଠ ନିଜ କରପାପୁଲିରେ ବାଳାର କେଶକୁ ଅସଂଯତ କରୁ କରୁ କହିଲା–ସତ କହିବ ରାଣୀ, ଗୋଟାଏ କଥା !

 

ଗିରିବାଳା ହସିଲା–ନୀଳକଣ୍ଠ କହିଲା, ବିଭାଘର ବେଳର ସେ ଅଶୁଭ କଥାଗୁଡ଼ାଏ ସତରେ ତମର ମନେ ପଡ଼େନା ତ ଆଉ I

 

ବାଳା ଆଖିରେ ସହସା ଅଶ୍ରୁ ଦେଖାଗଲା–ସଂକିତ ହେଲା କଣ୍ଠ–ତଥାପି ସେଇ କଥାର ପୁନରାବୃତ୍ତି କରିବାକୁ ସେ କାହିଁକି ଆଗ୍ରହ ଆନନ୍ଦିତ ହୋଇ ଉଠିଲା ! ସେ କହିଲା ଶୁଣିଛ, ଦୁର୍ଗାଚରଣର ବିଭାଘର କେଉଁଠାରେ ହୋଇ ପାରିନାହିଁ I ଦୁର୍ଗାଚରଣ କଥା ମନେ ପଡ଼ିଲେ ମୋର ହଠାତ୍ ପୁରୁଣା କଥାଟା ମନେପଡ଼ୁଛି–ରୁକ୍ମିଣୀକୁ ବିଭା ହେବାକୁ ଯାଇ ଶିଶୁପାଳ ଯିମିତି ନିରାଶ ହୋଇ ଫେରିଥିଲା–ଏ ଯୁଗର ଦୁର୍ଗାଚରଣ ସେଇ ଶିଶୁପାଳ ସ୍ଥାନ ଅଧିକାର କରିଗଲା–ନାଇଁ !!

 

–ଆଉ ତମେ !

–ମୁଁ ନିଶ୍ଚୟ ରୁକ୍ମିଣୀର ବର୍ତ୍ତମାନ ସ୍ୱାମୀ ହୋଇଯାଇଛି...ହିଃ-ହିଃ-ହିଃ... ନୀଳକଣ୍ଠ କିଛି ସମୟ ହସଟାକୁ ଲହଡ଼ାଇ ଲହଡ଼ାଇ କହିଲା–କିନ୍ତୁ ସେ ଦୁର୍ଯୋଗଟା ଯଦି ନହୋଇ ଥାଆନ୍ତା, ବାବା, ତା’ହେଲେ ତମେ ନିଶ୍ଚୟତ ଦୁର୍ଗାଚରଣ ଶଯ୍ୟାରେ ବର୍ତ୍ତମାନ ଥାଆନ୍ତ ନାଇଁ I

ନୀଳକଣ୍ଠ ପାଟିରେ ହାତଦେଇ ଗିରିବାଳା କହିଲା–ତମର ଆଉ କିଛି କଥା ନାହିଁ I

ନୀଳକଣ୍ଠ ଆଉକିଛି ସେ ବିଷୟରେ କହିବ ନାହିଁ ହୁଏତ ଏହାଦ୍ଵାରା ଗିରିବାଳା ଅନ୍ତରରେ ଦୁଃଖ ଆସିପାରେ । ଗୋଟାଏ ପଦାର୍ଥକୁ ପାଇବ ବୋଲି ପ୍ରତୀକ୍ଷା କରି ଆଉ ଏକ ନୂତନ ପଦାର୍ଥ ପାଇଲେ ଯେଉଁଆନନ୍ଦ-ଦୁଃଖ

ନୀଳକଣ୍ଠ ଗିରିବାଳାକୁ ଆଉ ଟିକିଏ ସଂକୁଚିତ କରି ଆଣିଲା । ପୁରୁଷର ବାହୁବେଷ୍ଟନୀ ଭିତରେ ନିଜ ଶରୀରକୁ ସଂକୁଚିତ କରିବାକୁ ଲଜ୍ଜିତ ଆନନ୍ଦଅତିଷ୍ଠ ହୋଇ ଉଠିଲା–ବାଳା, ନାରୀମନର ଏଇ ଗୋପନ ରହସ୍ୟ ଉଦ୍‍ଘାଟନ କରି–ନୀଳକଣ୍ଠ ଗିରିବାଳାର ବିଧୁ ବଦନରେ ବାର ବାର ମିଳନ ସ୍ୱାକ୍ଷର ଦେଇ ଗିରିବାଳାକୁ ବିଧ୍ୱସ୍ତ କରିପାରିଲା I

ଚାଳଉପର ଆକାଶରେ ସେଇ ଆଦିମ ଆଉ ଇଭ ଯୁଗର ସେଇ ଚାନ୍ଦଟା ତଥାପି ହସୁଥିଲା । ଏକ ଫେନିଳ ଯୌବନା ଯୁବତୀ ବଧୂଭଳି ଖିଲି ଖିଲି ।

ସେ ରାତିଟା ବି କଟିଥିଲା–ଆସିଲା ସୂର୍ଯ୍ୟାଲୋକର ଦିନ I

ଏଇ କେଇଦିନ ହେଲା ଦିନଟାକୁ ଆଦୌ ପସନ୍ଦ କରିପାରୁନି ନୀଳକଣ୍ଠ ଦିନରେ ଏକାକୀ ବସି କଦର୍ଯ୍ୟ ଭାବନା କରିବାକୁ ସେ ବି ଆନନ୍ଦ ମନେ କରୁନି । ତା’ଛଡ଼ା ସେଇ କଦର୍ଯ୍ୟ ଭାବନା କବଳରୁ ନିଜକୁ ରକ୍ଷା କରିବାକୁ ସେ ବାଧ୍ୟ ହେଉଛି ଶୋଇ ପଡ଼ିବାକୁ I କିନ୍ତୁ କେତେ ଶୋଇବ ? ମଣିଷର ପ୍ରକୃତ କ’ଣ କେବେ ଏଇ ଶୟନରେ ଶାନ୍ତ ହୋଇପାରେ ?

 

ଦିନରେ ଗିରିବାଳାକୁ ଦେଖିବାକୁ ତାକୁ ସୁଯୋଗ ମିଳେନା । ରକ୍ଷଣଶୀଳ ହିନ୍ଦୁଧର୍ମର ଗୋଟାଏ ଦିନରେ କୁସଂସ୍କାର I ରାତିରେ ଯା ସହିତ ଶରୀର ମିଳନ ହୁଏ–ଦିନରେ ତା’ ସହିତ କଥାବାର୍ତ୍ତା ହେବାରେ କି ଦୋଷ ଅଛି ?

 

ଅନେକଥର ଭାବିଛି ନୀଳକଣ୍ଠ ଏ ପରମ୍ପରାକୁ ଭାଙ୍ଗି ଦେବ–ଏସବୁ କୁସଂସ୍କାରକୁ ଲୋପ କରିଦେବ I କିନ୍ତୁ ସେ ପାରେନା, ହିନ୍ଦୁଧର୍ମର ଏ ବର୍ବର ଆଇନ ତାକୁ ନାଲି ଆଖି ଦେଖାଏ–ତାକୁ ଧମକ ଦିଏ–ଭୟରେ ସଂକିଯାଏ ନୀଳକଣ୍ଠ ।

 

ତଥାପି ନୀଳକଣ୍ଠ କ’ଣ ଡରିବାର ପିଲା । ନା ନା, ନୀଳକଣ୍ଠ ଅନ୍ତର ଚିତ୍କାର କରି ଉଠେ–ନିଜ ସ୍ତ୍ରୀ ସହ ଆଳାପ କରିବାରେ ଦୋଷ କ’ଣ ଅଛି ?

 

ସେଦିନ ସେଇକଥା ଚିନ୍ତା କରି ଅତିଷ୍ଠ ହୋଇଉଠିଲା ନୀଳକଣ୍ଠ । ଏ କୁସଂସ୍କାର ଜଡ଼ିତ ସମାଜର ଆକଟକୁ ଚିରଦିନଲାଗି ଅବରୋଧ କରିବାକୁ ଧୈର୍ଯ୍ୟର ସହିତ ଆଗେଇଲା ନୀଳକଣ୍ଠ ।

 

ଅତି ଆକସ୍ମିକ ଭାବେ ନିଜପାଖରେ ନୀଳକଣ୍ଠକୁ ଆବିଷ୍କାର କରି ଗିରିବାଳା ଅସ୍ପଷ୍ଟ ଚିତ୍କାର କରି ଉଠିଲା । ଲାଜରେ ଜଡ଼ସଡ଼ ହୋଇ ସେ ଭୟ ଚକିତ କଣ୍ଠରେ କହିଲା–ତମେ ଗଲ ଅନ୍ତତଃ କିଏ ଦେଖିବ... ।

 

ନୀଳକଣ୍ଠ ହସିଲା ମୁଁ ତ ପରଦାର ସହିତ ଆଳାପ କରିବାକୁ ଆସିନି ଯେ ଦୋଷ ହେବ-। ଆଉ ନିଜ ଦାରା ସହିତ ଦିବସରେ ଆଳାପ କଲେ ଯେ କି ଦୋଷ ସେଇକଥା ଜାଣିବାକୁ ବାଧ୍ୟ ହୋଇ ଆସିଛି । ସତ କହିବ–ଏଥିରେ କ’ଣ ବାସ୍ତବିକ ଗୋଟାଏ କିଛି ପାପ ହୁଏ ?

 

ବାଳା ବିରକ୍ତ ହେଲା–ପୁରୁଷମାନଙ୍କ ଉପରୁ ତା’ର ସେଇ ଅଭଦ୍ର ଧାରଣା ଆଉ କେବେ ଗଲାନି ।

 

ନୀଳକଣ୍ଠ ବାଳାର ମୁଖକୁ ଟେକିଧରି କହିଲା–ରାତି ଆଲୋକରେ ଅନେକ ଥର ଦେଖିଛି ତମକୁ ଆଉ ଆଜି ଦିନରେ ପରିଷ୍କାର ଆଲୋକରେ ପ୍ରଥମଥର ପାଇଁ ଦେଖୁଛି–ସତ କହୁଛି ତମେ ଏତେ ସୁନ୍ଦର ବାଳା । ମଫସଲରେ ପାଣି, ପବନ, ଆଲୋକ କୋଳରେ ଯେ ଏତେ ସୁନ୍ଦରୀ ଜନ୍ମ ନିଅନ୍ତି–ଏକଥା ମୋର ଆଦୌ ଧାରଣା ନଥିଲା ମୋର ସବୁବେଳେ ଗୋଟାଏ ଧାରଣା ଥିଲା–ସହରରେ କେବଳ ସୁନ୍ଦରୀହିଁ ଅଛନ୍ତି । ଗିରିବାଳା କିନ୍ତୁ ଏସବୁ ଶୁଣିବାକୁ ପ୍ରସ୍ତୁତ ନ ଥିଲା । ଭୟର ଦୋଳନରେ ମନଟି ତା’ର ଅସମ୍ଭବ ରକମର ଦୋଳାୟିତ ହୋଇ ଉଠୁଥିଲା ।

 

ନୀଳକଣ୍ଠ ତଥାପି କହି ଚାଲିଛି–ଏ ସ୍ନୋ, ପାଉଡର ନିଜ ମୁଖରେ ପ୍ରଲେପ କରି ସହରୀ ଶିକ୍ଷିତା ଝିଅ ନିଜକୁ ସୁନ୍ଦରୀ କରିବାକୁ ଆକଣ୍ଠ କାମନା କରନ୍ତି–କିନ୍ତୁ ମଫସଲର ଝିଅ ଯେ ବିଶେଷ ସୁନ୍ଦରୀ । ସେମାନେ ବିଭୂଷଣ...ତାଙ୍କୁ ବିଶେଷ ଭୂଷଣ କରିବା କି ଲାଭ ?

 

ଗୃହଆଡ଼କୁ କିଏ ଆସୁଥିବାର ଶବ୍ଦ ଭାସି ଆସିଲା–

 

ଗିରିବାଳା ବିରକ୍ତ ହୋଇ ପଳାଇ ଯାଉଥିଲା–ନୀଳକଣ୍ଠ ବାଧ୍ୟହୋଇ ଏକ ପଦାର୍ଥ ସନ୍ଧାନର ଛଳନା କରି ଗୃହରୁ ବାହାରିଗଲା ।

 

ଗୃହ ଭିତରକୁ ପଶି ଆସିଲେ ହେମାଙ୍ଗିନୀ । ସମାଜର କଡ଼ାଆଇନର ବିରୁଦ୍ଧାଚରଣ କରିଛି ନୀଳକଣ୍ଠ । ରକ୍ଷଣଶୀଳ ମନ ତାଙ୍କର ରୋଷରେ ଫୁଲି ଉଠୁଥିଲା ! ପାଠ ପଢ଼ି ନୀଳକଣ୍ଠ ସଭ୍ୟତା; ଭବ୍ୟତା କ’ଣ ଭୁଲି ଯାଉଛି ! ହେମାଙ୍ଗିନୀର ମୁଖମଣ୍ଡଳରେ ବିରକ୍ତି ଅସମ୍ଭବ ରକମର ଗାମ୍ଭୀର୍ଯ୍ୟ ଭାବ । ଘର ଭିତରକୁ ସମ୍ପୂର୍ଣ୍ଣ ପଶିଯାଇଁ ଗିରିବାଳା ଉଦ୍ଦେଶ୍ୟରେ କହିଲେ–ସେ କ’ଣ ଖୋଜୁଥିଲା କିଲୋ !

 

ଗିରିବାଳା ସଙ୍କିତ । ଲଜ୍ଜିତ ନିରବ ରହିଲା...

 

ନିଜ ପ୍ରଶ୍ନର ପୁନରାବୃତ୍ତି କଲେ ହେମାଙ୍ଗିନୀ...

 

ଗିରିବାଳା ଏଥର ମୁହଁ ଖୋଲିଲା–କେଜାଣି ?

 

–କେଜାଣି ତୁ ଏ ଘରେ ଥିଲୁଟି ? କ’ଣ କିଛି ଜାଣିନୁ ? ଗିରିବାଳା କହିଲା–ମୁଁ କାହିଁକି ଜାଣନ୍ତି !

 

ନା ତୁ କିଛି ଜାଣୁନା,–ରୋଷ ଅଭିମାନରେ ଫୁଲିଉଠି ହେମାଙ୍ଗିନୀ ଡେଇଁ ଡେଇଁ ଗୃହରୁ ଚାଲିଗଲେ ।

 

ଗିରିବାଳା ଆଖିରୁ ଅଦିନିଆ ଚଲା ବର୍ଷାଭଳି ଦୁଇଧାର ଲୁହ ଗଳିପଡ଼ିଲା–ପରଘର ବୋଲି ସିନା ତାକୁ ଏତକ ସହିବାକୁ ପଡ଼ିଲା !

 

ଗିରିବାଳାର ମନେ ପଡ଼ୁଥିଲା ମା ରତ୍ନମଣୀ, ଭାଉଜ ସ୍ମୃତିମଞ୍ଜରୀ କଥା !

Unknown

 

ତାଙ୍କ ସ୍ନେହ ଆଉ ତା’ର ଭାଗ୍ୟରେ ଜୁଟିବନି । ସେ ସ୍ନେହ ପାଇବାର ଇଚ୍ଛା ଏ ପରଘରେ ଚାହିଁବ ବା କାହିଁକି ! ଗିରିବାଳା ଆଖିରୁ ଲୁହ ପୋଛିଲା ।

 

ସେଦିନ ରାତିରେ ନୀଳକଣ୍ଠ ଗିରିବାଳାର ଅଶ୍ରୁସଜଳ ମୁଖକୁ ଦେଖି ପ୍ରଥମଥର ଲାଗି ପ୍ରମାଦ ଗଣିଲା । ଗିରିବାଳାର ସରସ-ସୁନ୍ଦର ମୁଖକୁ ତୋଳିଧରି ସ୍ନେହ ଗଦ୍ ଗଦ୍ କଣ୍ଠରେ କହିଲା–ମୋ ରାଣ କହିବନି ବାଳା । ତମେ କାହିଁକି କାନ୍ଦୁଛ ।

 

ଗିରିବାଳା ଅସ୍ପଷ୍ଟ ଚିତ୍କାର କରି କହିଲା–ତମରାଣ ପକାଇବ ନାହିଁ ବୋଲି ମୁଁ ପରା ବାରଣ କରିଥିଲି ।

 

ନୀଳକଣ୍ଠ ହସି ହସି କହିଲା–ଆଉ ଏଣିକି ପକାଇବିନି । ତେବେ କହ କାହିଁକି କାନ୍ଦୁଛ ।

 

ଗିରିବାଳା ଶୋକାକୁଳ କଣ୍ଠରେ କହିଲା–ମୋ କଥାକୁ ତମେ ଶୁଣିବନି । ଅଥଚ ତମଲାଗି ମୁଁ ଗାଳି ଖାଇବି ।

 

ଆହତ ହେଲା ନୀଳକଣ୍ଠ ଗିରିବାଳାର ଦୁଃଖ ଜାତ ହେବାର କାରଣ ଜାଣି ପାରିଥିଲେ ବି କଥାଟା ପରିଷ୍କାର ଜାଣିବାକୁ ଇଚ୍ଛାକରି ପୁଣି ପଚାରିଲା–କିଏ କ’ଣ କହିଲା ?

 

ଗିରିବାଳା କହିଲା–ବୋଉ ! ତମେ ସେତେବେଳେ ମୋ ଘରେ କାହିଁକି ପଶିଥିଲ–ସେ କଥା ସେ ମୋତେ ପଚାରିଲେ ମୁଁ ତା’ର କାରଣ ଜାଣିନି ବୋଲି କହିବାରୁ–ମତେ କହିଲେ–ତୁ କ’ଣ କିଛି ଜାଣୁ ?

 

ଗିରିବାଳା ଆଉ କିଛି କହି ପାରିଲା ନାହିଁ । ତୁହାଇ ତୁହାଇ କଇଁ କଇଁ ଉଠିବା ଫଳରେ ଗିରିବାଳା କଣ୍ଠରୁ ଆଉ ଭାଷା ଉଚ୍ଚାରଣ ହେବା ସମ୍ଭବପର ହେଲାନି । ଚକିତ ନୀଳକଣ୍ଠ ତେଜି ଉଠିଲା । ଗିରିବାଳାକୁ ପ୍ରବୋଧ ଦେବା ସେ ଭୁଲିଗଲା । ଭୁଲିଗଲା ତା’ର କର୍ତ୍ତବ୍ୟ । ନୀଳକଣ୍ଠ ବିରକ୍ତ-ଅତିଷ୍ଠ ହୋଇ ଚିତ୍କାର କରି ଉଠିଲା–ଆଚ୍ଛା ଦେଖିବି । ଏଣିକି ମୁଁ ଦୁଗୁଣେଇ ତାହାହିଁ କରିବି-। ଦେଖିବା ସମାଜର ଏ ଆକଟ ସେ ରଖିବେ କିମିତି ।

 

ତା’ପରଠାରୁ ନୀଳକଣ୍ଠ ଠିକ୍‍ ତା’ର ଜିଦ୍ ବଜାୟ ରଖିଲା । ନୀଳକଣ୍ଠର ଏପ୍ରକାର ମତିଗତି ଦେଖି ପରିବାରର ପ୍ରତ୍ୟେକ ଲୋକ ଅସହ୍ୟ ହୋଇ ଉଠିଲେ । ଦିନ ଆସିଲା କଥାଟା ଗୋଟାଏ ଆଲୋଚନାର ବସ୍ତୁ ହୋଇଗଲା । ପୋଖରୀ ତୁଠରେ, ତାସଖେଳ ପାଖରେ, ପ୍ରାୟ ପ୍ରତ୍ୟେକ ସ୍ଥାନରେ ନାରୀମାନେ ଏକତ୍ରିତ ହୋଇ ସମସ୍ଵରରେ ନୀଳକଣ୍ଠକୁ ନିନ୍ଦାକରି ମାଇଚିଆ ଆଖ୍ୟା ଦେଲେ । ସବୁ ଶୁଣିଲା ନୀଳକଣ୍ଠ ଏସବୁ ବାଜେକଥା କହି ସେ ହସି ଉଡ଼ାଇ ଦେଲା ସିନା, କିନ୍ତୁ, ନାରୀ ଦେହ ପାଇ ଏକଥା ଗୁଡ଼ାକ ସହିବାର ସାହସ ଧୈର୍ଯ୍ୟକୁ ହରାଇ ବସିଲା ବାଳା । ଏଭଳି ଅପ୍ରୀତିକର ପରିବେଶ ମଧ୍ୟରେ ସମୟ କାଟିବାକୁ ଗିରିବାଳା ନିଜକୁ ପ୍ରସ୍ତୁତ କରିନେଲା । କିନ୍ତୁ ନୀଳକଣ୍ଠ !!

ଆକାଶରୁ ଏକ ନକ୍ଷତ୍ରର କକ୍ଷଚ୍ୟୁତ ଘଟିଲା ।

ରାମ-ରାମ-ରାମ ମନେମନେ ସାତଥର ରାମଚନ୍ଦ୍ରଙ୍କର ନାମକୁ ସ୍ମରଣ କରିନେଲା ନୀଳକଣ୍ଠ–ମୃତ ନକ୍ଷତ୍ରର ପ୍ରତ୍ୟେକ୍ଷ ଦର୍ଶନ ଅମଙ୍ଗଳ ନିଶ୍ଚୟ । ନୀଳକଣ୍ଠ ସଚେତନ ହେଲା–ଆଉ ତା’ଜୀବନର କି ଅମଙ୍ଗଳ ହୋଇପାରେ ?

ଭାଗ୍ୟ ସହ ଯୁଦ୍ଧ କ’ଣ କରୁଥିଲା ନୀଳକଣ୍ଠ ।

ନୀଳକଣ୍ଠର ଦୁଃଖ ହୁଏ । ଏଇ ଦୁଃଖଟାକୁ ନୀଳକଣ୍ଠ ଆଉ ତା’ ଜୀବନରେ ଭୁଲିପାରିବ ନାହିଁ । ପାଠ ପଢ଼ି ମଣିଷ ହେବାକୁ ସେ ଯେଉଁ କର୍ମ କରିଥିଲା ସେ କର୍ମଫଳ ବିପରୀତ ହେଲା । ଫଳହୀନ ଛାତ୍ର ଜୀବନ ପରେ କର୍ମହୀନ ବେକାର ଜୀବନ ଯାପନ କରିବାକୁ ପଡ଼ିଛି–ଆଉ ପଡ଼ୁଛି ଧୈର୍ଯ୍ୟର ସହିତ ସ୍ଵାଗତ କରିବାକୁ ଅପ୍ରୀତିକର ଏକ ପାରିବାରିକ ଜୀବନ ।

ନୀଳକଣ୍ଠର ଅନ୍ତର କପୋତୀ ବିକଳ ଭାବେ ବିଳପି ଉଠେ । ବ୍ୟର୍ଥ-ବିରକ୍ତି-ବେଦନା ବିନା ଦହନର ଜ୍ଵାଳା ଅନୁଭବ କରେ ସେ ତା’ ପ୍ରତି ଶିରା, ପ୍ରଶିରାରେ । କ’ଣ ନ ହେଲା ?

ସେ ଦିନ ନୀଳକଣ୍ଠର ଶ୍ୱଶୁର ଆସିଥିଲେ ତା’ଙ୍କ ଗୃହକୁ । ନୀଳକଣ୍ଠ କରରେ ଗିରିବାଳାକୁ ସମ୍ପି ଦେଇ ସେ ଭାବିଥିଲେ ଗିରିବାଳା ନିଶ୍ଚୟ ସୁଖ ସମ୍ଭୋଗରେ କାଳ କାଟୁଥିବ କିନ୍ତୁ ଗିରିବାଳା ମୁଖରୁ ତା’ ଦୁଃଖ-କାହାଣୀ ଗୁଡ଼ିକ ଶୁଣି ସେ ଧୈର୍ଯ୍ୟହରା ହୋଇ ପଡ଼ିଲେ । ମହରଗରୁ ଯେ ସେ କାନ୍ତାରରେ ପଡ଼ିଛନ୍ତି–ଏକଥା ଜାଣି ନିଜ ଭାଗ୍ୟକୁ ନିନ୍ଦା କରିବା ଛଡ଼ା ତାଙ୍କର ଆଉ ଉପାୟ କ’ଣ ଅଛି ?

ଗିରିବାଳାର ଭାଗ୍ୟ ନିଶ୍ଚୟ ଛୋଟ । ଆଜି ହୁଏତ ସେ ଦୁର୍ଗାଚରଣ ଭଳି ଉଚ୍ଚ ପାହ୍ୟା ଅଫିସର କୁଳବଧୂ ହୋଇ ଆନନ୍ଦରେ କାଳ କାଟୁ ଥାଆନ୍ତା କିନ୍ତୁ ଭାଗ୍ୟହୀନ ଭାଗ୍ୟରେ ଏ ସୁଖ ସୌଭାଗ୍ୟ କ’ଣ କେବେ ଜୁଟେ ?

ଶ୍ଵଶୁର ଗଲାବେଳେ ନୀଳକଣ୍ଠକୁ ବୁଝାଇ କହିଲେ ସମୁଦି କହୁଥିଲେ–ସେ ତମ ଉପରେ ଭାରି ଅଶାନ୍ତି ଅଛନ୍ତି । ତମେ ଚାକିରିଟାଏ ଠିକକରି ରହିଯାଅ । ଦିନକୁ ଦିନତ ପରିବାର ବଢ଼ିଲା–ଏଥର ଚଳିବା ଉପାୟଟାହିଁ ନ କଲେ… ।

ନୀଳକଣ୍ଠ ଅନ୍ତରରେ ଦାରୁଣ ଆଘାତ ଲାଗିଥିଲା, ଶ୍ୱଶୁରଙ୍କ ଠାରୁ ଏକଥା ଶୁଣିବାକୁ ସେ ଆଦୌ ପ୍ରସ୍ତୁତ ନଥିଲା ।

ଗୌବର୍ଦ୍ଧନ ନୀଳକଣ୍ଠ ମୁହଁର ରଙ୍ଗ ବଦଳି ଯିବାର ଅନୁମାନ କରି ତାଙ୍କୁ ବୁଝାଇ ଦେଇଥିଲେ–ପାଠପଢ଼ା ପିଲା ଘରେ ବସିଗଲେ ଟିଣାଧରି ଯାଆନ୍ତି । ବୁଦ୍ଧିବୃତ୍ତି ଲୋପ ପାଇଯାଏ । ତମେ’ ଆଉ ଘରେ ନବସି ଗଲ–ଖଣ୍ଡେ service ଦେଖିବ ।

ନୀଳକଣ୍ଠ ଦେଖିବ କହି ଶ୍ଵଶୁରଙ୍କଠାରୁ ବିଦାୟ ଘେନି ଚାଲିଆସିଛି । ତା’ ଅଲକ୍ଷରେ ଯେ ତା’ ବେକାର ଜୀବନ ଉପରେ ଅନେକ ସମାଲୋଚନା କରୁଛନ୍ତି–ଏକଥା ସ୍ପଷ୍ଟଜାଣି ଦୁଃଖରେ ଭାଙ୍ଗି ପଡ଼ିଛି । ଆଉ ସେ ଘରକୁ ଯିବାନାହିଁ ବୋଲି ସ୍ଥିର କରିଛି ।

 

ନୀଳକଣ୍ଠ ଆଖିରୁ ପାଣି ପୋଛିଲା ନା, ତାକୁ ଘରକୁ ଯିବାକୁ ହେବ । ଗିରିବାଳା ସବୁ କାମସାରି ତାଙ୍କୁହିଁ କେବଳ ପ୍ରତୀକ୍ଷା କରିଥିବ । ତା’ଛଡ଼ା ସେ ଯଦି ନ ଯାଏ ତା’ହେଲେ କ’ଣ ତାକୁ କିଏ ବର୍ତ୍ତମାନ ଚାକିରିଟାଏ ଦେବ ! ଚାକିରି ପାଇବାକୁ ହେଲେ ତାକୁ ପୁଣି ଇଣ୍ଟରଭ୍ୟୁ ଯିବାକୁ ପଡ଼ିବ ।

 

ନୀଳକଣ୍ଠ ଉଠିଲା–ରାତି ଯେ ଅନେକ ହୋଇଗଲାଣି ।

 

ଘରେ ପହଞ୍ଚି ନୀଳକଣ୍ଠ ଗିରିବାଳାକୁ କହିଲା–ମୁଁ ପନ୍ଦରଦିନ ପାଇଁ ଆସନ୍ତା ତିନି ତାରିଖରେ ବାହାରକୁ ଯିବି । ଗୋଟେ ଚାକିରି ଯୋଗାଡ଼ କରିବାକୁ ପଡ଼ିବ...କ’ଣ କହୁଛ ।

 

ଗିରିବାଲା କହିଲା–ଖାଲି ବାହାରେ ପନ୍ଦରଦିନ ରହିଲେ କ’ଣ ଚାକିରି ମିଳିବ ! ତମେ ଏଠିରହି ଦରଖାସ୍ତ ଦେଉନା ।

 

କିନ୍ତୁ ଅନେକ ଦରଖାସ୍ତ ଦେଇ ନିରାଶ ହୋଇଛି ବାଳା । ଏଥର ଆଉ ସେ ଦୁର୍ବାର କାମନାର ପ୍ରତୀକ୍ଷା କରିବନି । ଏଥର ମୁଁ ଭୁବନେଶ୍ଵର ଯିବି । ସେଠାରେ ମୋର ଜଣେ ଅନ୍ତରଙ୍ଗ ବନ୍ଧୁ ଅଛନ୍ତି । ତାଙ୍କର ପାଖରେ ରହି ଚାକିରି ଠିକ୍‍ କରିବାକୁ ହେବ ଚାକିରିଟାଏ ନ ପାଇଲେ କ’ଣ କରିପାରିବି ମୁଁ !!!

 

ଗିରିବାଳା ଆଉକିଛି ଯୁକ୍ତି କଲାନାହିଁ ବରଂ ଗାଁ ଠାକୁରଣୀଙ୍କ ଉଦ୍ଦେଶ୍ୟରେ ପ୍ରଣତି ଢାଳି କହିଲା–ମା ! ମୋ ସ୍ୱାମୀର ଚାକିରି ଜୁଟିଲେ ତମକୁ କଳାଶାଢ଼ି ପିନ୍ଧାଇବି ।

 

ନୀଳକଣ୍ଠ ମଧ୍ୟ ସେଇକଥା କହି, ସେଇ ବୁଢ଼ୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ପ୍ରଣତି ଢାଲିଲା–ମା । ଦେ ଯଥାଶୀଘ୍ର ନିଯୁକ୍ତି ।

 

ନୀଳକଣ୍ଠ ଚାକିରି କରିଯାଉଛି ।

 

ଦାଣ୍ଡଘର ଖଟିଆ ଉପରେ ଶୋଇ ରହିଥିଲେ ଧନଞ୍ଜୟ । ଖଟିଆର ଦୁଇପାଖରେ ତଳେ ବସିଥିଲେ ଶକୁନ୍ତଳା, ଆଉ ହେମାଙ୍ଗିନୀ । ବସିଥିଲା କ୍ଷୁଦ୍ର ଏକ ମିଟିଂ ନୀଳକଣ୍ଠ ଉପରେ ଆଲୋଚନା କରିବା ଏ ମିଟିଂର ଉଦ୍ଦେଶ୍ୟ । ଏ ମିଟିଂରେ ଯୋଗ ଦେବାର ସୌଭାଗ୍ୟ ନାହିଁ । କାରଣ ସେ ପାଠପଢ଼ି ମୂର୍ଖ ହୋଇଛି, ସ୍ତ୍ରୀଲାଗି ସେ ପାଗଳ ହୋଇଛି । ସେ ଏ ବଂଶର ପ୍ରଥମ ଏବଂ ସର୍ବପ୍ରଥମ କୁପୁତ୍ର । ଏଥିପୂର୍ବରୁ ଧନଞ୍ଜୟ ପରିବାରରେ ଏତିକି କିଏ ପାଠ ପଢ଼ି ନ ଥିଲା । ଆଉ ଏତିକି କିଏ ସ୍ତ୍ରୀ କଥାରେ ରହି ନ ଥିଲା । ସେଥିନେଇ ପରିବାରର ପ୍ରତ୍ୟେକ ଲୋକ ନୀଳକଣ୍ଠ ଉପରେ ବିରକ୍ତି । ସେମାନେ ଆଶକରି ଥିଲେ ନୀଳକଣ୍ଠ ବଡ଼ ଚାକିରି କରିବ–କାରଣ ସେ ବେଶି ପଢ଼ିଛି କିନ୍ତୁ ଫଳଟା ଠିକ୍ ବିପରୀତ ହୋଇଗଲା–ନୀଳକଣ୍ଠର ଉଚ୍ଚଶିକ୍ଷା ତା’ଙ୍କ ପରିବାର ଲାଗି କଣ୍ଟକ ହେଲା । ନୀଳକଣ୍ଠକୁ ଅଧୋପତନର ତଳପାହାଚ ଯାଏ ଟାଣି ନେଲା ।

 

ସନ୍ଦେହ ଭୟର ପକ୍ଷୀ ସେମାନଙ୍କ ମନରେ ବସା ବାନ୍ଧି ଅଣ୍ଡା ପ୍ରସବ କରିଛି । ନୀଳକଣ୍ଠ ସହ କଥୋପକଥନ କରିବାକୁ ସେମାନେ ଯିମିତି ଅନାଗ୍ରହ ନୀଳକଣ୍ଠ ଘର ନ ଛାଡ଼ୁଥିବା ଦେଖି ଯିମିତି ବୀତସ୍ପୃହ ।

 

କିନ୍ତୁ ବିଚାରା ନୀଳକଣ୍ଠ ।

 

ନୀଳକଣ୍ଠ ଚାକିରି କରି ଯାଉଛି...କାଲି ।

 

ଧନଞ୍ଜୟ କଥାଟା ସ୍ତ୍ରୀ ହେମାଙ୍ଗିନୀ ମୁହଁରୁ ଶୁଣି ଉଠିବସିଲେ–କେଉଁଠିକି ଯାଉଛି ?

 

ଭୁବନେଶ୍ୱର ଯାଉଛି ବୋଲି ତ କହୁଥିଲା ।

 

ଶକୁନ୍ତଳା ଯୋଗକଲେ–ଭୋବନିଶ୍ୱର ନିରଞ୍ଜନ ବସାକୁ ଯାଉଛି ।

 

ଧନଞ୍ଜୟ ଆନନ୍ଦିତ ହେଲେ ଶକୁନ୍ତଳା ଉଦ୍ଦେଶ୍ୟରେ କହିଲେ–ତାକୁ ଡାକି ଆଣିଲ ।

 

ନୀଳକଣ୍ଠ ଆସିଥିଲା । ଧନଞ୍ଜୟ ଗଳା ପରିଷ୍କାର କରି କହିଲେ–କାଲି ତୁ ଭୋବନିଶ୍ୱର ଯିବୁ ।

 

ନୀଳକଣ୍ଠ ସମ୍ମତି କଲା ।

 

କ’ଣ ଟଙ୍କା ପଇସା ଅଛିନା, ନବୁ ।

 

ନୀଳକଣ୍ଠ ଭାବିଲା–ଏପ୍ରକାର ପ୍ରଶ୍ନର ଉତ୍ତର କ’ଣ ବାପା ନିଜେ କରିପାରିଲେ ନାହିଁ ! ନିରବ ରହିଲା ନୀଳକଣ୍ଠ ।

 

ଧନଞ୍ଜୟ କ’ଣ ବାସ୍ତବିକ୍ ଏକଥା ଚିନ୍ତା କରିପାରି ନଥିଲେ ।

 

ଶକୁନ୍ତଳା କହିଲେ–ତାକୁ କିଛିଟଙ୍କା ଦେଉନ ।

 

ଧନଞ୍ଜୟ ବାକ୍ସରୁ ଦଶଟି ଟଙ୍କା କାଢ଼ି ନୀଳକଣ୍ଠ ହାତକୁ ଦେଲେ । ନୀଳକଣ୍ଠ ବାଧ୍ୟହୋଇ ଗ୍ରହଣ କଲା । ଧନଞ୍ଜୟ ଏଥର ନୀତିବାଣୀ ଶୁଣାଇଲେ–ଦେଖ, ଯୁଗତ ହେଲାଣି ଦୋଶରା । ନଇଁ ପଡ଼ିଲେ ଲହଡ଼ି ଭାଙ୍ଗିହୁଏ । ଯଦି କେଉଁଠି କାମ ଜୁଟେ ଟଙ୍କା ପଛେ ଦବା ଠିକ୍‍ କର । ଚାକିରିଟାଏ ପାଇଗଲେ ତୋକଥା ହେବ ଦୋସରା ।

 

ନୀଳକଣ୍ଠ ନିରବ । ହେମାଙ୍ଗିନୀ କହିଲେ–ଚାଉଳ କିଛି ନେଇ ଯାଉନୁ । ନୀଳକଣ୍ଠ ବିରକ୍ତ ହେଲା । ହସିଲା ଶକୁନ୍ତଳା ।

 

ଧନଞ୍ଜୟ କହିଲେ–ଭାଇ ଟଙ୍କା ଚାଳିଶ ପଠାଇଥିଲା । ଦୋକାନ ବଜାର ଯାଇ ରହିଥିଲା । ଏଇ ଦଶଟଙ୍କା-ଏକୁ ନେଇ ଯାଇଥା । ଭାଇ ପାଖକୁ ଚିଠି ଲେଖିଲେ ସେ ପଠାଇବ । କିନ୍ତୁ ଚାକିରିଟାଏ ଯିମିତି ଠିକ୍ କର ।

 

ନୀଳକଣ୍ଠ ଆଉ କିଛି ଶୁଣିବାକୁ ସଙ୍କୋଚ ବୋଧ କଲା । ଦଶଟି ଟଙ୍କା ଧରି ସେ ଫେରି ପଡ଼ିଲା ।

 

ସେଦିନ ରାତିରେ ଆଉ ନିଦ ହେଲା ନାହିଁ ନୀଳକଣ୍ଠକୁ । ଚାକିରି ପ୍ରଲୋଭନଟା ଜିଭ କାଢ଼ି ଅଥୟ ହେଲା । ନୀଳକଣ୍ଠ ଚାକିରି ପାଇବା ପନ୍ଥାଟା ଖୋଜୁଥିଲା କଳ୍ପନା କରି ।

 

ଗିରିବାଳା କିନ୍ତୁ ସେ ଟିକେ ଶୋଇଯିବାକୁ ଅନୁରୋଧ କରୁଥିଲା ! ନୀଳକଣ୍ଠ କ’ଣ ଶୋଇ ପାରିବ !!

 

ଗିରିବାଳାକୁ ଆଜି ଆଉ ତର ନାହିଁ । ନୀଳକଣ୍ଠର ଆବଶ୍ୟକୀୟ ଜିନିଷପତ୍ର ସଜଡ଼ା ସଜଡ଼ି କରିବାରେ ସେ ବ୍ୟସ୍ତ । ନୀଳକଣ୍ଠ କିନ୍ତୁ ଏ ସବୁକୁ ପସନ୍ଦ କରୁନି । ସେ ବ୍ୟସ୍ତ ହୋଇ କହିଲା–କ’ଣ ଏତେ କାମ ହେଉଛି ।

 

ଗିରିବାଳା ହସିଲା–ରୁହ ଟିକେ !

 

ନୀଳକଣ୍ଠ କିନ୍ତୁ ଏ ସମୟରେ କ’ଣ ଅପେକ୍ଷା କରିପାରେ ? ବରଂ ସେ ଉଠିଲା–ଗିରିବାଳା କରକୁ ଭିଡ଼ି ନେଇ ଶଯ୍ୟା ଉପରେ ବସାଇ ଦେଇ କହିଲା–ମୋ କଥା ମନେରଖିବଟି ?

 

ମୁହଁରେ କୃତ୍ରିମ ଦୁଃଖ ପ୍ରକାଶ କରି ବାଳା କହିଲା–ତମେ ସେଠି ଯଦି ଆଉ କାହାକୁ...

 

ନୀଳକଣ୍ଠ ସ୍ମିତ ହସିଲା–

 

ନୀଳକଣ୍ଠ ଉତ୍‍ଶୃଙ୍ଖଳ ହୋଇ ଉଠିଲା...

 

ଗିରିବାଳା କହିଲା–ମୋ’ରାଣ, ପହଞ୍ଚି ଶୀଘ୍ର ଖଣ୍ଡେ ଚିଠି ଦେବଟି, ଏଁ...

 

ହଁ...ଅସ୍ତବ୍ୟସ୍ତରେ ନୀଳକଣ୍ଠ ସାଙ୍କେତିତ ଉତ୍ତର ଦେଲା ।

 

ରାତି ପାହି ସକାଳ ହେଲା । ତରା ଯାଇଁ ଖରା ହେଲା–

 

ନୀଳକଣ୍ଠ ଶୁଭ ଅନୁକୂଳ କରି ଗୋଡ଼ କାଢ଼ିଲା...

 

ହେମାଙ୍ଗିନୀ ନୀଳକଣ୍ଠର ଶୁଭ ମନାସି ବୁଢ଼ୀ ଠାକୁରାଣୀଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କଲେ–ମା’ ମୋ ପୁଅର ଚାକିରି ହୋଇଗଲେ ମୁଁ କଳାଶାଢ଼ି ଦେବି ।

 

ବାପା କହିଲେ–ବାଳ ଲୀଳା କରିବି ।

 

ଶକୁନ୍ତଳା ମଝି ଖୁଣ୍ଟରେ ଟଙ୍କା ବାନ୍ଧିଲେ ।

 

ଆଉ ମନଦୁଃଖ କରିବ ନାହିଁ ବୋଲି ସାହସ କଲା ଗିରିବାଳା ।

 

ତା’ପରେ ଦିନେ ଦୁଇଦିନ, ଚାରିଦିନ, ଆଠଦିନ ଗଲା । ନୀଳକଣ୍ଠଠାରୁ ଚିଠି ନପାଇ ଦୁଃଖରେ ଭାଙ୍ଗି ପଡ଼ିଲା ଗିରିବାଳା କୌଣସି କାର୍ଯ୍ୟରେ ମନ ଲାଗିଲା ନାହିଁ ତା’ର । ସଦାସର୍ବଦା ମନରେ ଏକ ପାପକଥା ବାରବାର ସ୍ମରଣ ହେଲା । ଗିରିବାଳା ଖାଲି ଡାକପିଅନକୁ ଅପେକ୍ଷା କରି ନିରାଶ ହେଲା ।

 

ସେଦିନ ଡାକପିଅନ ଆସିବା ପରେ ଚିଠି ନ ଆସିଥିବାର କଥା ଜାଣି ଘରେ ପ୍ରତ୍ୟେକ ଲୋକ ଆଶଙ୍କାରେ ମୁହ୍ୟମାନ ହୋଇ ପଡ଼ିଲେ । ଗିରିବାଳା ଆଉ ଦୁଃଖ ସହି ନପାରି ଶଯ୍ୟା ଉପରେ ଶୋଇ ଶୋଇ କାନ୍ଦିବାକୁ ଲାଗିଲା ।

 

ସହସା ଗୃହ ଭିତରକୁ ପଶି ଆସି ଚମକି ପଡ଼ିଲା ମାନସୀ । ଗିରିବାଳାର ଅଧୈର୍ଯ୍ୟ କ୍ରନ୍ଦନ ଦେଖି ସେ ଆଶ୍ୱାସନା ଦେବା କଣ୍ଠରେ କହିଲା–ଛିଃ ଭାଉଜ, ତମେ ଏଇ ସାମାନ୍ୟ କଥାରେ କାନ୍ଦୁଛ ! ଭାଇ କ’ଣ ଚିଠି ଦେବେନି ଯେ, ଏଇ ଦେଖିବ କାଲି କିମ୍ବା ପରଦିନ ନିଶ୍ଚୟ ଚିଠି ଆସିବ-

 

ଗିରିବାଳାର ଆଖି ଲୁହକୁ ପୋଛି ମାନସୀ ପୁଣି କହି ଚାଲିଲା ଭାଇ ବିଦେଶ ଯାଇଛନ୍ତି, ତମେ ଏଠି ଏମିତି କାନ୍ଦିବା କ’ଣ ଉଚିତ ।

 

ଗିରିବାଳା ସଚେତନ ହେଲା–ସ୍ୱାମୀଙ୍କର ଅମଙ୍ଗଳ ହେବାର ଆଶଙ୍କା କରି ସେ ଆଉ କାନ୍ଦିଲା ନାହିଁ । କହିଲା ମାନ, ଝିଅ ଜନମ ତ ଏଡ଼େ ହୀନିମାନିଆ । ଖାଲି କାନ୍ଦି କାନ୍ଦି ଦିନ ଯିବ ସିନା ।

 

ମାନସୀ କ’ଣ ଉତ୍ତର ଦେବ । ସେ ଝିଅ ହୋଇ ଜନ୍ମ ହୋଇଛି ସତ କିନ୍ତୁ ଅନୁଭୂତିର ମୂଲ୍ୟ ଦେଇ ବୁଝିବା ତା’ ପକ୍ଷରେ କି ସମ୍ଭବ । କିନ୍ତୁ ଯେତେବେଳେ ସେ ଅନ୍ୟ କାହାର ବଧୂ ହେବ ନିର୍ଯ୍ୟାତନାର ନର୍କ ଭିତରକୁ ପଶିଯିବ–ସେତେବେଳେ ମାନସୀ ଆଉ ଏ କଥା ଶୁଣି କ’ଣ ମୂକ ଭଳି ରହି ପାରିବ ?

 

ଖରାତେଜ ମହଳନ ପଡ଼ିଲାଣି । ଏଥର ସଞ୍ଜ ବଳିବାକୁ ପଡ଼ିବ, ଗୃହ ଧନ୍ଦା କରିବାକୁ ପଡ଼ିବ । ରୋଷାଇ ବସାଇବାକୁ ପଡ଼ିବ । ଗିରିବାଳା ଉଠିଲା, ମାନସୀକୁ ପଛକୁ ଆସିବ କହି ରୋଷଇଘରକୁ ପଶିଗଲା । ପଶିଗଲା ପୁଣି କର୍ତ୍ତବ୍ୟର ଭଉଁରୀରେ ।

 

ଅପରାହ୍ନ ଅତୀତ ହୋଇ ଯାଇଛି । ନୀଳକଣ୍ଠ ବସା ଦ୍ୱାର ଖୋଲିଲା ନିଜ ପୋଷାକ ପରିବର୍ତ୍ତନ କରି ସ୍ନାନ ଘରେ ପଶିଲା–ସୁଇଚ ଟିପିବାମାତ୍ରେ ଜଳର ବନ୍ୟା ସୃଷ୍ଟି ହୋଇଗଲା । ନୀଳକଣ୍ଠ ଗୋଡ଼, ହାତ ମୁହଁ ଉତ୍ତମରୂପେ ଧୋଇ ନେଇ ସୁଇଚି ବନ୍ଦ କଲା । ସୁଇଚି ବନ୍ଦ କରି ଦେଇ ନୀଳକଣ୍ଠ ଦଣ୍ଡେ ଚିନ୍ତା କଲା–ଭାଗ୍ୟରେ ଯଦି ଏଭଳି ଗୋଟାଏ ସୁଇଚ ଲାଗି ଥାଆନ୍ତା ତା’ହେଲେ ତାକୁ କ’ଣ ଏତିକି କଷ୍ଟ କରିବାକୁ ପଡ଼ିଥାଆନ୍ତା !

ନୀଳକଣ୍ଠର ପାଦରୁ ପାଣି ମରି ଯାଇଛି । ଦିନ ତମାମ ଅନେକ ଅଫିସକୁ ଦୌଡ଼ି ଦୌଡ଼ି ସେ କ୍ଳାନ୍ତ ଅବସନ୍ନ ହୋଇ ପଡ଼ିଛି–ତଥାପି ସେ କ’ଣ କୌଣସି ଆଶା କରିପାରୁଛି ?

ପ୍ରଥମେ ପି.ଏଚ୍.ଡି. ଅଫିସକୁ ଯାଇଥିଲା ନୀଳକଣ୍ଠ । କାମ ଆଉ ପନ୍ଦର ଦିନ ପରେ ହେବ ବୋଲି ଜଣେ ବନ୍ଧୁ ସମବେଦନା ଜଣାଇଲେ । ବେଦନାରେ ଛଟପଟ ହୋଇ ନୀଳକଣ୍ଠ ସେକ୍ରେଟେରୀଏଟ୍‍ର ଇଣ୍ଡଷ୍ଟ୍ରି ଡିପାଟମେଣ୍ଟକୁ ଆଗେଇଲା । କିନ୍ତୁ ସେଠିବି ସେଇ କଥା । ତା’ପରେ ନୀଳକଣ୍ଠ ଏମପ୍ଲଏମେଣ୍ଟ ଅଫିସକୁ ଯିବାକୁ ଭୁଲି ନଥିଲା । ଦଶଟାଠାରୁ ବୁଲି ବୁଲି ବିଫଳ ହେଲା ନୀଳକଣ୍ଠ । ନିଜ ଉପରେ ତା’ର ଆସୁଥିଲା ଗୁଡ଼ାଏ ଅଭିମାନ । ତିନି ମାସ ହେବ ଆସିଲାଣି ସେ । ଲଜ୍ଜିତ ହେଉଥିଲା ନୀଳକଣ୍ଠ । ନିରଞ୍ଜନ ସିନା କିଛି ମୁହଁରେ କହି ପାରୁନି କିନ୍ତୁ ପେଟରେ କ’ଣ ଭାବୁଥିବ ?

ଚାକିରି ପାଇବ ବୋଲି ପୃଥିବୀର ପ୍ରତ୍ୟେକ ଦେବ ଦେବୀଙ୍କୁ କିଛି ନା କିଛି ମାନସିକ କରିଛି । କିନ୍ତୁ ନୀଳକଣ୍ଠର ଆଜି ଦୁଃଖ–ବିରକ୍ତି ହୁଏ–ଦେବା ଦେବୀକି ଚାହାଁନ୍ତି, ଆଉ ଏମିତି ମାନସିକ କଲେ ଯଦି ଦେବା ଦେବୀ ସବୁନେଇ ଦେଉ ଥାଆନ୍ତେ, ତା’ହେଲେ ତାଙ୍କ ଗାଁ ଠାକୁରାଣୀ ଭଳି ସେ ଏକ ଭଙ୍ଗା ଘରେ କାହିଁକି ପଡ଼ି ଥାଆନ୍ତେ ?

 

ଦେବା ଦେବୀ ତା’ହେଲେ ମଣିଷର କିଛି ଉପକାର କରିପାରନ୍ତି ନାହିଁ ! ତେବେ ମଣିଷ କାହିଁକି ଅଯଥା ଖର୍ଚ୍ଚାନ୍ତ ହୋଇ ଏମାନଙ୍କର ପୂଜା ଆରାଧନା କରିବ । ବରଂ ମଣିଷ ଦେବତାକୁ ପୂଜାକଲେ ମଣିଷ ଦେବତାକୁ କିଳାପତା ଯାଚିଲେ–ସେ ନିଶ୍ଚୟ ଉପକାର କରିବ–ଚାକିରିଦେବ । ନୀଳକଣ୍ଠ ସ୍ଥିର କଲା–ଏଥର ସେ ମୁହଁ ଖୋଲିବ ଚାକିରିଟାଏ ପାଇବା ଲାଗି ସେ ଯେ କୌଣସି ଅପକାର୍ଯ୍ୟ କରିବାକୁ କାହିଁକି ପଛାଇବ !

 

ନୀଳକଣ୍ଠର ବିବେକ ବାଧ୍ୟ ହେଉଥିଲା । ନୀଳକଣ୍ଠର ମନ କିନ୍ତୁ ଆର୍ତ୍ତଚିତ୍କାର କରି ଉଠିଲା–ଭଗବାନଙ୍କ ଉପରେ ଥିବା ତା’ର ଅଟଳ ବିଶ୍ୱାସ ଟଳି ପଡ଼ିଲା । ସେ କ୍ଷୀଣ କଣ୍ଠରେ ଚିତ୍କାର କରି ଉଠିଲା–ନା, ନା, ସେ ଚାକିରି କରିବାଲାଗି ସବୁକିଛି କାର୍ଯ୍ୟ କରିବାକୁ ପଛାଇବ ନାହିଁ-

 

ବାରି ସଜନା ଗଛରେ ହଳଦୀବସନ୍ତ ଗଳା ଖୋଲିଛି । ସକାଳୁ ଉଠି ଶଙ୍ଖଚିଲ ମୁହଁ ଚାହିଁଛନ୍ତି ଧନଞ୍ଜୟ । ଗତରାତିରେ ସ୍ୱପ୍ନ ଦେଖିଥିଲା ଗିରିବାଳା…କେଉଁ ବଡ଼ ଅଫିସରେ ଚାକିରି ପାଇଛନ୍ତି ସେ । ଖନାବଚନ କେବେ ମିଥ୍ୟା ହୁଏନା । ବୁଢ଼ୀ ଠାକୁରାଣୀ କାହାରି କଥା ଶୁଣନ୍ତି ନାହିଁ ବୋଲି କିଏ କହିପାରିବ ?

 

ଧନଞ୍ଜୟ ଡାକଘରୁ କାଢ଼ି ଚିଠି ଖଣ୍ଡେ ପାଇ ଡେଇଁ ଡେଇଁ ଆସୁଥିଲେ–ହେମାଙ୍ଗିନୀକୁ ଦେଖି ଆନନ୍ଦ ହୋଇ କହିଲେ–ନୀନୁ ଆମର ଚାକିରି ପାଇଛି ଖୁବ୍ ଗୋଟାଏ ବଡ଼ ଚାକିରି–ବି.ଡ଼ି.ଓ. ଚାକିରି ।

 

ଧନଞ୍ଜୟଠାରୁ କଥାଟା ଶୁଣି ଆଉ ଧୈର୍ଯ୍ୟ ଧରିପାରିଲେ ନାହିଁ । ବୁଢ଼ୀ ବୟସରେ ବି ତରୁଣୀର ମନ ନେଇ ଡେଇଁ ଡେଇଁ ଆସି କହିଲେ ଘରେ । କ୍ଷଣିକ ଭିତରେ ଏକ ମଳୟ ଖେଳିଗଲା ଘରର ପ୍ରତି କୋଣେ, ଅନୁକୋଣେ ।

 

ଧନଞ୍ଜୟ ବୁଢ଼ୀ ଠାକୁରାଣୀଙ୍କୁ ଭୋଗ ଦେବାକୁ ଗୁଡ଼ିଆ ଘରକୁ ଧାଇଁଲେ ।

 

ହେମାଙ୍ଗିନୀ ଚୁଆ ଖୋଜିଗଲେ ।

 

ଆଉ ଶକୁନ୍ତଳା ।

 

ଶକୁନ୍ତଳା ହଳଦୀ ବାଟିବା ପାଳି ।

 

ଏସବୁ ଦେଖି ଗିରିବାଳାର ଆନନ୍ଦ କ’ଣ କିଏ କଳ୍ପନା କରିପାରେ ।

 

ନୀଳକଣ୍ଠ ହୋଇଛି ବି.ଡ଼ି.ଓ. ।

 

କ୍ଷଣିକ ଭିତରେ ଗାଁରେ ଚହଳ ପଡ଼ିଗଲା । ଲୋକେ ପରସ୍ପର କୁହା କୁହି ହେଲେ–ନୀଳକଣ୍ଠ ମଟର ଗାଡ଼ି ଗୋଟାଏ ପାଇବତ ।

 

ନୀଳକଣ୍ଠ ବାସ୍ତବିକ ଭାଗ୍ୟବାନ ! ଏଭଳି ଚାକିରି କ’ଣ କା’ ଭାଗ୍ୟରେ ଜୁଟେ । କିଏ ଜଣେ ମନ୍ତବ୍ୟ କଲେ ବି.ଡ଼ି.ଓ. ମାନେ ବ୍ଲକର ରାଜା !

 

ଆତ୍ମତୃପ୍ତିରେ ହସିଲେ ଧନଞ୍ଜୟ ।

 

ଆଉ ନିଜ ପୁଅର ଗୁଣଗାଇ ବୁଲିଲେ ହେମାଙ୍ଗିନୀ ଘରେ ପ୍ରତିଘରେ । ପ୍ରତି ଲୋକର ପାଖରେ ବାରେ ନୁହଁ ଦଶବାର ।

 

ଅଫସରୁ ଖଣ୍ଡେ ଚିଠି ପାଇଲା ନୀଳକଣ୍ଠ ! ବାଳା ଦେଇଛି ସେ ଚିଠି । ଚିଠିଟାକୁ ଆଗ୍ରହ ସହକାରେ ପଢ଼ିଲା ନୀଳକଣ୍ଠ । ବିଲି ବିଲି ଅକ୍ଷରରେ ବାଳା ଅଭିଯୋଗ କରିଛି । ତିନିମାସ ହେଲା ଚାକିରି କଲଣି । ଘରକୁ ଆସିବାକୁ ମନ ହେଉନି । ସେଠି ବୋଧେ କେଉଁ ଗ୍ରାମସେବିକା ପ୍ରେମରେ ପଡ଼ିଲକି ! ମୋ ରାଣ ଚିଠି ପାଇ ନିଶ୍ଚୟ ଆସିବ । ତମର କ’ଣ ମୋ କଥା ମନେ ପଡ଼ୁନି ? ମୋର କିନ୍ତୁ ସବୁବେଳେ ତମେ ମନେ ପଡ଼ୁଛ । ମୁଁ ଅପେକ୍ଷା କରି ରହିଲି ତିନିଦିନ ପାଇଁ ଆସିବ–ମୋ’ରାଣ ନିଶ୍ଚୟ ।

 

ଚିଠିଟାକୁ ଏକା ନିଶ୍ଵାସକେ ପଢ଼ିଗଲା ନୀଳକଣ୍ଠ । କିଛିକ୍ଷଣ ବାଳାର ଅଭିଯୋଗଗୁଡ଼ାକ ପଢ଼ି ହସିଲା–ତା’ପରେ ଦୀର୍ଘ ନିଃଶ୍ଵାସ ପକାଇଲା । ସରକାରୀ ଅଫିସରୁ ନିଯୁକ୍ତି ପାଇ ଏ ଅଞ୍ଚଳକୁ ଆସିବା ତା’ର ତିନିମାସ ହୋଇଗଲାଣି । ପ୍ରଥମେ ବି.ଡ଼ି.ଓ. ହେବାର ସେ ଜାଣି ଯେତେ ଆନନ୍ଦିତ ହେଉଥିଲା । ଚାକିରିରେ ଯୋଗ ଦେଇ ସେ ସେତେ ବୀତସ୍ପୃହ ହୋଇ ପଡ଼ିଛି । ତା’ର ନିଶ୍ଚିନ୍ତ ଧାରଣା–କିରାଣି ଚାକିରି ପଛେ କରିବ କିନ୍ତୁ ଏ.Shadow Blockରେ ବି.ଡ଼ି.ଓ ହେବ ନାହିଁ । ସବୁବେଳେ କାମ କାମ ଆଉ କାମ ।

 

ମନଟା ବିରକ୍ତ ହୋଇଯାଏ ନୀଳକଣ୍ଠର–ଉପର ହାକିମ କୈଫିୟତ ତଲବ କରନ୍ତି ତମ ବ୍ଲକରେ କାମ ଆଗେଇ ପାରୁନି । ଆଉ ବ୍ଲକ ଚେୟାରମ୍ୟାନ ।

 

ନୀଳକଣ୍ଠର ଦେହ ବିଷେଇ ଉଠେ–ଏଇ ଚେୟାରମ୍ୟାନ ଗୁଡ଼ିକଙ୍କର ଔଦ୍ଧତ୍ୟ ଦେଖି...ଲୋକଙ୍କ ଭୋଟରେ ଜୟୀ ହୋଇଥିବାରୁ ସେମାନଙ୍କର ଔଦ୍ଧତ୍ୟ ବରଦାସ୍ତ କରିବାର ନୁହେଁ-। ସବୁବେଳେ ଧମକ ଦେବା ଗୋଟିଏ ପ୍ରକୃତି ହୋଇଗଲାଣି । ନିଜେ ବି.ଡ଼ି.ଓ ହୋଇଥିଲେବି ସେମାନଙ୍କୁ ନୀଳକଣ୍ଠର ଡର । କାରଣ ସେମାନଙ୍କୁ ଖୋସାମତ ନକଲେ ଏ ଅଞ୍ଚଳରେ ତିଷ୍ଠିବା ଏକ କଷ୍ଟକର କଥା । ତା’ଛଡା ସେମାନେ ପୁଣି ଏଙ୍କ କାର୍ଯ୍ୟ ଉପରେ ରିପୋର୍ଟ ଦେବେ-

 

ନୀଳକଣ୍ଠ ଦୁଃଖିତ ହୁଏ–ଯେଉଁମାନେ ବି.ଡ଼ି.ଓ ଚାକିରିକୁ ପସନ୍ଦ କରନ୍ତି ସେମାନେ କେତେ ଅଧମ ? ବି.ଡ଼ି.ଓ ଚାକିରି ଉପରେ ନୀଳକଣ୍ଠର ଏଇ କେଇ ଦିନ ହେଲା ଯେଉଁ କଦର୍ଯ୍ୟ ଧାରଣା ହୋଇଯାଇଛି ତା’ ବଦଳିବାର ନୁହେଁ । ସରକାର ସିନା ଏଭଳି ଅଫିସର ସୃଷ୍ଟି କଲେ–କିନ୍ତୁ ତାଙ୍କର ସେ ଧାରଣା ଏକାନ୍ତ ଭୁଲ । ବି.ଡ଼ି.ଓମାନେ ବାସ୍ତବିକ ଦେଶ ସେବା କରିପାରିବେ ନାହିଁ । ଯେ ପର୍ଯ୍ୟନ୍ତ ଚେୟାରମ୍ୟାନ ବଂଶଙ୍କର ବିଲୋପ ହୋଇ ନାହିଁ ।

 

ସରକାରଙ୍କ କଥା ମନେ ପଡ଼ିଲେ ଯୋଜନା କଥା ମନେପଡ଼େ ନୀଳକଣ୍ଠର ସେ ଯନ୍ତ୍ରଣାରେ ଛଟପଟ ହୋଇଉଠେ । ଯୋଜନା ଯୋଜନ ଯୋଜନ ପ୍ରସ୍ତୁତ ସିନା ହେଉଛି କିନ୍ତୁ କାମ ହେଉଛି କେଉଁଠି ? ତଥାପି ତା’ର ଦୌଡ଼ା କେଉଁଠି ବନ୍ଦ ହେଉଛି ?

 

ପ୍ରତି ଗ୍ରାମକୁ ବୁଲି ଅନୁଭୂତି ଘେନି ଆସିଛି ନୀଳକଣ୍ଠ । ଗ୍ରାମବାସୀଙ୍କର ଦଳାଦଳି ଯୋଗୁ ବ୍ଲକ କାମ ଆଗେଇ ପାରୁନି । ଗ୍ରାମରେ ଟିଉବଓ୍ୟେଲଟାଏ ବସିବାକୁ ଗଲେ ସମସ୍ତେ ନିଜ ଜାଗାରେ ବସାଇ ଫାଇଦା ନେବାକୁ ଆଗେଇଲାବେଳେ କଳହର ସୂତ୍ରପାତ ହୋଇ କାମ ହୋଇ ପାରୁନି । ବିଚରା ନୀଳକଣ୍ଠ ଏକ ଗୋଲକଧନ୍ଦାରେ ପଡ଼ିଯାଉଛି । କାମ ନ ଆଗେଇଲେ ତାକୁ କୈଫିୟତ ଦେବାକୁ ପଡ଼ିବ । କାମ ଆଖିବୁଜି କରିଗଲେ ଲୋକଙ୍କର ସମାଲୋଚନା ସହ୍ୟ କରିବାକୁ ପଡ଼ିବ । ଲୋକଙ୍କର ଅପାତ୍ର ହେବାକୁ ପଡ଼ିବ । କ’ଣ କରିବ ସେ ।

 

ନୀଳକଣ୍ଠ ଏଇ କର୍ତ୍ତବ୍ୟ ଚାପାରେ ପେଶି ହୋଇ ଭୂଲିଯାଇଛି ତା’ର ପରିବାର କଥା । ତା’ର ପ୍ରିୟତମା କଥା । ନବବିବାହିତା ସ୍ତ୍ରୀକୁ ଛାଡ଼ି ତା’ ପାଖକୁ ଯିବାକୁ କା’ର ମନ ନହୁଏ ? ତଥାପି ନୀଳକଣ୍ଠର ଉପାୟ କ’ଣ ?

 

ଫାଇଲ ତଳୁ ଖଣ୍ଡେ ଧଳା କାଗଜ ଟାଣି ଆଣିଲା ନୀଳକଣ୍ଠ । ତା’ ଜୀବନର ତିକ୍ତତାର କାହାଣୀ ଲେଖି ବାଳା ପାଖକୁ ଦେବ କି ?

 

କିନ୍ତୁ ନା,ନା, ଏସବୁ କଥା ଜାଣିଲେ ବାଳା କେବେ ଧୈର୍ଯ୍ୟ ଧରି ପାରିବଟି ?

 

ତଥାପି ନୀଳକଣ୍ଠ ଲେଖିବାକୁ ଆରମ୍ଭ କଲା–ଅନ୍ତତଃ ଏଇ କେଇ ମାସ ଲାଗି ତା’ର ଘରକୁ ଯିବାର ପ୍ରୋଗ୍ରାମ ନାହିଁ ।

 

ବି.ଡ଼ି.ଓ. ବାବୁଙ୍କର ଏ ପ୍ରୋଗ୍ରାମ ପଢ଼ି ଚମକି ଉଠିଲା ଗିରିବାଳା । ବିରକ୍ତିରେ ଚିଠିଟାକୁ ହାତରୁ ଖସାଇ ପକାଇ ବେଦନା-ବିକଳ କଣ୍ଠରେ ଅସ୍ପଷ୍ଟ କହି ଉଠିଲା–ଘରକୁ ଆସିବାକୁ ସିନା ପ୍ରୋଗ୍ରାମ ନାହିଁ କିନ୍ତୁ ଆଉ ସବୁ କାମ କରିବାକୁ... ।

 

କଥାଟା ଏତେ ଛୋଟ କଣ୍ଠରେ କହିଥିଲା ବାଳା ଯେ ତାକୁ ଅନ୍ୟ କେହି ଶୁଣି ପାରିଲା ଭଳି ହୋଇପାରି ନଥିଲା । ତଥାପି ବାଳା ଯେ କ’ଣ ଗୋଟେ କହୁଛି ଏ ବିଷୟରେ ନିଶ୍ଚିନ୍ତ ଥିଲା ମାନସୀ । ସହସା ମାନସୀ ପଶି ଆସୁ ଆସୁ କହିଲା–କ’ଣ କି ଭାଉଜ !

 

ଗିରିବାଳା ମାନସୀ ଆଡ଼କୁ ଡବ ଡବ ଆଖିରେ ଚାହିଁ କହିଲା ଘରକୁ ଆସିବାକୁ ଆମ ବି.ଡ଼ି.ଓ ବାବୁଙ୍କର ପ୍ରୋଗ୍ରାମ ନାହିଁ । ଚିଠି ଦେଇଛନ୍ତି ।

 

ଚିଠିଟାକୁ ମାନସୀ ଆଡ଼କୁ ଏକ ଖିଆଲରେ ବଢ଼ାଇ ଦେଉଥିଲା ବାଳା । ସହସା କ’ଣ ମନକୁ ଭାବି ଲୁଚାଇ ଦେଲା ।

 

ମାନସୀ କହିଲା–ହଁ, ହଁ ଲୁଚାଅ ଲୁଚାଅ । ସେ ବଜାରୀ କଥା ମୁଁ ପଢ଼ିବାକୁ ଚାହୁଁ ନାହିଁ ।

 

ବାଳା କହିଲା–କିନ୍ତୁ ଏମିତି ଗୋଟାଏ ସମୟ ଅଛି ଯେତେବେଳେ ଏଇ ‘ବଜାରୀ କଥା’ ଶୁଣିବାକୁ ମନ ଆକଣ୍ଠ ଆଗ୍ରହାନ୍ୱିତ ହୋଇଉଠେ ସେଇଭଳି କଥା ଶୁଣିବାକୁ ମନ ଖୋଜି ବୁଲେ, ଏ କଥା ତମେ କ’ଣ ଅସ୍ଵୀକାର କରିବ ?

 

ଗୁଡ଼ିଏ ଅବୋଧ୍ୟ-କଥା ଶୁଣି ବୁଝି ପାରିଥିବା ଭଳି ଛଳନାକଲା ମାନସୀ, କିନ୍ତୁ ବାସ୍ତବିକ ଯେ ସେ ବୁଝିପାରନି ଏକଥା କେବେ କ’ଣ ବାଳା ସ୍ଵୀକାର କରିବ । ଯଦିଚ ମାନସୀ ତା’ଠାରୁ ବୟସରେ ଛୋଟ କିନ୍ତୁ ମାନସୀର ମନ ଯେ ତା’ ମନଠାରୁ କେତେ ଉନ୍ନତ କେତେ ଉଡ଼ନ୍ତ ତା’ ବାଳାକୁ ଅଛପା ନାହିଁ । ଏଇ ବୟସରୁହିଁ ମାନସୀ ପ୍ରେମପତ୍ର ଲେଖି ଶିଖିଲାଣି ଏତିକି ବେଳୁହିଁ ସେ କାମ-ଶାସ୍ତ୍ର ଆଲୋଚନା କରିବାକୁ ଆଗ୍ରହୀ ହେଲାଣି–ମାନସୀ ବୟସ କହୁଛି ସେ ଛୋଟ, କିନ୍ତୁ ମନ ?

 

ମାନସୀ କଥା ଚିନ୍ତାକରି ବେଳେ ବେଳେ ବିସ୍ମିତ ହୁଏ ବାଳା । ଅନେକ ଥର ମାନସୀ ଉପରେ ଉଠିଥିବା ଅପବାଦ କଥା ପଚାରିବବୋଲି ଇଚ୍ଛାକରି ପଚାରିପାରେ ନାହିଁ ! ହୁଏତ ମାନସୀ ଯଦି କିଛି ଭାବିପାରେ ।

 

ମାନସୀ କିଛି ଯଦି ଭାବେ ତା, ହେଲେ ବାଳାର ଯେ କିଛି ଅନିଷ୍ଟ କରିବ ତା’ ନୁହେଁ, ଏତିକିଟା କ୍ଷତି ସହିବାକୁ ତାକୁ ପ୍ରସ୍ତୁତ ହେବାକୁ ହେବ–ମାନସୀର ଅନୁପସ୍ଥିତ ତାକୁ ଏକ ଯନ୍ତ୍ରଣାମୟପୁରକୁ ଟାଣିନେବ । ତଥାପି ବାଳାର ଝୁଙ୍କ ମାନସୀକୁ ପଚାରି ଏ କଥାର ସତ୍ୟାସତ୍ୟ ନିବାରଣ କରିବ ।

 

ମାନସୀ କହିଲା–କ’ଣ ଏତେ ଭାବୁଛମ ।

 

ଭାଇଙ୍କ ଦେହପା ଭଲ ଅଛିଟି ?

 

ଗିରବାଳା କହିଲା ହଁ ଦେହ ଭଲଅଛି, କିନ୍ତୁ ମନ ।

 

–ମନଟାତ ନିଶ୍ଚୟ ଭଲ ନଥିବ, କାରଣ...

 

କାରଣ–ନାହାଁନ୍ତିନା ।

 

–ନାଇଁତ ସେ କଥା କିଏ ପଚାରେ । ବ୍ଲକରେ କାମ ହୋଇପାରୁନି ଯେ, ତମ ଭାଇ ସେଥିରେ ବିଚଳିତ । ଦେଖୁଛ ପରା ଲେଖିଛନ୍ତି–ଘରକୁ ଆସିବାକୁ ପୋଗ୍ରାମ ନାହିଁ ।

 

ଗିରିବାଳା ମୁକ୍ତଭାବେ ହସି ହସି କହିଲା–“ଦିଲ୍ଲୀ ବହୁଦୂର”...

 

ଦାଣ୍ଡପିଣ୍ଡାରେ ବସିଛନ୍ତ ଚୌଧୁରୀଭଳି ଚେକା ପକାଇ ଧନଞ୍ଜୟ । ଗାଁର ଚାରି ପାଞ୍ଚଜଣ ଲୋକ ତାଙ୍କୁ ଘେରି ବସିଥିଲେ । ଶ୍ରୀମତୀ ହେମାଙ୍ଗିନୀ ଦାଣ୍ଡକବାଟର ଉହାଡ଼ରେ ବସି ସେମାନଙ୍କର ଗପ ଶୁଣିବାରେ ବ୍ୟସ୍ତଥଲେ । ସମୟଟା ରାତି ଶୁକ୍ଳପକ୍ଷର ହାସ୍ୟୋଜ୍ଵଳ ରାତି । ଦାଣ୍ଡ ରାସ୍ତାରେ ନୀଳାମ୍ବର ପଇଁତରା ମାରୁଥିଲେ ଧନଞ୍ଜୟ ଗଳ୍ପ ଆରମ୍ଭ କରିଦେଇ ଥିଲେ–ନୀଳକଣ୍ଠର ଗଳ୍ପ ।

 

ନୀଳକଣ୍ଠ ବିଡ଼ିଓ ପଦବୀଟା କେତେଜଣଙ୍କ ଭାଗ୍ୟରେ ଜୁଟେ । ଧନଞ୍ଜୟର ବାପା ଅଜା ଗୋସେଇଁ ବାପା ମଟର ଦେଖିନଥିଲେ । କିନ୍ତୁ ବସିବାର ସୌଭାଗ୍ୟ ପାଇନି...କିନ୍ତୁ ନୀଳକଣ୍ଠ ।

 

ନୀଳକଣ୍ଠ ମଟର ପାଇଛି–ସାହେବ ହୋଇଛିନା, ସେମାନେ କ’ଣ ଚାଲିକରି କେବେ ଯାଇପାରନ୍ତି । ଗରିବ, ଧନହୀନ, ଫୋର୍ଥ ଗ୍ରେଡ଼ ସରଭେଣ୍ଟ କେବଳ ଚାଲିବେ, ଚାଲିବା ତାଙ୍କ ଭାଗ୍ୟରୁ କିଏ ପୋଛିଦେବ । କିନ୍ତୁ ନୀଳକଣ୍ଠ ଭଳି ଉଚ୍ଚ ଅଫିସର ଯଦି ଚାଲିଯାଆନ୍ତି, ଦେଶର ସମ୍ମାନ ରହିବଟି ! ସେମାନେ ହେଲେ ଦେଶର ସମ୍ମାନ ଦେଶର ଇଜତ ମହତ ସବୁକିଛି...ସେମାନଙ୍କ ଲାଗି କୋଠାଘର ସରକାର ତୋଳିଛନ୍ତି ! ଯିବାଆସିବାଲାଗି କାର୍‍ ଯୋଗାଇଛନ୍ତି ତାଙ୍କ ହୁକୁମ୍‍ ଶୁଣିବାକୁ ଗଣ୍ଡା ଗଣ୍ଡା ପିଅନ ନିଯୁକ୍ତି ପାଇଛନ୍ତି । କମ୍ ଗର୍ବର କଥା !

 

ଧନଞ୍ଜୟ ନିଜର ପକ୍ଵ ଗୁଛ ବିଡ଼ାକୁ ଆଉଥରେ ଆଉଁସିନେଇ ଆରମ୍ଭ କଲେ–ଟୋକାଟା ଚିଠି ଦେଇ ଥିଲା…ଭାରି କାମ ପଡ଼ୁଛି...ଟିକିଏ ଘରଆଡ଼େ ବୁଲି ଆସିବାକୁ ସୁଦ୍ଧା ସମୟ ନାହିଁ । ସବୁବେଳେ କୁଆଡ଼େ କାମ...କେଉଁଠି କୂଅ, ପୋଖରୀ, ରାସ୍ତା ତିଆରି ହେବ ଏକଥା ତା’ରି ଉପରେ ଦାୟିତ୍ଵ କ’ଣ କରିବ । ବଡ଼ ହଇରାଣ ହେଉଚି ।

 

ଗ୍ରାମବାସୀ ଭିତରୁ ଜଣେ କିଏ କହି ଉଠିଲେ–ଯା’ ହଉ ଆମ ଗାଁର ନାମ ରଖିଲା ନୀଳ-। ନୀଳ ଭଳିପୁଅ ଯେଉଁ ଗ୍ରାମରେ ଜନ୍ମହେବ ସେ ଗ୍ରାମର ଇଜ୍ଜତ ଉପରେ କିଏ କ’ଣ ବାଧା ଆଣିପାରେ !

 

ପରିତୃପ୍ତିର ହସ ଧନଞ୍ଜୟ ହସୁଥିଲେ–ହସୁଥିଲେ ନୀଳାମ୍ବର–ହସୁଥିଲେ ହେମାଙ୍ଗିନୀ !

 

ଆଉ ଜଣେ ଗ୍ରାମବାସୀ କହିଲା–ତୁଳସୀ ଦୁଇ ପତ୍ରରୁ ବାସେ, ନୀଳ ଦିନେ ଯେ ବଡ଼ ଲୋକଟାଏ ହେବ ଏକଥା ମୁଁ ତା’ ପିଲାଦିନରୁ ଜାଣିଛି । ହଉ ହଉ ଭଗବାନ ତା’ର ଉଠୁତି କରନ୍ତୁ ! ଆମକୁ ବା ସେ ଦବ କ’ଣ ! ଏଇ କଥା ପଦେତ କହିବ ! ହଉ ଭଗବାନ !

 

ଆଉ ଜଣେ କହିଲେ–ହଁ, ତା’ର ଧରଣ ଦୋସରା ! ତା’ କଥାବାର୍ତ୍ତା ଯିଏ ହେବ ସେତ ତାକୁ ବଡ଼ ଚାକରିଟାଏ ଦେଇଦେବ...ତାକୁ କ’ଣ ବଡ଼ ଚାକିରି ଅଭାବ...ଗୁଡ଼ାଏ ପାଠ ପଢ଼ିଛି ଯିମିତି–ବିଧି ବି ସିମିତି ଢେର ଅଛି...ଚାକିରି ତାକୁ ନ ଦେବେ ତ ଆଉ କାହାକୁ ଦେବେ ? ହେଲେ ବୁଝିଲ ଧନିଆଇ ନୀଳକଣ୍ଠ ସିନା ତମ କୋଳରେ ଜନ୍ମ ହେଲା ! କିନ୍ତୁ ତା’ର ଭାଗ୍ୟ ତମ ଆମଭଳି ଏତେ ଛୋଟ ନୁହେଁ, ଦେଖିବ ଭବିଷ୍ୟତରେ ସେ ଗୋଟାଏ ଖୁବ୍‍ ବଡ଼ ହାକିମ ହେବ–

 

ହେଁ-ହେଁ-ହେଁ କଥାଟା ଶୁଣି ଧନଞ୍ଜୟ ନହସି ରହି ପାରିଲେ ନାହିଁ । ନିଜ ପୁତ୍ରର ସୁକୀର୍ତ୍ତି ଶୁଣି କେଉଁ ବାପର ବୁକୁ ଗର୍ବରେ ଫୁଲି ନଉଠିବ...ଧନଞ୍ଜୟ କହିଲେ...ହଁ, ତାତ ଜଣାଶୁଣା କଥା...ଏଇ ବି.ଡ଼ି.ଓ ଚାକିରିରୁ ପ୍ରମୋସନ୍ ପାଇ ସେ ଗୋଟାଏ ବଡ଼ଲୋକ ଭଳି ବଡ଼ଲୋକ ହେବ ନିଶ୍ଚୟ । କିନ୍ତୁ ସେତେବେଳକୁ ଆମେ କ’ଣ ଥିବୁ !

 

–ଆରେ ! ନଥିବ ବୋଲି କିଏ କହିବ ? ଏଇତ ଦିବାକର ଜେନାକୁ ଦେଖୁନୁ ! କେତେ ବର୍ଷ ନହେଲାଣି ! ତଥାପି ତା’ର ବଳନାହିଁ, ସେ କ’ଣ କାମ କରିପାରୁନି !–ଜଣେ କିଏ ମନ୍ତବ୍ୟ ଦେଲେ ।

 

ଧନଞ୍ଜୟ କିଞ୍ଚିତ ସମୟ କିଛି ଚିନ୍ତା କରୁଥିଲେ । ଗ୍ରାମବାସୀଙ୍କ ଭିତରୁ ଜଣେ କହି ଉଠିଲେ–ହଁ ଧନିଆ ନୀଳକଣ୍ଠ ପାଖକୁ ବାଟେଣି ଦେବଟି । ଆମ ଗାଁ ଲାଗି ଗୋଟେ ପାଣିକଳର ବ୍ୟବସ୍ଥା କରୁ ! ଦେଖୁଛତ ଖରାଦିନରେ କେତେ ହଇରାଣ ହେଉଛୁ ଆମେ । ସେ ହେଲେ ଆମ ଏଠାକା ବି.ଡ଼ି.ଓଙ୍କ ପାଖକୁ ଫୁନ୍ କଲେ–ହେଲେ ହୋଇଯାଇପାରେ ।

 

ଧନଞ୍ଜୟ ହସିଉଠି କହିଲେ–ନୀଳକଣ୍ଠ କ’ଣ କରିବ । ତମେ ସବୁ ଗୋଟେ ଦରଖାସ୍ତ ଦିଅ ମୁଁ ନିଜେ ନେଇଯିବି ବିଡ଼ିଓ ପାଖକୁ । ଦେଖିବା କିମିତି ଗୋଟାଏ କଳ ନ ଦେବ...

 

ଗ୍ରାମବାସୀଙ୍କ ଭିତରେ ଆଉ ଜଣେ ଉତ୍ସାହିତ ହୋଇ, କହି ଉଠିଲେ–କ’ଣ କରି ଆଣି ପାରିବ ।

 

–ପାରିବି ନାହିଁ ! ହେଁ-ହେଁ-ହେଁ...ଆରେ ତମେ କାଲି ଦରଖାସ୍ତ ଏପିଲିକେସନ ଖଣ୍ଡେ ଲେଖି ଆଣନା । ଦେଖିବା...

 

ଧନଞ୍ଜୟର କଥାଗୁଡ଼ାକ ଗ୍ରାମବାସୀଙ୍କୁ କେମିତି କର୍କଶ ଶୁଭିଲା । ଯେଉଁ ଧନଞ୍ଜୟ ଦିନେ କଥା କହି ଶିଖି ନ ଥିଲା–ସିଏ ପୁଣି ବି.ଡ଼ି.ଓ ସାଇବଙ୍କ ପାଖରେ କୂଅ ଲାଗି ଅଳି କରିବ ।

 

ଧନଞ୍ଜୟର କଥା ଶୁଣି ଗ୍ରାମବାସୀ ଭାବୁଥିଲେ–ହଁ ସେତେବେଳେ ଧନଞ୍ଜୟ ଗରିବ ଥିଲା । ବର୍ତ୍ତମାନ ବି.ଡ଼ି.ଓ. ସାହେବଙ୍କ ବାପା । ସେ ଚାଷୀ ଧନଞ୍ଜୟ ନୁହେଁ ସେ ଧନୀ, ବିରାଟ ଧନୀ–ମଣିଷ ପାଖରେ ଧନ ଥିଲେ କ’ଣ ଅସାଧ୍ୟ ହେବ ?

 

ଧନଞ୍ଜୟ ପୁଣି ଆରମ୍ଭ କଲେ–ବୁଝିଲୁ ଚକ୍ରଥର, କାଲି ଗାଁରୁ ପ୍ରତ୍ୟେକଙ୍କ ଘରୁ ଦସ୍ତଖତ ଆଣ । ମୁଁ ନିଜେ ଯିବି ସେଇ ଦରଖାସ୍ତ ନେଇ, ବୁଝିଲ ।

 

ବୁଝିଲେ ସବୁ ବୋଲି ମୁଣ୍ଡ ଦୋହଲାଇ ହଁ ହଁ କରି ଉଠିଲେ । ତା’ଛଡ଼ା ତାଙ୍କର ଉପାୟ କ’ଣ ? ସେତ ଚାଷୀ ଧନଞ୍ଜୟ ଏ କଥା କହୁନି–ବି.ଡ଼ି.ଓ ସାହେବଙ୍କ ବାପା ଧନଞ୍ଜୟଙ୍କର ଏ ନିଷ୍ପତ୍ତି । ମାନିନେବେ ନାହିଁ କାହିଁକି ?

 

ଅଦୂରରେ ନିଳାମ୍ବର ଠିଆ ହୋଇ ମନ୍ଦ ମନ୍ଦ ହସୁଥିଲା । ବାପାଙ୍କର ଏ ଘୋଷଣାଟା ତାକୁବିତ କର୍କଶ ଶୁଭୁଛି । କର୍କଶ ଶୁଭୁନି କ’ଣ ଗ୍ରାମବାସୀଙ୍କ କାନକୁ ।

 

ନୀଳାମ୍ବର ଆଉ ଠିଆ ହୋଇ ପାରିଲେ ନାହିଁ, ଘର ଭିତରକୁ ପଶି ଯିବାକୁ ସେ ବାଧ୍ୟ ହେଲେ ।

 

କିନ୍ତୁ ଧନଞ୍ଜୟ କ’ଣ ତାଙ୍କ ନିଜ ଅହମିକାକୁ ବିସ୍ମରଣ କରିପାରୁଛନ୍ତି ? ହାୟ ! ମଣିଷ ମନରେ ଏ ଉଚ୍ଚାଟ ଅହମିକା ଅଳୀକ ନୁହେଁ ତ ! ସାମାନ୍ୟ ସୁଖ ପାଇଁ ମଣିଷର ପୁଣି ଏତେ ଅହଂକାର ବଢ଼ିଯାଏ ।

 

ନୀଳକଣ୍ଠ ଟଙ୍କା ଦେଉନି ।

 

ସନ୍ଦେହର ଧୂମ୍ରକୁଣ୍ଡଳୀ ଭିତରେ ନୀଳାମ୍ବରର ମନ ଅତିଷ୍ଠ ହୋଇଉଠିଛି । ବି.ଡ଼ି.ଓ. ଚାକିରିରେ ଅଜସ୍ର ଅର୍ଥ ନିଶ୍ଚୟ ଉପାର୍ଜ୍ଜନ କରୁଥିବ ନୀଳକଣ୍ଠ ! କିନ୍ତୁ ନିଜ ଘର ଚଳାଇବାକୁ ଅନ୍ତତଃ ଚାଳିଶଟି ଟଙ୍କା ପଠାଇଲେ କ’ଣ ହୁଅନ୍ତା ନାହିଁ ?

 

ସେଦିନ ରାତିରେ ନୀଳାମ୍ବରକୁ ସୁନିଦ୍ରା ହେଲା ନାହିଁ । ନୀଳକଣ୍ଠ ଉପରେ ସେ ବିରକ୍ତ ହୋଇ ନୀଳକଣ୍ଠର ମତି ପରିବର୍ତ୍ତନ ଲାଗି ଉପାୟ ଚିନ୍ତା କରୁଥିଲା ହୁଏତ ଏତେ ରାତିଯାଏ ଉଜାଗର ରହିଲେ ସ୍ୱାସ୍ଥ୍ୟହାନି ହେବାର ଆଶଙ୍କା କରି ଶକୁନ୍ତଳା କହିଲେ–ଆଜି କ’ଣ ନିଦ ହେବନିକି ?

 

ନୀଳମ୍ବର ବାଷ୍ପାକୁଳ କଣ୍ଠରେ କହିଲେ–ନୀଳକଣ୍ଠଟା ଆମର ବଡ଼ ବଦ୍‍ଖର୍ଚ୍ଚି ହୋଇଗଲା-। ଭାବିଥିଲି ସେ ଅନ୍ତତଃ ଚାକିରିଟାଏ ପାଇଗଲେ ମୋତେ ଟିକେ ନିଃଶ୍ୱାସ ମାରିବାକୁ ସୁଯୋଗ ମିଳିବ, କିନ୍ତୁ ସେ ଚାକିରି କଲା ପରେ ଯେ ମୋ ଅବସ୍ଥାର ପରିବର୍ତ୍ତନ ହେବା ସେଇ ବିରାଟ ବିଡ଼ମ୍ବନାରେ ରହି ଯାଉଛି–ଘର ଚଳାଇବାକୁ ପୂର୍ବପରି ଟଙ୍କା ଦେବାକୁ ପଡ଼ୁଛି–ଅଥଚ କେତେ ଯେ ଦେଣା ବାହାରେ ଅଛି ତା’ କ’ଣ ମୁଁ ସୁଝି ପାରୁଛି ।

 

ଶକୁନ୍ତଳା ନୀଳାମ୍ବରର ଏପ୍ରକାର କଥା ଶୁଣି ଚିହିଁକି ଉଠି କହିଲେ, କାଇଁ ତମକୁ ମୁଁ କେତେବାର କହିଛି । ଘର ଚଳୁ ଅବା ନ ଚଳୁ ତମେ ଦେଣା’ ଗୁରାକ ମେଣ୍ଟାଇ ଦିଅ–ନୀଳକଣ୍ଠର ଯେଉଁ ମତିଗତି ଦେଖା ଯାଉଛି ଆଜହୁଁ ଦେଣା ନମେଣ୍ଟାଇଲେ ଭବିଷ୍ୟତରେ ଭାବିବାକୁ ପଡ଼ିବ । ତମେ ଏଥର ପରିଷ୍କାର ବାବାଙ୍କୁ କହିଦିଅ–ଏ ମାସରୁ ଟଙ୍କା ଦେଇ ପାରିବ ନାହିଁ । ଘର ଚଳୁ ଅବା ନ ଚଳୁ । ଘର ଚଳାଇବ ବୋଲି କ’ଣ ଜେଲ ଯିବ ?

 

ପତ୍ନୀଙ୍କର ଏପ୍ରକାର ଉପଦେଶ ବାଣୀ ଶୁଣି ସ୍ମିତ ହସିଲା ନୀଳାମ୍ବର ! ତା’ପରେ କିଛିକ୍ଷଣ ଚିନ୍ତାକରି କହିଲା–ଦେଖ, ଏ କଥାଟା କରିବା ମୋ ପକ୍ଷରେ କଷ୍ଟକର କଥାନୁହଁ । ତେବେ ମୁଁ ଯଦି ଏ କଥା କରେଁ ଧର୍ମଦ୍ଵାରେ ହାନିହେବ । ଲୋକେ ମତେ ଦୋଷ ଦେବେ–କହିବେ ଭାଇଟା ଚାକିରି କରୁ କରୁ ନୀଳାମ୍ବର କେତେ ଈର୍ଷାପରାୟଣ ହୋଇ ଉଠୁଛି ।

 

ଶକୁନ୍ତଳା କହିଲା, ଲୋକେ କହିବେ ଏକଥା କାଇଁ ତମେ ଦୀର୍ଘ ଦଶବର୍ଷକାଳ ତୁଣ୍ତପେଟ ମାରି ଚଳାଇଲ ! ଲୋକେ ଯଦି କହିବେ ସେ କ’ଣ ଅନ୍ଧ ନୁହଁନ୍ତି ? ତା’ଛଡ଼ା ନୀଳକଣ୍ଠତ କହୁଁ କହୁଁ ଚାକିରି କରିବା ଚାରି ପାଞ୍ଚ ମାସ ହୋଇଗଲା–ଏମିତି ଯଦି ସେ ଖର୍ଚ୍ଚ କରିବ ତା’ହେଲେ ସଂସାର ଚଳିବ କିମିତି ? ତମେ ନୀଳକଣ୍ଠ ପାଖକୁ ପତ୍ରଦିଅ–ଦେଖାଯାଉ...

 

ନୀଳାମ୍ବର ଧୀର ଅଥଚ ଗମ୍ଭୀର କଣ୍ଠରେ କହିଲା–ନୀଳକଣ୍ଠ ଯେ ଗୋଟାଏ ଖରାପ ଧାରଣା କରି ଟଙ୍କା ଦେଉନି ଏକଥା କ’ଣ ତମେ ବିଶ୍ୱାସ କର ! କିନ୍ତୁ ମୋ ଧାରଣା ତା’ଭଳି ଶାନ୍ତ, ଧାର୍ମିକ ଖୁବ୍ କ୍ଵଚିତ ମିଳିବେ ! ତେବେ ଅତି ପିଲାଲୋକ ନା, ସଂସାର କଥା କିଛି ବୁଝିନି, ଜାଣିନି । ସବୁ ଯେତେବେଳେ ଜାଣିବ ଏ ନାବ ସେ ଚଳାଇବ ଯେ......ସ୍ଵାମୀଙ୍କ ମୁଖରୁ ବିପରୀତ ପ୍ରକାର କଥା ଶୁଣି ଚିଡ଼ି ଉଠିଲା ଶକୁନ୍ତଳା । ସବୁଦିନେ ଏମିତି ଏ ନୀଳକଣ୍ଠ ଉପରେ ଅପରିର୍ଯ୍ୟାପ୍ତ ବିଶ୍ଵାସ ରଖି ଏତେ ଦଶା ହେଲେଣି ଅଥଚ...

 

ଶକୁନ୍ତଳା କହିଲା–ପିଲାଲୋକ ବୋଲି କ’ଣ ଘର ଜାଣୁଛି ! ତା’ଛଡ଼ା ମୋର ଧାରଣା ତା’ର ମତିଗତି ବଦଳି ଗଲାଣି । ସେ ନୀଳକଣ୍ଠ ଆଉ ନାହିଁ ।

 

ଏ ଯେଉଁ ମୂର୍ତ୍ତି ଆସିଛନ୍ତି–ତା’ କଥାରେ ପଡ଼ି, ସେ କି ବା ପରିବର୍ତ୍ତନ ହୋଇ ଗଲାଣି–ଗିରିବାଳା କ’ଣ କମ୍‍ ଜନ୍ତୁକି ! ସେ ପରା ତାକୁ ଟଙ୍କା ନଦେବାକୁ ବାରଣ କରିଥିବ...

 

–ଧେତ୍ । ନୀଳାମ୍ୱର ବିରକ୍ତ ହେଲା–ତମ ନାରୀ ଜାତିଙ୍କର ଏଇ ପ୍ରକୃତିଟା ହିଁ ଖରାପ ଗିରିବାଳା ଯେତେ ବାରଣ କଲେ ବି ନୀଳକଣ୍ଠ ମାନିବାର ପିଲା ନୁହେଁ ଏକଥା ଅବିଶ୍ୱାସ କର କିନ୍ତୁ ମୁଁ କରିବିନି, ନୀଳକଣ୍ଠ କଦାପି ଏତେ ନୀଚମନା ନୁହେଁ...କୌଣସି ଅସୁବିଧାବଶତଃ ବୋଧେ ଟଙ୍କା ଦେଇ ପାରୁନି ।

 

ଶକୁନ୍ତଳା ଏକଥା ନ ଶୁଣି ଆହତ ସର୍ପିଣୀ ଭଳି ପୁତ୍‍କାର କରି ଉଠିଲା–ଆଉ ତମେ କହୁଛ ମୁଁ ସବୁ ଦୋଷୀ ନା !

 

ନୀଳାମ୍ବର ବିରକ୍ତ ହେଲା–ଦୋଷଟା ତମର ନୁହେଁ ଆଉ କ’ଣ । ନୀଳକଣ୍ଠ ଭଳି ଭାଇ କ’ଣ କେବେ କା’ ଭାଗ୍ୟରେ ମିଳେ ! ତମେ ତାକୁ ଅବିଶ୍ୱାସ କରୁଛ ! ଆଉ ଗିରିବାଳା ଭଳି ବଧୂ ଯେଉଁ କୁଳରେ ପାଦଦେବ ସେ କୁଳ ଉଜ୍ଜ୍ୱଳ । ଗିରିବାଳାକୁ ଅବିଶ୍ୱାସ କଲେ ତମର ଖରାପ ହେବ ଶକୁ । ତା’ଭଳି ଶାନ୍ତଶିଷ୍ଟ ଝିଅ ଖୁବ୍ କ୍ଵଚିତ ମିଳିବେ ! ବୁଝିଲ–ଏ ଯୁଗର ଝିଅମାନଙ୍କ ଭିତରେ ସେ ନିର୍ଦ୍ଦିଷ୍ଟ ବ୍ୟତିକ୍ରମ ।

 

ଶକୁନ୍ତଳା କହିଲା–ତା’ହେଲେ ଘରେ ଯେଉଁ କନ୍ଦଳ ଉପୁଜିଛି ସେଥିପାଇଁ ଦାୟୀ କ’ଣ ମୁଁ !

 

–ତମେ ! ନିଶ୍ଚୟ ତମେ । ତମେ ବଡ଼ ବୋହୂ । ତମ ହାତରେ ଶାସନର ଅଙ୍କୁଶ । ତମେ ସୁଶାସନ କରି ପାରୁନ !

 

ଶକୁନ୍ତଳା କହିଲା–ଇଲୋ ମା ! କଥାପଦକୁ ବଳ ଜାଉନି ଆଉ ମୁଁ ଶାସନ କରିବି–ଏ ମୁଣ୍ଡ ରହିବଟି । ଏଇ ପରା ସେ ଦିନ ବୋଉ କ’ଣ ଗୋଟେ କରିବାକୁ କହିଲେ ଯେ–ମୁହେଁ ମୁହେଁ ଜବାବ ଦେଇଦେଲା–ଏଥିରେ ପୁଣି ତାକୁ ଆକଟ କରିବି !

 

କିନ୍ତୁ ଶକୁ ! ବୋଉର ଗୋଟାଏ କଦର୍ଯ୍ୟ ଗୁଣ ଅଛି ! ସେଇ ଗୁଣଟା ଯଦି ସେ ଛାଡ଼ି ଦିଅନ୍ତା ତା’ହେଲେ ଏତେ କନ୍ଦଳ ଉପୁଜନ୍ତା ନାହିଁ ।

 

ଶନ୍ତୁନ୍ତଳା କହିଲା–ହଉ ! କହୁଛତ ପୁଣି ଦେଖିବ ଯେ...ଯେତେବେଳେ ଦୁହେଁ ତମକୁ ଚିଆଁ ଦେବେ ସେତେବେଳେ ଦେଖିବ କିଏ ଦୋଷୀ ।

 

–ହଉ, ହଉ ସେତିକି ଥାଉ ଭାଷଣ । ନିଜ ଦୋଷକୁ ତମେ ଏକା ଘୋରାଇବାକୁ ଚାହଁନା । ଦୁନିଆର ପ୍ରତ୍ୟେକ ଲୋକ ଏ କଥା ଚାହାଁନ୍ତି । କିନ୍ତୁ ଦେଖ, ଗିରିବାଳା ଆମ ଭାଗ୍ୟକୁ ମିଳିଛି । ତା’ଭଳି ଝିଅ କିନ୍ତୁ ଖୁବ୍ କ୍ଵଚିତ ଜନ୍ମ ନିଅନ୍ତି । ଈର୍ଷା ଜର୍ଜରିତ ଶକୁନ୍ତଳା ଆଉ ସ୍ୱାମୀର କଥା ବିରୁଦ୍ଧରେ ପ୍ରତିବାଦ କରିପାରିଲା ନାହିଁ । କିନ୍ତୁ ନୀଳାମ୍ବର ଯୁକ୍ତି ଛଳରେ ଶକୁନ୍ତଳାକୁ ପରାସ୍ତ କଲେ ସିନା । ତା’ର କାରଣ କ’ଣ ?

 

ଅନେକ ଡେରିରେ କାରଣ ଖୋଜି ପାଇଲେ ଗିରିବାଳା ! ତା’ଉପରେ ଶାଶୁ ଶ୍ୱଶୁର ଯାଆ ଅଯଥା ବିରକ୍ତ ହେଉଛନ୍ତି–ଟିକିଏ କଥାରେ ତା’କୁ ଅଯଥା ଦୁଃଖ ଦେଉଚନ୍ତି । କାରଣ ନୀଳକଣ୍ଠ ତାକୁ ସ୍ଵଇଚ୍ଛାରେ ବରଣ କରିଛି । ନୀଳକଣ୍ଠ ଘରକୁ ଟଙ୍କା ଦେଉନି ।

 

ଘରକୁ ଟଙ୍କା ଦେଉନଥିବାରୁ ଅର୍ଥ ପିପାସୁ ଧନଞ୍ଜୟ ବିବ୍ରତ ।

 

ବିବ୍ରତ ଶାଶୁ ହେମାଙ୍ଗୀନୀ, ଆଉ ଶକୁନ୍ତଳା...

 

ଗିରିବାଳାର ଅନ୍ତରରେ ବିଷାଦର ଝଡ଼ ଖେଳିଯାଏ–ସେମାନଙ୍କର ସମସ୍ତ କଥାକୁ ସେ ଧୈର୍ଯ୍ୟର ସହିତ ସହିଯାଏ । ତା’ଛଡ଼ା ବୋହୂ ହୋଇ ଶାଶୁ ଶ୍ଵଶୁରଙ୍କର କଥାରେ ପ୍ରତିବାଦ କରିବାକୁ ସେ କ’ଣ ସାହସ କରିବ । ଦୁନିଆ କ’ଣ କହିବ ! ଲୋକେ କହିବେ–ଗିରିବାଳା ଏଡ଼େ ଦୁଷ୍ଟ ! ଶାଶୁ ଶ୍ଵଶୁରଙ୍କର କଥାରେ ପ୍ରତିବାଦ କରୁଛି !

 

ନିଜ ଯୁକ୍ତିର ତୀରରେ ନିଜେ ଆହତ ହୋଇ ସେ ସବୁ କଥା ନିରବରେ ସହିବାକୁ ଚେଷ୍ଟାକରେ ।

 

ନୀଳକଣ୍ଠକୁ ବି ପତ୍ରଦ୍ୱାରା ଜଣାଇବାକୁ ପସନ୍ଦ କରେନା ହୁଏତ ଏକଥା ଶୁଣିଲେ ନୀଳକଣ୍ଠ ବାପ, ମାଆଙ୍କ ଉପରେ କଦର୍ଯ୍ୟ ଧାରଣା କରିବ । ଏଥିଯୋଗୁ ବାପ, ମାଆଙ୍କୁ ସେ ଯଦି ନପଚାରେ ଧର୍ମଦ୍ଵାରେ ଦଣ୍ଡ ପାଇବ । ସେ ଏକଥା ଜାଣୁ ଜାଣୁ ତା’ ସ୍ୱାମୀକୁ କ’ଣ ସେ ପାପ ପଥକୁ ଟାଣିନେଇ ପାରେ । ତା’ଛଡ଼ା ନୀଳକଣ୍ଠ ଯଦି ତା’ ସ୍ତ୍ରୀର ଏ ଦୁର୍ଦ୍ଦଶା ଦେଖି ଗୋଟାଏ କିଛି ଅପକଥା କରିବସେ ତା’ହେଲେ ବହୁକଷ୍ଟରେ ପାଳନ କରିଥିବା ପିତାମାତା କାନ୍ଦିବେ । ଲୁହ ଢାଳି ଆଭିଶାପ ଦେବେ...

 

ଗିରିବାଳା କଥାଟା ଚିନ୍ତାକରି ଦୁଃଖିତ ହେଲା–ତା’ ଭାଗ୍ୟରେ ଯେଉଁ ଦୁଃଖ କଷଣ ଅଛି ତାକୁ ସହିବାକୁ ପଡ଼ିବ–ସେ ନସହିଲେ ତା’ ଲାଗି କିଏ ସହିବ ?

 

ତଥାପି ଗିରିବାଳା ଟିକିଏ ବ୍ୟସ୍ତହୁଏ–ନୀଳକଣ୍ଠ ଏପରି ଅଯଥା ଖର୍ଚ୍ଚ କରୁଥିବା ଜାଣି ବିରକ୍ତ ହୁଏ–କିନ୍ତୁ ସ୍ୱାମୀଙ୍କୁ ଯଦି ସେ ଏକଥା ଜଣାଏ–ସେ ମନ ଦୁଃଖ କରିପାରନ୍ତି ।

 

ଦୁଇ ଦିଗରୁ ଆଶଙ୍କା ଭୟର ସନ୍ଧାନ ପାଇ ଗିରିବାଳା ସ୍ଥିରକଲା–ନିଜେ ପଛେ ଦୁଃଖଗୁଡ଼ାକୁ ସହିବ–କିନ୍ତୁ କାହାକୁ ସେ ଦୁଃଖ ଜଣାଇ ଦେବନି ତା’ଛଡ଼ା ଦୁଃଖଗୁଡ଼ାକ ଜଣାଇଲେ–ନିଜ ବଂଶର ନିଜ ଶ୍ୱଶୁରଙ୍କର ଅଯଶ ହେବ ।

 

ଆଖିରୁ ଲୁହପୋଛି ଗିରିବାଳା ସ୍ଥିର କଲା–ନିଜ ଦୁଃଖ ସେ କାହାକୁ କହିବ ନାହିଁ । କହିଲେ ବି କିଛି ଲାଭ ନାହିଁ ବରଂ ସମସ୍ତଙ୍କ ପାଖରେ ହସି ଖେଳି କାଳ କାଟିଦବାକୁ ସେ ଚେଷ୍ଟା କରିବ–ନିଶ୍ଚୟ ଚେଷ୍ଟା କରିବ ।

 

ମଫସଲରୁ ଫେରିଆସିଛି ନୀଳକଣ୍ଠ ।

 

ମଫସଲକୁ ଯିବା ପୂର୍ବରୁ ତା’ ମନରେ ଯେତେ ଆନନ୍ଦ ଜାତ ହେଉଥିଲା ମଫସଳରେ ପହଞ୍ଚି ତା’ ମନଟା ନୈରାଶ୍ୟର ମେଘରେ ସେତେ ଆଚ୍ଛାଦିତ ହୋଇଗଲା । ଗଲାବେଳେ ନୀଳକଣ୍ଠର ନିଶ୍ଚିତ ଧାରଣ ଥିଲା–ମଫସଲର ଲୋକଙ୍କୁ ବୁଝାଇ ସେ ଯୋଜନା କାମକୁ ଆଗେଇ ନେବ...ଲୋକଙ୍କୁ ବୁଝାଇ ସୁଝାଇ କ’ଣ କରିନେଲେ ଯୋଜନାକାମରେ ବ୍ୟାଘାତ ଆସିବ ନାହିଁ । ବରଂ ଲୋକେ ନିଜକାମ ବୋଲି ବିଚାର କରି ତା’କୁ ସାହାଯ୍ୟ କରିବେ ।

 

କିନ୍ତୁ ମଫସଲ ମାଟିରେ ଯେ ରାଜନୀତିର ଚିତାବାଘ ଆସି ଡେଇଁବୁଲିଲାଣି ଏକଥା ମଫସଲ ଲୋକଙ୍କ କଥାରୁ ସ୍ପଷ୍ଟ ବୁଝିପାରିଲା ନୀଳକଣ୍ଠ । ତଥାପି ଧୈର୍ଯ୍ୟର ସହିତ ଅବସ୍ଥାଟାକୁ ସମ୍ଭାଳି ନେବାକୁ ଚିନ୍ତା କରି ସେ ଏକପ୍ରକାର ଭାଷଣ ଆରମ୍ଭକରିଦେଲା । ଯୋଜନା ଲୋକଙ୍କଲାଗି ହେଉଛିବୋଲି ଘୋଷଣା କଲା ! ଯୋଜନାର ସଫଳତା ଯେ ଲୋକ ସାହାଯ୍ୟ ବିନା ଅସମ୍ଭବ ଏକଥା ସେ ଦୃଢ଼ତା ସହିତ ଘୋଷଣା କରିବା ଅବସରରେ ଲୋକେ ଏକଥା ବୁଝି ଦଳୀୟ ମତବାଦକୁ ପଛରେ ପକାଇ ଯୋଜନା କାର୍ଯ୍ୟକୁ ଆଗେଇନେବାକୁ ବିନୟ କଣ୍ଠରେ ନିବେଦନ କଲା ! ନୀଳକଣ୍ଠର ନିବେଦନ ଲୋକେ ଆଗ୍ରହ ସହକାର ଶୁଣିଲେ । ନୀଳକଣ୍ଠ ଭଳି ବି.ଡ଼ି.ଓ.ଙ୍କୁ ପାଇ ସେମାନେ ଯେ ଧନ୍ୟ ଏକଥା ପ୍ରମାଣହେଲା । କିନ୍ତୁ ନୀଳକଣ୍ଠ ଯେ ବିନୟୀ ଏଥିରେ ହୋଇଛି ଏକଥା ପ୍ରମାଣ କରିପାରିଲା କେଉଁଠି ?

 

ତଥାପି ଧୈର୍ଯ୍ୟର ସହିତ ନୀଳକଣ୍ଠ ବୁଝାଇ ଚାଲିଲା–ଦେଖ ଏ ଯେଉଁ କୂପ, ପୁଷ୍କରିଣୀମାନ ହେବ ଏଗୁଡ଼ିକୁ ଆପଣମାନଙ୍କଲାଗି ସରକାର କରୁଛନ୍ତି । ଆପଣମାନେ ଯଦି ଦଳୀୟ ମତଭେଦ ଯୋଗୁ ଗ୍ରହଣ ନକରନ୍ତି ତା’ହେଲେ ଆମେ ସେ ଟଙ୍କାଗୁଡ଼ିକୁ ଠିକ୍ କାର୍ଯ୍ୟରେ ନିୟୋଜିତ କରିପାରିବୁ ନାହିଁ । ଅବଶ୍ୟ ଆମ ହାତରେ କ୍ଷମତା ଅଛି ଏସବୁ କରିବା ଲାଗି । କିନ୍ତୁ ଆମେ ଆପଣଙ୍କର ଚାକର–ଆମକୁ ଆପଣ ପ୍ରତିକ୍ଷେତ୍ରରେ ସହଯୋଗ ନକଲେ ଆମର ଭୁଲଦେଖି ଆପଣ ଆମକୁ ଏତିକି ସାବଧାନ ନକଲେ କ୍ଷତି ଆପଣମାନେ ସହିବେ । ସରକାର ଯୋଜନା କରିଛନ୍ତି ସତ କିନ୍ତୁ କିଛି ଯୋଜନା ହୋଇ ପାରିବ ନାହିଁ–ଯଦି ଆପଣମାନଙ୍କର ସହଯୋଗ ନମିଳେ । ସରକାର ଟଙ୍କା ଦେବାକୁ ପ୍ରସ୍ତୁତ । କିନ୍ତୁ ଆପଣଙ୍କ କାର୍ଯ୍ୟ ସୂଚାରୁ ରୂପେ ହେଉଛିକି ନା, ତା’ଦେଖିବା ପ୍ରତ୍ୟେକର କର୍ତ୍ତବ୍ୟ । କେହି ଯଦି ଭାବନ୍ତି ଏକାମ ତାଙ୍କର ନୁହେଁ, ତା’ହେଲେ ସେ ଭୁଲ କରନ୍ତି । ସେକାମ ତାଙ୍କର ନହେଲେ ସୁଦ୍ଧା ତାଙ୍କ ଦେଶର । ତାଙ୍କ ସମାଜର...ତେଣୁ ଅନୁରୋଧ–ପ୍ରତ୍ୟେକ ଲୋକ ପୂର୍ଣ୍ଣ ପ୍ରାଣରେ ଆମକୁ ସହଯୋଗ କରନ୍ତୁ ।

 

ନାତିଦୀର୍ଘ ଭାଷଣ ଦେଲା ପରେ ନୀଳକଣ୍ଠ ଆଶ୍ୱସ୍ତି ହେଲା । ଲୋକେ ତା’ କଥାକୁ ଗ୍ରହଣ କରିଛନ୍ତି, ଲୋକଙ୍କୁ ଯଦି ବୁଝାଇ ଦିଆଯାଏ ତା’ହେଲେ ଯୋଜନା କାର୍ଯ୍ୟରେ ବ୍ୟାଘାତ ଜନ୍ମିବ ନାହିଁ...ସରକାର ଯଦି ସବୁ ଜବରଦସ୍ତ କରିବାକୁ ଚାହିଁବେ ତେବେ ତା’ କରିପାରିବେ ନାହିଁ । କାରଣ ଲୋକବଳ ସରକାର ବଳଠାରୁ ଯଥେଷ୍ଟ ବେଶୀ ବଳଶାଳୀ, ଲୋକେ ଯଦି ସଚେତନ ହେବେ ଦେଶ ସଚେତନ ହେବ ଫଳରେ କେଇବର୍ଷ ଭିତରେ ଏକ ଉନ୍ନତ ଦେଶରେ ଦେଶ ପରିଗଣିତ ହେବ……

 

ଚିନ୍ତା କରୁଥିଲା ନୀଳକଣ୍ଠ…ବ୍ଲକ ଡେଭଲପମେଣ୍ଟ, ଅଫିସର ନୀଳକଣ୍ଠ ଛୋଟରାୟ.....

 

ହଠାତ୍ କାହାର କଣ୍ଠସ୍ଵର ଶୁଣି ନୀଳକଣ୍ଠ ସଚେତନ ହେଲା…

 

ଶ୍ରୀ ମହାନ୍ତି, ଯୁକ୍ତ ହସ୍ତରେ ତାକୁ ନିବେଦନ କରୁଛନ୍ତି–ଆଜ୍ଞା ପଇଡ଼-ପାଣିଟୋପେ ପିଇନିଅନ୍ତୁ…

 

ନୀଳକଣ୍ଠ ଚିତ୍କାର କରି ଉଠିଲା–ନା, ନା, ମୋତେ ଆଦୌ ତୃଷାହେଉନି ଏଇ ମାତ୍ର ଘଣ୍ଟାକ ଭିତରେ ମୁଁ ବସାରୁ ଫେରୁଛି…

 

ତଥାପି ଶ୍ରୀବତ୍ସ ଜିଦ୍‍ଧରିଲେ ତାଙ୍କର ଧାରଣାଥିଲା, ସବୁ ଅଫିସରଙ୍କ ଭଳି ନୀଳକଣ୍ଠ କୃତ୍ରିମ ବିରକ୍ତି ପ୍ରକାଶ କରୁଛନ୍ତି, ବାରମ୍ବାର ଅନୁରୋଧ କଲେ ଖାଇବାର ଲୋଭଟାକୁ କ’ଣ ସମ୍ବରଣ କରିପାରିବେ ?

 

ଶ୍ରୀ ମହାନ୍ତି କହିଲେ–ଆଜ୍ଞା ! ଆମେ ଆପଣଙ୍କୁ କ’ଣ ଦେଇପାରିବୁ ଆପଣ ଆମଲାଗି ଏତେ କଷ୍ଟ, କରୁଛନ୍ତି, ଏଇ ପଇଡ଼ ପାଣି…

 

ଆରେ ନା, ନା, ଆମେ ଆପଣଙ୍କ ପାଇଁ କିଛି, କରୁନୁ । ଆପଣହିଁ ଆପଣଙ୍କର କାମ କରୁଛନ୍ତି । ଆମକୁ ଟଙ୍କା ଦେଇ ଆପଣ ଚାକିରି ରଖିଛନ୍ତି, କାମ ଆପଣଙ୍କ ଲାଗି କରିବୁନିତ ରହିବୁ କାହିଁକି ? ଆପଣ ବ୍ୟସ୍ତ ହୁଅନ୍ତୁନି ! ମୁଁ ଆଦୌ ଏଗୁଡ଼ିକ ପିଇବିନି ।

 

ଶ୍ରୀବତ୍ସ ମହାନ୍ତି ନିରାଶ ହେଲେ ! ଶ୍ରୀବତ୍ସ ମହାନ୍ତିଙ୍କ ମନରେ ଦୁଃଖ ହେଲା କାରଣ ଏଇ ମିନତିକରି ସେ କେତେ ଅଫିସରଙ୍କୁ ବଦନାମି କରିଥିଲେ ମଧ୍ୟ ନୀଳକଣ୍ଠ ପାଖରେ ପରାସ୍ତ ହେବା କମ୍‍ ଦୁଃଖର କଥା ! କିନ୍ତୁ ନୀଳକଣ୍ଠ ଶ୍ରୀ ମହାନ୍ତିଙ୍କର ଦୁଃଖ ନିଜ, ଅନ୍ତରରେ ଅନୁଭବ କରିଥିଲେ ବି ତାକୁ ଜାଣି ଜାଣି ଘଉଡ଼ାଇ ଦେଇଥିଲା କାରଣ–ତା’ର ଧାରଣା ଲୋକଙ୍କ ଚାକର ହୋଇ ଲୋକପାଖରୁ ଉତ୍କୋଚ ଗ୍ରହଣକଲେ ଯେ, ପାପ ! ତା’ଛଡ଼ା ଏଭଳି ପରିସ୍ଥିତିକୁ ସାଦରେ ସ୍ଵାଗତ କଲେ–ଲୋକେ ତାଙ୍କୁ ହୁଏତ ଅବିଶ୍ଵାସ କରିପାରନ୍ତି ।

 

ଶ୍ରୀବତ୍ସ ମହାନ୍ତିଙ୍କୁ ପାଖକୁ ଡାକିଲେ ନୀଳକଣ୍ଠ–ବଶମ୍ବଦ କଣ୍ଠରେ ବୁଝାଇଲେ–ଦେଖନ୍ତୁ, ଦେଶ ସ୍ଵାଧୀନ ହେଲା । ଆମେ ଅଫିସରମାନଙ୍କୁ ଚାକର, ରଖିଛୁ । ଅଫିସରମାନଙ୍କୁ ପୂଜାକରିବା ଉଚିତ ନୁହେଁ ! କାରଣ ଗୃହସ୍ଥ ଯଦି ଚାକରକୁ ପୂଜାକରେ ତା’ହେଲେ ଚାକର ତାଙ୍କୁ ମାନିବତ !

 

ଶ୍ରୀବତ୍ସ ମହାନ୍ତି ସବୁ ବୁଝିଥିଲେ, ତଥାପି, ନୀଳକଣ୍ଠର କଥା ଶୁଣି ସେ ପ୍ରୀତ ହୋଇ କହିଲେ ନାଇଁ, ଏଇ ପଇଡ଼ ପାଣିରେ କ’ଣ କିଛି…

 

କିଛି ନାହିଁ ତେବେ ମତେତ ତୃଷାହେଉନି କାହିଁକି ଯେ, ଆପଣଙ୍କୁ ଖର୍ଚ୍ଚାନ୍ତ କରିବି, ବରଂ ଏଇ ପଇଡ଼ ପାଣି ଯଦି ଆପଣମାନଙ୍କ ପିଲାପିଲି ପାଆନ୍ତି ଦେଶର ଉପକାର ହେବ…

 

ନୀଳକଣ୍ଠ ଯୁକ୍ତିରେ ଶ୍ରୀବତ୍ସ ମହାନ୍ତି ପରାସ୍ତ ! ଆଉ ଅଧିକା ଯୁକ୍ତି କରିବା ସ୍ପୃହଣୀୟ ନୁହେଁ, ଶ୍ରୀବତ୍ସ ମହାନ୍ତି ବିନାବାକ୍ୟ ବ୍ୟୟରେ ଫେରିଗଲେ…ତା’ପରେ ନୀଳକଣ୍ଠ ସେ ଗ୍ରାମର ମୁଖିଆମାନଙ୍କୁ ଡାକି ଟିଉବୱେଲ ସାଙ୍କସନ୍‍ ହୋଇଛି ବୋଲି ଘୋଷଣା କରିବା ସହିତ ଏକ ଉଚିତ ସ୍ଥାନ ନିରୂପଣ କରିବାକୁ ନିର୍ଦ୍ଦେଶ ଦେଲା…

 

ନୀଳକଣ୍ଠ ଏଥର ଆଶା କରିଥିଲା ଲୋକେ ନିଜ ମନରୁ ସମସ୍ତ ଗ୍ଳାନି ଈର୍ଷା ଭୁଲିଯାଇ ସୁସ୍ଥ ସ୍ଥାନଟିଏ ନିରୂପଣ କରିଦେବେ...କିନ୍ତୁ ନୀଳକଣ୍ଠର ଏ ଆଶା କେବଳ ଅଳୀକ ସିନା !

 

ସ୍ଥାନଟିଏ ଠିକ୍ କରିବାକୁ ଯାଇଁ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଲା କନ୍ଦଳ…ତୁମୂଳ ଗଣ୍ଡଗୋଳ...ଫଳରେ ବିରକ୍ତ-ବ୍ୟର୍ଥ-ବିଚଳିତ ହୋଇ ଫେରିଲା ନୀଳକଣ୍ଠ…ତା’ ମନରୁ ସମସ୍ତ ଧୈର୍ଯ୍ୟ ଲୋପ ପାଇଯାଇଥିଲା ଏତେ ବୁଝାଇବାପରେ ଲୋକେ, ଯଦି ଅବୁଝା ହୁଅନ୍ତି, ତା’ହେଲେ ଟିଉବଓ୍ୱେଲ୍ ବସିଲାଭଳି ସମସ୍ତ ଦେଶରେ ଯୋଜନାଟା ଅକାମି ହୋଇଯିବ ସିନା ।

 

ନୀଳକଣ୍ଠ ମଫସଲରୁ ଫେରିଆସି ନିଜ, ଅଫିସ ଭିତରକୁ ପଶିଗଲା, କିଛିକ୍ଷଣ ନିଜ ଚେୟାର ଉପରେ ଏକପ୍ରକାର ବିଶ୍ରାମ ନେଇ ସେଦିନର ଡାକ, ଖେଳାଇଲା…ସହସା ନୀଳକଣ୍ଠର ଆଖି ଦୁଇଟି ଉଜ୍ଜ୍ୱଳ ହୋଇ ଉଠିଲା…ବାବା ଦେଇଛନ୍ତି ଚିଠି, ଅନେକ ଦିନ ପରେ ।

 

ଚିଠିଟିକୁ ଖୋଲି ଏକା ନିଃଶ୍ୱାସକେ ପଢ଼ିଗଲା ନୀଳକଣ୍ଠ ! ଚିଠିଟିକୁ ସେ ଯେତେ ଆଗ୍ରହରେ ପଢ଼ି ଚାଲୁଥିଲା, ପଢ଼ା ଶେଷ ହେବାପରେ ମନଟା ତା’ର ଦୁଃଖରେ ଭରିଉଠିଲା । ବାବା ଦେଇଛନ୍ତି ଚିଠି, ଚିଠି ନୁହେଁ ତ ଗୋଟାଏ ଦୀର୍ଘ ହିସାବ ଫର୍ଦ୍ଦ, ଚିଠି ଛଳରେ ସେ କୈଫିଅତ ମାଗିଛନ୍ତି...ନିଜ ରୋଜଗାରର ଟଙ୍କାଗୁଡ଼ିକ ଏପରି ଅପବ୍ୟୟ କରୁଥିବାରୁ ତାକୁ ସତର୍କ କରାଇଦେଇ ଲେଖିଛନ୍ତି–ଦେଖ, ଏ ବୟସରେ ଟଙ୍କା ନ ରଖିଲେ ଭବିଷ୍ୟତରେ ତୋତେହିଁ, ଭାବିବାକୁ ପଡ଼ିବ...ତା’ଛଡ଼ା ମୁଁ ଥାଉଁ ଥାଉଁ ଯଦି ତମେ କିଛି, ଜମି ଘର ନକରି ପାର, ଆଉ ପାରିବ ନାହିଁ ।

 

ଚରମ ବିରକ୍ତିରେ ଚିଠିଟାକୁ ପକେଟ ଭିତରେ ରଖିଦେଲା ନୀଳକଣ୍ଠ । କିନ୍ତୁ ମନ ଭିତରେ ତା’ର ସେ ଚିଠିର ପ୍ରତ୍ୟେକ ଅକ୍ଷର ପ୍ରତିବାଦ ହୋଇଉଠିଲା । ବଡ଼ଭାଇ ଦେ’ଣା ପରିଶୋଧ କରି ନ ପାରିବାରୁ ଆଉ ଟଙ୍କା ପଠାଉ ନାହିଁ । ବୋଉ ଓ ବଡ଼ ଭାଉଜଙ୍କର ଦେହ ଖରାପ, ଟଙ୍କା ଯୋଗୁ ଡାକ୍ତର ଦେଖାଇ ପାରୁନି, ସାନ ମାମୁଁର ପୁଅଟିଏ ହୋଇଛି, ଯେ ସେଠିକି ଲୁଗା, ଭାର, ସୁନା ଜିନିଷ ପଠାଇବାକୁ ହେବ, ପତ୍ରପାଇ ଶୀଘ୍ର ଟଙ୍କା ପଠାଇବୁ, ତୋ’ ଟଙ୍କାକୁ ଅପେକ୍ଷା କରି କିଛି କାମ କରିପାରୁନି, ଇତ୍ୟାଦି ।

ମୁହଁରୁ ଥପ୍ ଥପ୍ ବୋହି ପଡ଼ୁଥିବା ଝାଳକୁ ପୋଛିଦେଇ ନୀଳକଣ୍ଠ କଲିଂ ବେଲରେ ଆଘାତ କଲା......

ଗୃହ ଭିତରକୁ ପଶିଆସିଲା ଗୋବିନ୍ଦା ପିଅନ ।

ନୀଳକଣ୍ଠ କହିଲା–ହେଡ଼ କ୍ଲର୍କ ଚକ୍ରଧରକୁ ଡାକ ତ ।

ଚକ୍ରଧର ସଶରୀରରେ ପହଞ୍ଚିଲା ।

ନୀଳକଣ୍ଠ ଚେୟାର ଛାଡ଼ି ଉଠୁ ଉଠୁ କହିଲା–ମୁଁ ବସାକୁ ବାହାରିଲି ଚେୟାରମ୍ୟାନ ବଳଭଦ୍ର ବାବୁ ଆସିଲେ ବସାକୁ ଯିବାକୁ କହିଦେବ ।

ତା’ପରେ ନୀଳକଣ୍ଠ ପକ୍‍କା ଚଟାଣ ଉପରେ ଶ୍ରୁତିକଟୁ ଶବ୍ଦ ସୃଷ୍ଟି କରି ଆଗେଇ ଗଲା-

ଧନଞ୍ଜୟ ପରିବାରରେ ଦେଖା ଦେଇଛି ଅଶାନ୍ତିର ଅପଶକୁନ ? ତା’ର ଶାନ୍ତସରଳ ପରିବାର ଆକାଶରେ ଏଭଳି ଅଦିନିଆ କଳାମେଘ ଯେ ଢାଙ୍କି, ଆସିବ ତା’ କେବେ କ’ଣ କିଏ କଳ୍ପନା କରିଥିଲା !

ପ୍ରାୟ ପ୍ରତ୍ୟେକ ଦିନ କିଛିନା କିଛି ଗଣ୍ଡଗୋଳ ନହେଲେ ପରିବାରର ପ୍ରତ୍ୟେକ ଲୋକ ଯିମିତି ଦିନଟାକୁ ଆନନ୍ଦଭାବେ ଗ୍ରହଣ କରୁନାହାଁନ୍ତି । ଧନଞ୍ଜୟର ମନରେ ଦୁଃଖର ଝଡ଼ ଡେଣା ପିଟିଛି । ସାରା ଜୀବନଟା ମାଟି ସହିତ ମିଶି ସେ ଯେଉଁ କଷ୍ଟ ସହିଗଲା ସେ କଷ୍ଟ ଯିମିତି ତା’ର ସେଇ କଷ୍ଟରେ ରହିଯାଉଛି । ବହୁ କଷ୍ଟ କରି ଦୁଇଟି ପୁଅଙ୍କୁ ମଣିଷ କରିବା ପରେ, ପୁଅମାନଙ୍କ ଭିତରେ ଯେ ମତଦ୍ଵେଧ ଘଟିବ, ଏକଥା କେହି ବାପା କ’ଣ କଳ୍ପନା କରେ !

କଜିଆଟା ଅବଶ୍ୟ ନିଳାମ୍ବର କିମ୍ବା ନୀଳକଣ୍ଠ ଭିତରେ ହୋଇନି ! ଦୁଇଯାଆ, ଶାଶୁ ଭିତରେ କନ୍ଦଳ ଲାଗି ଘରର ଶାନ୍ତିରେ ବ୍ୟାଘାତ ଜନ୍ମିଛି । ଧନଞ୍ଜୟ ସନ୍ଦେହ କରୁଛି, ଏଭଳି ଯଦି କନ୍ଦଳଟା, ଯା-ଯା ଭିତରେ ଲାଗିରହେ ତା’ ଅକ୍ଳାନ୍ତ ପରିଶ୍ରମରେ ଗଢ଼ି ଉଠିଥିବା ଘର ଧ୍ଵଂସ ପାଇଯିବ ।

ଅନେକଥର ଧନଞ୍ଜୟ ଏଇ ଯା-ଯା ଭିତରେ ଲାଗିଥିବା କଜିଆକୁ ମିମାଂଶା କରିବାକୁ ଚେଷ୍ଟା କରିଛି । କିନ୍ତୁ ସେ ପାରିନି ନାରୀମାନଙ୍କ ମନରୁ ଏ କଜିଆର ମୋହଟା ତୁଟାଇବା କିଛି କମ୍ କଥା ନୁହେଁ ।

ଦୁଃଖରେ ଭାଙ୍ଗିପଡ଼ିଛି ଧନଞ୍ଜୟ, କିନ୍ତୁ ଯେତେ ଚିନ୍ତା କଲେବି ବୁଝିପାରୁନି କଜିଆର ଆରମ୍ଭ କେଉଁଠୁ !

ସେଦିନ ଧନଞ୍ଜୟ ସାଘାଂତିକ ଭାବେ ଆହତହେଲା । ସ୍ତ୍ରୀ ହେମାଙ୍ଗିନୀ ଯେତେବେଳେ ବଡ଼ବୋହୂର ପକ୍ଷନେଇ ସାନବୋହୂ ବିରୁଦ୍ଧରେ ଅଭିଯୋଗ କଲେ, ଧନଞ୍ଜୟର ଧାରଣାହେଲା ଗିରିବାଳା ହିଁ ଦୋଷୀ ! ବହୁଦିନରୁ ବଡ଼ଲୋକ ଘରର ଝିଅ ଉପରେ ତାଙ୍କର ଏକ କଦର୍ଯ୍ୟ ଧାରଣାଥିଲା ! ଗିରିବାଳା ସେଇ ବଡ଼ଲୋକର ଝିଅହୋଇ ବଡ଼ଲୋକୀ ଦେଖାଉଛି ବୋଲି, ତା’ର ଆଶଙ୍କା ଘନୀଭୂତ ହେଲା ଫଳରେ ଏକପ୍ରକାର କଦର୍ଯ୍ୟ ଧାରଣା ବସା ବାନ୍ଧିଲା ତା’ ମନର କନ୍ଦରରେ । ଧନଞ୍ଜୟ ନିଷ୍ପତ୍ତି କଲା–ଦୋଷୀ ଗିରିବାଳା ! ତାକୁ ସାବଧାନ କରିଦେବାକୁ ପଡ଼ିବ ।

 

ଗିରିବାଳାକୁ ପାଖରେ ଡାକିଲା ଧନଞ୍ଜୟ । ଘରର ପରିସ୍ଥିତି ଉପରେ ନାତିଦୀର୍ଘ ଭାଷଣ ଦେବା ପରେ ଘରେ ଯେ ଏତେ କନ୍ଦଳ କାହିଁକି ଲାଗୁଛି ତା’ର କାରଣ ଜିଜ୍ଞାସା କଲା–

 

ଗିରିବାଳା କିନ୍ତୁ କ’ଣ କହିବ ?

 

ଗିରିବାଳାର ନିରବତା ଦେଖି ଧନଞ୍ଜୟ ବିରକ୍ତ ହେଲା, ପରିଶେଷରେ ଏକ ଧମକପୂର୍ଣ୍ଣ କଣ୍ଠରେ ଗିରିବାଳାକୁ କହିଲା ଏ ଘରେ କାହାର ଅଧିକାର ନାହିଁ । ଯିଏ ଏଠି କନ୍ଦଳ କରିବ, ତାକୁ ମୁଁ ଏଘରୁ ତେଜ୍ୟ କରିବି ! ହୁଁ ବାଘ, ଘରେ ମିରିଗ ନାଟ । ମୁଁ ଏସବୁ ସହି ପାରିବିନି । ଯିଏ କଜିଆ କରିବ କହୁଛି ତାକୁ ମୁଁ ଏଘରୁ ଚିରଦିନ ଲାଗି ବିଦା କରିଦେବି । ଏ ଘରର ସିଂହଦରଜା ତା’ଲାଗି ସବୁଦିନ ପାଇଁ ରୁଦ୍ଧ ହୋଇଯିବ ।

 

ଶ୍ଵଶୁରଙ୍କ ମୁହଁରୁ ଏ ରୋଷ ବ୍ୟଞ୍ଜକ କଥାଗୁଡ଼ାକ ଶୁଣି ସଂକିଗଲା ବାଳା, ଦୁଃଖରେ ଫାଟି ପଡ଼ିଲା ତା’ର ଅନ୍ତର ପରିଶେଷରେ ଶ୍ଵଶୁର ବି ତାକୁ ଅବିଶ୍ୱାସ କଲେ ।

 

ଅଦିନିଆ ଚଲା ବର୍ଷାଭଳି ଗିରିବାଳା ଆଖିରୁ ଲୋତକର ବାରି ଝରି ଆସିଲା ! ସେଇ ବାରିକୁ ରୋଧକରି ନପାରି ଗିରିବାଳା ନିଜ ଶୟନ ପ୍ରକୋଷ୍ଠକୁ ଫେରି ପଡ଼ିଲା ତକିଆ ଉପରେ ମୁହଁମାଡ଼ି ପଡ଼ି ସେ ଖାଲି ତା’ ଭାଗ୍ୟକୁ ସ୍ମରଣ କରିବା ଛଡ଼ା ଅନ୍ୟକଥା କ’ଣ କରିପାରି ଥାଆନ୍ତା !

 

କିନ୍ତୁ ଧନଞ୍ଜୟ !

 

ଗିରିବାଳାକୁ ଆଘାତ ହେବାପରେ ଧନଞ୍ଜୟ ବଡ଼ବୋହୂ ଶକୁନ୍ତଳାକୁ ଡାକି କହିଲେ–ଦେଖ, ତୁ ଏ ଘରର ବଡ଼ବୋହୂ ! ତୁ ତା’ଠାରୁ ବହୁଦିନ ଆଗରୁ ଆସି ଏ ଘରର ମର୍ଯ୍ୟାଦା ବୁଝିଛୁ । କିନ୍ତୁ ଦେଖ ଏ ଘରର ମର୍ଯ୍ୟାଦା ଯିମିତି କ୍ଷୁଣ୍ଣ ନହୁଏ । ଯଦି ତମ ଯା ଯା ଭିତରେ ନପଡ଼ୁଛି ତା’ହେଲେ ଆଜିଠାରୁ କେହି କାହାକୁ ପାଟି ଫିଟାଇ ପାରିବନାହିଁ ।

 

ହେମାଙ୍ଗିନୀ ସହସା ଗୃହ ଭିତରକୁ ପଶିଆସି କହିଲେ–ନାଇଁ, ତା’ର ମୁହଁ ଭାରି ! ସେ ପରା ଯନ୍ତ୍ର କଡ଼ାଏ ।

 

ଧନଞ୍ଜୟ ବିରକ୍ତ ହୋଇଉଠି କହିଲେ, ହଉ ବନ୍ଦକର ଏଥର ଯଦି ଏଭଳି କିଛି ଘଟଣା ଘଟେ ଭବିଷ୍ୟତରେ ଖୁବ୍ ଖରାପ୍ ହେବ । ଯାଅ ମିଳିଚୁଳି ରହିବାକୁ ଚେଷ୍ଟାକର...ଯାଅ...

 

ସମସ୍ତେ ଚାଲିଗଲେ ଧନଞ୍ଜୟ ରୁଗ୍‍ଣ ମନନେଇ ଶୋଇବାକୁ ଚେଷ୍ଟାକଲେ, କିନ୍ତୁ ସେ ଶୋଇ ପାରିଲେ କେଉଁଠି ? ବରଂ ଗତ ଦିନର ଦୁର୍ଘଟଣା ତାଙ୍କ ମାନସ ପଟରେ ପ୍ରତିବିମ୍ବିତ ହୋଇଉଠିଲା । ଧନଞ୍ଜୟ ତଥାପି ଚିନ୍ତା କରୁଥିଲେ–ହେମାଙ୍ଗିନୀ ବାଳା ବିରୁଦ୍ଧରେ କହୁଛନ୍ତି । ଶକୁନ୍ତଳାବି କହୁଛି କିନ୍ତୁ ବାସ୍ତବିକ ଏଥିରେ ଦୋଷୀ କିଏ ???

 

ଦୋଷୀ କ’ଣ ତା’ହେଲେ ଗିରିବାଳା !!!

 

ଗିରିବାଳା କାନ୍ଦୁଥିଲା...ଶ୍ରାବଣର ନଦୀ ବଢ଼ି ପାଣିଭଳି ଫୁଲି ଫୁଲି...ଜୀବନଟା ତା’ହେଲେ ଏକ ଦୋଷୀ ହେବାରେହିଁ କଟିଯିବ ନା ! ଗିରିବାଳାର ମନେପଡ଼ୁଛି ତା’ର ବାପଘର କଥା ! ବାପଘର କଥା ମନେ ପଡ଼ିଲେ ଚିରିବାଳା ଅନ୍ତରରେ ଦୁଃଖର କଳାହାଣ୍ଡିଆ ମେଘ ସଞ୍ଚାର ହୁଏ । ଅପରିଯ୍ୟାପ୍ତ ନୟନରୁ ଲୋତକର ବର୍ଷା ବି ଝରିଯାଏ । ନାରୀ ଜୀବନ ଉପରେ ତା’ର ଅହେତୁକୀ ଅଭିମାନ ଜାଗେ ଅତି ଅଲିଅଳରେ ବାପଘରର ସୁଖଟା ଉପଭୋଗ କଲାପରେ ଶାଶୁଘରର ଦୁଃଖ ତାକୁ ନର୍କସମ ଯନ୍ତ୍ରଣା ଦିଏ, ଗିରିବାଳା ଖାଲି କାନ୍ଦିବାହିଁ ସାର କରେ ସିନା, କିନ୍ତୁ କହିବ କାହାକୁ ? ଯାହାକୁ ସେ ହାତଧରି ବିବାହ କରିଛି ସେତ ତା’ ପାଖକୁ ଖଣ୍ଡେ ଚିଠି ଦେବାକୁ ସୁଦ୍ଧା ସମର୍ଥ ହେଲାନି । ବାଳା ମଲାଣି କି, ବଞ୍ଚିଛି ସେ ସୁଦ୍ଧା ଜାଣିବାକୁ ଚାହାନ୍ତି ନାହିଁ । ଗିରିବାଳାର ଇଚ୍ଛାହୁଏ ଦୁନିଆରେ ଏତେ ଲୋକ ଅକାଳରେ ମରଣ ବରଣ କରୁଛନ୍ତି । କିନ୍ତୁ ତାଙ୍କୁ କାହିଁକି କିଏ ଗ୍ରାସ କରିବାକୁ ସାହସ କରୁନି ! ଏଭଳି ଜୀବନଟାକୁ ଜଳାଇ ପୋଡ଼ାଇ ମରିବା ଅପେକ୍ଷା ଅକାଳରେ ମରିବା କ’ଣ ଭଲନୁହେଁ ? ବିଧିକୁ ଧିକ୍‍କାର କରେ ବାଳା ! ନିଜ ଭାଗ୍ୟ ଉପରେ ଅନସ୍ଥା ପ୍ରସ୍ତାବ ଆଣେ, ନାରୀ ଜୀବନ ଉପରେ ତା’ର ଚରମ ବୀତସ୍ପୃହା ଜାଗେ । ଗିରିବାଳା କେଉଁ ଏକ ଅଜଣା ଦେବତା ଉଦ୍ଦେଶ୍ୟରେ ପ୍ରଣତି ଢାଳି କହେ–ପ୍ରଭୋ ! ଏତେ କଷ୍ଟ ସହିବାକୁ କ’ଣ ଏଇ ଦୁର୍ବଳ ଅବଳାଙ୍କର ଜନ୍ମ ।

ଆଖିରୁ ଲୁହ ପୋଛିଲା ବାଳା, ଏ ଲୁହ ଅସରନ୍ତି, କେତେ ପୋଛିବ ? ଜୀବନଟାତ ଏଇ ଲୁହ ପୋଛାରେ ବିତିଯିବ । ଆଉ ଜନ୍ମହୋଇ ସେ କି ସୁଖ ପାଇବ ।

ତକିଆ ଉପରେ ମୁହଁ ମାଡ଼ି ପଡ଼ିଛି ବାଳା ! ଦୁଃଖରେ ବୁକୁ ତା’ର ଫାଟିଯାଉଛି । କାହାକୁ କହିବ ? କିଏ ତା’ର ଏଠି ଆପଣାର ଅଛି । ତା’ଛଡ଼ା ବାପଘରକୁ ଏ ଦୁଃଖ ଜଣାନ୍ତା ବାଳା-। କିନ୍ତୁ ସେମାନେ କ’ଣ କରିବେ ସେମାନଙ୍କର ବା ଚାରା କ’ଣ । କେଉଁ ଏକ ଅନ୍ୟ ଇତର ଲୋକ ଘର ହୋଇଛି ଯେ ତାକୁ ପୁନର୍ବିବାହ ଦେଇ ଦେବେ, ଏ କରଣ ପରିବାରରେ କ’ଣ ତା’ ସମ୍ଭବ ବରଂ ଏସବୁ ଦୁଃଖକୁ ନିରବରେ ସହବାହିଁ ଶ୍ରେଷ୍ଠ ପନ୍ଥା ।

ସବୁଠାରୁ ବଡ଼ଦୁଃଖ ଲାଗେ ବାଳାକୁ ଦୋଷ ଯଦି ସେ କରୁଥାଆନ୍ତା ତା’ହେଲେ ଅପବାଦଗୁଡ଼ାକୁ ମୁଣ୍ଡାଇବାକୁ ସେ କଦାପି ପଛାନ୍ତା ନାହିଁ । କିନ୍ତୁ ତା’ର ନିଶ୍ଚିନ୍ତ ଧାରଣା କେବେତ ଜ୍ଞାତା ଜ୍ଞାତରେ ସେ ଶାଶୁ ଶ୍ୱଶୁର କିମ୍ଵା ଯାଆଙ୍କର କୌଣସି ଦୋଷ କରିନି, ଅଥଚ ସେମାନେ ଏତେ ତା’ପ୍ରତି ବିରକ୍ତି କାହିଁକି ?

 

ଅନେକଥର ବାଳା ଚିନ୍ତା କରି ଠିକ୍‍ କରିଛି ସେମାନେ ବିରକ୍ତ ନହେବା ଲାଗି ସେ ଆପ୍ରାଣ ଚେଷ୍ଟା କରିବ କିନ୍ତୁ ନିରାଶ ହୋଇଛି ସେମାନଙ୍କର ତା’ ଉପରେ ଥିବା ଧାରଣା ବଦଳିବାର ନୁହେଁ । ସେମାନଙ୍କର ଧାରଣା ଇଏ କାଳେ ନୀଳକଣ୍ଠ ପାଖକୁ ଚିଠିଦେଇ ଟଙ୍କା ନପଠାଇବାକୁ ପ୍ରେରଣା ଦେଉଛି, ନୀଳକଣ୍ଠ ଭଳି ପୁଅକୁ କୁଶିକ୍ଷାଦେଇ ଅମଣିଷ ମାଇଚିଆ କରି ଦେଇଛି... ଦୁଃଖିତ ହୁଏ ବାଳା, ନୀଳକଣ୍ଠକୁ ସେ କୁଶିକ୍ଷା ଦେଲେ ସୁଦ୍ଧା ନୀଳକଣ୍ଠ କ’ଣ କେବେ ତା’ କଥାକୁ ଶୁଣିବା ଲୋକ ! ଅଥଚ ଲୋକେ କିମିତି ଏକଥା ବିଶ୍ୱାସ କରନ୍ତି ? ସଜ ମାଛରେ ପୋକ ପକାଇବାକୁ ସାହାସ କରନ୍ତି ? ନିଆଁ ନ ଥିବା ସ୍ଥାନରେ ଧୂମ୍ରକୁଣ୍ଡଳୀ ସୃଷ୍ଟିକରିବାକୁ ଚେଷ୍ଟାକରନ୍ତି ।

 

ସବୁଠାରୁ ବେଶି ଦୁଃଖ ହେଲା ବାଳାର ଆଜି ଧନଞ୍ଜୟଙ୍କର କଥା ଶୁଣି, ତା’ର ନିଶ୍ଚିନ୍ତ ଧାରଣା ଥିଲା ଧନଞ୍ଜୟ ତାକୁ ଅବିଶ୍ୱାସ କରିବନି । କିନ୍ତୁ ଧନଞ୍ଜୟ ମୁଖରୁ ଏକଥା ଗୁଡ଼ାକ ଶୁଣି ସେ ଏକରକମ ପାଗଳୀ ହୋଇ ଯାଇଛି । ଶଶୁର ମଧ୍ୟ ବୁଝିବାକୁ ତା’ କଥା ଅକ୍ଷମ ହେଲେ ? ହାୟଃ ।

 

ଆଉଥରେ ଆଖିରୁ ଲୁହ ପୋଛିଲା ବାଳା ।

 

ଘରଭିତରକୁ ପଶି ଯାଉଁ ଯାଉଁ ମାନସୀ କହିଲା ଭାଉଜ ! ତମ ଦେହ କ’ଣ ବ୍ୟସ୍ତ ଅଛିକି ? କାହିଁକି ଶୋଇଛ ?

 

ବାସ୍ତବିକ ବାଳାର ଦେହ ବ୍ୟସ୍ତ ନଥିଲା, ତଥାପି ମାନସୀକୁ ସେ ତା’ଦେହର ଅସୁସ୍ଥତା ଥିବାର ପ୍ରକାଶ କଲା ।

 

କିନ୍ତୁ ମାନସୀ ଯେତେବେଳେ ବାଳାର ଅଶ୍ରୁ ସଜଳ ନୟନ ଦେଖିଲା । ସେ ଚମକି ଉଠି କହିଲା ଆରେ ତମେ କାନ୍ଦୁଛ ଯେ ।

 

ବାଳା କହିଲା–ମୁଣ୍ଡଟା ଭୀଷଣ ବଥାଉଛି ।

 

ମାନସୀ କହିଲା–ଚିପି ଦେବି !

 

–ନା, ମନାକଲା ବାଳା ।

 

ବାଳାର ନାସ୍ତିବାଣୀ ଶୁଣି ମାନସୀର ସନ୍ଦେହ ହେଲା–ମୁଣ୍ଡ ବିନ୍ଧୁଥିଲେ ବି ବାଳା ମନାକରୁଛି କାହିଁକି ? ସେ କହିଲା–ଭାଉଜ ! ମୋ ରାଣ ସତ କହିବ–କ’ଣ ତମର ହୋଇଛି ? ମୁହିଁରେ କୃତ୍ରିମ ହସ ଫୁଟାଇ ବାଳା କହିଲା–ନାଇଁମ, ଦେହଟା ।

 

ମାନସୀ କିନ୍ତୁ ସହଜେ ଛାଡ଼ିବାର ପାତ୍ରୀ ନୁହେଁ । ତା’ଛଡ଼ା ଘର ଭିତରକୁ ଆସିଲାବେଳେ ହେମାଙ୍ଗିନୀଙ୍କର କର୍କଶ କଥା ସେ ଶୁଣିଛି । ହେମାଙ୍ଗିନୀ ଧନଞ୍ଜୟକୁ କହୁଥିଲେ–ହେଇଟି । ଆମକୁ ପରା କୁହ ଦେଖ । କ’ଣ ତମେ ନଥିଲ ଯେ ଆଣ୍ଟକରି ଏପର୍ଯ୍ୟନ୍ତ ଶୋଇଛି କମ୍‍ ଆଣ୍ଟକି ତା’ର !

 

ଧନଞ୍ଜୟ କହୁଥିଲେ–ଶୋଇଥାଉ…ତମ କାମ ତମେ କରିଯାଅ ।

 

ମାନସୀର ସନ୍ଦେହର ପକ୍ଷୀ ଅଣ୍ଡା ପ୍ରସବ କଲା । ନିଶ୍ଚୟ କିଛି ଗୋଟାଏ କନ୍ଦଳର ସୂତ୍ରପାତ୍ର ହୋଇଛି । ସେ ପୁନଃ ପୁନଃ ପ୍ରଶ୍ନକଲା ମୋ ରାଣ କହିବନି ଭାଉଜ !

 

ବାଳା କହିଲା–ତମକୁ ମୁଁ କହିବିନି ଆଉ କାହାକୁ କହିବି ! ହେଲେ ମୋର ଦେହଟା ଅସୁସ୍ଥ ଅଛି ବୋଲି ଶୋଇଥିଲି । ଆଉ କିଛି ନୁହଁ ।

 

–ହେଁ କହିବ ନାହିଁ ? କିନ୍ତୁ ଦେଖ ଯଦି ନକହିବ ମୁଁ ଆଉ ଆସିବି ନାହିଁ ।

 

ଗିରିବାଳା ତଥାପି କହିବାକୁ ପ୍ରସ୍ତୁତ ନୁହେଁ । ଘରକଥା କିମିତି ସେ ପଦାରେ ପକାଇବ-!

 

କିନ୍ତୁ ମାନସୀ କ’ଣ ସହଜେ ଛାଡ଼େ ।

 

ପରିଶେଷରେ ଅନ୍ୟ ଉପାୟ ନଦେଖି ବାଳା କହିଲା–ଚାଲ ଝାଡ଼ା ଯିବା ମୁଁ କହିବି ।

 

ମାନସୀ ସମ୍ମତି ଦେଲା ।

 

ଗିରିବାଳା ମୁଖରୁ ତା’ ଜୀବନର ଦୁଃଖ କାହାଣୀ ଶୁଣି ସଂକିତ ଚିତ୍ତରେ ମାନସୀ କହିଲା–ଧୈର୍ଯ୍ୟର ଗୋଟାଏ ସୀମା ଅଛି ଭାଉଜ । କିନ୍ତୁ ତୁମେ ଯେଉଁ ଧୈର୍ଯ୍ୟଧରିଛ ତା’ ଆଉ କାହାପାଖରେ ସମ୍ଭବ ହୋଇପାରିବ ନାହିଁ । ତଥାପି ତୁମେ ଏତେକଷ୍ଟ ସହିଲେ କ’ଣ ସେ ବଦଳୁଛନ୍ତି ?

 

ବାଳାକହିଲା–ବଦଳିବେ, ନିଶ୍ଚୟ ବଦଳିବେ । ସବୁଦିନେ କ’ଣ ମୋ ଭାଗ୍ୟରେ ଏଇ ଦୁଃଖ ଥିବ ।

 

ମାନସୀ କହିଲା ନା, ତମେ ଏହାର ପ୍ରତିବାଦ କର । ଅନ୍ତତଃ ନୀଳୁଭାଇଙ୍କ ପାଖକୁ ଏକଥା ଲେଖି ଜଣା ।

 

ହସିଲା ବାଳା–ଛିଃ ଏଗୁଡ଼ାକ ଶୁଣିଲେ ତାଙ୍କ ଭଳି ଲୋକ କେଡ଼େ ବିଚଳିତ ନ ହୋଇଯିବେ ? ତା’ଛଡ଼ା ବାପା ମାଆ ତାଙ୍କୁ ଜନ୍ମ ଦେଇଛନ୍ତି । ତାଙ୍କୁ ମଣିଷ କରିବାକୁ କଷ୍ଟ କରିଛନ୍ତି । ମୋ ଲାଗି ଯଦି ସେ ତାଙ୍କୁ ନପଚାରନ୍ତି ତାଙ୍କର ଆଖି ଲୁହ ମୋ ଉପରେ ପଡ଼ିବନି ? ସେମାନେ ଯେତେ କଷ୍ଟ ଦେଲେବି ମୋର ଶାଶୁ ଶ୍ଵଶୁର । ଶାଶୁ ଶ୍ଵଶୁର କାହା ଭାଗ୍ୟରେ ମିଳେ ! ସେମାନେ ମୋତେ କଷ୍ଟ ଦିଅନ୍ତୁ, ତଥାପି ସେମାନେ ବଞ୍ଚିରୁହନ୍ତୁ । ଅନ୍ତତଃ ମୁଁ ତ ଶାଶୁ ଶ୍ଵଶୁରରେ ଘର କରିପାରିବି !

 

ମାନସୀ ବିସ୍ମିତ ହେଲା–କହିଲା, ତମ ପରି ମୁଁ ଆଉ କାହାକୁ ଦେଖିନି । ତମେ ମାନବୀ ନୁହଁ ଦେବୀ । ଏତେକଷ୍ଟ ସେମାନେ ତମକୁ ଦେଉଛନ୍ତି ତମେ ତାକୁ ସହିଛ ?

 

ବାଳା ହସି ହସି କହିଲା–ନାଇଁଲୋ ! ସେମାନେ ମୋର କିଛି ଦୋଷ ଦେଖିଥିବାରୁ ଏତେ ବିରକ୍ତ ହୁଅନ୍ତି । ମୁଁ ଯଦି ଆଉ ଦୋଷ ନକରେ ସେମାନେ ବଦଳି ଯିବେନି । ତା’ଛଡ଼ା ଆଉ ଏକ କଥା ମୋ ଭାଗ୍ୟରେ ଏକଷ୍ଟ ସହିବାକୁ ଲେଖାଅଛି । ସେମାନେ ଏକଷ୍ଟ ମତେ ଦେଉ ନାହାନ୍ତି, ନା ନା ମୋଭାଗ୍ୟ ଦେଉଛି...ତେଣୁ ଭାଗ୍ୟ ବିରୁଦ୍ଧରେ ମୁଁ କ’ଣ କିଛି କରି ପାରେ !

 

ମାନସୀ କହିଲା–କିଲୋ ଭାଗ୍ୟ କ’ଣ ! ସେମାନେ ଅଯଥା ତମ ଉପରେ ବିରକ୍ତ ହେବେ ଅଥଚ ଭାଗ୍ୟକୁ ନିନ୍ଦା କରିବ ତମେ ! ଛିଃ ତମପରି ବୋକି ମୁଁ ତ କେଉଁଠି ଦେଖିନି ।

 

ବାଳା କହିଲା–ବୋକି ହୋଇ ମୁଁ ମରିଯାଏ । କିନ୍ତୁ ଶାଶୁ ଶ୍ଵଶୁଙ୍କର ଯିମିତି କିଛି ଅନିଷ୍ଟ ନହେଉ । ସେମାନେ ବହୁତ କଷ୍ଟ ସହିଛନ୍ତି ଅନ୍ତତଃ ଟିକେ ସୁଖ କରି ଯାଆନ୍ତୁ । ଆମରତ ଅନେକ ଦିନ ଅଛି । କିନ୍ତୁ ସେମାନେ ଯଦି ଟିକେ ସୁଖୀ ନହେବେ ତାଙ୍କ ଜୀବନ ଛାରଖାର ହୋଇ ଯିବନି !

 

ବାଳାର ଏପ୍ରକାର ନିତିବାଣୀ ଶୁଣି ମାନସୀ ମୂକ ପାଲଟି ଯାଇଥିଲା । ମୁଣ୍ଡରୁ ସମସ୍ତଯୁକ୍ତି ଉଭେଇ ଯାଇଥିଲା ସେ ଖାଲି କ’ଣ କହିବ କହିବ ହୋଇ କହିପାରୁ ନଥିଲା ।

 

ବାଳା କହିଲା–ମାନ ! ତମେ ସଂସାରେ ପଶିନା । ପଶିଲେ ଦେଖିବ ଏ ସଂସାରର ପଥ ବଡ଼ ଜଟିଳ । ଏଠି ଦୁଃଖ ସୁଖ ସବୁ ସହିବାକୁ ପଡ଼ିବ । ଦୁଃଖକୁ ହସି ଉଡ଼ାଇ ଦେଲେ ଦୁନିଆରେ ଜିତିଯିବ । କିନ୍ତୁ ଦୁଃଖକୁ ଡରିଗଲେ ସଂସାରରେ କ’ଣ ରହି ପାରିବ । ତମେ ବିଭା ହୁଅ ଦେଖିବ ଘରକରି କେତେ ଦହଗଞ୍ଜ କେତେ କଷ୍ଟ, କେତେ ଅପମାନ ସହ୍ୟ କରିବାକୁ ପଡ଼େ । ଏୟା ବୋଲି କ’ଣ ଏ ସବୁକୁ ନସହି କିଛି ଅପକଥା କରିବା ଉଚିତ ! ମାନସୀ ଏଥର ମୁହଁ ଖୋଲିଲା–କହିଲା ଭାଉଜ ! ତମକୁ କିଏ ବୁଝାଇ ପାରିବନି । ତମେ ଯେଉଁ ପଥ ଧରିଛ ସେ ପଥରେ ଗଲେ ଯେ ନିଶ୍ଚୟ ଏଭଳି ଅନେକ ଦୁଃଖ ସହିତ ସଂଘର୍ଷ କରିବାକୁ ପଡ଼େ । କାରଣ ଦୁଃଖକୁ ବରଣ କରିବାକୁ ତମେ ପ୍ରସ୍ତୁତ । ଏ ଦୁଃଖରୁ ତମକୁ ଭଗବାନବି ଉଦ୍ଧାର କରିପାରିବେ ନାହିଁ ବୁଝିଲ ।

 

ହସି ହସି ଗିରିବାଳା କହିଲା–ଭଗବାନ କରନ୍ତୁ ଏଇ ଦୁଃଖ କରି ମୁଁ ମରିଯାଏ । ମୋ ସୁଖ ନେଇ ଅନ୍ୟମାନେ ଯୁଗ ଭୋଗ କରନ୍ତୁ । ମୁଁ ତ ଦୁଃଖ ଅପମାନ, ଅପବାଦ ସହୁଛି, କିନ୍ତୁ ଭଗବାନ ! ସମସ୍ତଙ୍କ ଦୁଃଖ ବିନିମୟରେ ମୋ ସୁଖ କାଢ଼ିନେଇ ମୋଭଳି ଦୁଃଖ ପାଉଥିବା ଭଉଣୀମାନଙ୍କୁ ବାଣ୍ଟି ଦିଅନ୍ତୁ...ମୋପରେ ଯିମିତି ମୋଭଳି ଦୁଃଖ ଆଉ କିଏ ନପାଉ । ହଁ, ମାନ ମୋରାଣ ମୁଁ ଯେଉଁ କଥା କହିଲି ତା’ ଯିମିତି ଆଉ କିଏ ନଶୁଣେ, ଦେଖ, ଇଏ ଯେଭଳି ଲୋକ ଏକଥା ଶୁଣିଲେ ମତେ ରଖିବେଟି ?

 

ମାନସୀ ହସିଦେଇ କହିଲା–ମତେ ତମେ ବିଶ୍ଵାସ କର ଭାଉଜ, ମୋପ୍ରାଣ ଚାଲିଯିବ ପଛେ କହିବିନି–ଆଶ୍ଵସ୍ତି ହେଲା ଗିରିବାଳା ।

 

ଅଫିସରୁ ଫେରି ଉତ୍ତମରୂପେ ମୁହଁ ହାତ ଧୋଇନେଲା ନୀଳକଣ୍ଠ । ତା’ପରେ ସାମାନ୍ୟ କିଛି ଜଳପାନ କରିବାପରେ ସେଇଦିନର ସମ୍ବାଦପତ୍ର ଖଣ୍ଡିଏ ଧରି ବସିଲା ସେ ! ଚାକର ପୁରିଆ ଆସି କହିଲା–ବାବୁ । ଆଜି ଚାଉଳ ନାହିଁ ।

 

ପକେଟରୁ ପାଞ୍ଚଟଙ୍କା ନେଇ ଯିବାକୁ ନିର୍ଦ୍ଦେଶ ଦେଇ ସମ୍ବାଦପତ୍ରର ପ୍ରଥମ ପୃଷ୍ଠାରେ କଳା କଳା ବଡ଼ ବଡ ଅକ୍ଷରରେ ଲେଖାଥିବା ସମ୍ବାଦଟି ପ୍ରଥମେ ଦୃଷ୍ଟି ଆକର୍ଷଣ କଲା ନୀଳକଣ୍ଠର-। ନୀଳକଣ୍ଠ ପଢ଼ିଲା–ସେଇ ସମ୍ବାଦଟି...ଗତ ଦୁଇଦିନତଳେ କାନ୍‍ପୁରଠାରେ ଏକ ବିରାଟ ସାଧାରଣ ସଭାରେ ପ୍ରଧାନମନ୍ତ୍ରୀ ଭାଷଣ ଦେଇଛନ୍ତି–ଯୋଜନାର ସଫଳତା ଲୋକ ସହଯୋଗ ଉପରେ ନିର୍ଭର କରେ ।

 

ସମସ୍ତ ସମ୍ବାଦଟିକୁ ପଢ଼ିସାରି ସ୍ମିତ ହସିଲା ନୀଳକଣ୍ଠ–ପ୍ରଧାନମନ୍ତ୍ରୀଙ୍କର ଏ ଭାଷଣ ଯେ ଅକ୍ଷରେ ଅକ୍ଷରେ ସତ୍ୟ ନିଃସନ୍ଦେହ–ତେବେ ଲୋକେ ଏ ସବୁ ବୁଝିଲେ ହୁଏ । ସବୁ ଜାଣି ଲୋକେ ଯଦି ଅବୁଝା ହେବେ, ପ୍ରଧାନମନ୍ତ୍ରୀ ଛାଡ଼ି ଭଗବାନ ମଧ୍ୟ ଭାଷଣ ଦେଲେ ଯୋଜନା ଅଗ୍ରଗତି ହୋଇ ପାରିବନି, ଯେଉଁ ଲୋକଙ୍କ ଲାଗି ଯୋଜନା ହେଉଛି ସେମାନେ ଯଦି ଦଳୀୟମତବାଦକୁ କେନ୍ଦ୍ର କରି ଯୋଜନାକୁ ସ୍ଵାଗତ ନ କରନ୍ତି ତା’ହେଲେ ଯୋଜନା ଏ ଦେଶରେ ହେବ ଏକ ବିରାଟ ବିଡ଼ମ୍ବନା ।

 

ତା’ପରେ ଦ୍ଵିତୀୟ ସମ୍ବାଦଟି ସେ ପଢ଼ିଲା–ସେଇଟି ରାଷ୍ଟ୍ରପତି ଦିଲ୍ଲୀଠାରେ ଭାଷଣ ଦେଇଛନ୍ତି–ଆଧ୍ୟାତ୍ମିକ ଶକ୍ତିହିଁ ମାନବ ସମାଜର ଶାନ୍ତି ପ୍ରତିଷ୍ଠା କରିପାରିବ । ଲୋକ ଭଗବାନକୁ ଚିହ୍ନିବା ପୂର୍ବରୁ ନିଜକୁ ଚିହ୍ନିବାକୁ ଚେଷ୍ଟା କରନ୍ତୁ । ଅହିଂସାହିଁ ମାନବ ସମାଜକୁ ଶାନ୍ତି ଦେଇପାରିବ ।

 

ସେଇଟି ଛାଡ଼ି ତୃତୀୟ ସମ୍ବାଦଟି ପଢ଼ିଲା ନୀଳକଣ୍ଠ ଲୋକସଭାରେ ତୁମୂଳ ହଟ୍ଟଗୋଳ–ବହୁ କର ବିରୁଦ୍ଧରେ ପ୍ରତିବାଦ କରି ସଭ୍ୟମାନଙ୍କର କକ୍ଷ ତ୍ୟାଗ । ଗଣତନ୍ତ୍ର ଶାସନକୁ ଆମ ସରକାର ହତ୍ୟା କଲେଣି ବୋଲି ଅନେକ ସଭ୍ୟଙ୍କ ମନ୍ତବ୍ୟ ।

 

ସେଇ ସମ୍ବାଦର ତଳକୁ ଅପେକ୍ଷାକୃତ ଛୋଟ କଳା ଅକ୍ଷରରେ ଲେଖା ହୋଇଛି...ଚଳନ୍ତା ଟ୍ରେନ ଭିତରେ ନୃଶଂସ ଡକାୟତି ଡକାୟତମାନେ ପ୍ରାୟ ଦଶ ହଜାର ଟଙ୍କା ନେଇ ଚମ୍ପଟ । ତାରି ତଳକୁ ଯୁବତୀର ସନ୍ଦେହ ଜନକ ମୃତ୍ୟୁ...

ସବୁ ସମ୍ବାଦଗୁଡ଼ିକୁ ପଢ଼ିବା ପରେ ଏ ଅସୁସ୍ଥ ସଂସାରରେ ଗୋଟାଏ କ୍ଷୁଦ୍ର ରୂପ ଦେଖି ପାରିଲା ନୀଳକଣ୍ଠ...ଏଠି ମଣିଷ ପାଗଳ ହୋଇଛି । ସ୍ଵାର୍ଥ ଲୋଭରେ ଅନ୍ଧ ହୋଇ ମଣିଷ ମଣିଷକୁ ହତ୍ୟା କରୁଛି । ନିଜେ ଆତ୍ମହତ୍ୟା କରୁଛି । ଯୋଜନା କରୁଛି ପୁଣି ଆଧ୍ୟାତ୍ମିକ ଶକ୍ତି ବଢ଼ାଇବାଲାଗି ଉପଦେଶ ଦେଉଛି ।

ଶବ୍ଦ ସୃଷ୍ଟିକରି ହସିଲା ଏଥର ନୀଳକଣ୍ଠ । ତା’ର ରାଷ୍ଟ୍ରପତିଙ୍କର ଭାଷଣଟା ହଠାତ୍ ସ୍ମରଣ ହୋଇଗଲା...ବାସ୍ତବିକ ଆଧ୍ୟାତ୍ମିକ ଶକ୍ତି ଅଭାବରୁ ଏ ଦେଶରେ ଏତେ ବ୍ୟଭିଚାର, ଅତ୍ୟାଚାର, ଅବିଚାର, କଳାବଜାର ଚାଲିଛି...ଏ ପବିତ୍ର ହିନ୍ଦୁ ଦେଶକୁ କଳୁଷିତ କରୁଛି । ପ୍ରତ୍ୟେକ ଲୋକ ଯଦି ଏ ଭାଷଣକୁ ଶୁଣି ନିଜର ଆଧ୍ୟାତ୍ମିକ ଶକ୍ତିକୁ ବୃଦ୍ଧି କରନ୍ତେ–ତାହାହେଲେ ଏ ଦେଶର ଏତେ ଅଧୋପତନ କାହିଁକି ହୁଅନ୍ତା ।

ବାହାରେ କାହାର ଯୋତା ଶବ୍ଦ...ନୀଳକଣ୍ଠ କଣ୍ଠସ୍ଵର ଶୁଣାଗଲା–

କିଏ ?

–ମୁଁ...ମୁଁ...ଆଜ୍ଞା ।

–କିଏ ଆପଣ ? ଆସନ୍ତୁ ଭିତରକୁ ଆସନ୍ତୁ ।

–ଭିତରକୁ ପଶି ଆସିଲେ ଏକ ଭଦ୍ରଲୋକ

–କ’ଣ କିଛି କାମ ଅଛି ?

–ଆଜ୍ଞା ! ଅଫିସରେ ପାଇଲିନି...ଏଠାକୁ...

–ହଉ ବସନ୍ତୁ ! ନୀଳକଣ୍ଠ ସମ୍ବାଦପତ୍ରଟିକୁ ଟେବୁଲ ଉପରେ ଥୋଇ ଦେଇ କହିଲା–ହଁ କ’ଣ କାମ ଥିଲା ?

ଭଦ୍ରଲୋକ ସହସା କହିବାକୁ ସଂକୋଚ ବୋଧ କଲେ !

ନୀଳକଣ୍ଠ ପରିସ୍ଥିତିଟା ହୃଦୟଙ୍ଗମ କରି କହିଲେ ଆପଣଙ୍କ ନାମ ।

–ନିତ୍ୟାନନ୍ଦ ପଟ୍ଟନାୟକ...ଗାଁ ହେଲା ମୋହନପୁର...ଏତକ କହି ଭଦ୍ରଲୋକଟି ପକେଟ୍ ଉଣ୍ଡାଳି କ’ଣ ଖୋଜିବାକୁ ଚେଷ୍ଟା କଲେ ।

ନୀଳକଣ୍ଠ ତାଙ୍କୁ ଅପେକ୍ଷା କଲା ।

ନିତ୍ୟାନନ୍ଦବାବୁ ନିଜ ଚତୁର୍ଦ୍ଦିଗକୁ ଥରେ ତରଙ୍ଗ ତରଙ୍ଗ ଚାହାଣି ଘୂରାଇ ଆଣି ଠିଆ ହୋଇ ଗଲେ ଏବଂ ନିଜ ପକେଟରୁ ଖଣ୍ଡେ ଶହେଟଙ୍କିଆ ନୋଟ କାଢ଼ି ଟେବୁଲ ଉପରେ ଥୋଇଲେ ।

ନୀଳକଣ୍ଠ ସହସା ପ୍ରଶ୍ନ କଲା–ଇଏ କ’ଣ !

 

ଭଦ୍ରଲୋକ ସଂକିତ ହେଲେନି । ସେ ପୁନଃ ପୁନଃ ଆଶା ଆବେଗରେ କହି ଉଠିଲେ–ମୋ ବାରିରେ ଟିଉବଓ୍ୟେଲଟାଏ ବସାଇବାକୁ ଚେୟାରମ୍ୟାନଙ୍କୁ କହିଥିଲି ସେ ପ୍ରତିଶ୍ରୁତି ଦେଇଛନ୍ତି-। ତାଙ୍କର ପାନଖିଆ ବାବଦକୁ ପଚାଶ ଟଙ୍କା ନେଇଛନ୍ତି...ଆଉ ଆପଣଙ୍କ ପାନଖିଆଟା...

 

ମୋର ପାନଖିଆ ! ନୀଳକଣ୍ଠ କର୍କଶ କଣ୍ଠରେ କହିଲେ–ମୁଁ ଯେ ପାନଖାଏ ଏ ଭୁଲ ଧାରଣା ଆପଣଙ୍କୁ କିଏ ଦେଲା ?

 

ଭଦ୍ରଲୋକ କିନ୍ତୁ ଭୟ କଲେନି; ସେ କହିଲେ ତା’ କ’ଣ ମୁଁ ବୁଝିନି ଆଜ୍ଞା । ସେଇଥିନେଇ ମୁଁ ଅଫିସରେ ପରା ଦେଲିନି । ମୁଁ ଜାଣେ ଏ କଥା ଅନ୍ୟ କିଏ ଜାଣିଲେ ଆପଣଙ୍କର କ୍ଷତି ହେବ, ଦେଖନ୍ତୁ, ଏଥିଲାଗି ମୁଁ ସବୁପ୍ରକାର ସତର୍କତା ଅବଲମ୍ବନ କରିଛି...ଆପଣ ବ୍ୟସ୍ତ ହୁଅନ୍ତୁନି । ଏ କଥା କେହି ଜାଣିପାରିବେ ନାହିଁ । କେଉଁ ଏବେ ଆପଣ ମାଗୁଛନ୍ତି ଯେ... ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇ...

 

ନିତ୍ୟାନନ୍ଦବାବୁଙ୍କର ଆଉ ଅଧିକ ନୀତି ଉପଦେଶ ଶୁଣିବାକୁ ଧୈର୍ଯ୍ୟ ନ ଥିଲା । ନୀଳକଣ୍ଠ ଚିତ୍କାର କରି ଉଠିଲା–ଗେଟ୍ ଆଉଟ୍‍–ଡୁ ଇଉ ଥିଙ୍କ ଆଇ ଆମ ଏ ବ୍ଲାକ୍‍ ମାର୍କେଟିଅର ! ଯାଅ–ଯାଅ, ଏ ପୁରିଆ–ପୁରିଆ ।

 

ନୀଳକଣ୍ଠର ସିଂହରଡ଼ି ଶୁଣି ଭୟରେ ଗୋଟିପଣ ଥରୁ ଥରୁ ନିତ୍ୟାନନ୍ଦବାବୁ କହିଲେ ଆଜ୍ଞା ସମସ୍ତେ ନିଅନ୍ତି ବୋଲି...

 

ଷ୍ଟପ୍‍ ! ତା’ପରେ ସେ ବାହାରକୁ ଯିବାକୁ ବାହାରି ନିର୍ଦ୍ଦେଶ ଦେଇ କହିଲେ–ଯାଆନ୍ତୁ, ବାହାରି ଯାଆନ୍ତୁ, ନଚେତ୍‍ ମୁଁ ଧକ୍କା ଦେଇ ବାହାର କରି ଦେବି କ’ଣ କରି ପାଇଛନ୍ତିକି ! ଭଗବାନ-! ଏ ଲୋକଙ୍କ ନୈତିକବଳ ଏତେ ନୀଚ ! ହାୟଃ...

 

ବି.ଡ଼ି.ଓ, ସାହେବଙ୍କ ଚିତ୍କାର ଶୁଣି ପୁରିଆ ଭୟରେ ଘରଭିତରକୁ ପଶିଆସି କହିଲା–ଆଜ୍ଞା–ଆଜ୍ଞା ଆଜ୍ଞା । ଆଜ୍ଞା କାମକରୁଥିଲି-କାମକରୁଥିଲି ଆଜ୍ଞା ମୋର ଭୁଲ କସୁର ଆଜ୍ଞା, ଆପଣ ଆମର ବାପା ମାଆ ଚଉଦ ପୁରଷ......

 

–ଚୁପ୍‍ !

 

–ଆଜ୍ଞା ! ଆଜ୍ଞା ଦୋଷ କ୍ଷମାକର, ଆଜ୍ଞା ମୁଁ ଗରିବ ନୋକ ! ଆଜ୍ଞା,

 

ପୁରିଆର ଏ ହାସ୍ୟରସର ଅବତାରଣା ଦେଖି ନୀଳକଣ୍ଠର ରାଗଟା ହଠାତ୍ ଥମିଗଲା...ସେ ନଥ୍‍କରି ବସିପଡ଼ିଲେ ଚେୟାର ଉପରେ...ତରତର ହୋଇ ନିତ୍ୟାନନ୍ଦବାବୁ କକ୍ଷରୁ ପ୍ରସ୍ଥାନ କରୁଥିଲେ, ନୀଳକଣ୍ଠ ଶାନ୍ତକଣ୍ଠରେ ଡାକିଲା–ନିତ୍ୟାନନ୍ଦ ବାବୁ ।

 

–ଆଜ୍ଞା !

 

ହଁ, ଶୁଣନ୍ତୁ !

 

ନିତ୍ୟାନନ୍ଦବାବୁ ଫେରିପଡ଼ିଲେ...ଭୟରେ ଆତଙ୍କରେ...

 

କ’ଣ କଲେ ସେ ଟଙ୍କା !

 

–ପକେଟରେ...

 

–କାଢ଼ନ୍ତୁ !

 

ଥରଥର ହସ୍ତରେ ନୋଟ୍‍ଟା କାଢ଼ି ବାହାର କଲେ ନିତ୍ୟାନନ୍ଦ...ନୋଟ୍‍ଟାକୁ ଝିଙ୍କିନେଇ ନୀଳକଣ୍ଠ କହିଲେ...ଏ ଟଙ୍କାରେ କ’ଣ ଦେଖିପାରୁଛ ? ଏକି ଛବି ?

 

–ଅଶୋକସ୍ତମ୍ଭ !

 

…ହଁ ଏ ସ୍ତମ୍ଭ ଏ ଦେଶରେ ଶାନ୍ତି, ମୈତ୍ରୀର ପ୍ରଚାର କରୁଛି, ଅଥଚ ଆପଣ ଏହାକୁ କଳାବଜ଼ାରରେ କିଳାପୋତାଦେଇ କଳଙ୍କିତ କରିବାକୁ ସାହସ କରୁଛନ୍ତି ? ଯେଉଁ ସ୍ତମ୍ଭ ଆପଣଙ୍କୁ ଶାନ୍ତି ମୈତ୍ରୀର ବାର୍ତ୍ତାଦିଏ ସେ ସ୍ତମ୍ଭକୁ ଆପଣ ଜଘନ୍ୟ କାମରେ ନିୟୋଜିତ କରିବାକୁ କିମିତି ପସନ୍ଦ କଲେ ! ଛିଃ–ଆପଣଙ୍କ ଭଳି ବିଦ୍ଵାନ ଲୋକଙ୍କର ଏ କ’ଣ ଦେଶପାଇଁ କର୍ତ୍ତବ୍ୟ ! ଦେଖନ୍ତୁ ଟିଉବଓ୍ୱେଲ୍‍ ସରକାର ଆପଣଙ୍କ ଲାଗି ଦେଇଛନ୍ତି । ଆମେ, ଆମର ବାପା ଆପଣକୁ ଦେବ...ଏଥିଲାଗି ଆପଣ କିଳାପୋତା ଦେବାକୁ କାହିଁକି ଚାହାଁନ୍ତି କହିପାରିବେ ? ଏଦ୍ୱାରା କ’ଣ ଆପଣ ଭାବନ୍ତି ଆପଣଙ୍କର କାର୍ଯ୍ୟ ସିଦ୍ଧି ହୋଇ ପାରିବ ?

 

ଦେଖନ୍ତୁ, ଦେଶ ସ୍ଵାଧୀନ ହୋଇଛି । ସ୍ୱାଧୀନ ଦେଶର ନାଗରିକ ଯଦି ଏଭଳି କୁକାର୍ଯ୍ୟକୁ ପ୍ରଶ୍ରୟ ଦିଏ ଦେଶ ରହିବଟି ? ତା’ଛଡ଼ା ଏଇ ଟଙ୍କା...ଏ ଟଙ୍କାକୁ ଆପଣ ଯଦି ଆମକୁ ନଦେଇ ଗରିବଙ୍କ ଉପକାରରେ ଲଗାନ୍ତେ କେତେ ଧର୍ମ ନ ହୁଅନ୍ତା ! ଛିଃ...ଏସବୁ ମନବୃତ୍ତି ବାସ୍ତବିକ ଠିକ୍‍ ନୁହେଁ । ମୋର ଅନୁରୋଧ ଆପଣ ଆଜିଠାରୁ ଏ ଦୁର୍ନୀତିକୁ ଆଉ ପ୍ରଶ୍ରୟ ଦିଅନ୍ତୁନାହିଁ...ଦେଖନ୍ତୁ ଆପଣ ଯଦି ଦୁର୍ନୀତିର ସହାୟକ ହେବେ...ଦେଶ ଦୁର୍ନୀତିଗ୍ରସ୍ତ ହୋଇପଡ଼ିବ...ଫଳରେ ଏ ପବିତ୍ର ଦେଶରେ ଖାଲି ରକ୍ତଲୋଭୀ ସୃଷ୍ଟି ହୋଇ ଆପଣମାନଙ୍କ ରକ୍ତ ପଳପଳ ଶୋଷଣ କରିବେ । ଆପଣମାନଙ୍କର ସର୍ବନାଶ କରିବେ…ମୋ କଥା ମାନନ୍ତୁ ! ଆଜିଠାରୁ ଆପଣ ଏ ନୀତି ଛାଡ଼ି ଦେଶର ସେବା କରିବାକୁ ମନବଳାନ୍ତୁ...ଗରିବମାନଙ୍କୁ ସାହାଯ୍ୟ କରନ୍ତୁ । ଯଦି ଅର୍ଥ ଅଛି ଗରିବ ଛାତ୍ରଙ୍କୁ ପାଠ ପଢ଼ାନ୍ତୁ, ସ୍କୁଲ, କଲେଜ, ଡାକ୍ତରଖାନା ଗଢ଼ନ୍ତୁ, ସେଥିରେ ଆପଣଙ୍କର କୀର୍ତ୍ତି ରହିବ କିନ୍ତୁ ଏକାମ...ଛିଃ ଛିଃ

 

ନୀଳକଣ୍ଠଙ୍କ କଥା ଶୁଣି ଗଦ୍‍ଗଦ୍‍ କଣ୍ଠରେ ନିତ୍ୟାନନ୍ଦ ପଟ୍ଟନାୟକ କହିଲେ କ୍ଷମା କରିବେ ଆଜ୍ଞା । ମୁଁ ଆପଣଙ୍କ ଅନ୍ତର ଚିହ୍ନି ନଥିଲି...ମୋର ଭୁଲ ହୋଇଛି...

 

ନୀଳକଣ୍ଠ ଆତ୍ମତୃପ୍ତିରେ ଉଲ୍ଲସିତ ହୋଇ କହିଲା ଯାଆନ୍ତୁ । ଭବିଷ୍ୟତରେ ଏପରି କାର୍ଯ୍ୟ ଯେପରି ଆପଣଙ୍କଠାରେ ମୁଁ ନଦେଖେ......

 

ନିତ୍ୟାନନ୍ଦ ପଟ୍ଟନାୟକ ନମସ୍କାର କଲେ ।

 

ପ୍ରତିନମସ୍କାର କରି ସମ୍ୱାଦପତ୍ର ଧରିଲେ ନୀଳକଣ୍ଠ......

 

କକ୍ଷ ଭିତରକୁ ବାହାରିଯାଇଁ ନିତ୍ୟାନନ୍ଦ ପଟ୍ଟନାୟକ ସ୍ୱଗତୋକ୍ତି କରି ଉଠିଲେ–ଆଚ୍ଛା ନୀଳୁବାବୁ ! ନିତିଆ ପଟ୍ଟନାୟକକୁ ତମେ ଅପମାନ ଦେଇଛ, କିନ୍ତୁ ମନେରଖ କଡ଼ା, ବରକଡ଼ା କରି ଚକ୍ରବୃଦ୍ଧି ହାରରେ ସୁଝିବ ସେ । ତମ୍ପସାପ ଲାଙ୍ଗୁଡ଼ରେ ହାତମାରି ତମେ କେବେ ତ୍ରାହି ପାଇବ ନାହିଁ ? ହୁଁ, ଦେଖିବି ତମ ନୀତିଗତ ଜୀବନ କିମିତି ରହିବ...ତମ ଏ ବଡ଼ାଇ କିମିତି ରହିବ ଆରେ ମୋତେ ପୁଣି ଅପମାନ... ।

 

ନିତିଆ ପଟ୍ଟନାୟକଙ୍କୁ ଏ ଚିହ୍ନି ନାହାନ୍ତି ???

 

ଟଙ୍କା ପଠାଇଛି ନୀଳକଣ୍ଠ । ଅଳ୍ପନୁହଁ ତିନିଶହ !! ଓରେ ଏ ଜୀବନଟା ବ୍ୟାପିଗଲା ଏହାତ ତିରିଶ ଟଙ୍କା ଧରିନଥିଲା–ଇଏ ପୁଣି ତିନିଶତ ।

 

ଟଙ୍କାଗୁଡ଼ାକୁ ଦୁଇଚାରିଥର ଗଣି କୁଞ୍ଚକାନିରେ ବାନ୍ଧି ନାହିତଳେ ଖୋସିଦେଲେ ଧନଞ୍ଜୟ । ନୀଳକଣ୍ଠକୁ ଅଜସ୍ର ଆଶୀର୍ବାଦ କରି ଏକରକମ ଡେଇଁ ଡେଇଁ ସେ ଘରେ ପହଞ୍ଚିଲେ...ଦାଣ୍ଡ ପିଣ୍ଡା ଉପରକୁ ଉଠିପଡ଼ି ଗୋଟାଏ ଉଚ୍ଚପାଟିରେ ଡାକ ଛାଡ଼ିଲେ ନୀଳ ବୋଉ । ନୀଳ ବୋଉ ।

 

ବୋହୂସହିତ କଳହ କରି ଉପବାସରେ ସକାଳ ପ୍ରହରୁ ଶୋଇ ହେମାଙ୍ଗିନୀ କାନ୍ଦଣାସ୍ଵର ମେଲାଇ ଥିଲେ । ସହସା ସ୍ୱାମୀଙ୍କର କିଳିକିଳା ଚିତ୍କାର ଶୁଣି ଚିତ୍କାର କରିଉଠିଲେ–କଣକି !

 

ଧନଞ୍ଜୟ ଘରଭିତରକୁ ପଶିଯାଇ କୁଞ୍ଚକାନି ଖୋଲୁ ଖୋଲୁ କହିଲେ ନୀଳୁ ଆମର ଟଙ୍କାଦେଇଛି ଗୁଡ଼ାଏ ଟଙ୍କା ତିନିଶହ ଟଙ୍କା ! ଆହୁରି ପଛରେ ପଠାଉଛି ବୋଲି ଲେଖିଛି, ଦେଖିଲ, କେତେଟଙ୍କା !

 

ଦଶଟଙ୍କିଆ ନୋଟ୍‍ଗୁଡ଼ାକ ଘର ଚଟାଣରେ ଥୋଇ ଦେଇ ଏକପ୍ରକାର ଆତ୍ମତୃପ୍ତିରେ ଧନଞ୍ଜୟ କହି ଉଠିଲେ–ହୁଁ ନୀଳୁ କୁଆଡ଼େ ମାଇଚିଆ...ମାଇପ କଥାରେ ରହିବସେ ! କ’ଣ ଅସୁବିଧା ଯୋଗୁ ଦେଇପାରୁନଥିଲା–ନିଅ ଏକା ଥରକେ ତିନିଶହ, ତିନିଶଟା ଦଶଟଙ୍କିଆ । ତମେତ ପାଠପଢ଼ିଛ ଗଣ, ଭଲକରି ମିଶାଣ ଫେଡ଼ାଣ ଗୁଣନ ହରଣକରି ଗଣ । ତମେ ଏ ଟଙ୍କାକୁ ରଖ–ତମ ପାଠୁଆପୁଅ ଦେଇଛି । ତମଇଚ୍ଛା ଯା’ଖର୍ଚ୍ଚ କର ନିଅ, ସବୁନହେଲେ ଦଶଟଙ୍କା ନିଅ...

 

ତିନିଶହ ଟଙ୍କା କଥା ହେମାଙ୍ଗିନୀ କଳ୍ପନାକରି ପାରିଲେ ନାହିଁ ସେ କେତେ କୋଡ଼ି ବୋଲି ହଠାତ୍ ପଚାରି ଦେଲେ–

 

ଧନଞ୍ଜୟ ନିଜେ ହିସାବ ନକରି ବଡ଼ବୋହୂ ଶକୁନ୍ତଳାକୁ କହିଲେ–କହିବଟି ବୋହୂ....କ’ଣ ସେ ପଚାରୁଛି ?

 

ଶକୁନ୍ତଳା କହିଲେ–ପନ୍ଦର କୋଡ଼ି...

 

ପନ୍ଦର କୋଡ଼ି ! ପନ୍ଦର କୋଡ଼ି ନାମଶୁଣି ହେମାଙ୍ଗିନୀଙ୍କର ଉପାସ କ୍ଷୁଧାଟା ମେଣ୍ଟିଗଲା ହଠାତ୍ ! ହଠାତ୍ ମେଣ୍ଟିଗଲା ସକଳ ରୋଷ, ଅଭିମାନ–ସେ ଆଉଦଣ୍ଡେ ସେଠି ନରହି ଧାଇଁଲେ ଗିରିବାଳା ପାଖକୁ ଗିରିବାଳାକୁ କୁଣ୍ଢେଇ ପକାଇ କହିଲେ ତୁ କାହିଁକି ମନକଷ୍ଟ କରୁଛୁ, ପୁଅପରା ଟଙ୍କା ଦେଇଛି ! ଛିଃ ଚିଠିଟଙ୍କା ଆସିଲେ କ’ଣ କିଏ ଦୁଃଖକରେ ! ଆଃ ମୋରାଣ, ଭାତଆଣିଲୁ ଦି’ଟା ଖାଇନବା–

 

ଶାଶୁଙ୍କର ଏ ଆକସ୍ମିକ ମତିପରିବର୍ତ୍ତନ ଦେଖି ବିସ୍ମିତ ହେଉଥିଲା ବାଳା ! ପଇସା ଯେ ମଣିଷକୁ ଇମିତି ମିତ୍ର କରିପାରେ ଜାଣି ଚକିତ ହେଉଥିଲା ମଧ୍ୟ ସହସା ଧନଞ୍ଜୟ ସେଠାରେ ଉପସ୍ଥିତ ହୋଇ କହିଲେ ଯାଅ ଦି’ ଦି’ଟା ଖାଇନିଅ ! କିଛିତ ପରିବା ନଥିଲା ମୁଁ ଯାଉଛି ହାଟରୁ କିଛି ପରିବା, ମାଛ ଘେନି ଆସିବି । ଗିରିବାଳା ଅବାଧ୍ୟ ହେଲାନି । କିନ୍ତୁ କେଜାଣି କାହିଁକି ସେମାନଙ୍କର ଏ ସ୍ନେହପାଇ ତା’ ଆଖିରୁ ଲୁହଝରି ଆସୁଥିଲା । ସହସା ସମସ୍ତଙ୍କ ଅଜାଣତରେ ଲୁହ ପଣତରେ ପୋଛିନେଇ ରୋଷ ଘରକୁ ପଶିଗଲା–

 

ଧନଞ୍ଜୟ ଭଗବାନଙ୍କ ଉଦ୍ଦେଶ୍ୟରେ ବାରବାର ନମସ୍କାର କରି କହିଲେ–ପ୍ରଭୁ ! ନୀଳୁକୁ ଆମର ମଣିଷକର–

 

ହେମାଙ୍ଗିନୀ ହଠାତ୍ କହିଉଠିଲେ–ହଁ, ହାଟକୁ ଯାଉଛ, ଠାକୁରାଣୀଙ୍କଲାଗି କଳାଶାଢ଼ି ଆଣିବ–ଚୁଆଚନ୍ଦନ ଆଣିବ–

 

ଶକୁନ୍ତଳା କହିଲେ–ବାଳା ପରା ମାଛ ମାଂସ ଯୋଗୁ ଖାଇପାରୁନି, ଗୋଟାଏ ବଡ଼ମାଛ, ନଇଲେ ଶୁଖୁଆ–

 

ହଉ ହଉ ସମସ୍ତଙ୍କ ଦରଖାସ୍ତ ମଞ୍ଜୁର ହେବ–

 

ଧନଞ୍ଜୟ ତୀରଗତିରେ କକ୍ଷରୁ ବାହାରକୁ ଚାଲିଗଲେ–

 

ଧନଞ୍ଜୟ ପରିବାରର ଏ ନାଟକୀୟ ପରିବର୍ତ୍ତନ ଦେଖି ଗିରିବାଳା ଖାଲି ବୋକୀ ପାଲଟିଯାଉଥାଏ–ତା’ର ଧାରଣା ହେଉଥାଏ ଏଇ ଅର୍ଥ ଦୁନିଆରେ ଏତେ ମୋହ ବିସ୍ତାର କରିଛି ସିନା ! ପଇସା କ’ଣ ନ କରିପାରେ ! ପଇସା ଲାଗି ମଣିଷ କେତେ ନିଷ୍ଠୁର ହୋଇ ନପାରେ ! ହାୟଃ ହାୟଃ......

 

ସେଦିନ ହାଟରୁ ଖୁବ୍ ଶୀଘ୍ର ଫେରିପଡ଼ିଲେ ଧନଞ୍ଜୟ । ନିଜ ଗାମୁଛାରେ ନାନାପ୍ରକାର ପରିବା ସହ ଗୋଟେ ବଡ଼ ରୋହୀ ମାଛ, ବଡ଼ ଶୁକୁଆ ଘେନି ଆସି ପହଞ୍ଚିଲେ ଘରେ । ହେମାଙ୍ଗିନୀ ବଡ଼ମାଛକୁ କାଟିବାକୁ ଘେନିଗଲେ । ଶକୁନ୍ତଳା ବଡ଼ ଶୁକୁଆର ଯତ୍ନ ନେଲେ କାରଣ ଧଳାବିରାଡ଼ିର ଭୟ ତାଙ୍କମନରେ ଅସମ୍ଭବ ରକମର କଦର୍ଯ୍ୟ ଆସନ ଜମାଇଥିଲା । ଆଉ ନିଜେ ଗିରିବାଳା ରୋଷାଇ କରିବାଲାଗି ପ୍ରସ୍ତୁତ ହୋଇଗଲେ । ଖୁବ୍ ଶୀଘ୍ର ରୋଷାଇ ସାରିବାକୁ ଧନଞ୍ଜୟ ଆଦେଶ ଦେଇ ଦାଣ୍ଡପିଣ୍ଡାରେ ଚେକାପକାଇ ବସିଲେ । ତାଙ୍କ ସହ ଗପ କରିବାକୁ ବୀର, କୃଷ୍ଣ, ଗୋବର୍ଦ୍ଧନ ବି ଆସିଲେ । ଧନଞ୍ଜୟ କିନ୍ତୁ ଅନ୍ୟକୌଣସି କଥା ଶୁଣିବାକୁ କି କହିବାକୁ ପ୍ରସ୍ତୁତ ନଥିଲେ । ପ୍ରତ୍ୟେକ ମୁହୂର୍ତ୍ତରେ ନୀଳକଣ୍ଠର କୀର୍ତ୍ତିକଥା ବଖାଣିବାରେ ସେ ପଞ୍ଚମୁଖ ହୋଇଉଠୁଥିଲେ । ଧନଞ୍ଜୟଙ୍କର ଏପ୍ରକାର ଘୋଷଣା ଶୁଣି ବିଷେଇ ହୋଇଉଠୁଥିଲେ ସେମାନେ-

 

କିନ୍ତୁ ଧନଞ୍ଜୟ କାହାପ୍ରତି ଦୃଷ୍ଟି ଦେଇନଥିଲେ କାରଣ ସେ ଆଜି ତିନିଶତ ଟଙ୍କାର ମାଲିକ ! ଟଙ୍କାଥିଲେ କିଏ କ’ଣ କରିପାରେ ।

 

ନିତ୍ୟାନନ୍ଦ ପଟ୍ଟନାୟକଙ୍କୁ ବିଦାୟ ଦେଇ ନୀଳକଣ୍ଠ ସ୍ଥିରହୋଇ ବସିପାରିଲେ ନାହିଁ । ବରଂ ନିତ୍ୟାନନ୍ଦ ପଟ୍ଟନାୟକଙ୍କ ପ୍ରସ୍ଥାନପରେ ଏକ ଅଜଣାଭୟ ଗ୍ରାସ କରିବସିଲା ତାଙ୍କର ତନୁମନ-। ସେ ଅସୁସ୍ଥ ବୋଧ କଲେ–ଚାକର ପୁରିଆ ଖାଦ୍ୟ ଆଣି ଥୋଇଦେଲା–ଖାଇବାକୁ ଇଚ୍ଛାହେଲାନି ତାଙ୍କର । ମନରେ ଦୁଃଖ ସର୍ବଦା ଜାଗ୍ରତ ହେଉଥିଲା, ଲୋକଙ୍କ ଚାକର ହୋଇ ଲୋକଙ୍କୁ କଟୁ ବ୍ୟବହାର କରିବା ତାଙ୍କ ପକ୍ଷେ ଉଚିତ ହୋଇନି, ହୁଏତ କିଏ କହିବ ପରିଣାମଟା ଯେ ଭୟଙ୍କର ନହେବ ?

 

ଏକପ୍ରକାର ଅସ୍ଥିର ଉଦବେଗ ଓ ମାନସିକ ଅଶାନ୍ତିରେ ବିବ୍ରତ ହୋଇ ନୀଳକଣ୍ଠ ଘରୁ ଟିକେ ବୁଲି ଆସିବାକୁ ମନସ୍ଥ କଲେ । ଘରକଥା ମନେପଡ଼ିବାରୁ ମନେପଡ଼ିଲା ଗିରିବାଳା କଥା ଗିରିବାଳାର ସହଜ ଲଳିତ କଣ୍ଠସ୍ୱର, ମିଟି ମିଟି ଆଖି, ଫାଜିଲ ମିଠାକଥା ସବୁ ପ୍ରତିଭାତ ହୋଇଉଠିଲା ତାଙ୍କ ମନର ଦର୍ପଣରେ । ସେ ଏକପ୍ରକାର ଅସ୍ଥିର ହୋଇଉଠି ସିଦ୍ଧାନ୍ତ କଲେ କାଲିରେହିଁ ଯିବେ । କିନ୍ତୁ ଯିବେ କିମିତି ?

 

ଏଇକେଇ ମାସରେ ସେ ଯାହା ସଞ୍ଚୟ କରିଥିଲେ ସେଥିରୁ ତିନିଶହଟଙ୍କା ପଠାଇଦେଇଛନ୍ତି ! ଆଉ ପାସ୍‍ବୁକରେ ମାତ୍ର ଦୁଇଶହ ପଞ୍ଚାଅଶୀ ଅଛି । ସେତକ ଭବିଷ୍ୟତଲାଗି ଭରସା । ତାକୁ କ’ଣ କାଲିର ଯାତ୍ରାଲାଗି ଘେନି ଆସିବେ ?

 

ଟଙ୍କାକଥା ମନେପଡ଼ିବାରୁ ମନେପଡ଼ିଲା ନିତ୍ୟାନନ୍ଦବାବୁଙ୍କ କଥା । ତାଙ୍କର ସେଇ ଶହେଟଙ୍କିଆ ନୋଟ୍‍ର ଛବି । ନୀଳକଣ୍ଠ ବିବ୍ରତ; ବ୍ୟଥିତ ହୋଇ ଉଠିଲେ । ତାଙ୍କର ଧାରଣ ହେଲା ନିତ୍ୟାନନ୍ଦବାବୁ ପ୍ରେତ ହୋଇ ତାଙ୍କୁ ଗୋଡ଼ାଇଛନ୍ତି, ସେ ତାଙ୍କୁ ଗ୍ରାସ କରିଦେବେ ।

 

ଚରମ ବିରକ୍ତରେ ନୀଳକଣ୍ଠ ଶୋଇଯିବାକୁ ସିଦ୍ଧାନ୍ତ କଲେ ।

 

ରାତିରେ ସ୍ୱପ୍ନ ଦେଖିଲେ ନୀଳକଣ୍ଠ । ଗିରିବାଳା ତାଙ୍କୁ ପ୍ରତୀକ୍ଷା କରି କାନ୍ଦୁଛି ! ହଠାତ୍ ସେ ପହଞ୍ଚି ଯାଇଛନ୍ତି–ଗିରିବାଳା ତାଙ୍କ କୋଳରେ ଶୋଇ ଅଶ୍ରୁସଜଳ ନୟନରେ, ଗଦ୍ ଗଦ୍ କଣ୍ଠରେ କହୁଛନ୍ତି ତମେ ଏଡ଼ିକି ନିଷ୍ଠୁର ! ଏତେଦିନ ପରେ ମୋ କଥା ତମର ମନେପଡ଼ିଲା !

 

ନୀଳକଣ୍ଠ ଗିରିବାଳାକୁ ନିଜ ଛାତି ଆଡ଼କୁ ଆଉଜାଇ ଆଣୁଛନ୍ତି–କିନ୍ତୁ ଇଏ କ’ଣ ? ବାଳା ତା’ ବାହୁ ବେଷ୍ଟନୀରୁ ମୁକ୍ତି ଲଭି ପଳାଉଛି ଯେ–

 

–ବାଳା !

 

ସହସା ନୀଳକଣ୍ଠର ନିଦ୍ରା ଭାଙ୍ଗିଗଲା ।

 

ଏକ ଅଦମନୀୟ କମ୍ପନ ଅନୁଭବ କଲା ତା’ର ଅନ୍ତରେ ଅନ୍ତରେ । ଯେତେ ଚେଷ୍ଟାକଲେବି ସେ କମ୍ପନ କବଳରୁ ନିଜକୁ ମୁକ୍ତି କରିପାରିଲା ନାହିଁ ନୀଳକଣ୍ଠ । ଏଇ ଉପସ୍ଥିତ ଅପ୍ରତ୍ୟାଶିତ ପରିସ୍ଥିତିରୁ ଉଦ୍ଧାର ପାଇବାଲାଗି ନୀଳକଣ୍ଠ ନିଜବସାର ଛାତି ଉପରକୁ ଉଠିଲା ବିକ୍ଷିପ୍ତ ଭାବନା ନେଇ । ଛାତ ଉପରେ ଅନେକ ବାର ବିଚରଣ କରିବାକୁ ଆରମ୍ଭକରିଦେଲା । ରାତିପ୍ରାୟ ଶେଷ ହୋଇ ଆସିଥିଲା । ପୂର୍ବଦିଗରେ ଶତ୍ରୁତାରା ଅନେକ ବେଳୁ ଉଦୟ ହୋଇଯାଇଛି-। ନୀଳକଣ୍ଠ ଏଇ ପାହାନ୍ତି ଚଇତାଲି ପବନର ସ୍ପର୍ଶରେ ଆନନ୍ଦିତ ହୋଇ ସ୍ଥିରକଲା–ସେ ନିଶ୍ଚୟ ଆଜି ଦୁଇଟା ଗାଡ଼ିରେ ଗାଁକୁ ଯିବ–ନିଶ୍ଚୟ ଯିବ–ତା’ପରେ ସେ ଅନେକ ସୋପାନ ଅତିକ୍ରମ କରି ଫେରିଆସିଲା ବସାକୁ ।

 

ଗାଁକୁ ଫେରିଛି ନୀଳକଣ୍ଠ ! ଫେରିଛନ୍ତି ନୀଳାମ୍ବର ଏକା ଗାଡ଼ିରେ, ଏକା ସାଥିରେ ।

 

ନୀଳକଣ୍ଠର ଏ ଆକସ୍ମିକ ଆଗମନ ଶୁଣି ଧନଞ୍ଜୟଙ୍କ ପରିବାର ଆନନ୍ଦିତ ହୋଇଉଠିଛି, ଆଉ ବହୁଦିନ ପରେ ନୀଳକଣ୍ଠ ଫେରିଥିବାରୁ ଉଚ୍ଛଳ ଆନନ୍ଦରେ ନାଚି ଉଠିଛି ଗିରିବାଳା । ଆନାନ୍ଦାଶ୍ରୁ ଧାର ଧାର ହୋଇ ତା’ର ଗଣ୍ଡ ଭିଜାଇ ଦେଉଛି । ନୀଳକଣ୍ଠ ଆସି ସାରିଲା ପରେ ମଧ୍ୟ ସେ ବିଶ୍ୱାସ କରିପାରୁନି–ସତରେ ସେ ଆସିଛନ୍ତି !

 

ନୀଳକଣ୍ଠ ଚାକିରିରୁ ଫେରିଛି । ଧନଞ୍ଜୟ ମନରେ କି ଗଭୀର ଆନନ୍ଦ ।

 

ଆଉ ହେମାଙ୍ଗିନୀ ?

 

ନିଜ ରକ୍ତମାଂସ ବିନିମୟରେ ସେ ଯେମିତି ସନ୍ତାନଟିକୁ ଭୂମିଷ୍ଠ କରିଥିଲେ ଦୁନିଆ ଦରବାରରେ ମଣିଷଭଳି ମଣିଷଟିଏ ହୋଇଛି ସେ ! ସେଇ କୁଳଗର୍ବ ନୀଳକଣ୍ଠ ଫେରିଛି । କେଉଁ ମା’ର ମନ ଉଚ୍ଛଳ ଆନନ୍ଦର ସ୍ରୋତରେ ଉଛୁଳି ନଉଠିବ !

 

ନୀଳକଣ୍ଠ ଫେରିଛି !

 

ଚକ୍ରଧରପୁରର ପ୍ରତ୍ୟେକ ଲୋକ ମୁଖରେ ତା’ର ପ୍ରଶଂସା । B.D.O. ସାହେବ ହୋଇ ଫେରିଛି ନୀଳକଣ୍ଠ ! ଚକ୍ରଧରପୁରର ମୁଖକୁ ଉଜ୍ଜ୍ୱଳକରି ଫେରିଛି ନୀଳକଣ୍ଠ ! ସେମାନେ ଆନନ୍ଦିତ ହେବେନି । ଚକ୍ରଧରପୁରର ପ୍ରତ୍ୟେକ ମୁଖିଆ ଲୋକ ଆସି ଭେଟୁଛନ୍ତି ନୀଳକଣ୍ଠକୁ । ନୀଳକଣ୍ଠ ତା’ର ବିନୟୀ ଗୁଣରେ ପ୍ରୀତକରୁଛି ପ୍ରତ୍ୟେକଙ୍କୁ ପ୍ରତ୍ୟେକ ମୁଖପଦ୍ମ–ପ୍ରସ୍ପୁଟିତ ନୀଳକଣ୍ଠକୁ ଭଗବାନ ରକ୍ଷାକରନ୍ତୁ !

 

ନୀଳକଣ୍ଠ ଫେରିଛି ଗାଁକୁ ଯେଉଁ ଗାଁରେ ସେ ବାଲ୍ୟ କୈଶୋର ଅତିକ୍ରମ କରିଗଲା, ଯେଉଁ ଗାଁର ଆଲୋକ ପବନ ପାଣି ତାକୁ ମଣିଷ କରି ଗଢ଼ିଛି, ସେଇ ଗାଁ, ସେଇମାଟିକୁ ଫେରିଛି ନୀଳକଣ୍ଠ ! କମ୍ ଆନନ୍ଦର କଥା ।

 

ନୀଳକଣ୍ଠର ଏ ଆନନ୍ଦକୁ କୌଣସି ମାପଯନ୍ତ୍ରରେ ଓଜନ କରାଯାଇ ପାରିବ ନାହିଁ । ସେ ଆନନ୍ଦ ଏକାନ୍ତ ଭାବେ ସ୍ଵର୍ଗୀୟ, ଏକାନ୍ତ ଭାବେ ଦୁର୍ଲ୍ଲଭ । ଦୀର୍ଘଦିନ ବିଦେଶରେ କଟାଇବା ପରେ ନିଜ ପ୍ରିୟ ଜନ୍ମଭୂମି ଯେ କେତେ ଆନନ୍ଦ ଦିଏ, ତା’ କେବଳ ଅନୁଭୂତିର ମୂଲ୍ୟଦେଇ ବୁଝିବା କଥା...ତାକୁ ବର୍ଣ୍ଣନା କରିବାକୁ ଭାଷାର ଅଭାବ ତାକୁ ଚିତ୍ରିତ ରଙ୍ଗର ଅଭାବ । ସେ ଯେ କି ଉଚ୍ଛଳ ଆନନ୍ଦ । ଆଃ ।

 

ନୀଳକଣ୍ଠର ଅନ୍ତର ପୁରୁଷ ଏକ ଭୈରବୀ ତାଳରେ ନାଚି ଚାଲିଛି । ଅନ୍ତର ବୀଣାରେ ଜାଗିଛି ସେଇ ଭୈରବୀ ରାଗିଣୀ କିନ୍ତୁ ସେଇ ଭୈରବୀ ରାଗିଣୀ କ’ଣ ଜାଗିଥିବ ଗିରିବାଳାର ଅନ୍ତର ବୀଣାରେ !

 

ଆସିଲାବେଳୁ ଏକାନ୍ତ ବ୍ୟସ୍ତ ଅଛି ନୀଳକଣ୍ଠ । ଗାଁ ଭୂଇଁର ଗୁରୁଜନ, ସାଙ୍ଗ ସାଥୀଙ୍କର ଆଗମନ–ପ୍ରତ୍ୟାଗମନରେ ମଜି ଯାଇଥିଲା ତା’ର ମନ, ହଜି ଯାଇଥିଲା ଗିରିବାଳାର ସ୍ମୃତି । କିନ୍ତୁ ହଠାତ୍ ଗିରିବାଳାର ସ୍ମୃତି ମନେପଡ଼ିବାରୁ ନୀଳକଣ୍ଠର ମନ ଚହଲି ଉଠିଲା । ଆଖି ଦୁଇଟି କାହାକୁ ଖୋଜିବୁଲିଲା କ’ଣ କରୁଛି ଗିରିବାଳା ।

ଗିରିବାଳା ହୁଏତ ରୋଷାଇ କାର୍ଯ୍ୟରେ ବ୍ୟସ୍ତଥିବ ନିଶ୍ଚୟ । କିନ୍ତୁ ମନ କ’ଣ ତା’ର ବ୍ୟସ୍ତଥିବ ରୋଷାଇରେ !

ଯଆଶୀଘ୍ର ବନ୍ଧୁମାନଙ୍କୁ ବିଦାୟ ଦେଇ ନୀଳକଣ୍ଠ ନିଜର ଶୟନ ପ୍ରକୋଷ୍ଠ ଆଡ଼େ ଆଗେଇଲା । ଶୟନ ପ୍ରକୋଷ୍ଠରେ କିଛି ସମୟ ଅପେକ୍ଷାକଲା ବାଳାକୁ । କିନ୍ତୁ ହାୟ ନୀଳକଣ୍ଠର ମନର ଅବସ୍ଥା କ’ଣ ପ୍ରତିଧ୍ଵନିତ ହେଲା ଗିରିବାଳାର ଅନ୍ତରରେ ।

ଭାଉଜ ଶକୁନ୍ତଳା ସେ ଗୃହକୁ ପଶିଆସି ସ୍ନେହପୂର୍ଣ୍ଣ କଣ୍ଠରେ କହିଲେ–କେତେବେଳୁ ଆସିଲଣି, ଜଳଖିଆ ଦି’ଟା ଖାଇନବ, ଆସ ।

ନୀଳକଣ୍ଠ ମନାକଲା, ନିଜଘଡ଼ିକୁ ଲକ୍ଷ୍ୟକରି କହିଲା ସାଢ଼େ ଛଅ ହୋଇଗଲାଣି ଏତେବେଳେ ଖାଇଲେ ରାତିରେ ଆଉ ଖାଇହେବନି, ନା, ଭାଉଜ ତମେ ଯାଅ ! ବରଂ ଭାଇଙ୍କ ଲାଗି ବ୍ୟବସ୍ଥାକର ।

ଶକୁନ୍ତଳା କୃତ୍ରିମ ବିରକ୍ତି ମୁହଁରେ ପ୍ରକାଶ କରି କହିଲେ–ଦି’ ଭାଇ ତ ପେଟ ଶୁଖାଇ ଜାଣିଛ, ଆଉ ଜଳଖିଆ ଖାଇବ ।

ଗୃହଭିତରକୁ ହେମାଙ୍ଗିନୀ ପଶି ଆସି କହିଲେ ମୋ-ବା-ବା’ଟା ପରା ଜଳଖିଆ ଦି’ଟା ଖାଇ ଦେ ।

ନା, ବୋଉ ମୁଁ ଖାଇବିନି, ବରଂ ମୁଁ ଟିକେ ଶୋଇ ଯାଇଛି । ଗାଡ଼ିରେ ଆସି–

କ’ଣ ଜଳଖିଆ ଦି’ଟା ଖାଇ ଶୋଇଲେ ହେବନି, ରୋଷାଇ ସରୁ ସରୁ ବହେ ରାତି ହେବ ଦି’ଟା ହେଲେ ଖାଇନେ !

ମନାକଲା ନୀଳକଣ୍ଠ । ଅଶେଷ ବିରକ୍ତିରେ ହେମାଙ୍ଗିନୀ ନିରାଶ ହୋଇ ନୀଳକଣ୍ଠ ପାଖରେ ବସିପଡ଼ିଲେ ତାଳପତ୍ରର ପଙ୍ଖାଟାକୁ ଘୂରାଇ ଘୂରାଇ କହିଲେ ହଇରେ ତୁ ଏତେ ଝଡ଼ିଯାଇଛୁ କାହିଁକି । କ’ଣ ଖାଇବା ପିଇବାରେ ତୋର ଅସୁବିଧା ହେଉଛି କି ?

ଝଡ଼ିଯିବି କାହିଁକିବା । ବରଂ ମୋଟା...

ଶକୁନ୍ତଳା ହସିହସି କହିଲେ–ହଁ, ମୋଟା ହେଇନ ଆଉ କ’ଣ ! ଖାଲି ପିଚିକି ପଡ଼ୁଛି ।

ନୀଳକଣ୍ଠ ହସୁଥିଲା...ହେମାଙ୍ଗିନୀ ପଙ୍ଖାକରୁଥିଲେ ଭିତର ଆଡ଼ୁ କାହାର ଅସ୍ପଷ୍ଟ କଣ୍ଠସ୍ଵର ଶୁଣି ଶକୁନ୍ତଳା ଚାଲିଗଲେ ନୀଳକଣ୍ଠ ଦେହରେ ଚମକର ଏକ ତରଙ୍ଗ ଖେଳିଗଲା ତଥାପି ନିଜକୁ ଯଥା ସମ୍ଭବ ସଂଶୋଧନ କରି ସେ ଶୋଇବାକୁ ଚେଷ୍ଟାକଲା ।

ରାତି ଆସିଲା ସେଦିନର ସେଇ ଶୁଭରାତି, ସେ ରାତିର ଆଗମନରେ ନୀଳକଣ୍ଠ ଗିରିବାଳାର ଅନ୍ତରରେ ମଳୟ ବୋହିଗଲା ପରସ୍ପର ପରସ୍ପରକୁ ଦେଖିବା ଲାଗି ପ୍ରତୀକ୍ଷାକରି ରହିଲେ ଉତ୍କଣ୍ଠା, ପ୍ରତୀକ୍ଷା, ଯନ୍ତ୍ରଣା ଜର୍ଜରିତ ମନରେ ।

ରାତି ଦଶଟା ଭିତରେ ଖିଆ ପିଆର ଶେଷପର୍ବ ସମାପ୍ତ ହୋଇଗଲା ।

ନୀଳକଣ୍ଠ ନିଜଶଯ୍ୟାରେ ରହି କଳ୍ପନା କରୁଥିଲା ଗିରିବାଳାର ନିଶ୍ଚୟ କେତେ ପରିବର୍ତ୍ତନ ହୋଇଥିବ । ହୋଇ ଯାଇଥିବତ ବିରାଟ ପରିବର୍ତ୍ତନ ତା’ ଅଙ୍ଗଲତାରେ ।

ଅନ୍ୟମନସ୍କଥିଲା ନୀଳକଣ୍ଠ ! ଅସମ୍ଭବ ରକମର ଅନ୍ୟମନସ୍କ, ଗୃହଭିତରକୁ ପଶିଆସିଛି ଏଥିଭିତରେ ଗିରିବାଳା ! ନିଜ ବେକରେ ପଣତଗୁଡ଼ାଇ ଆଭୂମି ପ୍ରଣତି କରିବାପରେ ନୀଳକଣ୍ଠର ପାଦଧୂଳି ନେବାକୁ ଆଗେଇ ଯାଉଥିଲା । ଚମକି ଉଠିଲା ନୀଳକଣ୍ଠ । ଅନ୍ତରରେ ଏକ ଚମକର ତଡ଼ିତ୍ ଖେଳିଗଲା । ଆରେ ତମେ କେତେବେଳେ !

ଫି’କିନା ହସିଦେଇ ଗିରିବାଳା କହିପକାଇଲା ଏତେବେଳକେ ମନେପଡ଼ିଲା ! ବାଳା ମଲାଣିକି ଅଛି ଏପର୍ଯ୍ୟନ୍ତ ତ ଖୋଜାନଥିଲା !

ନୀଳକଣ୍ଠ ହସରେ ଫାଟିପଡ଼ି କହିଲା ତମେ ଯେ କେଉଁ–

ହଁ, କହିବ ନାହିଁ ଆଉ କ’ଣ ! ଏତେ ଚିଠି ପରା ଦେଇଥିଲି । ଦେଇଛ ଉତ୍ତର !

ନୀଳକଣ୍ଠ ପ୍ରତ୍ୟୁତ୍ତର କଲାନି ! ଦୋଷୀଭଳି ସେ ଖାଲି ଶୁଣୁଥିଲା ।

ଗିରିବାଳା କହିଲା–ଏମିତି ଝଡ଼ି ଯାଇଛ କାହିଁକିମ ! କ’ଣ ।

ନା, ନା, ମୋର ଦେହ କିଛି ହୋଇନି । ବରଂ ବାଳା !!

ନୀଳକଣ୍ଠ ଆଖି ଦୁଇଟା ଜଳିଉଠିଲା, ବାଳା ତମର କ’ଣ ହୋଇଛି । ବାଳା କହିଲା ନାଇଁତ–କାଇଁ ।

ନୀଳକଣ୍ଠ ନିଜ କୋଳକୁ ଟାଣିନେଇ କହିଲା ତମେ ଏତେ ଝଡ଼ିଯାଇଛ କାହିଁକି ବାଳା । କ’ଣ ଦେହ ଅସୁସ୍ଥ ଅଛି !

ହସିଲା ବାଳା–ଦେହ ଅସୁସ୍ଥ ହୋଇଥିଲେ କ’ଣ ତମକୁ ନ ଜଣାଇ ରହିପାରି ଥାଆନ୍ତି ?

ଆଉ ଏତେ ଶୋଚନୀୟ ଭାବେ ଝଡ଼ିଯିବାର କାରଣ !

କାରଣ କିଛି ନାହିଁ–

ନୀଳକଣ୍ଠ କିନ୍ତୁ ବାଳାର କୌଣସି ଯୁକ୍ତିକୁ ଶୁଣିବାକୁ ପ୍ରସ୍ତୁତ ନୁହେଁ । ସେ ବାରମ୍ବାର ବିବ୍ରତ ହୋଇ କହିଲା–ସତକୁହ, କ’ଣ ତମର ହୋଇଛି...

ସ୍ୱାମୀ ପାଖରୁ ଏ ଉପସ୍ଥିତ ପରିସ୍ଥିତିରୁ ଉଦ୍ଧାର ପାଇବାକୁ ଯାଇଁ ବାଳା କହିଲା–ସାମାନ୍ୟ ଜ୍ୱର, କାଶ, ସର୍ଦ୍ଦି । ବାପା ଔଷଧ ଆଣିଦେବା ପରେ ଭଲ ହୋଇ ଯାଇଛି–

ନୀଳକଣ୍ଠ ଆଉକିଛି ପଚାରିଲା ନାହିଁ ।

ଆଶ୍ୱସ୍ତ ହେଲା ବାଳା । କିନ୍ତୁ ନୀଳକଣ୍ଠ ମନରେ ସନ୍ଦେହର ଶିଶୁ ଜନ୍ମନେଲା–ସାମାନ୍ୟ ଜ୍ୱର, ସର୍ଦ୍ଦିରେ କ’ଣ କେବେ ଏତେ ସ୍ୱାସ୍ଥ୍ୟହାନି ଘଟିପାରେ ! ବାଳା ହୁଏତ ତାକୁ ମିଥ୍ୟା କହିଛି, କିନ୍ତୁ ଏ ଗୋପନ ସତ୍ୟକୁ ଉଦ୍‍ଘାଟନ କରିବ ସେ କିମିତି ।

 

ନୀଳକଣ୍ଠର ଭାବପ୍ରବଣତା ମର୍ମନ୍ତୁଦ ଯନ୍ତ୍ରଣା ଦେଲା ବାଳାକୁ । ସେ ନୀଳକଣ୍ଠକୁ ହଲାଇ ଦେଇ କହିଲା–କ’ଣ ଏତେ ଭାବୁଛ । ଗାଡ଼ିରେ ଆସି ଭାରି ବାଧା ହୋଇଥିବ– ଶୋଇପଡ଼-

 

କିନ୍ତୁ ନୀଳକଣ୍ଠ କ’ଣ ଶୋଇପାରେ । ମନର ପୁରୁଷ ତା’ର ଚେଇଁ ଉଠିଛି କ୍ଷୁଧିତବ୍ୟାଘ୍ର ତା’ର ମାତି ଉଠିଛି ଏତେ ଶୀଘ୍ର କ’ଣ ସେ ଶାନ୍ତ ହୋଇପାରେ !

 

ଗିରିବାଳା କାକକୃଷ୍ଣ କୁଞ୍ଚିତ କୁନ୍ତଳରୁ ଇଭିନିଂଇନ୍‍–ପ୍ୟାରିସର ମଧୁ ସୌରଭ ଆତ୍ମପ୍ରକାଶ କରୁଥିଲା । ନୀଳକଣ୍ଠ ବାଳାର ସେ ସଜ୍ଜିତ କୁନ୍ତଳକୁ ଅସଂଯତ କରୁ କରୁ ନିଜର ଅକ୍ତିଆରରୁ ସମ୍ପୂର୍ଣ୍ଣ ମୁକ୍ତି ହୋଇଯାଉଥିଲା କି ଏକ ଭୀଷଣ କାମନା–ଯନ୍ତ୍ରଣାରେ ଅତିଷ୍ଠ ହୋଇଉଠୁଥିଲା ତା’ର ତନୁ, ଅଜସ୍ର ସ୍ୱପ୍ନର ଢେଉ ଉଛୁଳି ଉଠୁଥିଲା ତା’ର ଅନ୍ତରର ଅକୁପାରରେ । ମନ–ଆଉ ଗିରିବାଳା !!!

 

ନୀଳକଣ୍ଠର ଲୋମଶ ପ୍ରଶସ୍ତ ବୁକୁରେ ଗଭୀର ନିଦ୍ରାରେ ଢୁଲାଇ ଯାଇଥିଲା, ପିପାସିତ ଚକୋର ବାରିପାନ ପରେ ଘୁମେଇଯାଏ ଯେମିତି । ଗିରିବାଳାର ପିପାସିତ ଆତ୍ମା ଶିହରି ଉଠୁଥିଲା–ଆନନ୍ଦ ପୁଲକରେ, ରୋମାଞ୍ଚରେ । ଗିରିବାଳାର ଅଧର ମଧୁକୁ ଆକଣ୍ଠ ପାନ କରିବାକୁ ଅସ୍ଥିର-ଆଗ୍ରହ-ଆନନ୍ଦରେ କମ୍ପି ଉଠୁଥିଲା ନୀଳକଣ୍ଠ । ଦୁଇଟି ମିଳନ ପିପାସିତ ଆତ୍ମା ଏକାକାର ହେବାକୁ ହା-ହାକାର କରି ଉଠୁଥିଲା । ଦୀର୍ଘ ବିରହ-ବେଦନା ବିଷ–ଦହନର ଜ୍ୱାଳା ନିର୍ବାପିତ ହୋଇ ଆସୁଥିଲା ଧୀରେ–ଅତି ସନ୍ତର୍ପଣରେ ।

 

ତା’ପରେ !

 

ତା’ପରେ କାଉ କହିଲା କା’ । ଆମ୍ବତୋଟାରେ କୋଇଲି ରାଣୀ ଆଉ ଅପେକ୍ଷା କରିପାରିଲା ନାହିଁ । ଅପେକ୍ଷା କରିପାରିଲା ନି ଗିରିବାଳା । ଶୁଭ ସକାଳୁ ପ୍ରଣତି ଢାଳି ଗୋଡ଼ କାଢ଼ିଲା ଗିରିବାଳା । ସକାଳ ହୋଇ ଆସୁଛି । ଗୋଦାବରୀ ନଈର କଳା ଭଉଁରୀ ପାଣିରେ ଦେହ ପ୍ରକ୍ଷାଳନ କରି ତାକୁ ଶୀଘ୍ର ଫେରିଯିବାକୁ ହେବ ।

 

ତନ୍ଦ୍ରାଟା ତୁଟିବାକୁ ଟିକେ ଡେରି ହେଲା ନୀଳକଣ୍ଠର । ଆଗରୁ ଏଇ ଡେରିରେ ଉଠିବା ତା’ର ଅଭ୍ୟାସଗତ ହୋଇଯାଇଛି । ହେଲେ ଗାଁମାଟିର ଶାନ୍ତ ପବନରେ ନିଦ୍ରାଟା ଯେ ତୁଟିବାକୁ ଏତେ ଡେରି କରିବ ଏ କଥା କଳ୍ପନା କରିପାରି ନଥିଲା ନୀଳକଣ୍ଠ । ଶୋଇବା ପୂର୍ବରୁ ଅବଶ୍ୟ ଯଥାଶୀଘ୍ର ଉଠିବାକୁ ସେ ସ୍ଥିର କରି ନଥିଲା । ତଥାପି ଟିକେ ଡେରିରେ ଉଠିବାକୁ ତାକୁ କାହିଁକି ସଂକୋଚ ବୋଧ ହେଲା । ତା’ଛଡ଼ା ବସାରେ ପୁରିଆଟା ସିନା ଉଠାଇ ଦେଉଥିଲା କିନ୍ତୁ ଏଠି ତା’ର ସୁନିଦ୍ରାକୁ ଭଗ୍ନ କରିବାକୁ କ’ଣ କିଏ ସାହାସ କଲେ । କେହି ସାହାସ କରିନଥିଲେବି ଗିରିବାଳା ଅନ୍ତତଃ ତାକୁ ସାହାଯ୍ୟ କରିପାରିଥାନ୍ତା । ସିଧାସଳଖ ନ ଉଠାଇ ଘର କାମରେ ବ୍ୟସ୍ତ ରହି କାଚ ରୁଣୁଝୁଣୁ ଶବ୍ଦ କରିଥିଲେବିତ ହୋଇ ପାରି ଥାଆନ୍ତା ।

 

ଅଳସ ଭାଙ୍ଗି ଉଠିଲା ନୀଳକଣ୍ଠ । ସମୟଟା ଦୀର୍ଘ ହୋଇ ଯାଇଛି । ହାଇସ୍କୁଲକୁ ପଢ଼ିବାକୁ ଗଲାବେଳେ ସେ ଯେଉଁ ଖରା ଦାଗଟା ଦେଖି ବାହାରେ ସେପର୍ଯ୍ୟନ୍ତବି ଖରାର ରେଖାଟା ଟାଣି ହୋଇ । ଆସିଲାଣି ଚକିତ ହେଲା ନୀଳକଣ୍ଠ । ଦୀର୍ଘସୂତ୍ରୀ ତାହିଁ ଜୀବନର ମୁଦେଇ ।

 

ନୀଳକଣ୍ଠ ଖଣ୍ଡି କାଶ ମାରିଲା । ଭାଉଜ ଶକୁନ୍ତଳା ଏ ସଂକେତ ପାଇ ପାଣି ନୋଟେ ଦେଇ ଗଲେ । ମୁହଁଟାକୁ ପରିଷ୍କାର କରି ନେଇ ନୀଳକଣ୍ଠ ମୁଣ୍ଡ ସାଉଁଳେଇବାକୁ ସ୍ଥିର କଲା ।

 

ହେମାଙ୍ଗିନୀ ଆସି ବିରକ୍ତ ହୋଇ କହିଲେ–ଯାଉନୁ, ଯା, ଗାଧୋଇ ଆ । କାଲି କ’ଣ ଦି’ଟା ଖାଇଥିଲୁ, ସେ କ’ଣ ଥିବ । ଗଲୁ । ଭାଇବି ଯାଇଛି ଗାଧୋଇ ।

 

ନୀଳକଣ୍ଠ ଶୁଣିବି ଶୁଣିଲା ନାହିଁ ।

 

ହେମାଙ୍ଗିନୀ ପ୍ରତିବାଦୀ ଗଳାରେ କହିଲେ–ଶୁଣୁନୁ କ’ଣ ବା–ମୁଁ ପରା କଅଣ କହୁଛି ।

 

ନୀଳ କହିଲା–ଏତେ ବେଳାବେଳି ।

 

–ହେ ମା । ଆମ ବାବୁଙ୍କୁ ଇଏ ବେଳାବେଳି ହୋଇଛି ।

 

ନୀଳକଣ୍ଠ ସ୍ମିତ ହସି କହିଲା–ସରକାରୀ ଚାକିରି କଲେ ସେ ସବୁକୁ ପଛରେ ପକାଇ ଦେବାକୁ ହୁଏ । ଖାଇବା ପିଇବାକୁ ଏତେ ଜଗିଲେ ନିଜ ଦେହକୁ ଜଗିଲେ କେହି ସରକାରୀ ଚାକିରି କରିପାରିବେ ନାହିଁ–ହେଁ-ହେଁ–ବୁଝିଲୁ ବୋଉ । ମୁଁ ପରା ୧୧ରେ ଗାଧୋଇ, ବାର କିମ୍ବା ଦୁଇରେ ଖାଏଁ ।

 

–ଏଁ ହେମାଙ୍ଗିନୀଙ୍କର ଚକ୍ଷୁର ଡୋଳା ଦୁଇଟି ଭ୍ରୂଲତାକୁ ଚମକି ଗଲା ।

 

–କିରେ ତୁ ସକାଳୁ ଗାଧୋଇ ଦି’ଟା କ’ଣ ଖାଇ ଦେଇ କାମ କରୁଥିଲେ ହଉ ନଥାନ୍ତା । ମୋ ମାଆଲୋ । କାମ କରିବ ବୋଲି କ’ଣ ନିଜ ଦେହକୁ ଦେଖିବ ନାହିଁ । ସେଇଥି ନେଇତ ଝଡ଼ି ଯାଇଛୁ ଆଉ ମୁଁ କହୁଛି–

 

ନୀଳକଣ୍ଠ କ’ଣ କହିବାକୁ ଯାଉଥିଲା । ହଠାତ୍ ଶକୁନ୍ତଳା ଡାକିଲେ, ନୀଳୁ, ଡାକୁଛନ୍ତି–

 

ଡାକୁଛନ୍ତି କିଏ ? ହୁଏତ ନିଶ୍ଚୟ ଭାଇ । ନୀଳୁ କକ୍ଷରୁ ବାହାରିଗଲା ।

 

କଣ୍ଠଟାକୁ ପରିଷ୍କାର କରି ଧନଞ୍ଜୟ କହିଲେ–ହଁ ନୀଳାମ୍ବର ଲଗାଇଛି ଘର ଭାଙ୍ଗିବାକୁ । ଘରଟା ପୁରୁଣା ହୋଇ ଗଲାଣିନା ! ତା’ଛଡ଼ା ଭଲଲୋକ ମନ୍ଦଲୋକ ଆସୁଛନ୍ତି, ଘରଟା କରିଦେଲେ ଯାଏ । କ’ଣ ତୋର ମତ ?

 

ନୀଳକଣ୍ଠ ଚିନ୍ତା କରୁଥିଲା ଉତ୍ତର ।

 

ନୀଳାମ୍ବର କହିଲେ–ଦସ୍ତା କିମ୍ବା ଆଜବେଷ୍ଟସ ତୁ ଠିକ୍‍ କରିପାରିବୁ ନାହିଁ ? ଲାଇସେନ୍‍ସରେ ପରା ତା’ ଦିଆ ଯାଉଛି ।

 

ନୀଳକଣ୍ଠ କହିଲା–ଦେଖିବା ।

 

ଧନଞ୍ଜୟ ନିଜ ବସିବା ସ୍ଥାନରୁ ଟିକେ ଘୁଞ୍ଚି ଆସି କହିଲେ–ତୋ ବ୍ଲକରେ ତ କାମ କାରିବାକୁ ସିମେଣ୍ଟ ପ୍ରଭୃତି ଆସୁଥିବ, କୌଣସି ଉପାୟରେ କୋଡ଼ିଏଟା ଖଣ୍ଡେ...

 

ନୀଳକଣ୍ଠ ହସିଲା ।

 

ନୀଳାମ୍ବର କହିଲେ–ନା, ନା, ବରଂ କିଣି ଆଣିବା । ତା’କଲେ, ଏ ଯେଉଁ ଯୁଗ ଚାକିରି ବି ଚାଲିଯିବ । ସେକଥା ନୁହେଁ ବରଂ ଆଜହୁଁ ଆଣି ଗୋଟେ ଗୋଟେ କିଣି ରଖିବା । ମୁଁ ଭାବୁଛି ଇଟା କିଣି କରିବା ଅପେକ୍ଷା ପକାଇ ନେବା ଭଲ ।

 

–କ’ଣ କହୁଛୁ ?

 

ନୀଳକଣ୍ଠ ନିରବ ଥିଲା । ଧନଞ୍ଜୟ କହିଲେ ହଁ, ତା’, ନ କଲେ କ’ଣ ପାରି ଉଠି ପାରିବା । ଦିନକୁ ଦିନ ମୁଲିଆମାନଙ୍କର ଯେଉଁ ମଜୁରୀ ହେଉଛି ଇଟା କିଣି ଘର ତିଆରି କଲା ବେଳକୁ ଅନେକ ପଇସା ଚାଲିଯିବ ।

 

ନୀଳାମ୍ବର କହିଲା–ପଇସା ଯେମିତି ହେଲେ ଯିବ, କିନ୍ତୁ କିଣିଲେ ଆମେ ଯେମିତି ଭଲ ଇଟା ପାଇବା ତିଆରି କଲେ ଠିକ୍ ସେଭଳି ପାଇବା ମୁସ୍କିଲ, ତେବେ ସିଏ ତ ପରକଥା । ବର୍ତ୍ତମାନ କଥା ହେଉଛି ଜମି ଦୁଇମାଣ ହାତରେ ଅଛି ରତ୍ନାକର ଜେନା ବିକିବ, ସେତିକି ଯଦି ଆମର ହୋଇ ଯାଆନ୍ତା ।

 

ନୀଳକଣ୍ଠ ପଚାରିଲା କେତେ ନେବ ?

 

ଆବେଗରେ ଧନଞ୍ଜୟ କହି ଉଠିଲେ–ଦୁଇ ହଜାର ।

 

ନୀଳକଣ୍ଠ ମନରେ ଚମକ ଲାଗିଲା ।

 

ନୀଳାମ୍ବର କହିଲା–କ’ଣ କହୁଛୁ ?

 

ନୀଳକଣ୍ଠ ସାଙ୍କେତିକ ଉତ୍ତର ଦେଲ ଦେଖିବା ।

 

ଧନଞ୍ଜୟ ଠିଆ ହୋଇପଡ଼ି ଆବେଗଭରା କଣ୍ଠରେ କହିଲେ–ମୁଁ ତା’ହେଲେ ତାକୁ କଥା କରୁଛି ନା କ’ଣ ନୀଳ ।

 

ନୀଳାମ୍ବର ନିରୁତ୍ତର ଥିଲା ।

 

ନୀଳକଣ୍ଠ କହିଲା, ଦୁଇ ଚାରି ମାସ ଅପେକ୍ଷା ନ କଲେ ଟଙ୍କା କ’ଣ କେଉଁଠି ପଡ଼ିଛି ?

 

ଧନଞ୍ଜୟ ହଠାତ୍ କହି ଉଠିଲେ–କିରେ ତୋ ବ୍ଲକ ଟଙ୍କା ଉଠାଇ ଆଣୁନୁ; ଦରମା ପରେ ମିଶାଇ ଦେଉଥିବୁ ।

 

ବିରକ୍ତ ହେଲା ନୀଳକଣ୍ଠ । ବ୍ଲକ ଟଙ୍କା କ’ଣ ଆମ ମୌରସୀ ସମ୍ପତ୍ତି ।

 

ନୀଳାମ୍ବର କହିଲେ–ନା ନା, ବରଂ ଦୁଇ ମାସ ଯାଉ କିନ୍ତୁ ସେ କଥା କରିବୁନି । ବାପା କ’ଣ ଜାଣନ୍ତି, ଲୋକେ ଯା’ହେଲେଣି ଚାକିରି ଖାଇଯିବେ । ତା’ଛଡ଼ା ସେ ଅସତ୍‍ ପଇସାରେ ଆମେ କାହିଁକି ଘର କରିବା । ଯାଉ ଦୁଇମାସ, ଚାରିମାସ, ବର୍ଷେ ।

 

ଧନଞ୍ଜୟ ନୀଳାମ୍ବରର ନୀତିବାଣୀକୁ ଏ ସମୟରେ ପସନ୍ଦ କରିପାରିଲେ ନାହିଁ । ସେ ବିରକ୍ତିରେ କହିଲେ ହୁଁ, କିରେ କିଏ ଟଙ୍କା ନ ଖାଉଛି । ପରଧନ ନପଶିଲେ କ’ଣ କିଏ ଘର କରିପାରେ । ସେ ସବୁ ବାଜେ କଥା । ଉପୁରି ନ ଆଣିଲେ ଘର ଚଳିବଟି ! ଯା’ତ ଦରମା ପାଇବ ସେଇଥିରୁ ତ ଖାଇବ ଆଉ ଚାକିରି କରିବ କାହିଁକି ?

 

ବାପାଙ୍କର କଥାକୁ ନ ଶୁଣି ନୀଳାମ୍ବର କହିଲା ତୁ ଯା’ ନୀଳୁ । ଗାଧେଇଗଲୁ, ସେ କଥାରୁ କ’ଣ ପାଉଛୁ ।

 

ନୀଳକଣ୍ଠ ନୀଳାମ୍ୱର ଏକା ସାଙ୍ଗରେ ଚାଲିଗଲେ ।

 

ବିରକ୍ତରେ ଦାନ୍ତ କଡ଼ମଡ଼ କରି ଉଠିଲା ଧନଞ୍ଜୟ ।

 

ଅସତ୍ୟ । ବ୍ୟଭିଚାର । କଳାବଜାର । ପାପ । ପ୍ରାଗୈତିହାସିକ ଏକ ବର୍ବର ଅସତ୍ୟ ଆଜି ଏ ପବିତ୍ର ହିନ୍ଦୁଧମନୀକୁ ବିଷାକ୍ତ କରି ଦେଲାଣି । ଏ ସଭ୍ୟତାର ପ୍ରଭାବରେ ଲୋକେ ଅନ୍ୟାୟ ଅତ୍ୟାଚାରକୁ ସ୍ଵାଗତ କରିବାକୁ ବାଧ୍ୟ । ହାୟଃ !

 

ନୀଳକଣ୍ଠର ସନ୍ଦେହଟା ଘନୀଭୂତ ହୋଇ ଯାଉଛି । ମଣିଷ ଅତି ପାଗଳ । ଧନମୋହ ମଣିଷକୁ ଗ୍ରାସ କରିଛି । ଧର୍ମଧ୍ଵଜା ଧରି ମଣିଷ ଅଧର୍ମର ଜୟ କରୁଛି । ମୁହଁରେ ରାମନାମ ଗାନ କରି ଅନ୍ତରରେ ଲୁଚାଇ ରଖୁଛି ବିଷ–ହଳାହଳ । ନୀଳକଣ୍ଠର ଅନ୍ତର କପୋତ ପର ଝାଡ଼ିଉଠେ । ବ୍ୟଭିଚାରି ଅନ୍ୟାୟ ବିରୁଦ୍ଧରେ ବିଦ୍ରୋହ କରିଉଠେ ତା’ର ମନ । ଚିତ୍କାର କରିଉଠେ–ଭଗବାନ । ଅସତ୍ୟ, ଅନ୍ୟାୟ, ଅବିଚାର ଯେ ପ୍ରକଟ ହୋଇଉଠିଲା । ଏ ସଂକଟରୁ ତ୍ରାଣକର ଭଗବାନ । ତ୍ରାଣକର, ତ୍ରାଣକର ।

 

କିନ୍ତୁ ଭଗବାନ କ’ଣ ଶୁଣୁଛନ୍ତି ! ନୀଳକଣ୍ଠର ସନ୍ଦେହ ହୁଏ । ଏ ଅନ୍ୟାୟକୁ ବି ଭଗବାନ ଦେଖି ସଂକିତ, ଭୀତ, ତ୍ରସ୍ତ । ଏ ଯୁଗର ଏ ଅନ୍ୟାୟ ସ୍ଵୟଂ ସୃଷ୍ଟିକର୍ତ୍ତାଙ୍କର ଆସନକୁ ଟଳାଇ, ଦେବାକୁ ସକ୍ଷମ । ନିଜେ ମଣିଷ ନିଜର ମନକୁ ନ ଚିହ୍ନିଲେ ଏ ଅନ୍ୟାୟର ଗତିରୋଧ କରିପାରିବେ ନାହିଁ...ନା, ନା

 

ଛାତ୍ର ଜୀବନରୁ ଚାକିରି ଜୀବନ ପର୍ଯ୍ୟନ୍ତ ଦେଖି ଆସିଲା ନୀଳକଣ୍ଠ । କିନ୍ତୁ ଏ ଅନ୍ୟାୟ ତ କାହାକୁ ଦୟା କରିପାରିନି ।

 

ମୁଣ୍ଡଭିତରେ ଏକ ଅକଥନୀୟ ଯନ୍ତ୍ରଣା ଅନୁଭବ କଲା ନୀଳକଣ୍ଠ । ଏ ସଭ୍ୟତାର ବିଷ ନିଃଶ୍ଵାସରେ ପ୍ରତ୍ୟେକ ଲୋକର ମନ ବିଷାକ୍ତ ହୋଇଗଲାଣି । ଧର୍ମ କର୍ମକୁ ଭୁଲି ପ୍ରତ୍ୟେକେ ଏ ଅନ୍ୟାୟକୁ ପ୍ରଶୟ ଦେଲେଣି । କେତେଦିନ ପର୍ଯ୍ୟନ୍ତ ଏ ପରିସ୍ଥିତି ଚାଲିବ କିଏ ଜାଣେ !!!

 

ଗିରିବାଳା ବ୍ୟଥିତ କଣ୍ଠରେ କହିଲା–କ’ଣ ଏତେ ଭାବୁଛ ! ଥରେ ପରା କହିଛି ଚିନ୍ତା କଲେ ଦେହର ସୁସ୍ଥତା ନଷ୍ଟ ହୁଏ ।

 

ହସିଲା ନୀଳକଣ୍ଠ । ଗିରିବାଳା ନାରୀ । ନାରୀ ମନ ଚାହେଁ ତା’ ସ୍ୱାମୀର, ତା’ ସଂସାରରେ ଉନ୍ନତି ଅପରର ସୁଖ ବିନିମୟରେ ନିଜର ଦୁଃଖ ଦୂର କରିବ ତା’ର କାମ୍ୟ । ଦୁନିଆରେ ତା’ର ସ୍ୱାମୀ ତା’ର ସଂସାରହଁ ସବୁଠାରୁ ବେଶି ସୁଖ ପାଉ ବୋଲି ତା’ର କି ଆଗ୍ରହ । ନାରୀ ମନର ନିରୀହ ରହସ୍ୟ ଉଦ୍‍ଘାଟନ କରି ହସିଲା ନୀଳକଣ୍ଠ । ତା’ ଭାବନା କ’ଣ ବୁଝିବ ବାଳା ! ବାଳା ଧମନୀରେ ସେହି ନାରୀ ରକ୍ତ–ସେଇ ବର୍ଷା–ସେଇ ଉଚ୍ଛଳ କମନା କ’ଣ କମ୍ପନ ସୃଷ୍ଟି କରୁନି !!

 

ସଂକିତ ହେଲା ଗିରିବାଳା । ନୀଳକଣ୍ଠ କ’ଣ ପାଗଳ ହୋଇଗଲା କି ! କହିଲା–ଆରେ, କ’ଣ ଏତେ ଭାବୁଛ....ହେ...

 

ନୀଳକଣ୍ଠ ମୃଦୁ କଣ୍ଠରେ କହିଲା–ବାଳା ! ଦୁନିଆଟା ଅଭିଶପ୍ତ ହୋଇଗଲାଣି । ଅସୁସ୍ଥ ହୋଇ ଗଲାଣି । ଏଠି ଆଉ ଶାନ୍ତି ମିଳିପାରିବ ନାହିଁ । ଏ ଅଭିଶପ୍ତ ସମାଜର ବିଷ ନିଃଶ୍ଵାସରେ ଶାନ୍ତି ପଳାଇଛି–ଅଶାନ୍ତି, ଅନ୍ୟାୟ, ବ୍ୟଭଚାର ଏଠି ଶାନ୍ତିର ମୁଖା ପିନ୍ଧି ହୋଇଛନ୍ତି ସମ୍ରାଟ । ଆଉ ସେଇମାନେ ଜବରଦସ୍ତ ସତ୍ୟ, ଶାନ୍ତିର କଣ୍ଠ ଚିପି ମାରି ଦେଇଛନ୍ତି ନିର୍ଦ୍ଦୟ, ନିର୍ମମଭାବେ ।

 

ଗିରିବାଳା ଚିତ୍କାର କଲା–ଓଃ ଥାଉ ଥାଉ, ସେ ଭାବନାଗୁଡ଼ାକ ତୁମେ ବନ୍ଦ କଲ । ବରଂ କୁହ ଆଉ ଚାରି ଆଠଦିନ ଛୁଟି ମଗାଇଲେ କ’ଣ ଦେବେନି ?

 

ନୀଳକଣ୍ଠ ପରିଷ୍କାର ମନା କରିଦେଲା, ନା ସରକାରୀ ଚାକିରି କିଛି କ୍ରୀଡ଼ନକ ନୁହେଁ ଯେ ଆମ ଇଚ୍ଛାନୁସାରେ ଛୁଟି ମାଗିପାରିବା ।

 

ଗିରିବାଳା କହିଲା–ଯଦି ମୋ ଦେହ ଭୀଷଣ ଅସୁସ୍ଥ ହୁଏ ।

 

–ତା’ହେଲେ ବି ମତେ ଯିବାକୁ ପଡ଼ିବ ଅନ୍ତତଃ ଚାକିରିଟାକୁ ବଜାଏ ରଖିବାଲାଗି ନିୟମ ଦୃଷ୍ଟିରୁ ।

 

–ତମେ ଏଭଳି ଚାକିରିଟାଏ କାହିଁକି କଲ । ଏତେ କାମ ଏତେ ଦାୟିତ୍ୱ ନିଜ ମୁଣ୍ଡକୁ ଟାଣି ଆଣିଲ କାହିଁକି ?

 

ନୀଳକଣ୍ଠ ସମବେଦନାଭରା କଣ୍ଠରେ କହିଲା ଦାୟିତ୍ଵ ଯେଉଁ ଚାକିରିରେ ନାହିଁ ସେ ଚାକିରିରେ ସମ୍ମାନ ବି ନଥାଏ । ଆଉ ସମ୍ମାନ ପାଇବାକୁ ହେଲେ ନିଜର ବ୍ୟକ୍ତଗତ ସ୍ୱାଧୀନତାକୁ ଧ୍ଵଂସ କରିବାକୁ ପଡ଼େ । ଏ କଥା ତୁମେ ଜାଣିନ ବାଳା ।

 

ବାଳା କେବଳ ଅସହାୟ ଦୃଷ୍ଟି ତୋଳି ଚାହିଁଥିଲା ।

 

ନୀଳକଣ୍ଠର ବୁଭୁକ୍ଷୁ ଦୃଷ୍ଟି ପଡ଼ିଥିଲା ବାଳାର ମୁଖପଦ୍ମରେ ।

 

ବାଳା କହିଲା–ତା’ହେଲେ ତମେ ପହରିଦିନ ନିଶ୍ଚୟ ଯିବ ।

 

ନିଶ୍ଚୟ–ନୀଳକଣ୍ଠ ଛେପ ଢୋକିଲା ।

 

ଚକ୍ଷୁର ପଲକେ କଟିଗଲା ଦିନେ ନୁହେଁ ଆଠ ଦିନ । ଛୁଟି ଏତେ ଶୀଘ୍ର ପୂରିଯିବ ବୋଲି ନୀଳକଣ୍ଠ ଧାରଣା କରିପାରି ନଥିଲା କିନ୍ତୁ ନୀଳକଣ୍ଠର ଧାରଣ ସହିତ ସମୟ ଗତିର କି ସମ୍ପର୍କ ଥାଇପାରେ ବରଂ ମୂଲ୍ୟହୀନ । ଗତିଶୀଳ ସମୟ ପାଖରେ ନୀଳକଣ୍ଠର ମନ ହାର ମାନିବାକୁ ବାଧ୍ୟ-!!!

 

ସକାଳ ହେଲା । ସୁନ୍ଦର ଶାନ୍ତ ଶିବ ସକାଳ । ଶୁଭ ଦେବତାକୁ ସ୍ୱାଗତ କରି ନୀଳକଣ୍ଠ ଶୁଭ ମୁହୂର୍ତ୍ତରେ ଅନୁକୂଳ କଲା । ନୀଳକଣ୍ଠର ଯାତ୍ରା ମଙ୍ଗଳ ହେଉ । ଦେବତା ଚରଣରେ ଶରଣ ପଶି ଶୁଭ ମନାସିଲେ ମା’ ହେମାଙ୍ଗିନୀ...ଧନଞ୍ଜୟ । ଗିରିବାଳାଠାରୁ ଛଳ ଛଳ ନୟନରେ ବିଦାୟ ନେଇ ନୀଳକଣ୍ଠ ଦକ୍ଷିଣ ଗୋଡ଼ କାଢ଼ିଲା, କାରଣ ଶାସ୍ତ୍ରକଥା ସେ ଅସ୍ଵୀକାର କରି ପାରେନା । ମନେ ପଡ଼ିଲା ତା’ର–ସୋମେ, ଶୁକ୍ରେ, ବୁଧେ ବାମ...ଅନ୍ୟଥା ପ୍ରତୀପ... !!!

 

ନୀଳକଣ୍ଠ ବିଦାୟ ନେଇ ଚାଲିଗଲା । ଏ ଶୁଭ ସମୟରେ ଦୁଃଖ କରିବା, ଆଖିରୁ ବାରି ଝରିବା ଅନୁଚିତ । ନିଜ ଦୁଃଖକୁ ସେଇ ବୁକୁରେ ଚାପ ଦେଇ ଗିରିବାଳା ଆଖିରୁ ପାଣି ପୋଛିଲା । ତଥାପି ଦୁର୍ବଳ ନାରୀ ମନ ତା’ର ପ୍ରିୟର ବିଦାୟରେ ଧୈର୍ଯ୍ୟ ଧରିବା କି ସହଜ କଥା ।

 

ଅସହାୟ ଗିରିବାଳା ସେଇ ଧୈର୍ଯ୍ୟଙ୍କୁହିଁ ଭରସା ରଖିଥିଲା ।

 

ବିଦ୍ରୋହ ! ବିପ୍ଳବ ! ଶୋଭାଯାତ୍ରା !

 

ବିଦ୍ରୋହ ହୋଇଛି ଗଣତନ୍ତ୍ରର ଅସହ୍ୟ ଅପମାନ ବିରୁଦ୍ଧରେ । କିଳାପୋତାକୁ ବଞ୍ଚାଇ ରଖିବାକୁ ହୋଇଛି ବିପ୍ଳବ । ବି.ଡ଼ି.ଓ ସାହେବଙ୍କର ବଡ଼ାଇ ଭାଙ୍ଗୁ । ସ୍ଲୋଗାନ ଦେଉଛି ଶୋଭାଯାତ୍ରାରେ ।

 

ବିବ୍ରତ ନୀଳକଣ୍ଠ ଅଟ୍ଟହାସ୍ୟ କରି ଉଠିଛି । କିଳାପୋତେଇ ଜିନ୍ଦାବାଦ !

 

କିଳାପୋତାଇର ଜିନ୍ଦାବାଦ ।

 

ନା, ନା, ଅନ୍ୟାୟ, ଅତ୍ୟାଚାର, ଅବିଚାର କିଳାପୋତାର ଜିନ୍ଦାବାଦ ସେ କରିପାରିବ ନାହିଁ । ଏଥିଲାଗି ସେ ସଂଗ୍ରାମଭୂଇଁକୁ ଡେଇଁ ପଡ଼ିବ କିନ୍ତୁ ସେ କୈଫିୟତ ଦେଇ ପାରିବ ନାହିଁ ।

 

ଅଫିସ ଘରେ ଗମ୍ଭୀର ହୋଇ ବସି ଯାଇଛି ନୀଳକଣ୍ଠ । ବଡ଼ ବିବ୍ରତ ବିଷଣ୍ଣ । ବିବ୍ରତ ତା’ର ମୁଖ ।

 

ଚେୟାରମ୍ୟାନ ବିବ୍ରତ ହୋଇ ପ୍ରବେଶ କରି ହଠାତ୍ କହି ଉଠିଲେ–ନୀଳକଣ୍ଠ ବାବୁ ! କ’ଣ ଇଏ !

 

–ହସିଲା ନୀଳକଣ୍ଠ ! ଗଣତନ୍ତ୍ରର ଚିତ୍କାର ।

 

–କାହା ବିରୁଦ୍ଧରେ କହି ପାରିବ ?

 

–ସତ୍ୟ, ନ୍ୟାୟ, ଧର୍ମର ବିରୁଦ୍ଧରେ ।

 

–ମାନେ ?

 

ନୀଳକଣ୍ଠ ଗମ୍ଭୀର କର୍କଶ କଣ୍ଠରେ କହିଲା । ମାନେଟା ବୁଝିବାକୁ ବେଶି ସମୟ ଅପେକ୍ଷା କରିବାକୁ ପଡ଼ିବନି ଆଜ୍ଞା ! ମୁଁ ଏହାର ଆଶୁ ପ୍ରତିକାର କରୁଛି । ତା’ପରେ ସେ କଲିଂବେଲରେ ଆଘାତ କଲେ । ଚିତ୍କାର କରି ଉଠିଲେ ହେଡ଼ କ୍ଲର୍କଙ୍କୁ ଡାକ ଗୋବିନ୍ଦ ଯଥାଶୀଘ୍ର ଡାକ । ଚେୟାରମ୍ୟାନ କହିଲେ–ସେ କ’ଣ କରିବେ କଣ୍ଠବାବୁ ! ବରଂ ଆପଣ ନିଜେହିଁ ଏ ବିପ୍ଳବୀ ଜନତାର ସାମନା ହୋଇ କୈଫିୟତ ଦିଅନ୍ତୁ ତା’ ନହେଲେ....

 

–ଆପଣ ବ୍ୟସ୍ତ ହୁଅନ୍ତୁନି ଆଜ୍ଞା ! ମୁଁ ଠିକ୍‍ କରିଦେଇଛି । ତା’ପରେ ସେ ଚିତ୍କାର କରି ଉଠିଲେ ।

 

ହେଡ଼ କ୍ଲର୍କଙ୍କର ଆସିବା ପୂର୍ବରୁ ଆସି ପହଞ୍ଚିଲେ ଭାଇସ୍ ଚେୟାରମ୍ୟାନ । ସେ ଅସ୍ପଷ୍ଟ ଆର୍ତ୍ତନାଦ କରିଉଠିଲେ–କଣ୍ଠବାବୁ ! ଆପଣ ଏଠି ।

 

ଶାନ୍ତ କଣ୍ଠରେ ନୀଳକଣ୍ଠ କହିଲେ–ଆଉ କ’ଣ କରିବି ?

 

କିନ୍ତୁ ଶୋଭାଯାତ୍ରା ଯେ ଆଗେଇ ଆସିଲାଣି ।

 

Unknown

ତା’ମାନେ ଆପଣ କହୁଛନ୍ତି ମୁଁ ଭୀରୁଭଳି ଛପି ଗାଡ଼ିରେ ପଳାଇ ଯିବି ?

 

ହଁ, ମୁଁ ଠିକ୍‍ ତାହାହିଁ କହୁଛି, ତା’ ନହେଲେ ଏ ଉଦ୍ଧତଲୋକମାନଙ୍କ ପାଖରୁ ମୁକ୍ତି ପାଇବା ।

 

ବଡ଼କଷ୍ଟ କଥା ଯା, ଠିକ୍ ଅଛି । ଆପଣ ବ୍ୟସ୍ତ ହୁଅନ୍ତୁନି ମୁଁ ତା’ର ଆଶୁ ସମାଧାନ କରିଦେଉଛି । ତା’ପରେ ସେ ହେଡ଼ କ୍ଲାର୍କଙ୍କ ଉଦ୍ଦେଶ୍ୟରେ କହିଲେ ହିଁ ମୋର ରେଜିଂନେସନ ରିପୋର୍ଟଟା ଲେଖିଲ ହଁ ଲେଖିବ ଅନ୍ୟାୟ ଅସତ୍ୟ, ଅବିଚାର ବିରୁଦ୍ଧରେ ମୁଁ ମୋର ଏ ରେଜିଂନେସନ, ଚେୟାରମ୍ୟାନ ଚିତ୍କାର କରି ଉଠିଲେ କଣ୍ଠବାବୁ ।

 

ଆପଣ ମତେ କ୍ଷମା ଦିଅନ୍ତୁ । ମୁଁ ପାଗଳ ନୁହେଁ, ସୁସ୍ଥ ମସ୍ତିଷ୍କରେ ଏକଥା କରୁଛି । ତା’ପରେ କଣ୍ଠବାବୁ ଗୋବର୍ଦ୍ଧନ ଉଦ୍ଦେଶ୍ୟରେ କହିଲେ–ମୋ ବସା ପର୍ଯ୍ୟନ୍ତ ଟିକେ ଯାଅ ଗୋବିନ୍ଦ ପୁରିଆକୁ କହିବ ମୋ ବେଡ଼ିଂ ସଜାଡ଼ି ଦେଉ ଆଜି ଦୁଇଟାରେ ମୁଁ ସ୍ଥାନ ଛାଡ଼ିବି ।

 

ନୀଳକଣ୍ଠର ଏ ନିଷ୍ପତ୍ତିରେ ଚେୟାରମ୍ୟାନ ବିବ୍ରତ ଦୁଃଖିତ ହୋଇ କହିଲେ–ଏଇ ସାମାନ୍ୟ କଥା ଲାଗି ଆପଣ ଏଡ଼େ ବଡ଼ କଥା କରିବେ କଣ୍ଠ ବାବୁ । ଧୈର୍ଯ୍ୟ ଧରନ୍ତୁ । ସେ ବିଦ୍ରୋହୀ ମୁଖ୍ୟଙ୍କ ସହ ଭେଟି କଥାଟାକୁ ଆୟତ୍ତ କରିନେବା ।

 

ନୀଳକଣ୍ଠ ଏତେ ଦୁଃଖରେବି ହସି ଉଠିଲେ ସେ କହିଲେ ନା, ବରଂ ଆପଣ ମୋର ହିତୈଷୀ । ମୁଁ ଆପଣଙ୍କୁ ଅନୁରୋଧ କରୁଛି ସେ ବିଦ୍ରୋହୀ ମୁଖ୍ୟ ଯେଭଳି ମୋପାଖକୁ ନ ଆସନ୍ତି ବରଂ ଯଦି ସୁବିଧା ଦେବେ ମୁଁ କ୍ଷୁବ୍ଧ ଜନତାର ସମ୍ମୁଖୀନ ହେବି...ଅନ୍ତତଃ ଦଶମିନିଟ ଲାଗି ମୁଁ କୈଫିୟତ ଦେବି....

 

ଭାଇସ ଚେୟାରମ୍ୟାନ କହିଲେ–କିଛି ଚିନ୍ତା କରନ୍ତୁନି ଆଜ୍ଞା । ମୁଁ ସବୁ ବନ୍ଦୋବସ୍ତ କରି ଦେଉଛି । ଯଦି ସେମାନେ ଦଙ୍ଗା ହଙ୍ଗାମ କରିବେ ମୁଁ ପୋଲିସର ସାହାଯ୍ୟ ମାଗିବି...

 

ନା, ନା, ନୀଳକଣ୍ଠ ଚିତ୍କାର କରି ଉଠିଲେ–ଗଣତନ୍ତ୍ର ଶାସନରେ ପୋଲିସ ଏ କ୍ଷୁବ୍ଧ ଜନତାର କିଛି କରିପାରିବେନି ଆଜ୍ଞା ।

 

ମୁଁ ନିଜେ ଏ କ୍ଷୁବ୍ଧ ଜନତାର ସାମନା ହୋଇ କୈଫିୟତ ଦେବି ଯାଆନ୍ତୁ, ଦୟା କରି ଯଦି ଏତିକି କରିପାରନ୍ତି...

ଚେୟାରମ୍ୟାନ, ଭାଇସ ଚେୟାରମ୍ୟାନ ବିବ୍ରତ ହୋଇ ଚାଲିଗଲେ । ପିଅନ ଗୋବର୍ଦ୍ଧନ ଭିତରକୁ ପଶି ଆସି ଥନଥନ କଣ୍ଠରେ କହିଲେ–ବାବୁ ! ସଭା କରୁଛନ୍ତି ଏଇ ସେଇ ବଡ଼ ଆମ୍ବତୋଟାରେ ।

–ଏଁ ସଭା କରୁଛନ୍ତି । ଉତ୍ତମ । ତେବେ ଚାଲ ସେ ସଭାରେ ମୁଁ ବି ଯୋଗ ଦେବି । ଅନ୍ତତଃ ଶେଷଥର ଲାଗି ଏ ଅଞ୍ଚଳବାସୀଙ୍କୁ ଥରେ ପୂର୍ଣ୍ଣ ଆଖିରେ ଦେଖି ଆସିବି–ଚାଲ ଶୀଘ୍ର ଚାଲ-

ଗୋବର୍ଦ୍ଧନ କହିଲେ–କ’ଣ ଡ୍ରାଇଭର ଡାକିବି ଆଜ୍ଞା ।

–ନା ନା, ବରଂ ମୁଁ ଚାଲି ଚାଲି ଯିବି ଆସ...ଶୀଘ୍ର ଆସ... ନୀଳକଣ୍ଠ ଡେଇଁ ଡେଇଁ ଚାଲିଗଲେ ।

ପ୍ରମାଦ ଗଣି ସଙ୍କିତ ଚିତ୍ତରେ ଚାଲିଗଲା ପୁରିଆ ।

ବି.ଡ଼ି.ଓ ସାହେବ ଆସୁଛନ୍ତି । ଶ୍ରୀବତ୍ସ ମହାନ୍ତି ଚୁପ୍‍ ଚୁପ୍‍ କରି ନିତ୍ୟାନନ୍ଦ ପଟ୍ଟନାୟକ କାନରେ କହିଦେଲେ । କଥାଟା ଶୁଣି କିଛିକ୍ଷଣ ହସିଲେ ପଟ୍ଟନାୟକ କହିଲେ ବି.ଡ଼ି.ଓ କ’ଣ ଯେ କେହି ଉଚ୍ଚ ଅଫିସରବି ଏ ପରିସ୍ଥିତିରେ ଏଭଳି ଅଧୈର୍ଯ୍ୟ ହୋଇ ଆମ ପାଦତଳକୁ ଆସିବେ । ଏଥିରେ ଭାବିବାର କ’ଣ ଅଛି ? ତେବେ ତମେ ଯାଅ ସଭାସ୍ଥଲୋକଙ୍କୁ ଆୟତ୍ତ କର । ଅନ୍ତତଃ ସେମାନେ ତାଙ୍କର ଦାବି ପୂରଣ କରିବା ପର୍ଯ୍ୟନ୍ତ ନିର୍ଭୟରେ ବସି ରୁହନ୍ତି ଯେପରି

ଶ୍ରୀବତ୍ସ ମହାନ୍ତି ଚାଲିଗଲେ–

ନିଜ ନିଶରେ ଦୁଇ ଚାରିଥର ହାତମାରି ପଟ୍ଟନାୟକ ସ୍ଵଗତୋକ୍ତି କରି ଉଠିଲେ–ଆଚ୍ଛା ! ଏଥର ତୁମେ କେତେ ଦର୍ପ ଦେଖାଇବ ବି.ଡ଼ି.ଓ. । ମତେ ପୁଣି ଅପମାନ ! ନିତ୍ୟାନନ୍ଦ ପଟ୍ଟନାୟକଙ୍କୁ ଚିହ୍ନି ପାରିନ, ନା ! ହୁଁ ।

ସରପଞ୍ଚ ଉପରକୁ ଉଠିଯାଇଁ ହାତଯୋଡ଼ି ଠିଆ ହେଲେ ନୀଳକଣ୍ଠ–ଭାଇମାନେ ! ମାତ୍ର ଦଶମିନିଟ ଲାଗି ଆପଣମାନଙ୍କୁ କୌପିୟତ ମୁଁ ଦେବାକୁ ଧାଇଁଆସିଛି । ମୋର ଏକାନ୍ତ ଅନୁରୋଧ, ଆପଣମାନେ ମୋର କଥା ଧୈର୍ଯ୍ୟର ସହିତ ଶୁଣନ୍ତୁ ।

ସଭା ନିରବ ହେଲା ।

ନୀଳକଣ୍ଠ ଆରମ୍ଭ କଲେ–ଆଜି ମୋର ପରମ ସୌଭାଗ୍ୟରଦିନ ସରକାରୀ କଳରେ ଚାକିରିକରି ଆପଣମାନଙ୍କୁ ସାହାଯ୍ୟ କରିବି ବୋଲି ଚାହିଁଥିଲି କିନ୍ତୁ ଆପଣମାନେ ମୋତେ ସେ ସୁଯୋଗ ଦେଲେନାହିଁ ତେଣୁ ଏଇ ମୁହୂର୍ତ୍ତରୁ ମୁଁ ବି.ଡ଼ି.ଓ, ପଦରୁ ମୁକ୍ତି ନେଉଛି ତେବେ ତା’ ପୂର୍ବରୁ ମୋ ବିରୁଦ୍ଧରେ ଏଯେଉଁ ଶୋଭାଯାତ୍ରା ହୋଇଛି–ତା’ର କୈଫିୟତ ଦେଉଛି ।

ଏସଭା ଶୋଭାଯାତ୍ରାର ଉଦ୍ଦେଶ୍ୟ–ମୁଁ ନିତ୍ୟାନନ୍ଦ ପଟ୍ଟନାୟକଙ୍କୁ ଅପମାନ ଦେଇଛି ମୁଁ ବ୍ଲକଟଙ୍କା ଗର୍ଭସାତ କରିଛି ମୁଁ ଲୋକମାନଙ୍କୁ ଅପମାନ ଦେଉଛି ଏହାର ବିରୁଦ୍ଧରେ ଆପଣମାନେ ପ୍ରତିବାଦ ଶୋଭାଯାତ୍ରା କରିଛନ୍ତି । କିନ୍ତୁ ମୁଁ ଗୋଟିଏ କଥା ପଚାରିବି ଟଙ୍କା ତୋଷାରପ୍ କରି ମୁଁ ଦୋଷୀ ହୋଇଛି, ନା, ଟଙ୍କା ତୋଷାରପ୍ ନକରି ମୁଁ ଦୋଷୀ ହୋଇଛି ?

 

ନିତ୍ୟାନନ୍ଦବାବୁ ମୋର ଏ ପ୍ରଶ୍ନର ଉତ୍ତରଦେବେ, ସେଇ ଉତ୍ତର ପାଇବାପରେ ମୁଁ ଫେରିଯିବି ।

ନିତ୍ୟାନନ୍ଦବାବୁ କହିଲେ–ସେକଥା ଆମେ ଆଗରୁ ଘୋଷଣା କରିଛୁ ।

ନୀଳକଣ୍ଠ ପୁଣି ହାତ ଯୋଡ଼ିଲେ, କହିଲେ ଭାଇମାନେ ଏଥର ମୁଁ ମୋର ବକ୍ତବ୍ୟ ଆରମ୍ଭ କରୁଛି, ଆପଣଙ୍କ ଘୋଷଣାର ପ୍ରତ୍ୟୁତ୍ତର ଦେଇଛି ଶୁଣନ୍ତୁ ।

ସମସ୍ତଲୋକେ ସ୍ଥିରହୋଇ ବସିଲେ–ନୀଳକଣ୍ଠ ଆରମ୍ଭ କଲା–ମୋ ବିରୁଦ୍ଧରେ ଯେଉଁ ପ୍ରତିବାଦ ହୋଇଛି ସେ ପ୍ରତିବାଦକୁ ମୁଁ ପ୍ରଥମେ ଅସ୍ଵୀକାର କରୁଛି, କାରଣ ମୋ ନିଜ ଉପରେ ଅଛି ଅଟଳବିଶ୍ୱାସ, ଜ୍ଞାତସାରରେ ମୁଁ କେବେ କାହାଠାରୁ ଟଙ୍କା ଖାଇନି, ଖାଇବାକୁ ପ୍ରଲ୍ଲୋଭନ ନାହିଁ । ବ୍ଲକର ଟଙ୍କା ଖାଇବା କଥା ସମ୍ପୂର୍ଣ୍ଣ ଭୀତିହୀନ ଓ କପୋଳକଳ୍ପିତ ।

ସଭାମଧ୍ୟରୁ ଜନୈକଭଦ୍ରଲୋକ ଠିଆହୋଇ କହିଲେ–ନିତ୍ୟାନନ୍ଦବାବୁଙ୍କୁ ଆପଣ ଅପମାନିତ କରି ନାହାନ୍ତି ?

ବଶମ୍ବଦ ଅଥଚ ଗମ୍ଭୀର କଣ୍ଠରେ ପ୍ରକାଶ କଲେ ନୀଳକଣ୍ଠ– କରିଛି; ଅସହ୍ୟ ଅପମାନ ଦେଇଛି । କିନ୍ତୁ କାହିଁକି ଅପମାନିତ କରିବାକୁ ମୁଁ ବାଧ୍ୟ ହେଲି ତା’ କାରଣ ଥରେ ଜାଣି ନିଅନ୍ତୁ ।

ଭଦ୍ରଲୋକ ଜଣଙ୍କ ଯଥାଶୀଘ୍ର କହିବାକୁ ଇଙ୍ଗିତ ଦେଲେ ।

ନୀଳକଣ୍ଠ ଗମ୍ଭୀର କର୍କଶ କଣ୍ଠରେ କହିଲେ ନିତ୍ୟାନନ୍ଦବାବୁ ମୋତେ ପ୍ରଥମେ ଅପମାନ ଦେଇଛନ୍ତି ମୋର ନୀତିଗତ ଜୀବନକୁ କଳଙ୍କିତ କରିବାକୁ ଅନୁରୋଧ କରିଛନ୍ତି । କୁହନ୍ତୁତ ଦେଖି ନିଜର ଆଦର୍ଶ ନୀତି ଉପରେ ଆଞ୍ଚ ଆସିଲେ ଆପଣମାନେ ଦୁଃଖିତ ବିବ୍ରତ ହେବେନି ?

 

–କଥାଟା ପରିଷ୍କାର କରି କହିବାକୁ ସଭାରୁ ନିର୍ଦ୍ଦେଶ ଆସିଲା । ନୀଳକଣ୍ଠ କହିଲେ–ଦେଖନ୍ତୁ ନିତ୍ୟାନନ୍ଦବାବୁ ଆପଣଙ୍କ ଅଞ୍ଚଳର ଲୋକ । କିନ୍ତୁ ମୁଁ ବହୁଦୂରରୁ ଏଠିକି ଆପଣଙ୍କ ସେବା କରିବାକୁ ଆସିଛି । ମୋ ଉପରେ ଆପଣଙ୍କର ଯେତିକି ଆସ୍ଥା ଅଛି ତା’ଠାରୁ ନିତ୍ୟାନନ୍ଦବାବୁଙ୍କ ଉପରେ ଆସ୍ଥାଟା ଆପଣମାନଙ୍କର ବେଶି । କିନ୍ତୁ ସତ୍ୟ କଥା କହିବାକୁ ମୁଁ ଏଠି ଠିଆ ହୋଇଛି । ଆପଣମାନେ ନିଜର କାହାକୁ ନ ଭାବି ମୋ କଥାକୁ ବିଚାର କରିବେ । ଆପଣଙ୍କର ବିଚାରହିଁ ଚୂଡ଼ାନ୍ତ ବିଚାରରୂପେ ଗ୍ରହଣ କରାଯିବ ।

 

ନୀଳକଣ୍ଠର ପୂର୍ବାଭାସ ଶୁଣିବାକୁ ସଭା ସ୍ଥିର କରି ନ ଥିଲା । ବ୍ୟସ୍ତ ହେଲା ସଭା । ନୀଳକଣ୍ଠ କଣ୍ଠରୁ ଜଡ଼ତା କାଟି କହିଲେ–ନିତ୍ୟାନନ୍ଦ ବାବୁ ଦିନେ ସନ୍ଧ୍ୟାରେ ମୋ ବସାକୁ ଯାଇଥିଲେ । ତାଙ୍କ ବାରିରେ ଏକ ଟିଉବଓ୍ୟେଲ ବସାଇବାକୁ ସେ ଚେୟାରମ୍ୟାନଙ୍କୁ ଟ୫୦ଙ୍କା ଦେଇଥିବାର ମୋତେ ଜଣାଇଥିଲେ ଏବଂ ଏକଶତ ଟଙ୍କାର ଖଣ୍ଡେ ନୋଟ୍‍ ମୋ ଉଦ୍ଦେଶ୍ୟରେ ବଢ଼ାଇ ଦେଇ ଏକ ଟିଉବଓ୍ୟେଲ ତାଙ୍କ ବାରିରେ ବସାଇ ଦେବାକୁ ଅନୁରୋଧ କରି ଥିଲେ–ତାଙ୍କ କଥା ଶୁଣି ମୁଁ ବିରକ୍ତ ହୋଇ ତାଙ୍କୁ ଅପମାନିତ କରିଛି । ବସାରୁ ବାହାରି ଯିବାକୁ ନିଷ୍ଠୁର ଆଦେଶ ଦେଇଛି । ଆପଣମାନେ ଧର୍ମପରାୟଣ ବ୍ୟକ୍ତି । ଏଥର ବିଚାର କରନ୍ତୁ ତାଙ୍କଠାରୁ ଟଙ୍କା ନେଇ ମୁଁ ଯଦି ଟିଉବଓ୍ୟେଲଟିଏ ତାଙ୍କ ବାରିରେ ବସାଇବାକୁ ଅନୁମତି ଦେଇଥାଆନ୍ତି ତା’ହେଲେ କ’ଣ ମୁଁ ଠିକ୍ କରି ଥାଆନ୍ତି ?

 

ସଭାରୁ ଜଣେ କିଏ ପ୍ରଶ୍ନ କଲେ–ପ୍ରମାଣ ।

 

ହସିଲା ନୀଳକଣ୍ଠ–କିଳାପତା ଦିଆନିଆ ଏକାନ୍ତ ନିର୍ଜନରେ ହୁଏ । ଏଥିଲାଗି ପ୍ରମାଣ ଖୋଜିଲେ କ’ଣ ପାଇପାରିବେ । ତା’ଛଡ଼ା ମୁଁ ମିଛ କହୁଥିବା କଥା ଯଦି ଆପଣମାନେ ସନ୍ଦେହ କରନ୍ତି ତା’ହେଲେ ମୋର ଆଉ କିଛି କହିବାର ନାହିଁ । କିନ୍ତୁ ନିତ୍ୟାନନ୍ଦ ବାବୁ ଏ ଜନତାର ଦରବାରରେ ଠିଆ ହୋଇ ସତ୍ୟ କୁହନ୍ତୁ–ଏ କଥା ସତ୍ୟ ନୁହେଁକି ???

 

ସଭାଲୋକ ନିତ୍ୟାନନ୍ଦବାବୁଙ୍କୁ ଖୋଜିଲେ । କିନ୍ତୁ ନିତ୍ୟାନନ୍ଦ-ବାବୁ । ନିତ୍ୟାନନ୍ଦବାବୁଙ୍କୁ ଖୋଜା ଚାଲିଲା–କିନ୍ତୁ ସେ କାହାଁନ୍ତି ।

 

ସଭାମଞ୍ଚ ଉପରକୁ ଜଣେ ବୃଦ୍ଧ ଉଠିଯାଇ ଲୋକମାନଙ୍କ ଉଦ୍ଦେଶ୍ୟରେ ଦୁଃଖିତ ହୋଇ କହିଲେ ଦେଖ ନିତ୍ୟାନନ୍ଦବାବୁ ନିଜେହିଁ ଦୋଷୀ । ବି.ଡ଼ି.ଓ ସାହେବ ବଡ଼ ମହତ ଲୋକ । ତାଙ୍କ ବିରୁଦ୍ଧରେ ମିଥ୍ୟା କଥା କହି ଆମକୁ ସେ କ୍ଷୁବ୍ଧ କରି ନିଜର ଫାଇଦା ଉଠାଇବାକୁ ଚାହୁଁଥିଲେ–କିନ୍ତୁ ହେଲା ନାହିଁ । ସେ ଅନ୍ତର୍ଦ୍ଧାନ ହେଲେଣି । କିନ୍ତୁ ସମସ୍ତେ ଚାଲ–ଆମ ବି.ଡ଼ି.ଓ ସାହେବଙ୍କୁ ଯିଏ ଅପମାନିତ କରିଛନ୍ତି ତାକୁ ଦେଖିବା ।

 

ସଭାରେ ରୋଳ ଉଠିଲା । ଜନତାର କଣ୍ଠ ରୋଳ । ସିନ୍ଧୁ ଉର୍ମି ପରି ମାଡ଼ିଗଲେ ନିତ୍ୟାନନ୍ଦ ବାବୁଙ୍କ ସନ୍ଧାନରେ । ବି.ଡ଼ି.ଓ ସାହେବ ନିତ୍ୟାନନ୍ଦ ବାବୁଙ୍କୁ କ୍ଷମା ଦେବାକୁ ଅନୁରୋଧ କରୁଛନ୍ତି, ଉଦ୍ଧତ ଜନତା କି ସେ କଥା ଶୁଣେ ।

 

ଜନତା ଯେଉଁଠି ତାତି ଉଠିଛି । ନୀଳକଣ୍ଠ କ’ଣ ବା କରିପାରିବେ ।

 

କୌଣସି ପ୍ରକାର ଅବସ୍ଥାଟା ଆୟତ୍ତ ହୋଇଗଲା ଉଦବେଳିତ ଜନ ସମୁଦ୍ରରେ ଭଟ୍ଟା ପଡ଼ିଲା । ଅଶାନ୍ତ ଝଡ଼ଟା ଶାନ୍ତ ହେଲା ନାହିଁ ନୀଳକଣ୍ଠର ମନରୁ ।

 

ଯେଉଁ ଦେଶରେ ପାପ ସତ୍ୟର ବିରୁଦ୍ଧରେ ଯାଏ । ଯେଉଁ ଦେଶର ଜନତା ଶାନ୍ତିର ସିଂହାସନକୁ କଳୁଷିତ କରିବାକୁ ପ୍ରତିଜ୍ଞାବଦ୍ଧ । ଅସତ୍ୟ ଯେଉଁ ଦେଶର ସମ୍ରାଟ ସେ ଦେଶରେ ସେ ଦେଶ ସେବା କରିପାରିବ ନାହିଁ । ନୀତିଗତ ଜୀବନକୁ ସେ ବଞ୍ଚାଇ ରଖିପାରିବ ନାହିଁ । ସେ ବଞ୍ଚିବାକୁ ହେଲେ ଚାକିରି ଯଥାଶୀଘ୍ର ବର୍ଜନ କରିବ । ନିଶ୍ଚୟ, ନିଶ୍ଚୟ, ନୀଳକଣ୍ଠ ନିଷ୍ଠୁର ପ୍ରତିଜ୍ଞା କରିଛି ।

 

ଏ ପ୍ରତିଜ୍ଞା ଶୁଣି ଚେୟାରମ୍ୟାନ ଆସି ହାତଧରି ପକାଇଛନ୍ତି ନୀଳକଣ୍ଠର । କଣ୍ଠବାବୁ ! ମୁଁ ଆପଣଙ୍କର ପିତୃସ୍ଥାନୀୟ ଲୋକ । ମୋର ଅନୁରୋଧ ଏ ବିରୁଦ୍ଧ ଜନତାର ନିବେଦନ । ରେଜିଂନେସନଟା କ୍ୟାନସେଲ କରନ୍ତୁ ।

 

କ’ଣ କରିବ, ନୀଳକଣ୍ଠ ।

 

ଜନତାର ସେବା ଲାଗି–ପିତୃସ୍ଥାନୀୟ ବ୍ୟକ୍ତିଙ୍କର ସମ୍ମାନ ରକ୍ଷା ଲାଗି ସେ କ’ଣ ପୁଣି ସେଇ ଅଶାନ୍ତିଗ୍ରସ୍ତ ସିଂହାସନରେ ହେବ ସମ୍ରାଟ ।

 

ହଁ, ନୀଳକଣ୍ଠର ବିବେକରେ ପ୍ରତିବାଦ ଦରିଦ୍ର ଜନତାର ସ୍ଵାର୍ଥରକ୍ଷାଲାଗି ବୁଭୁକ୍ଷୁ ଜନତାକୁ ଅନ୍ନବଣ୍ଟନ ଲାଗି ତୋତେ ନୀଳକଣ୍ଠ ରହିବାକୁ ପଡ଼ିବ । ତୋ ସ୍ଵାର୍ଥ ତୋ ନୀତି ବିନିମୟରେ ଏ ଦେଶରେ ଏକ ସୁସ୍ଥ ବାତାବରଣ ସୃଷ୍ଟି ହେଉ । ତୋ ମହାନ ଆଦର୍ଶ ଏ ଦେଶର ଭାବୀ-ବଂଶଧରକୁ ଆଲୋକ ଦେଖାଉ । ତୋର ଆଦର୍ଶରେ ଅନୁପ୍ରାଣିତ ହୋଇ ଏ ଦେଶର ଭାଗ୍ୟଧରମାନେ ମଣିଷ ହୁଅନ୍ତୁ । ଏ ଦେଶର ଭାଗ୍ୟାକାଶରୁ ଏ ଅସଭ୍ୟ ସଭ୍ୟତା ଏ ଅନ୍ୟାୟ ଅତ୍ୟାଚାରର ମୂଳୋତ୍ପାଟନ ହେଉ ନୀଳକଣ୍ଠ ଏ ଦେଶର ଅଗଣିତ ଜନତାର ଜୀବନର ଯାଲାଗି ତୋ ଜୀବନ ସ୍ଵାର୍ଥମେଧ ଯଜ୍ଞର ପ୍ରଧାନ ଇନ୍ଧନହେଉ ।

 

ବିବେକର ନୀତିବାଣୀକୁ ସ୍ଵାଗତ କରିଛି ନୀଳକଣ୍ଠ !

 

ଏମିତି ମାସେ, ଦୁଇମାସ କଟିଯାଇଛି...ଦେଶର ଦରିଦ୍ର ଜନତାକୁ ରକ୍ଷା କରିବାକୁ ପାଗ ଭିଡ଼ିଛି ନୀଳକଣ୍ଠ ! ନିଜ ଜୀବନର ସୁଖ ସଳିତାକୁ ତିଳ ତିଳ କରି ଜଳାଇ ସେ ଏ ଦେଶର ଲକ୍ଷ ଜନତାର ଅନ୍ଧକାର ପଥକୁ ଆଲୋକିତ କରିବାକୁ ଲାଗି ପଡ଼ିଛି । ନୀଳକଣ୍ଠର ଏ ଆଦର୍ଶ ଏ ନୀତି ଉଚ୍ଚ ମହଲରେ ବିଶେଷ ଆଦୃତ ହେଉଛି । ଫଳରେ ସେ ବ୍ଲକର ଉନ୍ନୟନ କାର୍ଯ୍ୟ ଆଗେଇଯାଇଛି ଖୁବ୍ ଦ୍ରୁତରେ ।

 

ସେ ଅଞ୍ଚଳରେ ଥରେ ବିରାଟ ଜନତାର ସଭାରେ ମୁଖ୍ୟମନ୍ତ୍ରୀ ପ୍ରଶଂସା କରି କହିଛନ୍ତି–ନୀଳକଣ୍ଠବାବୁଙ୍କ ଭଳି ପ୍ରତ୍ୟେକ ବି.ଡ଼ି.ଓ ଯଦି କାମ କରନ୍ତେ ଏ ଦେଶରେ ପଞ୍ଚବାର୍ଷିକ ଯୋଜନା ସାଫଲ୍ୟମଣ୍ଡିତ ହେବାକୁ କଷ୍ଟ ଲାଗିବ ନାହିଁ । ନୀଳକଣ୍ଠ ବାବୁ ଏ ଦେଶର ଆଦର୍ଶ । ପ୍ରତ୍ୟେକ ଉଚ୍ଚ ଅଫିସର ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୁଅନ୍ତୁ !

 

ଜନତାର ସେବାରେ ନିଜକୁ ହଜାଇ ଦେଇ ନୀଳକଣ୍ଠ ଭୁଲିଯାଇଛି ତା’ ପ୍ରିୟ ପରିବାରର କଥା ! ଭୁଲିଯାଇଛି ସେ ନିଜକୁ ମଧ୍ୟ । ସବୁବେଳେ ଉନ୍ନୟନ କାର୍ଯ୍ୟରେ ବ୍ୟସ୍ତ ରହି ସେ ଯେଉଁ ସ୍ୱର୍ଗୀୟ ଶାନ୍ତିର ସନ୍ଧାନ କରିଛି–ସେ ଶାନ୍ତି କ’ଣ ନୀଳକଣ୍ଠ ମନରୁ ସମସ୍ତ ସାଂସାରିକ ମୋହ, ମାୟା, ମମତା, ପାଖରୁ ଦୂରକୁ ଟାଣି ନେଇଛି !!

 

ଅଫିସରୁ ଦୀର୍ଘ ତିନିମାସ ପରେ ଖଣ୍ଡେ ନିଜର ଚିଠି ପାଇଲା ନୀଳକଣ୍ଠ । ଧନଞ୍ଜୟ ଦେଇଛନ୍ତି ଚିଠି ।

 

ନୀଳକଣ୍ଠ ଆବେଗରେ ଚିଠିଟି ପଢ଼ୁ ପଢ଼ୁ ଆର୍ତ୍ତନାଦ କରି ଉଠିଲେ–ଇସ୍ ! ଇସ୍ ! ନୀଳକଣ୍ଠର ଆର୍ତ୍ତନାଦ ଶୁଣି ପିଅନ ପୁରିଆ କହିଲା–ସାର୍ କ’ଣ ହେଲା ? ଚିଠିଧରି ନୀଳକଣ୍ଠ ଥରୁଥିଲେ । ସମଗ୍ର ଶରୀରରେ ତାଙ୍କର ସେଇ କମ୍ପନ...

 

ହେଡ଼କ୍ଲର୍କ ପଶିଆସି କହିଲେ–ସାର୍ କ’ଣ ହେଲା । ଚିଠିଟି ବଢ଼ାଇ ଦେଇ ନିରବରେ ଲୁହ ପୋଛିଦେଲେ ନୀଳକଣ୍ଠ ।

 

ହେଡ଼କ୍ଲର୍କ ଚିଠି ପଢ଼ିଲେ–ଗିରିବାଳା ଅସୁସ୍ଥ ! ବସିବା ଠାରୁ ଉଠିଆସିବୁ ।

 

ଏ ବିପତ୍ତି ବେଳେ ନୀଳକଣ୍ଠର ଉପାୟ କ’ଣ ।

 

ମାତ୍ର ଦୁଇଘଣ୍ଟା ଭିତରେ ନୀଳକଣ୍ଠ ଘରକୁ ଯିବାର ବ୍ୟବସ୍ଥା ହୋଇଗଲା । ଭୟ ସଙ୍କିତ ଚିତ୍ତରେ ନୀଳକଣ୍ଠ କେବଳ ଶେଷ ପରିଣତିଟାକୁହିଁ ପ୍ରତୀକ୍ଷା କରିଥିଲେ...

 

ଅନେକ ବିଳମ୍ବରେ ଡାକ୍ତର ଘେନି ପହଞ୍ଚିଲା ନୀଳକଣ୍ଠ ! ଅନେକ ଆକୁଳ ପ୍ରତୀକ୍ଷା କରିବା ପରେ ଗିରିବାଳାର କଣ୍ଠସ୍ଵର ଚିରଦିନ ଲାଗି ସ୍ଥିର ହୋଇ ଆସୁଥିଲା ! ଗିରିବାଳାର ଏ ଆସନ୍ନ ଅଶୁଭ ଅବସ୍ଥା ଦେଖି ଚିତ୍କାର କରିଉଠିଲେ ନୀଳକଣ୍ଠ–ବାଳା !

 

ବାଳା ଆଖି ଖୋଲି ଚାହିଁଲା । ଯନ୍ତ୍ରଣା ବିକଳ ବିକୃତ କଣ୍ଠରେ ଅସ୍ପଷ୍ଟ ଉଚ୍ଚାରଣ କଲା । ପାଖକୁ ଆସ ।

 

ଯନ୍ତ୍ରଚାଳିତ ଭଳି ଆଗେଇ ଗଲା ନୀଳକଣ୍ଠ ।

 

ନିଜ ପ୍ରିୟର ମୁଖକୁ ଚାହିଁ ହସିବାକୁ ଚେଷ୍ଟାକଲା ବାଳା । କିନ୍ତୁ ସେ ବିକୃତ ହସ ବରଂ ସେ ନ ହସୁ । ବାଳାର ଦୁଇଆଖିରୁ ଦୁଇଧାର ଲୁହ ଗଡ଼ି ଆସିଲା । ସେ ଲୁହର ମୂଲ୍ୟାଙ୍କନ କରିବା ନୀଳକଣ୍ଠ ପାଖରେ ସମ୍ଭବ ନୁହେଁ ।

 

–ଆହୁରି ରୋଗଶଯ୍ୟା ନିକଟକୁ ଘୁଞ୍ଚି ଆସିବାକୁ ବାଳା ବହୁ କଷ୍ଟରେ ଇଙ୍ଗିତ ଦେଲା…ନୀଳକଣ୍ଠ ଘୁଞ୍ଚି ଠିଆ ହେଲା । ନୀଳକଣ୍ଠ ପାଦର ଧୂଳି ନେଇ ପାଟିରେ ମାରିଲା ବାଳା । ମୁଣ୍ଡରେବି ବୋଳିବାକୁ ଚେଷ୍ଟା କଲା ।

 

ନୀଳକଣ୍ଠ ଚିତ୍କାର କରି ଉଠିଲା–ଡାକ୍ତର !

 

ଡାକ୍ତର ମୁହଁବୁଲାଇ ନେଇଥିଲେ–ବହୁକଷ୍ଟରେ ତକିଆ ତଳକୁ ଇଙ୍ଗିତ ଦେଇ ବାଳା ସ୍ଥିର ହୋଇଗଲା ।

 

ଚଞ୍ଚଳ ହସ୍ତରେ ତକିଆ ଟେକି ନୀଳକଣ୍ଠ ଚିଠିଟି ପାଇଲା । ଅନେକ ଆଶା କରିଥିଲି ଶେଷଥର ଲାଗି କଥାବାର୍ତ୍ତା ହେବାକୁ । ଅନେକ କଥାବାର୍ତ୍ତା ରହିଗଲା । ମୋ ମୃତ୍ୟୁରେ ଦୁଃଖିତ ହେବେନି । ସବୁ ଭୁଲି ପୁନର୍ବିବାହ କରିବେ, କାରଣ ଆପଣଙ୍କ ସନ୍ତାନ ମୋର ପିଣ୍ଡ ପାଣି ଦେବ । ମୋର ଶେଷ ନମସ୍କାର ନେବେ ।

 

ନୀଳକଣ୍ଠ ଆର୍ତ୍ତନାଦ କରି ଉଠିଲା–ବାଳା !

 

କିନ୍ତୁ ଅଭିମାନିନୀ ବାଳା ଅଭିମାନ କରିଛି । ଗୁରୁତର ସେ ଅଭିମାନ । ସେ ଆଉ ତା’ ପ୍ରିୟର ଡାକ ଶୁଣିବ ନାହିଁ । ଏ ଅଭିଶପ୍ତ ସମାଜର ବିଷ ନିଃଶ୍ଵାସରେ ତା’ର ପ୍ରାଣ ଜଳି ଜଳି ନିର୍ବାପିତ ହେବ । ସେ ଚାହିଁଛି ଏ ଯନ୍ତ୍ରଣାରୁ ମୁକ୍ତି, ଏକ ଶାନ୍ତି ଜଗତର ସନ୍ଧାନରେ ବାଳା ବିବ୍ରତ…ସେ ପଥରୁ ତାକୁ ଏ ଯୁଗର ଡାକ୍ତର ରକ୍ଷା କରିପାରିବେ ନାହିଁ…ତା’ର ଶାନ୍ତିକାମୀ ଆତ୍ମାପକ୍ଷୀ ଏ ଘଟର ପଞ୍ଜରୀ ଛାଡ଼ି ଯିବାକୁ ବ୍ୟସ୍ତ । ବାଳା ଆଖି ମୁଦିଲା । ଶେଷଥର ଲାଗି ଏ ପୃଥିବୀର ଆଲୋକ, ପବନ, ପାଣି, ମୋହକୁ ତୁଟାଇ ସେ ବୁଜିଲା ଆଖି । କେହି ତାକୁ ବ୍ୟସ୍ତ କରନି…ଶାନ୍ତିର ସନ୍ଧାନ ସେ କରୁ !

 

ଶାନ୍ତିର ସନ୍ଧାନରେ ଏ ଅଶାନ୍ତି ଜର୍ଜରିତ । ମିଥ୍ୟା ଅପବାଦ ଜଡ଼ିତ ଅସୁସ୍ଥ ସଂସାରକୁ ଛାଡ଼ି ଚାଲି ଯାଇଛି ଗିରିବାଳା । ଗିରିବାଳାକୁ ଏ ଅପଥରୁ ଉଦ୍ଧାର ନ କରିପାରି ନିରାଶ ଦୁଃଖିତ ହୃଦୟରେ ଫେରି ଯାଇଛନ୍ତି ଡାକ୍ତର । ନିଜ କୁଳବଧୂର ଏ ଆକସ୍ମିକ ମୃତ୍ୟୁରେ ଏକସଙ୍ଗରେ ଚିତ୍କାର କରି ଗଗନ ମନ୍ଥନ କରିଛନ୍ତି ଧନଞ୍ଜୟର ପରିବାର ।

 

ବାଳାର ମୃତ ଶରୀର ଉପରେ ହାମୁଡ଼େଇ ପଡ଼ି ଏକ ଅବୋଧ୍ୟ ଶିଶୁଭଳି କଇଁ କଇଁ ହୋଇ କାନ୍ଦୁଛି ନୀଳକଣ୍ଠ । ସବୁ ପାଇ ହରାଇ ଦେବାର ସେ କ୍ରନ୍ଦନ…କିନ୍ତୁ କାହାର କ୍ରନ୍ଦନର ରୋଳ ଗିରିବାଳାର କର୍ଣ୍ଣକୁହରକୁ ପ୍ରକମ୍ପିତ କରିପାରିବ ନାହିଁ । କିନ୍ତୁ ଗିରିବାଳାର ଏ ଆକସ୍ମିକ ମୃତ୍ୟୁ ଏ ସଂସାରର ଅସୁସ୍ଥ ରୁଗ୍‍ଣ ପାରିବାରିକ ଜୀବନର ଝଡ଼ ସୃଷ୍ଟି କରୁ । ସବୁ ସହି ସହି ଗିରିବାଳା ଶେଷରେ ଏ ରୁଗ୍‍ଣ ପାରିବାରିକ ଜୀବନର ଆଶୁ ପରିବର୍ତ୍ତନ ଲାଗି ଯେଉଁ ଯେଉଁ ବିପ୍ଳବର ଚାରାଗଛ ରୋପିଗଲା ସେ ଚାରାଗଛ ବିରାଟ ଦ୍ରୁମରେ ପରିଣତ ହୋଇ ଏ କୁସଂସ୍କାର ଜଡ଼ିତ ପାରିବାରିକ ଜୀବନରେ ପରିବର୍ତ୍ତନ ଆଣୁ…ଏ ସମାଜର କୁସଂସ୍କାର ପାଚେରୀକୁ ସେ ବିପ୍ଳବର ମହାମନ୍ତ୍ର ଟଳାଇଦେଉ । ପବିତ୍ର ହିନ୍ଦୁ ପରିବାରର ପାରିବାରିକ ଜୀବନରେ ଉଦୟ ହେଉ ନୂତନ ସୁଖର ସୂର୍ଯ୍ୟ ।

 

ମହାଶୂନ୍ୟରୁ ହୁଏତ ଏଇ କଥା କିଏ ଘୋଷଣା କରୁଥିଲା । କିଏ ଜଣେ ହୁଏତ ଏ ଘୋଷଣା ଶୁଣି ବିକୃତ କଣ୍ଠରେ ପ୍ରଶ୍ନ କରି ଉଠୁଥିଲା–କିନ୍ତୁ ନୀଳକଣ୍ଠ !!

 

–ତିନି–

 

ଆକାଶରୁ ଦିନାନ୍ତର ରଙ୍ଗ ନିଶ୍ଚିତ ହୋଇ ଯାଇଛି ଆହା ? ପ୍ରାଗୈତିହାସିକ କବିର ଅନ୍ଧକାର ଏଇ ଆକାଶର ସେଇ ହଳଦୀ-ଅଳତା ମିଶ୍ରଣର ରଙ୍ଗକୁ ଜିଭ ବୁଲାଇ ଚାଟି ଦେବାକୁ ସାହସ କରି ପାରିଲା !!!

 

ବାତାୟନ ରେଲିଂକୁ ଧରି ସେଇ ଆଦିମ ଗର୍ବର ଅନ୍ଧକାରକୁ ବଡ଼ ବିଭତ୍ସ ନିଷ୍ଠୁର ହିଂସ୍ର ଚାହାଣିରେ ଚାହିଁଥିଲା ନୀଳକଣ୍ଠ । ହୁଏତ ସେଇ ମହାଅନ୍ଧକାରରୁ ସେ ଖୋଜିବାକୁ ଚେଷ୍ଟା କରୁଥିଲା ତା’ହଜିଗଲା ଅତୀତର ସକୁରଣ କାହାଣୀର ମାନଚିତ୍ର !

 

ଗିରିବାଳାର ଚିତାଗ୍ନିରେ ଜଳିପୋଡ଼ି ପାଉଁଶ ହୋଇଗଲା ନୀଳକଣ୍ଠ ସୁଖର ସଂସାର ନୀଳକଣ୍ଠର ମଧୁର ଦାମ୍ପତ୍ୟ ଜୀବନ । ମାନସୀଠାରୁ ଗିରିବାଳା ଜୀବନର ହା-ହୁତାଶପୂର୍ଣ୍ଣ କାହାଣୀ ଶୁଣି ବିକୃତ ହେଲା ନୀଳକଣ୍ଠର ସୁସ୍ଥ ମସ୍ତିଷ୍କ । ବି.ଡ଼ି.ଓ ଚାକିରିକୁ ଛାଡ଼ି ସହରର ମାଟି ଗୋଡ଼ି ରାସ୍ତାକୁ ସେଇ ବିକୃତ ମସ୍ତିଷ୍କରେ ବାହାରିପଡ଼ିଲା ସେ । ହୁଏତ ଗିରିବାଳାର ଅତୃପ୍ତ ଆତ୍ମାକୁ ଖୋଜିବାକୁ ନିଶ୍ଚୟ ଏ ବ୍ରହ୍ମପୁର ସହରର ପ୍ରତ୍ୟେକ ଗଳିରେ ବୁଲି ଖୋଜିଲା ସେ ବାଳାକୁ କିନ୍ତୁ ଧାଇଁ ଧାଇଁ ଥକି ପଡ଼ିଲା ତା’ର ପାଦ, କିନ୍ତୁ ବାଳା କ’ଣ ତାକୁ ସାକ୍ଷାତ ଦେଲା ?

 

ଲୋକେ ନୀଳକଣ୍ଠକୁ ସନ୍ଦେହ କଲେ । ନୀଳକଣ୍ଠର କୁତ୍ସିତ ବେଶ ଦେଖି ଟେକା ଫୋପାଡ଼ିଲେ ଛୋଟ ଛୋଟ ପିଲା । କାରଣ ସେ ପାଗଳ ! ତା’ ବେଶବାସ, ପ୍ରଳାପହିଁ ତା’ପାଗଲାମିର ହେଲା ଜ୍ୱଳନ୍ତ ପ୍ରମାଣ ।

 

ଦୁନିଆରେ କିଏ ପାଗଳ ନୁହେଁ ? କିଏ ଧନ ପଛରେ ତ କିଏ ନାରୀ ପଛରେ ଆଉ ସେ ?

 

ନୀଳକଣ୍ଠ ଅଟ୍ଟହାସ୍ୟ କରି ଉଠିଲା–ହିଃ–ହିଃ–ହିଃ–ହିଃ–ହିଃ–ହିଃ–ହିଃ–ହିଃ ।

 

ସେ ପାଗଳ । ଲୋକେ କହୁଛନ୍ତି ସେ ବଦ୍ଧ ପାଗଳ । ଯେଉଁ ସମାଜ ତା’ର ପ୍ରିୟ ପତ୍ନୀର ଅକାଳ ମୃତ୍ୟୁ ଘଟାଇଛି, ତା’ର ନୀତିଗତ ଜୀବନକୁ ଧ୍ଵଂସ କରି ସେଇ ସମାଜବି ତାକୁ ଆଖ୍ୟା ଦେଇଛି ‘ପାଗଳ’ । ପାଗଳ ଛଡ଼ା ସେ ଆଉ କ’ଣ ହୋଇପାରେ ?

 

ପୁଣି ହସିଲା ନୀଳକଣ୍ଠ ! ନିଜ ଅଯତ୍ନ ବର୍ଦ୍ଧିତ କେଶକୁ ଉପାଡ଼ିବାର ଅପଚେଷ୍ଟା କରୁ କରୁ ବିକୃତ ବିଭତ୍ସ ସ୍ୱରରେ ହସିବାକୁ ଚେଷ୍ଟା କଲା । ସେ ହସର ନିଷ୍ଠୁର କର୍କଶ ସ୍ୱରରେ ଏ ସମାଜର ବାୟୁମଣ୍ଡଳରେ କ’ଣ କମ୍ପନ ଜଗାଇ ପାରିବ ନାହିଁ ?

 

–ହୋ–ହୋ–ହୋ; ହୋ–ହୋ–ହୋ,–ହୋ–ହୋ–ହୋ...

 

–ଭାଇ !

 

ବାହାର ପୃଥିବୀରୁ ମୁହଁ ଫେରାଇ ଚାହିଁଲା ନୀଳକଣ୍ଠ କକ୍ଷ ଭିତର ଅନ୍ଧକାର ଭିତରୁ କଣ୍ଠ ସ୍ୱର ବାରି ଚମକି ଉଠିଲା ସେ–ଏଇ ଭଉଣୀ ମମତା ଆସିଗଲାଣି ଏଥର ବଡ଼ ବଡ଼ ଆଖି ଦେଖାଇ ଆକଟ କରିବ । କାକୁତି ମିନତି ହୋଇ ପାଗଳାମି ଛାଡ଼ିବାକୁ ଅନୁରୋଧ କରିବ...ବ୍ୟସ୍ତ ହେବ...କାନ୍ଦିବ ।

 

ନୀଳକଣ୍ଠ ସ୍ୱର୍ଗତୋକ୍ତି କରି ଉଠିଲା–ଏ ପାଟି ଚୁପ୍, ହସ ଚୁପ୍, ସବୁ ଚୁପ୍ ତା’ପରେ ସେ ଅନ୍ଧାରରେ ଦରାଣ୍ଡି ଦରାଣ୍ଡି ମମତାକୁ ଧରି ପକାଇ କହିଲା–ମୁଁ ଆଉ ହସିବିନି ଭଉଣୀ ! ତୁ ମୋ ଉପରେ ରାଗିବୁ ! ନାଇଁ ତୁ ରାଗିବୁ ?

 

ମମତା ହୁଏତ କାନ୍ଦୁଛି । ନୀଳକଣ୍ଠ କହିଲା ମମି ! ତୁ ଯଦି ପୁଣି କାନ୍ଦିବୁ...ମମି ଆରେ ମୁଁ...ଦେଖିବୁ…ହେ ମମି ଦେଖିବୁ...

 

ବାଷ୍ପକୁଳ କଣ୍ଠରେ ମମତା–ଭାଇ ଏ ଛୋଟ ଭଉଣୀ କଥା କ’ଣ ତମେ ରଖିବ ନାହିଁ ? ଯଦି ନରଖିବ ସତ କହୁଛି ।

 

–ଚୁପ୍ ଚୁପ୍ । ପାଗେଳୀ...ଆରେ, ତୁ କ’ଣ ମତେ କହୁଛୁ ପାଗଳ...ହେ-ହେ-ହେ ମମି, ତୁ ବି ଗୋଟାଏ ପାଗେଳୀ–ହେ ତୁ ତ ଶକତ ପଗେଳୀ ମମି...

 

ନିଜ ଟାଉଏଲରେ ମମିର ଆଖିରୁ ପାଣି ପୋଛି ଦେଇ ନୀଳକଣ୍ଠ ପୁଣି କହିଲା–ହେ ମମି, ତୁ ଦୁଃଖ କରିବୁ ? ହେ ତୁ କାନ୍ଦିବୁ ?

 

ମମତା ଥର ଥର ବେଦନା ଜଡ଼ିତ କଣ୍ଠରେ କହିଲା–ତମେ ଆଉ ଏମିତି ହସିବ ନାହିଁତ-! ସତରେ ଭାଇ, ତମ ହସ ଶୁଣି ମତେ ଭାରି ଡର ମାଡ଼ୁଛି ।

 

–ସତରେ ମମି ! ତା’ହେଲେ ଦେଖ୍‍ ମୁଁ ଆଦୌ ହସିବି ନାହିଁ । ହେଁ ମୋ ଟିକି ଭଉଣୀ ଡରିବ ଆଉ ମୁଁ ହସିବି ?

 

ମମତା କହିଲା ଆଲୁଅ ନ ଲଗାଇ......

 

ନୀଳକଣ୍ଠ ହସିଲା–କହିଲା ମମି ଦିନଯାକତ ସୂର୍ଯ୍ୟାଲୋକରେ ରହିଲୁ ଏଇ କେଇଘଣ୍ଟା ଏ ଅନ୍ଧାରରେ ରହିଲେ କ’ଣ ହୁଅନ୍ତା ନାହିଁ ? ମମି, ସତ କହୁଛି ମତେ ଏ ଅନ୍ଧାରଟା ଭାରି ଭଲ ଲାଗୁଛି ।

 

ମମତା ପ୍ରତିବାଦ କଲା ନାଇଁ !

 

ନୀଳକଣ୍ଠ କହିଲା–ନାଇଁ ଯଦି ତୋର କିଛି ଅସୁବିଧା ହେଉଥାଏ ତେବେ ମା ଟା ପରା ଯା, ଲଣ୍ଠନଟା ଲଗାଇଦେ ।

 

କିଛି ନ କହି ମମତା ଚାଲିଗଲା ।

 

ନୀଳକଣ୍ଠ ମମତାର ଗତିପଥକୁ କେବଳ ଲକ୍ଷ କରିଥିଲା । ମମତା ! କାହିଁକି ଏ ପାଗଳଟା ଉପରେ ତା’ର ଏତେ ମମତା ! ଦୁନିଆ ଯାହାକୁ ଘୃଣାକରେ, ସମାଜ ଯାହାକୁ ଦେଖି ନାଶିକା କୁଞ୍ଜନ କରେ । ସେଭଳି ପାଗଳଟାଏ ମମତାର ବା କି ଉପକାରରେ ଲାଗିବ । ନୀଳକଣ୍ଠକୁ ଭୀଷଣ ହସ ମାଡ଼େ । ମମତାବି ଗୋଟିଏ ପାଗଳୀ ।

 

ମମତାବି ଗୋଟିଏ ପାଗେଳୀ ।

 

ମମତା କଥା ଭାବିଲେ ନୀଳକଣ୍ଠର ଅତୀତଟା ମନର ଦର୍ପଣରେ ପ୍ରତିଭାତ ହୋଇଉଠେ । ଏକପ୍ରକାର ଆଶ୍ଚର୍ଯ୍ୟ ବିସ୍ମୟ ଚକିତର ତରଙ୍ଗ ଖେଳିଯାଏ ତା’ ପ୍ରତି ଶିରା ପ୍ରଶିରାରେ ନୀଳକଣ୍ଠର ମନେପଡ଼େ ସେଇ ଅତୀତରେ କୃଷ୍ଣ ବିଭତ୍ସ ସ୍ମୃତି ।

 

ସେଦିନ ଦିନତମାମ ସହରୀ ପିଲାଙ୍କ ଟେକାମାଡ଼ରୁ ମୁକ୍ତି ପାଇବା ଲାଗି ପାଗଳ ନୀଳକଣ୍ଠ ଧାଇଁ ଧାଇଁ କ୍ଳାନ୍ତ ହୋଇ ପଡ଼ିଥିଲା । ଗୋପାଳପୁରର ସେଇ ସମୁଦ୍ରକୂଳର ବାଲୁକା ଶଯ୍ୟା ଉପରେ ସେ ନିଜର ଅବସନ୍ନ ଦେହକୁ ଢଳାଇ ଦେଇଥାଏ । ପିଲାଙ୍କ ଟେକାମାଡ଼ରେ ତା’ ଦେହରେ ଯେଉଁ କେତୋଟି କ୍ଷୁଦ୍ର କ୍ଷୁଦ୍ର କ୍ଷତ ସୃଷ୍ଟି ହୋଇଥିଲା । ସେ କ୍ଷତର ଯନ୍ତ୍ରଣାବି ତା’ପକ୍ଷେ ଅସହ୍ୟ ହୋଇ ଉଠୁଥାଏ । ତା’ର ଠିକ୍ ମନେ ଅଛି । ଦିଗ୍‍ବଳୟରେ, ସହସା ଗିରିବାଳାକୁ ସେ ଦେଖିଲା ଗିରିବାଳାକୁ ଦେଖି ସେ ଅଥୟ ଆଗ୍ରହରେ ତାକୁ ଧରି ନେବ ଭାବି ଛୁଟିଲା । ଭୁଲି ଯାଇଥିଲା ସେତେବେଳକୁ ସେ ତା’ର ସକଳ ଯନ୍ତ୍ରଣା । ଯା’ଲାଗି ଏ ଯନ୍ତ୍ରଣାର ଜନ୍ମ ତାକୁ ଆଖି ଆଗରେ ପାଇ ଛାଡ଼ି ଦେବ ବା କାହିଁକି ?

 

ତା’ର ଠିକ୍ ମନେ ପଡ଼ୁଛି–ବାଳା ବାଳା କହି ସେ ଧାଇଁଥାଏ ସାଗର କୂଳ ଛାଡ଼ି ସହର ରାସ୍ତାରେ । ଖୁବ୍‍ ଦ୍ରୁତରେ ।

 

ତା’ର ଠିକ୍ ମନେ ପଡ଼ୁଛି କୌଣସି ଏକ ଭାରି ପଦାର୍ଥର ଧକ୍କା ସେ ଖାଇଛି–କିନ୍ତୁ ତା’ପରେ ।

 

ମମତା ସେଦିନ କହୁଥିଲା । ନୀଳକଣ୍ଠ ମମତାକୁ ବାଧ୍ୟ କରି ପଚାରିଥିଲା । ବୁଝିଥିଲା–ରାଜପଥରେ ମୂର୍ଚ୍ଛା ହୋଇ ପଡ଼ିଥିଲା ସେ । ମୁଣ୍ଡ ଫାଟି ତାଜା ରକ୍ତର ଲହଡ଼ି ଲାଙ୍ଗୁଥିଲା ରାଜପଥର ପିଚୁ ଚଟାଣରେ । ସମୁଦ୍ର କୂଳରୁ ଜନୈକା ବାନ୍ଧବୀଙ୍କ ସହ ଆଳାପ କରି ଫେରୁଥିଲା ମମତା । ସହସା ମୂର୍ଚ୍ଛାହତ ଏଇ ହତଭାଗ୍ୟକୁ ଦେଖି ତା’ ମନରେ ଦୁଃଖର ବୈଶାଖି ଝଞ୍ଜା ପିଟିଲା–ବାନ୍ଧବୀକୁ ଅନୁରୋଧ କଲା । ଏ ହତଭାଗ୍ୟର ଜୀବନ ରକ୍ଷା ଲାଗି ।

 

ମମତାର ଏ ପାଗଳାମି ଦେଖି ନାଶିକ କୁଞ୍ଚନ କରିଥିଲେ ବାନ୍ଧବୀ । ବିରକ୍ତି କଣ୍ଠରେ କହିଥିଲେ ତମର ଏଇ ବାଜେ କଥା ଗଲା ନାହିଁ । ଦରିଦ୍ରର ସେବା କରିବ ବୋଲି କ’ଣ ଆସନ୍ନ ମୃତ୍ୟୁରେ ପତିତ ଏଭଳି ହତଭାଗ୍ୟକୁ ଉଦ୍ଧାର କରିବା । ଛିଃ-ଛିଃ–ଅନ୍ତତଃ ଏଗୁଡ଼ାକୁ ମୁଁ ଭଲ ପାଏନା । ମୁର୍ଦ୍ଦାରଟାର ସେବା କରିବାରେ ଯେ କି ଗର୍ବଅଛି ।

 

ବାନ୍ଧବୀଙ୍କ ସ୍ପଷ୍ଟୋକ୍ତିରେ ଦୁଃଖିତା ହୋଇଥିଲା ମମତା । ତଥାପି ଲୋକଟାର ଦୁର୍ଦ୍ଦଶା ଦେଖି ଦୁଃଖରେ ସେ ଭାଙ୍ଗି ପଡ଼ିଥିଲା । ନିଜର ସମସ୍ତ ଶକ୍ତି ବିନିମୟରେ ସେ ଏ ଦରିଦ୍ର ହତଭାଗ୍ୟର ପ୍ରଣାରକ୍ଷା କରିବ । ମମତା ପ୍ରତିଜ୍ଞା କଲା । ଆସୁଥିବା ଏକ ରିକ୍ସାଚାଳକକୁ କାକୁତି ମିନତି କରି ସେଇ ରିକ୍ସାରେ ଘେନି ଆସିଲା ତା’ର ବସାକୁ ।

 

ତା’ ପର ଦିନ ଏ ପାଗଳ ଲାଗି ବାନ୍ଧବୀ ମହଲରେ କେତେ ଅପମାନିତ ହୋଇଛି ମମତା । କେତେ ଅପମାନିତ ହୋଇଛି ମମତା । କେତେ ବ୍ୟଙ୍ଗ ସମାଲୋଚନା ସହିଛି । ତଥାପି ମମତାର ଝୁଙ୍କ ବଜାଏ ରହିଛି । ନିଜେ ଉଜାଗର ରହି ନିଜ ଗଚ୍ଛିତ ଅର୍ଜିତ ଧନର ବିନିମୟରେ ସେ ସୁସ୍ଥ କରିବାକୁ ଆଗେଇ ଯାଇଛି ନୀଳକଣ୍ଠକୁ । ଏଥିଲାଗିବି ନୀଳକଣ୍ଠର କେତେ ଉପଦ୍ରବ ହସି ହସି ସହି ନେଇଛି ସେ ।

 

ସିଏ ନାତୀତ ଦୂର ଅତୀତର କଥା । ସିଏ ଦୀର୍ଘ ତିନିମାସ ତଳର ସ୍ମୃତି ।

 

ମମତା ମନରେ ସେଦିନ ଯଦି ତା’ ପ୍ରତି ସମବେଦନାର ଫଲ୍‍ଗୁ ବୋହି ନଥାନ୍ତା, କ’ଣ ହୋଇଥାନ୍ତା ତା’ର ଅବସ୍ଥା !!!

 

କଥାଟା ଭାବିଲେ ନୀଳକଣ୍ଠ ବିସ୍ମିତ ହୁଏ ଯେତିକି ଚକିତ ହୁଏ ସେତିକି ।

 

ମମତାର ମହାନ ଅନ୍ତର ପାଖରେ ତା’ ମନ ନଇଁପଡ଼େ । ମମତାର ଭବିଷ୍ୟତ ଉଜ୍ଜ୍ଵଳ ହେବାକୁ କାମନା କରିଉଠେ । ଅଜସ୍ର ଆଶୀର୍ବାଦର ବାରି ଢାଳି ?

 

ମମତାର ଭବିଷ୍ୟତ !

 

ନୀଳକଣ୍ଠ ମନରେ ପ୍ରଶ୍ନନାଗର ମଥା ଉତ୍ତୋଳନ ! ସତେତ, ଯେଉଁ ମମତା ତାକୁ ମୃତ୍ୟୁମୁଖରୁ ଟାଣିଆଣିଲା ସେଇ ମମତା ବିଷୟରେତ ସେ ଏପର୍ଯ୍ୟନ୍ତ କିଛି ଜାଣି ପାରି ନାହିଁ । ମମତାର କ’ଣ କେହି ନାହାନ୍ତି ?

 

ଏଥର ନୀଳକଣ୍ଠ ନିଶ୍ଚୟ ପଚାରିବ–ମମତା ବିଷୟରେ କିଛି ନଜାଣିଲେ ତା’ର ଅପରାଧ ହେବ–ଅଧର୍ମ ହେବ–ସେ ନିନ୍ଦିତ ହେବ ।

 

ଲଣ୍ଠନଟାକୁ ଟେବୁଲ ଉପରେ ଥୋଇ ଦେଇ ମମତା କହିଲା–ଭାଇ, ଆଜି ଔଷଧ ଖାଇଛଟି ?

 

ନୀଳକଣ୍ଠ କହିଲା–ଔଷଧ ଖାଇ ଖାଇ ପାଟି ପେଟ ମୋର ବିରକ୍ତି ଚିତ୍କାର କଲେଣି–ଆଜି ଦିନଟା ଖାଇବିନି ବୋଲି ଜାଣି ଜାଣି avoid କରିଛି ।

 

ମମତା ବିରକ୍ତ ହେଲା । ଔଷଧଟାତ ତମର ବିରକ୍ତ ଉପରେ ନିର୍ଭର କରେ ନାହିଁ ଯେ ତମେ ଇଚ୍ଛାମତ ଖାଇବା । ମମତା ଧମକ ଦେଲା । ଔଷଧ ନଖାଇଲେ କିମିତି ଭଲ ହେବ ?

 

ନୀଳକଣ୍ଠ ହସିଲା, କହିଲା–ତୁ ଏଇଗୁଡ଼ାକ କହି ମତେ ଖାଲି ସେ ବଟିକା, ପାଣିଗୁଡ଼ାକ ଗିଳାଇ ପକାଉଛୁ ସିନା, ହେଲେ...

 

ମମତା ବିରକ୍ତ ହେଲା–ସେ ସବୁ ଯୁକ୍ତି ଥାଉ–ଆସିଲ ଔଷଧ ପାନେ ଖାଇଦେଲେ ।

 

ନୀଳକଣ୍ଠ କହିଲା–ଔଷଧ ଖାଇବି, ହେଲେ ଗୋଟାଏ କଥା ମମି ! ତୁ ଯଦି କିଛି ନଭାବୁ ମୁଁ କହିବି–

 

ମମତା ବଡ଼ ବଡ଼ ଆଖି କରି କହିଲା–ପୁଣି କ’ଣ ଗୋଟାଏ ଯୁକ୍ତି ମନେ ପଡ଼ିଲାଣିକି ?

 

ନୀଳକଣ୍ଠ ହସି ହସି କହିଲେ–ନାଇଁଲୋ ଓଲି, ଯୁକ୍ତି ନୁହଁ ସତ କଥା, ତୋରି ପରିଚୟ କଥା, ସତ କହିବୁ ତୋର କ’ଣ କେହି ନାହାନ୍ତି ?

 

ନୀଳକଣ୍ଠ ମୁଖରୁ ଅପ୍ରକାଶିତ କଥା ପଦକ ଶୁଣି ମମତା ଚମକି ପଡ଼ିଲା ।

 

ନୀଳକଣ୍ଠ କହିଲା–କହ, ତୋର କିଏ କେଉଁଠି ଅଛନ୍ତି ।

 

ମମତା ନୀଳକଣ୍ଠର ଏ ପ୍ରଶ୍ନର ସମ୍ମୁଖୀନ ହେବାକୁ ଏକାନ୍ତ ଅପ୍ରସ୍ତୁତ ଥିଲା । ସେ କହିଲା, ମୁଁ କହିବି–ନିଶ୍ଚୟ କହିବି । ତେବେ ଆଗ ଔଷଧଟା ଖାଇନିଅ ।

 

ନୀଳକଣ୍ଠ ନ ଶୁଣିବା ପର୍ଯ୍ୟନ୍ତ ଖାଇବ ନାହିଁ କହି ନିରବ ରହିଲା ।

 

ବ୍ୟସ୍ତ ହେଲା ମମତା । କହିଲା–ମୁଁ ନୀଳକଣ୍ଠର ଭଉଣୀ ହେଲା ।

 

ଧେତ୍‍, ଏଇ ବାଜେ କଥା କହିବୁତୁ ।

 

ମମତା କହିଲା, ୟାଛଡ଼ା ମୁଁ ଅଧିକା କିଛି କହି ପାରିବିନି । ମମତା ନିଜ ଉପରେ ତା’ହେଲେ ଅଧିକା କିଛି ଜାଣିନି !

 

ନୀଳକଣ୍ଠର ସନ୍ଧେହ ହେଲା–ମମତା ତା’ ବିଷୟରେ ତାକୁ ଏତେ ଲୁଚାଉଛି କାହିଁକି ? ଅଛିକି କିଛି ଗୋପନ ରହସ୍ୟ ଏଥିଭିତରେ ? ଯାହାକୁ ମମତା ପ୍ରକାଶ କରିବାକୁ କୁଣ୍ଠିତା !

 

ଚାରିଦିନପରେ ନୀଳକଣ୍ଠର ଦେହ ହଠାତ୍ ଅସୁସ୍ଥ ହୋଇ ପଡ଼ିଲା–ବହୁଦିନରୁ ଆରୋଗ୍ୟ ହୋଇ ଆସୁଥିବା ପ୍ରଳାପ ବ୍ୟାଧିଟା ଟିକେ ବୃଦ୍ଧି ପାଇଲା ନୀଳକଣ୍ଠର ଏ ଆକସ୍ମିକ ଅସୁସ୍ଥତାରେ । ବିବ୍ରତ-ଦୁଃଖିତା ମମତା ଅନନ୍ୟୋପାୟ ଦେଖି ଜଣେ ଡାକ୍ତର ବନ୍ଧୁଙ୍କୁ ଘେନି ଫେରିଲା ।

 

କିଛିକ୍ଷଣ ନାଡ଼ି ପରୀକ୍ଷାକରିବା ପରେ ଡାକ୍ତର ଦୀନବନ୍ଧୁ ହସି ହସି କହିଲେ–ରୋଗଟା ଆରୋଗ୍ୟ ହୋଇଯିବ । ସେମିତି କିଛି ଗୋଟେ ଗୁରୁତର ବ୍ୟାଧି ହୋଇନି । ଭୟ କରିବାର କିଛି ନାହିଁ । ତୁମର ସେବାରେ ସେ ହତଭାଗ୍ୟଟି ନବ ଜୀବନ ପାଉ । ଏଇ କେଇଟା ଔଷଧ କିଣିଆଣ-

 

ମମତା ଡାକ୍ତରଙ୍କୁ ବିଦାୟ ଦେବାକୁ ଗେଟ୍‍ପର୍ଯ୍ୟନ୍ତ ଯାଇଥିଲା ଗେଟ୍‍ ଟପାଇ ଦେଇ ଫେରୁ ଫେରୁ ଡାକ୍ତର ହଠାତ୍ ଅଟକାଇ କହିଲେ–ଲୋକଟାରେ ପରିଚୟ କ’ଣ ପାଇଛ ତମେ ।

 

ମମତା ନିରବ ରହିଲା ।

 

ଡାକ୍ତର କହିଲେ–କିନ୍ତୁ ତମେ ବାସ୍ତବିକ ଏକ ଅଦ୍ଭୁତ ନାରୀ ମମତା । ଗୋଟାଏ ହତଭାଗ୍ୟ ଲାଗି ତମେ ତମର ସୁଖକୁ ଇମିତି ପୋଡ଼ି କାହିଁକି ପକାଉଛ ବୁଝି ପାରୁନି । ତମେ ଯଦି ଇଚ୍ଛା କରିବ ।

 

–ଥାଉ, ଥାଉ–ନମସ୍କାର ।

 

ବିରକ୍ତିରେ ଦରଜା କିଳି ମମତା ଫେରିଲା–ଅଭଦ୍ରଙ୍କ ମୁହଁରୁ ସେଇ ଗୋଟାଏ ଇଙ୍ଗିତ ଶୁଣିବାଛଡ଼ା ଆଉ କିଛି କଥା ସେ ଆଶା କରିପାରିନି ।

 

ମମତାର ଏପ୍ରକାର ଅପମାନ ଡାକ୍ତରଙ୍କପକ୍ଷେ ଅସହ୍ୟ ହେଲା । ସେ କହିଲେ–ଆଚ୍ଛା, ଦେଖିବା । କଥାଟାକୁ ନ ଶୁଣିଲା ପରି ଚାଲି ଆସିଲା ମମତା । ତଥାପି ମନରେ ଡାକ୍ତରଙ୍କ କଥାଟା ଯେ ଟିକେ ଦୁଃଖ ଦେଇନି ଏମିତି ନୁହେଁ, ବରଂ ଚିନ୍ତିତଥିଲେ ମମତା.....

 

ମମତାକୁ ବ୍ୟସ୍ତଥିବାର ଦେଖି ନୀଳକଣ୍ଠ କହିଲା–ଭଉଣୀ, ସବୁବେଳେତ ଡାକ୍ତର ଔଷଧ, ପଥ୍ୟରେ ତୁ ବ୍ୟସ୍ତ ରହିଲୁ । ମୋପାଖରେ ଯେ ବସି ଗପିବାକୁ କେହି ନାହିଁ । ଏ କଥା ଭୁଲି ଯାଉଛୁ କାହିଁକି ?

 

ମମତା କହିଲା–ଡାକ୍ତର ବେଶି କଥାବାର୍ତ୍ତା ହେବାକୁ ବାରଣ କରିଛନ୍ତି ପରା । ବରଂ ତମେ ବିଶ୍ରାମ ନିଅ । ବିଶ୍ରାମ ତମପାଇଁ ପ୍ରଚୁର ଦରକାର ।

 

ବିରକ୍ତିର ରେଖା କେଇଟି ନିଜ କପାଳରେ ସୃଷ୍ଟି କରି ନୀଳକଣ୍ଠ କହିଲା–ବିଶ୍ରାମ ନେଇ ମୋର କର ପୋଡ଼ିଲାଣି । ଆଉ ତୁ କହୁଛୁ....

 

ମମତା କିଛି କହିଲା ନାହିଁ । ନୀଳକଣ୍ଠ କହିଲା–ତୁ ଆସିଲୁ ମମି ! ତୋ ପାଖରେ ମୋର ଅନେକ କଥାବାର୍ତ୍ତା ଅଛି, ଆ ମୋ ପାଖରେ ବସ ।

 

କିଛି ନ କହି ମମତା ବସି ନୀଳକଣ୍ଠର କପାଳରେ କର ଚଳାଇଲା ।

 

ନୀଳକଣ୍ଠ କହିଲା–ତୁ ଭାବୁଥିବୁ ମୁଁ ସେଭଳି ପାଗଳ ହୋଇଅଛି । କିନ୍ତୁ ତୁ ଶୁଣିଲେ ଆଶ୍ଚର୍ଯ୍ୟ ହେବୁ ମମି, ମୁଁ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଗଲିଣି । ଏଇ ସାମାନ୍ୟ ଜ୍ୱରଟା ନଧରିଥିଲେ.....

 

ମମତା ଆଖି ଦୁଇଟି ଉଜ୍ଜ୍ଵଳି ଉଠିଲା–ସେ ଖାଲି ଭଗବାନଙ୍କହିଁ ପ୍ରଣାମ କଲା ।

 

ମମତାର ଏ ପାଗଳାମି ଦେଖି ନୀଳକଣ୍ଠ ହସି ହସି କହିଲା–ଭଗବାନ ଅଛନ୍ତି ବୋଲି ତୋର ବିଶ୍ୱାସ ଅଛି ମମି ।

 

ମମତା ସହସା କ’ଣ କହି ଆସୁଥିଲା ହଠାତ୍ ବନ୍ଦ ହୋଇଗଲା ।

 

ନୀଳକଣ୍ଠ ଆଖି ଦୁଇଟି ଉଜ୍ଜ୍ୱଳି ଉଠିବି ସ୍ଥିର ରହିଗଲା–ସେ କହିଲା କ’ଣ କହ ମମି !

 

ମମତା କହିଲା–ତମେ ଟିକେ ବିଶ୍ରାମ ନେଲ–ମୋର କାମ ଅଛି–ମୁଁ ଯିବି ।

 

ନୀଳକଣ୍ଠ ମମତାକୁ ଆଉ କିଛି ପଚାରିଲା ନାହିଁ । ମମତାକୁ ସେ ଯା’ପଚାରେ ମମତା ତା’ର ଉତ୍ତର ଦେଉନି.... କାହିଁକି ସେ ପୁନଃ ପୁନଃ ପ୍ରଶ୍ନ ପଚାରିବ ତାକୁ !

 

ସେଦିନ ମମତା ମେଡ଼ିକାଲରେ ପହଞ୍ଚୁ ପହଞ୍ଚୁ ଜଣେ ବାନ୍ଧବୀ ସୌଦାମିନୀ ହସି ହସି ମମତାକୁ କହିଲେ–କିଲୋ, ତୁ କୁଆଡ଼େ ପାଗଳଟାକୁ ପ୍ରେମ କରୁଛୁ । ଛିଃ–ତୁତ ଚାହିଁଥିଲେ ଡାକ୍ତରମାନେ ମଧ୍ୟ ଶଯ୍ୟାସଙ୍ଗିନୀ କରି ନେଇଥାଆନ୍ତେ–କିନ୍ତୁ ଏ ହତଭାଗ୍ୟଟାର ଶଯ୍ୟାସଙ୍ଗିନୀ ହୋଇ ତୁ ତୋ ଜୀବନକୁ ଏମିତି କଳଙ୍କିତ କଲୁ କାହିଁକି ?

 

ବାନ୍ଧବୀର କଥା ଶୁଣି ମମତା ଠୋ-ଠୋ ହସି ଉଠି କହିଲା–ଭାଇକୁ ଭଉଣୀ କ’ଣ କେବେ ପ୍ରେମ କରେ !

 

ବାନ୍ଧବୀ କହିଲେ–କିନ୍ତୁ ଏ ଯୁଗରେ ଭାଇଠାରୁ ପ୍ରେମର ଆରମ୍ଭ ହେଉଛି ବୋଲି ତୁ କ’ଣ ଅସ୍ଵୀକାର କରିବୁ ?

 

କଥାଟା ଉପରେ ସେତେ ଗୁରୁତ୍ଵ ନ ଦେଇ ମମତା ହସି ହସି ଚାଲିଗଲା । କିନ୍ତୁ ତା’ର କେଇ ଦିନ ପରେ ମମତା ଶୁଣିଲା–ବାନ୍ଧବୀଙ୍କ କଥାଟା ମେଡ଼ିକାଲରେ ଚହଳ ପକାଇଛି । ମେଡ଼ିକାଲର ପ୍ରତ୍ୟେକ ଲୋକ ସେ ଗଲା ଆସିଲା ବେଳେ ତାକୁ ଲକ୍ଷ୍ୟ କରୁଛନ୍ତି । ଦୁଃଖିତା ହେଲା ମମତା । ଜୀବନରେ ଏଇ ଅପବାଦଟା କ’ଣ ତା’ ପାଖରୁ ଛାଡ଼ିବ ନାହିଁ ।

 

ମେଡ଼ିକାଲରୁ ଡିଉଟି ସାରି ତର ତର ହୋଇ ଫେରିଥିଲା ମମତା ଡାକ୍ତର ଦୀନବନ୍ଧୁ ସହସା ତାଙ୍କୁ ଦେଖା ଦେଇ କହିଲା–କ’ଣ ଭାରି ତରତର ହେଉଛ ଦେଖୁଛି ? ଏବେତ ସୁଦ୍ଧା ମେଡ଼ିକାଲରେବି ମନ ନାହିଁ ?

 

ଡାକ୍ତର ଦୀନବନ୍ଧୁକୁ ଦେଖୁ ଦେଖୁ ମମତାର ହାଡ଼ ଶୂଳେଇ ହୋଇ ଉଠିଲା–ତଥାପି ସେ ନିଜକୁ ସଂଯତ କରି କହିଲା–ଦେଖୁଛନ୍ତି ତ ।

 

ଦୀନବନ୍ଧୁ କିଛିକ୍ଷଣ ନିରବ ରହି କହିଲେ–ସେ ପାଗଳ ଭଲ ହୋଇ ଯାଇଛିତ ?

 

‘ଯାଇଛି’ କହି ମମତା ଆଗେଇ ଯାଉଥିଲା । ଦୀନବନ୍ଧୁ ତାଙ୍କୁ ବାଧ୍ୟକରି ଅଟକାଇ ଦେଇ କହିଲେ ଶୁଣ ଶୁଣ, ଗୋଟାଏ କଥା ପଚାରିବି ବୋଲି ଭାବି ଭାବି ପଚାରି ପାରିନି, ସତ କହିବତ ?

 

ମମତା କହିଲା–ଚେଷ୍ଟା କରିବି ।

 

ଦୀନବନ୍ଧୁ କହିଲେ, ତମେ ସତରେ କ’ଣ ସେ ପାଗଳକୁହିଁ ବିବାହ କରିବ ?

 

ମମତା ଚମକି ଉଠିଲା, ଘୃଣାରେ ଫୁଲି ଉଠି କହିଲା–ଆପଣଙ୍କ ନିଜତ୍ଵ ଭୁଲିଗଲେ ସାର୍‍ ! ଏଭଳି ପ୍ରଶ୍ନ ଆପଣ ପଚାରିବାକୁ ସାହସ କରୁଛନ୍ତି ? ତେବେ ମୁଁ ଯଦି ପଚାରେ ଆପଣଙ୍କ ଭଉଣୀକୁ ବିଭା ହେବେକି ? ଆପଣ କି ଉତ୍ତର ଦେବେ ।

 

କିଛିକ୍ଷଣ ହସି ହସି ଦୀନବନ୍ଧୁ କହିଲେ–ତମେ ଚିଡ଼ିଯାଉଛ କାହିଁକି ମମତାଦେବୀ ! କଥାଟା ଶୁଣିଥିଲି ବୋଲି...

 

ମମତା ବିରକ୍ତ ହୋଇ କହିଲା, ଆଉ ଆପଣଙ୍କର କିଛି କହିବାର ଅଛିକି ?

 

ଦୀନବନ୍ଧୁ ନିର୍ଲଜ୍ଜଭାବେ ହସି ହସି କହିଲେ–ଅଛି, ଅନେକ କଥା–ଯଦି...

 

କୁହନ୍ତୁ !

 

–ମୁଁ ତୁମକୁ ଭାରି ଭଲପାଏ ମମତା ଦେବୀ, ଅନ୍ତତଃ ମୋ ପ୍ରାଣଠାରୁ ମଧ୍ୟ–

 

ମମତା ଚଢ଼ା ଚଢ଼ା ଆଖିରେ ଦୀନବନ୍ଧୁଙ୍କ ମୁହଁକୁ ଚାହିଁଲା । ନିର୍ଲ୍ଲଜଭାବେ ସେ ଦାନ୍ତଦେଖାଇ ସେମିତି ହସୁଛନ୍ତି । ମମତାର ରକ୍ତରେ ସହସ୍ରଗୁଣ ଉଷ୍ଣତା ବଢ଼ିଗଲା । ଶେଷରେ ଅଧର ଥରାଇ ଚାଲି ଯାଉଁ ଯାଉଁ ମମତା କହିଲା–ମୁଁ କିନ୍ତୁ ମୋର ଚପଲଭଳି ଆପଣଙ୍କୁ ଭଲ ପାଏନା ।

 

ସତେ ? କିନ୍ତୁ ମନେରଖ ମମତା ଦେବୀ ! ଦିନେ ମୋରି ପାଦତଳକୁ ତମକୁ ଆସିବାକୁ ପଡ଼ିବ ।

 

ରୋଷ ଅଭିମାନରେ ଡେଇଁ ଡେଇଁ ଯାଉ ଯାଉ ମମତା ପ୍ରତ୍ୟୁତ୍ତର କରି ଥିଲା–ଯଦି ଆସିବାକୁ ପଡ଼ିବ ତା’ହେଲେ ମୋର ସେ ମୃତ୍ୟୁଦେହଟା କିନ୍ତୁ ଜୀବିତାବସ୍ଥାରେ ସେ ସ୍ଵପ୍ନ ଦେଖି ଗଧର ସ୍ଵର୍ଗରେ ବିଚରଣ କରନ୍ତୁନି ।

 

–ଆଚ୍ଛା, ଦୀନବନ୍ଧୁ ଦାନ୍ତ କାମୁଡ଼ି ହେଉଥିଲେ । କେତେ ସତୀ ସେବିକାଙ୍କ ସତୀତ୍ଵ ଟଳାଇବାରେ ଯିଏ କନ୍ଦର୍ପ, ତା’ପାଖରେ....

 

ନୀଳକଣ୍ଠର ଦେହ ସୁସ୍ଥ ହୋଇଯାଇଛି । ପ୍ରଫୁଲ୍ଲ ହୋଇ ଯାଇଛି ମନ । କାର୍ଯ୍ୟକ୍ଷମ ହୋଇଯାଇଛି ସକଳ ସ୍ନାୟୁ । ମମତାର କି ଆନନ୍ଦ ! ଅନ୍ତତଃ ଲଟାରୀରେ ତିନିକୋଟି ଟଙ୍କା ପାଇଥିଲେବି ସେ ଏତେ ଆନନ୍ଦିତା ହୋଇପାରି ନଥାନ୍ତି । ହଠାତ୍ ସେ ସ୍ୱର୍ଗସିଂହାସନରେ ବସି ଯାଇଥିଲେ ବି ଏତିକି ସୁଖୀ ହୋଇପାରି ନଥାନ୍ତା ।

 

ମମତାର ଏ ଆନନ୍ଦ ଦେଖି ନୀଳକଣ୍ଠ କହିଲା, ମମି ଆଜି ଚାଲ ସମୁଦ୍ରକୂଳଆଡ଼େ ବୁଲିଯିବା ।

 

ମମତା ନୀଳକଣ୍ଠର ଆଗ୍ରହକୁ ଭାଙ୍ଗି ନପାରି ରାଜି ହୋଇଗଲା ।

 

ନୀଳକଣ୍ଠ କହିଲା–ମମି, ତୋର କେତେ ଅନୁରୋଧ ମୁଁ ରଖିଛି ଆଜି କିନ୍ତୁ ମୋର ତତେ ଗୋଟାଏ ଅନୁରୋଧ ରଖିବାକୁ ପଡ଼ିବ, ତୁ ରଖିବୁ ନାହିଁ ?

 

ତରଙ୍ଗାୟିତ ସମୁଦ୍ର ଉପରେ ନିଜ ଦୃଷ୍ଟି କେନ୍ଦ୍ର କରି ମମତା କହିଲା–ଏଁ ଅନୁରୋଧ ଗୋଟାଏ କ’ଣ । ପଚାରିବତ କହିବି । ଏ ଅନୁରୋଧ ଫନୁରୋଧକୁ ମୁଁ ପସନ୍ଦ କରେନା ।

 

ନୀଳକଣ୍ଠ ହସିଲା, ହଉ ମୋର ଭୁଲ, ତେବେ ଆଜି ତତେ କହିବାକୁ ହେବ ତୋ ଜୀବନୀ, ଆଜି ଯଦି ନ କହିବୁ ସତ କହୁଛି ମୁଁ ଆଉ ତୋ କଥା ଶୁଣିବିନି ।

 

ମମତା କହିଲା, ମୁଁ କ’ଣ ମୋ ଜୀବନୀ କେବେ ଲୁଚାଇ ପାରିବି ତୁମକୁ । ତମେ ଯିମିତି ତମ ଜୀବନୀ ମୋପାଖରେ ପ୍ରକାଶ କରିଛ, ମୁଁ ଯଦି ସିମିତି ପ୍ରକାଶ ନକରେ ମୋର ଅପରାଧ ହେବନି ?

 

ନୀଳକଣ୍ଠ ଆଗ୍ରହରେ କହିଲା ତା’ହେଲେ କହ ।

 

ମମତା କହିଲା–ପରେ କହିଲେ କ’ଣ ଚଳିବ ନାହିଁ ?

 

–ନା, ବର୍ତ୍ତମାନ, ଏଇଠି କହ, ନାଁଓ ।

 

ତା’ହେଲେ ତମେ ମୋ ଜୀବନୀ ଶୁଣିବ ନା ! କିନ୍ତୁ ଶୁଣି ଯଦି ଭାଙ୍ଗି ପଡ଼ିବ ? ଯଦି ଦୁଃଖରେ ମୁହ୍ୟମାନ ହୋଇ ପଡ଼ିବ ।

 

ନୀଳକଣ୍ଠ ବିସ୍ମିତ ହୋଇ କହିଲା–ତୁ ମୋତେ ଯେତେଟା ଭାବୁ ମୁଁ ଠିକ୍ ତା’ ନୁହେଁ । ତୋ’ଠାରୁ ବୟସରେ ଅଭିଜ୍ଞତାରେ ମୁଁ ଯଥେଷ୍ଟ ବେଶି ବଡ଼ । ତା’ଛଡ଼ା ଦୁଃଖଗୁଡ଼ାଏ ସହି ସହି ତ ମୁଁ ପାଗଳ ହେଲି ତଥାପି ତୁ...

 

ବିନା ଉପସଂହାରରେ କହିଲା–ତମେ ଯଦି ଭାବ ମୋର କେହି ନିଜର ନାହାଁନ୍ତି, ତା’ହେଲେ ବାସ୍ତବିକ ତମେ ଭୁଲ କରିଛ–ମୋର ବାପା, ଭାଇ, ଭାଉଜ ବାପଘରବଂଶରେ ଯଦିଚ କେହି ନାହାଁନ୍ତି ତଥାପି ସ୍ୱାମୀବଂଶରେ ସ୍ଵାମୀସମେତ ଅପରିଯ୍ୟାପ୍ତ ନିଜର ଲୋକ ଅଛନ୍ତି, ତଥାପି...

 

ତଥାପି ସେମାନେ ତ କେହି କେବେ ଆସିବାର ମୁଁ ଦେଖିନି ?

 

ଝରି ଆସୁଥିବା ଲୁହକୁ ଆଖିରୁ ପୋଛି ନେଇ ମମତା କହିଲା–ସେମାନେ ଆସିବେ ନାହିଁ, ସେମାନେ ସମସ୍ତେ ଥାଇ ନଥିଲାପରି କହିଲେ ଚଳେ । କାରଣ ଯେଉଁମାନେ ମତେ ଏତେ ଦୁଃଖ ଦେଲେ ସେମାନେ ମୋ ପାଖରେ ମୃତ ବୋଲି ମୁଁ କାହିଁକି ନଭାବିବି ?

 

–ମାନେ

 

–ମମତା ଛେପ ଢୋକି କହିଲା–ମୋ ମୁହଁରେ ଚୁନ କାଳି ଦେଇ ସେମାନେ ଯେତେବେଳେ ବିଦା କରି ଦେଇଛନ୍ତି ବଡ଼ଦାଣ୍ଡକୁ । ମୋ ମନରେ ହତାଶର ନିଆଁ ଜଳାଇ ସେ ନିଆଁରେ ମୋତେ ପୋଡ଼ିବାକୁ ଯେତେବେଳେ ଚାହିଁଛନ୍ତି ସେତେବେଳେ ସେମାନଙ୍କୁ ମୁଁ ଆଉ କି ସମ୍ବୋଧନ କରିବି ?

 

ବଡ଼ କରୁଣ ଆଘାତ ଲାଗିଲା ନୀଳକଣ୍ଠ ଅନ୍ତରେ ମମତାର ଏ କଥା ଶୁଣି ସେ ସଂକିତ ଚିତ୍ତରେ ଭାବୁଥିଲା । ନିଜ ସ୍ୱାମୀର ଅମଙ୍ଗଳ କାମନା ତା’ ସ୍ତ୍ରୀ କେତେବେଳେ କରିପାରେ ।

 

ମମତା କହିଲା–ବିଭାଘର ପୂର୍ବରୁ ମୋର ବାପା, ମାଆ ଥିଲେ କିନ୍ତୁ ମୋତେ ବିବାହ ଦେଇ ସେ ସର୍ବସ୍ଵାନ୍ତ ହେଲେ । ଫଳରେ ମଲାବେଳେ ଅନାହାରରେ ମଲେ, କିନ୍ତୁ ଦିନେ ହେଲେ ସେମାନେ ହାତ କା’ ପାଖରେ ବଢ଼ାଇ ନାହାଁନ୍ତି । ହାତ ପତାଇବାକୁ ଅଭିଜାତ୍ୟ ତାଙ୍କୁ ଧମକ ଦେଲା ।

 

କହୁ କହୁ ମମତା ଆଖି ଛଳ ଛଳ ହୋଇ ଉଠିଲା ।

 

ନୀଳକଣ୍ଠ କହିଲା–ତା’ପରେ.....

 

–ବାପଘରର ଆଶାଛାଡ଼ି ଭାବିଥିଲି ଶାଶୁ ଘରେ ସୁଖ କରିବି । କିନ୍ତୁ ଭାଗ୍ୟ ତା’ କରାଇ ଦେଲା ନାହିଁ । ଯା’ର ହାତ ଧରି ବିବାହ କଲି ମୋ ନାମରେ ଅପବାଦ ଶୁଣି ସେ ମୋତେ ପରିତ୍ୟାଗ କଲେ । ମୁଁ ଅସତୀ ବୋଲି ମୋତେ ମାଡ଼ ମାରି ଘରୁ ବିଦାୟ କରି ଦେଲେ ଅବଶ୍ୟ ଏ କଥା ଯେ ସେ କରିଛନ୍ତି ନିଜ ବୁଦ୍ଧିରେ ତା’ ନୁହେଁ । ବରଂ ଆମଗାଁ’ର ଲୋକେ ତାକୁ କୁଶିକ୍ଷା ଦେଲେ ।

 

ନୀଳକଣ୍ଠ କହିଲା–ତା’ ଗାଁ ଲୋକେ ! କାହିଁକି ?

 

ସେ ଏକ ନିରିହ ରହସ୍ୟ । ବାପ ଘରେ, ଝିଅବେଳେ ମୋର ଏ ଦେହରେ ସୌନ୍ଦର୍ଯ୍ୟ ଦେଖି ଗାଁ ଟୋକା ଲୋଭ କଲେ । କିନ୍ତୁ ସେଇ ଲୋଭ ଆଶା ତାଙ୍କର ଅସଫଳ ହେବା ଜାଣି ମୋ ବିରୁଦ୍ଧରେ କୁତ୍ସାରଟନା ଛଡ଼ା ସେ ଆଉ କ’ଣ କରି ପାରନ୍ତେ ? (ନାରୀ ରୂପ ମୋହରେ ପୁରୁଷ ପାଗଳ... କିନ୍ତୁ ସେ ରୂପକୁ ସେ ଉପଭୋଗ କରିବାକୁ ନ ପାଇଲେ ଯାହା କରେ ସେ ପାଇଁ ସେ ଠିକ୍ ତା’ କରିଛନ୍ତି ।)

 

ଶାଶୁଘରେ ସେମାନେ ମୋ ବିରୁଦ୍ଧରେ କହିଲେ, ସେତେବେଳକୁ ବାପା ବୋଉ ଆଉ ନଥାନ୍ତି । ମୋର ଏ ଅପବାଦ କଥା ଶୁଣି ପ୍ରଥମେ ସ୍ୱାମୀ ତଥା ଶାଶୁଘର ଅବିଶ୍ୱାସ କଲେ । ମୋ ସୁନାମରେ କଳଙ୍କ ଲେପୁଥିବାରୁ ସେମାନଙ୍କୁ ଗାଳିଦେଲେ...ଭତ୍ସର୍ନା କଲେ । କିନ୍ତୁ ଅବିଶ୍ୱାସ ସେ କେତେ ଦିନ କରିବେ ? ପୁଣି ନିଜର ଗାଁ ଲୋକ ଯେତେବେଳେ କହୁଛନ୍ତି ଅବିଶ୍ୱାସ କରିବାର ଆଉ କ’ଣ ଅଛି ? ଗାଁ ଟୋକାଙ୍କର ଜିଗର ଲାଗିଛି । ସଜ ମାଛରେ ପୋକ ପକାଇବାକୁ ବା କେତେ କଷ୍ଟ !

 

ଅସତୀ ହେଲି ଜନତା ଦରବାରରେ ମୁଁ । ତଥାପି ସ୍ୱାମୀଙ୍କଠାରୁ ଆଶା ଛାଡ଼ି ନ ଥାଏ । କିନ୍ତୁ ଯେଉଁଦିନ ସ୍ଵାମୀଙ୍କୁ ଆକଟ କରିବାକୁଯାଇ ମୁଁ ମୋ ଅପବାଦ କଥାର ପୁନରାବୃତ୍ତି ଶୁଣିଲି, ଲାଜ, ଦୁଃଖ, ଅପମାନରେ ଜଳି ଗଲି ମୁଁ । ସମସ୍ତେ କହୁଥିଲେ ସହିଗଲି । କିନ୍ତୁ ସ୍ୱାମୀ ମୁଖରୁ ନିଜର ଅସତୀ କଥା ଶୁଣି କେଉଁ ନାରୀ ଧୈର୍ଯ୍ୟଧରି ପାରେ !

 

ତଥାପି ଧୈର୍ଯ୍ୟଧରିଲି–ସହିଯିବାକୁ ଚେଷ୍ଟାକଲି । କିନ୍ତୁ ସହିବାର ସୀମା ଲଙ୍ଘନ ହେଲେ ମଣିଷ ଯା କରେ ମୁଁ ତାହାହିଁ କରିଛି । ଦିନେ ରାତିରେ ସ୍ୱାମୀ ସେଇ ଅପବାଦ କଥାର ପ୍ରମାଣ ମୋ ପାଖରୁ ଚାହିଁଲେ, କିନ୍ତୁ ସତୀ ନାରୀର ତା’ ସତୀତ୍ଵ ବିନା ଆଉ କି ପ୍ରମାଣ ଥାଇପାରେ ।

 

ସେ ବୁଝିଲେ ନାହିଁ, ମତେ ଝି°ଗାସ କଲେ...ଓଃ ସେ କି ମର୍ମନ୍ତୁଦ ଯନ୍ତ୍ରଣା । ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମତଭେଦ ପାଚୋରୀ ଠିଆ ହେଲା । ମୁଁ ଶଯ୍ୟା ସଙ୍ଗିନୀ ହୋଇ ଅନ୍ୟ ଶଯ୍ୟାରେ ଶୋଇବାକୁ ବାଧ୍ୟ ହେଲି । ଆଉ ସେ ?

 

ତାଙ୍କର ନିର୍ମମ ଘୋଷଣା ଦିନେ ଶୁଣିଲି–ମୁଁ ଥିବା ପର୍ଯ୍ୟନ୍ତ ସେ ତାଙ୍କ ଘରେ ପଶିବେ ନାହିଁ ।

 

ସେଦିନ ଅସହାୟ ଭାବେ କାନ୍ଦି ତାଙ୍କ ପାଖକୁ ପତ୍ର ଦେଲି । କିନ୍ତୁ ଅବିଶ୍ଵାସୀ ମନ କ’ଣ କେବେ ସହଜେ ବଦଳେ !! ସିଏ ଶୁଣିଲେ ନାହିଁ । ଆଉ ମୋ’ର ବା ଦୁଃଖ ଶୁଣିବାକୁ କିଏ ଅଛି ? ନିଜ ଗୋଡ଼ରେ ଠିଆ ହେବି । ମୁଁ ତ ମାଇନର ପାସ୍‍ କରିଥିଲି । ଶାଶୁଘରୁ ଗୋଡ଼ କାଢ଼ିଲି ଏଇ ସେବିକା ଟ୍ରେନିଂରେ ଯିବାକୁ । ନିଜ ଜୀବନର ସୁଖ ତ ଜଳିଗଲା । ଅନ୍ୟକୁ ସେବା କରି ଟିକେ ଆନନ୍ଦ କ’ଣ ପାଇ ପାରିବିନି ? ତା’ପରେ ସେବିକା ହେଲି । ଏଇ ମେଡ଼ିକାଲରେ ଜଏନ କଲି । ଏଇ ମେଡ଼ିକାଲରେ ଜଏନ କରିବା ପାଞ୍ଚବର୍ଷରୁ ମୋର କମ୍‍ ତା’ ହେବନି !

 

ମମତା ହିସାବ କରୁଥିଲା ନିଜ ପଣତ କାନିରେ ଆଖି ଲୁହକୁ ପୋଛି । ନୀଳକଣ୍ଠ ସମୁଦ୍ରର ଉଦବେଳିତ ତରଙ୍ଗ ଉପରେ ଦୃଷ୍ଟି ସ୍ଥିର ରଖିଥିଲା । ସମୁଦ୍ରରେ ତରଙ୍ଗ ଉଠିଲା ପରି ଉଠି ନଥିଲା କ’ଣ ଦୁଃଖର ତରଙ୍ଗ ତା’ମନର ସମୁଦ୍ରରେ । ମମତା ଜୀବନର ସକରୁଣ କାହାଣୀ ଶୁଣି ନୀଳକଣ୍ଠ କାନ୍ଦି ଉଠୁଥିଲା...ଆଉ ମମତା !

 

ଜୀର୍ଣ୍ଣ ବୀଣାରେ କେବେ ସଂଗୀତ ବାଜେନା । ଶୁଷ୍କ କାଠ ଉପରେ ସମୁଦ୍ରଭଳି କେବେ କ’ଣ ତରଙ୍ଗ ଉଠିବ ??

 

ରୋଗୀମାନଙ୍କୁ ପଥ୍ୟ ଯୋଗାଇ ଥିଲା ମମତା । ପଥ୍ୟ ଯୋଗାଇବା ଅବସରରେ ରୋଗୀମାନଙ୍କୁ ସ୍ନେହ କଣ୍ଠରେ ଯଥାଶୀଘ୍ର ଆରୋଗ୍ୟ ହୋଇଯିବ ବୋଲି ବି ଆଶ୍ୱାସନା ଦେଉଥିଲା-। ମମତା ଯଦି ଦିନେ ଅନୁପସ୍ଥିତ ରୁହେ ରୋଗୀମାନଙ୍କ ତରଫରୁ ଭୀଷଣ ଆପତ୍ତି ହୁଏ-। ଏ ଆପତ୍ତି ଯଦିଓ ମମତାର ମହୀୟସୀ ପ୍ରତିଭା, ସ୍ନେହୀ ଭାବର ସ୍ଵାକ୍ଷର ହୋଇପାରେ କିନ୍ତୁ ତା’ ଭାଗ୍ୟକୁ ସେ ଠିକ୍ ଓଲଟା ହେଲା । ରୋଗୀମାନଙ୍କର ତା’ପାଇଁ ଆପତ୍ତି ଯେତେ ବେଶି ହେଲା, କର୍ତ୍ତୃପକ୍ଷ ମମତା ବିଷୟରେ ସେତେ ଜାଣିବାକୁ ପାଇଲେ ।

 

ସେ ଦିନ ଜଣେ ରୋଗୀ ଆପତ୍ତି କଲା ମମତା ମୁହଁରେ–ଦିଦି ! ଆପଣ ଦିନେ ଦିନେ କୁଆଡ଼େ ଯାଆନ୍ତି ? ଆପଣ ଯେଉଁଦିନ ନ ଆସନ୍ତି ଭାରି ଦୁଃଖ ଲାଗେ ଆମକୁ !

 

ହସି ହସି ମମତା କହିଲା–ବସାରେ ମୋର ଅସୁବିଧା ଅଛି ।

 

ରୋଗୀଟି କିନ୍ତୁ ପ୍ରତିବାଦ କଲା–ଆପଣଙ୍କ ଅସୁବିଧା ଠାରୁ ଆମ ଅସୁବିଧା ଯେ ବେଶି ହୋଇ ଯାଉଛି ।

 

–ଏଣିକି ଆଉ ଅସୁବିଧା ହେବନାହିଁ କହି ମମତା ହସିଲା । ମମତା ଓ୍ୱାର୍ଡ଼ ଭିତରକୁ ପଶି ଆସି ସୌଦାମିନୀ କହିଲା–ହେ ଶୁଣିଗଲୁ ! ମମତା ଆସିଲା ।

 

ସୌଦାମିନୀ କହିଲା–ତୋ’ ଉପରେ ଡାକ୍ତରାଣୀ ଭାରି ଖପା ତ !

 

–କିଏ ଶ୍ୱେତପଦ୍ମା ! କ’ଣ ମୋ’ର ଏ ଅନୁପସ୍ଥିତି ହେତୁ ?

 

ହଁ, ହୁଏତ ଏ ଅନୁପସ୍ଥିତିଟା ବି ଗୋଟାଏ କାରଣ ହୋଇପାରେ । ତା’ଛଡ଼ା ଡାକ୍ତର ଦୀନବନ୍ଧୁଙ୍କର ଚକ୍ରାନ୍ତ ଅଛି । ତୁ କୁଆଡ଼େ କାଲି ସାଗର କୂଳରେ ସେ ପାଗଳଟା ସହିତ......

 

ଛିଃ ଛିଃ ମିନି ଅପା ! ତମେ ବି ଏ କଥା ମତେ ପଚାରିଲ ?

 

ସୌଦାମିନୀ କହିଲା–କି’ଲୋ ମୁଁ କ’ଣ କରିଛି । ଏ ମେଡ଼ିକାଲରେ ପରା ଏ କଥାଟା ଚହଳ ପକାଇଲାଣି, ତୁ କ’ଣ ମୋତେ ଅବିଶ୍ୱାସ କରୁଛୁ ? ରହ ଦେଖିବୁ ।

 

ସତକୁ ସତ ମମତା ତା’ର କେଇ ଘଣ୍ଟା ପରେ ଜାଣିପାରିଲା ସେଇ କଥା । ତାଙ୍କ ଓ୍ୱାର୍ଡ଼ର ସର୍ବୋଚ୍ଚ-କର୍ତ୍ତୀ ଶ୍ୱେତପଦ୍ମା ମମତାକୁ ଡାକି କହିଲେ ଦେଖ, ତମେ ଚାକିରି ଯଦି ନ କରିବ ରେଜିଂନେସନ ଦେଇ ଦିଅ । କିନ୍ତୁ କା’ର ଏତେଟା ଅସୁବିଧା ଲାଗି ଆମେ ଲୋକଙ୍କର ଅନିଷ୍ଟ କରିବୁନି । ଶ୍ୱେତପଦ୍ମାର ଏ କଠୋରୋକ୍ତି ଶୁଣି ମମତା ଦେହରେ ବିଷ ସଞ୍ଚରିଗଲା ।

 

ରାଗରେ ମମତାର ଦେହ ଥରି ଉଠିଲା, ଶ୍ୱେତପଦ୍ମାର କଥା ଆଉ ଶୁଣିବାକୁ ଯଦିଚ ଡିଉଟି ଓଭର ନ ହୋଇଥିଲା ତା’ର, ବସାରେ ଆସି ଦେହ ଅସୁସ୍ଥତାର ଆଳ ଦେଖାଇ ବିଶ୍ରାମ ନେଉଥିବାର ଘୋଷଣା କଲା । ମମତାର ଏ ଶାରୀରିକ ଉଦବେଗ ପରିସ୍ଥିତିରେ ନୀଳକଣ୍ଠ ବିଚଳିତ ହୋଇ ଉଠିଲା । ତା’ରି ସେବା ଶୁଶ୍ରୂଷା କରି ମମତାର ସ୍ୱାସ୍ଥ୍ୟ ହାନି ହୋଇଛି ।

 

ନିଜେ ମଧ୍ୟ ଅନାହାର, ଅନିଦ୍ରା ରହି ମମତାକୁ ରୋଗ ମୁଖରୁ ଉଦ୍ଧାର କରିବାକୁ ପ୍ରସ୍ତୁତ ହୋଇଗଲା ନୀଳକଣ୍ଠ ।

 

ନୀଳକଣ୍ଠର ଏପ୍ରକାର ନିଷ୍ପତ୍ତିରେ ଦୁଃଖିତା ହୋଇ ମମତା ବାଧ୍ୟହୋଇ ପ୍ରକାଶ କଲା–କାରଣ ତା’ର ଆଶଙ୍କା ହେଲା ନୀଳକଣ୍ଠ ଯଦି ଅନିଦ୍ରା ହୁଏ ସ୍ୱାସ୍ଥ୍ୟ ହାନି ଭୟ ଯଥେଷ୍ଟ ଅଛି । ସେ ନୀଳକଣ୍ଠକୁ ଡାକି କହିଲା–ବାସ୍ତବିକ ତା’ର ମନ ଭଲ ନାହିଁ... ତା’ପରେ ନୀଳକଣ୍ଠକୁ ଗୋଟି ଗୋଟି ସବୁକଥା କହିବାପରେ ଦୀର୍ଘ ପାଞ୍ଚ ବର୍ଷ ପରେ ସେ ଚାକିରିକୁ ଇସ୍ତଫା ଦେଇ ଆସିଛି ।

 

ନୀଳକଣ୍ଠ ଚମକି ଉଠି କହିଲା–କିନ୍ତୁ ଚଳିବା କେମିତି ମମି !

 

ମମତା କହିଲା–ନିଜ ଉପରୁ କ’ଣ ଆଶା କମିଗଲାଣି ଭାଇ !

 

ନୀଳକଣ୍ଠ ବିରକ୍ତ ହୋଇ କହିଲା–ମମି, ‘ତୁ’ ଇସ୍ତଫାଟା କା’ ପାଖରେ ଦେଇଛୁ କହିଲୁ । ଅନ୍ତତଃ ମୁଁ....

 

ନା’ ନା’ ସେ କଥା ଆଉ ହେବନି । ନୀଳକଣ୍ଠ ବ୍ୟଥିତ ହୋଇ ଅନୁରୋଧ କଲା । ଚାକିରି ଛାଡ଼ି ଦେଇ ଥିବାରୁ ଦୁଃଖିତ ହୋଇ କହିଲା–କହ ମମି କାହାକୁ ଇସ୍ତଫା ଦେଇଛୁ !

 

–ଡାକ୍ତରାଣୀ ଶ୍ଵେତପଦ୍ମା ପଟ୍ଟନାୟକକୁ.....ବାଧ୍ୟହୋଇ କହିଲା ପରିଶେଷରେ ମମତା ।

 

ନୀଳକଣ୍ଠ ମନରେ ଆଉ ଏକ ଚମକ–ଶ୍ଵେତପଦ୍ମା !

 

–ତମେ କ’ଣ ତାଙ୍କୁ ଚିହ୍ନିଛ ଭାଇ ? ଉଠିବସି ମମତା କହିଲା

 

ନୀଳକଣ୍ଠ କିଛିକ୍ଷଣ ନୀରବ ରହି କହିଲା–ନା ତେବେ ନାଁ’ଟା ତ ଭାରି ସୁନ୍ଦର କିନ୍ତୁ ତା’ କାର୍ଯ୍ୟ ଗୁଡ଼ାକ......

 

–କହନ୍ତୁନି ଏମାନଙ୍କ ଅଣ୍ଡରରେ ଚାକିରି କରିବା ମାନେ ମୃତ୍ୟୁ ନିଶ୍ଚୟ ।

 

ନୀଳକଣ୍ଠ ମନରେ ନୂତନ ଯନ୍ତ୍ରଣା ଜନ୍ମ ହେଉଥିଲା ।

 

ନୀଳକଣ୍ଠ ମୁହଁରୁ ଭାବ ପରିବର୍ତ୍ତନ ବିଶେଷ ଲକ୍ଷ୍ୟ କରି ଆହତ ମମତା କହିଲା ଡାକ୍ତରାଣୀ ଶ୍ଵେତପଦ୍ମା କିନ୍ତୁ ଖରାପ ଲୋକ ନୁହଁନ୍ତି ଭାଇ ! ତାଙ୍କ ସହିତ ମୋର ସୁସମ୍ପର୍କ ଅଛି । ହେଲେ କାହିଁକି ଯେ ସେ ମୋ ଉପରେ ହଠାତ୍ ବିରକ୍ତ ହୋଇ ଉଠିଲେ ।

 

ନୀଳକଣ୍ଠ ପ୍ରଶ୍ନକଲା–ଆଚ୍ଛା ମମି ! ସେ କ’ଣ ବିବାହିତା ନା.....?

 

ମମତା ହସି କହିଲା–ସେ କୁମାରୀ ଜୀବନ ଏପର୍ଯ୍ୟନ୍ତ ଯାପନ କରୁଛନ୍ତି । ଜୀବନରେ ସେ ବିବାହ କରି ପରପୁରୁଷମାନଙ୍କ ଅଧୀନତା ସ୍ଵୀକାର କରିବେନି ବୋଲି ଶପଥ କରିଥିବା କଥା ଥରେ ପ୍ରକାଶ କରିଥିଲେ ।

 

–କାହିଁକି ? ନୀଳକଣ୍ଠ ପଚାରିଲା ।

 

ମମତା କହିଲା କିଛି କାରଣ ନଥାଇ ଯେ ସେ ବିବାହ କରିନାହାଁନ୍ତି ୟା ନୁହେଁ । ଶୁଣାଯାଏ ତାଙ୍କର ହାଇସ୍କୁଲ କାରିୟରରେ ସେ ଜଣକର ପ୍ରେମରେ ପଡ଼ିଲେ, ଅନ୍ତସତ୍ତ୍ଵା ହେଲେ ସେଇ ନିଷ୍ଠୁର ପ୍ରେମିକ କଥାରେ ବି ଗର୍ଭନଷ୍ଟ କଲେ ।

 

ଇଏ, ଏକଥା କ’ଣ ସତ ମମି !

 

ମମତା କହିଲା–ଶୁଣିଛି, କିନ୍ତୁ ଶୁଣିବା କଥା ସବୁ ସତ ବୋଲି ମୋର ବିଶ୍ୱାସ ନାହିଁ । ନୀଳକଣ୍ଠ କହିଲା–ନା, ନା, ହୋଇଥିବ, ଅବିଶ୍ଵାସ କ’ଣ ତେବେ ? ତାଙ୍କର କ’ଣ କିଏ ଏଠି ଅଛନ୍ତି-

 

ମମତା କହିଲା–ତାଙ୍କ ବାପା ମନ୍ଦରଧର ବାବୁଙ୍କୁ ନିଶ୍ଚେ ଜାଣିଥିବେ ! ସେ’ ତ ଏମ.ଏଲ୍‍.ଏ. ଥିଲେ । କିନ୍ତୁ ଦୁଇବର୍ଷ ହେବ ମରିଯାଇଛନ୍ତି । ଶ୍ୱେତପଦ୍ମାର ସେଇ ନିଷ୍ଠୁର ପ୍ରେମିକକୁ ସେ କୁଆଡ଼େ ଭାରି ଭଲ ପାଉଥିଲେ । ତାଙ୍କୁହିଁ ଝୁରି ଝୁରି ସେ ମରିଗଲେ । ଆଉ ମା, ମା ତ ଚିର ରୋଗୀଣା, ମନ୍ଦରଧର ବାବୁଙ୍କ ମୃତ୍ୟୁ ପରେ ସେ ଦୁଇବର୍ଷ ହେଲା ଶଯ୍ୟାଶାୟୀ ହୋଇ ଗତ ଦୁଇମାସ ତଳେ ମରିଯାଇଛନ୍ତି । ତାଙ୍କର ନିଜର ଆଉ କେହି ନାହିଁ ।

 

ନୀଳକଣ୍ଠ ଦେହରେ ଏକ କମ୍ପନ ଜାଗୁଥିଲା । ମମତା କହିଲା–କାହିଁକି ?

 

ନୀଳକଣ୍ଠ କହିଲା–ନାଇଁ, ବିବାହ ହୋଇଥିଲେ ଧର୍ମ କର୍ମକୁ ଜ୍ଞାନ ଥାନ୍ତା କିନ୍ତୁ....

 

–କିନ୍ତୁ ମୋର ବିଶ୍ୱାସ ସେ କେବେ କାହାର ଅନିଷ୍ଟ କରି ନାହାଁନ୍ତି । କେବଳ ନୀଳକଣ୍ଠ ଟିକେ ବିରକ୍ତ ହୋଇ କହିଲା–ତୁ ଚାକିରିରୁ ଇସ୍ତଫା ଦେଇ ବଡ଼ ଭୁଲ କଲୁ ମମି ! ଚାକିରିଟା ଯିବାପରେ ଏ ଅର୍ଥ ସର୍ବସ୍ୱ ଦୁନିଆରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ କ’ଣ ମିଳିବ ? ତୁ ଯା ଭାବେ ମମି ମୁଁ କାଲି ତାଙ୍କ ପାଖକୁ ଯାଇ ଇସ୍ତଫାଟା ଚିରି ଦେବାକୁ ଅନୁରୋଧ କରିବି । ତା’ ନହେଲେ....

 

ମମତା ପ୍ରଥମେ ମନା କରୁଥିଲା, ମନାକରି ଲାଭନାହିଁ ।

 

ନୀଳକଣ୍ଠ ଯିବ ଶ୍ଵେତପଦ୍ମା ପାଖକୁ !

 

ଦୀର୍ଘଦିନ ତଳର ଅତୀତ ହେବ ବର୍ତ୍ତମାନ । ନୀଳକଣ୍ଠ ମନରେ ପୁଣି ସେଇ ପୁରୁଣା ନିଶା ଶ୍ଵେତପଦ୍ମା ତାକୁ ଚିହ୍ନିବ ତ ? –ମୁଣ୍ଡରେ ପ୍ରଶ୍ନ !

 

କେତେବଡ଼ ହୋଇଯିବଣି ଶ୍ଵେତା । କେତେ ପରିବର୍ତ୍ତନ ହୋଇ ନଥିବ ତା’ ତନୁତୀର୍ଥରେ । ସେତେବେଳେ ଶ୍ଵେତା ଟ୍ରାଉଜର, ସେଲୁଆର ପିନ୍ଧୁଥିଲା ଆଉ ବର୍ତ୍ତମାନ ନିଶ୍ଚୟ ନାଇଲେନ ଶାଢ଼ି ପିନ୍ଧୁଥିବ । ପାଦରେ ହାଇହିଲ୍ ସୁ ମଡ଼ାଇଥିବ । ଆଖିରେ ଥିବା ରୋଲଡ୍ ଗୋଲଡ୍ ଫ୍ରେମର ଚଷମା । ଶ୍ଵେତାର ପରିବର୍ତ୍ତନ ହୋଇଥିବ ବିରାଟ ।

 

ଆନନ୍ଦଟା ନୀଳକଣ୍ଠ ମନରେ ଗୋଟାଏ ପ୍ରକାର କମ୍ପନ ଜଗାଇଯାଏ । ଅତୀତର ସେଇ ନୀଳ ସ୍ମୃତି ଫୁଲରେ ଶ୍ଵେତା କ’ଣ ମାଳା ଗୁନ୍ଥିବାକୁ ପସନ୍ଦ କରୁଥିବେ ।

 

ଶ୍ୱେତପଦ୍ମା କଥା ଚିନ୍ତାକଲେ ନିଜ ଉପରେ ଅଭିମାନ ଜାଗେ । ନୀଳକଣ୍ଠର ମନର ପ୍ରତ୍ୟେକ ସ୍ନାୟୁ ତା’ ବିରୁଦ୍ଧରେ ବିଦ୍ରୋହ କରିଉଠେ ନିଷ୍ଠୁରଭାବେ ସେ ଶ୍ଵେତପଦ୍ମାର ଯାହା କ୍ଷତି କରିଛି ମଣିଷ ହୋଇ ସେତିକି କ୍ଷତି କ’ଣ ମଣିଷ ଜଣକର କରିପାରେ ।

 

କିନ୍ତୁ ଶ୍ଵେତପଦ୍ମା !

 

ଶ୍ୱେତପଦ୍ମାର କୁମାରୀ ଜୀବନ ଯାପନ କରିବା କଥା ଶୁଣି ନୀଳକଣ୍ଠ ଶ୍ଵେତା ଉପରେ ଯେଉଁ କଦର୍ଯ୍ୟ ଧାରଣା ଆଣିଥିଲା ତା’ ବଦଳି ଯାଏ ବରଂ ସେ ଚିତ୍କାର କରି ଉଠେ ଶ୍ଵେତା ବ୍ୟଭିଚାରିଣୀ ନୁହେଁ–ସେ ସତୀ, ସାବିତ୍ରୀ ।

 

ନିଜର ଯୌବନ ପୁଷ୍ପକୁ ସେ ଯେଉଁ ପ୍ରେମିକ ପଦରେ ଅଯାଚିତ ଭାବେ ଅର୍ପଣ କରିଥିଲା, ସେ ପ୍ରେମିକ ନିଷ୍ଠୁର ହୃଦୟରେ ପଦାଘାତ କରିଛି ସେ ପୁଷ୍ପ ଉପରେ । ବିଭତ୍ସ କରୁଣଭାବେ ଦଲିଦେଇଛି ସେଇ ବଜ୍ର ପଦାଘାତରେ । ତଥାପି ଶ୍ୱେତପଦ୍ମା ସେ ନିଷ୍ଠୁର ଅବିଶ୍ୱାସୀ ପ୍ରେମିକକୁ କ୍ଷମା ଦେଇଛି । ତା’ ପ୍ରତ୍ୟାଗମନ ପଥକୁ ପ୍ରତୀକ୍ଷା କରି କୁମାରୀ ଜୀବନ ଯାପନ କରିଛି-। ଅତୀତରେ ସେଇ ସ୍ମୃତିର ପୁଷ୍ପରେ ମାଳାଗୁନ୍ଥି ନିଜ କଣ୍ଠକ ମଣ୍ଡନ କରିଛି । ନାରୀ ଦେହ ଧରି ଏ ଯେଉଁ ଆତ୍ମୋତ୍ସର୍ଗ, ଏ ଯେଉଁ ଅଭୂତପୂର୍ବ ଅବଦାନ, ଏ ଯେଉଁ ଅଟଳ ଧୈର୍ଯ୍ୟ ଶ୍ୱେତପଦ୍ମାର ମହୀୟସୀ ପ୍ରତିଭା ଜ୍ୱଳନ୍ତ ନିଦର୍ଶନ ନୁହେଁକି ? ଶ୍ୱେତପଦ୍ମା ଜିତି ଯାଇଛି । ନିଜକୁ ତିଳତିଳ କରି ଜାଳି ସେ ଯେଉଁ ଆଲୋକ ବିତରଣ କରିଗଲା ସେଥିଲାଗି ଶ୍ୱେତପଦ୍ମା ବିଜୟିନୀ ହୋଇଗଲା-। ଦୋଷୀକୁ କ୍ଷମା ଦେଇ ଏ ପୃଥିବୀରେ ନାରୀମାନଙ୍କ ମଧ୍ୟରେ ଏକ ଅପୂର୍ବ ଜାଗରଣ ସୃଷ୍ଟି କରିଛି-

 

ଦୁଃଖରେ ଭାଙ୍ଗି ପଡ଼ିଲା ନୀଳକଣ୍ଠର ମନ । ଅଭିମାନ ବିଷରେ ଭରିଉଠିଲା ତା’ର ଜୀବନ ପାତ୍ର ଶ୍ୱେତପଦ୍ମାକୁ ଅବମାନନା କରି ତା’ ଜୀବନର ଗତିପଥକୁ ସେ ଏଭଳି ବନ୍ଧୁର ନିଷ୍ଠୁର କଲା କାହିଁକି ???

 

ନୀଳକଣ୍ଠର ସେଇ ଅତୀତ ଭୂତଟା ପୁଣି ଆକସ୍ମିକ ଭାବେ ତା’ ଅନ୍ତର ସିଂହାସନରେ ଆରୋହଣ କଲା । ଓଃ ଅତୀତଟାକୁ ଭୁଲି ପାରିବନି କ’ଣ ସେ ? ଯଦିବା ଅତୀତକୁ ଭୁଲି ଯିବାକୁ ନେଇଛୁ ଶପଥ ।

 

ଶ୍ୱେତପଦ୍ମା ପାଖକୁ ଯିବାକୁ ହେବ । ଶ୍ୱେତପଦ୍ମାର ବିନାନୁମତିରେ ତା’ଠାରୁ ବିଦାୟ ନେଇଥିଲା । ବିନା ଅନୁମତିରେ ସେଭଳି ଶ୍ୱେତପଦ୍ମା ପାଖକୁ ଫେରିଗଲେ ସେ ଭୁଲ କ’ଣ କରିବ-?

 

ରାତିଟା ଏଥିଭିତରେ ଅନେକ ଅନେକ ହୋଇ ଯାଇଛି । ଅନ୍ଧାର ରାତିଟା ବେଳୁ ବେଳେ ଅନ୍ଧାର ଗମ୍ଭୀର ଭୟଙ୍କର ହୋଇ ଉଠିଛି । ଏଇ ଗମ୍ଭୀର ଅନ୍ଧକାର ପରେ ଦିବାଲୋକ ଆସିବା ଯଦି ସତ୍ୟ ହୁଏ, ତେବେ ତା’ ଜୀବନର ଅନ୍ଧକାରଟା କ’ଣ ଏଇ ଦିବସର ଆଗମନରେ ଅପସରି ଯିବ ?

 

ରାତିରେ ଆଉ ସୁନିଦ୍ରା ହେଲାନାହିଁ ନୀଳକଣ୍ଠକୁ । ସୁନିଦ୍ରା ନ ହେଲେ ମଶାମାନଙ୍କର ସଂଗୀତଟା ବେଶି ବିରକ୍ତିକର କରିଦେଲା ମନ, କେନ୍ଦେରା ବଂଶୀ ବାଦନ କରି ମଶାମାନଙ୍କର ଏ ସଂଗୀତକୁ ଆଉ ନ ଶୁଣିବାକୁ, ଛାରପୋକଙ୍କର ନିଷ୍ଠୁର ଦଂଶନ କବଳରୁ ପରିତ୍ରାଣ ପାଇବାକୁ ନୀଳକଣ୍ଠ ବାହାରକୁ ବାହାରି ପଡ଼ିଲା ।

 

ମମତା ହୁଏତ ଘନୀଭୂତ ନିଦ୍ରାରେ ହଜି ଯାଇଛି । ଚୀର ଦୁଃଖିନୀ, ସ୍ୱାମୀ ପରିତ୍ୟକ୍ତା ହତଭାଗିନୀ ଶୋଇଥାଉ.....ଶୋଇଥାଉ ତା’ର ବିଭତ୍ସ ଅତୀତ ସ୍ମୃତିର ବ୍ୟାଘ୍ର....ଶୋଇଥାଉ ।

 

ସକାଳ ହେଲା ! ସେଇ ପ୍ରତୀକ୍ଷମାଣ ସକାଳ ।

 

ଟିକେ ଡେରିରେ ଶୋଇଥିବାରୁ ସେଇ ଶୁଭ୍ର ସକାଳକୁ ସ୍ୱାଗତ ଜଣାଇବାର ସୌଭାଗ୍ୟରୁ ବଞ୍ଚିତ ହେଲା ନୀଳକଣ୍ଠ । ଅଥଚ ସେ ଶୁଭ୍ର ସକାଳକୁ ସ୍ୱାଗତ କରିବାକୁ ସେ କେତେ ସଚେତନ ନଥିଲା !

 

ମମତାର କିନ୍ତୁ ନିଦ ଭାଜି ଯାଇଛି ଅନେକ ବେଳୁ । ରାତିର ଶେଷ ଯାମରେ ହଠାତ୍ କାହିଁକି ମମତାର ନିଦ୍ରା ଭାଙ୍ଗିଗଲା । ସେ କଥା ମମତା କହିପାରିବ ନାହିଁ । ତଥାପି ସେହି ପ୍ରହରରୁ ତା’ ଗତ ଜୀବନର ବିକ୍ଷିପ୍ତ ଭାବନାରେ ଆଚ୍ଛନ୍ନ ହୋଇ ଯାଇଥିଲା ମନ । କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ଗଲା ଦିନରେ ସେ ଯାହା କରିଦେଲା, ସେଥିଲାଗି ନିଜକୁ ଦୋଷୀ ସାବ୍ୟସ୍ତ କରୁଥିଲା ତା’ ବିବେକ । ସ୍ୱାମୀ ସୁଖରୁ ବଞ୍ଚିତା ହୋଇ ନିଜ ଗୋଡ଼ରେ ଠିଆ ହେବାକୁ ତ ସେ ଆସିଥିଲା । ନିଜ ଗୋଡ଼ରେ ଠିଆ ହେବାର ଧୈର୍ଯ୍ୟକୁ ସେ ଜାଣୁ ଜାଣୁ ହରାଇ ବସିଲା କାହିଁକି ? ଯେଉଁ ଚାକିରିଟା ଉପରେ ଭରସା ରଖି ସେ ଏତେଦୂର ଆଗେଇ ଆସିଲା ସେଇ ଚାକିରିଟାକୁ ଛାଡ଼ି ଦେଇଛି । ଏଣିକି ଏ ବିଶ୍ଵସଂସାରରେ ବଞ୍ଚିବ କିମିତି ସେ ! ଜୀବନଟା ଯେତେବେଳେ ଅଛି ଲୋଭଟା ତ ସେଇ ଜୀବନ ପ୍ରତି ଅଛି । ସେଇ ଜୀବନକୁ ବଞ୍ଚାଇବାକୁ ହେଲେ ଦରକାର ଖାଦ୍ୟ, ଲଜ୍ଜା ନିବାରଣ କରିବାକୁ ହେଲେ ଦରକାର ବସ୍ତ୍ର, ଆଉ ବିଶ୍ରାମ ନେବାକୁ ଦରକାର ବାସ । ତା’ ଜୀବନର ଏଇ ତିନୋଟି ହେଲା ସର୍ବଶ୍ରେଷ୍ଠ ଦରକାରୀ, ଏଇ ତିନୋଟି ଛଡ଼ା ଆଉ ତା’ର ବା କ’ଣ ଦରକାର ତେବେ ଏ ତିନୋଟି ଦରକାରୀକୁ ପାଇବାକୁ ହେଲେ ଯେ ଅର୍ଥ ଦରକାର, ଏଣିକି କେଉଁଠୁ ପାଇବ ସେ ଅର୍ଥ !

 

ମମତାର ମନେପଡ଼େ ଅର୍ଥସର୍ବସ୍ଵ ଦୁନିଆରେ ତାକୁ ବିନା ଲୋଭରେ ଅର୍ଥ ବିତରଣ କରିବ କିଏ ?

 

ଡାକ୍ତର ଦୀନବନ୍ଧୁ ଦାସ କଥା ମନେ ପଡ଼ୁଥିଲା ମମତାର । ତାକୁ ସବୁପ୍ରକାର ସାହାଯ୍ୟ କରିବାକୁତ ସେ ପ୍ରତିଶ୍ରୁତି ଦିନେ ଦେଇଥିଲେ । ତାଙ୍କର ସାହାଯ୍ୟ ଗ୍ରହଣ ନକରି ସବୁ ଆଶାରୁ ବଞ୍ଚିତ ହେବାକୁ ମମତାକୁ ସିନା ପଡ଼ିଛି । ଆଜି ତାଙ୍କରି ଭରସାରେ ସେ ବଞ୍ଚିଯାଇ ପାରିବ ନାହିଁ କ’ଣ ?

 

ସେଦିନ ସେ ସ୍ପଷ୍ଟ ଘୋଷଣା କରିଥିଲେ–ମୁଁ ତୁମକୁ ଭଲପାଏ ମମତା । ଖୁବ୍ ଭଲପାଏ-

 

ମମତାର ସ୍ମରଣ ହେଉଛି–ସେଦିନ ଯଦି ସେ ତାଙ୍କୁ ଭର୍ତ୍ସନା ନକରି ସ୍ୱାଗତ କରିଥାନ୍ତା, ଏତିକି ଦୁଃଖିତ ହେବାକୁ କ’ଣ ପଡ଼ିଥାଆନ୍ତା ତାକୁ । ଅଯାଚିତ ଦାନକୁ ସେ ଅବମାନନା କରିବାକୁ ଦୁର୍ବୁଦ୍ଧି ବା ପାଇଲା କେଉଁଠୁ ।

 

ତେବେ କ’ଣ ସେ ସେଇ ଡାକ୍ତର ଦୀନବନ୍ଧୁଙ୍କର ନିବେଦନକୁ ସ୍ୱାଗତ କରିବ !

 

ଦୀନବନ୍ଧୁ ଦାସର ସେ ଅଯଥା ହାସ୍ୟଉଜ୍ଜ୍ୱଳ ମୁଖର ଇସାରା ଆଖିର ଚାହାଣି ପ୍ରତିଭାତ ହୋଇ ଉଠିଲା ମମତା ମନର ଦର୍ପଣରେ । ଆଠୋଟି ସନ୍ତାନର ଜନକ ହୋଇ ମଧ୍ୟ ଯୌବନର ସେଇ ନିଶାଟାକୁ ବିସ୍ମୋରଣ କରିପାରି ନାହାଁନ୍ତି । ସେ ଯିମିତି, ସେଇଥିନେଇ ମମତା ତାଙ୍କ ଉପରେ ବିରକ୍ତହୁଏ । ବେଳେ ବେଳେ ତାଙ୍କର ଏ ଅଭଦ୍ରାମିକୁ ପସନ୍ଦ କରିପାରେ ନାହିଁ । ତାଙ୍କ ଲୋଲୁପ ଚାହାଣି ମମତାର ଦେହରେ ଗୋଟାଏ ଭୀତି ଭାବ ସୃଷ୍ଟିକରେ । ମମତାର ଧାରଣା ହୁଏ ସେ ତାକୁ ଭଲ ପାଆନ୍ତି ନା, ତା’ ଯୌବନଟାକୁ । କାରଣ କାମାନ୍ଧ ପାଖରେ ନାରୀ ରୂପଠାରୁ ନାରୀ ମନ କେତେ ଛୋଟ ! କିମିତି ଜାଣୁ ଜାଣୁ ସେଇ ଦୋଷଟା କରିବ ମମତା ।

 

ଜିଭ କାମୁଡ଼ି ପକାଇଲା ମମତା । ଛି-ଛି କି କଦର୍ଯ୍ୟ କଥା ଭାବୁଛି ସେ ! ଦୁର୍ବଳତାକୁ ପ୍ରଶ୍ରୟ ଦେଇ ନିଜକୁ ଦୁର୍ବଳତାର ଜାଲରେ ସେ ଜାଣୁ ଜାଣୁ ଛନ୍ଦିଦେବ । ନା-ନା ହିନ୍ଦୁକୁଳର ବଧୂ ହୋଇ ସେ କେବେ ଏପାପକୁ ପ୍ରଶ୍ରୟ ଦେବ ନାହିଁ ! ସ୍ୱାମୀ ପରିତ୍ୟକ୍ତା ହେଲେ ବି ସେ ନାରୀ । ସତୀତ୍ୱକୁ ପଣ୍ୟ କରି ପେଟ ପୋଷିବାର ଦୁର୍ବୁଦ୍ଧିକୁ ସେ ସମର୍ଥନ କରିନପାରେ ଯେଉଁ ପ୍ରାଣ ଲାଞ୍ଛିତ, ସ୍ୱାମୀ ସୁଖରୁ ବଞ୍ଚିତ ସେଇ ପ୍ରାଣକୁ ବଞ୍ଚାଇବାକୁ ସେ ଅଧଃପତନର ତଳ ସୋପାନକୁ ଖସିଯାଇ ପାରିବ ନାହିଁ । ଏ ଦୁର୍ବିସହ ଜୀବନଭାର ଯଦି ଅସହ୍ୟ ହୁଏ ନାଇଟ୍ରିକ ଏସିଡ୍ ମିଳିବ ନାହିଁ କ’ଣ ସେବିକା ମମତାକୁ ?

 

ସକାଳର ସୂର୍ଯ୍ୟକିରଣ ପଡ଼ିଲା ଆସି ତା’ କକ୍ଷରେ, ମମତା ପୋଛିଦେଲା ମନରୁ ସେ ଦୁର୍ଭାବନା । ଯେଉଁ ସାହାସରେ ସେ ଏ ଦୁନିଆ ଦାଣ୍ଡକୁ ଡେଇଁ ପଡ଼ିଛି ସେଇ ସାହାସ ଧରି ଉଠିଗଲା ସେ । ଉପସ୍ଥିତ ଦୁଃଖର ସକାଳ ସହିତ ସେ ସଂଗ୍ରାମ କରିବ । ଶେଷ ପର୍ଯ୍ୟନ୍ତ ସେ ସଂଗ୍ରାମରୁ ବିରତ ହେବ ନାହିଁ ।

 

ନୀଳକଣ୍ଠକୁ ହଲାଇ ଦେଇ ମମତା କହିଲା–ଆଜି କ’ଣ ଉଠିବନାହିଁ ଭାଇ !

 

ଧଡ଼ ପଡ଼୍‍ ହୋଇ ଉଠି ନୀଳକଣ୍ଠ କହିଲା–ଏତେ ଡେରି ହୋଇଗଲା ଅଥଚ ତୁ ଉଠାଇଲୁ ନାହିଁ ?

 

ମମତା କହିଲା–ଉଠାଇବାର କିଛି ପ୍ରୟୋଜନ ନ ଥିଲା । ତା’ଛଡ଼ା ଏତେ ସକାଳୁ ଯେ କାହିଁକି ଉଠି ଥାଆନ୍ତ । ବିରକ୍ତ ହେଲା ନୀଳକଣ୍ଠ–କହିଲା ଭାବିଥିଲି ଗତ ରାତିରେ ତୋ ଦୋଷ କଥା ଭାବି ତୁ ଅନୁତାପ କରିଥିବୁ, କିନ୍ତୁ ଦେଖୁଛି–ଅନୁତାପ କରିବା ପରିବର୍ତ୍ତେ ତୁ ଦୋଷଟାକୁ ଅନୁମାନ କରିପାରିନୁ ।

 

ମମତା କହିଲା–ଅନୁମାନ କରିବା, ଅନୁତାପ କରିବା କି ଯେ ଦରକାର । ତା’ଛଡ଼ା ତମେ କ’ଣ ଭାଗ୍ୟଫଳକୁ କେବେ ଅସ୍ଵୀକାର କରିପାରିବ ଭାଇ !

 

ନୀଳକଣ୍ଠ କହିଲା–ବାଜେ ଯୁକ୍ତିଗୁଡ଼ାଏ ମୁଖସ୍ଥ କରିଛୁ ତୁ । କିନ୍ତୁ ।

 

ମମତା କହିଲା ଏ ସବୁ ବାଜେ କଥା ନୁହଁ । ନିଷ୍ଠୁର, ଅଭ୍ରାନ୍ତ ଧ୍ୱନି ସତ୍ୟକଥା । ତିନି ତିରି ନଅ ଯେମିତି ଗାଣିତିକ ସତ୍ୟ । ତା’ନ ହୋଇଥିଲେ ତୁମର ମୋର ଭେଟ ବି ହୋଇପାରି ନଥାନ୍ତା ।

 

ନୀଳକଣ୍ଠ କହିଲା ତଥାପି ଚେଷ୍ଟା କରିବା ଆମର କର୍ତ୍ତବ୍ୟ । ଅନ୍ତତଃ ଦୁଃଖଟାକୁ ଜାଣି ଜାଣି ବରଣ କରିବା ଉଚିତ ନୁହେଁ ।

 

ମମତା କହିଲା–ଉଚିତ ନୁହେଁ ମାନୁଛି, ତଥାପି ଯେ ବରଣ କରିବାକୁ ବାଧ୍ୟ । କାରଣ ଏହାହିଁ ତ ଅଦୃଷ୍ଟର ଇଙ୍ଗିତ । ନିୟତିର ବିଧାନକୁ ଅନିଚ୍ଛା ସତ୍ତ୍ଵେ ବି ଆମକୁ ମାନବିକୁ ହେବ । ସ୍ଵୀକାର କରିବାକୁ ହେବ ।

 

ନୀଳକଣ୍ଠ କହିଲା–କିନ୍ତୁ ତୁ ବାରଣ ନ କରି ଡାକ୍ତରାଣୀ ଶ୍ଵେତପଦ୍ମା ପାଖକୁ ମତେ ଯିବାକୁ ଦେ ମମି, ତୁ ତ କହୁଥିଲୁ ସେ ସୁନ୍ଦର ଲୋକ । ଅନ୍ତତଃ ଯଦି ଦୟା ହୁଏ ତାଙ୍କର ଆମକୁ ଆଉ ଦୁଃଖ ସହିବାକୁ ପଡ଼ିବନି । ଦେଖୁଛ ତ ମୋର ଦେହ କାର୍ଯ୍ୟକ୍ଷମ ହୋଇନି । ଦେହଟା ଯଦି ଦୃଢ଼ ହୋଇ ଥାଆନ୍ତା–ଭାବିବାକୁ ଆଉ କ’ଣ ଥିଲା ? ଆଉ ଶ୍ଵେତପଦ୍ମା ପାଖକୁ ଯିବା କି ଆବଶ୍ୟକ ଥିଲା ? ମମତା ବାରଣ କଲା ନାହିଁ । ଯୁକ୍ତି କଲା ନାହିଁ, ନୀଳକଣ୍ଠ ସୁସ୍ଥ ସବଳ ହେବା ପର୍ଯ୍ୟନ୍ତ ଅନ୍ତତଃ ତା’ ଚାକିରିଟା ଯଦି ରହିଯାଇପାରେ, ତା’ହେଲେ ନିଜ ପାଇଁ ନୀଳକଣ୍ଠ ପାଇଁ ତାକୁ ଆଉ ଭାବିବାକୁ ପଡ଼ିବ ନାହିଁ ।

 

ମମତା କହିଲା–ତା’ହେଲେ ତମେ ଯିବ ଶ୍ଵେତପଦ୍ମା ପାଖକୁ !

 

–ଫଁ କରି ନୀଳକଣ୍ଠ ଢୋକ ଗିଳିଲା !

 

ତା’ହେଲେ ଶୀଘ୍ର ପ୍ରସ୍ତୁତ ହୋଇଯାଅ । ମୁଁ ଯାଉଛି ଜଳଖିଆ ଦି’ଟା ପ୍ରସ୍ତୁତ କରିଦିଏ ।

 

ମମତା ଚାଲିଗଲା–ମମତାର ଗତିପଥକୁ ଲକ୍ଷ୍ୟ କରି ରହିଥିଲା ନୀଳକଣ୍ଠ–ହାୟଃ ସକଳ ସୁଖରୁ ବଞ୍ଚିତା ଏଇ ଅଭାଗୀନିର ଆତ୍ମବିଶ୍ଵାସ କି ଗମ୍ଭୀର !!

 

ଶ୍ଵେତପଦ୍ମା ପଟ୍ଟନାୟକ, ଏମ୍.ବି.ବି.ଏସ୍ I

 

କଳା କଳା ଗୋଲ ଗୋଲ ଅକ୍ଷରରେ ଲେଖା ।

 

କଳା କଳା ଗୋଲ ଗୋଲ ଅକ୍ଷରରେ ଲେଖାଥିବା ନେମ୍‍-ପ୍ଲେଟକୁ ପଢ଼ି ନୀଳକଣ୍ଠ ଠିଆ ହୋଇ ଗଲା । ଭିତରକୁ ଯିବ କିମିତି ? ଗେଟ୍‍ ଦିଆ ହୋଇଛି ଯେ…

 

ତଥାପି ନୀଳକଣ୍ଠ ଅପେକ୍ଷା କଲା–ଥନ ଥନ ହୃଦୟରେ । ମନରେ କେତେ ସ୍ମୃତି କେତେ ଅଘଟନ ଉଦୟ ଅସ୍ତ ହୋଇଯାଉଛି । କେତେ ଆଶା, ନିରାଶାର ଆଶଙ୍କା ଭିତରେ ମନଟା ନୀଳକଣ୍ଠର ଆନନ୍ଦ-ଚଞ୍ଚଳ ହୋଇ ଉଠୁଛି । ମନ ବିବ୍ରତ ହୋଇ ଉଠୁଛି । ଏକ ମାନସିକ ଅଶାନ୍ତି ଭିତରେ ବୁଡ଼ି ରହି ଅପେକ୍ଷା କଲା ନୀଳକଣ୍ଠ ।

 

ଏଇ ଶ୍ଵେତପଦ୍ମା । ବସାଦ୍ଵାର ଖୋଲି ବାହାରି ପଡ଼ିଲେ ନୀଳକଣ୍ଠ କ’ଣ ବୋଲି ସମ୍ବୋଧନ କରିବ ତାକୁ । ଆଉ ଶ୍ଵେତା ବି ସେଇ ସମ୍ବୋଧନ ଶବ୍ଦଟାକୁ ଆବିଷ୍କାର କରିବାକୁ କ’ଣ ଚିନ୍ତିତ ହୋଇ ପଡ଼ିବ ନାହିଁ ।

 

ଅତୀତର ସେଇ ଚପଳଛନ୍ଦା ବର୍ତ୍ତମାନ ଡାକ୍ତରାଣୀ ଶ୍ୱେତପଦ୍ମା ଭିତରେ ନିଶ୍ଚୟ ହୋଇଛି ବିରାଟ ପରିବର୍ତ୍ତନ ସେଇ ପରିବର୍ତ୍ତନ ଚକ୍ଷୁରେ ସେ ଯଦି ନୀଳକଣ୍ଠକୁ ଚିହ୍ନି ନ ପାରେ ।

 

–କାହାକୁ ଖୋଜୁଛନ୍ତି ?

 

–ଚମକି ଉଠିଲା କଣ୍ଠ । କଣ୍ଠରୁ ଚମକିତ ଭାବ କାଟି କହିଲା–ଡାକ୍ତରାଣୀଙ୍କୁ, ପ୍ରାଇଭେଟ କଥା ଅଛି ।

 

–କିନ୍ତୁ ବର୍ତ୍ତମାନତ ସାକ୍ଷାତ ହୋଇ ପାରିବ ନାହିଁ ସେ ଯେ ପୂଜା କରୁଛନ୍ତି ଅନ୍ତତଃ ଦଶଟା ପର୍ଯ୍ୟନ୍ତ ସେ ତ ଉଠିବେ ନାହିଁ ।

 

ଶୋଚନୀୟଭାବେ ମଉଳି ପଡ଼ିଲା ନୀଳକଣ୍ଠର ମନ । ନିରାଶାର କଳା ଅନ୍ଧାର ଘୋଟିଗଲା ସଫଳ ସ୍ଵପ୍ନଝରାମୁଖରେ । ସେ ନିରାଶାଜର୍ଜରିତ କଣ୍ଠରେ କହିଲା–ତା’ପରେ ସେ ରହିବେତ ?

 

ମହିଳା ଜଣକ ମନାକଲେ । ମେଡ଼ିକାଲରୁ ଚାରିଟାରେ ଫେରିବେ, ସେତେବେଳକୁ ଆସନ୍ତୁ ।

 

ଫେରି ପଡ଼ୁଥିଲା ନୀଳକଣ୍ଠ । କିନ୍ତୁ ମନ କ’ଣ ଫେରିପାରେ ? ପୁଣି ମୁହଁ ଫେରାଇ ନୀଳକଣ୍ଠ କହିଲା–ମୋ କଥା କହିଲେ ସେ ଆସିବେ ।

 

ନା-ନା, ବରଂ ସେ ଭୟଙ୍କର ବିରକ୍ତ ହେବେ ।

 

ନୀଳକଣ୍ଠ ଫେରିଲା, ଦୁଃଖରେ…ଅସହ୍ୟ ଦୁଃଖରେ ।

 

ମମତା ଆଉ ପଚାରିଲା ନାହିଁ ନୀଳକଣ୍ଠକୁ । ନୀଳକଣ୍ଠର ମଳିନ ମୁଖତ ତା’ପ୍ରଶ୍ନର ଉତ୍ତର ଦେଉଛି କାହିଁକି ପଚାରି ଅଯଥା ଦୁଃଖଟାକୁ ଭାରି କରିଦେବ ସେ ।

 

ନୀଳକଣ୍ଠ କିନ୍ତୁ ନିଜେ ଆରମ୍ଭ କଲା–ଦେଖା ହୋଇ ପାରିଲା ନାହିଁ ।

 

ମମତା କହିଲା–ବ୍ୟସ୍ତ ହେଉଛ କାହିଁକି ଚାରିଟା ବେଳେ ଗଲେ…

 

ନୀଳକଣ୍ଠ ଆଶ୍ଵସ୍ତି ହେଲା । ହତାଶର ଦୀର୍ଘଶ୍ଵାସ ବୁକୁ ଥରାଇ ବାହାରି ଆସିଲା ତା’ର

 

ଅଷ୍ଟିନ କାରରୁ ଅବତରଣ କରି ଆସିଲା ଶ୍ଵେତପଦ୍ମା ।

 

ବଣ ମଲ୍ଲିର ହାରଟିକୁ ଘୂରାଇ ଘୂରାଇ ଏକ ବନ୍ୟ ହରିଣୀର ଚପଳ ଛନ୍ଦରେ ଡେଇଁ ଡେଇଁ ବସା ଭିତରକୁ ପଶିଗଲା ସେ... ମେଡ଼ିକାଲରୁ ଫେରି ସାଗର କୂଳଆଡ଼କୁ ବୁଲିଯାଇଁ ଅତି ଶରଧାରେ କିଣିଥିବା ମଲ୍ଲିହାରଟିକୁ ଅତି ସତର୍କତା ସହିତ ନିଜ ବେଡ଼ିଂ ଉପରେ ଥୋଇଦେଲା…ଚଞ୍ଚଳ ହସ୍ତରେ ନିଜ ପୋଷାକ ପରିବର୍ତ୍ତନ କରି ବାଥରୁମ ଭିତରକୁ ଚାଲି ଯାଉଥିଲା…

 

ଶ୍ରୀମତୀ କହିଲା…ଆଜି ଏତେ ଡେରି କାହିଁକି ହେଲା ମା…

 

ଡେରି କାହିଁକି ହେଲା ସେ କଥା ଶ୍ରୀମତୀ ଜାଣି କିଛି ଲାଭନାହିଁ…ଶ୍ରୀମତୀ ଭଳି ପଳାୟିତ ଯୌବନ ଦ୍ଵାରରେ ଦଣ୍ଡାୟମାନ ହୋଇଥିବା ନାରୀ ପକ୍ଷରେ ଡେରି କାହିଁକି ହେଲା ବୁଝିବା ବଡ଼ କଷ୍ଟକର କଥା । ତଥାପି ଶ୍ରୀମତୀ ପ୍ରତ୍ୟହ ବୁଝିବାକୁ ଚେଷ୍ଟା କରେ...ଅଙ୍ଗେ ଲିଭାଇଥିବା କଥା ବୁଝିବାକୁ ସିନା ତାକୁ ବାକି ରହିବ ନାହିଁ, କିନ୍ତୁ ଶ୍ଵେତପଦ୍ମା ପାଖରେ ଶ୍ରୀମତୀର ଅନୁମାନ ବିଦ୍ୟା କେତେ ନଗଣ୍ୟ !

 

ଶ୍ଵେତା କହିଲା–ସମୁଦ୍ରକୂଳ ଆଡ଼େ ଟିକେ ଘୂରି ଆସିଲି...କ’ଣ କିଏ ଖୋଜୁଥିଲେ କିଲୋ ଶ୍ରୀମତୀ !

 

ଶ୍ରୀମତୀ ମନେ ପକାଇବାକୁ ଚେଷ୍ଟା କଲା କିଛି ଗୋଟେ କଥା ମନେ ପକାଇବାକୁ ଚେଷ୍ଟା କଲେ ଶ୍ରୀମତୀର ଡୋଳା ଦି’ଟା ତାଳୁରେ ଲାଗିଯାଏ...ସିଏ ଯିମିତି ତାଳୁରେ ଲେଖି ରଖିଛି...

 

ଶ୍ରୀମତୀ କହିଲା–ରୋଗୀ ଏଓଳି ସେମିତି କେହିତ ଆସିଲା ପରି ଜଣା ପଡ଼ୁନି...ତେବେ ସକାଳଓଳି ଜଣେ କିଏ ଖୋଜୁଥିଲା, ଶ୍ଵେତା ପ୍ରଶ୍ନ କଲା...କ’ଣ କିଏ ଭଦ୍ରଲୋକ !

 

ଥ–ଥ, ମ–ମ ହୋଇଗଲା ଶ୍ରୀମତୀ–ସକାଳଓଳି ଯାହାକୁ ସେ ଦେଖିଥିଲା ସିଏ ଭଦ୍ରଲୋକ କି ସାଧାରଣ ଲୋକ ତା’ ଠିକ୍ କରିବାକୁ ଶ୍ରୀମତୀର ବି ଗୋଟାଏ ସମସ୍ୟା ସୃଷ୍ଟି ହେଲା-

 

ଶ୍ଵେତା ବିରକ୍ତ ହୋଇ ଗାଧୁଆ ଘରକୁ ପଶିଲା–ଖପା ହୋଇ ଶ୍ରୀମତୀ ଫେରି ପଡ଼ିଲା...ଖାଲି ଭଦ୍ରଲୋକଙ୍କ ସହିତ କଥାବାର୍ତ୍ତା ହେଲେ କ’ଣ ଚଳିବ ।

 

ଗାଧୁଆ ଘରେ କଳର ପାଣି ପଡ଼ିବା ଶବ୍ଦ ଶୁଭୁଛି...

 

ନିଜ ଦେହକୁ ବାସ ମୁକ୍ତ କରି ଶ୍ଵେତା ହୁଏତ ସେଇ ଥଣ୍ଡା ଜଳରେ ତା’ ଉତ୍ତପ୍ତ ଦେହକୁ ଶାନ୍ତ କରୁଛି...’ ସ୍ଵେଦଜନିତ ଦୁର୍ଗନ୍ଧକୁ ଉଡ଼ାଇ ଦେବାକୁ ଚେଷ୍ଟା କରୁଛି...

 

ଶ୍ରୀମତୀ ତର ତର ହୋଇ ରୋଷଶାଳକୁ ପଶିଗଲା, ଟିପିନ ପ୍ରସ୍ତୁତ ଶୀଘ୍ର ନକଲେ ଶ୍ଵେତା ଯେ କେତେ ବିରକ୍ତ ହୁଏ, ତା’ ସେ ଜାଣେ ମନେମନେ କ’ଣ ଗୁଡ଼ାଏ ଗୁଣୁ ଗୁଣୁ ହୋଇ ଶ୍ରୀମତୀ ଚାଲିଗଲା...

 

ଗାଧୁଆ ଘରର ଦ୍ଵାର ଖୋଲି ଶ୍ଵେତା ବାହାରି ଆସିଲା, ସିକ୍ତ ବସନ ତା’ର ଚମ୍ପା ରଙ୍ଗର ଦେହରେ ସମ୍ପୂର୍ଣ୍ଣ ଜଡ଼ି ଯାଇଛି...କେଉଁଠି କେମିତି ଥୋପା ଥୋପା ଜଳ ବି ନିଗିଡ଼ୁଛି ।

 

ସିକ୍ତ ବସନକୁ ପରିତ୍ୟାଗ କରି ଶ୍ଵେତା ନୂତନ ବସନ ପରିଧାନ କଲା । ଆକାଶୀ ରଙ୍ଗର ଭେଲଭେଟ୍ ଶାଢ଼ିରେ ଘନକୃଷ୍ଣ ରଙ୍ଗର ଏକ ଭଲଭେଟ୍ ବଡ଼ିସ୍ ବ୍ୟବହାର କଲା ।

 

ଡ୍ରେସିଂ ଟେବୁଲ ସାମ୍ନାରେ ଠିଆ ହୋଇ ପ୍ରଥମେ ସେ ତା’ର ମେଘକୃଷ୍ଣ–ଅସଂଯତ କେଶକୁ ସଜାଡ଼ି ନେଲା । ସ୍ନୋ ଶିଶିରୁ ନିଜ ଦକ୍ଷ ହସ୍ତର ବାମ ଅଙ୍ଗୁଳିରେ ଟିପେ ଟେକି ସେଇ ସମଗ୍ର ମୁଖରେ ପ୍ରଥମେ ଥୋପା ଦେଇ ଗଲା । ଦର୍ପଣଟା ଉପରେ ନିଜର ଦୃଷ୍ଟି ସ୍ଥିର ରଖି ସେ ମଖନ-କୋମଳ ସ୍ନୋକୁ ମୁଖର ପ୍ରତି କ୍ଷେତ୍ରରେ କିଛିକ୍ଷଣ ଘର୍ଷଣ କଲା ତା’ପରେ ପାଉଡର ଦେଇଗଲା ।

 

ଶ୍ରୀମତୀ କେତେବେଳୁ ସେ ଘରେ ପଶି ଯାଇଛି ଜଣାନାହିଁ ଶ୍ୱେତାକୁ...ନିଜ ରୂପକୁ ଏ କୃତ୍ରିମ ଉଦ୍‍ଭାବନର ସାହାଯ୍ୟରେ ଦ୍ଵିଗୁଣିତ କରିବାକୁ ପ୍ରଲୋଭନ ତା’ର ବେଶୀ । ଶ୍ରୀମତୀକୁ ଦେଖିବାକୁ ତା’ର ଅବସର ବା କାହିଁ ?

 

ଶ୍ରୀମତୀ କେବଳ ଏ ଦୃଶ୍ୟ ସବୁ ଦେଖୁଥାଏ । ସବୁଦିନେ ଏଇ ଦୃଶ୍ୟ ଦେଖି ସେ ତଟସ୍ଥ-। ତା’ର ବୋହୂ ବୟସରେ ଏସବୁ ସୌଖୀନ ଦ୍ରବ୍ୟ ନଥିଲା । ଏତେ ଚାହିଦା ବି ନଥିଲା, କିନ୍ତୁ ଏ ସୌଖୀନ ଦ୍ରବ୍ୟକୁ ଦେଖି ଶ୍ରୀମତୀ ଭଳି ଆସନ୍ନବୃଦ୍ଧା ଚକିତ ବିସ୍ମୟ ନହୋଇ କ’ଣ କହିପାରନ୍ତି-!

 

ଶ୍ଵେତା ପ୍ରସାଧନରେ ଲିପ୍ତା ! ସ୍ନୋ, ପାଉଡରର ପ୍ରଲେପ ପରେ ମଥାରେ ସିନ୍ଧୂର ପରିବର୍ତ୍ତେ କୁକୁମ ବିନ୍ଦୁ ଦେବାରେ ତା’ର ଆକଣ୍ଠ ଆଗ୍ରହ ! ମୁହଁରେ ଫଲ୍‍ସ ସ୍ପର୍ଶ ଦେବାରେ ତା’ର ରୋମାନ୍‍ସ ବେଶୀ ।

 

ଦୁଇ ଭ୍ରୂଲତାର କେନ୍ଦ୍ର ସ୍ଥଳରେ କୁକୁମ ବିନ୍ଦୁ ଦେଲା, ମଲ୍ଲିମାଳକୁ ଜୁଡ଼ାରେ ଗୁଡ଼ାଇ ନିଜ ଚେହେରାକୁ ଥରେ ପୂର୍ଣ୍ଣ ଆଖିରେ ଦେଖି ନେଲା–କି ସୁନ୍ଦର ଆଜି ଦେଖାଯାଉଛି ସେ । ଆଜିର ଶୋଭା ତା’ର ସ୍ଵର୍ଗର ମେନକା, ଉର୍ବଶୀ ରମ୍ଭାର ରୂପ ଶୋଭାଠାରୁ କୌଣସି ଗୁଣରେ କ’ଣ ନ୍ୟୂନ ହୋଇପାରେ !

 

ମେକ୍‍-ଅପ୍‍ ହୋଇସାରି ଶ୍ଵେତା ଡାକିଲା–ଶ୍ରୀମତୀ !

 

ଶ୍ରୀମତୀ କହିଲା–ମୁଁ ପରା ଠିଆ ହୋଇଛି ।

 

–ମତେ କହୁନୁ ଯେ–ହଁ, ଜଳଖିଆ ଆଣତ ।

 

ଶ୍ରୀମତୀ ଜଳଖିଆ ଆଣିବାକୁ ଚାଲିଗଲା ।

 

ଚେୟାରଟା ଟାଣି ନେଇ ଶ୍ଵେତା ମନେମନେ ଚିନ୍ତା କରୁଥିଲା । ଏଇ ଆସି ଯାଉଥିବେ ମାନସ ବାବୁ ! ଆସି ପହଞ୍ଚୁ ପହଞ୍ଚୁ ଅଭିଯୋଗଟା ହଠାତ୍ କରିବେ କ’ଣ ପ୍ରସ୍ତୁତ ଏପର୍ଯ୍ୟନ୍ତ ହେଇନ ।

 

ମାନସର ଏ ଅଭିଯୋଗ ଶୁଣିବ ନାହିଁ ବୋଲି ଶ୍ଵେତା ଯେତେ ଚେଷ୍ଟା କରେ, ତା’ ଶ୍ରୀମତୀ କରାଇ ଦିଏନି । ଯେତେ ବେଗା ବେଗି ଆସିଲେ ସୁଦ୍ଧା ତା’, ଉଛୁର ନିଶ୍ଚୟ ହେବ । ପୃଥିବୀ ତା’ କକ୍ଷ ପଥରୁ ବିଚ୍ୟୁତ ହୋଇଯାଇପାରେ କିନ୍ତୁ ଶ୍ରୀମତୀର ନିଠେଇ ପ୍ରକୃତିଟା ଭାଙ୍ଗିବ ନାହିଁ–ଶ୍ରୀମତୀ ।

 

ଅସମ୍ଭବ ରକମର ଅତିଷ୍ଠ ହୋଇ ଉଠି ଶ୍ଵେତା ଡାକିଲା–କିଲୋ କ’ଣ ଜଳଖିଆ ଧରା ପଡ଼ୁନିକି ।

 

ଗୃହ ଭିତରକୁ ପଶି ଆସୁ ଆସୁ ଶ୍ରୀମତୀ ପ୍ରତିବାଦ କଲା–ଜଳଖିଆ ଧରା ପଡ଼ିଛି । କିନ୍ତୁ ସମୟଟା କ’ଣ ଏତେ ଛୋଟ ହୋଇ ଯାଉଛି ।

 

ବିରକ୍ତି କଟାକ୍ଷପାତ କଲା ଶ୍ରୀମତୀ ଉପରେ ଶ୍ଵେତା । ଶ୍ରୀମତୀର ଏ ପ୍ରତିବାଦ ତା’ ପକ୍ଷେ ଅସହ୍ୟ । ଶ୍ରୀମତୀ ଏଥି ଭିତରେ ଟିକେ କଥା କହି ଶିଖିଲାଣି ।

 

ଜଳଖିଆ ପ୍ଲେଟ୍‍କୁ ଥୋଇଦେଇ ଶ୍ରୀମତୀ ଚାଲିଗଲା । ସିଙ୍ଗଡ଼ା ଗୋଟାଏ ତୁଣ୍ଡ ପାଖକୁ ଟେକି ନେଉ ନେଉ ଶ୍ଵେତା ଭାବିଲା ମାନସବାବୁ ଏପର୍ଯ୍ୟନ୍ତ ତ ଆସିଲେନି ! କ’ଣ ଅସୁବିଧା ହେଲା !

 

ଅସୁବିଧା ହେବା କଥାଟା ମନେପଡ଼ିଲେ ଶ୍ଵେତାର ମନଟା ଚହଲିଉଠେ ଏକ ଅବ୍ୟକ୍ତ ଯନ୍ତ୍ରଣା ଜନ୍ମ ନିଏ ତା’ର ଅନ୍ତରରେ । ମାନସ ବାବୁଙ୍କର ଟିକେ ଦୁଃଖ ଦେଖିବାକୁ କିମ୍ବା ଶୁଣିବାକୁ ସିଏ ଯିମିତି ସର୍ବଦା ଅପ୍ରସ୍ତୁତ ।

 

କିନ୍ତୁ ମାନସବାବୁ କିଏ ତା’ର !

 

ମାନସବାବୁଙ୍କ ବିଷୟରେ ଚିନ୍ତା କଲେ ଶ୍ଵେତା ଆଚମ୍ବିତ ହୁଏ । ଅତି ଅଚାନକ ଭାବରେ ତା’ର ମାନସବାବୁଙ୍କ ସହ ସାକ୍ଷାତ । ଶ୍ଵେତା ବିସ୍ମିତ ହୁଏ । ମାନସବାବୁ କିନ୍ତୁ ଏତେ ଶୀଘ୍ର ତାକୁ ନିଜର କରିପାରିଲେ କିମିତି ?

 

ଏଇ ‘କିମିତି’, ପ୍ରଶ୍ନର ଉତ୍ତର ଖୋଜି ପାଏନା ଶ୍ଵେତା । ମନର ମିଳନ ପାଖରେ କିମିତି ପ୍ରଶ୍ନର ଉତ୍ତର କ’ଣ ସବୁବେଳେ ସମ୍ଭବ !

 

ଶ୍ଵେତା ଆହୁରି ବିସ୍ମିତ ହୁଏ । ମାନସବାବୁ କୋଟିପତି, କଣ୍ଟ୍ରାକ୍‍ଟର । ନଗଦ ଦୁଇ କୋଟି ଟଙ୍କା ଗଣି ଦେବାରେ ଏ ରାଜ୍ୟରେ ସେଇହିଁ ସର୍ବପ୍ରଥମ ଲୋକ । ବିଦ୍ୟାରେ ସିଏ ଯିମିତି ବୃହସ୍ପତି, ରୂପରେ ସିମିତି ସେ କନ୍ଦର୍ପ । ଆଉ ଚରିତ୍ର ସ୍ୱଭାବ ।

 

ମାନସବାବୁଙ୍କ ସହ ଶ୍ଵେତାର ପ୍ରଥମ ସାକ୍ଷାତ ହୋଇଥିଲା କଟକ ମେଡ଼ିକାଲରେ । କଟକ ମେଡ଼ିକାଲରେ ସେ ସେତେବେଳେ ସଦ୍ୟ ନିଯୁକ୍ତା ଡାକ୍ତରାଣୀ । ଆଉ ସଦ୍ୟ ବିଚ୍ଛେଦ ଆହତ ତରୁଣୀ । ବିପ୍ଳବୀ ନେତା ମନ୍ଦରଧର ବାବୁଙ୍କ କନ୍ୟା ହିସାବରେ ସେ ସେତେବେଳେ ବିଶେଷ ପରିଚିତା । ଆଉ ରୂପରେ ତା’ ସମସାମୟିକ ତରୁଣୀମାନଙ୍କ ଠାରୁ ଶ୍ରେଷ୍ଠା ରୂପେ ବିବେଚିତା ହୋଇଥିଲା । କେତେ କ୍ଷୁଧିତ ଯୁବକଙ୍କ ଆତ୍ମା ତା’ ରୂପକୁ ସୁମରି ମଧୁଚୁମ୍ବନ କରିବାକୁ ବ୍ୟଗ୍ର ନଥିଲେ ! ଜଣେ ଶିକ୍ଷିତା ତନ୍ଵୀ ଡାକ୍ତରାଣୀ ସହିତ ସମ୍ପର୍କ ରଖିବାକୁ କିଏବା ନଚାହେଁ !

 

ତା’ ଜୀବନ ବୀଣାରେ ମଧୁର ରାଗିଣୀ ତୋଳିବାକୁ ସେତିକିବେଳେ ଆସିଥିଲେ ମାନସବାବୁ, ମାନସ ଚୌଧୁରୀ, କାନ୍ୟକୁବ୍‍ଜର ପବିତ୍ର ବ୍ରାହ୍ମଣ ବଂଶର ସନ୍ତାନ । ତାଙ୍କର ବ୍ୟବହାର, ମିଷ୍ଟଭାଷା ଶ୍ଵେତାକୁ ପ୍ରଲୁବ୍ଧ କରିଥିଲା । ସେ ଦିନ ସେ ମାନସ ଚୌଧୁରୀଙ୍କୁ ନିଜର କରି ନେଇ ଗତ ଜୀବନର ବିଚ୍ଛେଦ ଜ୍ୱାଳାକୁ ଉପଶମ କରିବାକୁ ଚାହିଁଲା ।

 

ସିଏ ଆଜକୁ ପାଞ୍ଚବର୍ଷ ତଳର କଥା । ସେତେବେଳେ ମେଡ଼ିକାଲର ଏକ ନୂତନ ଗୃହ ନିର୍ମାଣ କାର୍ଯ୍ୟଭାର ଗ୍ରହଣ କରିଥିଲେ ମାନସ । କିନ୍ତୁ ଗୃହ ନିର୍ମାଣ କାର୍ଯ୍ୟ ସମାପ୍ତି ପରେ ପରେ ସେ ଆଉ ମେଡ଼ିକାଲ ଛାଡ଼ିଲେ ନାହିଁ । ଅପବାଦର ଝଡ଼ଟା ଉଠିଲା ଶ୍ଵେତା ବିରୁଦ୍ଧରେ । ଯା’ ଫଳରେ କଟକ ଛାଡ଼ି ସେ ଏ ଡାକ୍ତରଖାନାରେ ଯୋଗ ଦେବାକୁ ବାଧ୍ୟ ହେଲେ । ତଥାପି ମାନସ ଚୌଧୁରୀଙ୍କୁ କ’ଣ ସେ ଛାଡ଼ି ପାରୁଛି ?

 

ଏପର୍ଯ୍ୟନ୍ତ ବି ମାନସ ଚୌଧୁରୀ ଆସିଲେ ନାହିଁ ?

 

କ୍ଷଣିକ ଲାଗି ଶ୍ଵେତା କାନ ଡେରିଲା, ହୁଏତ ମାନସ ଚୌଧୁରୀଙ୍କର ଅଷ୍ଟିନ କାର୍‍ର ହର୍ଣ୍ଣଟା ବାଜୁଛିକି ?

 

ନା, ନିରାଶ ଦୀର୍ଘଶ୍ଵାସ ପକାଇ କାନ୍ଥ ଘଡ଼ିକୁ ଚାହିଁଲା ଶ୍ଵେତା । ସମୟତ ପାଞ୍ଚଟା ପଇଁଚାଳିଶ ହେଲାଣି । ଅଥଚ ମାନସବାବୁ କ’ଣ ନିଜ ବିଜିନେସ୍‍ରୁ ଫେରି ନାହାଁନ୍ତି ଏପର୍ଯ୍ୟନ୍ତ । ତା’ହେଲେ ନିଜକୁ କ’ଣ ମାନସବାବୁଙ୍କ ବସା ପର୍ଯ୍ୟନ୍ତ କାର୍‍ ଛୁଟାଇବାକୁ ପଡ଼ିବ ।

 

ହଁ, ତା’ ନକଲେ ଆଉ ଉପାୟ କ’ଣ ! ମାନସ ବାବୁଙ୍କ ବିଳମ୍ବ ଲାଗିତ ସିନେମାର କର୍ମଚାରୀ ସୋ’ କରିବାକୁ ବିଳମ୍ବ କରିବେ ନାହିଁ ?

 

ଟିକିଏ ବ୍ୟସ୍ତ ବିଚଳିତା ହୋଇଉଠି ଶ୍ଵେତା ଆଗେଇ ଯାଉଥିଲା କିନ୍ତୁ ସହସା ତା’ର ଧାରଣା ହେଲା–ମାନସବାବୁଙ୍କ ବସାପର୍ଯ୍ୟନ୍ତ ଗଲେ ତାଙ୍କ ସ୍ତ୍ରୀଙ୍କର କୋପ ଦୃଷ୍ଟି ହୁଏତ ପଡ଼ିବ ତା’ ଉପରେ । ମୁହଁରେ କିଛି ନ କହିଲେ ମଧ୍ୟ ପେଟରେ ଯେ ବିଷ ଜମିଯିବ ଏଥିରେ କ’ଣ ସନ୍ଦେହ ଅଛି ?

 

ମାନସ ବାବୁଙ୍କ ସ୍ତ୍ରୀ ଉପରେ ବିରକ୍ତ ହୋଇ ଉଠିଲା ଶ୍ଵେତା–ସରଳ ପ୍ରକୃତିର ଲୋକ ମାନସ ବାବୁଙ୍କ ଭଳି ଏଇ ରଣଚଣ୍ଡୀଙ୍କୁ କେଉଁ ଦେବତା ଯେ ଖଞ୍ଜିଥିଲା ।

 

ଆଉ ଆଗକୁ ପାଦ ବଢ଼ାଇବାକୁ ମନବଳ କମି ଯାଇଛି । ନିରାଶ ଜର୍ଜରିତ ହୃଦୟରେ ଚେୟାର ଧରିଲା ଶ୍ଵେତା–କେତେବେଳେ ଆସୁଛନ୍ତି ଆସନ୍ତୁ । ଅନ୍ତତଃ ଆଜି ଯଦି ସୋ’ ଦେଖା ନଯାଇ ପାରିବ ପରିଷ୍କାର କଡ଼ା କଥା କହି ମାନସବାବୁଙ୍କୁ ସେ ଗାଳି ଦେବ । କେଡ଼େ ଅଭଦ୍ର । କିନ୍ତୁ ଅଭଦ୍ର କହି କେବେ କ’ଣ ରକ୍ଷା ପାଇ ପାରିବେ ସେ !

 

ଶ୍ଵେତା ଚମକି ଉଠିଲା–ନା, ନା, ସେ ମାନସ ବାବୁଙ୍କୁ ଅଭଦ୍ର କହି ପାରିବ ନାହିଁ । ହୁଏତ ଏଥି ନେଇ ପୁଣି ଯଦି ଗୋଟାଏ ବୈଶାଖୀ ଝଞ୍ଜା ଛୁଟେ ତା’ ଜୀବନର ସବୁଜ ଉଦ୍ୟାନରେ !

 

ଖୋଲା ବାତାୟନ ଦେଇ ବାହାରକୁ ଦୃଷ୍ଟି ଫେରାଇଲା ଶ୍ଵେତା । ଡାଲିଆ ଫୁଲର ମଧୁ ସୌରଭ ବାଜିଲା ତା’ ପ୍ରାଣେନ୍ଦ୍ରିୟରେ । କେମିତ ଗୋଟାଏ ଅସୁସ୍ଥ ଯନ୍ତ୍ରଣା ଅନୁଭବ କଲା ପଦ୍ମା । ବାହାର ପୃଥିବୀ ଚାହିଁ ସେ ଚିନ୍ତା କରୁଥିଲା ତା’ ହଜିଗଲା ଜୀବନରେ ସକରୁଣ ଇତିକଥା, ଚିନ୍ତା କରୁଥିଲା । ଏଇ ଡାଲିଆ ଫୁଲଭଳି ସେ କ’ଣ ଖାଲି ସମସ୍ତଙ୍କୁ ମଧୁ, ସୁବାସ ଦେଉଥିବ କିନ୍ତୁ ବଳତ୍କାର କରି ତା’ଠାରୁ ନେବାକୁ ଆଉ କିଏ ଆସୁ ନଥିବେ । ତା’ ଜୀବନଟା ଏଇ ଡାଲିଆ ଫୁଲଠାରୁ କେଉଁ ଗୁଣରେ ତଫାତ୍ । ।

 

ଡାଲିଆ ଫୁଲ ଉପରେ ଆଉ ଭ୍ରମର ବୁଲୁ ନାହାଁନ୍ତି ଆସନ୍ନ ସନ୍ଧ୍ୟାର ଆଗମନରେ ସେମାନେ ପ୍ରତ୍ୟାବର୍ତ୍ତନ କଲେଣି । ଶ୍ୱେତପଦ୍ମାର ସନ୍ଦେହ ହେଲା । ଏମିତି ତାଙ୍କୁ ଯଦି ମାନସବାବୁ ଛାଡ଼ି ଦେଇ ଯାଆନ୍ତି ପଳାୟିତ ଯୌବନ ଦ୍ୱାରରେ ।

 

ମନେମନେ ଚିନ୍ତା କରୁଥିଲା ପଦ୍ମା । ଚପଳ ଯୌବନ ତା’ର ତେଇଶଟି ମାଇଲ ଖୁଣ୍ଟି ଅତିକ୍ରମ କରିଗଲାଣି । କିଶୋରୀ ଜୀବନକୁ ସେ ଏଭଳି ବିକ୍ଷିପ୍ତ କଲା । କିନ୍ତୁ ତା’ପରେ । ଡାଲିଆ ଫୁଲ ମଉଳିରେ ଭ୍ରମର ଆସନ୍ତି ନାହିଁ ତା’ହେଲେ ତା’ ଯୌବନ ଅସ୍ତମିତ ହେଲେ କ’ଣ ମାନସବାବୁ ଭଳି ଲୋକ ଆସିବେ ନାହିଁ ।

 

କଥାଟା ଚିନ୍ତାକଲାରୁ ଦୁଃଖରେ ଭାଙ୍ଗି ପଡ଼ିଲା ଶ୍ୱେତା, ମନେ ପଡ଼ୁଥିଲା ତା’ର ନୀଳକଣ୍ଠ କଥା । ହାଇସ୍କୁଲ ଜୀବନରେ ଯାହାକୁ ଭଲପାଇ ସେ ଅନ୍ତଃସତ୍ତ୍ୱା ହୋଇ କଳଙ୍କିନୀ ହେଲା । ଯା’ଲାଗି ସେ ସ୍ୱାମୀ ସୁଖରୁ ବଞ୍ଚିତା ହୋଇ ଡାକ୍ତରାଣୀ ହେଲା । ଆଉ ମନେ ପଡ଼ୁଥିଲା କାମପାଳ ବାବୁଙ୍କ କଥା । ଏସ.ସି.ବି ମେଡ଼ିକାଲ କଲେଜର କୃତୀଛାତ୍ର କାମପାଳ କାନୁନଗୋର କଥା ।

 

ନୀଳକଣ୍ଠଠାରୁ କାମପାଳର ବିଚ୍ଛେଦ ଦୁଃଖଟା ଶ୍ଵେତାକୁ ବାଧିଛି । କ’ଣ ସେ ନ କଲା । ତା’ରି କଥା ସୁଅରେ ଭାସିଯାଇ ସେ ହିନ୍ଦୁଧର୍ମରେ ଏକ ନିର୍ଘାତ ପ୍ରହାର କରି Contract Marriage କଲା । ପାଞ୍ଚବର୍ଷ ଲାଗି ତା’ ସହିତ ଦାମ୍ପତ୍ୟ ଜୀବନ ଯାପନ କରିବାକୁ ଯାଇ ସେ ହେଲା ବ୍ୟଭିଚାରିଣୀ । କିନ୍ତୁ ଏ ଅପବାଦରୁ କ’ଣ କାମପାଳ ତାକୁ ମୁକୁଳାଇଲେ ।

 

ଆଉ ମାନସବାବୁ ! କାମପାଳ ପରି ଯଦି ମାନସ ବାବୁ ତା’ ରୂପକୁ ଭଲପାଇ ପୁଣି ଛାଡ଼ି ଚାଲିଯାଆନ୍ତି ?? ମାନସବାବୁଙ୍କୁ ଆଉ ଶ୍ଵେତପଦ୍ମାର ଅପେକ୍ଷା କରିବାକୁ ପଡ଼ିବନାହିଁ । ମାନସବାବୁ ସବୁଦିନ ଲାଗି ତା’ ମନ ମାନସରୋବରର ସ୍ୱଚ୍ଛ ନୀଳିମା ଜଳରାଶି ସ୍ପର୍ଶରୁ ବଞ୍ଚିତ ହୁଅନ୍ତୁ । ସେ କାହାକୁ ପସନ୍ଦ କରିବ ନାହିଁ ।

 

ଶ୍ରୀମତୀ କହିଲା–ମା ! କିଏ ଡାକୁଛନ୍ତି ।

 

ବ୍ୟସ୍ତ ହେଲା ଶ୍ଵେତପଦ୍ମା । ନିଜର ମାନସିକ ଅଶାନ୍ତିକୁ ଦୂର କରିବାକୁ ଶ୍ୱେତା ଗୀତା ପଢ଼ୁଥିଲା । ଅନେକ ଖାଲ ଢିପ, କଦର୍ମପୂର୍ଣ୍ଣ ରାସ୍ତା ଟପି ମନ-ଶଗଡ଼ ତା’ର ଧରିଥିଲା ଗୋଟିଏ ସୁନ୍ଦର ରାସ୍ତା । ଶ୍ରୀମତୀ ଡାକରେ ଶ୍ୱେତା ବହି ଉପରୁ ମଥା ଟେକି କହିଲା–ମାନସବାବୁ ଡାକୁଛନ୍ତି-?

 

ଶ୍ରୀମତୀ କହିଲା–ନା, ଜଣେ ଅପରିଚିତ ।

 

–ଅପରିଚିତର କ’ଣ ପରିଚୟ ନିଆ ଯାଏନା ଶ୍ରୀମତୀ ଯା–ନାଁଟା ବୁଝିଆ–

 

ଶ୍ରୀମତୀ ଚାଲିଗଲା–

 

ଶ୍ୱେତା ଆରମ୍ଭ କଲା–‘ତସ୍ୟାହଂ ସୁଲଭଃ ପାର୍ଥ ଯସ୍ୟ ପଶ୍ୟନ୍ତି ଯୋଗିନାଃ...’

 

ଗୃହଭିତରକୁ ପଶି ଆସି ଶ୍ରୀମତୀ କହିଲା–ନୀଳକଣ୍ଠବାବୁ ଡାକୁଛନ୍ତି ।

 

ନୀଳକଣ୍ଠ । ସୁଦ୍ ନୀଳକଣ୍ଠ !!!

 

ଶ୍ୱେତା ଦେହରେ ସତେ ଯିମିତି କିଏ ଏକ ବିଦ୍ୟୁତ୍ କରେଣ୍ଟ ଛାଡ଼ିଦେଲା ।

 

ଶ୍ରୀମତୀ କହିଲା–ହଁ, ମୁହଁରେ ତାଙ୍କର ଦାଢ଼ି, କେଶ ବିଭତ୍ସ ।

 

ଶ୍ୱେତା ସ୍ୱଗତୋକ୍ତି କରି ଉଠିଲା–ନୀଳକଣ୍ଠ ନାମରେ କ’ଣ ଏ ସଂସାରରେ ଆଉ କେହି ନାହାନ୍ତି ? ତେବେ ସେ ଏତେ ଚଞ୍ଚଳ ହେବ କାହିଁକି ? ବରଂ ପୂରା ନାମ ଧାମ ପଚାରିଲୁ ଶ୍ରୀମତୀ-

 

ପଚାରି ଆସି ଶ୍ରୀମତୀ କହିଲା–ନୀଳକଣ୍ଠ ଛୋଟରାୟ ।

 

–କିନ୍ତୁ ଏ ଅସମୟରେ ସେ କାହିଁକି ?

 

ଶ୍ରୀମତୀ କହିଲା–ଦେହ ପା’ ନେଇ...

 

ଶ୍ୱେତପଦ୍ମା ଚିତ୍କାର କରି ଉଠିଲା–ନୀଳକଣ୍ଠ ଛୋଟରାୟ ଅତୀତ । ସେ ମୋ ପାଖରେ ମୃତ । ଅତୀତକୁ ମନେ ପକାଇବା ମୂଲ୍ୟହୀନ ଯେଭଳି ନୀଳକଣ୍ଠ ସହ ସାକ୍ଷାତ କରିବା ନିଷ୍ଫଳ ଠିକ୍‍ ସେଭଳି । ଶ୍ରୀମତୀ, ଯା’ ନୀଳକଣ୍ଠ ଛୋଟରାୟଙ୍କୁ କହିଦେବୁ ଅତୀତ କେବେହେଲେ ବର୍ତ୍ତମାନ ହୋଇପାରେନା । ସେ ଧୂସର ଅତୀତକୁ ପୁନରାବୃତ୍ତି କରିବା ମାନେଇ କିଛି ନାହିଁ–ଯା–ଶୀଘ୍ର ଯା...

 

ଶ୍ରୀମତୀ ଚାଲିଗଲା...

 

ଶ୍ଵେତପଦ୍ମା ସ୍ୱଗତୋକ୍ତି କରି ଉଠିଲା–ଗୋଟାଏ ବାଳିକାର ଜୀବନକୁ ନଷ୍ଟ କରି ନିଷ୍ଠୁର ଭାବରେ ଯିଏ ଅବିଶ୍ୱାସୀ ହୋଇପାରେ ସେଭଳି ଅବିଶ୍ୱାସୀକୁ ପୁଣିଥରେ କେଉଁ ଆଶାରେ ବିଶ୍ୱାସ କରାଯିବ । ନା, ନା,–ନୀଳକଣ୍ଠ ଅତୀତ । ତା’ର ମୃତ୍ୟୁ ହୋଇଛି । ଏ ନୀଳକଣ୍ଠର ପ୍ରେତାତ୍ମା ସହ ତା’ର ସାକ୍ଷାତ ଅସମ୍ଭବ, ଏକାନ୍ତଭାବେ ଅସମ୍ଭବ ।

 

ଚରମ କ୍ରୋଧ, ଅଭିମାନରେ ନିଜକକ୍ଷର ଦ୍ଵାରକୁ ରୁଦ୍ଧ କରି ଦେଲା ଶ୍ଵେତା । ନୀଳକଣ୍ଠର ପ୍ରେତାତ୍ମା ଏପର୍ଯ୍ୟନ୍ତ ମୁକ୍ତ ହୋଇନି ?

 

ନୀଳକଣ୍ଠ ପ୍ରେତାତ୍ମା !

 

ହୋ–ହୋ–ହୋ–ହୋ–ହୋ–ହୋ–, ହୋ–ହୋ–ହୋ–ହୋ ।

 

ଉନ୍ମାଦଙ୍କ ଭଳି ନିଜ କେଶକୁ ଉପାଡ଼ିବାର ଅପଚେଷ୍ଟା କରୁ କରୁ ଅଟ୍ଟହାସ୍ୟ କରି ଉଠିଲା ନୀଳକଣ୍ଠ…ପାଗଳ ହୋଇଗଲା ନୀଳକଣ୍ଠ । କିନ୍ତୁ ପ୍ରେତାତ୍ମା ହେବାର ସୌଭାଗ୍ୟ ଦେଇଛି ତା’ର ପ୍ରଣୟିନୀ ଶ୍ଵେତପଦ୍ମା । ହୋ–ହୋ–ହୋ–ହୋ–ହୋ–ହୋ…

 

ଭାଇ ! ଭାଇ ।

 

–ଆରେ ନା, ମୁଁ ତୋର ନୁହେଁ । ମୁଁ ଜୀବିତ ବି ନୁହଁ, ମୁଁ ମୃତ, ମୁଁ ଏକ ଅତୃପ୍ତ ଆତ୍ମା…ପ୍ରେ-ତା-ତ୍ମା ହୋ–ହୋ–ହୋ…

 

ଏ କ’ଣ ଭାଇ । ଆରେ । ଭାଇ ।

 

ଖୁବ୍ ଜୋରରେ ହଲାଇ ଦେଲା ମମତା । କିଏ କ’ଣ କହିଲା ଭାଇ । ଭାଇ–ଭାଇ–ଭା

 

ଚଢ଼ା ଚଢ଼ା ଡୋଳା କାଢ଼ି ଚାହିଁଲା ନୀଳକଣ୍ଠ,–ଆରେ ମମି । ତୁ-ତୁ ମତେ ଠିକ୍ ଦେଖି ପାରୁଛୁ ? ଆରେ ପ୍ରେତାତ୍ମା କ’ଣ କେବେ ମଣିଷ ସହ କଥାବାର୍ତ୍ତା କରିପାରେ ମମି ।

 

ଭାଇ । ଏ କ’ଣ ? ତମେ କ’ଣ

 

ପାଗଳ ? ଆରେ ନା, ନା, ପାଗଳ ନୁହଁ ପ୍ରେତାତ୍ମା, ଏକ ଅତୃପ୍ତ ଆତ୍ମା-ସୟତାନ-ଭୂତ-ପ୍ରେତ ମମି ! ମୋତେ ଟୋପେ ପାଣିଦେ–ଥଣ୍ଡା ପାଣିଦେ ।

 

ମମତା ଅସ୍ଥିର ଚଞ୍ଚଳ ହୋଇ ଥଣ୍ଡା ପାଣି ବଢ଼ାଇ ଦେଲା ନୀଳକଣ୍ଠକୁ । ଢକ ଢକ କରି ପାଣି ଶୋଷିଦେଇ ବିଶ୍ରାମ ଚାହିଁଲା ନୀଳକଣ୍ଠ । ମମତା ସାହାଯ୍ୟ କଲା । ଅନ୍ତତଃ ଶୋଇଗଲେ ତ୍ରାହି ମିଳିବ ।

 

କିନ୍ତୁ ନୀଳକଣ୍ଠକୁ କ’ଣ କେବେ ନିଦ ହୋଇପାରେ ?

 

ପ୍ରେତାତ୍ମା କ’ଣ କେବେ ଶାନ୍ତ ହୋଇପାରେ ତା’ ଆଶା ପୂରଣ ବିନା ।

ସୁସ୍ଥ ହୋଇ ଯାଇଛି ପୁଣି ନୀଳକଣ୍ଠ । ଗତ ରାତିର ନିଷ୍ଠୁର ପାଗଳାମି ଆଉ ନାହିଁ । ସେ ସମ୍ପୂର୍ଣ୍ଣ ଭାବେ ହୋଇଯାଇଛି ସୁସ୍ଥ ।

କିନ୍ତୁ ହଠାତ୍ ନଦୀ ବଢ଼ି ଛାଡ଼ି ଯିବାକି ସମ୍ଭବ । ଯଦି ଛାଡ଼େ ତା’ହେଲେ ବନ୍ଧ ଭାଙ୍ଗିବାର ଆଶଙ୍କା କ’ଣ ଅମୂଳକ ହୋଇପାରେ ।

ନୀଳକଣ୍ଠ ସୁସ୍ଥ ହୋଇନି, ଛଳନା କରିଛି ଅନ୍ତତଃ ମମତାର ଆଶ୍ୱସ୍ତି ଲାଗି । ସରଳବିଶ୍ଵାସୀ ମମତାର କି ଆନନ୍ଦ ।

ତଥାପି ଦୁଃଖର ସହିତ ମମତା ଚିନ୍ତା କରୁଥିଲା–ମସ୍ତିଷ୍କଟା ଥରେ ବିଗିଡ଼ିଲେ ସେ ଦୋଷଟା ରହିଯାଏ କ’ଣ ସବୁଦିନକୁ ?

ସହସା ମେଡ଼ିକାଲର Peon ଖଣ୍ଡେ ଚିଠି ଦେଇଗଲା ।

ଚିଠିଟି ଶ୍ଵେତା ଦେଇଛି । ମମତା । ଜାଣିବ; ତୁମର ଏପ୍ରକାର ମତିଗତିରେ ମୁଁ ଦୁଃଖିତ-। ଚାକିରିଟାକୁ ଏଭଳି ଭାବିବା ଠିକ୍ ନୁହଁ । ଏବେବି ସମୟ ଅଛି, ତମେ ଆସ । ତମ ଇସ୍ତଫା ପତ୍ର ଚିରି ଚାକିରିରେ ଯୋଗଦିଅ ।

ଚିଠିଟାକୁ ପାଇ ମମତା ଏକବାର ନାଚି ଉଠିଲା

ନୀଳକଣ୍ଠ କହିଲା–ଯାଅ, ଏଥିରେ ଆଉ ଭାବିବାର କ’ଣ ଅଛି ?

ସତେତ ! ଆଉ ଭାବିବ ବା କ’ଣ ସେ ! ମମତା ମେଡ଼ିକାଲ ଉଦ୍ଦେଶ୍ୟରେ ପାଦ କାଢ଼ିଲା । ଅନ୍ତତଃ ଦୁଇଟି ଜୀବନକୁ ରକ୍ଷାକରିବାକୁ ସେ ଚାକିରି କରିବ । ଏଥିଲାଗି ଭର୍ତ୍ସନା ସହିବାକୁ ହେଲେ ସେ ଆଉ ପଛାଇବ କାହିଁକି ? ?

ବହୁତ ଖୋଜିବା ପରେ ଫାଳେ ଅଲେଖା କାଗଜ ପାଇଲା ନୀଳକଣ୍ଠ ମମତାର ଡ୍ରୟାରରୁ ବହୁଦିନରୁ ପଡ଼ିଥିବା ଖଣ୍ଡେ ଛୋଟ ପେନ୍‍ସିଲ ବି ଯୋଗାଡ଼ କଲା । ଏଥର ସେ ଲେଖିବ ଚିଠି । ଖଣ୍ଡେ ନୁହେଁ ଦୁଇ ଖଣ୍ଡ ।

ନୀଳକଣ୍ଠ ଆରମ୍ଭ କଲା ।

ଶ୍ଵେତା !

ମତେ ଭର୍ତ୍ସନା କରି ତୁ ହୁଏତ ଭାବିଥିବୁ ନୀଳକଣ୍ଠ ଆଉ ତୋର ଶାନ୍ତ ଜୀବନକୁ ଅଶାନ୍ତ ଜର୍ଜରିତ କରିବ ନାହିଁ, କିନ୍ତୁ ପ୍ରେତାତ୍ମା ନୀଳକଣ୍ଠ ପାଖରେ ତା’ କ’ଣ ସମ୍ଭବ !

ଏ ପତ୍ର ସୁସ୍ଥ ମସ୍ତିଷ୍କରେ ଲେଖୁନି ମୁଁ । ପ୍ରେତାତ୍ମାର ଏ ବାଣୀ । ରାତିର ନିର୍ଜନ ପୁରୀରେ ତୁତ ସ୍ୱପ୍ନରେ ଏଭଳି ଅନେକ ପ୍ରେତାତ୍ମାର ବିଭତ୍ସ ରୂପ, ବିଭତ୍ସ କଣ୍ଠସ୍ୱର ଶୁଣିଥିବୁ ! ଆଜି ଏ ଚିଠିକୁ ସେଇଭଳି ଏକ ପ୍ରେତାତ୍ମାର ବୈକାଳିକ ଗାନ୍ ଭଳି ତୁ କ’ଣ ଧରିନେଇ ପାରିବୁ ନାହିଁ !

ଶ୍ଵେତା !

ନିଜ ଦୁଃଖକୁ ଅନ୍ୟ ପାଖରେ ପ୍ରକାଶ କଲେ ଦୁଃଖଟା ଲାଘବ ହୁଏ ବୋଲି ଶୁଣିଥିଲି । କିନ୍ତୁ ପ୍ରମାଣ କରିବାକୁ ଯାଇଥିଲି ତୋ ପାଖକୁ ଧାଇଁ । ତା’ କ’ଣ ସମ୍ଭବ ହେଲା ?

ସବୁ ନିୟତିର ନିର୍ଦ୍ଦେଶ ! ହୁଏତ ଏ ଜନ୍ମରେ ତୋ ସହିତ ଦେଖା ସାକ୍ଷାତ ହେବାକୁ ମୋର ଭାଗ୍ୟରେ ନାହିଁ, ତା’ ନହୋଇଥିଲେ ନିରାଶରେ ଫେରିବା କ’ଣ ହୋଇ ଥାଆନ୍ତା ?

ନିରାଶରେ ଫେରିଛି ପ୍ରେତାତ୍ମା ନୀଳକଣ୍ଠ ! କିନ୍ତୁ ଏତିକି ତା’ର ଆଶ୍ୱସ୍ତି, ଆଶୀର୍ବାଦ ତୋର “ଯାତ୍ରା ମଙ୍ଗଳ” ହେଉ । ଏହାଛଡ଼ା ମୋର ପ୍ରେତାତ୍ମାର ବା ଆଉ କ’ଣ ଆଶୀର୍ବାଦ କରିବାର ଅଛି ???

ଶ୍ଵେତା ! ପ୍ରେତାତ୍ମା ଲେଖୁଛି ଚିଠି । ହୁଏତ ଦେହର ଲୋମ ଶିହରି ଉଠିବାର ଯଥେଷ୍ଟ ତ ସମ୍ଭାବନା ଅଛି । କିନ୍ତୁ ସତରେ ଏ ବୈକାଳିକ ଗାନ ଶୁଣି ତୋ’ ଦେହ ଶିହରି ଉଠିବ କି ନା, ଜାଣେନା । ତେବେ ଦୁଃଖଟା ଜଣାଇବାକୁ ଚେଷ୍ଟା କରୁଛି ଯେତେବେଳେ, ଜଣାଉଛି ।

...ସେଦିନ ଅଶୁଭ ମୁହୂର୍ତ୍ତରେ ତୋ’ଠାରୁ ବିଦାୟ ନେଲି । କାରଣ ମୋର ନୀତିଗତ ଜୀବନର ବିପର୍ଯ୍ୟୟ ଆଶଙ୍କା ଥିଲା ମନରେ, କିନ୍ତୁ ନୀତିଗତ ଜୀବନ କ’ଣ ଏ ପାଶ୍ଚାତ୍ୟ ସଭ୍ୟତା ଦାଉରେ ବଞ୍ଚିରହି ପାରେ ?

ଗାଁକୁ ଯାଇ ଚାକିରି ଖୋଜିଲି । ଚାକିରି ନ ପାଇ ବେକାର ଜୀବନ ଯାପନ କରିବା ଅବସରରେ ଯୌତୁକ ବିରୁଦ୍ଧରେ ସଂଗ୍ରାମ ତା’ପରେ ପାଇଲି, B.D.O. ଚାକିରି ।

ବି.ଡ଼ି.ଓ ଚାକିରି କରି ଦେଶ ସେବାରେ ମନ ଦେଲାବେଳେ ଦଶା ପଡ଼ିଲା ମୋର ଶନି ମହାଦଶା । ଚାକିରି ନାଶ ଭୟର ଆଶଙ୍କାରେ ସିନା ଘରକୁ ଗଲିନି, କିନ୍ତୁ ଘରକୁ ଘରଣୀ ଯା’କୁ ନେଇଥିଲି ସିଏ ଯେ ଏମିତି ଦୁର୍ଦ୍ଦଶା ପ୍ରପୀଡ଼ିତ ହେଉଥିବ ତା’ କ’ଣ ଜାଣି ପାରିଲି ?

ଶ୍ଵେତା ! ସେ ଚାଣ୍ଡାଳୀ ମୋତେ ତା’ ଦୁଃଖ ଜଣାଏ ନାହିଁ । ମୋର ସେ ସୁଖରେ ଥିବାର ଧାରଣା ଥାଏ ଦୃଢ଼ । କିନ୍ତୁ ଆମ ପରିବାରର ଅପବାଦ, ଅବିଶ୍ଵାସ, ଈର୍ଷା ବିଷ ଯେ ତାକୁ ଇମିତି ଧ୍ଵଂସ କରିବ ସେ କଥା କ’ଣ ମୁଁ କଳ୍ପନା କରିପାରେ ।

ମୋ ଘର ଭାଙ୍ଗି ଗଲାନି, ଭାଙ୍ଗିଗଲା ମୋର ଦାମ୍ପତ୍ୟ ଜୀବନ । ସ୍ତ୍ରୀର ଦୁଃଖ କାହାଣୀ ଜଣେ ଭଉଣୀଠାରୁ ଶୁଣି ହେଲି ପାଗଳ । ବି.ଡ଼ି.ଓ ଚାକିରି ଛାଡ଼ି ଗୋଡ଼ କାଢ଼ିଲି ପଦାକୁ ।

ଆଜି ମୁଁ ମମତାର ଆଶ୍ରିତ । ନାରୀ ସବୁବେଳେ ପୁରୁଷର ସାହାଯ୍ୟ ଲୋଡ଼େ । କିନ୍ତୁ ପୁରୁଷ ହୋଇ ମୁଁ ତା’ ଅନ୍ନରେ ପ୍ରତିପାଳିତ । ମୋ ଜୀବନ ରକ୍ଷା କରିଛି ସେ । କିନ୍ତୁ ଜୀବନ ରକ୍ଷା କରିବାକୁ ଯାଇ ସେ କ’ଣ ତ୍ରାହି ପାଇଲା ।

ଦୁର୍ଭାଗ୍ୟ ଜୀବନକୁ ରକ୍ଷା କରିବାରେ ବି ଦୋଷ ଅଛି । ଦୁର୍ଭାଗାକୁ ସାହାଯ୍ୟ କରିବାହିଁ ପାପ । ମମତାକୁ ମତେ କେନ୍ଦ୍ରକରି ତମ ମେଡ଼ିକାଲରେ ଉଠିଲା ଅପବାଦର ଝଡ଼ । ବିଚରା ଏଇ ଅପବାଦ ସହି ସହି ସ୍ୱାମୀ ମୁଖରୁ ବ୍ୟର୍ଥତା ମମତା ଆଉ ସହି ପାରିଲାନି ଅପବାଦର ଯନ୍ତ୍ରଣା ।

ତୋର କଟୁ ଉକ୍ତି ଶୁଣି ସେ ଦେଲା ଇସ୍ତଫା ।

କିନ୍ତୁ ଇସ୍ତଫା ତା’ର ଗୃହୀତ ହୋଇନି ଶୁଣି ସାତିଶୟ ପ୍ରୀତ ! ଭଗବାନ ତୋର ମଙ୍ଗଳ କରନ୍ତୁ । ମମତା ପ୍ରତି ତୁ’ ଦୃଷ୍ଟି ଦେବୁ । ସେ ଏକ ଅଭାଗୀନି, ତା’ ପ୍ରତି ତୁ ଟିକେ ଯତ୍ନଶୀଳ ହେବାକୁ ମୋ’ର ଅନୁରୋଧ ।

ଆଜି ମୁଁ ଶେଷଥର ଲାଗି ପୁଣି ବାହାରକୁ ଗୋଡ଼ କାଢ଼ୁଛି, ଜାଣେନା କେତେ ସୁଦୂର ପ୍ରସାରିତ ମୋର ଏ ଜୀବନର ଯାତ୍ରା !

ତା’ପରେ ନୀଳକଣ୍ଠ ମମତା ପାଖକୁ ଲେଖିଲା ଚିଠି–

ସ୍ନେହର ଭଉଣୀ

ଶେଷଥର ଲାଗି ଅଭାଗା ଭାଇର ସ୍ନେହ, ସହାନୁଭୂତି, ସଦ୍ଇଚ୍ଛା ନେବୁ ! ତୁ ମୋତେ ବଞ୍ଚାଇ ରଖି ଯେଉଁ ଋଣୀ କରିଛୁ ତା’ ମୁଁ ଜୀବନରେ ସୁଝି ପାରିଲିନି–ଦୁଃଖ ରହିଗଲା...ତୋ’ ଦୁଃଖକୁ ମୋଚନ କରିପାରିଲିନି–ଅବଶୋଷ ରହିଗଲା....

ଗୋଟାଇଲା କାଣ୍ଡ କ’ଣ ଯୁଦ୍ଧକୁ ପାଏ !

କିନ୍ତୁ ମମତା ! ଦୁଃଖ କରିବୁନି ! ଦୁଃଖ କରିବାର ବା କ’ଣ ଅଛି ? ଅଦୃଷ୍ଟର ଇଙ୍ଗିତରେ ବାଧ୍ୟହୋଇ ତୋର ମମତା ଡୋରିକୁ ଛିଣ୍ଡାଇ ମୁଁ ଯାଉଛି–ଶ୍ୱେତା ସହ ହାତ ମିଳାଇ ଜୀବନ ତରୀ ବାହିନେ...ନିଜେ ଆଦର୍ଶ ଜୀବନ ଯାପନ କରି ଅନ୍ୟକୁ ପଥ ଦେଖା । ତୋ ଜୀବନରେ ଅନୁପ୍ରାଣିତ ହୁଅନ୍ତୁ ଏ ଦେଶର ନାରୀ ।

ଆଉ ମୁଁ !

ଏକ ଅନିଶ୍ଚିତ ପଥର ମୁଁ ଯାତ୍ରୀ ହେଉଛି । ମୋତେ ଖୋଜିବାକୁ ଚେଷ୍ଟା କଲେ ତୁ ପାଇବୁନି...କାରଣ ତୋ ସହିତ ଜୀବିତାବସ୍ଥାରେ ସାକ୍ଷାତ ହେବାର ସୌଭାଗ୍ୟ ମୋର ନାହିଁ । ଏକ ନିଦ୍ରିତ ରାତ୍ରିର ଦୁଃସ୍ୱପ୍ନ ଭଳି ଏ ହତଭାଗାକୁ ଭୁଲିଯିବୁ ଆଉ ସବୁ, ମୋ ଅପକର୍ମ ଲାଗି ତୁ ଦେବୁ ମୋତେ କ୍ଷମା ।

ତୋର ଅପଦାର୍ଥ ଭାଇ !

ଆଖିରୁ ପାଣି ପୋଛି ଦେଇ ନୀଳକଣ୍ଠ ମମତାର ଟେବୁଲ ଉପରେ ଚିଠି ଖଣ୍ଡିକ ଥୋଇ ଦେଲା ମମତାର ଦୁଃଖ ପରିବର୍ତ୍ତନ ଲାଗି କେଉଁ ଏକ ଅଜ୍ଞାତ ଦେବତା ଉଦ୍ଦେଶ୍ୟରେ ପ୍ରଣତି ଢାଳିଲା । ପ୍ରଭୁ ! ବାଞ୍ଛା କଳ୍ପତରୁ ! ଦୀନବନ୍ଧୁ ! ଜଗନ୍ନାଥ !

ଦୁଃଖିନୀ ମମତାର ଦୁଃଖ ମୋଚନ କର....

ଦୁଃଖିନୀ ମମତାର ସୁଖ ସୂର୍ଯ୍ୟର ଉଦୟ କର....

ପ୍ରଫୁଲ୍ଲିତ ଅନ୍ତରରେ ଏକରକମ ଡେଇଁ ଡେଇଁ ମେଡ଼ିକାଲରୁ ଫେରୁଥିଲା ମମତା । ମନରେ ତା’ର ଅମାପ ଆନନ୍ଦ । ଚାକିରିରେ ଯୋଗ ଦେଇ ଫେରି ଥିବାର ଦେଖିଲେ ନୀଳକଣ୍ଠ କେତେ ଆନନ୍ଦ ନ ହେବ ?

ବସା ପାଖରେ ପହଞ୍ଚିଲା ମମତା....ବସା ଦ୍ୱାର ମୁକ୍ତ....ମମତା ବସା ଦ୍ୱାରକୁ ପଶିଯାଇ ଡାକିଲା–ଭାଇ !

ଉତ୍ତର ପାଇଲା ନାହିଁ, ହୁଏତ ପାଇଖାନା ଯାଇ ଥାଇ ପାରନ୍ତି ।

ମମତା ଗୃହ ଭିତରକୁ ପଶିଗଲା ଟେବୁଲ ଉପରେ ଥିବା ପେନ୍‍ସିଲ ଲେଖାଟା ଉପରେ ହଠାତ୍ ତା’ର ନଜର ପଡ଼ିଲା, କ’ଣଟାଏ ଇଏ ?

ତୀର ବେଗରେ ଗାଡ଼ି ଛୁଟାଇଥିଲା ଶ୍ୱେତପଦ୍ମା...ସନ୍ଦେହ ଆଶଙ୍କା ଭୟରେ ଗାଡ଼ିର ହ୍ୟାଣ୍ଡେଲଟାକୁ ଧୈର୍ଯ୍ୟ ସହିତ ଧରିବାକୁ ସେ ଅକ୍ଳାନ୍ତ ପ୍ରଚେଷ୍ଟା କରୁଥିଲା, ଅସମ୍ଭବ ରକମର ଚଞ୍ଚଳ ହୋଇ ଉଠୁଥିଲା ।

ତଡ଼ତି ଗତିରେ ଗାଡ଼ିରେ ବେଗ କଷିଲା ଶ୍ୱେତା ! ଏକ ଅସ୍ପଷ୍ଟ ଚିତ୍କାର କରି ସ୍ଥିର ହେଲା ଗାଡ଼ି...ଗାଡ଼ି ଭିତରୁ ହରିଣୀ ଗତିରେ ବାହାରି ଆସି ଶ୍ୱେତା ଚିତ୍କାର କରି ଉଠିଲା–ମମତା ! ନୀଳକଣ୍ଠ !

ଚିଠିଟାକୁ ଶେଷ କରିପାରିଲାନି ଶ୍ୱେତା, ନିଜ ଭାରାକୁ ନିଜେ ଧରି ନ ପାରି କଟା ବୃକ୍ଷ ଭଳି ଭୂତଳେ ଲୋଟି ପଡ଼ିଥାନ୍ତା ମମତା–ଧରିନେଲା ଶ୍ୱେତା...ମମତାକୁ ସାବଧାନ କରାଇ ଦେଇ କହିଲା–

ଆଉ ସମୟ ନାହିଁ.... ଶୀଘ୍ର ଚାଲିଆ ମମତା, ବିଳମ୍ବ ମୁଁ କଦାପି ସହି ପାରିବିନି, ତା’ହେଲେ ସର୍ବନାଶ ହୋଇଯିବ.... ସର୍ବନାଶ ହୋଇଯିବ ।

ପୁଣି ଛୁଟିଲା ଗାଡ଼ି, ଯେତେ ଦ୍ରୁତରେ ଛୁଟି ପାରେ । ଛୁଟାଉ ଥିଲା ଶ୍ୱେତା । ସହରର ପ୍ରତି କୋଣ, ଅନୁକୋଣରେ ଘୂରାଇ ନେଉଥିଲା ଗାଡ଼ି....ଜୀବନହୀନା ଭଳି ଗାଡ଼ି ଭିତରେ ବସି ସହରର ପ୍ରତ୍ୟେକ କୋଣରେ ସତର୍କ ଦୃଷ୍ଟି ଘୂରାଇ ଆଣୁଥିଲା ମମତା ।

ଆଉ ଶ୍ୱେତପଦ୍ମା !

ଖୁବ୍ ଦ୍ରୁତରେ ଧାଇଁଛି ମମତା…..ଆମରଣ ପର୍ଯ୍ୟନ୍ତ ଧାଇଁଛି ଶ୍ଵେତା । ଶୁଣିପାରୁନି କ’ଣ ତାଙ୍କର ଡାକ ନୀଳକଣ୍ଠ ।

ମମତା ଖୁବ୍ ଜୋରରେ ଚିତ୍କାର କରି ଉଠିଲା ଭାଇ !

ଘୁ–ଘୁ–ଘୁ–

ଟ୍ରେନଟା ନିକଟ ହୋଇ ଆସିଛି... ବିପଦ୍...ଭାଇ ?

ଭା-ଇ !

ନୀଳକଣ୍ଠକୁ ଖୁବ୍‍ ଜୋରରେ ମାଡ଼ିବସିଲା ମମତା,–ଭାଇ !

–ମମତା ।

ମମତା । ନୀଳକଣ୍ଠ । ଓଃ...

ମ-ମ-ତା । ନୀ-ଳ-କ-ଣ୍ଠ

ମମତା, ନୀଳକଣ୍ଠ ଆଉ ଶୁଣିବେ ନାହିଁ, ଯେତେ ଚିତ୍କାର କଲେବି, ଯେତେ ଭୂମିରେ ମଥା ପଟିଲେ ବି....

ଶ୍ଵେତପଦ୍ମାର ମୁଣ୍ଡ ଉପରେ ଆକାଶଟା ଯିମିତି ଭାଜି ପଡ଼ିଲା, ତା’ରି ଠିକ୍‍ ମୁଣ୍ଡ ଉପରେ... ପାଦ ତଳର ନିଷ୍ଠୁର ଭୂମିଟା ଯିମିତି ଖସିଗଲା ତଳକୁ...ରସା ତଳକୁ...ଆଉ ସମ୍ମୁଖ ପୃଥିବୀରେ ଯିମିତି ରାଜୁତି କରିଛି ଅନ୍ଧକାର । ନିଷ୍ଠୁର ନିରନ୍ଦ୍ର-ବିଭତ୍ସ-କରୁଣ-ଅସଭ୍ୟ ଅନ୍ଧାର...ସେଇ ଅସଭ୍ୟ ଅସହ୍ୟ ଅନ୍ଧକାର ଭିତରୁ ନିଜର ଭବିଷ୍ୟତକୁ ଖୋଜୁଥିଲା ଶ୍ଵେତପଦ୍ମା । ସିଏ ଖାଲି ଦେଖୁଥିଲା ଗୁଡ଼ାଏ–ଗୁଡ଼ାଏ ଖଦ୍ୟୋତିକା ଯେମିତି ସେ ଅନ୍ଧକାରରେ ଭଉଁରୀ ଖେଳୁଛନ୍ତି । ଓଃ...ଅସହ୍ୟ ଦୁଃଖ, କ୍ଷୋଭ, ଅଭିମାନ, ଭୟ ସନ୍ଦେହ ଜ୍ୱାଳା ଯନ୍ତ୍ରଣାରେ ଆର୍ତ୍ତଚିତ୍କାର କରି ଟଳିପଡ଼ିଲା ଶ୍ଵେତା । ଧୂଳି ଧୂସରିତ ବନ୍ଧୁର କର୍କଶ ପତନଉତ୍‍ଥାନର ଧରଣୀ ଉପରେ ଅସହ୍ୟ ଯନ୍ତ୍ରଣାରେ ଟଳିପଡ଼ିଲେ କ’ଣ ରକ୍ଷା ପାଇଗଲା ।

ଭାବୁଥିଲା ଶ୍ଵେତପଦ୍ମା ଏକା ନୀଳକଣ୍ଠ ନୁହେଁ, ମମତା ବି ନୁହେଁ ଏ ଦେଶରେ ଏଭଳି ଦୁର୍ଗତି ଯେ ଯୁବକ ଯୁବତୀଙ୍କ ଭାଗ୍ୟକୁ ବିପର୍ଯ୍ୟୟ କରିଛି ଏଥିରେ କ’ଣ ସନ୍ଦେହ ଅଛି ?

ନୀଳକଣ୍ଠ ମମତା ଏ ଟ୍ରେନ ଚକ ତଳେ ନିଜ ଜୀବନକୁ ଜାଣି ଜାଣି ବିପନ୍ନ କରି ନାହାନ୍ତି ବରଂ ସେ ଏକଥା କରିବାକୁ ବାଧ୍ୟ ହେଇଛନ୍ତି ।

ସେ କି ଅବିଚାର ନ କରିଛି ! ସମାନ୍ୟ ଈର୍ଷାଗ୍ରସ୍ତ ହୋଇ ସେ ନୀଳକଣ୍ଠ ଭଳି ଯୁବକକୁ ଭର୍ତ୍ସନା କରିପାରିଲା ।

ଷ୍ଟେସନରେ ଗାଡ଼ି ସ୍ଥିର କଲା ଶ୍ଵେତା ! ସହର ତମାମ ଘୂରି ନ ପାଇବା ପରେ ସେ ଦୁହିଁଙ୍କର ସନ୍ଦେହ, ହୁଏତ ନୀଳକଣ୍ଠ ଏଇ ଗାଡ଼ିରେ ଏ ସହର ଛାଡ଼ିବ । ଏଇ ମୁହୂର୍ତ୍ତରେ ଯଦି ସାକ୍ଷାତ ହୁଏ ।

ଗାଡ଼ି ଭିତରୁ ଡେଇଁପଡ଼ି ଦୌଡ଼ିଲା ମମତା, ପଛେ ପଛେ ଶ୍ଵେତା କିନ୍ତୁ ନୀଳକଣ୍ଠ କାହିଁ-?

ନୀଳକଣ୍ଠ ! ନୀଳକଣ୍ଠ !

–ପାଗଳୀ ଭଳି ଧାଇଁଛି ମମତା, ଧାଇଁଛି ଡାକ୍ତରାଣୀ ଶ୍ଵେତପଦ୍ମା । କିନ୍ତୁ ନୀଳକଣ୍ଠ କାହିଁ-??

ପ୍ଲାଟଫର୍ମ ଉପରେ ଦ୍ରୁତଗତିରେ ଧାଇଁଛନ୍ତି ସେମାନେ । ବଡ଼ ଚିନ୍ତିତ, ଆଶଙ୍କା ଜର୍ଜରିତ ହୃଦୟରେ ।

ଦୂରରୁ ଟ୍ରେନ ଆସିବାର ଶବ୍ଦ ଶୁଭୁଛି ।

–ଭାଇ ! ଭାଇ !

ଶ୍ଵେତପଦ୍ମା ଚିତ୍କାର କରି ଉଠିଲା–ମମତା ! ଏ ଦୂରରେ ସେ କୃଷ୍ଣରେଖାଟି ଦେଖିପାରୁଛ ?

ଉତ୍ତର ନ ଦେଇ ସେଇ ଦିଗକୁ ଛୁଟିଲା ମମତା ।

ନୀଳକଣ୍ଠ ! ନୀଳକଣ୍ଠ ଡାକି ଛୁଟିଲା ପଦ୍ମା ।

କଣ୍ଟା ଝଣ୍ଟା ନମାନି ଖାଲ, ଢିପ ନ ବାରି । ଗର୍ବ ଅହଂକାରକୁ ପଛରେ ପକାଇ ପାଗଳୀ ଭଳି ।

ଆଉ ନୀଳକଣ୍ଠ ।

–ସ୍ୱର୍ଗାଦପି ଗରୀୟସୀ ମାତା । ଆଉ ସ୍ୱର୍ଗପିତା । ତମରି ଅବାଧ୍ୟ ସନ୍ତାନ ଏ ବେଳେ ତମ ମୁହଁକୁ ଦେଖିପାରିଲା ନାହିଁ ପାଦଧୂଳି ନେଇ ମୁଣ୍ଡରେ ବୋଳିବାର କାମନା ପୂରଣ କରିପାରିଲା ନାହିଁ । ଏଇ ଦୂରରେ ରହି ପ୍ରଣାମ କରୁଛି–ପ୍ରଣାମ ଗ୍ରହଣ କରିବ ।

ଧାର ଧାର ଲୁହ ଗଡ଼ି ଭିଜିଯାଇଛି ଶ୍ମଶ୍ରୁ । ଦୁଃଖ କୋହରେ ଆତ୍ମହରା ହୋଇ କହିଚାଲିଛି ନୀଳକଣ୍ଠ–ଭାଇ । ଜୀବନରେ ସବୁଠାରୁ ବେଶି ଋଣୀ ହୋଇ ରହିଲି ତୁମର–ତୁମର ଅତୁଳ ଦାନ ମୁଁ ପରିଶୋଧ କରିପାରିନି । ଭାଉଜଙ୍କର ଅକୃତ୍ରିମ ପ୍ରେମର ମୂଲ୍ୟ ଦେଇପାରିଲିନି । ପ୍ରଣାମ ନେବ, ଅପଦାର୍ଥ ଭାଇର ଦୂରରୁ ପ୍ରଣାମ ନେବ ।

ପ୍ରଣାମ ନେବ ମୋର ପ୍ରିୟ ପଲ୍ଲୀର ଭାଇଭଉଣୀ ମଉସା, ମାଉସୀ, ଗୁରୁଜନ ସାନୁଜ, ତମରି ଗାଁର ଅପଦାର୍ଥ ସନ୍ତାନର ପ୍ରଣାମ ନେବ ।

–ଗିରିବାଳା । ସ୍ୱର୍ଗରେ ରହି ତୁ କ୍ଷମା ଦେ ମତେ । ତୋର ଅପଦାର୍ଥ ସ୍ଵାମୀ ତୋତେ ହତାଦର କରିଛି, ତୋର ଅକାଳ ବିୟୋଗ ପଥକୁ ପରିଷ୍କାର କରିଥିଲା, କ୍ଷମାଦେବୁ ଏଇ ମୁହୂର୍ତ୍ତରେ-

ଆଉ ମମତା । ଭଉଣୀ । ଜୀବନରେ ତୋର ସ୍ନେହ, ସହାନୁଭୂତି, ସେବା ଆଉ ମିଳିବ ନାହିଁ । ତୋ ଋଣ ପରିଶୋଧ କରିପାରିଲିନି । ତଥାପି କ୍ଷମା ଦେବୁ ।

କ୍ଷମାଦେବୁ ଶ୍ୱେତା–ପ୍ରେତାତ୍ମା ନୀଳକଣ୍ଠ ନ ହେଲେ ମୁକ୍ତ ହୋଇପାରିବନି ତୋ ନିଷ୍ଠୁର ପ୍ରେମିକ ନହେଲେ ପ୍ରାୟଶ୍ଚିତ କରିପାରିବନି । କ୍ଷମା ଦେବୁ, କ୍ଷମା ଦେବୁ ।

ଟ୍ରେନର ଶବ୍ଦ ଶୁଣି ବଡ଼ ଶ୍ରୁତିକଟୁ ହୋଇଉଠୁଛି ଏଇ ଆସିଗଲା ବୋଧେ ଟ୍ରେନ... ଭାଇ-। ଭାଇ । ଭାଇ ।

ନୀଳକଣ୍ଠ । ନୀଳକଣ୍ଠ । ମୋତେ କ୍ଷମା ଦିଅ । ମୋର ଦୋଷ ହେଇଛି ନୀଳକଣ୍ଠ, ନୀଳକଣ୍ଠ....

ଅତୀତ । ନିଷ୍ଠୁର ଅତୀତ । ନୀଳକଣ୍ଠ କିଛି ଶୁଣିପାରୁନି । ନିଷ୍ଠୁର ଅତୀତର ବିଭତ୍ସ କରୁଣ ଛବି ଖାଲି ସେ ଦେଖିଛି ଆଗରେ । ସମସ୍ତ ପୃଥିବୀର ବିଭତ୍ସ ଅନ୍ଧାରେ ।

ନୀଳକଣ୍ଠ । ଆରେ ନୀଳକଣ୍ଠ । ଆଉ ମୁଁ ଧାଇଁ ପାରିବିନି । ମୋତେ କ୍ଷମାଦିଅ ନୀଳକଣ୍ଠ, ମୋତେ କ୍ଷମାଦିଅ ।

ମମତା ଚିତ୍କାର କରୁଛି ଯେତେ କଣ୍ଠ ଫଟାଇ ଚିତ୍କାର କରିପାରେ ସେ…ଆଉ ଚିତ୍କାର କରୁଛି ଶ୍ୱେତା ନୀଳକଣ୍ଠ । ନୀଳକଣ୍ଠ ।

ଘୁ–ଘୁ–ଘୁ–

ନୀଳକଣ୍ଠ । ଭାଇ ।

ଘୁ–ଘୁ–ଘୁ–

ଭାଇ ! ଭାଇ ! ଭାଇ !

ନୀଳକଣ୍ଠ । ନୀଳ-କ-ଣ୍ଠ ।

ଘୁ–ଘୁ–ଘୁ–

ଏ ପବିତ୍ର ହିନ୍ଦୁ ଦେଶରେ ଏ ଯେଉଁ ପାଶ୍ଚାତ୍ୟ ସଭ୍ୟତାର ରଥଚକ୍ର ଗଡ଼ି ଆସିଲା ସେଇ ସଭ୍ୟତାର ରଥଚକ୍ର ତଳେ ନୀଳକଣ୍ଠ ଭଳି ନିରୀହ ଯୁବକଙ୍କ ଜୀବନ ଇମିତି ଧ୍ଵଂସ ହୋଇ ଯାଉଛି । ମମତା ଭଳି ଇମିତି ସ୍ୱାମୀସୁଖ ବଞ୍ଚିତା ରମଣୀଙ୍କର ଭାଗ୍ୟ ବିପର୍ଯ୍ୟୟ ହେଉଛି ଏ ପଶ୍ଚାତ୍ୟ ସଭ୍ୟତା ହିନ୍ଦୁ ସନ୍ତାନକୁ ଗ୍ରାସ କରିବ ଏ ଦେଶର ଧର୍ମ, ନ୍ୟାୟ, ସତ୍ୟକୁ ଧ୍ଵଂସକରି ଏ ଦେଶର ଧର୍ମ ସିଂହାସନେ ବସାଇବ ଅନ୍ୟାୟ, ଅତ୍ୟାଚାରର ସମ୍ରାଟ ।

ଭାବୁଥିଲା ଶ୍ୱେତା... ଏ ଯେଉଁ କାଳର କଳଙ୍କ ସଭ୍ୟତାର ରଥଚକ୍ର ଚାଲିଛି ସେ ଧ୍ଵଂସ କରିବ ସବୁ, କେବଳ ଏ ସଭ୍ୟତାଠାରୁ ମୁକ୍ତି ପାଇଯିବେ ସେ, ତା’ଭଳି ହିନ୍ଦୁ କୁଳର ଅପବିତ୍ରା ସନ୍ତାନ ନିରତ । ଯେଉଁମାନେ ଅନ୍ୟାୟ ଅସତ୍ୟକୁ ହସରେ ଉଡ଼ାଇ ଦେଇ ଅସତ୍ୟ ଧ୍ଵଜାର କରିବେ ଜିନ୍ଦାବାଦ ।

ଶ୍ରାବଣର ଏକ ବର୍ଷଣ ମୁଖର ରାତିର ଆକାଶ ଭଳି କାନ୍ଦୁଥିଲା ଭୂଇଁ ଦରାଣ୍ଡି ଶ୍ୱେତା । ଡାକ୍ତରାଣୀ ଶ୍ୱେତପଦ୍ମା ପଟ୍ଟନାୟକ ।

ପ୍ଲାଟଫର୍ମର ସଭ୍ୟ ମାନବ ନଈବଢ଼ି ପାଣି ଭଳି ମାଡ଼ି ଆସୁଥିଲେ ତା’ର ଆଡ଼କୁ ।

Image